Unknown

 

 

 

 

 

 

 

 

 

ରାଜଧାନୀର ରଙ୍ଗ

ସାତକଡ଼ି ହୋତା

 

ମଣିଷ ଇତିହାସ ସୃଷ୍ଟି କରେ ନା ଇତିହାସ ମଣିଷର କବର ଖୋଳେ କେଉଁ କଥାଟି ସତ୍ୟ, ତାହା ମଣିଷକୁ ମୁହିଁ ଖୋଲି କହିବାକୁ ହୁଏ ନାହିଁ; ଇତିହାସର ପ୍ରତ୍ୟେକ ପୃଷ୍ଠାରେ ତାହାର ଦୃଷ୍ଟାନ୍ତ ରହିଛି । କିଏ କାଳଜୟୀ ହେବାକୁ ଯାଇ ଇତିହାସର କୋଳ ମଣ୍ଡନ କରିଛି ତ ଆଉ କିଏ କାଳର ଅପ୍ରତିହତ ଶକ୍ତି ଆଗରେ ମଥା ନୁଆଇଁ ଇତିହାସର ନିର୍ମମ ସିଦ୍ଧାନ୍ତ ଗ୍ରହଣ କରିଛି । ପୃଥିବୀରେ ଜନ୍ମ ଗ୍ରହଣ କରୁଥିବା ଅଗଣିତ ଲୋକଙ୍କର ଇତିାହସ ଲେଖାହୁଏ ନାହିଁ, ଯେଉଁମାନଙ୍କର କଥା ସ୍ଥାନ ପାଏ ଇତିହାସରେ ସେମାନେ ଯେ ସମସ୍ତେ ନମସ୍ୟ ଏବଂ ପ୍ରାତଃସ୍ମରଣୀୟ ତାହା ମଧ୍ୟ ନୁହେଁ; ସେମାନଙ୍କ ମଧ୍ୟରୁ ଅନେକଙ୍କର କାହାଣୀ କଳାପାହାଡ଼ର କାହାଣୀଠାରୁ ବି ଅଧିକ କଳଙ୍କିତ । ପିତାମାତାଙ୍କର ବାହୁଛାୟା ତଳେ ସୁପୁତ୍ର ଓ କୁପୁତ୍ର ଉଭୟ ଯେପରି ଲାଳିତ ହୁଅନ୍ତି, ସମୟ ସେହିପରି ଉଭୟଙ୍କ ସକାଶେ ଅନେକ ଅମୃତଲଗ୍ନ ସୃଷ୍ଟି କରେ । କିନ୍ତୁ ଯିଏ ଅମୃତକୁ ପରିତ୍ୟାଗ କରି ବିଷପାନ କରେ ତା’ର ପରିମାଣ ସେ ଏକା ଭୋଗକରେ ନାହିଁ ଅନ୍ୟମାନେ ମଧ୍ୟ ଭୋଗନ୍ତି । ସମାଜରେ ବାସ କଲେ ଏହାର ସୁରକ୍ଷା ମିଳେ ଯେପରି ସମାଜର ତ୍ରୁଟି ବିଚ୍ୟୁତି ପାଇଁ ସେହିପରି ମୂଲ୍ୟ ମଧ୍ୟ ଦବାକୁ ହୁଏ । ମନୋଜ ମିଶ୍ର ଆଦୌ ଜନ୍ମଗ୍ରହଣ କରି ନ ଥିଲେ ବିଶ୍ୱ ବ୍ରହ୍ମାଣ୍ଡର କିଛି କ୍ଷତି ହୋଇ ନ ଥାନ୍ତା; କିନ୍ତୁ ତା’ର ଜନ୍ମଗ୍ରହଣ ଯଦି ଦୁର୍ଘଟଣା ପ୍ରସୂତ ନୁହେଁ, ତାହେଲେ ବିଶ୍ୱବ୍ରହ୍ମାଣ୍ଡର କ୍ଷତି ବା ବୃଦ୍ଧି ତା’ ପକ୍ଷରେ ଅପ୍ରାସଙ୍ଗିକ ବା ଅବାନ୍ତର ହେବ କିପରି ? ସମାଜ ଭିତରେ ରହିବାକୁ ହେଲେ ଅନ୍ୟର ପୁଣ୍ୟଫଳର ପ୍ରଭାବ ଯେପରି ମିଳେ ଅନ୍ୟର ପାପ ଓ କୁକର୍ମ କବଳରୁ ସେହିପରି ନିର୍ଦ୍ଦୋଷୀ ବ୍ୟକ୍ତି ସମ୍ପୂର୍ଣ୍ଣ ରକ୍ଷା ପାଇପାରେ ନାହିଁ ।

 

ମନୋଜ ଇତିହାସ ସୃଷ୍ଟି କରିବାକୁ ଜନ୍ମଗ୍ରହଣ କରିନାହିଁ । ସେ ଇତିହାସ ଲେଖିବା ମଧ୍ୟ ନୁହେଁ କିନ୍ତୁ ମଣିଷର ଦୈନନ୍ଦିନ କାହାଣୀ, ତା’ର ଅଶ୍ରୁ ଓ ଆନନ୍ଦର ଗଳ୍ପ ଏବଂ ଜୟ ଓ ପରାଜୟ ଇତିବୃତ୍ତିକୁ ରୋମାଞ୍ଚକର ଭାବରେ ପରିବେଷଣ କରିବାଦ୍ୱାରା ଯେଉଁମାନେ ଇତିହାସ ଲେଖନ୍ତି ବା ଇତିହାସ ସୃଷ୍ଟି କରନ୍ତି ସେମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରିବାରେ ସାହାଯ୍ୟ ନ କରିବା କାହିଁକି ? ସମ୍ବାଦ କେବଳ କେତେକ ଶବ୍ଦର ସମାହାର ନୁହେଁ ଏହା ମଣିଷର ଉତ୍ଥାନ ପତନର କଥାରେ ପୂର୍ଣ୍ଣ । ଯେଉଁ ମଣିଷ ସମ୍ବାଦ ସୃଷ୍ଟି କରି ଚାଲିଚି, ନିଜର ଶବ୍ଦ ଓ ସ୍ୱର ଯାହାକୁ କେବଳ ଶୁଣାଯାଏ; ତାକୁ ଚତୁଃପାର୍ଶ୍ୱରେ ଥିବା ପୃଥିବୀ ପରିବେଶ ଓ ସମାଜ ସମ୍ପର୍କରେ ଟିକେ ସଚେତନ କରିଦେବା ପାଇଁ ଏବଂ ତାହାରି କହିବା ଓ କରିବା କଥା ଅନୁସାରେ ତା’ର ସଫଳତା ଓ ବିଫଳତାକୁ ମାପିବା ପାଇଁ ସେ ମସୀକୁ ଅବଲମ୍ବନ କରିଛି । କଲମ ଯେ ତରବାରୀ ଅପେକ୍ଷା ଅଧିକ ଶକ୍ତିମାଳି ଏକଥା କିଏ ପ୍ରଥମ କହିଥିଲା ତା’ର ମନେନାହିଁ; କିନ୍ତୁ ସେ ଜୋର୍‍ ଦେଇ କହିପାରେ ଯେ ମସୀଦ୍ୱାରା ସୃଷ୍ଟି ହୋଇଥିବା ଅନେକ ସାମ୍ରାଜ୍ୟ ବିଲୟ ମଣିଷ ପ୍ରତ୍ୟକ୍ଷ କରିଥିଲେ ମଧ୍ୟ ମସୀଦ୍ୱାରା ସୃଷ୍ଟି ହୋଇଥିବା ସାମ୍ରାଜ୍ୟ କେବଳ ବୃଦ୍ଧି ପାଇବାରେ ଲାଗିଛି । ଏହାର ସଂକୋଚନ ନାହିଁ କେବଳ ପ୍ରସାରଣ ଅଛି, ବ୍ୟାପ୍ତି ଅଛି କିନ୍ତୁ ବିପର୍ଯ୍ୟୟ ନାହିଁ । ମଣିଷର ବୁଦ୍ଧି ଓ ଚେତନା, ମନ ଓ ବିବେକ, ପରାଜୟ ଓ ପରାକାଷ୍ଠା, ନୀତି ଓ ଆଚରଣ, ଧର୍ମ ଏବଂ ଧୃତି କେତେବେଳେ ଯେ ଜୀବନର ପ୍ରୟୋଗଶାଳାରେ ସଂସ୍କାର ଆଣି ତା’ର ବ୍ୟାବହାରିକ ଜୀବନର ଅଧିକ ଉନ୍ନତ, କ୍ରୀୟାଶୀଳ ଓ ଫଳପ୍ରସୂ କରିଅଛି ତାହା ସଂସ୍କୃତିର ଇତିହାସ ପାଠ କଲେ ସୁସ୍ପଷ୍ଟ ହୋଇଯାଏ । ଲଜ୍ୟା ନିବାରଣ କରିବାକୁ ଯାଇ ନବ ନବ ପରିଧାନ ଓ ପରିଧାନଶୈଳୀ ଉଦ୍ଭାବନ କରୁଥିବା ମଣିଷର ଉଦ୍ୟମ ଯେ ଅଭିନବ ଏହା ନିଃସନ୍ଦେହ; କିନ୍ତୁ ପୋଷାକର ଆବରଣ ତଳେ ଯେଉଁ ଅଶ୍ଳୀଳ, ଅସଂସ୍କୃତ, ନିଷ୍ଟୁର, ସ୍ୱାର୍ଥପର ଓ ସଂକୀର୍ଣ୍ଣ ମଣିଷଟି ଗୋପନରେ ସମୟ ଓ ସୁଯୋଗକୁ କବଳିତ କରିବାକୁ ଅପେକ୍ଷା କରେ ତା’ର ଅପକୀର୍ତ୍ତିକୁ ପଦାରେ ପକାଇ ଦେବାପାଇଁ ଯେପରି ଜନ୍ମ ନେଇଛି ଧରଣୀରେ । ଧର୍ମ ପ୍ରଚାର କରିବା ପାଇଁ ସେ ଜନ୍ମି ନାହିଁ, ଧର୍ମାଚରଣ କରିବାକୁ ମଧ୍ୟ ସେ ଶପଥ ନେଇ ନାହିଁ; କିନ୍ତୁ ସତ୍ୟର ଅନୁସରଣ କରିବାକୁ ଯାଇ ଯଦି ସେ ମିଥ୍ୟା ଓ ଛଳନାକୁ ଡିନାମାଇଟି ଫୁଟେଇ ଚୂର୍ଣ୍ଣ ବିଚୂର୍ଣ୍ଣ କରେ ତାହା ଅବାନ୍ତର ବା ଅପ୍ରାସଙ୍ଗିକ ହେବନାହିଁ, ତାହା ପୂର୍ଣ୍ଣ ନିର୍ଦ୍ଦିଷ୍ଟ, ଅବଧାରିତ ।

 

ସେଥିପାଇଁ ଇତିହାସ ପୃଷ୍ଠାରେ ନିଜର ନାମ ପଢ଼ିବା ପାଇଁ ଅହରହ ଉଦ୍ୟମ କରୁଥିବା ଲୋକମାନଙ୍କ ଉପରେ ଟିକେ ବେଶୀ ନଜର ରଖେ ମନୋଜ । ସେମାନଙ୍କର ଉଜ୍ଜ୍ୱଳ ମୁହଁ ତା’ର ମେଗ୍ନିଫାଇଙ୍ଗ ଗ୍ଲାସ ତଳେ କେଡ଼େ ଶ୍ରୀହୀନ ଏବଂ କୁତ୍ସିତ ଦେଖାଯାଏ ତାହା ସମସ୍ତଙ୍କ ଆଗରେ ପ୍ରକାଶ କରିବାଲାଗି ସେ ସଙ୍କଳ୍ପବଦ୍ଧ । ଅସୂୟା ବା ଅହଙ୍କାରଦ୍ୱାରା ତାଡ଼ିତ ନ ହୋଇ ସେ କେବଳ ସତ୍ୟାଶ୍ରୟୀ ଭାବରେ ଚାଲିଚି । ସେ ସତ୍ୟ କଥା କହିବ, ପ୍ରିୟ କଥା ବି କହିବ; କିନ୍ତୁ ଅପ୍ରିୟ ସତ୍ୟକଥା କହିବାକୁ ପଶ୍ଚାତ୍‌ପଦ ହେବ ନାହିଁ । ସତ୍ୟ ସଦାବେଳେ ସମ୍ପୂର୍ଣ୍ଣ, ଯାହା ଆଂଶିକ ସତ୍ୟ ତାହାର ଆଉ ଗୋଟିଏ ଅଂଶ ମିଥ୍ୟା ।

 

ମୃତ୍ୟୁଶଯ୍ୟାରେ ବାପା ଗୋଟିଏ କଥା କହିଥିଲେ ତାକୁ । ଧର୍ମ କୌଣସି ବାହ୍ୟ ବସ୍ତୁ ନୁହେଁ, ଏହା ଆଚରଣଗତ । ସଦାଚାରହିଁ ଧର୍ମ । ସତ୍ୟହିଁ ଧର୍ମର ହୃତ୍‌ପିଣ୍ଡ । ସତ୍ୟକୁ ପରିତ୍ୟାଗ କରି କୌଣସି ନୀତି, କୌଣସି ଧର୍ମ ତିଷ୍ଠି ପାରିନାହିଁ କି ପାରିବ ନାହିଁ । ତୁ ସାମ୍ବାଦିକ ହେବାକୁ ଚାହୁଁ, ମୁଁ ତୋ’ର ଇଚ୍ଛା ବିରୁଦ୍ଧରେ କିଛି କହୁ ନାହିଁ; ବରଂ ସର୍ବାନ୍ତକରଣରେ ଆଶୀର୍ବାଦ କରୁଛି ଯେ ତୁ ସଫଳ ହୁଅ । କିନ୍ତୁ ସାବଧାନ ! ଖଣ୍ଡା ଧାରରେ ଚାଲିବା ପରି ଏ କାମ । ସମ୍ମାନ ଓ ଶ୍ରଦ୍ଧା ଅର୍ଜ୍ଜୁନ କରିବା ପୂର୍ବରୁ ଅନେକ ସଂଗ୍ରାମ କରିବାକୁ ପଡ଼ିବ, ଅନେକ ଦୁଃଖକଷ୍ଟ ଭୋଗ କରିବାକୁ ପଡ଼ିବ, ଅନେକ ଅପମାନ ସହ୍ୟ କରିବାକୁ ପଡ଼ିବ । ପାରିବୁ ? ଯଦି ତୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉ ମୁଁ ସ୍ୱର୍ଗରେ ଥାଏ ବା ନର୍କରେ ଥାଏ ତୋ ପ୍ରତି ମୋର ଆସ୍ଥା ଏବଂ ଆଶୀର୍ବାଦ ଅତୁଟ ରହିଥିବ ।

 

ମନୋଜ ମିଶ୍ର ଦାର୍ଶନିକ ପରି ଭାବୁଥିଲା ଅତୀତର ସେଇ ଅଭୁଲା କଥାଗୁଡ଼ିକୁ । ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛି କି ନାହିଁ ଦମ୍ଭ କରି କହିପାରିବ ନାହିଁ । କିନ୍ତୁ ପରୀକ୍ଷା ଦବା ପାଇଁ ଯେଉଁ ମାନସିକ ପ୍ରସ୍ତୁତି, ଆଚରଣଗତ ନିଷ୍ଠା ଏବଂ ଆତ୍ମପ୍ରତ୍ୟୟ ଆବଶ୍ୟକ ତାହା ପ୍ରଦର୍ଶନ କରିବାରେ ସେ କାର୍ପଣ୍ୟ ବା କୁଣ୍ଠା କରିନାହିଁ ।

 

ସେଥିପାଇଁ ମନୋଜ ମିଶ୍ର ଆଜି ଏକ ବିବାଦବାନ ବ୍ୟକ୍ତିତ୍ୱ । କେତେକ ତା’ର ଜୟଗାନ କରୁଥିବାବେଳେ ଆଉ କେତେକ ତାକୁ ଅଭିଶାପ ଦବାରେ ଲାଗିଛନ୍ତି । ନୀତିବାନମାନେ ତାକୁ ନିନ୍ଦା କରନ୍ତୁ ବା ସ୍ତୁତି କରନ୍ତୁ, ସମ୍ବାଦିକତା କରି ସେ ଅର୍ଥ ଉପାର୍ଜନ କରୁ ବା ନ କରୁ, ସେ ନିଜର ନୀତି ଓ ଆଦର୍ଶରେ ଅବିଚଳିତ ରହି ପୂର୍ବ ନିର୍ଦ୍ଧାରିତ ମାର୍ଗରେ ଅଗ୍ରସର ହେବ ।

 

କଥା କହିବା ସହଜ, କିନ୍ତୁ କାର୍ଯ୍ୟରେ କରିବା କେଡ଼େ କଷ୍ଟକର ସେ ନିଜେ ଜାଣେ । ସେଇ କାର୍ଯ୍ୟ କରିବାବେଳେ ସେ ଇତିହାସ ନ ଲେଖି ଇତିହାସର ଚରିତ୍ରମାନଙ୍କୁ ସମୀକ୍ଷା କରୁଛି; ସେମାନଙ୍କର ଭିତରକୁ ରଞ୍ଜନରଶ୍ମି ସାହାଯ୍ୟରେ ଦେଖି ନେଉଛି ଏବଂ ଅନବରତ ନିଜର ଛବି ଆଙ୍କୁଥିବା ଚରିତ୍ରମାନଙ୍କର ସୁନ୍ଦର, ସମୁଜ୍ଜ୍ୱଳ ମୁଖଶ୍ରୀ ଯେ କେଡ଼େ କୁତ୍ସିତ ତାହାହିଁ ପ୍ରତିପାଦନ କରିବାକୁ ଯାଇ ସମୟ ସରିଯାଇଛି । କିନ୍ତୁ ତାହା ବୋଲି ସେ ସୁନ୍ଦର ଓ ଶ୍ରୀମାନ୍ ପୁରୁଷଟିଏ ବା ସୁନ୍ଦରୀ ଓ ଶ୍ରୀମତୀ ନାରୀଟିଏ ଦେଖିଲେ ଆଖିବୁଜି ନୀରବରେ ତଳକୁ ମୁହଁ ପୋତି ଛିଡ଼ା ହୋଇ ରହେ ନାହିଁ ବରଂ ଆନନ୍ଦରେ ପଞ୍ଚମୁଖ ହୋଇଉଠେ ସେମାନଙ୍କର କଥା କହିବାରେ, ସେମାନଙ୍କର ସମ୍ବାଦ ପରିବେଷଣ କରିବାରେ । କିନ୍ତୁ ସେମାନେ କେଡ଼େ ଯେ ଦୁର୍ଲଭ ତାହା ସେ ଜାଣେ, ଇତିହାସ ବି ଜାଣେ ।

 

ଜୀବନ ନଦୀର ପ୍ରବାହ ପରି । ଏଥିରେ ବେଗ ଅଛି ଆବେଗ ବି ଅଛି । ପୋଖରୀର ଆବଦ୍ଧ ଜଳ ପରି ହୋଇଥିଲେ ଜୀବନର ବିବର୍ତ୍ତନ ସମ୍ଭବ ହୋଇ ନ ଥାନ୍ତା ପୃଥିବୀରେ । ମଣିଷ ଏଇ ପୃଥିବୀରେ ଜନ୍ମ ହେବା ଦିନୁ ତା’ର ବିବର୍ତ୍ତନର ଇତିହାସ ଅଖଣ୍ଡ । ସୀମିତ ଜୀବନକାଳର ସୀମା ଡେଇଁ ମନୁଷ୍ୟ ସବୁକାଳରେ ଚେଷ୍ଟା କରିଛି ଆଗକୁ ଯିବା ପାଇଁ । ଗୋଟିଏ ବିନ୍ଦୁରେ ସେ ଛିଡ଼ା ହୋଇ ରହିନାହିଁ । ଉଠିପଡ଼ି ଚାଲିଛି ଅଙ୍କ ବଙ୍କା ଖସଡ଼ା ପଥ ଦେଇ ଉଠିପଡ଼ି ଚାଲିଥିବା ପଥିକ ପରି । ଯାତ୍ରାରମ୍ଭଠାରୁ ଯାତ୍ରା ଶେଷ ମଝିରେ ଯେଉଁ ସମୟ ମିଳେ ତାହାହିଁ ଜୀବନକାଳ । ଏଇ ଜୀବନର କଥା କହିବାକୁ ଚାହିଁଛି ମନୋଜ । ଜୀବନକୁ ସମୀକ୍ଷା କରିବାକୁ ମନସ୍ଥ କରିଛି ସେ-। ସତ୍ୟକୁ ଢାଙ୍କି ପକେଇବା ପାଇଁ ଅସତ୍ୟର ଅଭିଯାନକୁ ସେ ହୁଏତ ପ୍ରତିହତ କରିପାରିନାହିଁ କି ପାରିବ ନାହିଁ; କିନ୍ତୁ ତା’ର ଉଦ୍ୟମ ଶିଥିଳ ହେବ ନାହିଁ । ସେ ଭଲ ବୋଲି ବାହାବା ନେଉଥିବା ଲୋକମାନଙ୍କର ଭୁଲଗୁଡ଼ାକୁ ଦର୍ଶାଇ ଦବା ପାଇଁ ସଂକଳ୍ପ କରିଛି । ଏହା ବୋଲି ସେ କାଳ ସଂସ୍କୃତିକୁ ଗ୍ରହଣ କରିନାହିଁ । ଭଲର ପ୍ରଶଂସା ପରି ଭୁଲର ପ୍ରକାଶ ମଧ୍ୟ ଆବଶ୍ୟକ ।

 

ସେ ନିଜେ କଅଣ ହଲପ୍ କରି କହିପାରିବ ଯେ ସେ ଜୀବନରେ କିଛି ଭୁଲ କରିନାହିଁ । କରିଛି । ଅନେକ ଭୁଲ କରିଛି ସେ । ସତ୍ୟ ପରି ଦିଶୁଥିବା ଅନେକ ଅର୍ଦ୍ଧସତ୍ୟ ବା ଅସତ୍ୟକୁ ସମ୍ପୂର୍ଣ୍ଣ ସତ୍ୟ ବୋଲି ଗ୍ରହଣ କରି ନେଇ ପରେ ଯେତେବେଳେ ନିଜର ଭୁଲ ବୁଝିପାରିଛି ସେତେବେଳେ ଯନ୍ତ୍ରଣାରେ କାତର ହୋଇଛି । ଆଉ ଟିକେ ସାବଧାନ ହେବା ପାଇଁ ଆହୁରି ବେଶୀ ସତର୍କ ହେବା ପାଇଁ ବିବେକ ତାକୁ ତାଗିଦ୍ କରିଦେଇଛି । ନିଆଁରେ ପୋଡ଼ିଗଲେ ଯେମିତି ଯନ୍ତ୍ରଣାରେ ଛଟପଟ ହୁଏ ଶରୀର ସେମିତି ଯନ୍ତ୍ରଣାରେ ଛଟପଟ ହେବାବେଳେ ସେ ନିଜ ଭିତରର ସଂଶୋଧନୀ ଶକ୍ତିକୁ ଜାଗ୍ରତ କରିବାପାଇଁ ନିଷ୍ଠାର ସହିତ ଚେଷ୍ଟା କରିଛି । ନିଜର ସୁଖ ସୁବିଧା କରି ଦବା ପାଇଁ ସେ କେବେ ଭଗବାନଙ୍କୁ ଡାକି ନାହିଁ, କିନ୍ତୁ ଆତ୍ମ-ସଂଶୋଧନ କରିବା ନିମନ୍ତେ ତାକୁ ବିଶ୍ୱାସ ଏବଂ ସାହାସ ଦବା ପାଇଁ ପ୍ରାର୍ଥନା କରିଛି ମନୋଜ । କାରଣ ତା’ର ହୃଦବୋଧ ହୋଇଛି ଯେ ଭ୍ରମ ସଂଶୋଧନ କରିବା ପାଇଁ ମନୁଷ୍ୟର ଯେଉଁ ନିଜସ୍ୱ ଶକ୍ତି ଅଛି ତାହାହିଁ ତାକୁ ଉତ୍ତୀର୍ଣ୍ଣ କରେ ସଙ୍କଟରୁ, ଦ୍ୱନ୍ଦ୍ୱରୁ ଏବଂ ସଂଗ୍ରାମରୁ । ତାହାହିଁ ତାର ସଞ୍ଜିବନୀ ଶକ୍ତି । ବ୍ୟକ୍ତି ପରି ସମାଜରେ ଓ ପ୍ରକୃତିରେ ମଧ୍ୟ ଏପରି ସଂଶୋଧନୀ ଶକ୍ତି ରହିଛି । ଏହି ଶକ୍ତି କ୍ରିୟା କରୁଥିବା ଯାଏ ମନୁଷ୍ୟ ଆଗକୁ ଚାଲୁଥିବ, ସମାଜ ବଦଳୁ ଥିବ, ପ୍ରକୃତି ନିଜକୁ ରକ୍ଷା କରୁଥିବ । ଯେଉଁଦିନ ଏହି ପ୍ରକ୍ରିୟାଟି ବନ୍ଦ ହୋଇଯିବ ସେହିଦିନ ସେ ଅଚଳ ହୋଇଯିବ, ତା’ ଭିତରେ ଥିବା ଉତ୍ତରଣର ଉତ୍ସଟି ଶୁଖିଯିବ-

 

ଜୀବନର ପ୍ରବହମାନ ଗତିକୁ ଦେଖି ଅଭିଭୂତ ହୋଇଯାଏ ମନୋଜ । କେତେ ବୈଚିତ୍ର୍ୟମୟ ଏହି ଜୀବନ । ଜୀବନର ବୋଝ ବୋହି ଜରଦ୍‌ଗବ ପରି ଘୋଷାରି ହେଉଥିବା ଏହି ମଣିଷର କଥା ଓ କାହାଣୀ ଏକାପରି କାନକୁ ଶୁଭୁଥିଲେ ବି ଅନ୍ତର୍ଦୃଷ୍ଟି ଦେଇ ଦେଖିଲେ ତାହା ଯେ କେଡ଼େ ସରସ, ଲୋଭନୀୟ ଆଉ ଆକର୍ଷଣୀୟ ସେଇ କଥା ସୁସ୍ପଷ୍ଟ ହୋଇ ଉଠେ ।

 

ଜୀବନର ସେଇ ଅମୋଘ ଆକର୍ଷଣ ତାକୁ ଟାଣୁଛି ସର୍ବଦା । ଜୀବନର ଦୈନନ୍ଦିନ ଘଟଣାଗୁଡ଼ିକ ଅତି ନୀରସ ଓ ଶୁଷ୍କ ମନେ ହେଉଥିଲେ ବି ସେଇ ପ୍ରତିଦିନର ଜୀବନସଂଗ୍ରାମର କାହାଣୀ ଭିତରୁ ମନୁଷ୍ୟର ବହୁରୂପୀ ଚିରତ୍ରର ଯେଉଁ ଆଭାସ ମିଳେ ତାହା ଦେଖି ଅବାକ ହୋଇଯାଏ ସାମ୍ୱାଦିକ ମନୋଜ ମିଶ୍ର । ସେଥିପାଇଁ ସେ କହେ ଯେ ସମ୍ୱାଦ ନ ଥିଲେ ସରସତା ମଧ୍ୟ ନ ଥିବ; ଆଉ ସରସତା ନ ଥିବା ଜୀବନ ତ ନିର୍ଜୀବ ଶିଳାଖଣ୍ଡ ପରି, ଏହାର ଗତି ନାହିଁ କି ପ୍ରକୃତି ନାହିଁ ।

 

ଏଇ କାଲିପରି ଲାଗୁଛି; ଯେଉଁଦିନ ପୂର୍ବପୁରୁଷର ଭିଟାମାଟି ଛାଡ଼ି ସେ ଚାଲିଆସିଲା ଭୁବନେଶ୍ୱରକୁ । ବାପା, ମା’ ତାକୁ ଏକା ଛାଡ଼ି ଚାଲିଯାଇଥିଲେ ଇହଧାମରୁ । ପୃଥିବୀ ରୂପକ ଏତେବଡ଼ ଖେଳ ପଡ଼ିଆରେ ସେ ନିଜକୁ ଏକାକୀ ଦେଖି ଚମକି ପଡ଼ିଥିଲା । କିନ୍ତୁ କ୍ରମଶଃ ଅନ୍ୟ ଖେଳାଳୀ ଆସିଲେ । ସେ ଖେଳାବାକୁ ଆରମ୍ଭକରି କେତେବେଳେ ଯେ ରେଫରୀ ହୋଇ ହୁଇସିଲ ଧରିଲା ହାତରେ ତାହା ଆଜି ଆଉ ମନେପଡ଼ୁନି । କିନ୍ତୁ ନ ଖେଳି ବି ରେଫରୀ ଖେଳେ, ଖେଳକୁ ଉପଭୋଗ କରେ । ବାପା ତାକୁ କହିଥିଲେ ତୁ ଆଉ ଯାହା କର ମନୁ; ପରର ଶ୍ରୀ ଦେଖି କାତର ହେବୁନାହିଁ, ପର ସ୍ତ୍ରୀ ପ୍ରତି ଆକୃଷ୍ଟ ହେବୁ ନାହିଁ ଏବଂ ଅସୂୟାର ବଶ ହୋଇ କାହାକୁ ଅଣ୍ଟା ତଳେ ଆଘାତ କରିବୁ ନାହିଁ ।

 

ବାପାଙ୍କ କଥା ସେ ଭୁଲି ନାହିଁ । ମନୋଜ ମିଶ୍ରକୁ ସମସ୍ତେ ଭଲ ପାଇ ନ ପାରନ୍ତି; କିନ୍ତୁ ଛାତି ଉପରେ ହାତ ରଖି ଶତ୍ରୁ ବି କହିପାରିବ ନାହିଁ ଯେ ସେ ଅସୂୟା ଯୋଗୁଁ ଲାଗିଛି କାହା ପଛରେ, କିମ୍ବା ପରର ଶ୍ରୀ ଓ ସମୃଦ୍ଧି ଦେଖି ନ ପାରି ତାକୁ ଧରାଶାୟୀ କରିବା ପାଇଁ ଅଣ୍ଟାତଳେ ଜୀବନ ନାଟିକାରେ ଆଘାତ କରୁଛି । ଏଥିପାଇଁ କମ୍‍ ମୂଲ୍ୟ ଦେବାକୁ ପଡ଼ୁନି ମନୋଜକୁ । ରହସ୍ୟର ଉଦ୍‌ଘାଟନ କରିବାକୁ ଯାଇ ସେ ନିଜେ ବେଳେ ବେଳେ ରହସ୍ୟମୟ ହୋଇଉଠୁଛି । ରାଜଧାନୀକୁ ଆସିବା ପାଇଁ ସମ୍ବଳ ନ ଥିଲା ମନୋଜର । କିନ୍ତୁ ରାଜଧାନୀ ରାଜ୍ୟର ମଧ୍ୟବିନ୍ଦୁ, ଏଠାକୁ ନ ଆସିଲେ ଶାସକ ଓ ଶାସିତଙ୍କର ସମ୍ପର୍କ ଅଜଣା ରହିଯାଏ, ଦ୍ରୁତ ପରିବର୍ତ୍ତିତ ହେଉଥିବା ଜୀବନଧାରା ଦୃଷ୍ଟିଗୋଚର ହୁଏ ନାହିଁ ।

 

ରାଜଧାନୀ ଭୁବନେଶ୍ୱରରେ ପାଦ ରଖିବା ଅନେକ ଦିନ ହୋଇଗଲାଣି । ସେ ଏ ଭିତରେ ନିଜେ ବି ରାଜଧାନୀର ଅଧିକାରୀ ହୋଇଗଲାଣି । କିନ୍ତୁ ଯେତିକି ଦେଖୁଛି ରାଜଧାନୀର ରଙ୍ଗ ସେତିକି ବଦଳିବାରେ ଲାଗିଛି । ବେଳେବେଳେ ତ ବୈଷ୍ଣବ ପାଣିଙ୍କ ଯାତ୍ରା ଦେଖିବା ପରି ଲାଗେ । ଯାତ୍ରା ଦଳରେ ମିଶି ନ ପାରି କେବଳ ବାହାରେ ଛିଡ଼ା ହୋଇ ଦର୍ଶକ ଭାବରେ ଯାତ୍ରା ଦେଖୁଛି । ମହାକବି ସେକ୍‌ସପିଅର ଯଥାର୍ଥରେ କହିଥିଲେ ଯେ ଜୀବନ ଏକ ରଙ୍ଗମଞ୍ଚ । ଆମେ ସମସ୍ତେ ଅଭିନେତା ଓ ଅଭିନେତ୍ରୀ । ମନୋଜ ପାଉଡ଼ର ବୋଳି ରଙ୍ଗ ଲଗାଇ ନୂତନ ପୋଷାକରେ ସଜ ହୋଇଥିବା ଅଭିନେତାମାନଙ୍କୁ ଅନାଏ । ଆହା ! ରଜା ଅଭିନୟ କରୁଥିବା ଏଇ ଲୋକଟି ଜୀବିକାର୍ଜନ କରିବା ପାଇଁ ଉଦ୍ୟମ କରୁଥିବା ଜଣେ ସାଧାରଣ ସାମାନ୍ୟ ପ୍ରଜା ନ ହୋଇ ସେ ଶୁଣିଥିବା ଓଡ଼ିଶାର ପୂର୍ବତନ କୌଣସି ଏକ ଗଡ଼ଜାତର ରଜା ହୋଇଥାଆନ୍ତା କି !

 

ରଜାମାନେ ଗଲେଣି । ରାଣୀମାନେ ବି ଆଉ ନାହାନ୍ତି । ସମୟ ବଦଳି ଯାଇଛି । ଏକାମ୍ର କାନନ ନାମରେ ପରିଚିତ ଏଇ ପ୍ରାଚୀନ ଐତିହାସିକ ପୀଠ କିନ୍ତୁ କାଳ କାଳ ଧରି ରାଜା ଓ ରାଣୀ, ପାତ୍ର ମନ୍ତ୍ରୀ ଓ କଟୁଆଳମାନଙ୍କ କୋଳାହଳରେ ଜୀବନ୍ତ ହୋଇ ଉଠିଥିଲା । ସେମାନେ ଆଉ କେହି ନାହାନ୍ତି । କିନ୍ତୁ କୀର୍ତ୍ତି ରହିଛି । ଖଣ୍ଡଗିରି, ଉଦୟଗିରି, ଧଉଳିଗିରିରେ ଓ ଭୁବନେଶ୍ୱରର ଚତୁର୍ଦ୍ଦିଗରେ ଦେଖାଯାଉଥିବା ଗଡ଼ ଓ ମନ୍ଦିରମାନଙ୍କ ଏବଂ ଏପରିକି ଯନ୍ତ୍ରତନ୍ତ୍ର ଅନାଦୃତ ଭାବରେ ପଡ଼ିଥିବା ପ୍ରତ୍ୟେକ ଶିଳାଖଣ୍ଡରେ ଇତିହାସ ବିଛାଇ ହୋଇପଡ଼ିଛି । ଅସଂଖ୍ୟ ଜୀବନ । ଅସଂଖ୍ୟ ଚରିତ୍ର । ସବୁ ନାଟର ଗୋବର୍ଦ୍ଧନ କିନ୍ତୁ ସେଇ ମଣିଷ ।

 

ସେଇ ନାଟର ଗୋବର୍ଦ୍ଦନକୁ ଖୋଜୁଛି ସେ । ଗୋଟିଏ ପ୍ରକାର କହି ଆଉ ଗୋଟିଏ ପ୍ରକାର କରୁଥିବା ନାୟକଙ୍କୁ ଖୋଜି ଖୋଜି ନୟାନ୍ତ ହେଲାଣି ମନୋଜ । ବେଳେ ବେଳେ ହତାଶ୍‍ ଲାଗୁଛି । କିନ୍ତୁ ହତାଶ୍‍ ମଣିଷ ବଞ୍ଚେ ନାହିଁ ବେଶୀଦିନ, ଏହି କାରଣରୁ ହତାଶା ଓ ଅବସାଦକୁ ଫିଙ୍ଗି ଦେଇ ଝାଡ଼ିଝୁଡ଼ି ହୋଇ ପୁଣି ଅନୁସନ୍ଧାନ ଆରମ୍ଭ କରିଦିଏ ମନୋଜ । କାର୍ଯ୍ୟ ସାଧନ କରିବା ପାଇଁ ପ୍ରୟୋଜନ ହେଲେ ଜୀବନ ଦବାକୁ ପ୍ରସ୍ତୁତ ସେ । କିନ୍ତୁ ନିଜ ଭିତରୁ କ୍ଷୀଣ ସ୍ୱରରେ ହେଲେବି କେହି ଯେପରି କହୁଛି; ଅନୁସନ୍ଧାନ ଅବ୍ୟାହତ ରଖ ମନୋଜ, ଦିନେ ତୁ ସଫଳ ହେବୁ ନିଶ୍ଚୟ ।

 

ମନୋଜ ବାହାରି ପଡ଼ିଲା ଘରୁ । ରାଜଧାନୀର ଆକାଶରେ ଝିଲିମିଲି କରୁଥିଲା ଅପରାହ୍ନରେ ନରମ ଖରା । ସେଇ ଖରାରେ ଚହଟି ଉଠୁଥିଲା ରାଜଧାନୀର କୋଠାବାଡ଼ି, ମନ୍ଦିର, ମସ୍‍ଜିଦ, ଗଛବୃଛ ଓ ରାସ୍ତାଘାଟ ।

 

ଯେଉଁଦିନ ନିଶ୍ଚିନ୍ତରେ ଘର ସଂସାର କରି ରହିବା ପାଇଁ ନିଶ୍ଚିତ ହୋଇ ଅଳସ ଅପରାହ୍ନରେ ଅପସୃୟମାନ ସୂର୍ଯ୍ୟାଲୋକକୁ ଅନେକ ସଂଧ୍ୟା ଆସିବାରେ କାହିଁକି ଏତେ ସମୟ ଲାଗୁଛି ବୋଲି ବ୍ୟସ୍ତ ହେଉଥିଲା ଶଙ୍କର ସେତିକିବେଳେ ମନୋଜ ଆସି ପହଞ୍ଚି ଗଲା ଚା’ କପେ ପିଇବା ପାଇଁ ।

 

-ଚାରିଟା ବାଜିଲାଣି ଘଡ଼ିରେ । ନୂଆ ବାହା ହୋଇଛୁ ବୋଲି ତୋତେ ହୁଏତ ସମୟ ଜଣାପଡ଼ୁ ନ ଥିବ । ସେ ଯା ହେଉ ଭାଉଜଙ୍କ ହାତ ତିଆରି ଚା’ ନ ପିଇ ମୁଁ ଆଜି ଆଉ ଯାଉ ନାହିଁ... । କହିଲା ମନୋଜ ।

 

ତା’ ଆଡ଼କୁ ବେତ ଚୌକୀଟା ଠେଲିଦେଇ କହିଲା ଶଙ୍କର ଭାଉଜ ନୁହେଁବେ ଭଉଣୀ କହ । ମୋର କେହି ଜଣେ ଶଳା ରହିବା ଦରକାର । ଶଳା ଶୂନ୍ୟ ରାଜ୍ୟରେ ସମ୍ରାଟ୍‍ ହୋଇ ବି ସୁଖ ନାହିଁ । କହିଲା ଶଙ୍କର ।

 

-ତୋ’ର ଭୟ ହେଉଛି...କାଳେ ଭାଉଜ ଡାକିବାର ରସିକତା ଭିତରେ ତୋ ସାମ୍ରାଜ୍ୟ ମୁଁ ଲୁଟି ନେବି ଦିନେ...ଧ୍ୟାତ୍ ଶଳା...ବାହାହେଲେ ବୋହୂକୁ ନେଇ ଏତେ ଡରିଲେ ଚଳିବ ? ଭାଉଜ କେହି ନ ଥିଲେ ଏଯାଏ...ସେଥିପାଇଁ ଖୋଜି ଖୋଜି ପହଞ୍ଚିଥିଲି ଏଠାରେ । ଶେଷରେ ଭାଉଜ ଜାଗାରେ ଭଉଣୀକୁ ଦେଖେଇ ମୋତେ ନିରାଶ କଲୁରେ ଶଙ୍କର... ।

 

ଶାଶ୍ୱତୀ ଏତେକେଳକୁ ଉଠି ପଡ଼ିବାର କଥା । କିନ୍ତୁ ଏପର୍ଯ୍ୟନ୍ତ ତା’ର କୌଣସି ସ୍ୱର ଶବ୍ଦ ନ ଶୁଣି ଟିକେ ଆଶ୍ଚର୍ଯ୍ୟ ହୋଇ ଅଗତ୍ୟା ଉଠି ବସିଲା ଶଙ୍କର । ଚା’ ପିଇବାର ବେଳ ବି ହେଲାଣି । ରାଜଧାନୀ ଅଳସ ଭାଙ୍ଗେ ଚାରିଟାବେଳେ ଚା’ ପିଇବାଦ୍ୱାରା । ସେ ଶାଶ୍ୱତୀକୁ ଡାକି ଆଣିବା ପାଇଁ ଘର ଭିତରକୁ ପାଦ ବଢ଼େଇବାବେଳେ ଦୁର୍ଲଭ ଆସି ଖବର ଦେଲା ଯେ ବୋହୂ ଘରେ ନାହାନ୍ତି, ପଡ଼ିଶା ଘରକୁ ଯାଇଥିବେ ହୁଏତ ।

 

ଶାଶ୍ୱତୀ ଏ ଘରକୁ ଆସିବାର ବେଶୀ ଦିନ ହୋଇନି, ପଡ଼ିଶା ଘର ସହିତ ଆତ୍ମୀୟତା କେବେ ହେଲା ଯେ ଯିବ ସେଠାକୁ । ମନେ ମନେ ନିଜକୁ ସିନା କହିଲା ଶଙ୍କର କିନ୍ତୁ ଦୁର୍ଲ୍ଲଭକୁ ଚା’ର ଯୋଗାଡ଼ କରିବାକୁ କହି ନିଜେ ଭିତରକୁ ଗଲା; ଶୋଇବା ଘର, ବସିବା ଘର, ବାଥରୁମ୍, ବଗିଚା ସବୁ ତନ୍ନ ତନ୍ନ କରି ଖୋଜି ଆସିଲା; କିନ୍ତୁ ଶାଶ୍ୱତୀକୁ ପାଇଲା ନାହିଁ । ସେ ଗଲା କୁଆଡ଼େ-?

 

ପଡ଼ିଶା ଘରକୁ ଯେ ସେ ଯାଇ ନ ଥିବ ଏଥିରେ ନିଶ୍ଚିତ ଥିଲା ଶଙ୍କର । ରାଜଧାନୀକୁ ବଦଳି ହୋଇ ଆସିବା ବେଶୀ ଦିନର କଥା ନୁହେଁ । ଛଅମାସ ମାତ୍ର । ଏଇ ଛଅମାସ ମଧ୍ୟରେ ଏଇ ସାହିରେ କୋଉମାନେ ରହନ୍ତି ସେମାନଙ୍କ ସହିତ ଏଯାଏ ଭଲ ଭାବରେ ପରିଚୟ ହୋଇନାହିଁ, ତା’ର...ପାଖ ଘରେ ରହୁଥିବା ବିଦ୍ୟସିଂହ ବାବୁଙ୍କୁ ଛାଡ଼ି ତାଙ୍କ ପିଲାମାନଙ୍କ ସହିତ ଏଯାଏ ଆତ୍ମୀୟତା ହୋଇନାହିଁ । ନୂଆ ହୋଇ ଆସି ଏତେଶୀଘ୍ର ଶାଶ୍ୱତୀ ବନ୍ଧୁତ୍ୱଦ୍ୱାରା ବାନ୍ଧି ପକେଇଲା ସେମାନଙ୍କୁ ! ନାରୀର ସେଇ ଗୁଣ ଅଛି ସ୍ୱୀକାର କରିବାକୁ ହେବ । କିନ୍ତୁ ସେ ଯାଇଥିଲେ ତାକୁ କହିଯାଇଥାନ୍ତା ନିଶ୍ଚୟ... । ଶଙ୍କର ଚମକି ପଡ଼ିଲା । ତାକୁ ତ କିଛି କହି ନାହିଁ ଶାଶ୍ୱତୀ !

 

-କାହାକୁ ଖୋଜୁଛୁରେ ଶଙ୍କର ଶାଶ୍ୱତୀକୁ ପାଉନୁ ନା କଣ ? ଗଳା ଲମ୍ବେଇ କହିଲା ମନୋଜ ।

 

ସତରେ ଶାଶ୍ୱତୀକୁ ପାଉ ନ ଥିଲା ଶଙ୍କର । କୁଆଡ଼େ ଗଲା ସେ ? ପକ୍ଷୀଟିଏ ନୁହେଁ ସେ ଉଡ଼ିଯିବ ଆକାଶକୁ...ଆକାଶରୁ ଅନ୍ତରୀକ୍ଷକୁ । ମାଛିଟିଏ ବି ନୁହେଁ । ମଣିଷଟିଏ । କୁଆଡ଼େ ଗଲା ଶାଶ୍ୱତୀ ?

 

ଶଙ୍କର ବ୍ୟସ୍ତ ବିବ୍ରତ ହୋଇ ପଡ଼ିଲା ।

 

ନୂଆ ହୋଇ ବାହା ହୋଇଛି ସେ । ବାଲେଶ୍ୱରରେ ଅଷ୍ଟମଙ୍ଗଳା ଶେଷକରି ସ୍ତ୍ରୀକୁ ନେଇ ଆସିଛି ସାଙ୍ଗରେ । ବାପା ମା’ ବି ସେଇକଥା କହିଲେ । ବୋହୂ ପାଖରେ ରହୁ । ସେଠାରେ ଅଭାବ ନାହିଁ ଲୋକଙ୍କର । ଏକା ଏକା ଆଉ କେତେଦିନ ରହିବ ସେ । ନିଜ କଥା ଆଉ କେତେଦିନ ବୁଝୁଥିବ... ।

 

ବାପା ମା’ କହିଲେ ଭଲ ହେଲା, ନ କହିଥିଲେ ବି ଶଙ୍କର ଛାଡ଼ି ଆସି ନ ଥାନ୍ତା ଶାଶ୍ୱତୀକୁ । ଏକା ଏକା ରହିବାର ଯନ୍ତ୍ରଣା ସେ ଆଉ ସହି ପାରିବ ନାହିଁ ।

 

ଶଙ୍କର ସତେଜ ମୁହଁରେ ଯାଇଥିଲା କିନ୍ତୁ ଶୁଖିଲା ମୁହଁରେ ଫେରି ଆସିଲା ।

ସେତେବେଳକୁ କିଛି କାଜୁବାଦାମ ଆଉ ଦୁଇକପ ଚା’ ଦେଇ ଯାଇଥିଲା ଦୁର୍ଲଭ ।

ଶଙ୍କର ରାଗିଗଲା ଦୁର୍ଲଭ ଉପରେ ।

 

ତୁ ଖାଲି ଶୋଇ ଶୋଇ ଭାତ ହଜମ କରୁଛୁ ଆଉ କିଏ ଗଲେ ଆସିଲେ ସେଥିରେ ତୋ’ର ଯାଏ ଆସେ କେତେ ?

 

ଦୁର୍ଲଭ ଶୁଣିଲା, ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ଭିତରକୁ ଚାଲିଗଲା, ଉତ୍ତର ଦେଲା ନାହିଁ ।

 

ମନୋଜ ତା’ କାନ୍ଧରେ ହାତରଖି କହିଲା- ଶାଶ୍ୱତୀ ଏଇ ପାଖରେ କୁଆଡ଼କୁ ଯାଇଥିବ-। ତୁ ଏତେ ବିଚଳିତ ହୋଇପଡ଼ୁଛୁ ଯେ । ନୂଆ ବାହା ହେଲେ ଇମିତି ଲାଗେ ପରା...ସ୍ତ୍ରୀ ସବୁବେଳେ ସାଙ୍ଗରେ ଥିବେ ଠିକ୍ କାୟା ସହିତ ଛାୟା ପରି ।

 

ଅନ୍ୟମନସ୍କ ଭାବରେ ଚା’ରେ ଚୂମୁକ ଦେଲା ଶଙ୍କର ।

 

ଦୁଇଟା କାଜୁବାଦାମ ଚୋବାଇ ସାରି ଚା’ରୁ ଚଳୁଏ ଗଳାଧକରଣ କରି କହିଲା ମନୋଜ, ଆମେ ହୁଏତ ଚା’ ପିଇ ସାରିବା ପୂର୍ବରୁ ଫେରି ଆସିବେ ଶାଶ୍ୱତୀ... ।

 

ଶଙ୍କର ଓ ମନୋଜର ବନ୍ଧୁତ୍ୱ ବହୁଦିନର । କଲେଜରେ ପଢ଼ୁଥିବାବେଳେ ଦୁହେଁ ସହପାଠୀ ନ ଥିଲେ ବି ପରିଚୟ ଥିଲା, ବନ୍ଧୁତ୍ୱ ବି ହୋଇଥିଲା । ସେଇ ବନ୍ଧୁତ୍ୱ କ୍ରମେ ଆତ୍ମୀୟତାରେ ପରିଣତ ହୋଇଥିଲା । ଶଙ୍କର ବର୍ଷେ ଜୁନିଅର ଥିଲା ମନୋଜଠାରୁ, କିନ୍ତୁ ସେମାନଙ୍କ ମଧ୍ୟରେ ଅକୃତ୍ରିମ ବନ୍ଧୁତ୍ୱ ଗଢ଼ି ଉଠିବାରେ ତାହା କେବେ ଅନ୍ତରାୟ ସୃଷ୍ଟି କରି ନ ଥିଲା-

 

ଶଙ୍କର ଭିତରେ କ୍ଷୁର୍ଣ୍ଣ ହୋଇଥିଲେ ବି ଉପରେ ନିଜକୁ ସଜାଡ଼ି ନେଇ କହିଲା, ତୋହରି କଥା ହୁଏତ ସତ ହେବ...ଆମେ ଚା’ ପିଇ ସାରିବାବେଳକୁ ସେ ପହଞ୍ଚିଯାଇ ଚମକାଇ ଦେବେ... । ବେଳେ ବେଳେ ମୋତେ ଚମକାଇ ଦେଇ ସେ କୁରୁଳି ଉଠନ୍ତି ଆନନ୍ଦରେ...

 

ମନୋଜ ଲକ୍ଷ୍ୟ କଲା ଶଙ୍କରକୁ । ସେଇ ମୁହଁ ଉପରେ ସବୁ ପାଇଥିବାର ତୃପ୍ତି ଲୀଳା କରୁଥିବାର ସ୍ପଷ୍ଟ ଆଭାସ ପାଇଲା ସେ । ଯା’ ହେଉ ଶଙ୍କର ସୁଖୀ ହୋଇଛି ଶାଶ୍ୱତୀକୁ ପାଇ । ଶାଶ୍ୱତୀ ବି ସୁଖୀ ହୋଇଥିବ ଶଙ୍କରକୁ ପାଇ... ।

 

ସେ କିନ୍ତୁ କାହାକୁ ଏଯାଏ ପାଇପାରିଲା ନାହିଁ । ଅନ୍ୟ ଲକ୍ଷ୍ୟ ପଛରେ ଧାଉଁ ଧାଉଁ ସେ ଉପଲକ୍ଷ୍ୟ ମାତ୍ର ହୋଇଛି ।

 

ଶଙ୍କର କିନ୍ତୁ ଏଇ ସୁଯୋଗରେ କହିଲା- ତୁ ଆଉ କେତେଦିନ ଏକା ଏକା ରହିଥିବୁରେ ମନୁ ? ବୟସରେ ତୁ ମୋଠାରୁ ବର୍ଷେ ବଡ଼ । ତୋତେ ସୁଖ ଲାଗୁଚି ଏକା ରହିବା ପାଇଁ ?

 

ମନୋଜ କାଜୁବାଦାମ ଶେଷ କରି ଚା’ ତକ ନିଃଶେଷ କରି କହିଲା - ସୁଖରେ ଦୁଃଖରେ ଚଳି ତ ଯାଉଚି ଭାଇ...ବାହା ହବାପାଇଁ ସମୟ ପାଉନି... ।

 

ଝିଅ ଦେଖି ସାରିଛୁ ?

-ଅନେକ ଝିଅଙ୍କୁ ତ ଦେଖେ ପ୍ରତିଦିନ ।

ନା, ମନଲାଖି ଝିଅଟିଏ ପାଇଛୁ କି ନା କହୁନୁ ଯେ... ?

-ଖୋଜୁଛି ପରା...

 

ସିରିଅସଲି ନ ଖୋଜିଲେ ଜୀବନଯାକ ଖାଲି ଖାଜୁଥିବୁରେ ମନୁ... । ଦେଖୁନୁ ସୁପ୍ରଭାତକୁ...ଏତେ ଭଲ ଚାକିରି । ରାଜକୁମାର ପରି ଚେହେରା । କିନ୍ତୁ ବୁଲୁଛି ମହାଦେବଙ୍କ ଷଣ୍ଢପରି... ।

 

ହସି ପକେଇ କହିଲା ମନୋଜ- ତୁ ନିର୍ଭୟ ରହ ଶଙ୍କର.. ମୁଁ ମହାଦେବଙ୍କ ଷଣ୍ଢ ନୁହେଁ କି ସୁପ୍ରଭାତ ସରକାର ନୁହେଁ । ତୁ କେବଳ ସୁପ୍ରଭାତ ସମ୍ପର୍କରେ ଏତିକି ଜାଣିରଖ ଯେ ସେ ହୋଟେଲରେ ଖାଇବାକୁ ପସନ୍ଦ କରେ । ଆଉ ଯିଏ ହୋଟେଲ ଖିଆ ପସନ୍ଦ କରେ, ଘରହାଣ୍ଡିରେ ରନ୍ଧା ଯେପରି ଭଲ ଲାଗେନି, ନିଜ ସ୍ତ୍ରୀର ଅଞ୍ଚଳରେ ବି ବାନ୍ଧି ହୋଇ ରହିବାକୁ ପସନ୍ଦ କରେନି ସେ-। ନିତି ନୂଆ ନୂଆ ମୁହଁ, ନୂଆ ନୂଆ ମେନୁ... ନୂଆ ନୂଆ ଟେଷ୍ଟ୍‍... ।

 

ସୁପ୍ରଭାତ ଏତେ ତଳକୁ ଖସିଗଲାଣି ? ସେଦିନ ମୋ ବାହାଘରକୁ ଆସି ପାରିଲାନି ବୋଲି ଦୁଃଖ କରୁଥିଲା...ଆଉ ତା’ ସମ୍ପର୍କରେ ପଚାରିବାରୁ କହିଲା, ଛାଡ଼ ଭାଇ...ତୋ ସହିତ ମୋର ତୁଳନା କାହିଁ...ମୁଁ ବେଦୁଇନ୍‍ ପରି ବୁଲୁଛି... ।

 

-ଘର କରିବାକୁ ମନା କରୁଛି କିଏ ? ପଚାରିଲା ମନୋଜ ।

 

-ସେ ଜାଣିଥିବ ହୁଏତ । କିନ୍ତୁ ମୁଁ ନିଜ ଆଖିରେ ଦେଖିଚି ସେଦିନ । ସେ ଆଉ ଜଣେ ଭଦ୍ରମହିଳାଙ୍କ ସହିତ ସିନେମା ଦେଖିବା ପାଇଁ ସ୍ୱସ୍ତିକୁ ଯାଇଥିଲା । ସେ ଦୁହେଁ କୋଉଠି ବସିଥିଲେ ମୁଁ ଦେଖି ନ ଥିଲି, କିନ୍ତୁ ବାହାରି ଆସିବାବେଳେ ଲବିରେ ଦେଖା ହୋଇଗଲା । ସେ ବାଟକାଟି ଚାଲିଯିବାବେଳେ କହିଲା- ବଡ଼ ବ୍ୟସ୍ତ ଅଛି ଭାଇ...ବାହାରେ ଜଣେ ଅପେକ୍ଷା କରିଛି ପରେ ଆସିବି ଗପିବା... ।

 

-ମଣିଷ ଇମିତି ଛଳନା କରେ, ଇମିତି ବଦଳି ଯାଏରେ ଶଙ୍କର । କହିଲା ମନୋଜ ।

 

ଦୁର୍ଲଭ ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ସାମ୍ନାକୁ ଆସି କହିଲା - ତାଙ୍କ ପରି ଜଣକୁ ଗାଡ଼ିରେ ବସି ଯାଉଥିବାର ଦେଖିଛି ଦିବ୍ୟସିଂହ ବାବୁଙ୍କ ଚାକର ନୟନ ।

 

ସେ ତାଙ୍କୁ ଚିହ୍ନେ ଭଲ ଭାବରେ ? ଶଙ୍କିତ କଣ୍ଠରେ ପଚାରିଲା ଶଙ୍କର ।

 

-ହଁ, କେତେଥର ଆସିଛି ଆମ ବସାକୁ । ଗାଡ଼ିଟା ବେଗରେ ଯାଉଥିଲା ସେଥିପାଇଁ ସଠିକ କହିପାରୁନି ସେ; କିନ୍ତୁ ତାଙ୍କରି ପରି ଜଣକୁ ଦେଖିଛି ସେ ନିଶ୍ଚୟ... । ଆକାଶଟା ଶଙ୍କରର ମୁଣ୍ଡ ଉପରେ ଭାଙ୍ଗି ପଡ଼ିଲା ଯେପରି ?

 

ମନୋଜ ତାକୁ ଦମ୍ଭ ଦବାପାଇଁ କହିଲା - ତାଙ୍କୁ ଦେଖିବା ଏବଂ ତାଙ୍କ ପରି ଆଉ ଜଣକୁ ଦେଖିବା ଭିତରେ ପାର୍ଥକ୍ୟ ଅନେକ ଶଙ୍କର । ତୁ ବରଂ ଅନୁସନ୍ଧାନ କର .. ଚିହ୍ନା ପରିଚୟ ଥିବା ଜାଗାରେ ନିଜେ ଯାଇ ଦେଖିଆ... । ଦୁର୍ଲଭର କଥା ଶୁଣି ସିଦ୍ଧାନ୍ତରେ ପହଞ୍ଚି ଯିବା ଠିକ୍ ହେବ ନାହିଁ-

 

ଶଙ୍କର ଏ ପ୍ରସଙ୍ଗରେ ଆଉ ଆଲୋଚନା ନ କରି ସେଥିରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ କହିଲା, ହଁ ତୁ ଯାହା କହୁଛୁ ସତ...ଏମାନଙ୍କର ଅନୁମାନ ଅଧିକାଂଶ ସମୟରେ ଭୁଲ ପ୍ରମାଣିତ ହୁଏ ।

 

ମନୋଜ ତା’ ପାଖରୁ ବିଦାୟ ନେବାବେଳେ କହିଲା- ଭାଉଜଙ୍କ ସହିତ ସାକ୍ଷାତ୍‍ କରିବା ପାଇଁ ବଡ଼ ଆଶା କରି ଆସିଥିଲିରେ ଶଙ୍କର । କିନ୍ତୁ ହତଭାଗ୍ୟ ମୁଁ, ନିଷ୍ଫଳ ହୋଇ ଫେରିଯାଉଚି ।

 

-ଆଉ କେବେ ଆସିବୁ ? ଛେପ ଢୋକି କହିଲା ଶଙ୍କର ।

 

ମନୋଜ ସ୍କୁଟର ଷ୍ଟାର୍ଟ କରୁ କରୁ କହିଲା ନିଶ୍ଚୟ ଆସିବି । ଶାଶ୍ୱତୀ ପରି ଏତେ ସୁନ୍ଦରୀ ଝିଅଟିଏ ଯାହା ଘରକୁ ଆସିଛି ତା’ ଘରକୁ ଆସିବି ନାହିଁ ?

 

ତା’ ପିଠିରେ ଥାପୁଡ଼ାଏ ମାରି କହିଲା ଶଙ୍କର–ଏକା ଆସିବୁ କିନ୍ତୁ...ସୁପ୍ରଭାତ ସାଙ୍ଗରେ ନୁହେଁ ।

 

ଦୁହେଁ ହସି ଉଠିଲେ ହୋ ହୋ କରି ।

ଶଙ୍କରର ଆଖି ଆଗରେ ଅଦୃଶ୍ୟ ହୋଇଗଲା ମନୋଜ ।

ଶାଶ୍ୱତୀ ଆଉ ଫେରିଲା ନାହିଁ ।

 

ଶଙ୍କରର ଅନିଚ୍ଛା ସତ୍ତ୍ୱେ ଏକାନ୍ତ ଘରୋଇ ବିଷୟଟି ସମ୍ବାଦପତ୍ରରେ ପ୍ରକାଶ ପାଇଗଲା-

 

ସେଦିନ ପୁଣି ଆସି ପହଞ୍ଚିଲା ମନୋଜ । ତାହାରି ଆଗମନକୁ ଅପେକ୍ଷା କରୁଥିଲା ଶଙ୍କର ।

 

-କିରେ ଇମିତି ମୁହଁ ଶୁଖେଇ ବସିଛୁ ଯେ ? ଯାହା ହେବାର ହୋଇଗଲା । ପକ୍ଷୀଟିଏ ନିଜ ଇଚ୍ଛାରେ ଆସିଥିଲା, ନିଜ ଇଛାରେ ଉଡ଼ିଗଲା । ଏଥିପାଇଁ ଶୋକ କରିବୁ କାହିଁକି ? କହିଲା ମନୋଜ ।

 

-ଛି, ଛି । ଶେଷରେ ତୋ ମୁହଁରେ କାଳି ବୋଳି ଦେଇ ସମସ୍ତଙ୍କର ଅଜ୍ଞାତରେ ଘର ଛାଡ଼ି ଚାଲିଗଲା ଶାଶ୍ୱତୀ । ଏତକ ନ କରି ସେ ଯଦି ଛାଡ଼ପତ୍ର ଦେଇଥାଆନ୍ତା ତା’ହେଲେ ଦୁଃଖ କରି ନ ଥାନ୍ତା ଶଙ୍କର । ଛାଡ଼ପତ୍ର ନ ଦେଇ ଯଦି ଶାଶ୍ୱତୀ ତାକୁ ସଫା ସଫା ତା’ ସାଙ୍ଗରେ ରହିପାରିବ ନାହିଁ କହି ଦେଇଥାଆନ୍ତା ତା’ହେଲେ ବି ସେ ଆଜି ଦୁଗ୍ଧ ହେଉ ନ ଥାନ୍ତା ଦୁଃଖରେ । ସ୍ୱାମୀର ସମ୍ମାନ, ବଂଶମର୍ଯ୍ୟାଦା, ସତୀତ୍ତ୍ୱ ସବୁ ବିସର୍ଜନ ଦେଇ ଶେଷରେ ତା’ହେଲେ ଚାଲିଗଲା ଶାଶ୍ୱତୀ ! ଅଥଚ ମଧୁଚନ୍ଦ୍ରିକା ରାତିରେ ସେ ତାର ଅଧାଖିଆ ସନ୍ଦେଶଟାକୁ ପାଟି ଭିତରେ ଭର୍ତ୍ତି କରି ଲଜ୍ୟାଝରା ଦୃଷ୍ଟିରେ କହିଥିଲା ଯେ କେବଳ ଆଜି ନୁହେଁ ସବୁଦିନ ମଧୁମୟ ହେଉ, ସବୁ ରାତି ମଧୁଚନ୍ଦ୍ରିକାର ମାଦକତା ସୃଷ୍ଟିକରୁ... ।

 

ମନୋଜର ମୁହଁକୁ ସିଧା ଆଉ ଚାହିଁ ପାରୁନି ଶଙ୍କର ।

ମନୋଜ ପାଖରେ ବସିଲା ଆସି ।

 

ଶଙ୍କର ନିଜର ଭାବ ପ୍ରବଣତାକୁ ଲୁଚାଇ ରଖିବାକୁ ଅସଫଳ ହୋଇ ଭଙ୍ଗା ଭଙ୍ଗା ସ୍ୱରରେ କହିଲା, ମୁଁ ଠକି ଗଲିରେ ମନୁ... ।

 

ସେ ଦିନର ସବୁକଥା ମନେପଡ଼ୁଛି ମନୋଜର । ଏଇ ଏକା ଜାଗାରେ ବସି ସେଦିନ ଆଲୋଚନା କଲାବେଳେ ମନୋଜ ସହିତ ଏକମତ ହୋଇ ଶଙ୍କର କହିଥିଲା ଯେ ହୁଏତ ଚା’ ପିଇ ସାରିବାବେଳକୁ ଶାଶ୍ୱତୀ ଆସି ପହଞ୍ଚିଯିବ ସେଠାରେ । ସେଇ ଆଶା ପଛରେ ଏତେବଡ଼ ସାଙ୍ଘାତିକ ଆଶଙ୍କା ଲୁଚି ରହିଥିଲା ବୋଲି ସେଦିନ ଯଦି ଘୃଣାକ୍ଷରରେ ହେଲେବି ଅନୁମାନ କରି ଥାଆନ୍ତା ମନୋଜ, ତା’ହେଲେ ଏତେବେଳକୁ ସେ ବି ଅନୁସନ୍ଧାନ ଆରମ୍ଭ କରି ଦେଇଥାଆନ୍ତା । ଗୋରୁ ଗାଈ ହଜିଗଲେ ସହଜରେ ଖୋଜି ଆଣି ହୁଏ ସତ କିନ୍ତୁ ମଣିଷ ଜାଣି ଜାଣି ହଜିଗଲେ ତାକୁ ଖୋଜି ବାହାର କରିବା ପ୍ରାୟ ଅସମ୍ଭବ ହୋଇପଡ଼େ । ଶାଶ୍ୱତୀ ସ୍ୱେଚ୍ଛାରେ ଘରଛାଡ଼ି ବାହାରିଗଲା କି ଅବସ୍ଥାଚକ୍ରରେ ପଡ଼ି ବାହାରେ ରହିଗଲା ତାହା ଆଜି ଯାଏ ରହସ୍ୟ ହୋଇରହିଛି । ସେଇ ରହସ୍ୟର ଉଦ୍‌ଘାଟନ କରିବା ଆଗରୁ ମନୋଜ ପରାମର୍ଶ କରିବାକୁ ଚାହେଁ ଶଙ୍କର ସହିତ ।

 

ଶଙ୍କରକୁ ସାହସ ଦବା ପାଇଁ କହିଲା ମନୋଜ - ଜୀବନଟା ଖାଲି ଫୁଟବଲ ଖେଳ ପରିରେ ଶଙ୍କର । ବଲଟା ଆପେ ଆପେ ଗଡ଼େ ନାହିଁ ଗୋଲ ପୋଷ୍ଟ ଆଡ଼କୁ । ଗୋଲ କରିବାକୁ ହୁଏ କାହାକୁ । ଆଉ ତୁ ସେଇ ବଲଟାକୁ ଗଡ଼େଇ ଦେବା ପୂର୍ବରୁ ଆଉ ଯଦି କେହି ଗଡ଼େଇ ଦିଏ ବିଜୟର ଟୀକା ତ ତାହାରି । ପ୍ରତିମୁହୂର୍ତ୍ତ ଯେମିତି ସମ୍ଭାବନାରେ ପୂର୍ଣ୍ଣ ସେମିତି ଚ୍ୟାଲେଞ୍ଜରେ ବି ପୂର୍ଣ୍ଣ । ଯାହା ଘଟିଗଲା ସେଥିପାଇଁ ଶୋଚନା ନ କରି ଆଗେଇବା ଭଲ... ।

 

-କିନ୍ତୁ ମୁଁ ଯେ ଆଉ ମୁହଁ ଟେକି ଚାହିଁପାରୁନି ମନୁ... । ପୃଥିବୀର ସବୁ ସଂକୋଚ ବେଡ଼ି ପରି ଜାବୁଡ଼ି ଧରିଚି ପାଦକୁ । ଲଜ୍ୟାର ଭାରରେ ଓହଳି ପଡ଼ିଛି ମୁହଁ । ସେ ଯଦି ମୋତେ ଥରେମାତ୍ର ସୂଚନା ଦେଇଥାଆନ୍ତା ଯେ ସେ ସୁଖୀ ନୁହେଁ ଏଠାରେ, ମୁଁ ତାକୁ ଉଠେଇ ଦେଇଥାଆନ୍ତି ଯେଉଁଠାକୁ ସେ ଯିବାକୁ ଚାହିଁ ଥାଆନ୍ତା । ଏତେ ଲୋକହସା ହୋଇ ନ ଥାନ୍ତି ମୁଁ । ଏବେ ସେ କୁଆଡ଼େ ଗଲା, କେବେ ଓ କାହିଁକି ଗଲା ସେଇ ପ୍ରଶ୍ନର ଉତ୍ତର ଦେଇ ଦେଇ ଥକି ଗଲିଣି ମୁଁ । ତୁ ତ ସାମ୍ବାଦିକ, ଅନେକ ଖବର ପହଁଞ୍ଚେ ତୋ ପାଖରେ । ଏଇ ଖବରଟା ଯଦି ସଂଗ୍ରହ କରିପାରନ୍ତୁ ମନୁ ମୁଁ କୃତଜ୍ଞ ରହନ୍ତି ଚିରଦିନ । ମୁଁ କେବଳ ଜାଣିବାକୁ ଚାହେଁ ଯେ ସେ ସ୍ୱେଚ୍ଛାରେ ଚାଲି ଯାଇଛି, ସେ ସୁଖରେ ଅଛି... ।

 

-ମଣିଷ ଅନେକ କିଛି ଚାହେଁ ଶଙ୍କର, କିନ୍ତୁ ପାଏନାହିଁ । ସେ ମନେ ମନେ ଯେଉଁ ପୃଥିବୀର ଚକ୍ରବର୍ତ୍ତୀ ହୁଏ ସେଇ ପୃଥିବୀ ଯେ ତା’ର ନିଜର ନୁହେଁ ଏହା ସେ ଜାଣିବାକୁ ଚାହେଁନା । ଶାଶ୍ୱତୀ ସ୍ୱେଚ୍ଛାରେ ତୋ ପାଖକୁ ଆସିଥିଲା, ଧରିନେ ଯେ ଇଚ୍ଛାକରି ସେ ଚାଲିଯାଇଛି । ସବୁ ସମ୍ପର୍କ ସେ ତୁଟେଇ ଦେଇଛି ଯେତେବେଳେ କୋଉ ଦୁଃଖରେ ସେ ସୁଖରେ ଅଛି କି ଦୁଃଖରେ ଅଛି ତୁ ଜାଣିବାକୁ ଚାହିଁବୁ ? ଭୁଲି ଯା ଶଙ୍କର, ଶାଶ୍ୱତୀକୁ ଭୁଲି ଯା ମନରୁ... ।

 

ସବୁ ଦୁଃଖ ଯଦି ଭୁଲିଯାଇ ପାରୁଥାଆନ୍ତା ମଣିଷ ତା’ ହେଲେ ଏଇ ପୃଥିବୀରେ ଖାଲି ହସର ଫୁଆରା ଦେଖନ୍ତା ସେ । ଦେଖନ୍ତା ଜୀବନର ଜୟଯାତ୍ରା । ଶୁଣନ୍ତା କେବଳ ବିଜୟର ଶଙ୍ଖଧ୍ୱନି । କିନ୍ତୁ ଜୀବନ ଏଡ଼େ ସହଜ ନୁହେଁ...ଦୁଃଖ ସହିବା ପାଇଁ ଜନ୍ମ ନିଏ ମଣିଷ । ସୁଖ ଋତୁର ଫୁଲପରି । ଆସିବା ସମୟରେ ଆସେ, ଅଳ୍ପଦିନ ରହି ଚାଲିଯାଏ ପୁଣି । ମଥା ପିଟିଲେ ବି ଆଉ ଆସେ ନାହିଁ । ଅବେଳରେ, ଅସମୟରେ ଯେମିତି ଫୁଲ ଫୁଟେନି, କୋଇଲିର କୁହୁତାନ ଶୁଣାଯାଏନି... ।

 

ଶଙ୍କର ନିଜର ଓଦା ଆଖି ଉପରେ ରୁମାଲ ବୁଲାଇ ଆଣି ବସି ରହିଲା ଅଥର୍ବ ପରି । ଏଡ଼େ ସ୍ନେହୀ ଓ ଶକ୍ତିମାନ ଲୋକଟି ହଠାତ୍ ଯେପରି ସବୁ ସରସତା ହରାଇ ନିର୍ଜୀବ ପରି ଶେତା ପଡ଼ିଯାଇଛି ।

 

ଶଙ୍କର ମନରେ ଭାବାନ୍ତର ସୃଷ୍ଟ କରିବାଲାଗି କହିଲା ମନୋଜ- ଚା’ ଟିକେ ଦବୁନି ଶଙ୍କର...

 

ଶଙ୍କର ଧଡ଼୍ କରି ଉଠି ବସିଲା ।

 

ଦୁର୍ଲଭ କୁଆଡ଼େ ଯାଇଛି କେଜାଣି...ତାକୁ ଆଉ ଅପେକ୍ଷା ନ କରି ଷ୍ଟୋଭ ଜାଳି କେଟିଲିରେ ପାଣିଢାଳି ବସେଇ ଦେଲା ଷ୍ଟୋଭ ଉପରେ । ଚା’ ଚିନି ସଜ କରି ରଖିଲା । ବିସ୍କୁଟ ସରିଯାଇଛି । ମିକ୍ସଚର ବି ଆଉ ନାହିଁ । ଗୋଟି ଗୋଟି କରି ସଜା ହୋଇଥିବା ଅମୁଲ ଡିବାଗୁଡ଼ାକୁ ଆଜି ପ୍ରଥମ ଦେଖିଲା ଶଙ୍କର । ଅସଜଡ଼ା, ଅବିନ୍ୟସ୍ତ ସଂସାରକୁ ସଜାଡ଼ି ଦେଇଥିଲା ଶାଶ୍ୱତୀ । କେଉଁ ଡିବାରେ କଅଣ ରହିବ ତାହା କାଗଜରେ ଲେଖି ଅଠାଦେଇ ଲଗାଇ ଦେଇଥିଲା ଡିବା ଉପରେ । ଶୃଙ୍ଖଳା ସୃଷ୍ଟି କରିଥିବା ମନଟି ବିଶୃଙ୍ଖଳ କିପରି ହେଲା ତାହା ଅବୋଧ୍ୟ ହୋଇ ରହିଛି ଆଜିଯାଏ । ତା’ ସହିତ ଥରୁଟିଏ ଯଦି ଦେଖା ହୁଅନ୍ତା... ।

 

ପାଣି ଫୁଟିଗଲାଣି ।

 

କେଟଲି ଓହ୍ଲେଇ ଆଣି ଫୁଟନ୍ତା ପାଣିରେ ଚା’ପତ୍ର ମିଶାଇ ଦେଇ ଟିକେ ଢାଙ୍କି ଦବାପରେ କପ୍‌ରେ ଚା’ ଢାଳି ଦୁଧ ଓ ଚିନି ମିଶେଇ ମନୋଜ ହାତକୁ ବଢ଼େଇ ଦେଲା ସେ ।

 

ମନୋଜ ଚାରେ ଚୂମୁକ୍ ଦେଇ କହିଲା- ବାଃ ଚମତ୍କାର ହୋଇଛି ।

 

ଏଥିରେ କିଛି ବାହାଦୂରୀ ନାହିଁ ତା’ର । ସବୁ ଶିଖିଥିଲା ଶାଶ୍ୱତୀ ପାଖରୁ । ଅଳ୍ପଦିନ ଭିତରେ ଗୋଟିଏ ଯୁଗର କେତେ ରୋମାଞ୍ଚ, କେତେ ଅନୁଭୂତି ଓ ଅଭିଜ୍ଞତା ସଂଗ୍ରହ କରିଥିଲା ଶଙ୍କର ।

 

ଆଜି ସବୁ ସ୍ୱପ୍ନପରି ଲାଗୁଛି ।

 

ଶଙ୍କର କହିଲା- ତିରିଶ ବର୍ଷ ମୁଁ କେବଳ ବଞ୍ଚିଥିଲି ମନୁ, ଏଇ ମାସେ ହବ ଜୀବନକୁ ଅନୁଭବ କରୁଥିଲି; ଜୀବନରେ ଏତେ ସ୍ୱପ୍ନ, ଏତେ ସୁଖ ଥାଏ ବୋଲି ଏଇ ପ୍ରଥମ ଉପଲବ୍ଧି କରିଥିଲି ମୁଁ । କିନ୍ତୁ ଏତେଶୀଘ୍ର ସବୁ ଭାଙ୍ଗିରୁଜି ଯିବ ବୋଲି କିଏ ଜାଣିଥିଲା କହ...

 

ମନୋଜ ଅନୁସନ୍ଧାନ କରିବାକୁ ଚାହେଁ । ଶାଶ୍ୱତୀକୁ ଯେତିକି ସେ ଦେଖିଛି ଏବଂ ଜାଣିଛି ଶାଶ୍ୱତୀ ଏପରି ଏକ ଘୃଣ୍ୟ କାମ କରିବ ବୋଲି ତିଳେହେଲେ ଭାବିପାରିନି ସେ । ବରଂ ତା’ ମୁହଁକୁ ଚାହିଁ ସେଇ ମୁହଁର ଏକ ଅଲୌକିକ ସ୍ନିଗ୍ଧତା ଓ ଶୁଦ୍ଧତା ଦେଖି ଆଖି ଆପେ ଆପେ ନଇଁ ଆସିଚି । ଶାଶ୍ୱତୀ ମୁହଁ ଉପରେ ସ୍ମିତହାସ୍ୟ ଖେଳାଇ ତାକୁ ସ୍ୱାଗତ କରି କେତେଥର କହିଥିଲା- ଆଉ ଏକା ଏକା କେତେଦିନ ଆସୁଥିବ ଯେ...ରାଜିହୁଅ... ମୁଁ ଗୋଟିଏ ସୁନ୍ଦରୀ ଝିଅ ବାଛିଦେବି । ଶାଶ୍ୱତୀ ପରି ଗୋଟିଏ ସୁନ୍ଦରୀ, ସୁଚରିତା ଝିଅ ଜୀବନ ସଙ୍ଗିନୀ ହୋଇପାରେ ଏଇ ଆଶା ସେଇଦିନୁ ଜାଗ୍ରତ ହୋଇଛି ମନରେ । ଅଥଚ ସେଇ ଶାଶ୍ୱତୀ ନିଜର ପ୍ରତିଶ୍ରୁତି ଅନୁସାରେ ତାକୁ ନିଡ଼ ରଚନା କରିବାରେ ସାହାଯ୍ୟ କରିବା ପରିବର୍ତ୍ତେ ନିଜର ନିଡ଼ଟିକୁ ଭାଙ୍ଗି ଚାଲିଯାଇଛି ଦୂରକୁ ।

 

ମନୋଜ କିନ୍ତୁ ଆଶା ହରାଇ ନାହିଁ । ଏବେ ବି ସେ ଭାବେ ଯେ ଦିନେ ନା ଦିନେ ଶାଶ୍ୱତୀ ହଠାତ୍ ଏପରି ଅନ୍ତର୍ଦ୍ଧାନ ହୋଇଯିବାର ରହସ୍ୟକୁ ସେ ଉଦ୍‌ଘାଟନ କରିବ । ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଯେଉଁଠାରେ ସେ ଥିଲେ ବି ତାକୁ ଖୋଜି ବାହାର କରିବ ।

 

ମନୋଜ ଚା’ରୁ ଚଳୁଏ ଶୋଷି ନେଇ କହିଲା- ତୋ’ର ହାତ ତିଆରି ଚା’ରେ ବି ସେଇ ଏକା ସୁଆଦ ଶଙ୍କର । କିନ୍ତୁ ତୁ ନିଶ୍ଚିନ୍ତ ରହ, ଖୋଜିବାର ଦାୟିତ୍ୱ ମୁଁ ନେଇଛି । ଯେଉଁଠାକୁ ସେ ଯାଇଥାଆନ୍ତୁ ନା କାହିଁକି ନିଜର ଇଚ୍ଛାରେ ଯେ ଯାଇ ନ ଥିବେ ଏୟା କହୁଛି ମନ । ହୁଏତ ଆଉ କିଛି ବି ଘଟିଥାଇ ପାରେ... ।

 

ଶଙ୍କର କହିଲା - ଆଉ କଅଣ ଘଟି ଥାଇପାରେ ? ଏଠାରେ ଥିବା ସମୟରେ ଆମେ ବେଶ୍ ସୁଖରେ ଥିଲୁ । ଘୃଣାକ୍ଷରେ ସେ ଦିନେ ବି କହିନାହାନ୍ତି ଯେ ସେ ଅସୁଖୀ, ତାଙ୍କୁ ଭଲ ଲାଗୁନି ଏ ଜାଗା, ଏଇ ପରିବେଶ; ବରଂ ସେ କେତେଥର କହିଚନ୍ତି ଯେ ବାହାହବା ଆଗରୁ ଯଦି ଜାଣି ଥାଆନ୍ତି ଯେ ଏତେ ସୁଖ ଅପେକ୍ଷା କରୁଛ ମୋତେ, ଅନେକ ଆଗରୁ ଚାଲି ଆସି ଥାଆନ୍ତି ତୁମ ପାଖକୁ ।

 

ସେ ଯେ ଏଇ ଦୁଃଖ ବେଳରେ ଏକା ନୁହେଁ- ଏଇ ଅନୁଭବଟି ତାକୁ ଦବା ପାଇଁ ତା’ ପାଖକୁ ଘୁଞ୍ଚି ଯାଇ କହିଲା, ମନୋଜ, ଯାହା ଘଟିଯାଇଛି ତାହା ଅତୀତ । ବର୍ତ୍ତମାନ ଆମକୁ ଖୋଜିବାକୁ ହେବ...ଶାଶ୍ୱତୀଙ୍କୁ ବାହାର କରିବାକୁ ହେବ ।

 

- ପ୍ରତିଦିନ ଖବର କାଗଜରେ ଯାହା ବାହାରୁଛି ତାହା ପଢ଼ି ତ ରୋମ ଟାଙ୍କୁରି ଉଠେରେ ମନୁ । ନାରୀ ଧର୍ଷଣ, ନାରୀ ଅପହରଣ ପ୍ରାୟ ପ୍ରତିଦିନର ଘଟଣା । ସେପରି ଯଦି କିଛି ଘଟିଥାଏ ।

 

- ହୁଏତ ଘଟିଥାଇପାରେ । କିନ୍ତୁ ଘର ଭିତରୁ ଡାକି ନେଇ କେହି ଧର୍ଷଣ କି ଅପହରଣ କରେ ନାହିଁ । ସେ ଘରୁ ବାହାରକୁ ଯାଇଥିବାର କେହି ଦେଖି ନାହାନ୍ତି । ତୁ ବି ତ ଦେଖିନୁ ।

 

- ମୁଁ ଶୋଇବା ଘରୁ ଉଠି ଆସିଥିଲି କଲିଂ ବେଲ୍ ବାଜିବା କ୍ଷଣି । ଅଫିସ ତ ଯାଇ ନ ଥିଲି ସେଦିନ । ମୁଁ ଗୋଟେ ଉପନ୍ୟାସ ପଢ଼ୁ ପଢ଼ୁ କେତେବେଳେ ଢୋଳେଇ ପଡ଼ିଥିଲି ମନେନାହିଁ-। ତାହାବି ଅଳ୍ପ ସମୟ ପାଇଁ । ତା’ପରେ ଚା’ ପିଇବାର ସମୟ ପାଖେଇ ଆସୁଛି ଏଇ ଆଶାରେ ତାଙ୍କୁ ଅପେକ୍ଷା କରୁଥିବା ସମୟରେ ତୁ ଆସିଲୁ । ଦୁଇଟାରୁ ଚାରିଟା ଭିତରେ ସବୁ ଘଟିଚି ।

 

- ହଁ, କିନ୍ତୁ...

- ଆଉ କେହି ଆସିଥିବାର ମନେପଡ଼ୁଚି ?

- ନା

- ସାଙ୍ଗରେ କିଛି ଜିନିଷ ପତ୍ର, ବ୍ରିଫକେଶ୍‍ ବା ଅନ୍ୟ କିଛି ?

- ନା

- ଖାଲି ହାତରେ ?

- ଖାଲି ହାତରେ...

 

ମନୋଜ ନୀରବ ହୋଇଗଲା । ଅଶରୀରୀ ପରି ହଠାତ୍‍ ଅଦୃଶ୍ୟ ହୋଇଗଲା ଶାଶ୍ୱତୀ-

 

ଶଙ୍କର କହିଲା - ମୁଁ ଭୁବନେଶ୍ୱର ଛାଡ଼ି ଚାଲିଯିବାକୁ ସିଦ୍ଧାନ୍ତ କରିଚି ମନୁ ।

- କାହିଁକି ?

 

- ଭଲ ଲାଗୁନି । ତା’ପରେ ଶାଶ୍ୱତୀର ଚାଲିଯିବା ପରେ ମୋତେ କେଜାଣି କେମିତି ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ପଡ଼ୋଶୀ ଓ ପରିଚିତମାନେ । ସେମାନଙ୍କ ମୁହଁରେ ବ୍ୟଙ୍ଗ ଆଉ କରୁଣା... । ମୁଁ ସହ୍ୟ କରିପାରୁନି ଆଉ । ଡାଇରେକ୍ଟରଙ୍କୁ କହିଥିଲି । ସେ ମୋତେ ଫୁଲବାଣୀକୁ ବଦଳି କରି ଦେଇଛନ୍ତି ।

 

- ଏତେ ଦୂରକୁ... ?

 

- ହଁ, ଦୂରରେ ରହିବା ଭଲ । ନିକଟ ଯେତେବେଳେ ଦୂର ହୋଇଯାଏ ଦୂର ନିକଟତର ହୁଏ ।

 

ଦାର୍ଶନିକପରି କହିଲା ଶଙ୍କର ।

 

- ତୁ ଯାଇପାରୁ...ମୁଁ କିନ୍ତୁ ଏଠାରେ ଅଛି ଶଙ୍କର । ଇଚ୍ଛାହେଲେ ଚାଲି ଆସିବୁ । ଆଉ ମୁଁ ଯଦି କୌଣସି ସୂତ୍ର ପାଏ ତା’ହେଲେ ତୋତେହିଁ ପ୍ରଥମ କହିବି । କିନ୍ତୁ ଶାଶ୍ୱତୀ ଯଦି ମିଳି ଯାଆନ୍ତି ତୁ ଫେରେଇ ନବୁ ତ ତାଙ୍କୁ ?

 

- ଶାଶ୍ୱତୀ ପାଇଁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବି ମୁଁ । ମୁଁ ଫୁଲବାଣୀରେ ବା ସ୍ୱର୍ଗରେ ଯେଉଁଠି ରହିଲେ ବି ଶାଶ୍ୱତୀଙ୍କୁ ଭୁଲିପାରିବି ନାହିଁ । ଜୀବନର ପ୍ରଥମ ଭଲପାଇବା ଶେଷ ହୁଏନି କେବେ । ସେ ମୋତେ ଭୁଲିଗଲେ ବି ମୁଁ ଭୁଲିପାରିବି ନାହିଁ । ଆଉ ଫେରି ଆସିବା କଥା କହୁଛୁ ଯେ, ଏ ଦୁଆର ତାଙ୍କପାଇଁ ଖୋଲା ରହିବ ସବୁଦିନ ।

 

ଶଙ୍କର ପାଖରୁ ବିଦାୟ ନେଇ ଫେରିବାବେଳେ ମନୋଜ ଭାବୁଥିଲା ଯେ ଏଇ ଭଲ ପାଇବାର ସୁଆଦ ଥରେ ତୁଣ୍ଡରେ ଲାଗିଲେ ଆଉସବୁ ବିସ୍ୱାଦ ହୋଇଯାଏ । ସେଥିପାଇଁ ଭଲପାଇବା ଏତେ ଦୁର୍ଲଭ, ଏତେ ରୋମାଞ୍ଚକର ।

 

ସ୍କୁଟର ଛିଡ଼ା କରି ସିଗାରେଟ ଗୋଟିଏ ପ୍ୟାକେଟ କିଣିବାକୁ ଗଲାବେଳେ ଫରେଷ୍ଟ ପାର୍କରେ ନୂଆ ହୋଇ ଖୋଲିଥିବା ‘ବିଉଟି ପାର୍ଲର’ ଆଖିରେ ପଡ଼ିଲା ମନୋଜର ।

 

ସିଗାରେଟରେ ନିଆଁ ଧରେଇ କଳେ ଧୂଆଁ ଛାଡ଼ି ପାର୍ଲରଆଡ଼କୁ ଆଙ୍ଗୁଳି ଦେଖାଇ ଦୋକାନୀକୁ ପଚାରିଲା ସେ - କିମିତି ଚାଲିଚି ?

 

ମୁହଁ ଉପରେ ବଙ୍କା ହସର ରେଖା ଟାଣି କହିଲା ସେ- ଖୁବ୍ ଭଲ ଚାଲୁ ନ ଥିଲେ ଏତେ ଝିଅ ବୋହୁ ଆସୁ ନ ଥାନ୍ତେ ବାବୁ, ।

 

- ସୁହାସିନୀ ପଟ୍ଟନାୟକଙ୍କୁ ଦେଖିଛ ?

- ହଁ, ବିଉଟି ପାର୍ଲର ତ ତାଙ୍କର । ପ୍ରତିଦିନ ସକାଳ ସନ୍ଧ୍ୟା ନିଜେ ରହନ୍ତି ଏଠାରେ ।

- ଆଗରୁ ଜାଣିଥିଲ ତାଙ୍କୁ ?

 

- ନା, ଏଇଠି ଦେଖିଲି ପ୍ରଥମ । ଲୋକେ କହନ୍ତି ଅନେକ ବୟସ ହେଲାଣି, କିନ୍ତୁ ଦେଖିଲେ ଜାଣି ହୁଏନି କିଛି । ଆପଣ ଯାଉ ନାହାନ୍ତି ଭିତରକୁ ?

 

- ପୁରୁଷମାନେ ଯାଆନ୍ତି ଭିତରକୁ ? ସାଇନ୍ ବୋର୍ଡ଼କୁ ଚାହିଁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ମନୋଜ ।

 

ଦୋକାନୀ କହିଲା - ପୁରୁଷମାନଙ୍କର ପ୍ରବେଶ ନିଷେଧ ଲେଖା ଥିଲେ ବି ଅନେକ ଆସନ୍ତି । ସେମାନେ ନ ଆସିଲେ ଝିଅ ବୋହୂ ଆସନ୍ତେ ?

 

ଦୋକାନୀର ହସ ଆହୁରି ରହସ୍ୟମୟ ହୋଇ ଉଠିଲା ।

 

ତା’ ଆଗରେ ନିଜକୁ ଲଘୁ କରି ନ ଦେଇ ସେଦିନ ପାଇଁ ବିଉଟି ପାର୍ଲରକୁ ଯିବାର ପ୍ରସ୍ତାବ ବନ୍ଦ କରି ସେ ନୋଟ୍‍ ବହିରେ ବିଉଟି ପାର୍ଲରର ଫୋନ୍‍ ନମ୍ବରଟା ଟିପି ନେଲା ।

 

ବିଉଟି ପାର୍ଲର ଏବଂ ସୁହାସିନୀ ପଟ୍ଟନାୟକ । ପ୍ରଥମ ନାମଟା ଶୁଣି ନ ଥିଲେ ବି ଦ୍ୱିତୀୟ ନାମଟା କାହା ମୁହଁରୁ ପୂର୍ବରୁ ଶୁଣିଥିଲା ମନୋଜ । କିନ୍ତୁ ସ୍ମରଣ କରିପାରିଲା ନାହିଁ । ପ୍ରତିଦିନ କେତେ ଲୋକଙ୍କ ସହିତ ସାକ୍ଷାତ୍‍ ହୁଏ, କେତେ ଲୋକଙ୍କର ନାମ ଶୁଣେ, କିନ୍ତୁ ସେଥିରୁ ଗୋଟେ ଦୁଇଟା ଛାଡ଼ି ଅନ୍ୟସବୁ ନାମ, ଠିକଣା ଭୁଲି ଯାଏ । ସୁହାସିନୀ ପଟ୍ଟନାୟକଙ୍କ ସହିତ ପରିଚୟ ନାହିଁ, ତଥାପି ନାମଟା କେଜାଣି କାହିଁକି ମନେ ରହି ଯାଇଥିଲା ।

 

ସୁହାସିନୀ ପଟ୍ଟନାୟକଙ୍କ ସହିତ ପରିଚିତ ହେବାଲାଗି ଆଜି କାହିଁକି ଇଚ୍ଛାହେଲା ମନୋଜର ।

 

ଫାଇଭ ଡବଲ ଫୋର ଫାଇଭ ଫୋରକୁ ଡାଏଲ କରି ସୁହାସିନୀଙ୍କୁ ପାଇଗଲା ମନୋଜ ।

 

ପରିଚୟ ଦବାପରେ କଣ୍ଠକୁ ଆହୁରି ମଧୁର କରି କହିଲେ ସେ - ମୋର ଦୁର୍ଭାଗ୍ୟ ଯେ ଆଜି ପର୍ଯ୍ୟନ୍ତ ଆପଣଙ୍କର ସାନ୍ନିଧ୍ୟ ପାଇବାର ସୁଯୋଗ ପାଇନାହିଁ । କିନ୍ତୁ ଛାଡ଼ନ୍ତୁ...କେବେ ଦେଖାହେବ କୁହନ୍ତୁ ତ ! ଶୁଭସ୍ୟ ଶୀଘ୍ରମ୍... ।

 

ମନୋଜ ଅଡ଼ୁଆରେ ପଡ଼ିଗଲା । ଭଦ୍ରମହିଳା ଯେ ଏତେଶୀଘ୍ର ଏତେ ଆଗେଇ ଆସିବେ ତାହା ସେ ଭାବି ନ ଥିଲା । ସାମ୍ବାଦିକ ଜୀବନରେ ଏପରି ଅନେକ ସୁଯୋଗ ଆସେ ଚିହ୍ନା ପରିଚୟ ହେବା ପାଇଁ । ପ୍ରଥମ ସୁଯୋଗରେ କେହି କେହି ଇମିତି ପ୍ରଗଲ୍‌ଭ ହୋଇଉଠନ୍ତି ଯେ ଶାଳୀନତା ଦୃଷ୍ଟିରୁ ପଛଘୁଞ୍ଚା ଦବାକୁ ବାଧ୍ୟହୁଏ ମନୋଜ । ଆରମ୍ଭଟା ସେପରି ନ ହେଲେ ରକ୍ଷା ।

 

ସେ ଆଗ ଫୋନ୍‍ କରିଚି ଯେତେବେଳେ ଶିଷ୍ଟାଚାର ରକ୍ଷା କରିବା ପ୍ରଥମ କର୍ତ୍ତବ୍ୟ । ମନୋଜ ଧନ୍ୟବାଦ ଜଣାଇ କହିଲା - ମୁଁ ତ ସେଦିନ ଆପଣଙ୍କର ବିଉଟି ପାର୍ଲର ଦେଇ ଆସିଲି । କିନ୍ତୁ ସଂକୋଚ ଲାଗିଲା, ଭିତରକୁ ଆଉ ଗଲି ନାହିଁ ।

 

ସୁହାସିନୀ କହିଲେ- ଆପଣ ତ ମହିଳା ନୁହଁନ୍ତି ପୁରୁଷ, ସଂକୋଚ ଲାଗିବ କାହିଁକି ? ଆପଣ ଆସିଥିଲେ ମୁଁ ଖୁସି ହୋଇଥାଆନ୍ତି... ।

 

- ଆସିବି ନିଶ୍ଚୟ । ବିଉଟି ପାର୍ଲର ଆମ ରାଜଧାନୀରେ ଏଇ ପ୍ରଥମ ଖୋଲିଛନ୍ତି ଆପଣ । ସୌନ୍ଦର୍ଯ୍ୟ ହୁଏତ ଈଶ୍ୱରଦତ୍ତ, କିନ୍ତୁ ସୌନ୍ଦର୍ଯ୍ୟ ସୁରକ୍ଷା ବ୍ୟକ୍ତି ଉପରେ ନିର୍ଭର କରେ ।

 

- ଠିକ୍ କହିଛନ୍ତି । ଏଇ ସରଳ କଥାଟି କହି କହି ଥକି ଗଲିଣି ମୁଁ । ଯା’ ହେଉ ଆପଣଙ୍କ ପରି ବିଦ୍ୱାନ ବ୍ୟକ୍ତି ଏକଥା ବୁଝିଛନ୍ତି ଜାଣି ଆଶ୍ୱସ୍ତ ହେଉଚି ମୁଁ ।

 

- ଆପଣ ନିଶ୍ଚିନ୍ତ ରୁହନ୍ତୁ ଅନେକ ଜାଣିବେ ଏ ବିଷୟରେ, ଅନେକ ବି ଆସିବେ ଆପଣଙ୍କ ପାଖକୁ ପରାମର୍ଶ ବା ପୃଷ୍ଠପୋଷକତା କରିବା ପାଇଁ ।

 

- ଆସୁଛନ୍ତି ନିଶ୍ଚୟ... । କ୍ରମାଗତ ଭିଡ଼ ବଢ଼ିବାରେ ଲାଗିଛି । ପ୍ରଥମ ମାସ ଦିନକୁ ହାରାହାରି ଜଣେ ଆସୁଥିଲେ । ଛଅମାସ ପରେ ହାରାହାରି ଦଶଜଣ ଆସିଲେ । ଏବେ ଦିନକୁ ପନ୍ଦର କୋଡ଼ିଏ... ।

 

- କିନ୍ତୁ ବିଉଟି ପାର୍ଲରକୁ ନ ଯାଇ ଆଉ କେଉଁଠି ଦେଖାହେଲେ କେମିତି ହୁଅନ୍ତା... ।

 

- ଚମତ୍କାର ଆଇଡ଼ିଆ । ଆପଣଙ୍କର ଯଦି ସମୟ ଥାଏ ଆଜି ସଂଧ୍ୟା ଛଅଟାରେ ‘ସୁରୁଚି’କୁ ଆସନ୍ତୁ, ସେଇଠି ଆଇସ୍କ୍ରୀମ ଖାଇବା । ମୁଁ ଅପେକ୍ଷା କରିଥିବି ।

 

ଏତେଟା ଆଶାକରି ନ ଥିଲା ମନୋଜ । ନିଜର ବୃତ୍ତିଗତ ସଫଳତା ଦୃଷ୍ଟିରୁ ବିଉଟି ପାର୍ଲର ସମ୍ପର୍କରେ ଗୋଟେ ଗଳ୍ପ ଲେଖା ଯାଇପାରେ । ଏହାର ଭଲ ଦିଗ ପ୍ରତି ସଚେତନତା ବୃଦ୍ଧି ପାଇବା ଦରକାର । ଅସମୟରେ ବାର୍ଦ୍ଧକ୍ୟକୁ ବରଣ ନ କରି ଯୌବନକୁ ଯେ ଅତୁଟ ରଖାଯାଇପାରେ କେବଳ ତାହା ବିଉଟି ପାର୍ଲରର ବିଶେଷ ଆକର୍ଷଣ ନୁହେଁ, ଏହା ମନ ସହିତ ତାଳ ଦେଇ ଶରୀରର ଶ୍ରୀ ଓ ସୁଷମା ରକ୍ଷା କରିବାପାଇଁ ନୂଆ ନୂଆ ବାଟ ବତାଏ । ବିଉଟି ବଢ଼େଇବାକୁ ଆସି ଯଦି ଆଉ କେହି ପୃଷ୍ଠପୋଷକ ମିଳିଯାଏ ତା’ହେଲେ ତ କଚେ ପୁଅ ବାଆର ।

 

ଏଇ ମହିଳାମାନଙ୍କୁ କିନ୍ତୁ ମନେ ମନେ ଭୟ କରେ ମନୋଜ । ସେଇ ଶ୍ଲୋକଟି ମନେପଡ଼ୁନି । କିନ୍ତୁ ଯଥାର୍ଥରେ ସେଥିରେ କୁହାଯାଇଛି ଯେ ଶିଙ୍ଗ ପଶୁଠାରୁ, ନଦୀଠାରୁ ଦୂରରେ ରହିବ । ନାରୀ ବି ଠିକ୍ ନଦୀପରି । ନଦୀର ଗଭୀରତା କୂଳରୁ ଯେପରି ଜାଣିହୁଏ ନାହିଁ, ନାରୀକୁ ଦେଖି ତା’ର ମନ ଜାଣିବା ସେହିପରି ଅସମ୍ଭବ । ଖାଲି କଅଣ ଏତିକି...ନଦୀପରି ନାରୀ ବି ରହସ୍ୟମୟୀ ପୁଣି ଉଲ୍ଲାସମୟୀ ଆହ୍ଲାଦିନୀ । ଆଉ ମା’ ପରି ନଦୀ ବି ଶୁଭଦା, ସୁଖଦା... । କିନ୍ତୁ ମା’ତ ଜଣେ, ଭଉଣୀ ଦୁଇଜଣ, ଆଉ ସମସ୍ତେ ସେ ମାୟାବିନୀ... ।

 

ମନୋଜ ନିସ୍ପୃହ କଣ୍ଠରେ କହିଲା - ଆଇସ୍କ୍ରୀମରୁ ନା କଫିରୁ ଆରମ୍ଭ କରିବେ ତାହା ଆପଣ ସ୍ଥିର କରିବେ ।

 

ଏଥର ଖିଲ୍ ଖିଲ୍ କରି ହସିଉଠିଲା ସୁହାସିନୀ । - ଆଇସ୍କ୍ରୀମ ବରଫ ପାହାଡ଼ର ନିର୍ଜୀବ ନୁହେଁ - ଛୁଇଁବାକ୍ଷଣି ତରଳିବାକୁ ଆରମ୍ଭ କରେ ।

 

ସୁହାସିନୀଙ୍କୁ କଥାରେ ପାରିବ ନାହିଁ ମନୋଜ । ସେ ଅନାବଶ୍ୟକ ଉତ୍ସାହ ସୃଷ୍ଟିର କାରଣ ନ ହେବା ପାଇଁ କହିଲା- ପ୍ରସ୍ତୁତ ହୋଇ ଆସିଥିବେ, କିଛି ପ୍ରଶ୍ନ ପଚାରିବାର ଅଛି ।

 

- ବେଶ୍ ଭଲ କଥା । ମୁଁ ସ୍ୱାଗତ କରିବି ଆପଣଙ୍କୁ । ଆସିବେ ନିଶ୍ଚୟ ।

- ନମସ୍କାର... ବାୟ ବାୟ

ବାୟ ବାୟ

 

ରିସିଭରଟା ରଖି ମନୋଜ ଭାବିଲା ଯେ ଆଦୌ ଫୋନ୍‍ରେ ନ ଥିଲେ ବୋଧହୁଏ ଭଲ ହୋଇ ଥାଆନ୍ତା ।

 

କିଛି ସମୟ ନିଶ୍ଚେଷ୍ଟ ହୋଇ ବସି ରହିଲା ମନୋଜ । ସୁହାସିନୀଙ୍କୁ ଫୋ୍‍ କରିବା ପୂର୍ବରୁ ତାଙ୍କର ବିଉଟି ପାର୍ଲର ସମ୍ପର୍କରେ କିଛି ତଥ୍ୟ ସଂଗ୍ରହ କରିସାରିଛି ସେ । ବିଉଟି ପାର୍ଲରରେ କେବଳ ଶରୀର ଚର୍ଚ୍ଚା ହୁଏ ନାହିଁ, ଏଠାରେ ଯୋଗ, ମଡ଼େଲିଂ, ସୁଇମିଂ ଶିକ୍ଷା ମଧ୍ୟ ଦିଆଯାଏ । ଭିନ୍ନ ଭିନ୍ନ କୋଠରୀର ଭିନ୍ନ ଭିନ୍ନ ବ୍ୟବସ୍ଥା । ଯେଉଁମାନେ ସୁଇମିଂ ଶିଖିବାକୁ ଚାହାଁନ୍ତି ସେମାନଙ୍କ ପାଇଁ ‘ଏକାମ୍ର କ୍ଲବ୍’ରେ ବ୍ୟବସ୍ଥା ଅଛି । ଠିକ୍ ପ୍ରବେଶ ପଥରେ ରାଜରାଣୀ ମନ୍ଦିରର ‘ଅଳସ କନ୍ୟା’ ଆମନ୍ତ୍ରଣ ଜଣାଏ । ଭିତରେ କୋଣାର୍କର ପତ୍ର ଲେଖିକା, ବାଦ୍ୟରତା, ନୃତ୍ୟରତା, ପ୍ରସାଧନରତା ନାରୀ ମୂର୍ତ୍ତିମାନଙ୍କର ବଡ଼ ବଡ଼ ଚିତ୍ରଗୁଡ଼ିକୁ ଫ୍ରେମରେ ବାନ୍ଧି କାନ୍ଥରେ ଲଗାଇ ରଖା ଯାଇଛି । ପ୍ରତ୍ୟେକ କୋଠରୀର ସବିଶେଷ ବିବରଣୀ ସଂଗ୍ରହ କରିଥିଲେ ବି ସୁହାସିନୀ ଦେବୀଙ୍କ ପ୍ରକୋଷ୍ଠକୁ ଲାଗି ରହିଥିବା ଆଉ ଗୋଟିଏ ପ୍ରକୋଷ୍ଠ ସମ୍ପର୍କରେ କୌଣସି ସମ୍ବାଦ ସଂଗ୍ରହ କରିପାରିନାହିଁ ସେ । ସେଇଟି କୁଆଡ଼େ ‘ଗୋପନୀୟ କକ୍ଷ’ । ଗୋପନରେ କେହି କିଛି ପରାମର୍ଶ କରିବାକୁ ଆସିଲେ ସେଇ କକ୍ଷରେ ଆଲୋଚନା କରନ୍ତି ସୁହାସିନୀ । ଗୋଟିଏ ସୂତ୍ରରୁ ଏପରି ବି ଶୁଣିଛି ମନୋଜ ଯେ ସେଇ କକ୍ଷରେ ଯୌନ ବିଜ୍ଞାନ ସମ୍ପର୍କରେ ଶିକ୍ଷା ଦିଆଯାଏ ଏବଂ ବାସ୍ତବଜ୍ଞାନ ଦବାପାଇଁ କୋଣାର୍କର ମନ୍ଦିର ଗାତ୍ରରୁ ଅନେକ ଯୌନ ବନ୍ଧର ଚିତ୍ର ରଖାଯାଇଛି ସେଠାରେ ।

 

ସୁହାସିନୀ ପଟ୍ଟନାୟକଙ୍କ ସହିତ ପ୍ରଥମ ସମ୍ପର୍କ ସ୍ଥାପନ କରି ସେ ଯେ ସବୁ କଳାରେ ପାରଙ୍ଗମ ହୋଇଥିବେ ଏହା ଅନୁମାନ କଲା ମନୋଜ ।

 

ମଧ୍ୟାହ୍ନ ଭୋଜନ ସାରିବାବେଳକୁ ବିଳମ୍ବ ହୋଇଗଲା । ଭୋଜନ ପରେ ପନ୍ଦର ମିନିଟ ଶୋଇଛି କି ନାହିଁ ଫୋନ୍‍ ବାଜି ଉଠିଲା । ରିସିଭରଟା ଉଠେଇ ନେଇ ନିଦ୍ରା ଜଡ଼ିତ କହିଲା - ହ୍ୟାଲୋ... ।

 

ସେପାଖରୁ ଗୋଟେ ଜରୋରୀ ଖବର ତାକୁ ଦେଇସାରିବା ପରେ ରିସିଭର ରଖିଦବାର ଶବ୍ଦ ଶୁଣିଲା ମନୋଜ । ଆଶ୍ଚର୍ଯ୍ୟ, ଗୋଟିଏ ଭଲ ଖବର ପାଇ ବି ଖରବଦବା ବ୍ୟକ୍ତିଟି କିଏ, ତା’ର ନାମ ଓ ନମ୍ବର କଅଣ ତାହା ପଚାରିବା ପୂର୍ବରୁ ଲାଇନ କଟି ଯାଇଥିଲା । ରିସିଭରଟାକୁ ଅନ୍ୟମନସ୍କ ଭାବରେ ଏପାଖ ସେପାଖ କରି ରଖିଦବା ବେଳକୁ କଲିଂବେଲ ଟିପିଲା କିଏ । ଅଗତ୍ୟା ଆଉ କିଛି ସମୟ ଶୋଇବାର ସମସ୍ତ ଆଶା ତ୍ୟାଗକରି ଉଠି ବସିଲା ମନୋଜ । ସେ ପ୍ରସ୍ତୁତ ହେବାବେଳକୁ ନିତେଇ କହିଲା - ଜଣେ ସ୍ତ୍ରୀ ଲୋକ ଅପେକ୍ଷା କରୁଛନ୍ତି ।

 

ଆଶ୍ଚର୍ଯ୍ୟ ହୋଇଗଲା ମନୋଜ । ଏପରି ସମୟରେ କୌଣସି ମହିଳାଙ୍କୁ ସେ ପ୍ରତ୍ୟାଶା କରୁ ନ ଥିଲା ଏଠାରେ । ପଞ୍ଜାବାଟୀକୁ ଦେହ ଉପରେ ଗଳେଇ ଦେଇ ବାହାରିଗଲା ସେ ବସିବା ଘରକୁ ।

 

ଭଦ୍ରମହିଳା ନମସ୍କାର କରି କହିଲା - କ୍ଷମା କରିବେ, ଆପଣଙ୍କୁ ଅସମୟରେ ବିରକ୍ତ କଲି । କିନ୍ତୁ ଅନନ୍ୟୋପାୟ ହୋଇ ଆସିଛି । ମୁଁ ସଙ୍କଟରେ ପଡ଼ି ଆପଣଙ୍କ ସାହାଯ୍ୟ ଆଶାରେ ଆସିଛି ।

 

ମନୋଜ ତାଙ୍କୁ ବସିବାକୁ କହି କହିଲା, ଏଥର କୁହନ୍ତୁ, ମୁଁ କଅଣ କରିପାରେ... ।

 

ସେ କହିଲେ - ମୋ ନାମ ଶ୍ରୀଲେଖା ଦାସ । ମୁଁ ଖଣ୍ଡଗିରୀ କଲେଜର ଅଧ୍ୟାପିକା । ମୋର ସ୍ୱାମୀ ସ୍ୱଦେଶ ଦାସ ବି ଅଧ୍ୟାପକ ଥିଲେ ଆଚାର୍ଯ୍ୟ ବିହାରର ଇଭିନିଂ କଲେଜରେ । ଦୁଇମାସ ହେବ ମ୍ୟାନେଜିଂ କମିଟି ଚାକିରିରୁ ବାହାର କରି ଦେଇଛନ୍ତି ତାଙ୍କୁ ।

 

- କାହିଁକି ? ପ୍ରଶ୍ନକଲା ମନୋଜ ।

- ମୋହରି ପାଇଁ । ତଳକୁ ମୁହଁକରି କହିଲେ ଶ୍ରୀଲେଖା ।

- ଆପଣଙ୍କ ପାଇଁ ?

- ହଁ ।, ସେଇ କଥା କହିବା ପାଇଁ ଆସିଛି ।

- କୁହନ୍ତୁ.....

 

- ଏଇ ଦୁଇବର୍ଷ ହେବ ବିବାହ ହୋଇଛି ଆମର । ପରସ୍ପର ଭଲ ପାଇ ବାହା ହୋଇଥିଲୁ ଆମେ । ସେ ଆଚାର୍ଯ୍ୟ ବିହାର କଲେଜରେ ପାଞ୍ଚବର୍ଷ ହେବ ଚାକିରି କରୁଥିଲେ । ମୁଁ ଏଇ ଦୁଇବର୍ଷ ହେବ ଖଣ୍ଡଗିରୀ କଲେଜରେ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଛି ।

 

- କିନ୍ତୁ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଗଲା କାହିଁକି ?

- ଚେଆରମ୍ୟାନ୍‌ଙ୍କର ଦାବି ସେ ପୂରଣ କରିପାରିଲେ ନାହିଁ ।

 

ହଠାତ୍‌ ଆଚାର୍ଯ୍ୟବିହାର କଲେଜ ସମ୍ପର୍କରେ ସଂଗ୍ରହ କରିଥିବା କେତୋଟି ସମ୍ବାଦ ମନେପଡ଼ିଗଲା ତା’ର ।

 

ଆଚାର୍ଯ୍ୟ ବିହାର କଲେଜର ଚେଆରମ୍ୟାନ୍‍ ଅଛନ୍ତି ପ୍ରଖ୍ୟାତ ଆଡ଼ଭୋକେଟ୍‍ ଓ ସମାଜସେବୀ ମାନବ ମହାନ୍ତି । ରାଜଧାନୀରେ ସମାଜସେବା କାର୍ଯ୍ୟ କରୁଥିବା ପ୍ରାୟ ସବୁ ଅନୁଷ୍ଠାନ ସହିତ ସେ ସମ୍ପୃକ୍ତ । କେଉଁଟିର ପ୍ରେସିଡେଣ୍ଟ୍‍ ତ ଅନ୍ୟ କେଉଁଟିର ପୃଷ୍ଠପୋଷକ ବା ପରାମର୍ଶଦାତା । ସମାଜସେବା କହିଲେ ମାନବ ମହାନ୍ତିଙ୍କୁ ବୁଝାଏ, ଆଉ ମାନବ ମହାନ୍ତି କହିଲେ ସମାଜସେବା ବୁଝାଏ । ସରକାରୀ ମହଲରେ ପ୍ରବଳ ଖାତିର ତାଙ୍କର । ବାହାରେ ମଧ୍ୟ ପ୍ରଭୂତ ମର୍ଯ୍ୟାଦାର ଅଧିକାରୀ ସେ । ଆଇନ ବ୍ୟବସାୟ କରି ଯାହା ଉପାର୍ଜନ କରନ୍ତି ସେଥିରୁ ମୋଟା ଅଂଶ ଖର୍ଚ୍ଚ କରିଦିଅନ୍ତି ସମାଜସେବା କରିବାରେ ।

 

ଅଧ୍ୟାପିକା ଶ୍ରୀଲେଖା ଦାସର ମୁହଁକୁ ଆଉଥରେ ଭଲକରି ଅନେଇଲା ମନୋଜ ।

- କଅଣ ଦାବି କରିଥିଲେ ସେ ?

 

ଏଥର ଶ୍ରୀଲେଖା ଆହୁରି ସଂକୁଚିତ ହୋଇଗଲା । ଭୂଇଁ ଉପରେ ଦୃଷ୍ଟି ରଖି ବହୁ କଷ୍ଟରେ କହିଲା - ଚାକିରି ବାବଦରେ ବରଷକର ଦରମା ଆଗୁଆ ଜମା ଦବାର କଥାଥିଲା । ବାହାଘରରେ ଅନେକ ଟଙ୍କା ଖର୍ଚ୍ଚ କରିଦବାରୁ ସେ ଆଉ ଏ ଟଙ୍କା ଦେଇ ପାରି ନ ଥିଲେ । ହଠାତ୍‌ ସେଦିନ ଏକ୍‌ଜିବିସନ ଗ୍ରାଉଣ୍ଡରେ ତାଙ୍କ ସହିତ ଦେଖା ହୋଇଗଲା ୟାଙ୍କର । ମୁଁ ସାଙ୍ଗରେ ଥିଲି । ସେ ସାହିତ୍ୟ ଏକାଡ଼େମୀର ରୌପ୍ୟ ଜୁବିଲି ଉତ୍ସବରେ ଯୋଗଦବା ପାଇଁ ଆସି ଫେରୁଥାଆନ୍ତି ସେତେବେଳକୁ । ଆମେ ବି ଫେରିବା କଥା ସେତିକିବେଳେ । ସେ କହିଲେ- କିମିତି ଯିବ ? ରିକ୍‌ସାରେ ଘଣ୍ଟାକରୁ କମ ଲାଗିବ ନାହିଁ । ଗାଡ଼ିଅଛି ଆଉ କେହି ନାହାଁନ୍ତି ସାଙ୍ଗରେ । ବସିପଡ଼ । ତାଙ୍କର ବଦାନ୍ୟତା ଓ ଶାଳିନତା ଦେଖି ମୁଁ କୃତଜ୍ଞତା ଜଣାଇଲି । ସେ ୟାଙ୍କୁ କହିଲେ - ଏତେଦିନ ବାହା ହେଲଣି, କାହିଁ ଦିନେ ହେଲେ ତ ନିମନ୍ତ୍ରଣ କରିନ... । ମୁଁ ଭାବିଥିଲି ଯେ ବୋଧହୁଏ ଖାଲି ଇମିତି କହୁଥିବେ.. । କିନ୍ତୁ ତା’ର ଠିକ୍‌ ଦୁଇିଦିନ ପରେ ଇଏ ଘରେ ନ ଥିବାବେଳେ ସେ ପହଞ୍ଚିଯାଇ କହିଲେ - ସ୍ୱଦେଶକୁ ଡକ୍ଟରେଟ୍‌ କରିବା ପାଇଁ ମୁଁ କହିଛି । ଏଥିପାଇଁ ବେତନ ସହିତ ଛୁଟି ମିଳିବ । ମ୍ୟାନେଜିଂ କମିଟି ମିଟିଂରେ ଆଜି ମୁଁ ଏହା ମଞ୍ଜୁର କରାଇ ନେଇଛି । କୃତଜ୍ଞତାରେ ଅନ୍ତର ପୁରି ଉଠିଲା ମୋର... ।

 

- ତା’ ପରେ

 

ତା’ ପରେ ସେ ବି ସେଇକଥା କହିଲେ । ଏଇ ଭଲ ଖବରଟା ଦବାପାଇଁ ଆମ ବସାକୁ ସ୍ୱୟଂ ଚେୟାରମ୍ୟାନ୍‌ ଚାଲି ଆସିଥିଲେ ଶୁଣି ସେ ବି କହିଲେ ଯେ ଅନେକ ଭଲ ମଣିଷ ଅଛନ୍ତି ପୃଥିବୀରେ; କିନ୍ତୁ ଇଏ ବ୍ୟତିକ୍ରମ । ସୌଜନ୍ୟ, ବଦାନ୍ୟ, ଭଦ୍ରାମୀରେ ଏହାଙ୍କ ସରି ଆଉ କେହି ହେବେ ନାହିଁ ।

 

ମୋର ମଧ୍ୟ ସେଇ ଧାରଣୀ ଶ୍ରୀମତୀ ଦାସ । କହିଲା ମନୋଜ ।

 

- କିନ୍ତୁ ସେଇଠାରେ ସମସ୍ତେ ଭୁଲ କରନ୍ତି .... । ତାଙ୍କର ବାହାରଟା ପରି ଭିତରଟା ବି ଯଦି ଶୁଦ୍ଧ, ପିବତ୍ର ହୋଇ ଥାଆନ୍ତା ତା’ହେଲେ ଆମେ ଆଜି ନର୍କ ଯନ୍ତ୍ରଣା ଭୋଗ କରୁ ନ ଥାନ୍ତୁ ।

 

ମନୋଜ ଅବାକ୍‌ ହୋଇଯାଇ କହିଲା - ମାନେ ?

 

-ଆପଣ ସାମ୍ବାଦିକ, ମୋର ବଡ଼ ଭାଇପରି । ମୁଁ କୂଳବଧୂ । ସଂକୋଚ ଲାଗୁଚି ସବୁ କଥା କହିବା ପାଇଁ । ପ୍ରଥମେ ପ୍ରଥମେ ତାଙ୍କର ବଦାନ୍ୟ ପାଇଁ କୃତଜ୍ଞତା ଜଣାଉଥିଲି ମୁଁ । ତାଙ୍କର ପ୍ରଶଂସାରେ ପଞ୍ଚମୁଖ ହୋଇ ଉଠୁଥିଲି । କିନ୍ତୁ ସେହି ସୁସମୟ ବେଶୀଦିନ ରହିଲା ନାହିଁ । ଦିନେ ସେ ୟାଙ୍କୁ ଡାକି ପଠେଇ କହିଲେ ସେଇ ଟଙ୍କା କଥା । ମ୍ୟାନେଜିଂ କମିଟି ବର୍ଷକର ଦରମା ଡୋନେସନ ଭାବରେ ନବା କଥା । ସେଇ ଟଙ୍କା ଏଯାଏ ଦେଇପାରି ନାହାନ୍ତି ଇଏ । ଦବାର ସମ୍ଭାବନା ବି ନ ଥିଲା ସେତେବେଳେ ।

 

- ତା’ପରେ ?

 

- ତା’ପରେ ଦିନେ ସେ ୟାଙ୍କୁ କହିଲେ - ତୁମ ପାଇଁ ଏଇ ଟଙ୍କା ମୁଁ ଦେଇଦେଇଛି । ତୁମେ ଡକ୍ଟରେଟ କରିବା ପାଇଁ ମଧ୍ୟ ବୃତ୍ତି ପାଇବ । କିନ୍ତୁ ଗୋଟେ କାମ କରିବାକୁ ହେବ ତୁମକୁ । ମିସେସ୍‌ ଦାସଂକୁ ବେଳେ ବେଳେ ପଠେଇଦବ ମୋ ପାଖକୁ । ବୁଲି ଆସିବେ ଦାର୍ଜିଲିଂ କିମ୍ବା ସିଲଙ୍ଗ । ଦେହ ଓ ମନରେ ଫୂର୍ତ୍ତି ଆସିବ ।

 

- ଇସ୍‌ ? ଅସ୍ପଷ୍ଟ ଭାବରେ ଆର୍ତ୍ତନାଦ କରି ଉଠିଲା ମନୋଜ ।

 

- ଆପଣଙ୍କୁ ମିଛ କହୁନି । ଏ ବି ରାଜି ହୋଇଯାଇଥିଲେ ପ୍ରଥମ । ମୁଁ କିନ୍ତୁ କିମିତି ରାଜି ହୁଅନ୍ତି କହନ୍ତୁତ । ମୁଁ ଜଣକର ସ୍ତ୍ରୀ, ଆଉ ଗୋଟିଏ ପରିବାରର କୂଳବଧୂ.... ମୋହରି ପାଇଁ ଶେଷରେ ଚାକିରି ଗଲା ତାଙ୍କର ।

 

କିଛି ସମୟ ନୀରବରେ କଟିଗଲା । କୋଠରୀ ଭିତର ନିସ୍ତବ୍‌ଧତା ସହ୍ୟ କରି ନ ପାରି ମନୋଜ କହିଲା - ଏଇ ତା’ହେଲେ ମାନବ ମହାନ୍ତିଙ୍କର ପରିଚୟ, ତାଙ୍କର ସମାଜକଲ୍ୟାଣ, ତାଙ୍କର ବିଶ୍ୱପ୍ରେମ, ତାଙ୍କର ମାନବିକତା... ।

 

ସେତେବେଳକୁ ଶ୍ରୀଲେଖା ଦାସର ଦୁଇ ଆଖିରୁ କୂଳଲଙ୍ଘି ବହି ଆସିଥାଏ ଦୁଇଧାର ଲୁହ ।

 

ମନୋଜର ଏପରି ଅନୁଭୂତି ଏଇ ପ୍ରଥମ ।

 

ସେ କହିଲା - ଆପଣ ଯାହା କହିଲେ ମୁଁ ଶୁଣିଲି । କିନ୍ତୁ ଏହାର ପ୍ରମାଣ କିଛି ଅଛି ପାଖରେ ?

 

- ନା । ସେ ଓକିଲ । ଏଡ଼େ ବୋକା ନୁହଁନ୍ତି ଯେ ପ୍ରମାଣ ରଖି ନିଜେ ଧରାପଡ଼ିବେ ।

- ପ୍ରତିନ୍ଦ୍ୱନ୍ଦ୍ୱୀ ବଡ଼ ଶକ୍ତିଶାଳୀ । ଶୁଷ୍କ କଣ୍ଠରେ କହିଲା ମନୋଜ ।

- ସେଥିପାଇଁ ତ ଆପଣଙ୍କ ସାହାଯ୍ୟ ଚାହେଁ ।

 

- ସମ୍ବାଦ ପରିବେଶଣ କରିବା ବ୍ୟତୀତ ଜଣେ ସାମ୍ବାଦିକ ଆଉ କଅଣ କରିପାରେ ଯେ-। ତା’ପରେ ଏପରି ଏକ ସମ୍ବାଦ ପ୍ରକାଶଯୋଗ୍ୟ ନୁହେଁ । ଆପଣ ମଧ୍ୟ ଚାହିଁବେ ନାହିଁ ଯେ ଏଇ ବିବରଣୀ ସମ୍ବାଦପତ୍ରରେ ପ୍ରକାଶ ପାଉ । ଆଇନଗତ ଜଟିଳତା ମଧ୍ୟ ଅଛି ।

 

- ନା, ନା.... ଯେତିକି ହୋଇଛି ଯଥେଷ୍ଟ । ସମ୍ବାଦପତ୍ରରେ ଏହା ପ୍ରକାଶ ପାଇଗଲେ ମୁହଁଟେକି ମୁଁ ଆଉ ଚାଲିପାରିବି ନାହିଁ । କିନ୍ତୁ ତା’ ବୋଲି ତାଙ୍କୁ ଯଦି ଇମିତି ସହଜରେ ଛାଡ଼ି ଦିଆଯାଏ ତା’ ହେଲେ ସମାଜ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ । ଅସାମାଜିକ କାର୍ଯ୍ୟ ବଢ଼ି ଚାଲିବ ।

 

- ସବୁ ବୁଝୁଚି ଶ୍ରୀଲେଖା ଦେବୀ । କିନ୍ତୁ ମୁଁ ତ ସାମ୍ବାଦିକ, ସମାଜ ସଂସ୍କାରକ ନୁହେଁ । ମୋର ଶକ୍ତି ଓ ସମ୍ବଳ ମଧ୍ୟ ସୀମିତ ।

 

-କିନ୍ତୁ ଜଣେ କର୍ତ୍ତବ୍ୟନିଷ୍ଠ ସାହସୀ ସାମ୍ବାଦିକ ଭାବରେ ଆପଣଙ୍କର ସୁନାମ ଅଛି । ଆପଣ ପାରିବେ...ଚେଷ୍ଟା କଲେ ଆପଣ ନିଶ୍ଚୟ ପାରିବେ ... । ସେ ଚାକିରି ଫେରି ନ ପାଇଲେ କ୍ଷତି ନାହିଁ, ଟିଉସନ କରିବେ । ତା’ ବି ଯଦି ନ ମିଳେ ମୁଁ ତ ଚାକିରି କରୁଛି...ସେଇଥିରେ ଚଳିଯିବୁ ଦୁହେଁ । ମୁଁ ଚାକିରି ନ କରି ସେ ଯଦି କରୁଥାଆନ୍ତେ ଆମେ ତ ପୁଣି ଚଳନ୍ତେ ।

 

ଶ୍ରୀଲେଖାର ମୁହଁକୁ ଆଉଥରେ ଭଲ କରି ଅନାଇଲା ମନୋଜ ।

- ଆପଣ ତା’ ହେଲେ କଅଣ ଚାହାଁନ୍ତି କହିଲେନି ତ ?

 

- ମୁଁ ଜାଣେ ପ୍ରତିପକ୍ଷ ଅତ୍ୟନ୍ତ ପ୍ରତିପତ୍ତିଶାଳୀ । କିନ୍ତୁ ତଥାପି ମୋ ସପକ୍ଷରେ ନ୍ୟାୟ, ଧର୍ମ । ଆଉ ଗୀତାରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଚନ୍ତି ଯେ ଯେଉଁ ପକ୍ଷରେ ଧର୍ମ ସେହି ପକ୍ଷର ବିଜୟ ସୁନିଶ୍ଚିତ ।

 

ଶ୍ରୀଲେଖାର ଚକ୍ଷୁରୁ ଅଗ୍ନି ବର୍ଷୁଥିଲା ଯେପରି । ମନୋଜର ମନେପଡ଼ିଲା ବାପାଙ୍କ କଥା-। ଯଦି ଲାଞ୍ଚ ନ ନେଇ, ଲଞ୍ଚ ଡିନାର ନ ଖାଇ, ମଦ ନ ପିଇ ନ୍ୟାୟ ଓ ନୀତି ପାଇଁ ଲଢ଼ିପାରିବୁ ତା’ ହେଲେ ସାମ୍ବାଦିକ ହେଲେ କ୍ଷତି ନାହିଁ; ବରଂ ଖୁସି ହେବି ମୁଁ । କିନ୍ତୁ ଏତେ ପ୍ରଲୋଭନ ଛାଡ଼ି ଶୁଖିଲା ରୋଟି ଖାଇ, ମଇଳା ଲୁଗା ପିନ୍ଧି ଲଢ଼ିବା ସହଜ ନୁହେଁରେ ମନୁ । ମୁଁ ମରିବା ଆଗରୁ ତୁ କଥା ଦେ ଯେ ତୁ ପାରିବୁ...ଅନ୍ତତଃ ମରିବା ପୂର୍ବରୁ ମୁଁ ଏତିକି ଜାଣି ନିଶ୍ଚିନ୍ତରେ ମରିବି ଯେ ମୋ ପୁଅ ଆଉ ପାଞ୍ଚ ଜଣକ ପରି ନୁହେଁ, ସେ ସାମାନ୍ୟ ହେଲେବି ମଣିଷ ପରି ଜଣେ ମଣିଷ ।

 

ମନୋଜ ନୀରବତା ଭଙ୍ଗ କରି ସ୍ୱଗତୋକ୍ତି କଲାପରି କହିଲା - ଆଜିଯାଏ ବଞ୍ଚିଥିଲି ଆଉ ଶହେ ଜଣ ବଞ୍ଚିବା ପରି । ଏବେ ଲଢ଼ିବାର ବେଳ ଆସିଛି । ଲଢ଼ିବି.... ନିଶ୍ଚୟ ଲଢ଼ିବି ।

 

ଶ୍ରୀଲେଖା ବିଦାୟ ନେଇଯିବାବେଳେ କହିଲା ମନୋଜ, ଭାଇର ମର୍ଯ୍ୟାଦା ମୋତେ ଦେଇଛ ଯେତେବେଳେ ମୋ ଦେଇ ଯାହା ହେବ ମୁଁ ନିଶ୍ଚୟ କରିବି । ଏ ଦେଶରେ ଭାଇ ଭଉଣୀର ସମ୍ପର୍କ ଏବଂ ପରମ୍ପରା ବଡ଼ ପବିତ୍ର, ବଡ଼ ମହାନ ।

 

ଶ୍ରୀଲେଖା ତାହାରି ଆଗରେ ଅଦୃଶ୍ୟ ହୋଇଗଲା ପର୍ଯ୍ୟନ୍ତ ଦ୍ୱାର ଦେଶରେ ଛିଡ଼ା ହୋଇ ରହିଲା ମନୋଜ । ତା’ପରେ ହଠାତ୍‌ ହାତ ଘଡ଼ିକୁ ଚାହିଁ କହି ପକେଇଲା ଇସ୍‌ ଛଅଟା ବାଜିଗଲାଣି ।

 

ପୋଷାକ ବଦଳ କରି ସ୍କୁଟର ଉପରକୁ କୁଦି ପଡ଼ିଲା ମନୋଜ । ସୁହାସିନୀ ପଟ୍ଟନାୟକଙ୍କୁ ସମୟ ଦେଇଥିଲା ଛଅଟାରେ, ଅଧ ଘଣ୍ଟାଏ ଡେରି ହୋଇଗଲାଣି । କଅଣ ଭାବିବେ ଯେ ଭଦ୍ରମହିଳା ... ।

 

ଲକ୍ଷ୍ମୀସାଗର ପାର ହୋଇ ଜେଲ ଆଡ଼କୁ ଯେଉଁ ରାସ୍ତା ଯାଇଛି ସେଇ ରାସ୍ତାରେ କିଛିଦୂର ଯିବା ପରେ ଡାହାଣକୁ ମୋଡ଼ ଭାଙ୍ଗିଲେ ଯେଉଁ କୋଠା ପ୍ରଥମେ ଦୃଷ୍ଟିରେ ପଡ଼େ ତାହା ହେଉଚି ଦିବ୍ୟଧାମ । ଦିବ୍ୟଧାମ ଭିତରକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ପ୍ରବେଶପତ୍ର ନେବାକୁ ହୁଏ ପ୍ରଧାନ ଫାଟକ ପାଖରେ ଥିବା ରିସେପ୍‌ସନ ଅଫିସରୁ । ପ୍ରଧାନ ଫାଟକର ଗୋଟିଏ କଡ଼ରେ ଛୋଟ କୋଠରୀଟିଏ । ସେଥିରେ ଦିବ୍ୟଧାମର ଦୁଇଜଣ ଜଗୁଆଳୀ ସର୍ବଦା ସଜାଗ ଓ ସତର୍କ ଥାଆନ୍ତି । ବିନା ଅନୁମତିରେ ଆଶ୍ରମ ଭିତରକୁ ପ୍ରବେଶ ନିଷେଧ ।

 

ଦିବ୍ୟଧାମର ଇତିହାସ ବେଶୀ ଦିନର ନୁହେଁ । ପ୍ରାୟ ପାଞ୍ଚବର୍ଷ ମଧ୍ୟରେ ଏହି ଅନୁଷ୍ଠାନ ରାଜଧାନୀରେ ଏକ ଅଭିନବ ପରିବେଶ ସୃଷ୍ଟି କରିଛି । ଯେଉଁମାନେ ପୁନର୍ଜନ୍ମରେ ବିଶ୍ୱାସ ନ କରି ଏହି ଜନ୍ମର ସାର୍ଥକତା ଉପରେ ବିଶ୍ୱାସୀ ସେମାନଙ୍କ ପାଇଁ ଦିବ୍ୟଧାମ ଉଦ୍ଦିଷ୍ଟ । ଦିବ୍ୟଧାମର ପ୍ରତିଷ୍ଠାତା ପ୍ରବୁଦ୍ଧାଚାର୍ଯ୍ୟଙ୍କ ମତରେ ଜଣେ ଥରେମାତ୍ର ଜନ୍ମଗ୍ରହଣ କରେ । ସେ ପୂର୍ବରୁ ଜନ୍ମି ନ ଥିଲା କି ପରେ ଆଉ କେବେ ଜନ୍ମଗ୍ରହଣ କରିବ ନାହିଁ । ମଣିଷର ଜନ୍ମ ଆନନ୍ଦରୁ, ତେଣୁ ସେ ଆନନ୍ଦମୟଙ୍କୁ ଏହି ଜୀବନରେ ଯଦି ପାଇବାପାଇଁ ଚାହେଁ ତା’ହେଲେ ବିସାଦ ଓ ବିସର୍ଣ୍ଣତା, ଅବସାଦ ଏବଂ ନିର୍ଲିପ୍ତତା ପରିତ୍ୟାଗ କରି ନିଜକୁ ଆନନ୍ଦ ସାଗରରେ ବିସର୍ଜନ କରିବ । କୌଣସି ବୃତ୍ତି କରି ଜୀବିକାର୍ଜନ କରାଯାଇପାରେ । ଜୀବନର ବୃତ୍ତି ବା ଧର୍ମରେ ସମସ୍ତେ ଜୀବନର ସମାନ ଅଂଶୀଦାର ହୋଇଥିବାରୁ ଦିବ୍ୟଆନନ୍ଦର ମଧ୍ୟ ସମାନ ଭାବରେ ଅଧିକାରୀ । ନାରୀ ଓ ପୁରୁଷର ମିଳନଦ୍ୱାରା ଯେଉଁ ଆନନ୍ଦ ମିଳେ ତାହା ଦିବ୍ୟଆନନ୍ଦରେ ପରିଣତ ହେବ ଯଦି ସେଚ୍ଛାରେ ଉଭୟ ମୁକ୍ତଭାବରେ ପରସ୍ପରକୁ ଭୋଗ କରନ୍ତି । ମୁକ୍ତଭୋଗ ଜୀବନାନ୍ଦର ସର୍ବଶ୍ରେଷ୍ଠ ସୋପାନ । ଏହିଠାରୁ ସୃଷ୍ଟିର ଉତ୍ପତ୍ତି । ସମଗ୍ର ଜୀବଜଗତ ଏହି ନୀତି ଓ ନିୟମରେ ପରିଚାଳିତ । ତ୍ୟାଗଦ୍ୱାରା ପୂର୍ଣ୍ଣତା ପ୍ରାପ୍ତି ସମ୍ଭବ ନୁହେଁ । ନିଜକୁ ସକଳ ସୁଖରୁ ନିଗୃହୀତ କରି କେହି ପ୍ରକୃତ ଆନନ୍ଦର ଅଧିକାରୀ ହୋଇ ନ ପାରେ । ସମ୍ଭୋଗର ଚରମ ସୁଖମୟ ମୂହୁର୍ତ୍ତହିଁ ପରମାନନ୍ଦର ଶୀର୍ଷବିନ୍ଦୁ । ଶକ୍ତିହିଁ ଜୀବନର ଆଧାର । ଶକ୍ତିପୂଜାହିଁ ଦିବ୍ୟଧାମର ପ୍ରଦର୍ଶିତ ମାର୍ଗ ।

 

ପ୍ରବୁଦ୍ଧାଚାର୍ଯ୍ୟ କେତେବେଳେ ଆସି ରାଜଧାନୀରେ ଏକ ପରିତ୍ୟକ୍ତ ଅଞ୍ଚଳକୁ ନିଜର କର୍ମକ୍ଷେତ୍ର ଭାବରେ ମନୋନୀତ କଲେ ତାହା କେହି ଜାଣନ୍ତି ନାହିଁ । କିନ୍ତୁ ଯେତେବେଳେ ପାଚେରୀ ଛିଡ଼ା ହେଲା, ନଡ଼ିଆ ଗଛ ପୋତା ହେଲା, କୋଠାର କାନ୍ଥ ଉଠିଲା, ସେତେବେଳେ ଲୋକେ ଠୁଳ ହେଲେ ଜାଣିବା ପାଇଁ । ଦୁଇବର୍ଷ ଭିତରେ ଏକ ବିରାଟ ଦୁଇମହଲା କୋଠା, ଏକ ସୁନ୍ଦର ବଗିଚା ତିଆରି ହୋଇଗଲା । ନିର୍ମାଣକାର୍ଯ୍ୟ ଶେଷ ହେବା ପରେ ପ୍ରଧାନ ଫାଟକ ବନ୍ଦ କରି ଦିଆଯାଇ ବିନାନୁମତିରେ ପ୍ରବେଶ ନିଷେଧ ସାଇନ ବୋର୍ଡ଼ ଲଟକାଇ ଦିଆଗଲା । ଫାଟକ ଜଗିରହିଲେ ଦୁଇଜଣ ନେପାଳୀ ଜଗୁଆଳୀ । ରାତିରେ କାଳେ ସେମାନେ କର୍ତ୍ତବ୍ୟରେ ଶଥିଳତା ପ୍ରକାଶ କରିପାରନ୍ତି ଏହା ପାଖରେ ପହଞ୍ଚିବାବେଳକୁ ସେମାନେ ଏପରି ପ୍ରଚଣ୍ଡ ଶବ୍ଦ କରି ଆକ୍ରମଣାତ୍ମକ ଭଙ୍ଗୀରେ ଡିଆଁମାରନ୍ତି ଯେ ଯେକୌଣସି ବ୍ୟକ୍ତିର ଭୟ ହେବ ଆଉ ଅଧିକ ଅଗ୍ରସର ହେବାପାଇଁ ।

 

ବଗିଚାଟି ପ୍ରଶସ୍ତ ଏବଂ ବିରାଟ । ସାତ ହାତ ଉଚ୍ଚର ପଥର ପାଚେରୀକୁ ଲାଗି ନଡ଼ିଆ ଗଛ । ଦିବ୍ୟଧାମର ସମ୍ମୁଖରେ ଏକ ବିରାଟ ଲନ, ପୂର୍ବ ଦିଗରେ ଗୋଲାପ ବଗିଚା, ପଶ୍ଚିମରେ ଫୁଲ ବଗିଚା ଏବଂ ଉତ୍ତରରେ ଫଳ ବଗିଚା । ଦିବ୍ୟଧାମ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଆବାସ ସ୍ଥାନ । ଏକୋଇଶଟି ପ୍ରକୋଷ୍ଠ ବ୍ୟତୀତ ପ୍ରାର୍ଥନା ଏବଂ ଧ୍ୟାନପାଇଁ ଗୋଟିଏ ବଡ଼ ହଲ, ସୁନିର୍ବାଚିତ ପୁସ୍ତକ ଥିବା ଗୋଟିଏ ପୁସ୍ତକାଳୟ, ନୃତ୍ୟସଙ୍ଗୀତ ପ୍ରଭୃତି ପାଇଁ ଗୋଟିଏ ପ୍ରମୋଦ କେନ୍ଦ୍ର, ଅବାଧରେ ଯୌନଭୋଗ କରିବାପାଇଁ ମୁକ୍ତ ଭୋଗକେନ୍ଦ୍ର ଏବଂ ନିରୋଳାରେ ଅବସର ବିନୋଦନ ପାଇଁ ଗୋଟିଏ କୁଞ୍ଜବନ, ବ୍ୟାୟାମ କେନ୍ଦ୍ର, ରନ୍ଧନ ଶାଳା ଏବଂ ଭୋଜନ କେନ୍ଦ୍ର, ଲୁଗା ସଫା କରିବା ପାଇଁ ଗୋଟିଏ ଅତ୍ୟାଧୁନିକ ଲଣ୍ଡ୍ରି । ଗୋଟିଏ ବିଉଟି ସେଲୁନ ମଧ୍ୟ ଏହାର ଅନ୍ତର୍ଗତ । ଦିବ୍ୟାଧାମ ଉପରେ ଅନୁଷ୍ଠାନର ସପ୍ତରଙ୍ଗୀ ପତାକା ।

 

ପ୍ରବୁଦ୍ଧାଚାର୍ଯ୍ୟ ଏକ ଦୁର୍ଲଭ ବ୍ୟକ୍ତିତ୍ୱ । ଦିବ୍ୟଧାମର ଅନ୍ତେବାସୀ ଏବଂ ଅନୁରକ୍ତ ଭକ୍ତମାନଙ୍କୁ ଛାଡ଼ି ଅନ୍ୟମାନଙ୍କୁ ସେ ପ୍ରାୟ ଦର୍ଶନ ଦିଅନ୍ତି ନାହିଁ । ଦିବ୍ୟଧାମ ଭିତରକୁ ଯେକୌଣସି ବ୍ୟକ୍ତିର ପ୍ରବେଶକୁ ନିଷେଧ କରାଯାଇଛି । ଯେଉଁମାନେ ପ୍ରତିଦିନ ବା ମଧ୍ୟେ ମଧ୍ୟେ ନିୟମିତ ଭାବରେ ଆସନ୍ତି ସେମାନଙ୍କୁ ପରିଚୟପତ୍ର ଦିଆଯାଇଛି । ଅନ୍ୟ ଯେଉଁମାନେ କୌଣସି ବିଶେଷ କାର୍ଯ୍ୟରେ ଆସନ୍ତି ସେମାନଙ୍କୁ ଅଭ୍ୟର୍ଥନା ଦାୟିତ୍ୱରେ ଥିବା ମହିଳାଙ୍କ ପାଖରୁ ଅନୁମତି ନେବାକୁ ହୁଏ । ସେ ପ୍ରବୁଦ୍ଧାଚାର୍ଯ୍ୟଙ୍କର ବ୍ୟକ୍ତିଗତ ସଚିବ ଭଗ୍ନୀ ମନ୍ଦାକିନୀଙ୍କ ସହିତ ପରାମର୍ଶ କରି ଏହି ଅନୁମତି ଦିଅନ୍ତି । ଦିବ୍ୟଧାମର ଏକ ଛୋଟ ପିବିଏକ୍‌ସ ଅଛି । ବାହାରୁ କେହି ଟେଲିଫୋନ୍‍ କଲ ପିବିଏକ୍‌ସ ଦେଇ ଯିବାକୁ ହୁଏ । ପିବିଏକ୍‌ସ ଦାୟିତ୍ୱରେ ଅଛନ୍ତି ଦୁଇଜଣ ଅନ୍ତେବାସୀନୀ, ଭଗ୍ନୀ ପ୍ରେମମୟୀ ଏବଂ ଭଗ୍ନୀ ଚିରନ୍ତନୀ । ପ୍ରବୁଦ୍ଧାଚାର୍ଯ୍ୟଙ୍କ ବ୍ୟକ୍ତିଗତ ସଚିବଙ୍କୁ ଛାଡ଼ି ଆଉଜଣେ ଶକ୍ତିଶାଳୀ ମହିଳା ଅଛନ୍ତି - ସିଏ ଭଗ୍ନୀ ନିବେଦିତା । ସୂଚନା ଓ ଜନ ସମ୍ପର୍କ ତାଙ୍କରି ଦାୟିତ୍ୱରେ ।

 

ପ୍ରବୁଦ୍ଧାଚାର୍ଯ୍ୟଙ୍କ ମତରେ ନାରୀ ଅମୃତମୟୀ ଓ ଆନନ୍ଦମୟୀ । ତା’ର ହସ ପୁଷ୍ପପରି ନିର୍ମଳ, ସ୍ପର୍ଶ ପବନପରି ଶୁଦ୍ଧ, ଶବ୍ଦ ସଙ୍ଗୀତପରି ମଧୁର ଏବଂ ସମ୍ପର୍କ ମଧୁପରି ଶକ୍ତିବର୍ଦ୍ଧକ । ସେ ସମ୍ଭୋଗର ଆଧାର ଏବଂ ସୃଷ୍ଟିର ଉତ୍ସ । ସେ ମୁକ୍ତିଦାୟିନୀ । ସେ ସୀମା ମଧ୍ୟରେ ଅସୀମା ।

 

ଦିବ୍ୟଧାମ ଅଳ୍ପ ସମୟ ମଧ୍ୟରେ ଆକର୍ଷଣର କେନ୍ଦ୍ର ହୋଇ ଉଠିଚି । ନୂତନ ମାର୍ଗ ଅନୁସରଣ କରିବାକୁ ଯେଉଁମାନେ ଆସନ୍ତି ସେମାନଙ୍କର ନିର୍ଦ୍ଧିଷ୍ଟ ଫର୍ମରେ ଲିଖିତ ଦରଖାସ୍ତ ସ୍ୱୟଂ ପ୍ରବୁଦ୍ଧାଚାର୍ଯ୍ୟ ଅନୁମୋଦନ କଲାପରେ ସେମାନଙ୍କୁ ଶିକ୍ଷାନବିସ ଭାବରେ ବର୍ଷକ ପାଇଁ ନିଆଯାଏ-। ଏହି ବର୍ଷକ ମଧ୍ୟରେ ଯଦି କେହି ନିଜର ଆଚାର ଓ ବିଚାରଦ୍ୱାରା ନିଜକୁ ଶିଷ୍ୟ ହେବାପାଇଁ ଉପଯୁକ୍ତ ପ୍ରମାଣ କରନ୍ତି ସେତେବେଳେ ତାଙ୍କୁ ଦିବ୍ୟଧାମର ସ୍ଥାୟୀ ସଭ୍ୟ ଏବଂ ଭକ୍ତ ଭାବରେ ଗ୍ରହଣ କରାଯାଏ । କିନ୍ତୁ ପ୍ରାଥମିକ ନିର୍ବାଚନ ଏପରି କଠିନ ଯେ ଏଯାବତ୍‌ ଯେଉଁମାନେ ଶିକ୍ଷାନିବାସ ଭାବରେ ଆସିଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ଫେରିଯାଇ ନାହାନ୍ତି । ଆଉ ଗୋଟିଏ ସର୍ତ୍ତ ଯେ ଯିଏ ଦିବ୍ୟଧମାରେ ରହିବାର ସୌଭାଗ୍ୟଲାଭ କରିବେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସେ ଦିବ୍ୟଧାମକୁ ଦାନ କରିବେ ଏବଂ ତାଙ୍କର ଚଳାଚଳର ସମସ୍ତ ଦାୟିତ୍ୱ ଓ ଖର୍ଚ୍ଚ ଦିବ୍ୟଧାମ ବହନ କରିବ ।

 

ଦିବ୍ୟଧାମର ଫାଟକ ବର୍ଷକୁ ଥରେ ମାତ୍ର ଖୋଲାଯାଏ ସର୍ବସାଧାରଣଙ୍କ ପାଇଁ । ସେଦିନ ନବଯୁଗର ପ୍ରବର୍ତ୍ତକ ପ୍ରବୁଦ୍ଧାଚାର୍ଯ୍ୟଙ୍କର ଜନ୍ମଜୟନ୍ତୀ ପାଳିତ ହୁଏ । ଗତବର୍ଷ ମାଘସପ୍ତମୀ ଦିନ ତାଙ୍କର ଜୟନ୍ତୀ ପାଳିତ ହୋଇଥିଲା । ଏବର୍ଷ ଜୟନ୍ତୀ ପାଳନ କରିବାର ସମୟ ଆହୁରି ଆସି ନାହିଁ ।

 

ଦିବ୍ୟଧାମର ଶାନ୍ତ ପରିବେଶ ହଠାତ୍‌ ଦିନେ ବିକ୍ଷୁବ୍ଧ ସମୁଦ୍ରପରି ଅଶାନ୍ତ ହୋଇ ଉଠିବାରୁ କେବଳ ଦିବ୍ୟଧାମର ସଂଲଗ୍ନ ସମସ୍ତ ଅଞ୍ଚଳ ନୁହେଁ ସମଗ୍ର ରାଜଧାନୀରେ ଆଲୋଡ଼ନ ସୃଷ୍ଟି ହେଲା ଏବଂ ସରକାର ମଧ୍ୟ ଉଦ୍‌ବିଘ୍ନ ହୋଇପଡ଼ିଲେ । ଜଣେ ତରୁଣ ଭକ୍ତଙ୍କର ଶବ ନିକଟସ୍ଥ ଚାଷ ଜମିରୁ ଉଦ୍ଧାର କରାଯିବା ପରେ ପୁଲିସ୍‍ ଅନୁସନ୍ଧାନ ଯେ ଆରମ୍ଭ ହୋଇଗଲା ତାହା ନୁହେଁ, ସମ୍ବାଦପତ୍ରରେ ଏହି ସମ୍ବାଦ ପ୍ରକାଶ ପାଇଯିବା ପରେ ଅନେକ ଅନିସନ୍ଧିତ୍ସୁ ବ୍ୟକ୍ତି ଦିବ୍ୟଧାମର ଫାଟକ ପାଖରେ ଠୁଳ ହୋଇ ନାନାଦି ପ୍ରଶ୍ନ ପଚାରିବାରେ ଲାଗିଲେ । ଶାନ୍ତିଭଙ୍ଗର ଆଶାକରି ପୁଲିସ୍‌ ଜଗୁଆଳୀ ମୁତାୟନ କରାଗଲା ଫାଟକ ପାଖରେ ।

 

ଚାରି ପାଞ୍ଚଦିନ ଖୁବ୍‌ ହଇଚଇ ଲାଗିଲା । ଦଳଦଳ ଲୋକ ଆସି ଦିବ୍ୟଧାମ ଆଗରେ ନାନାଦି ଧ୍ୱନି ଦେବାକୁ ଲାଗିଲେ । ଆଶ୍ରମର ପ୍ରବେଶ ପଥ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦିଆଗଲା ।

 

କିନ୍ତୁ ସପ୍ତାହକ ପରେ ସବୁ ପୁଣି ସ୍ୱାଭାବିକ ହୋଇଗଲା । ସେଇ ଯୁବକର ଅପମୃତ୍ୟୁର କାରଣ ସମ୍ପର୍କରେ ଆଉ କେହି ଆଗ୍ରହ ପ୍ରଦର୍ଶନ କଲେ ନାହିଁ କି ଅନୁସନ୍ଧାନ କଲେ ନାହିଁ । ପୁଲିସ୍‍ ବିଭାଗର କେତେଜଣ କର୍ତ୍ତାଙ୍କୁ ଆଶ୍ରମ ଭିତରକୁ ମଧ୍ୟେ ମଧ୍ୟେ ଆସିବାର ଦେଖାଗଲେ ବି ଭିତରର କୌଣସି ଖବର ସଂଗ୍ରହ କରାଯାଇ ପାରିଲା ନାହିଁ ।

 

ପରିବେଶ ଶାନ୍ତ ଓ ନିଶ୍ଚୁପ ହୋଇ ଆସିଲାବେଳକୁ ସ୍କୁଟର ରଖି ଦିବ୍ୟଧାମର ପ୍ରଧାନ ଫାଟକ ଆଗରେ ଛିଡ଼ା ହେଲା ମନୋଜ । କିଛି ସମୟ ଅପେକ୍ଷା କରିବା ପରେ ତାକୁ ଅଭ୍ୟର୍ଥନାକାରିଣୀଙ୍କ ପାଖକୁ ଯିବାକୁ ଅନୁମିତ ମିଳିଲା । ଭଗ୍ନୀ ହାସ୍ୟମୟୀ ଅଭ୍ୟର୍ଥନା ଦାୟିତ୍ୱରେ ଥିଲେ ସେତେବେଳେ । ତାଙ୍କୁ ନିଜର ପରିଚୟପତ୍ର ଦେଖାଇ ମନୋଜ କହିଲା - ମୁଁ ସାମ୍ବାଦିକ ମନୋଜ ମିଶ୍ର । ଦିବ୍ୟଧାମ ଏବଂ ଏହାର ପ୍ରତିଷ୍ଠାତା ପ୍ରବୁଦ୍ଧାର୍ଯ୍ୟଙ୍କ ସମ୍ପର୍କରେ କିଛି ଜାଣିବା ପାଇଁ ଆସିଛି । ମୋର କୌଣସି ଦୁରଭିସନ୍ଧି ବା ମନ୍ଦ ଅଭିପ୍ରାୟ ନାହିଁ, ବରଂ ଅନୁଷ୍ଠାନ ସମ୍ପର୍କରେ ସଠିକ ଏବଂ ଜ୍ଞାତବ୍ୟ ତଥ୍ୟ ପରିବେଶଣ କରି ଜନସାଧାରଣଙ୍କୁ ଏହି ଅନୁଷ୍ଠାନ ସମ୍ପର୍କରେ ଅବହିତ କରିବା ମୋର ପରମ କର୍ତ୍ତବ୍ୟ ।

 

ଭଗ୍ନି ହାସ୍ୟମୟୀ ସବୁଶୁଣି ଗମ୍ଭୀର ହୋଇ କହିଲେ ଆଶ୍ରମର କୌଣସି ବିଷୟ ସମ୍ବାଦପତ୍ରର ବିଷୟବସ୍ତୁ ହୋଇ ନ ପାରେ । ଏଠାରେ ଯାହା ସଂଘଟିତ ହୁଏ ତାହା ଆଶ୍ରମବାସୀଙ୍କର ଏକାନ୍ତ ବ୍ୟକ୍ତିଗତ ବ୍ୟାପାର । ଆପଣ ଆଶ୍ରମ ସମ୍ପର୍କରେ ଅନାବଶ୍ୟକ କୌତୁହଳ ପ୍ରକାଶ ନ କଲେ ବାଧିତ ହେବି ।

 

ମନୋଜ ବିନମ୍ର ଭାବରେ କହିଲା, ସମ୍ବାଦ ସଂଗ୍ରହ କରିବା ମୋର କାମ । ମୁଁ ଏଠାକୁ ନ ଆସି ମଧ୍ୟ ଏ ବିଷୟରେ ଅନେକ କଥା ଜାଣେ । ମୋ ସହିତ ଯଦି ପ୍ରବୁଦ୍ଧାଚାର୍ଯ୍ୟଙ୍କର ଦେଖାହୁଏ ତାହା ମୋ ପକ୍ଷରେ ଯେତିକି ସୌଭାଗ୍ୟର ବିଷୟ ହେବ ଦିବ୍ୟଧାମ ପକ୍ଷରେ ହୁଏତ ସେତିକି ଅନୁକୂଳ ହେବ । ଆପଣ ପରାମର୍ଶ କରି କହନ୍ତୁ ।

 

ହାସ୍ୟମୟୀ ନିଶ୍ଚୁପ ହୋଇଗଲେ ମୁହୂର୍ତ୍ତେ । ତା’ପରେ କହିଲେ- ଅନେକଙ୍କ ପରି ଆମ ସମ୍ପର୍କରେ ଆପଣ ଭ୍ରାନ୍ତ ଧାରଣା ପୋଷଣ କରନ୍ତି ନାହିଁ ଆଶା କରେ ।

 

- ଯଦି ଅଜ୍ଞାତବଶତଃ କୌଣସି ଭ୍ରାନ୍ତଧାରଣା ମୋ ମନରେ ଥାଏ ତାହା ଖଣ୍ଡନ କରିବାର ସୁବିଧା ଆପଣମାନଙ୍କୁ ଦବା ପାଇଁ ଆସିଛି ମୁଁ । କିନ୍ତୁ ମୁଁ ଯଦି ନିରାଶ ହୋଇ ଫେରିଯାଏ ମୋର କିଛି କ୍ଷତିର ଆଶଙ୍କା ନ ଥିଲେ ମଧ୍ୟ ଆଶ୍ରମର ସୁନାମରେ ଆଞ୍ଚ ଆସିବାର ଆଶଙ୍କା ଅଛି ଅନେକ ।

 

ଏଥର ସ୍ମିତହାସ୍ୟ କରି ହାସ୍ୟମୟୀ କହିଲେ - ଆପଣ ବସନ୍ତୁ ମୁଁ ଆସୁଛି । କିନ୍ତୁ ସାବଧାନ, ଆଶ୍ରମ ଭିତରେ କୌଣସି ଫଟୋ ନ ଉଠାନ୍ତି ଯେପରି ।

 

ମନୋଜ ବସି ରହିଲା ଏକାକୀ । ଅଭ୍ୟର୍ଥନା ପ୍ରକୋଷ୍ଠଟି ଏପରି ଭାବରେ ସୁନିର୍ମିତ ଯେ ସେଠାରେ ବସି ବଗିଚାର ଦୃଶ୍ୟ ଉପଭୋଗ କରାଯାଇପାରେ ।

 

ସେ ଚାହିଁବା କ୍ଷଣି ଗୋଲାପ ବଗିଚା ଆଖିରେ ପଡ଼ିଲା ପ୍ରଥମ । ସଯତ୍ନ ରକ୍ଷିତ ଗୋଲାପ ବଗିଚାରେ ବଡ଼ ବଡ଼ ଗୋଲାପ ଫୁଲର ଶୋଭା । ବିଭିନ୍ନ ରଙ୍ଗର । ସବୁଜ ରଙ୍ଗର ଶୁଆ ପକ୍ଷୀ କେତୋଟି ଖେଳୁଥିଲେ ବଗିଚାରେ । ଆଶ୍ରମର କେତେଜଣ ଅନୁଗତ କର୍ମଚାରୀ ବଗିଚାରେ କାମ କରୁଥିଲ । ସେମାନଙ୍କ ଉପରେ ତା’ ଆଖି ପଡ଼ିବା କ୍ଷଣି ଅନ୍ୟ ଆଡ଼କୁ ମୁହଁ ବୁଲେଇ ଦେଲେ ସେମାନେ ।

 

ଭୁବନେଶ୍ୱରରେ ଇତିହାସ ରଚିତ ହୁଏ ।

 

ଏହାର ମାଟିତଳେ ଇତିହାସ ପୋତି ହୋଇ ରହିଛି । ଧଉଳି ଏବଂ ଖଣ୍ଡଗିରୀର ଶିଳା ଦେହରେ, ଲିଙ୍ଗରାଜ, ମୁକ୍ତେଶ୍ୱର, ରାଜରାଣୀ ପ୍ରଭୃତି ମନ୍ଦିର ଗାତ୍ରରେ ଲେଖା ହୋଇ ରହିଛି ଇତିହାସ । କେତେ ନାୟକ ନାୟିକାଙ୍କର ଲୀଳା ଭୂମି ଏଇ ଭୁବନେଶ୍ୱର । କେତେ ରାଜା ମହାରାଜା, ସମ୍ରାଟ୍‍ ସାମ୍ରାଜ୍ଞୀଙ୍କର ଆବାସସ୍ଥଳୀ ଏଇ ସ୍ଥାନ । କାଳଗର୍ଭରେ ସମସ୍ତେ ବିଲୀନ । କିନ୍ତୁ କଥା ରହିଯାଇଛି । ସେମାନଙ୍କୁ ଆଶ୍ରୟ କରି ଲେଖା ହୋଇଛି କେତେ କାହାଣି, ମୁହଁରୁ ମୁହଁକୁ ପ୍ରଚାରିତ ହୋଇଛି କେତେ କିମ୍ବଦନ୍ତୀ ।

 

ଏପର୍ଯ୍ୟନ୍ତ ପଛକୁ ଚାହିଁ ନ ଥିଲା ମନୋଜ । ବୁଲିପଡ଼ିବା କ୍ଷଣି କୋଣାର୍କର ପ୍ରତୀକ୍ଷମାଣା ପୂର୍ଣ୍ଣାବୟବ ନାରୀ ମୂର୍ତ୍ତିଟି ଉଦ୍ଭାସିତ ହୋଇ ଉଠିଲା ଆଖି ଆଗରେ ।

 

ଏଠାରେ ବି କୋଣାର୍କର ନାରୀ ।

 

ରାଜଧାନୀର ସମ୍ଭ୍ରାନ୍ତ ପରିବାରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଦିବ୍ୟଧାମ । ସାହେବ ଓ ମେମ୍‍ ସାହେବମାନେ ନାମ ଲେଖାଇଛନ୍ତି ଆଶ୍ରମରେ । କେତେକ ନିର୍ଦ୍ଦିଷ୍ଟ ଦିନ ବ୍ୟତୀତ ଯାହାର ଯେତେବେଳେ ପ୍ରୟୋଜନ ହୁଏ ଆସନ୍ତି ଆଶ୍ରମକୁ ।

 

- କଅଣ ଭାବୁଛନ୍ତି ଯେ ଏତେ... । ତାକୁ ଚମକାଇ ଦେଇ କହିଲେ ହାସ୍ୟମୟୀ ।

- ଏଇ ଆଶ୍ରମ କଥା, ଆପଣମାନଙ୍କ କଥା, ଦିବ୍ୟଧାମର ଆଦର୍ଶ କଥା !

 

- ଆପଣଙ୍କୁ ପ୍ରଥମେ ଅଭିନନ୍ଦନ ଜଣାଏ ମନୋଜ ବାବୁ । ବାବା ସମ୍ମତି ଦେଇଛନ୍ତି ଆପଣଙ୍କୁ ସାକ୍ଷାତ୍‍ କରିବା ପାଇଁ । କିନ୍ତୁ ଗୋଟାଏ ସର୍ତ୍ତରେ... ।

 

କଅଣ ସେ ସର୍ତ୍ତ ଜାଣିପାରେ କି ?

 

ତାଙ୍କ ଅନୁମତି ନ ନେଇ ଆଶ୍ରମବାସୀ ଏବଂ ଆଶ୍ରମବାସୀନିମାନଙ୍କ ସହିତ ଆପଣ କୌଣସି କଥାଭାଷା କରିପାରିବେ ନାହିଁ ।

 

- ତା’ର ପ୍ରୟୋଜନ ନାହିଁ ।

- ଆସନ୍ତୁ ...

ହାସ୍ୟମୟୀ ଆଗେ ଆଗେ ଚାଲିଲେ । ମନୋଜ ତାକୁ ଅନୁସରଣ କଲା ।

ଗୋଟିଏ ଲମ୍ବା କରିଡ଼ର ପାରହେବା ପରେ ସିଡ଼ି ଦେଇ ଉପରକୁ ଗଲେ ସେମାନେ ।

ଉପରେ ପ୍ରବୁଦ୍ଧାଚାର୍ଯ୍ୟଙ୍କ ପ୍ରକୋଷ୍ଠ ।

ପ୍ରକୋଷ୍ଠ ବାହାରେ ତା’ର ସ୍ୱାଗତ କଲେ ବାବାଙ୍କ ବ୍ୟକ୍ତିଗତ ସଚିବ ଭଗ୍ନି ମନ୍ଦାକିନୀ ।

ତାଙ୍କ ମୁହଁକୁ ଚାହିଁ ବିସ୍ମୟ ବିମୂଢ଼ ହୋଇ ମୁହୂର୍ତ୍ତେ ଛିଡ଼ା ହୋଇ ରହିଲା ମନୋଜ ।

 

ଏପରି ସୁନ୍ଦରୀ, ସ୍ୱାସ୍ଥ୍ୟବତୀ ଏବଂ ଶ୍ରୀମୟୀ ମହିଳା ଜୀବନରେ ଅନ୍ୟତ୍ର କୌଣସିଠାରେ ଦେଖିନାହିଁ ସେ ।

 

ଭଗ୍ନି ମନ୍ଦାକିନୀ କହିଲେ - ବାବାଙ୍କୁ ଖାଲି ହାତରେ ସାକ୍ଷାତ୍‌ କରିବା ନୀତି ବିରୁଦ୍ଧ... ।

ମୁଁ ତ ଖାଲି ହାତରେ ଆସିଛି ... କହିଲା ମନୋଜ ।

 

ତାଙ୍କର ଇଙ୍ଗୀତ ପାଇ ମୁହୂର୍ତ୍ତକ ମଧ୍ୟରେ ଅର୍ଦ୍ଧ ପ୍ରସ୍ଫୁଟିତ ଗୋଲାପରେ ତୋଡ଼ାଟିଏ ହାତକୁ ବଢ଼ାଇ ଦେଲେ ହାସ୍ୟମୟୀ ।

 

ମନ୍ଦାକିନୀ କହିଲେ- ଏଇ ଫୁଲତୋଡ଼ା ବାବାଙ୍କୁ ସମର୍ପଣ କରି ନତଜାନୁ ହୋଇ ପ୍ରଣାମ କରିବେ... ।

 

- ଅନ୍ୟକିଛି ? ମନୋଜ କହିଲା ।

 

- ନାଃ, ସେ ଇଂରାଜୀ, ଓଡ଼ିଆ, ବଙ୍ଗଳା, ହିନ୍ଦୀ ଏବଂ ଫରାସୀ ଭାଷାରେ ଅନର୍ଗଳ କହିପାରନ୍ତି ।

 

ହାସ୍ୟମୟୀ ବିଦାୟ ନେଇ ଚାଲିଗଲେ ।

ମନୋଜକୁ ଭିତରକୁ ପାଛୋଟି ନେଲେ ଭଗ୍ନି ମନ୍ଦାକିନୀ ।

 

ସେଇ କୋଠରୀ ଭିତରକୁ ପ୍ରବେଶ କରିବାମାତ୍ରେ ଏକ ଅଦ୍ଭୁତ ଓ ଅଭିନବ ଶିହରଣ ତା’ର ସର୍ବାଙ୍ଗରେ ସଞ୍ଚାରିତ ହୋଇଗଲା । ଘର ଭିତରେ ଧୂପକାଠିର ମହମହ ସୁବାସ । ଅନେକଗୁଡ଼ିଏ ବଡ଼ବଡ଼ ଫୁଲଦାନୀରେ ସୁନ୍ଦର ଭାବରେ ସଜା ହୋଇଥିଲା ନାନା ଜାତିର ଫୁଲ ।

 

କୋଠରୀ ଭିତରେ ଛୋଟ ମଣ୍ଡପ ଉପରେ ବାଘ ଛାଲ ଉପରେ ପୂର୍ବକୁ ମୁହଁ କରି କହିଥିଲେ ବାବା ପ୍ରବୁଦ୍ଧାଚାର୍ଯ୍ୟ ।

 

ଚୁମ୍ବକ ଯେପରି ଲୁହାକୁ ଟାଣେ ମନୋଜ ସେହିପରି ଏକ ଅଜ୍ଞାତ ଆକର୍ଷଣ ଅନୁଭବ କରି ଧୀରେ ଧୀରେ ଅଗ୍ରସର ହେଲା ତାଙ୍କ ପାଖକୁ ।

 

ଆଶୀର୍ବାଦ କରିବା ଭଙ୍ଗୀରେ ହାତ ଉଠାଇବାବେଳକୁ ବାବାଙ୍କ ହାତକୁ ଫୁଲ ତୋଡ଼ାଟି ବଢ଼ାଇ ନତଜାନୁ ହୋଇ ପ୍ରଣାମ କଲା ମନୋଜ ।

 

ତୁମର ମଙ୍ଗଳ ହେଉ.... ।

ବାବା ଗମ୍ଭୀର ସ୍ୱରରେ କହିଲେ ।

 

ମନୋଜକୁ ନିର୍ଦ୍ଦିଷ୍ଟ ଆସନ ଉପରେ ବସିବା ପାଇଁ ଆଙ୍ଗୁଳି ନିର୍ଦ୍ଦେଶ କରି ବାବା କହିଲେ- ଆଜିକାଲି ସମ୍ବାଦପତ୍ର ପଢ଼ିଲେ ସମ୍ବାଦିକମାନଙ୍କ ସହିତ ସାକ୍ଷାତ୍‍ କରିବାକୁ ଭୟ ହୁଏ ।

 

ମନୋଜ କହିଲା- ଆପଣ ଅନୁମତି ଦେଇଥିବାରୁ ମୁଁ କୃତଜ୍ଞ ।

ସ୍ମିତହାସ୍ୟ କଲେ ବାବା ।

 

ମୋର କିଛି ଜାଣିବାର ଅଛି... ଆଜ୍ଞା ଦେଲେ ପଚାରିବି । ବାବା ଭଗ୍ନି ମନ୍ଦାକିନୀ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ - ଦିବ୍ୟଧାମର ପ୍ରବକ୍ତା ମୁଁ ନୁହେଁ, ଭଗ୍ନି ମନ୍ଦାକିନୀ କିମ୍ବା ଭଗ୍ନି ନିବେଦିତା । ମୁଁ ଅନୁମତି ଦେଉଛି ତୁମେ ଭଗ୍ନି ମନ୍ଦାକିନୀ ସହିତ କଥାଭାଷା କରିପାର ।

 

ଏଥର ବାବାଙ୍କ ପାଖରୁ ବିଦାୟ ନେବାର କଥା । କିନ୍ତୁ ମନୋଜ ଛିଡ଼ା ହେବା ପାଇଁ ଉଦ୍ୟମ କରିବାରୁ ତାକୁ ସେଥିରୁ ନିବୃତ କରି ବାବା ବୋତାମ ଟିପିଲେ ଏବଂ ସଙ୍ଗେ ସଙ୍ଗେ ଜଣେ ଅନ୍ତେବାସିନୀ କିଛି ଫଳ ଧରି ଛିଡ଼ା ହେଲେ ମନୋଜ ସମ୍ମୁଖରେ । ମନ୍ଦାକିନୀ କହିଲେ- ପ୍ରସାଦ ଆପଣଙ୍କ ପାଇଁ ।

 

ଫଳଥିବା ପଲିଥିନ ପ୍ୟାକେଟଟି ଅବନତ ହୋଇ ଗ୍ରହଣ କଲା ମନୋଜ ।

 

ତାକୁ ବିଦାୟ ଦେଇ କହିଲେ ପ୍ରବୁଦ୍ଧାଚାର୍ଯ୍ୟ - ଭାବ ଓ ଭକ୍ତି ହୃଦୟର ଦୁର୍ଲଭ ବସ୍ତୁ । ଯଦି ଏଠାକୁ ଆସିବାପାଇଁ ସ୍ୱତଃସ୍ଫୁର୍ତ୍ତ ଭାବରେ କେବେ ଆକୃଷ୍ଟ ହୁଅ ଚାଲି ଆସିବ - ତୁମ ପାଇଁ ସାଧାରଣ ନିଷେଧାଜ୍ଞା ଲାଗୁ ହେବ ନାହିଁ ।

 

ପୁଣି ଆଉଥରେ ନତଜାନୁ ହୋଇ ବାବାଙ୍କୁ ପ୍ରଣାମ କରି ଧୀରେ ଧୀରେ ଭଗ୍ନୀ ମନ୍ଦାକିନୀଙ୍କୁ ଅନୁସରଣ କରି କକ୍ଷ ମଧ୍ୟରୁ ନିଷ୍କ୍ରାନ୍ତ ହୋଇଗଲା ମନୋଜ ।

 

ଆଉ ଗୋଟିଏ ପ୍ରକୋଷ୍ଠରେ ଦୁହେଁ ବସିଲେ ଯାଇ । ଭଗ୍ନୀ ମନ୍ଦାକିନୀ କହିଲେ ସ୍ୱାଭାବିକ ସ୍ୱରରେ - ବ୍ୟକ୍ତିଗତ ବିଷୟ ଆପଣ ଅନ୍ୟ ଯେ କୌଣସି ବିଷୟରେ ପ୍ରଶ୍ନ ପଚାରି ପାରନ୍ତି ।

 

- ଆଶ୍ରମରେ କେତେ ଜଣ ଅଛନ୍ତି ?

- ତେଆଳିଶ ଜଣ ।

- ସ୍ୱାମୀ ସ୍ତ୍ରୀ କେହି ଅଛନ୍ତି ?

- ନା । ଏଠାରେ ଗତାନୁଗତିକ ରୀତିରେ କେହି ସ୍ୱାମୀ ନୁହଁନ୍ତି କି କେହି ନୁହଁନ୍ତି ।

- ମୁକ୍ତ ଭୋଗ କଅଣ ସମସ୍ତଙ୍କର ଲକ୍ଷ୍ୟ ?

ନା, ଏହା ଇଚ୍ଛାଧୀନ ।

ଏହା ବିଶୃଙ୍ଖଳା ସୃଷ୍ଟିର କାରଣ ନୁହେଁକି ?

 

- ଏହା ଶୃଙ୍ଖଳାର ସହାୟକ । କାମନା ବାସନାକୁ ଚରିତାର୍ଥ ନ କରି ମନକୁ ସେଥିରୁ ନିଗୃହୀତ କଲେ ଅସନ୍ତୋଷ ଜାତ ହୁଏ ମନରେ । ଅସନ୍ତୋଷ, ଅପ୍ରାପ୍ତି ଜନିତ ବିଷାଦ ମଣିଷର ମନକୁ ବିଶୃଙ୍ଖଳିତ କରେ । ସେ ନୀତିନିୟମ ଭାଙ୍ଗିବାକୁ ପ୍ରୟାସୀ ହୁଏ । ଯାହା ସୃଷ୍ଟିର ଉତ୍ସ ତାହା ରହସ୍ୟ ହୋଇ ରହି ନ ପାରେ । ତୃପ୍ତିହିଁ ପ୍ରାପ୍ତିର ଶିର୍ଷାବସ୍ଥା । ସେହିଠାରେ ପରମାନନ୍ଦ ।

 

- ଦିବ୍ୟଧାମରେ କେଉଁମାନେ ରହନ୍ତି ?

- ଯେଉଁମାନେ କାୟୋମନୋବାକ୍ୟରେ ବାବାଙ୍କ ପ୍ରତି ଅନୁରକ୍ତ ।

- ଅନ୍ୟ ଭକ୍ତମାନେ ?

 

- ସେମାନେ ଶିକ୍ଷାନବୀସମାନଙ୍କ ପରି । ଯେପର୍ଯ୍ୟନ୍ତ ସେମାନଙ୍କର ସମର୍ପଣ ସମ୍ପୂର୍ଣ୍ଣ ନୁହେଁ ସେପର୍ଯ୍ୟନ୍ତ ସେମାନେ ଆଶ୍ରମର ସଭ୍ୟ, କିନ୍ତୁ ଅନ୍ତେବାସୀ ନୁହଁନ୍ତି ।

 

- ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ନିଜକୁ ସମର୍ପଣ କରିବେ ସେତେବେଳେ ସେମାନଙ୍କୁ ଅନ୍ତେବାସୀ ଭାବରେ ଗ୍ରହଣ କରାଯାଏ ?

 

- ହଁ, ସେମାନଙ୍କ ସହିତ ସେମାନଙ୍କର ସ୍ଥାବର ଅସ୍ଥାବର ସବୁ ସମ୍ପତ୍ତି, ଉପାର୍ଜନ ଆଉ ସେମାନଙ୍କର ବ୍ୟକ୍ତିଗତ ନ ହୋଇ ଆଶ୍ରମର ହେଇଯାଏ ।

 

- ଦିବ୍ୟଧାମର ପରିଚାଳନା କାହା ଉପରେ ନ୍ୟସ୍ତ ?

 

- ସମସ୍ତଙ୍କ ଉପରେ । ପ୍ରତ୍ୟେକ ଅନ୍ତେବାସୀଙ୍କର ଦାୟୀତ୍ୱ ସ୍ୱତନ୍ତ୍ର ଏବଂ ସବୁ ବିଷୟ ସର୍ବସମ୍ମତିକ୍ରମେ ସିଦ୍ଧାନ୍ତ ଗ୍ରହଣ କରାଯାଏ ।

 

- ବାବାଙ୍କର ଅଧିକ କର୍ତ୍ତୃତ୍ୱ କିଛି ନାହିଁ ?

 

ବାବା ସର୍ବମୟକର୍ତ୍ତା । ପରିଚାଳନା ନିର୍ଦ୍ଧାରିତ ନୀତି ଅନୁସାରେ ହୁଏ । ସେଥିରେ ହସ୍ତକ୍ଷେପ କରିବାର ଅବକାଶ ନାହିଁ । କିନ୍ତୁ ଜଟିଳ ସମସ୍ୟାର ସମାଧାନରେ ତାଙ୍କର ପରାମର୍ଶ ବା ନିର୍ଦ୍ଦେଶ ନିଆଯାଏ ।

 

- ଦିବ୍ୟଧାମର ପରିଚାଳନା ପାଇଁ ପ୍ରଚୁର ଅର୍ଥ ପ୍ରୟୋଜନ ହେଉଥିବ । ଏ ସମ୍ପର୍କରେ କିଛି କହିବେ କି ?

 

- ଆଶ୍ରମର ଶୁଭେଚ୍ଛୁ, ସମର୍ଥକ ଓ ଭକ୍ତମାନଙ୍କର ଦାନଦ୍ୱାରା ଆଶ୍ରମ ପରିଚାଳିତ ହୁଏ । ଏଥିରେ କେବେ ଅସୁବିଧା ଉପୁଜି ନାହିଁ ।

 

- ରାଜଧାନୀର କେଉଁ ବିଶିଷ୍ଟ ଲୋକ ଦିବ୍ୟଧାମର ଭକ୍ତ ବା ଶୁଭେଚ୍ଛୁ ଜାଣିପାରେ କି ?

 

- ତାହା ସେମାନଙ୍କର ବ୍ୟକ୍ତଗତ ବ୍ୟାପାର, ଏଠାରେ ତାହା ପ୍ରକାଶଯୋଗ୍ୟ ବିଷୟ ନୁହେଁ ।

 

- ଆପଣଙ୍କର ପୂର୍ବପରିଚୟ ସମ୍ପର୍କରେ ଜାଣିବାକୁ ଇଚ୍ଛା ହେଉଛି ।

 

- ଏହା ମଧ୍ୟ ମୋର ବ୍ୟକ୍ତିଗତ ବିଷୟ ।

 

- ଧନ୍ୟବାଦ ! ଆପଣଙ୍କୁ ନିକଟରେ ମୁଁ କୃତଜ୍ଞ । ଏବେ ବିଦାୟ ନବାର ବେଳ ।

 

ବୋତାମ ଟିପିବାର ଅଳ୍ପ କେତେ ମୁହୂର୍ତ୍ତ ମଧ୍ୟରେ ହାସ୍ୟମୟୀ ଉଭାହେଲେ ଦ୍ୱାର ଦେଶରେ ।

 

ଭଗ୍ନୀ ମନ୍ଦାକିନୀଙ୍କୁ ନମସ୍କାର କରି ହାସ୍ୟମୟୀଙ୍କର ଅନୁସରଣ କଲା ମନୋଜ ।

 

କରିଡ଼ର ପାର ହେବାବେଳେ ହଠାତ୍‌ ଜଣେ ଅନ୍ତେବାସିନୀ ଦୃଷ୍ଟିରେ ପଡ଼ିଯିବାରୁ ଚକିତ ହୋଇ ତାଙ୍କୁ ମୁହଁକୁ ଅନାଇ ରହିଲା ମନୋଜ ।

 

କିନ୍ତୁ ତାହା ମୁହୂର୍ତ୍ତକ ପାଇଁ ।

 

ମନୋଜର ସହସା ମନେହେଲା ଯେପରି ତାଙ୍କୁ ପୂର୍ବରୁ ଅନ୍ୟଠି ଦେଖିଛି । କିଏ ଏହି ତରୁଣୀ ? ତା’ ମାନସପଟରେ ବିଜୁଳିପରି ଲେଖି ହୋଇଗଲା ଗୋଟିଏ ନାମ ଶାଶ୍ୱତୀ । ହାସ୍ୟମୟୀ କଅଣ ବୁଝିଲେ କେଜାଣି, ତା’ର ଦୃଷ୍ଟି ଅନ୍ୟତ୍ର ଆକର୍ଷଣ କରିବାପାଇଁ କହିଲେ- ଆପଣ ଭାଗ୍ୟବାନ, ଆଜି ପର୍ଯ୍ୟନ୍ତ କେବେ କୌଣସି ସାମ୍ବାଦିକଙ୍କୁ ସାକ୍ଷାତ୍‍ ଦେଇ ନ ଥିଲେ ବାବା-

 

ମନୋଜ ସ୍ୱଗତୋକ୍ତି କଲାଭଳି କହିଲା- ସତରେ ମୁଁ ଭାଗ୍ୟବାନ ।

 

ଅଭ୍ୟର୍ଥନା ପ୍ରକୋଷ୍ଠକୁ ଫେରି ଆସିବାବେଳେ ଲନ୍‌ ପାଖରେ ଛିଡ଼ାହୋଇ ଦଣ୍ଡେ ଚାରିଆଡ଼ୁ ଆଖି ବୁଲାଇ ନେଲା ମନୋଜ । ମୁଗୁନି ପଥରଦ୍ୱାରା ନିର୍ମିତ ଅପୂର୍ବ ସୁନ୍ଦରୀ ଅପ୍‌ସରାର ଦୁଇ ହାତରୁ ଝରୁଥିଲା ଗଙ୍ଗାଯମୁନା ପରି ଦୁଇଧାର ଜଳ କୁଣ୍ଡରେ । ଜଳକୁଣ୍ଡରେ ଫୁଟିଥିଲା କେତୋଟି ନୀଳକଇଁ । ସେଠାରେ ଖେଳୁଥିଲେ ଦୁଇଟି ହଂସ ।

 

ମୁଗ୍‌ଧ ନୟନରେ ଅନାଇଥିଲା ମନୋଜ ।

ଭଗ୍ନୀ ହାସ୍ୟମୟୀ କହିଲେ- କଅଣ ଦେଖିଲେ ?

- ସ୍ୱର୍ଗ !

ଗୋଟିଏ ଶବ୍ଦରେ ମନର ସବୁ କଥା କହିଦେଲା ମନୋଜ ।

 

ତା’ପରେ ଆଉ ଟିକେ ପାଖକୁ ଲାଗି ଆସି କହିଲେ ଭଗ୍ନୀ ହାସ୍ୟମୟୀ ସମୟ ଅତିକ୍ରାନ୍ତ ହୋଇଯାଉଚି ।

 

ତରତର ହୋଇ ପାଦ ବଢ଼ାଇଲା ମନୋଜ ।

 

ଅଭ୍ୟର୍ଥନା ପ୍ରକୋଷ୍ଠକୁ ଫେରି ଆସିଲେ ଦୁହେଁ । ଦିବ୍ୟଧାମ ଏବଂ ବାବା ପ୍ରବୁଦ୍ଧାଚାର୍ଯ୍ୟଙ୍କର ଗୋଟିଏ ଫଟୋ ତାକୁ ଉପହାର ଦେଇ କହିଲେ ହାସ୍ୟମୟୀ - ଏଇ ଶେଷ ନା ଆଉ ଆସିବେ... ?

 

ମନୋଜ ହଠାତ୍‌ କହି ପକାଇଲା - ଆସିବି ... ନିଶ୍ଚୟ ଆସିବି ।

 

ବିଜୁଳି ଚମକିବା ପରି ତା’ ଆଗରେ ପଲକେ ପାଇଁ ଯିଏ ଚମକି ଉଠି ପୁଣି ଅଦୃଶ୍ୟ ହୋଇଗଲା ଦିବ୍ୟଧାମର ରହସ୍ୟମୟ ଅନ୍ତରାଳରେ ସେ କ’ଣ ପ୍ରକୃତରେ ଶାଶ୍ୱତୀ ? କେଜାଣି ?

 

କିନ୍ତୁ ଠିକ୍‌ ସେହି ଏକା ମୁହଁ, ଏକା ଆଖି ... । ହୁଏତ ଶାଶ୍ୱତୀ ହୋଇଥିବ ସେ । ଶାଶ୍ୱତୀ ମରିଯିବାର କୌଣସି ପ୍ରମାଣ ନାହିଁ ବା ଅଶରୀର ପରି ଅଦୃଶ୍ୟ ହୋଇ ଯିବାର କୌଣସି କାରଣ ନାହିଁ; ବରଂ ସେ ଥିଲା ଏବଂ କୌଣସି କାରଣ ପାଇଁ ଘରଛାଡ଼ି ଚାଲିଗଲା ଏଇ ତା’ର ଇତିହାସ । ଶାଶ୍ୱତୀ ନିର୍ଦ୍ଦିଷ୍ଟ କୌଣସି ସ୍ଥାନକୁ ଯାଇନାହିଁ ଯେତେବେଳେ ଯେକୌଣସି ସ୍ଥାନକୁ ଯିବାର ସମ୍ଭାବନା ଏଡ଼ାଇ ଦିଆଯାଇ ନ ପାରେ । ସେ ଦୁର୍ବୃତ୍ତମାନଙ୍କଦ୍ୱାରା ଅପହୃତ ହୋଇଥିବା ଯେପରି ସମ୍ଭବ, ସ୍ୱେଚ୍ଛାରେ କିମ୍ବା କୌଣସି ପ୍ରଲୋଭନରେ ପଡ଼ି ଦିବ୍ୟଧାମକୁ ଚାଲି ଆସିଥିବା ମଧ୍ୟ ଅସମ୍ଭବ ନୁହେଁ ।

 

ବିଚିତ୍ର ମଣିଷର ଗତି । ଆହୁରି ବିଚିତ୍ର ନାରୀର ମନ । ଶଙ୍କରକୁ ଜଣେଇ ଦବା ପାଇଁ ଇଚ୍ଛା ହେଲା । କିନ୍ତୁ ସତ୍ୟାସତ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ନିଶ୍ଚିତ ନ ହୋଇ ହଠାତ୍‌ ତାକୁ ଏଇ ଖବର ଦେବା ଉଚିତ ହେବ ନାହିଁ ବୋଲି ଭାବିଲା ମନୋଜ ।

 

ମାନବ ମହାନ୍ତିଙ୍କ ସମ୍ପର୍କରେ ଅନୁସନ୍ଧାନ କରିବାକୁ ଯାଇ ଗୋଟିଏ ନାରୀ ଘଟିତ ବ୍ୟାପର ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ବାହାରି ସେ ଆସି ପହଞ୍ଚିଲା ଦିବ୍ୟଧାମରେ ଯିମିତି ଅଡ଼ୁଆ ସୂତାର ଗଣ୍ଠି ଖୋଲିବାକୁ ଯାଇ ସୂତା ଖୋଲୁଥିବା ଲୋକ ପହଞ୍ଚି ଯାଏ ଗଣ୍ଠି ପଡ଼ିଥିବା ସ୍ଥାନରେ ।

 

‘ଦିବ୍ୟଧାମ’ ନାମଟି ନୂଆଁ ନୁହେଁ । କିନ୍ତୁ ଆଧ୍ୟାତ୍ମିକ ତା’ ପରି ଦିବ୍ୟଧାମ ବି କୌଣସି କୌତୁହଳ ସୃଷ୍ଟି କରିପାରି ନ ଥିଲା ମନୋଜର ମନରେ । ଭାରତବର୍ଷ ଅଭ୍ୟୁଦୟ ଓ ବିଲୟ ଘଟିଥିବ ଜୈନ, ବୁଦ୍ଧ ଓ ହିନ୍ଦୁ ଯୁଗରେ । ଏହା ବି ଦିନେ ଥିଲା ତନ୍ତ୍ରପୀଠ । ପଞ୍ଚମକାର ପୂଜାର ସାମଗ୍ରୀ ଭାବରେ ଠୁଳ ହୋଇଥିବେ କେତେ ସାଧକ ଓ ସାଧିକା । ବଳି ପଡ଼ିଥିବେ କେତେ ଗୋ, ମହିଷୀ ଏବଂ ଛାଗ । ଓଡ଼ିଶା ଆହୁରି ଏକ ବିଚିତ୍ର ଭୂମି, ଯେଉଁଠାରେ ସବୁ ଧର୍ମର ସମନ୍ୱୟ ଘଟି ଏପରି ଏକ ପରମ୍ପରା ଏବଂ ସଂସ୍କୃତି ସୃଷ୍ଟି ହୋଇଚି; ଯେଉଁଠାରେ ଏକାଧାରରେ ଦେଖାଯାଏ ଅଦ୍ଭୂତ ପ୍ରସାରଣଶୀଳତା ଏବଂ କୁସଂସ୍କାରଗ୍ରସ୍ତ ମତାନ୍ଧତା । ବହୁ ସ୍ରୋତ ଗୋଟିଏ ସ୍ରୋତରେ ପରିଣତ ହେବାର ଅନନ୍ୟ ପରିଣତି ଏବଂ ରହସ୍ୟର ସବୁ ସ୍ତର ଭେଦକରି ସତ୍ୟକୁ ପ୍ରତ୍ୟକ୍ଷ କରିବାର ଅପ୍ରତିହିତ ଅବିରାମ ଉଦ୍ୟମ ମଧ୍ୟ ଏଠାରେ ଲୋକ ଚରିତ୍ରରେ ସବୁ ନଦୀର ଜଳକୁ ଗ୍ରହଣ କଲାପରି ଓଡ଼ିଆ ମନକୁ ଉଦାରକରି ସ୍ୱାଗତ କରିଛି ସମସ୍ତଙ୍କୁ । ସବୁ ଛାଡ଼ିଛୁଡ଼ି ଦେଇ ବାବାଜୀ ହୋଇଛି ବାରମ୍ବାର । ସେଥିପାଇଁ ତ ଜଗନ୍ନାଥଙ୍କୁ ଧନଜନ ଗୋପଲକ୍ଷ୍ମୀ କିଛି ନ ମାଗି, ସେ ମାଗିଛି ଶରଧା ବାଲିରୁ ହାତେ । ସେଥିପାଇଁ ବୋଧହୁଏ ଉର୍ଜସ୍ୱଳା ନଦୀମାତୃକା ଓ ଖଣିଜପଦାର୍ଥ ପରିପୂର୍ଣ୍ଣ ଏଇ ଦେଶରେ ଦାରିଦ୍ରୀର ସୀମାରେଖା ତଳେ ଏବେବି ସଢ଼ୁଛନ୍ତି ଶତକଡ଼ା ଷାଠିଏ ଭାଗରୁ ଅଧିକ ଲୋକେ । ଖଞ୍ଜଣି ବଜେଇ ସାଲବେଗଙ୍କ ଭଜନ ବୋଲିବେ ସିନା କିନ୍ତୁ ମାଟିଖୋଳି ରତ୍ନ ସଂଗ୍ରହ କରିପାରିବେ ନାହିଁ ।

 

ମନୋଜ ଆଉ ନ ଭାବି ପୁଣି ଫେରି ଆସିଲା ମୁଳକୁ । ଶାଶ୍ୱତୀ ପାଖକୁ ।

ସେ କ’ଣ ଶାଶ୍ୱତୀ ?

ହୁଏ ତ ହୋଇଥିବ ।

 

ଶଙ୍କରଟା ହତଭାଗ୍ୟ ନିଶ୍ଚୟ ! ନୋହିଲେ ଏଡ଼େ ରୂପବତୀ ସ୍ତ୍ରୀ ତାକୁ ଛାଡ଼ି ପଳେଇ ଆସିଥାନ୍ତା ଦିବ୍ୟଧାମକୁ !

 

‘ଦିବ୍ୟଧାମ’ ।

 

ସେ ନିଜେ ଦେଖି ନ ଥିବା ପୂର୍ବରୁ ଦିବ୍ୟଧାମ ସମ୍ପର୍କରେ ଶୁଣିଥିଲେ ବି କୌତୁହଳ ଲାଗି ନ ଥିଲା ମନରେ । ଏବେ ଦିବ୍ୟଧାମ ପରିଦର୍ଶନ କରି ଆସିବା ପରେ କୌତୁହଳ ସୃଷ୍ଟି ହେଲା ମନରେ । ଆହୁରି ଜାଣିବା ପାଇଁ ମନ ବ୍ୟାକୁଳ ହେଲା । ଦେବତାମାନଙ୍କର ଅମରାବତୀ ପରି ଦିବ୍ୟଧାମ ରାଜଧାନୀର ସ୍ୱର୍ଗ । ଯଦି ତାକୁ କେହି ପଚାରନ୍ତା ସ୍ୱର୍ଗ କେଉଁଠାରେ, ତା’ହେଲେ ସେ ହାତ ଦେଖାଇ ଦିଅନ୍ତା ଦିବ୍ୟଧାମ ଆଡ଼କୁ ।

 

ପ୍ରବୁଦ୍ଧାଚାର୍ଯ୍ୟଙ୍କୁ ଦର୍ଶନ କରିବା ପରେ ଏକ ମିଶ୍ରିତ ଅନୁଭୂତି ଜାଗିଲା ମନରେ । ଶୁଦ୍ଧ ସମାହିତ ପରି ଜଣାପଡ଼ୁଥିବା ବାବାଙ୍କ ମୁଖମଣ୍ଡଳ ପ୍ରସନ୍ନତାରେ ଉଦ୍ଭାସିତ । ସେ ପୁଣି ମୁକ୍ତଭୋଗ ବାଟଦେଇ ପରମାନନ୍ଦ ପ୍ରାପ୍ତିର ପ୍ରବର୍ତ୍ତକ । କାମନାର ନିବୃତ୍ତିଦ୍ୱାରା ନୁହେଁ - ପ୍ରବୃତ୍ତି ଚରିତାର୍ଥ କରିବାଦ୍ୱାରାହିଁ ଅପାର୍ଥିବ ଆନନ୍ଦ ଲାଭ ସମ୍ଭବ ତାଙ୍କ ମତରେ ।

 

ଭଗ୍ନୀମାନଙ୍କ ସହିତ ବାବାଙ୍କର ସମ୍ପର୍କ ମନରେ ସନ୍ଦେହ ସୃଷ୍ଟି କରୁଥିଲେ ବି ସେ ତାଙ୍କର ମନୋନୟନକୁ ପ୍ରଶଂସା ନ କରି ରହିପାରିଲା ନାହିଁ । ଭଗ୍ନୀ ମନ୍ଦାକିନୀ, ଭଗ୍ନୀ ନିବେଦିତା ଏବଂ ଭଗ୍ନୀ ହାସ୍ୟମୟୀ ନିଜ ନିଜର ଆକର୍ଷଣରେ ପରିପୂର୍ଣ୍ଣା । ସମସ୍ତେ ଶିକ୍ଷିତା, ଚାରୁଶୀଳା ଏବଂ ନମ୍ର । ଏକ ଅଭିନବ ଅଭିଜ୍ଞତା ଏପର୍ଯ୍ୟନ୍ତ ଉଲ୍ଲସିତ କରୁଛି ତାକୁ ।

 

ଶାଶ୍ୱତୀ ମନେପଡ଼ୁଛି ।

 

ନୂଆ ବାହାହୋଇ ଆସିବା ପରେ ଝିଅମାନେ ଯେପରି ଦେଖାଯାଆନ୍ତି, ଶାଶ୍ୱତୀ ସେହିପରି ଦିଶୁଥିଲା । ତା ଚାରିପାଖରେ ସୃଷ୍ଟି ହୋଇଥିଲା ଏକ ସ୍ୱପ୍ନଝରା ପରିବେଶ । ଶଙ୍କର କେତେ ସ୍ୱପ୍ନ ଦେଖିଥିଲା, କେତେ ଆଶା କରିଥିଲା ସୁଖଶାନ୍ତିରେ ଘରସଂସାର କରି ରହିବା ପାଇଁ । କିନ୍ତୁ ତା’ର ଅଦୃଷ୍ଟ ଏପରି ଯେ ଆକାଶକୁସୁମ ପରି ସବୁ କେବଳ ସ୍ୱପ୍ନରେହିଁ ରହିଗଲା ।

 

ଶାଶ୍ୱତୀ ସମ୍ପର୍କରେ ନିଶ୍ଚିତ ହେବା ପାଇଁ ଅନୁସନ୍ଧାନ ଚଳେଇ ଯିବାପାଇଁ ନିଷ୍ଫତ୍ତି କଲା ମନୋଜ ।

 

ତା’ ପ୍ରତି ଭଗ୍ନୀ ହାସ୍ୟମୟୀଙ୍କର ମନୋଭାବ ଯେ ଟିକେ ବେଶୀ କୋମଳ ଏବଂ ଉଦାର, ଏହା ସେଇଦିନ ବିଦାୟ ନବା ସମୟରେ ଉପଲବ୍‌ଧି କରିଥିଲା ମନୋଜ । ତାଙ୍କର ହେବ ନାହିଁ । ଆବଶ୍ୟକ ହେଲେ ପ୍ରଥମ ସାକ୍ଷାତ୍‍ର ସଦୁପଯୋଗ କରିବା ଲାଗି ସେ ନିଜର ଆନୁଗତ୍ୟ ଜଣାଇ ଦିବ୍ୟଧାମର ସମର୍ଥକମାନଙ୍କ ତାଲିକାରେ ସାମିଲ କରିବ ନିଜକୁ ।

 

ହାସ୍ୟମୟୀ ଦେଇଥିବା ଦିବ୍ୟଧାମର ଏବଂ ବାବା ପ୍ରବୁଦ୍ଧାଚାର୍ଯ୍ୟଙ୍କର ଫଟୋ ଏବେବି ସେହିପରି ଅବସ୍ଥାରେ ଅଛି । ଏବେବି ସେହି ଫଟୋକୁ ଭଲଭାବରେ କାନ୍ଥ ଉପରେ ଝୁଲାଇ ଦବାଲାଗି ସମୟ ପାଇନି ମନୋଜ । ଆଜି ଟିକେ ଅବସର ପାଇ ସେ ଉଠେଇ ନେଲା ସେଇ ଫଟୋକୁ ଏବଂ ଫଟୋ ଉପରେ ଜମିଥିବା ଧୂଳିମଳି ରୁମାଲରେ ସଫାକରି ଟେବୁଲ ଉପରେ ସଜେଇ ରଖିବାବେଳେ, ଫଟୋ ପଛରେ ଗୋଟିଏ କାଗଜ ଉପରେ ଦୃଷ୍ଟି ପଡ଼ିଲା ତାର । ସେହି କାଗଜଟିକୁ ଟାଣି ବାହାରକରି ଆଣିବା ପରେ ସେ ଜାଣିଲା ଯେ ତାହା ଫଟୋ ପଛରେ ଲାଗିଥିବା କାଗଜର ଏକ ଅଂଶ ନୁହେଁ ବା କୌଣସି ବଳକା କାଗଜ ନୁହେଁ, ତାହା ଗୋଟିଏ ଚିଠି । ଛାତି ଭିତରଟା ଧଡ଼କରି ଉଠିଲା । ଶହେଗୁଣ ବଢ଼ିଗଲା ମନର ଉତ୍କଣ୍ଠା । ମନୋଜ ଲଫାପା ଖୋଲି ଚିଠିଟି ବାହାର କଲା । ଆଶ୍ରମର ହାତତିଆରୀ ଚିଠିଲେଖା ପ୍ୟାଡ଼ର କାଗଜରେ ଲେଖା ଚିଠିଟି, ଅତ୍ୟନ୍ତ ଗୋପନୀୟ ।

 

ସହୃଦୟେଷୁ,

 

ଅତ୍ୟନ୍ତ ଗୋପନୀୟ ଏ ପତ୍ର । ଆପଣଙ୍କ ପରି ଜଣେ ହୃଦୟବାନ ବ୍ୟକ୍ତି ଆଶ୍ରମ ବିଷୟରେ ଅନୁସନ୍ଧାନ ଆରମ୍ଭ କରିଥିବା ଆନନ୍ଦର କଥା । ଏଠାରେ ଯେଉଁମାନଙ୍କୁ ଦେଖିବେ, ସେମାନେ ସମସ୍ତେ ବନ୍ଦୀ ବା ବନ୍ଦିନୀ, କେହି ମୁକ୍ତ ନୁହଁନ୍ତି । ମୁକ୍ତଭୋଗର ନିଶା ଖୁଆଇ ସେମାନଙ୍କୁ ସମ୍ଭୋଗଲାଗି ରଖାଯାଇଚି ଏଠାରେ । ଯୋଡ଼ା ଯୋଡ଼ା ସତର୍କ ଆଖି ରହିଛି ପ୍ରତ୍ୟେକଙ୍କ ଉପରେ-। ଏହା ପୃଥିବୀର ଯେ କୌଣସି ଗୁପ୍ତଚର ସଙ୍ଗଠନଠାରୁ ଅଧିକ ଶକ୍ତିଶାଳୀ । ପରମାନନ୍ଦ ପ୍ରାପ୍ତି ପାଇଁ ଯେଉଁମାନେ ପାଦ ବଢ଼ାନ୍ତି ଆଶ୍ରମର ପରିସର ଭିତରକୁ ସେମାନଙ୍କ ପାଇଁ ଆସିବାର ପଥ ଉନ୍ମୁକ୍ତ କିନ୍ତୁ ଫେରିଯିବାର ପଥ ନାହିଁ । କେହି ସ୍ୱେଚ୍ଛାରେ ଆସିନାହାନ୍ତି ଏଠାକୁ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରଲୋଭନ ବା ଦୁର୍ବଳତାର ଶିକାର ହୋଇ ଆସିଛନ୍ତି ସମସ୍ତେ । ସେମାନେ ସମାଜ ଭିତରୁ ଆସିଥିଲେ ମଧ୍ୟ ଅସାମାଜିକ ହୋଇ ଯାଇଛନ୍ତି । ଯେଉଁ ଝିଅଟା ସବା ଶେଷରେ ଆସିଛି ସେ ଆପଣଙ୍କୁ ଦେଖିଛି ପୂର୍ବରୁ । ସେ ମୁକ୍ତି ଚାହେଁ । ଆଉ ମୁଁ ମଧ୍ୟ । ଏକାନ୍ତ ବ୍ୟକ୍ତିଗତ ଏବଂ ଗୋପନୀୟ ବିଷୟ । ଆପଣ ଇଶ୍ୱରଙ୍କ ନାମରେ ଶପଥ ନିଅନ୍ତୁ ଯେ ଏହା ଆଉ କାହା ଆଗରେ ପ୍ରକାଶ କରିବେ ନାହିଁ । ଯଦି ଏହି ଗୋପନକଥା ଘୃଣାକ୍ଷରରେ ବି ପ୍ରକାଶ ପାଇଥାଏ ଆମ୍ଭମାନଙ୍କୁ ଭାଇ ପ୍ରେମାନନ୍ଦଙ୍କ ଦଶା ଭୋଗିବାକୁ ପଡ଼ିବ । ଆପଣ ଏତେବେଳକୁ ନିଃସନ୍ଦେହରେ ଜାଣି ଯିବେଣି ଯେ ସେ ଆତ୍ମହତ୍ୟା କରି ନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି । ଆଜି ଏତିକି ।

 

ମୁଁ ଯେତେବେଳେ କହିଥିଲି ‘ଏଇ ଶେଷ ନା ଆଉ ଆସିବେ’ ସେତେବେଳେ ଆପଣ ପ୍ରତିଶ୍ରୁତି ଦେଇଥିଲେ ଯେ ‘‘ଆସିବି, ନିଶ୍ଚୟ ଆସିବି ।’’ ସେଇ ପ୍ରତିଶ୍ରୁତି ମନେଥାଏ ଯେପରି ।

 

ଆପଣଙ୍କର ଅପେକ୍ଷାରେ...

 

ସେଇ ଏକାନ୍ତ ଗୋପନୀୟ ଚିଠିଟିକୁ ତିନିଥର ପାଠ କଲା ମନୋଜ । ପତ୍ରର ପ୍ରତ୍ୟେକ ଶବ୍ଦ ଏବଂ ବାକ୍ୟର ଯାହା କୁହା ଯାଇଛି ତା’ଠାରୁ ବେଶି ଅର୍ଥ କୁହାଯାଇ ନ ଥିବା କଥାର । ଚିଠି ତଳେ କାହାରି ନାମ ନ ଥିଲେ ମଧ୍ୟ ଏହା ଯେ ହାସ୍ୟମୟୀଙ୍କର ଚିଠି ତାହା ଦିବାଲୋକ ପରି ସ୍ପଷ୍ଟ । ଚିଠିର ବିଷୟବସ୍ତୁ ଏବଂ ଅବାକ୍‌ କରିଛି ।

 

ହାସ୍ୟମୟୀଙ୍କୁ ଯେତିକି ସ୍ମରଣ କଲା ମନୋଜ ସର୍ବଦା ତାଙ୍କ ଓଠରେ ଲାଗି ରହିଥିବା ହସର ଅନ୍ତରାଳରେ ବିଦଗ୍‌ଧ ହୃଦୟର ପୁଞ୍ଜୀଭୂତ ବେଦନା ସେତିକି ନିପୀଡ଼ିତ କଲା ତାକୁ । ମନୋଜର ସର୍ବାଙ୍ଗରେ ସଞ୍ଚାରିତ ହେଉଥିବା ଶିହରଣଟି କେତେବେଳେ ବେଦନାରେ ରୂପାନ୍ତରୀତ ହୋଇଗଲା ସେ ଜାଣିବି ପାରିଲା ନାହିଁ ।

 

କିନ୍ତୁ ସେ ଆଉ ଗୋଟିଏ ବିଷୟରେ ନିଶ୍ଚିତ ହୋଇଗଲା ଯେ ସବାଶେଷରେ ଆସିଥିବା ଅନ୍ତେବାସିନୀ ଆଉ କେହି ନୁହେଁ - ଶାଶ୍ୱତୀ ।

 

ଭୁବନେଶ୍ୱର ବର୍ତ୍ତମାନ ଯେପରି ଗର୍ବକରେ ଓଡ଼ିଶାର ରୂପସୀ ନଗର ଓ ରାଜ୍ୟର ରାଜଧାନୀ ଭାବରେ ଏହାର ଅତୀତ ତାହାଠାରୁ ଥିଲା ଆହୁରି ଗୌରବାବହ । ବିଭିନ୍ନ ରାଜତ୍ୱ ସମୟର କିର୍ତ୍ତୀ ଭୁବନେଶ୍ୱରର ମାଟିତଳେ ଓ ମନ୍ଦିର ଗାତ୍ରରେ ଏବେବି ସହସ୍ର ବର୍ଷ ତଳର ଶୌର୍ଯ୍ୟ, ବୀର୍ଯ୍ୟ, ଏବଂ ବ୍ୟୁତ୍ପତ୍ତିର ସାକ୍ଷ୍ୟ ବହନ କରେ । ଅଶୋକଙ୍କ ପୂର୍ବରୁ ଏଠାରେ ବସତି ବସାଇଥିଲା ମଣିଷ । ଶିଶୁପାଳଗଡ଼ ତାର ପ୍ରତ୍ୟକ୍ଷ ପ୍ରମାଣ । କିନ୍ତୁ କଳିଙ୍ଗ ଯୁଦ୍ଧରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା । ଓଡ଼ିଶାର ତତ୍କାଳୀନ ସଂସ୍କୃତି ଓ ଜୀବନଧାରରେ କିନ୍ତୁ ପୂର୍ଣ୍ଣଚ୍ଛେଦ ପଡ଼ିଲା ନାହିଁ । ଇତିହାସର ବିଚାର ଏପରି ନିର୍ମମ ଯେ ଯେଉଁ ଭୂମିକୁ ଅସ୍ତ୍ରବଳରେ ଜୟ କଲେ ଅଶୋକ ସେହି ଭୂମିରେ ପୁଣି ଅସ୍ତ୍ରତ୍ୟାଗ କରି ଶାନ୍ତି ଓ ମୈତ୍ରୀର ବାଣୀ ପ୍ରଚାର କରିଥିଲେ ସେ । କୃଷ୍ଣଶିଳା ଉପରେ ଖୋଦିତ ହୋଇଥିବା ଅଶୋକଙ୍କର ଆଦେଶ ଏବେ ବି ଦୁଇହଜାର ବର୍ଷର ଖରା, ବର୍ଷା, ଶୀତର ପ୍ରକୋପ ସହ୍ୟକରି ଆଧୁନିକ ଭୁବନେଶ୍ୱରକୁ ବାହାରୁ ଆସୁଥିବା ଅଗଣିତ ଦର୍ଶକମାନଙ୍କୁ ସ୍ୱଗତ କରୁଛି ଧଉଳିଗିରି ପାଦଦେଶରେ ।

 

ଇତିହାସ କବାଟ କିଳି ଖଣ୍ଡଗିରି, ଉଦୟଗିରିର ଗୁମ୍ଫା ଭିତରେ ରହି ନ ଯାଇ ମଗଧ ସାମ୍ରାଜ୍ୟ ଦେଇଥିବା ଶାସ୍ତି ଓ ଅପମାନର ପ୍ରତିଶୋଧ ନେବାପାଇଁ ଟାଣି ନେଇଥିଲା ସାତବାହାନ ଏବର ଖାରବେଳଙ୍କୁ ମଗଧର ବହୁ ଆଗକୁ । ଅଶୋକ ବୁଦ୍ଧଙ୍କର ବାଣୀ ପ୍ରଚାର କରିଥିଲେ, କିନ୍ତୁ ଖାରବେଳ ପ୍ରଚାର କଲେ ଜୈନଧର୍ମର ଅମରବାଣୀ । ହିଂସାକୁ ଆଶ୍ରୟ କରି ଯୁଦ୍ଧ ଏବଂ ରାଜ୍ୟଜୟ କଲେ ଯେଉଁ ଖାରବେଳ ସେ ବରଣ କରିନେଲେ ଜୀନ ମହାବୀରଙ୍କ ବାଣୀ ଏବଂ ଜୈନଧର୍ମ ପ୍ରତିଷ୍ଠା ହେଲା ରାଜଧର୍ମ ଭାବରେ ।

 

ଇତିହାସ ଥରେ ନୁହେଁ ବାରମ୍ୱାର ମଣିଷର ବିରୋଧାଭାବକୁ ପ୍ରକଟ କରିଛି । ଇତିହାସ ସୃଷ୍ଟି କରିବାକୁ ଯାଇ ସେ ଇତିହାସର ଉପାଦାନ ହୋଇଯାଇଛି । ମଣିଷର ହସ ମୁହଁରୁ ଲିଭିବା ପୂର୍ବରୁ ଅଟ୍ଟହାସ କରି ଆଗେଇ ଆସିଛି ଇତିହାସ ।

 

ଇତିହାସର ଶିକ୍ଷାକୁ ଉପହାସ କରୁଥିବା ଲୋକମାନଙ୍କୁ ଖୋଜୁଛି ମନୋଜ । କିନ୍ତୁ ଭାଗ୍ୟର ପରିହାସ ଯେ ଯେଉଁମାନେ ପୁରସ୍କାର ଲାଭ ଆଶାରେ ଇତିହାସର ପୃଷ୍ଠାରେ ଅମର ହୋଇ ରହିବା ପାଇଁ ଦିବାନିଶି ଉଦ୍ୟମ କରିଚାଲିଛନ୍ତି ସମୟ ସେମାନଙ୍କୁ ତିରସ୍କାର କରିଛି, ବ୍ୟଙ୍ଗ ବିଦ୍ରୂପ କରୁଛି । ତଥାପି ସେମାନେ ବୁଝନ୍ତିନି ସମୟର ନିର୍ଦ୍ଦେଶ, ପଢ଼ନ୍ତି ନି ସମୟର ଛାତି ଉପରେ ଲେଖା ହୋଇଥିବା ବିଧିଲିପି । ଶୁଣନ୍ତିନି ମହାକାଳର ନିର୍ଦ୍ଦେଶ ।

 

ମନୋଜ ଆଇସ୍‌କ୍ରୀମ୍ ଖାଇ ଫେରି ଆସିବା ପରେ ଆଉ ସୁହାସିନୀଙ୍କ ସହିତ ସାକ୍ଷାତ୍‍ ହୋଇନାହିଁ । ଅନେକ କାମ ହାତରେ ଥିବାରୁ ସମୟ କରି ଯାଇପାରିନି ସେ । କିନ୍ତୁ ତାକୁ ଭୁଲି ନାହାନ୍ତି ସୁହାସିନୀ ପଟ୍ଟନାୟକ । ସେ ଭିତରେ ତିନିଥର ଫୋନ୍‍ କରି ପଚାରିଲେଣି କେବେ ବିଉଟି ପାର୍ଲର ସମ୍ପର୍କରେ ପ୍ରକାଶ ପାଇବ ମନୋଜର ରଚନା ।

 

ମନୋଜ ସମୟ ପାଇ ନ ଥିଲେ ବି ପ୍ରଚୁର ସମୟ ଅଛି ସୁହାସିନୀଙ୍କ ହାତରେ । ସେ ଥରେ ନୁହେଁ ତିନି ତିନି ଥର ଟେଲିଫୋନ୍‍ କଲେଣି । ଭଦ୍ରାମୀର ଖାତିରରେ ଅନ୍ତତଃ ଭଦ୍ରମହିଳାଙ୍କୁ ଆଉ ଥରେ ସଙ୍ଖୋଳି ଆଣିବା କଥା । କିନ୍ତୁ ଏଇ ମହିଳାମାନଙ୍କଠାରୁ ଦୂରରେ ରହିବାପାଇଁ ସଂକଳ୍ପ କରି ମଧ୍ୟ ସେ କ୍ରମଶଃ ଯେ ସେମାନଙ୍କ ଆଡ଼କୁ ଧିରେ ଧିରେ ଅଗ୍ରସର ହେଉଚି ଏହା ବୁଝିବି ସେ ନିରୁପାୟ ପରି ବସି ରହେ ଶୂନ୍ୟକୁ ଚାହିଁ । ମହିଳାମାନଙ୍କୁ ବାଦ୍‍ ଦେଇ ସମ୍ବାଦ ରଚନା କରିହୁଅନ୍ତା କି !

 

କିନ୍ତୁ ସମାଜଟି ଏପରି ଯେ ଯେଉଁମାନଙ୍କ ଉପରେ ପ୍ରାଧାନ୍ୟ ଓ ପ୍ରତିପତ୍ତି ଜାରୀ କରେ ପୁରୁଷ, ଯେଉଁମାନଙ୍କୁ ଗୌଣ କରି ନିଜର ଶ୍ରେଷ୍ଠତ୍ୱର ଡିଣ୍ଡିମ ପିଟେ ଛାତ ଉପରୁ; ସେହିମାଙ୍କର ଟିକେ ସାନ୍ନିଧ୍ୟ, ଟିକେ ହସ, ଟିକେ ସ୍ପର୍ଶ ପାଇଁ ସେ ସିହାଂସନର ଲୋଭ ତ୍ୟାଗ କରେ, ସର୍ବସ୍ୱ ପଣ କରେ ଏବଂ ସର୍ବସ୍ୱାନ୍ତ ବି ହୁଏ ।

 

ସୁହାସିନୀ ତା’ ଆଡ଼କୁ ଆଇସ୍‌କ୍ରୀମ ପ୍ଲେଟ୍‍ଟା ଟିକେ ଆଗେଇ ଦେଇ କହିଥିଲେ ସେଦିନ ବରଫରୁ ଆରମ୍ଭ ହୋଇଥିଲା ସୃଷ୍ଟି । ସେଇ ବରଫରୁ ଆରମ୍ଭ ହେଉ ଆମର ସମ୍ପର୍କ । ଯାହା ସ୍ୱାଭାବିକ ଏବଂ ସହଜ ତାହା ତ ଅନାୟାସରେ ଆସିବ । କଫି ପିଇଲେ ଉଷ୍ମ ଜାଗେନି ମନରେ, ଆଇସ୍‌କ୍ରିମ ଖାଇ ବି ଉଷୁମ କରିହୁଏ ମନକୁ ।

 

ମଣିଷ ଓ ମଣିଷ ମଧ୍ୟରେ ଥରେ ସମ୍ପର୍କ ସ୍ଥାପିତ ହେଲେ ତାହା ଲାଉ ଡଙ୍କ ପରି ନୂଆଜାଗା ମାଡ଼ିବସିବା ପାଇଁ ଆଗକୁ ବଢ଼େ, ରଞ୍ଜାର ଶାଖା ପ୍ରଶାଖାରେ ଛନ୍ଦି ହୋଇ ଚେଷ୍ଟାକରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ଲାଗି ।

 

ସୁହାସିନୀ ବି ଠିକ୍ ସେଇକଥା କହିଥିଲେ ସେଦିନ । ସବୁ ସମ୍ପର୍କ ସ୍ୱାର୍ଥପ୍ରଣୋଦିତ । ମୁଁ ନିଃସ୍ୱାର୍ଥପର ଭାବରେ ଆସିନି ଆପଣଙ୍କ ପାଖକୁ । ଆପଣଙ୍କର ଥାଉ ବା ନ ଥାଉ ମୋର କିଛି ସ୍ୱାର୍ଥ ଅଛି ଆପଣଙ୍କ ସହିତ ସମ୍ପର୍କ ପାତିବାରେ । ସମ୍ପର୍କ ତ ସେତୁପରି । ସମ୍ପର୍କର ସେତୁ ଉପର ଦେଇ ଗତିକରେ ବିନିମୟ । ଗଢ଼ିଉଠେ ସହଯୋଗ ।

 

ସୁହାସିନୀଙ୍କର ସାନ୍ନିଧ୍ୟ ପାଇବାଲାଗି ଯାଇ ନ ଥିଲା ମନୋଜ । ବିଉଟି ପାର୍ଲରରେ ଯଦି ଖାଲି ସୌନ୍ଦର୍ଯ୍ୟ ରକ୍ଷା ଏବଂ ଶ୍ରୀବୃଦ୍ଧି ନିମନ୍ତେ ଶିକ୍ଷା ଦିଆଯାଉ ଥାଆନ୍ତା, ସେଠାକୁ ଯାଇ ସମୟ ନଷ୍ଟ କରନ୍ତା ନାହିଁ ସେ । ଯେଉଁମାନେ ନିଜର ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ବିଷୟରେ ଏତେ ସଚେତନ ସାମାନେ ପୃଷ୍ଠପୋଷକ ଚାହାଁନ୍ତି; ଯେଉଁମାନେ କେବଳ ଦୂରରେ ଛିଡ଼ା ହୋଇ ପଥପାର୍ଶ୍ୱର ପଥିକ ପରି କେବଳ ପ୍ରଶଂସା ନ କରି ନିକଟତର ହୋଇ ଗୁଣଗାନ କରିବେ, ମୁଗ୍‌ଧ ହୋଇ କରୁଣା ଭିକ୍ଷା କରିବେ ସେମାନେ ବି ଅଛନ୍ତି ଏଠାରେ, ନିର୍ମଳ, ନିଷ୍କଳଙ୍କ ବୋଲି ବାହାସ୍ଫୋଟ ମାରୁଥିବା ସମାଜର ବଡ଼ପଣ୍ଡାମାନଙ୍କର କୀର୍ତ୍ତି ଜାଣିବାକୁ ଆଗ୍ରହ ଥିଲେ ବିଉଟି ପାର୍ଲରକୁ ଯିବାକୁ ହୁଏ, ଷ୍ଟେସନ ବା ବସ୍‌ଷ୍ଟାଣ୍ଡର ରିଟାୟାରିଂ ରୁମକୁ ଯିବାକୁ ହୁଏ, ନନ୍ଦନ କାନନର ସିଂହ ସଫାରୀକୁ ବୁଲିଯିବାକୁ ହୁଏ, ଆଉ ହୋଟେଲ -ଶାନ୍ତି କିମ୍ୱା ମୋତିମହଲକୁ ଯିବାକୁ ହୁଏ ।

 

ସଭ୍ୟତାର ବିସ୍ତାର ଦେଖିବା ପାଇଁ ବାହାରକୁ ଯିବା ଦରକାର ନାହିଁ । ରାଜମହଲ ଛକରେ କିମ୍ବା ଷ୍ଟେସନ ସ୍କୋୟାରରେ ଛିଡ଼ା ହେଲେ ଆଧୁନିକ ସଂସ୍କୃତିର ଶୋଭାଯାତ୍ରା ପ୍ରତିମୁହୂର୍ତ୍ତରେ ଆଖିରେ ପଡ଼ିବ । କିଶୋରୀମାନଙ୍କର ତରୁଣୀ ହେବା ପାଇଁ ପ୍ରସାଧାନ, ପରିଧାନ ଓ ଢଙ୍ଗଢାଙ୍ଗରେ ଆପ୍ରାଣ ଚେଷ୍ଟା, ତରୁଣୀମାନଙ୍କର ବହୁମୁଖୀ ସ୍ରୋତସ୍ୱିନୀ ପରି ଅବାଧଗତି, ମା’ମାନଙ୍କର ମେମ୍‌ସାହେବ ହେବାପାଇଁ ଅଭିଳାଷ ଆଜି ସର୍ବତ୍ର ଦୃଷ୍ଟିରେ ପଡ଼େ । ଆହୁରି ପଡ଼େ ଦଣ୍ଡାବାଳୁଙ୍ଗାମାନଙ୍କର ଆଶାତୀତ ସଂଖ୍ୟାବୃଦ୍ଧିର ଚିହ୍ନ । ହିନ୍ଦି ଚଳଚିତ୍ରର ସଦାବିଜୟୀ ଓ ଦୁର୍ଦ୍ଦର୍ଷ ନାୟକ ହେବାପାଇଁ ଉଦ୍ୟମ ଚାଲେ ପ୍ରତି ଘରେ । ଅବକ୍ଷୟର ମାଳା ପିନ୍ଧି ଚାଲିଚନ୍ତି ତରୁଣ, ପ୍ରୌଢ଼ ଓ ବୃଦ୍ଧ । ତ୍ୟାଗ ନୁହେଁ ଭୋଗର ଉଚ୍ଚାଟନ ଅଥୟ କରୁଚି ସମସ୍ତଙ୍କୁ । ମୂଲ୍ୟବୋଧ ଖାଲି ଭୁବନେଶ୍ୱରର ମାଟିତଳେ ପୋତିହୋଇ ଯାଇ ନାହିଁ, ନୂଆଦିଲ୍ଲୀର କାର୍ପେଟ ତଳେ ମଧ୍ୟ ଆତ୍ମଗୋପନ କରୁଚି ଭୟରେ । ସେଥିପାଇଁ ତ ଆଜି କୁମାରୀ ହୋଇ ବି ଜନନୀ ହେଉଥିବା ତରୁଣୀର ଫଟୋ ଓ ଜୀବନୀ ଏତେ ପ୍ରଧାନ୍ୟ ପାଏ ଚଳଚିତ୍ର ପତ୍ରିକାମାନଙ୍କରେ ।

 

ବୁଡ଼ିଯିବା ଲୋକର ପାଦ ତଳକୁ ତଳକୁ କଥାଟି ଆଜି ପ୍ରମାଣିତ ହେଉଚି ପ୍ରତି ମୁହୁର୍ତ୍ତରେ । ସ୍ଲୋଗାନର ପୃଥିବୀ କେଡ଼େ ଲଜ୍ଜାହୀନ ଏବଂ ଅଶ୍ଳୀଳ ତାହା ଦେଖି ଆତଙ୍କରେ ଶିହରି ଉଠେ ମନୋଜ ।

 

ସୁହାସିନୀ ଓଡ଼ିଆ ଝିଅ ହେଲେ ବି ସମୟ ସହିତ ତାଳ ଦେଇ ବେଶ୍ ଆଗେଇଛନ୍ତି । କାନ୍ଧ ଉପରେ ଏବଂ ଠିକ୍ ଛାତି ତଳେ ସମାପ୍ତି ଘୋଷଣା କରି ଯୌବନର ସେଇ ଆକର୍ଷଣକୁ ଗୋପନ ନ କରି ଯେପରି ପ୍ରକାଶ କରେ ଅଧିକ, ପ୍ରସାଧନର ବାହୁଲ୍ୟ କାମନା ବର୍ଦ୍ଧନ କରେ ତା’ଠାରୁ ଅଧିକ । ଭାଗ୍ୟକୁ ତାର ପ୍ରତ୍ୟୁତ୍ତରରେ ବରଫର ଶିଥିଳତା ଥଲା ବୋଲି ନ ହେଲେ କଅଣ ହୋଇଥାଆନ୍ତା କେଜାଣି । କିନ୍ତୁ ବରଫ ବି ତରଳେ, ତାହା କେବଳ ସମୟସାପେକ୍ଷ । ସେଥିପାଇଁ ଡରି ଡରି ଆଉ ବିଉଟି ପାର୍ଲରକୁ ଯାଇନି ମନୋଜ । ଫୋନ୍‍ ବି କରିନି ସୁହାସିନୀଙ୍କ ପାଖକୁ । ତାଙ୍କରି ପାର୍ଲର ଭିତରେ ଓ ବାହାରେ ଆତଜାତ ହେଉଥିବା ଚରିତ୍ରମାନଙ୍କ ସମ୍ପର୍କରେ ଚାଲିଥିବା ଅନୁସନ୍ଧାନ ଅଟକି ରହିଚି ବିଉଟି ପାର୍ଲରର ଫାଟକ ପାଖରେ ।

 

ଭିତରର କାହାଣୀ ରୋମାଞ୍ଚକର ତଥା ଚିତ୍ତାକର୍ଷକ ବୋଲି ଶୁଣିଚି ମନୋଜ । ତାକୁ ସୁହାସିନୀ ଆମନ୍ତ୍ରଣ ଜଣାଇ କହିଥିଲେ ସେଦିନ - ଥରେ ନିଜେ ଆସି ଦେଖି ଯାଆନ୍ତୁ । ପ୍ରତ୍ୟକ୍ଷ ଅଭିଜ୍ଞତାର ବିକଳ୍ପ ନାହିଁ ।

 

ଆଉ ଟାଳଟୁଳ କରି ସମୟ ନଷ୍ଟ କରାଯାଇ ନ ପାରେ । ମାନବ ମହାନ୍ତିଙ୍କର କାହାଣୀ ଅସମ୍ପୂର୍ଣ୍ଣ ହୋଇ ରହିଛି । ସେମିତି ଅସମ୍ପୂର୍ଣ୍ଣ ହୋଇ ବାଟରେ ଅଟକି ଯାଇଛି ଦିବ୍ୟଧାମର ଗଳ୍ପ । ଆହୁରି ନୂଆ ନୂଆ କେତେ କଥା ଏ କାନରେ ଶୁଣି ସେ କାନରେ ବାହାରି ଯାଉଚି । ସେଥିରେ ଯେ କିଛି ସତ୍ୟତା ନାହିଁ ଏବଂ ସବୁ ଗୁଜବ ଏହା କହିବାକୁ ସାହସ ହେଉନାହିଁ । କିନ୍ତୁ କାଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରି ପଡ଼ିବେ ଏଇ ଆଶଙ୍କା ତ ସଦାବେଳେ ଅଥୟ କରେ ମନକୁ ।

 

ଗତକାଲି ସୁହାସିନୀଙ୍କୁ ସଙ୍ଖୋଳି ଆସିବା ପାଇଁ ସ୍ଥିର କରିଥିଲେ ବି ଶେଷ ମୁହୂର୍ତ୍ତରେ କାର୍ଯ୍ୟସୂଚୀର ପରିବର୍ତ୍ତନ କରିଥିଲା ମନୋଜ । ହାଟରୁ ଫେରିବାବେଳେ କସ୍ତୁରବା ହଲ୍ ସାମ୍ନାରେ ମୁହଁ ଅନ୍ଧାରବେଳେ ଦେଖା ହୋଇଗଲା ମ୍ୟୁଜିଅମରେ କାମ କରୁଥିବା ନିରାକାର ପ୍ରଧାନ ସହିତ । ନିରାକାର ସହିତ ଅନେକ ଦିନରୁ ପରିଚୟ । ତାହାରି ଘରର ଗୋଟିଏ ବଖରା ଭଡ଼ା ନେଇ ଭୁବନେଶ୍ୱରରେ ଆଦ୍ୟ ଜୀବନ ଆରମ୍ଭ କରିଥିଲା ମନୋଜ । ନିରାକାରର ଚାକିରିକୁ ଚାହିଁ କୁଟୁମ୍ବ ବହୁତ ବଡ଼ । ଚାରି ଝିଅ ତିନି ପୁଅ । ସ୍ତ୍ରୀକୁ ଛାଡ଼ି ବିଧବା ଭଉଣୀ ଏବଂ ବିଧବା ବୃଦ୍ଧା ଜନନୀ । ମ୍ୟୁଜିଅମ୍‌ର କିରାଣୀ ସେ । ଯାହା ଦରମା ମିଳେ ସମୁଦ୍ରକୁ ଶଙ୍ଖେ ପଣା ପରି । କିନ୍ତୁ ଅଦୃଶ୍ୟ ଶକ୍ତିର ସହାୟତା ଯୋଗୁଁ ହେଉ ବା ନିଜର ପାରଙ୍ଗମ ପଣିଆ ପାଇଁ ହେଉ ନିରାକାରର ସ୍ୱଚ୍ଛଳ ଜୀବନ ଯାତ୍ରା ଅବ୍ୟାହତ ରହିଚି ଏ ଯାଏ । ରାଜଭବନ ପଛରେ ପ୍ଳଟଟିଏ ନେଇ ଘରଟିଏ ତୋଳିଛି । ଘର ସାମ୍ନାରେ କାଠଗୋଲାଟିଏ ଖୋଲିଚି ଏବଂ ଶିରିପୁର ଛକରେ କ୍ୟାବିନଟିଏ ପକେଇ ପାନ ଦୋକାନ ଦେଇଚି । ପାନ ଦୋକାନରେ ବସେ ଅଷ୍ଟମ ଶ୍ରେଣୀ ଅତିକ୍ରମ କରି ନ ଥିଲେ ମଧ୍ୟ ବ୍ୟବସାୟୀକ ଜ୍ଞାନରେ ପରିପକ୍ୱତା ହାସଲ କରିଥିବା ବଡ଼ ପୁଅ ନିରଞ୍ଜନ । କାଠଗୋଲା ନିରାକାରର ସ୍ତ୍ରୀର ପ୍ରତ୍ୟକ୍ଷ ଦାୟିତ୍ୱରେ । ଏହା ବ୍ୟତୀତ ସୁନା, ରୁପା ବନ୍ଧକ ନେଇ କିଛି ଟଙ୍କା କରଜ ବି ଦିଏ ସେ । ମନୋଜ ତା’ ଘରେ ରହିବା ପରେ ନିରାକାରର ଆଉ ଗୋଟିଏ ବ୍ୟବସାୟ ସମ୍ପର୍କରେ କିଞ୍ଚିତ ଆଭାସ ପାଇଥିଲା । ପ୍ରତ୍ନତାତ୍ତ୍ୱିକ ମୂଲ୍ୟଥିବା ପ୍ରାଚୀନ ମୂର୍ତ୍ତି, ମୁଦ୍ରା, ପଟ୍ଟଚିତ୍ର, ତାଳପତ୍ର ପୋଥି ପ୍ରଭୃତିର କ୍ରୟ ଓ ବିକ୍ରୟ କରି ବି ସେ ଉପାର୍ଜନ କରୁଥିଲା କିଛି ।

ନିରାକାରର ଘର ଛାଡ଼ି ତିନି ନମ୍ବରରେ ଭାଡ଼ା ନେଇଥିବା ଘରକୁ ସେ ଅନେକ ଦିନୁ ଉଠି ଆସିଥିଲେ ବି ଭୁଲି ଯାଇ ନ ଥିଲା ନିରାକାରକୁ, ବରଂ ସୁସମ୍ପର୍କ ରକ୍ଷା କରିଥିଲା ତା’ ସହିତ । ପ୍ରତିବର୍ଷ ଦୀପାବଳୀ ଦିନ ଏକ ବଡ଼ ଭୋଜି ଦିଏ ନିରାକାର । ପ୍ରତିବର୍ଷ ମନୋଜକୁ ସେ ନିମନ୍ତ୍ରଣ କରେ । ଏହା ବ୍ୟତୀତ ପୂଜା, ପାର୍ବଣ, ଜନ୍ମଦିନରେ ମଧ୍ୟ ଡାକରା ପାଏ ସେ । ଏବେ ଦୁଇ ତିନିବର୍ଷ ହେବ ନିରାକାରର ଘରଆଡ଼େ ଆଉ ବେଶୀ ଯାଏନାହିଁ ମନୋଜ । ତାର ଚାରିଝିଅଙ୍କୁ ଭୟ ମନୋଜର । ସୁମତି, ରମା, ଅନୁରାଧା ଏବଂ ଶ୍ରୀରାଧାର ବିବାହ ବୟସ ହୋଇଥିଲେ ବି ବାହା ହୋଇପାରି ନାହାନ୍ତି ଏଯାଏ । ସେ ଅନୁସନ୍ଧାନ କରି ଜାଣିଚି ଯେ ନିରାକାର ଏବଂ ତା’ର ସ୍ତ୍ରୀ କନ୍ୟାରତ୍ନମାନଙ୍କୁ ବିନା ଯୌତୁକରେ ସତ୍‌ପାତ୍ରରେ ଦାନ କରିବା ପାଇଁ ମନସ୍ଥ କରିଥିବାରୁ ଯିଏ ଆସୁଚି ତରକୁଚି । କାହାରି ସୀମନ୍ତରେ ସିନ୍ଦୁର ଲାଗିନି ଆଜି ଯାଏ । ମନୋଜ ପରିବାରର ଲୋକପରି । ସେ ନିରାକାରର ଘରେ ଭଡ଼ାରେ ରହୁଥିବାବେଳେ ସୁମତିକୁ ହୋଇଥିଲା ଷୋହଳ, ରମାକୁ ଚଉଦ, ଅନୁରାଧା ବାର ଏବଂ ଶ୍ରୀରାଧାକୁ ଦଶ । ଆଠବର୍ଷ ହେବ ନିରାକାରର ଘର ଛାଡ଼ିଲାଣି ମନୋଜ । ସୁମତିକୁ ଏବେ ଚବିଶ, ରମାକୁ ବାଇଶ, ଅନୁରାଧା କୋଡ଼ିଏ ଏବଂ ଶ୍ରୀରାଧାକୁ ଅଠର । ବଡ଼ପୁଅ ନିରଞ୍ଜନର ଅଠେଇଶ ବର୍ଷ, ଦୁଇ ସାନପୁଅ ସୁରଞ୍ଜନ ଓ ଅକିଞ୍ଚନ, ଯଥାକ୍ରମେ ଷୋହଳ ଏବଂ ଚଉଦ ବର୍ଷ ।

ନିରାକାରକୁ ଦେଖିବା କ୍ଷଣି ହଠାତ୍ ମନେପଡ଼ିଗଲା ତିନିବର୍ଷ ତଳର ଦୀପାବଳୀ ଭୋଜିର କଥା । ସେ ସବା ପଛକୁ ଥାଏ ଘରଲୋକମାନଙ୍କ ସହିତ ବସିବାପାଇଁ । ଛାତ ଉପରେ ଭୋଜନର ବ୍ୟବସ୍ଥା କରାଯାଇଥାଏ । ନିମନ୍ତ୍ରିତମାନଙ୍କର ଶେଷ ବ୍ୟାଚ ଖାଇ ସାରିବା ପରେ ସ୍ଥାନ ପରିସ୍କାର କରାଉଥିବା ସମୟରେ ହଠାତ୍ ବଜୁଳି ଆଲୁଅ ଲିଭିଗଲା । ସେତେବେଳେ ସେ, ସୁମତି ଏବଂ ଚାକରାଣୀ ଶ୍ୟାମାକୁ ଛାଡ଼ି ଛାତ ଉପରେ ଆଉ କେହି ନ ଥିଲେ । ଶ୍ୟାମାକୁ ମହମବତୀ ଏବଂ ଦିଆସିଲି ଆଣିବାକୁ ପଠାଇ ଦେଇ ସୁମତି କହିଲା – ‘‘ତମେ ଛାତ କଡ଼ରେ ଠିଆ ହୋଇଚ କାହିଁକି ଯେ... । ମନୋଜ ଆଉ ଟିକେ ଘୁଞ୍ଚି ଆସିବାବେଳକୁ ତାହାରି ଛାତି ଉପରେ ଆଉଜି ପଡ଼ି କହିଲା ସୁମତି, ‘‘ବଡ଼ ଡର ଲାଗୁଚି ମନୁଭାଇ, ଏଇ ଆମ୍ବ ଗଛରେ ଭୂତ ଅଛି ଶୁଣିଚ ।’’ ଭାଗ୍ୟକୁ ତାକୁ ଭୂତ ଲାଗିବା ପୂର୍ବରୁ ବିଜୁଳି ଆଲୁଅ ଆସିଗଲା ବୋଲି, ନ ହେଲେ ସୁମତି ତାକୁ ନେଇ କଅଣ କରିଥାଆନ୍ତା କେଜାଣି । ଖାଲି କଅଣ ସେତିକି, ରମା ଦିନେ ଫୁଡ଼୍ କ୍ରାଫ୍‌ଟରୁ ଫେରିବାବେଳେ ତା’ ଘରକୁ ପଶିଆସି କହିଲା, ତମ ପାଇଁ ଶାମି କବାବ ଆଣିଚି ମନୁଭାଇ... । ସେ ଶାମି କବାବ ଖାଇ ରମାର ରନ୍ଧନ କୁଶଳତାର ପ୍ରଶଂସା ଶୁଣିବା ପାଇଁ ଆସିନି ମ । ଖାଲି ନାନିକୁ ସବୁ ଦବ, ମୋ ଭାଗରେ କିଛି ନାହିଁ । ମନୋଜ ତା’ କଥା ଶୁଣି ସ୍ତବ୍‌ଧ ହୋଇ ଯାଇଥିଲା । ଅଲାଜୁକୀ ପରି ତା’ର ହାତ ଧରି ପକାଇ କହିଲା ରମା, ସେଦିନ ଛାତ ଉପରେ ଅନ୍ଧାରରେ ତୁମେ ଦୁହେଁ କଅଣ କରୁଥିଲ କହିବନି... । ସେଦିନ ବି ମନୋଜକୁ ବନଦୁର୍ଗା ରକ୍ଷା କରିଥିଲେ ନ ହେଲେ ଛାତି ଉପରୁ ଲୁଗା ଖସେଇ ସେ ତାହାରି ଆଖି ଆଗରେ ନଇଁ ପଡ଼ିବାବେଳେ ଟେଲିଫୋନ୍‍ଟା ବାଜି ଉଠି ନ ଥାନ୍ତା । ଟେଲିଫୋନ୍‍ରେ କଥା କହି ସାରିବାବେଳକୁ ରେସ୍ତୋଁରାରୁ କଫି ନେଇ ପହଞ୍ଚି ଯାଇଥିଲା ନାରାୟଣ । ନିଷ୍ଫଳ ଅଭିମାନରେ ନିଜର ଓଠକୁ ନିଜେ ଦଂଶନ କରି ସେଦିନ ଫେରି ଯାଇଥିଲା ରମା । ସେଇଦିନୁ ସତର୍କ ହୋଇ ଯାଇଚି ମନୋଜ । ନିହାତି ବାଧ୍ୟବାଧକତା ନ ଥିଲେ ସେ ଯାଏ ନାହିଁ ନିରାକାରର ଘରକୁ ।

ସେଥିପାଇଁ ମନୋଜକୁ ଦେଖି ପକେଇ ଅଭିମାନିଆ ସ୍ୱରରେ କହିଲା ସେ ଉପରକୁ ଉଠିଲେ ଭୂଇଁ ଉପରେ ମଣିଷ ଦୁଶନ୍ତି ନି ଆଉ... ତୁମେ କେତେ ବଡ଼ ହୋଇ ଗଲଣି, ଆମ କଥା ମନେପଡ଼ିବ !

ମନୋଜ କହିଲା - ନା, ନା । ମୁଁ ବଡ଼ ହୋଇନି କି ଭୁଲି ଯାଇନି ମଉସା ବରଂ ସେଇ ଆଗ ମନୁ ହୋଇ ରହିଯାଇଚି । କିନ୍ତୁ କଅଣ କରିବି କୁହତ, ଏଇ ପେଷାଟା ଇମିତି ଯେ ଦିନକୁ ତିରିଶ ଘଣ୍ଟା ହେଲେ ବି ସମୟ ଅଣ୍ଟନ୍ତା ନାହିଁ । ମୁଁ ତ ଖବର ତିଆରି କରେନି; ଖବର ତିଆରି କରୁଥିବା ଲୋକମାନଙ୍କ ପଛରେ ଗୋଡ଼ାଏ... ।

ନିରାକାର ପ୍ରଧାନ କହିଲା - କିନ୍ତୁ ମୂର୍ତ୍ତିଚୋରି ସମ୍ପର୍କରେ ଯେଉଁ ସମ୍ବାଦ ସମାଜରେ ପ୍ରକାଶ ପାଇଥିଲା ତାହା ତ ଡାହା ମିଛ ମନୁ । ତମେ ଦେଇଥିଲ ଏଇ ଖବର ?

ମନୋଜ ପଢ଼ିଥିଲା ମୂର୍ତ୍ତିଚୋରି ସମ୍ପର୍କରେ ପ୍ରକାଶିତ ସମ୍ବାଦ, କିନ୍ତୁ ଏ ଖବର ସେ ଦେଇ ନ ଥିଲା । ବରଂ ଏଇ ଖବର ପ୍ରକାଶ ପାଇବା ପରେ ଏ ବିଷୟର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରି ଏକ ସଠିକ ବିବରଣୀ ସମ୍ବାଦପତ୍ରକୁ ପଠାଇବାଲାଗି ସେ ନିର୍ଦ୍ଦେଶ ପାଇଛି ସମ୍ପାଦକଙ୍କ ପାଖରୁ । ସେହି ଅନୁସନ୍ଧାନ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ କରି ନ ଥିଲେ ମଧ୍ୟ ନିରାକାର ସେଥିରେ ସହଯୋଗ କଲେ କିଛି ବିଶ୍ୱାସଯୋଗ୍ୟ ଭିତରି ଖବର ମିଳିଯାଇପାରେ - ଏହା ଆଶା କରି ମନୋଜ କହିଲା - ନା, ମୁଁ ସେପରି ଉଡ଼ା ଖବର ଦିଏନି । ଯଥା ସମୟରେ ମୋ ଖବର ତୁମେ ପଢ଼ିବ ମଉସା । କିନ୍ତୁ ତୁମର ସାହାଯ୍ୟବିନା ମୁଁ ପାଦେ ଆଗେଇ ପାରିବି ନାହିଁ ।

 

ନିରାକାର ଉତ୍ସାହିତ ହୋଇ କହିଲା, ତୁମ ଉପରେ ମୋର ବିଶ୍ୱାସ ଅତୁଟ ରହିଛି ମନୁବାବୁ । ତୁମେ ଯେ ଏ ଖବର ଦେଇନ ମୁଁ ପ୍ରଥମରୁ କହିଚି ଅଫିସରେ ।

 

ମନୋଜ କହିଲା, ଅଫିସରେ ଏତେ ବ୍ୟସ୍ତତା କାହିଁକି ଯେ ?

 

- ହେବେ ନି ? ଆମ ଅଫିସର ବଡ଼ ବାବୁ ଅବସର ନେଲେ ବି ତାଙ୍କ ଶଳାଙ୍କର ବ୍ୟବସାୟ ମାନ୍ଦା ପଡ଼ିନି । ସେଇ ହରିବନ୍ଧୁ ନାଏକ ମ....ତାକୁ ଦେଖି ନ ଥିବ କି ତମେ.... ତା’ର ତ ବଡ଼ ବଡ଼ ଲୋକଙ୍କ ସହିତ ଦିଆନିଆ କୁଣିଆମୈତ୍ର ସମ୍ପର୍କ ।

 

ସତେ ? ଆଶ୍ଚର୍ଯ୍ୟ ହେବାପରି କହିଲା ମନୋଜ ।

 

- ଆହୁରି ଅନେକ କଥା ଅଛି ଯାହା ଏଇ ରାସ୍ତା ଉପରେ ମୁଁ ତମକୁ କହିପାରିବି ନାହିଁ । ହାଟରେ ବ୍ରହ୍ମଜ୍ଞାନ ! ତମେ ଘରକୁ ଆସ ଶୁଣିବ ।

 

ନିରାକାର ଏବଂ ହରିବନ୍ଧୁ ଯେ ପରସ୍ପରର ପୁରାତନ ଶତ୍ରୁ ଏକଥା ଭଲ ଭାବରେ ଜାଣେ ମନୋଜ । ସେ ଭଡ଼ା ଘରେ ରହୁଥିବାବେଳେ ଏ ଶତ୍ରୁତା ବସ୍ତୁତଃ ପରସ୍ପର ମଧ୍ୟରେ ଏକାକାର୍ଯ୍ୟ ପାଇଁ ପ୍ରତିଯୋଗୀତାରୁ ଆରମ୍ଭ ହୋଇଥିଲା । ଏବେ ବ୍ୟବସାୟ ବଢ଼ିଚି, ପ୍ରତିଯୋଗୀତା ଏବଂ ପରଶ୍ରୀକାତରତା ବି ନିଶ୍ଚୟ ବଢ଼ିଥିବ ।

 

ନିରାକାରକୁ ବିଦାୟ ଦେଇ ଯେତେଶୀଘ୍ର ସମ୍ଭବ ତା’ ଘରକୁ ଯିବାର ପ୍ରତିଶ୍ରୁତି ଦେଇ ସ୍କୁଟର ଉପରେ ମାଡ଼ିବସି ଷ୍ଟାର୍ଟ କଲା ମନୋଜ ।

 

ବିଳମ୍ବ ହୋଇ ଗଲାଣି । ହୁଏତ ସୁହାସିନୀ ତାହାରି ଅପେକ୍ଷାରେ ବସିଥିବେ ।

 

ସତକୁ ସତ ବିଉଟି ପାର୍ଲର ଆଗରେ ସ୍କୁଟର ବନ୍ଦକରି ଉହ୍ଲେଇବା ବେଳକୁ ବିଉଟି ପାର୍ଲରର ପ୍ରଧାନ ପ୍ରବେଶ ପଥକୁ ଜଗିଥିବା ନେପାଳି ବାହାଦୂର ସଲାମ ଠୁଙ୍କି ତାକୁ କହିଲା- ମେ’ମ୍‍ସାବ, ଆପକା ଇନ୍‌ତେଜାର ମେଁ ହୈ... ।

 

ଯା’ହେଉ ତାକୁ ଅପେକ୍ଷା କରିବା ପାଇଁ ମଧ୍ୟ ଲୋକ ଅଛନ୍ତି, ସମୟ ଅଛି ।

ସୁହାସିନୀ ବସିବା ଘରୁ ତାକୁ ପାଛୋଟି ନେଲେ ନିଜର ଚେମ୍ବରକୁ ।

ତାଙ୍କର ଚେମ୍ବର ଭିତରକୁ ଏଇ ପ୍ରଥମ ପାଦ ରଖିଲା ମନୋଜ ।

 

ଚାରି କୋଣରେ ଚାରୋଟି ପଥର ମୂର୍ତ୍ତୀ । ଗୋଟିଏ ବିଖ୍ୟାତ ନଟରାଜଙ୍କର, ଦ୍ୱିତୀୟଟି ପତ୍ର ଲେଖିକାର, ତୃତୀୟଟି ଅଳସ କନ୍ୟାର ଏବଂ ଚତୁର୍ଥଟି ରତିକ୍ରୀଡ଼ାରତା ରମଣୀର । ସେଣ୍ଟର ଟେବୁଲ ଉପରେ ଇକାବେନା ଷ୍ଟାଇଲରେ ସଜ୍ଜିତ ପତ୍ର ଓ ପୁଷ୍ପଗୁଚ୍ଛ ।

 

ସୁହାସିନୀ କହିଲେ, ଆମ ଦୁହିଙ୍କର ବୟସ ପ୍ରାୟ ସମାନ ଯେତେବେଳେ ବନ୍ଧୁ ହେବାରେ ବାଧା ନାହିଁ । ଆପଣ ନ କହି ତୁମେ କହିବ ମୋତେ... ।

 

ମନକୁ ଶାସନକରି ପ୍ରକାଶ୍ୟରେ କହିଲା ମନୋଜ, ତାହାହିଁ ହେବ । ତୁମର ପାର୍ଲର ଦେଖିବା ପାଇଁ ଆସିଚି ଯେତେବେଳେ ପ୍ରଥମେ ସେହି କାମଟି ସାରି ନିଆଯାଉ.... ।

Unknown

 

- ନିଶ୍ଚୟ । ଆସ, ତୁମକୁ ସବୁ ଦେଖେଇ ଆଣେ... ।

 

ସୁହାସିନୀ ପ୍ରତ୍ୟେକ କୋଠରୀକୁ ନେଇ କୋଉଠି କଅଣ ହୁଏ, ଗୋଟ ଗୋଟି କରି ସବୁ ବୁଝାଇବାବେଳେ କହିଲେ - ସବୁ ହେଲ୍‌ଥ ପ୍ରବ୍ଲେମ୍‌ର ଡାଇଗୋନାସିସ କରାଯାଏ, ନିଦାନ ବି କହି ଦିଆଯାଏ ଏଠାରେ । ଅଭିଜ୍ଞ ଡାକ୍ତରାଣୀ ଅଛନ୍ତି ଆମର ।

 

- ସବୁତ ଦେଖିଲି, କିନ୍ତୁ ଯାହା ଦେଖିବା ପାଇଁ ମନ ବ୍ୟାକୁଳ ହେଉଚି ତାହା ତ ଦେଖାଇଲ ନି ଏଯାଏ । କହିଲା ମନୋଜ ।

 

ତାର ହାତଧରି କହିଲେ ସୁହାସିନୀ, ଦେଖିବ ?

- ହଁ

- କିନ୍ତୁ ଗୋଟିଏ ସର୍ତ୍ତରେ...

- କୁହ

- ଏହା ଅତ୍ୟନ୍ତ ବ୍ୟକ୍ତିଗତ ଏବଂ ଗୋପନୀୟ ବ୍ୟାପାର ।

ମୋର ବିଶ୍ୱାସ ତୁମେ ବୃତ୍ତିଗତ ଦୃଷ୍ଟିକୋଣରୁ ଚାହୁଁ ନ...

- ନା, ନା । କେବଳ କୌତୁହଳ ନିବାରଣ କରିବା ଲାଗି ଦେଖିବାକୁ ଚାହେଁ ।

- ତୁମକୁ ମୁଁ ବିଶ୍ୱାସ କରିବାକୁ ଆରମ୍ଭ କରିଚି ପ୍ରଥମ ସାକ୍ଷାତ୍‍ ସମୟରୁ ।

- ମୁଁ ଭାଗ୍ୟବାନ ନିଶ୍ଚୟ ।

- ଉଭୟ....ସୁହାସିନୀ ଉଛୁଳି ପଡ଼ିଲେ ହସରେ ।

 

ହଲ୍ ଭଳି ଗୋଟିଏ ବଡ଼ କୋଠରୀକୁ ତାକୁ ନେଇଗଲେ ସୁହାସିନୀ । ପ୍ରକୋଷ୍ଠ ବାହାରେ ଲେଖାଥିଲା - ପ୍ରାଇଭେଟ ଆଣ୍ଡ କନଫିଡେନସିଆଲ୍ । ବ୍ୟକ୍ତିଗତ ଏବଂ ଗୋପନୀୟ ।

 

ମନୋଜ କହିଲା - ଏତେ ଗୋପନୀୟତା କାହିଁକି ?

- ଗୋପନୀୟତା ନ ରହିଲେ ସ୍ୱାଦ ବି ନ ଥାଏ, ଶିହରଣ ବି ନ ଥାଏ ।

- ଆସିବାରେ ବାଧା ନାହିଁ ?

 

- ଅଛି । ସମସ୍ତଙ୍କ ପାଇଁ ଉନ୍ମୁକ୍ତ ନୁହେଁ ଏ ପ୍ରକୋଷ୍ଠ । କେବଳ ସେହିମାନେ ଆସିପାରିବେ ଯେଉଁମାନେ ବିଉଟି ପାର୍ଲରର ବିଶ୍ୱାସଯୋଗ୍ୟ ନିୟମିତ ପୃଷ୍ଠପୋଷକ, ଆଉ ତମପରି ନଟି କରେସ୍‌ପଣ୍ଡେଣ୍ଟ ।

 

ପୁଣି ନିଜର ହସରେ ନିଜେ ଉଚ୍ଛୁଳି ପଡ଼ିଲେ ସୁହାସିନୀ, ଠିକ୍ ଯେମିତି ଅଚାନକ ବର୍ଷାଦ୍ୱାରା ଉଚ୍ଛୁଳି ଉଠେ ଶରତକାଳର ମହାନଦୀ ।

 

ସ୍ତିମିତ ଆଲୋକରେ ସେଇ ପ୍ରକୋଷ୍ଠ ଦିବ୍ୟଧାମର ବାବା ପ୍ରବୁଦ୍ଧାଚାର୍ଯ୍ୟଙ୍କର ପ୍ରକୋଷ୍ଠଠାରୁ ବି ଅଧିକ ରମଣୀୟ ଏବଂ ଲୋଭନୀୟ ମନେହେଲା ।

 

ଗୋଟିଏ ଉଚ୍ଚଶକ୍ତିସମ୍ପନ୍ନ ବତୀ ଜଳାଇବା ପରେ ନୀଳାଭ କିରଣ ବିଛେଇ ହୋଇପଡ଼ିଲା ଚତୁର୍ଦ୍ଦିଗରେ ଏବଂ ସେଇ ଆଲୋକରେ ଯାହା ଉଦ୍ଭାସିତ ହୋଇ ଉଠିଲା ଆଖି ଆଗରେ, ତାହା ଅନନ୍ୟ ଏବଂ ଅବିସ୍ମରଣୀୟ । ଚଉଷଠି ବନ୍ଧରେ ରତିକ୍ରୀଡ଼ାର ବଡ଼ ବଡ଼ ଛବି ସୁନ୍ଦର ଭାବରେ ସଜା ହୋଇଥିଲା ପ୍ରକୋଷ୍ଠର ଚାରି ପାଖରେ ଏବଂ ବାତ୍ସାୟନମାନଙ୍କ କାମଶାସ୍ତ୍ରର କେତୋଟି ଶ୍ଳୋକ ଏବଂ ବିଭିନ୍ନ ବନ୍ଧର ବର୍ଣ୍ଣନା ମଧ୍ୟ ଲେଖା ଯାଇଥିଲା ସୁନ୍ଦର ଓ ଆକର୍ଷଣୀୟ ଭାବରେ ।

 

ପ୍ରକୋଷ୍ଠର କେନ୍ଦ୍ର ସ୍ଥଳରେ ସୋଫା କମ୍ ବେଡ଼୍ - ଯେତେବେଳେ ଯେମିତି ଆବଶ୍ୟକ-- ଏବଂ ଗୋଟିଏ କଡ଼ରେ କେତୋଟି ତକିଆ, ସେଣ୍ଟ୍‍ ଏବଂ ଅନ୍ୟାନ୍ୟ ପ୍ରସାଧାନ ସାମଗ୍ରୀ । ସଂଲଗ୍ନ ବାଥ୍‌ରୁମ୍‌ । ପ୍ରକୋଷ୍ଠରେ ଭାସି ବୁଲୁଛି ଦାମୀ ସେଣ୍ଟର ମହକଭରା ସୁବାସ ।

 

ମନୋଜ ମୁକପରି ଦେଖିବାକୁ ଲାଗିଲା, ତା ମୁହଁରୁ ଗୋଟିଏ ଶବ୍ଦ ବି ଉଚ୍ଚାରିତ ହେଲା ନାହିଁ ।

 

ସୁହାସିନୀ ତାକୁ ଜୋର୍‍କରି ସୋଫା ଉପରେ ବସାଇ ଦେଇ କହିଲେ - ତୁମେ ପାଷାଣ ପ୍ରତିମାପରି ନିର୍ଲିପ୍ତ ଦେଖାଯାଉଛ ଯେ... ? ସାଦିନ ଆଇସ୍‌କ୍ରିମ କେମିତି ତରଳିଲା ମନେପକାଅ-। ତାଙ୍କର ଉତ୍ତପ୍ତ କୋମଳ ହାତର ପରଶ ଲାଗୁଥିଲା ମନୋଜର ହାତରେ ।

 

ମନୋଜ କିଛି କହିପାରିଲା ନାହିଁ ଭାଷା ନ ଥିଲା ତା’ ତୁଣ୍ଡରେ ।

 

ସୁହାସିନୀ ତାକୁ ନିଜ ଉପରକୁ ଆକର୍ଷଣ କରି କହିଲେ - ତୁମକୁ ଅନନ୍ତ କାଳରୁ ଅପେକ୍ଷା କରୁଛି । ମୋର ଲଜ୍ଜା ତୁମର ବ୍ୟକ୍ତିଗତ ସମ୍ପତ୍ତି ହୋଇରହୁ, ତୁମ ନିକଟରେ ମୋର ଏଇ ଏକମାତ୍ର ଅଳି ।

 

ମନୋଜର ସବୁ ଦମ୍ଭ, ଅହଙ୍କାର ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା ମୁହୂର୍ତ୍ତକରେ । ସେ କ୍ଷୁଧିତ ବ୍ୟାଘ୍ର ପରି କୁଦି ପଡ଼ିଲା ଶିକାର ଉପରକୁ, କିନ୍ତୁ ତାକୁ ଯେପରି ରକ୍ଷା କରିବା ପାଇଁ କହିଲେ ସୁହାସିନୀ - ଲେଟ୍ ଦି ବିଗିନିଂ ବି ପିସ୍‌ପୁଲ, ବ୍ଲିସ୍‌ଫୁଲ ଆଣ୍ଡ ଏଣ୍ଡିଓରିଂ...

 

ସେତିକିରେ ବେକ୍ରକସି ସ୍ଥିର ହୋଇଗଲା ମନୋଜ । ତା’ ଓଠରେ ଦାଗ ବସେଇ କହିଲେ ସୁହାସିନୀ - ଆଜି ଏତିକି... । ରାଗିଲ ?

 

ସାମ୍ବାଦିକତା ସହଜ ସରଳ ପେଷା ନୁହେଁ, ଏହା ଏକ ଚ୍ୟାଲେଞ୍ଜିଙ୍ଗ ବୃତ୍ତି । ପ୍ରତି ମୁହୂର୍ତ୍ତରେ ଚ୍ୟାଲେଞ୍ଜ, ପ୍ରତି ମୁହୂର୍ତ୍ତରେ ମୁକାବିଲା । ଖଣ୍ଡାଧାରରେ ଚାଲିବା ପରି ଏଇ କାମ । ବ୍ୟକ୍ତିଗତ ସତ୍ୟତା, ନିଷ୍ଠା ଏବଂ ବିଶ୍ୱାସଯୋଗ୍ୟତା ଏଥିରେ ସଫଳ ହେବା ପାଇଁ ଏକାନ୍ତ ଅପରିହାର୍ଯ୍ୟ । ଭାରସାମ୍ୟ ରକ୍ଷାକରି ନ ଜାଣିଲେ ଖଣ୍ଡାଧାରରେ ଗୋଡ଼ କଟି ଯିବାର ଭୟ ସର୍ବଦା ରହିଛି ।

 

ମନୋଜ ବେଳେ ବେଳେ ଭାବେ ଯେ ପ୍ରତି ମୁହୂର୍ତ୍ତରେ ଏତେ ପ୍ରଲୋଭନର ମୁହାଁମୁହିଁ ନ ହୋଇ ସବୁ ଛାଡ଼ିଛୁଡ଼ି ଇସ୍ତଫାଦେଇ ଆଉ କିଛି କରିବ । କଥାରେ ଅଛି ପେଟ ପୋଷ ନାହିଁ ଦୋଷ । ବିଦ୍ୟା, ବୁଦ୍ଧି ଏବଂ କୌଶଳ ଥିଲେ ଯେକୌଣସି ବୃତ୍ତିରେ ସଫଳତା ଅର୍ଜନ କରାଯାଇପାରେ । କିନ୍ତୁ ପ୍ରତିଦିନ, ପ୍ରତିକ୍ଷଣ ନିଜକୁ ନିଗୃହିତ କରିବାର ତାଡ଼ନା ଅନ୍ୟ କୌଣସି ବୃତ୍ତିରେ ମଣିଷକୁ ବ୍ୟସ୍ତ ଏବଂ ବିପର୍ଯ୍ୟସ୍ତ କରେନି ଏତେ । ମୈଥୁନ, ମଦ ଓ ମାଂସର ଆକର୍ଷଣ ଅଲଙ୍ଘନୀୟ । ଅର୍ଥ ମିଳିବାର ବି ପ୍ରଚୁର ସମ୍ଭାବନା ଯଦି ଜଣେ ବ୍ଲାକ୍‍ମେଲ କରିବାକୁ ଚାହେଁ । କିନ୍ତୁ ମନୋଜ ଏ କ୍ଷେତ୍ରରେ ପଙ୍ଗୁ ହୋଇ ରହିଯାଇଛି, ଗିରିଲଙ୍ଘନ କରିପାରିନାହିଁ । ତାକୁ ସେଥିପାଇଁ ଫୋନ୍‍ କରି ସୁହାସିନୀ କହିଲେ କାଲି - ମାଇଚିଆ ପରି ରହିଗଲ ଯେ.. ବ୍ରେକ କସି, ନିଜକୁ ସଞ୍ଜତ ଓ ଶୃଙ୍ଖଳିତ କରି ତୁମେ ପୋଷା ବିଲେଇ ହୋଇପାର, କିନ୍ତୁ ଶିକାରୀ ବାଘ ହୋଇପାରିବ ନାହିଁ । ଆଉ ଏକଥା ଆଜି ନୁହେଁ ସବୁଦିନ ମନେରଖିବ ଯେ ପୁରୁଷର ଜବରଦସ୍ତି, ଆକ୍ରମଣାତ୍ମକ ପ୍ରବୃତ୍ତିକୁ ସବୁବେଳେ ନାରୀ ପସନ୍ଦ କରେ, ଏବଂ ତାହା ନ ଥିଲେ ସେ ସମ୍ପୂର୍ଣ୍ଣ ହେବାକୁ ଯାଇ ଅପୂର୍ଣ୍ଣତାର ବେଦନାରେ ଅସ୍ଥିର ହୁଏ ।

 

ସୁହାସିନୀଙ୍କ ସହିତ ବନ୍ଧୁତ୍ୱ କରିବା ପରେ ଅନେକ ମୂଲ୍ୟବାନ ତଥ୍ୟ ସଂଗ୍ରହ କରିଚି ସେ । ପ୍ରାଚୀନ ମନ୍ଦିରମାନଙ୍କରୁ ମୂଲ୍ୟବାନ ପ୍ରସ୍ତର ମୂର୍ତ୍ତୀର ଚୋରି କେତେଜଣ ଅଜ୍ଞାତ କୁଳଶୀଳ ଚୋରା କାରବାରୀଙ୍କ ମଧ୍ୟରେ ସୀମାବଦ୍ଧ ହୋଇରହିନାହିଁ; ଏଥିରେ ପ୍ରଚୁର ଅର୍ଥାଗମର ସମ୍ଭାବନା ଥିବାରୁ ସହଜ ଉପାୟରେ ଅର୍ଥ ଉପାର୍ଜନ କରିବା ପାଇଁ କେତେକ ବିଖ୍ୟାତ ବ୍ୟକ୍ତି ମଧ୍ୟ ଏହି ବ୍ୟବସାୟ ସହିତ ସମ୍ପୃକ୍ତ ହୋଇ ସାରିଛନ୍ତି ।

 

ସେହିପରି ସାମାଜିକ ଖ୍ୟାତି ଥିବା ଅନେକ ବ୍ୟକ୍ତି ଅସାମାଜିକ କାର୍ଯ୍ୟରେ ଲିପ୍ତ ହୋଇ ଯାଉଛନ୍ତି । ଅର୍ଥର ପ୍ରୟୋଜନୀୟତା ଅସ୍ୱୀକାର କରିହେବ ନାହିଁ । କିନ୍ତୁ ଅର୍ଥ କୌଣସି କାଳରେ ଏପରି ବ୍ୟାପକ ଭାବରେ ଅନର୍ଥର କାରଣ ହୋଇନାହିଁ । ସବୁ ମୂଲ୍ୟବୋଧକୁ କବଳିତ କରି ଅର୍ଥର ଜୟଯାତ୍ରା ଅବ୍ୟାହତ ରହିଛି ଏ ଯୁଗରେ । ଶୃଙ୍ଖଳା ଆଉ ସମ୍ଭ୍ରାନ୍ତଶାଳୀକୁ ଆକୃଷ୍ଟ କରୁନାହିଁ । ନୀତି ନିୟମ କେବଳ ଗରିବଙ୍କୁ ଶୃଙ୍ଖଳିତ କରୁଛି, ପ୍ରଭାବଶାଳୀର ଯଥେଚ୍ଛା ଅଭିଯାନକୁ ଏହା ଅଙ୍କୁଶ ଲଗାଇ ପ୍ରତିରୋଧ ବା ପ୍ରତିହତ କରିପାରୁନାହିଁ । ଫଳରେ ବଳଶାଳୀ ଆହୁରି କ୍ଷମତାର ଅଧିକାରୀ ହେଉଥିବାବେଳେ ଅସହାୟ ଓ ଦୁର୍ବଳ କେବଳ ଭାଗ୍ୟର ବିଡ଼ମ୍ବନାକୁ ପ୍ରତ୍ୟକ୍ଷ କରୁଛି । ସବୁ ଆଇନକୁ ନିଜ କାମରେ ଲଗାଇ ବେଆଇନ କାର୍ଯ୍ୟ କରୁଥିବା ଲୋକ ବାହାବା ପାଉଥିବାବେଳେ ଆଇନ ମାନି ଚଳୁଥିବା ଲୋକଟି ଅପାରଗ ବୋଲି ଚିହ୍ନିତ ହେଉଛି । ବାହାରେ ଭିତରେ ଦୁଇଟି ବ୍ୟକ୍ତିତ୍ୱ କାର୍ଯ୍ୟ କରୁଛି । ଜଣେ ଯାହା କହୁଚି ନିଜ ଜୀବନରେ ତାହା ପ୍ରୟୋଗ ନ କରି ଅନ୍ୟକୁ ପ୍ରବର୍ତ୍ତାଉଛି କାର୍ଯ୍ୟରେ ପରିଣତ କରିବା ପାଇଁ । ଫଳରେ କହିବା ଓ କରିବା ମଧ୍ୟରେ ପାର୍ଥକ୍ୟ ବଢ଼ି ବଢ଼ି ଚାଲିଛି ଏବଂ ତଦନୁସାରେ ସମାଜରେ ଅଶାନ୍ତି, ଅସ୍ଥିରତା ବଢ଼ିବାରେ ଲାଗିଛି ।

 

ସମାଜର ଶକ୍ତି ଓ ସମ୍ପଦକୁ ଶୋଷୁଥିବା ବ୍ୟକ୍ତିମାନଙ୍କୁ ଶାସ୍ତି ଦେଇ ସାବାଡ଼୍‍ କରି ଦେବାକୁ ଇଚ୍ଛାହୁଏ ମନୋଜର । ଦେଶ ଓ ଜାତିର ନାମରେ ନିଜକୁ ପୁଷ୍ଟ କରୁଥିବା ଲୋକଙ୍କୁ କଏଦୀ ପରି ଶୃଙ୍ଖଳିତ କରିବାକୁ ଇଚ୍ଛାହୁଏ ତା’ର । ଯେଉଁମାନେ ଅନ୍ତରାଳରେ ଅନେକ ଅପକର୍ମ କରି ମଧ୍ୟ ଖ୍ୟାତିର ମୀନାର ଉପରେ ବସି ବଞ୍ଚିତକୁ ଅନୁକମ୍ପା ଦେଖାନ୍ତି ସେମାନଙ୍କୁ ନିର୍ଦ୍ଧାରିତ କରିବାଲାଗି ମନ ଉଚ୍ଚାଟ ହୁଏ ମନୋଜର; କିନ୍ତୁ ସେ ନିୟମ ଓ ନୀତିର ଶୃଙ୍ଖଳା ଭିତରେ, ମୂଲ୍ୟବୋଧ ଓ ଶାଳୀନତାର ସୀମାରୁ ବାହାରି ନ ପାରି ନିଜ ମଧ୍ୟରେ ଏକ ଅସହାୟ ଅଥର୍ବବୋଧରେ ଛଟପଟ ହୁଏ କେବଳ । ମୂଲ୍ୟବୋଧକୁ ନଷ୍ଟ କରୁଥିବା ଏବଂ ମୂଲ୍ୟବୋଧକୁ ରକ୍ଷା କରୁଥିବା ଦୁଇ ବିବଦମାନ ଗୋଷ୍ଠୀ ମଧ୍ୟରେ ଶେଷୋକ୍ତ ଗୋଷ୍ଠୀ ପାରମ୍ପରାକୁ ରକ୍ଷାକରିବା ପାଇଁ ମୂଲ୍ୟଦେବା ଯେପରି ସତ୍ୟ; ମୂଲ୍ୟବୋଧ ଓ ପରମ୍ପରାକୁ ଭାଙ୍ଗି ନିଜର ପୁଷ୍ଟି ସାଧନ କରୁଥିବା ଗୋଷ୍ଠୀ ଯେ ଜାତିର ଶତ୍ରୁ ଏହା ସେହିପରି ନିର୍ମଳ ସତ୍ୟ ।

 

ତଥାପି ମନୋଜ ସବୁ କଥା କହିପାରେ ନାହିଁ । ଅନୁରୋଧ ଉପ୍ରୋଧ ଏଡ଼ି ବ୍ୟକ୍ତିଗତ ଓ ସାମାଜିକ ଚାପକୁ ଖାତିର ନ କରି; ବୃହତ୍ତର ସାମାଜିକ ସ୍ୱାର୍ଥରକ୍ଷା କରିବା ସକାଶେ ସଂକୀର୍ଣ୍ଣ ସ୍ୱାର୍ଥକୁ ବଳି ଦେଇ ସେ କହିପାରୁନି ସବୁ କଥା । ଆଇନର ଭୟ ରହିଛି, ନିଜର ସ୍ଥିତି ବିପନ୍ନ ହେବାର ଆଶଙ୍କା ରହିଛି । କାରଣ ସେ ବ୍ୟକ୍ତି ବିଶେଷ ଭାବରେ ସ୍ଥିତାବସ୍ଥା ଏବଂ ଅବକ୍ଷୟ ବିରୁଦ୍ଧରେ ଲଢ଼ିବାବେଳେ ଆନୁଷ୍ଠାନିକ ଶକ୍ତି ଖର୍ଚ୍ଚ କରି ତା’ ବିରୁଦ୍ଧରେ ଲଢ଼ୁଛନ୍ତି ଅନ୍ୟମାନେ । ଏତେ ଶକ୍ତି ଓ ସାହସ ନାହିଁ ତା’ର ବିପ୍ଳବର ଗୀତ ଗାଇବା ପାଇଁ ।

 

ସୁଦୂର ମୟୂରଭଞ୍ଜର ଏକ ଅଖ୍ୟାତ ଗ୍ରାମର ଅନ୍ଧାର ଓ କୁସଂସ୍କାର ଭିତରୁ ଦାରିଦ୍ର୍ୟ ଏବଂ ଦୁଃଖର ସୀମା ଡେଇଁ ନିଜର ପୌରୁଷତ୍ୱ ବଳରେ ନିଜକୁ ପ୍ରତିଷ୍ଠିତ କରିବାକୁ ବାହାରି ଆସି ସେ ଶୀତ ରାତିରେ ଶେଷ ଲଗ୍ନରେ ଯେତେବେଳେ ପାଦ ଦେଇଥିଲା ଏଇ ରାଜଧାନୀରେ ସେତେବେଳେ ଶଙ୍ଖ ବାଜି ନ ଥିଲା କି ତୁରୀ ବାଜି ନ ଥିଲା ତା’ର ଆଗମନର ବାର୍ତ୍ତା ଘୋଷଣା କରିବା ପାଇଁ । ବରଂ ଷ୍ଟେସନ ଛକରେ ସେଇ ଚା’ ଦୋକାନୀ ନିଦ ମଳ ମଳ ଆଖିରେ ଚମକି ପଡ଼ିଥିଲା ତାକୁ ରାତିର ଶେଷ ଯାଡ଼ରେ ଶୀତରେ ଥରି ଥରି ଦୋକାନର ଥଣ୍ଡା କାଠ ବେଞ୍ଚ ଉପରେ ବସିବାର ଦେଖି । ଚୋର ତସ୍କର ଆସିବା ବିଚିତ୍ର ନୁହେଁ ଅନ୍ତତଃ ଏଇ ରାଜଧାନୀରେ । ତଥାପି ଦୁଃଖୀ ଦୁଃଖୀର ଦୁଃଖ ବୁଝିବା ପରି ସେ କହିଥିଲା ଏଇ କେତେଦିନ ଯୋଉ ଶୀତ ପଡ଼ିଛି ବାବୁ, ଚା’ ଟିକେ ପିଇ ନିଅ ଦେହକୁ ଉଷୁମ କରିନବା ପାଇଁ । ତା’ର ସ୍ୱରରେ ମାଆର ମମତା ଅନୁଭବ କରି ସେ ତାକୁ ଆଉ ବ୍ୟସ୍ତ ନ କରି କହିଥିଲା-ନା, ଶୋଇପଡ଼, ମୁଁ ବି ଏଇ ବେଞ୍ଚ ଉପରେ ଶୋଇପଡ଼ୁଛି । ସକାଳୁ ତା’ଠାରୁ ଅନେକ ଆଗରୁ ଉଠି ଦୋକାନକୁ ଅକ୍ଷତ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇ କହିଥିଲା ସେ, ଏଡ଼େ ବୋକା ଲୋକ ଦୁନିଆରେ ଅଛନ୍ତି ଏଇ ପ୍ରଥମ ଜାଣିଲି ବାବୁ । ପଇସା ବାକ୍‌ସଟାକୁ ଭିତରକୁ ଉଠାଇବାକୁ ଭୁଲି ଯାଇ ଶୋଇପଡ଼ିଥିଲି ମୁଁ, କିନ୍ତୁ ଦେଖୁଛି ତାହା ଯେଉଁଠି ଥିଲା ସେଇଠି ଅଛି, କାଣି କଉଡ଼ିଟିଏ ବି କେହି ନେଇନାହିଁ । ମାର୍‍ଗୋଲି ଶଳାଙ୍କୁ, କୁହନ୍ତି କଅଣ ନା ସତ୍ୟ ଧର୍ମ ନାହିଁ, ଈଶ୍ୱର ନାହାନ୍ତି । ସବୁ ଅଛି । ନିଜେ ଭଲ ହେଲେ ଜଗତ ଭଲ-

 

ମନୋଜ ସେଇ ଲୋକଟିକୁ ପାଶୋରି ପାରିନି ମନରୁ । ବିଂଶ ଶତାବ୍ଦୀର ଶେଷ ଭାଗରେ ପାଦରଖି ବି ସେ ପାପୀ, ପ୍ରବଞ୍ଚକ ହେବାକୁ ସାହସ ନ କରି ନିଜର ସରଳ ଆଖିରେ ଦେଖୁଚି ପୃଥିବୀକୁ, ନିଜର ମାନଦଣ୍ଡଦ୍ୱାରା ମାପୁଚି ମଣିଷର ମୂଲ୍ୟ ଓ ମୂଲ୍ୟବୋଧକୁ । ହାୟ, ହାୟ-। ସେଥିପାଇଁ ସରପୁଳି ଖାଇ ପହଡ଼ ପକେଇଥିବା କାଳିଆକୁ ସେ ଶରଧାବାଲିର ହାତେରୁ ବେଶୀ ମାଗି ପାରୁନାହିଁ ଯଦିବା ତାହାରି ଆଖି ଆଗରେ ନିଜର ନାମରେ ଏବଂ ବେନାମୀରେ ଜଣେ ଜଣେ ହାକିମ, ଜଣେ ଜଣେ ଶାସକ, ଜଣେ ଜଣେ ରାଜନୀତିଜ୍ଞ ବଡ଼ପଣ୍ଡା ଗୋଟେ କି ଦୁଇଟା ନୁହେଁ ଚାରିଟା ପାଞ୍ଚଟା ପ୍ଳଟ ସୁଲଭ ମୂଲ୍ୟରେ ନେଇ ସରକାରୀ ଟଙ୍କାରେ କୋଠାବାଡ଼ି ତିଆରି କରି ପୁଣି ସରକାରଙ୍କୁ ଭଡ଼ାରେ ଦେଇ ନିଜର ଏବଂ ଉତ୍ତରାଧିକାରୀମାନଙ୍କର ସୁଖ ଏବଂ ସମୃଦ୍ଧିକୁ ସୁରକ୍ଷିତ କରିଛନ୍ତି । ଧନ୍ୟ, ଧନ୍ୟ । ଯିଏ ଆଜି ଜେଲ ଭିତରେ ଥାଆନ୍ତା ସେ ଆଜି କପଟ ବେଶରେ ରାଷ୍ଟ୍ରର, ଦେଶ ଓ ଦଶର ସ୍ୱାର୍ଥର ଜଗୁଆଳୀ ଭାବରେ ପରିଚୟ ଦେଉଛି ନିଜକୁ । ରକ୍ଷକ ଭକ୍ଷକ ହେଲେ ବି ଜଗନ୍ନାଥଙ୍କର ନିଦ ଭାଙ୍ଗୁନି । ପଖାଳ ଖାଇ ତାଙ୍କରି ଭଜନ ଶୁଣି ଶୁଣି ସୁଖରେ ଶୋଇପଡ଼ିଛି ଓଡ଼ିଆ । ପୂର୍ବଦିଗ ଲାଲ ହୋଇ ଆସିଲାଣି ତଥାପି ନିଶ୍ଚିନ୍ତରେ ଶୋଇଛି ସେ ।

 

ଦୁର୍ବଳ ହୋଇ ଆସୁଥିବା ମନକୁ ଶକ୍ତି ଓ ଆତ୍ମବିଶ୍ୱାସ ଯୋଗାଇ ଦବା ସକାଶେ ସେ ପିତା, ପ୍ରପିତାମହ, ବୃଦ୍ଧ ପ୍ରପିତାମହଙ୍କୁ ଡାକୁଛି । ଆଗରେ ସଂକୁଚିତ ହୋଇ ଶେଷରେ ହଜି ଯାଉଥିବା ମାର୍ଗକୁ ପ୍ରଶସ୍ତ କରିବା ପାଇଁ, ନିର୍ଭୂଲ ବାଟରେ ଚାଲିବା ପାଇଁ ହାତଧରି ବାଟ କଢ଼େଇ ନବା ପାଇଁ ସେ ସ୍ମରଣ କରେ ସେମାନଙ୍କୁ । ସେମାନଙ୍କୁ ବାଟ ବତେଇ ଥିଲେ, ସେମାନଙ୍କର ପୂର୍ବପୁରୁଷମାନଙ୍କୁ ବାଟ ବତେଇଥିଲେ ପୂଣ୍ୟଶ୍ଳୋକ ହୋଇଯାଇଥିବା ସେଇ ସାଧୁସନ୍ଥ ମୁନି ଋଷିମାନେ; ଯେଉଁମାନେ ସକଳ କର୍ମ ଆରମ୍ଭ କରିବା ପୂର୍ବରୁ ଈଶ୍ୱରଙ୍କୁ, ଦେବତା ଓ ଦିଗପାଳମାନଙ୍କୁ ଦଶ ମହାବିଦ୍ୟା ଏବଂ ଦଶ ମହାଗ୍ରହଙ୍କୁ ନିଜର କଲ୍ୟାଣ ନିମନ୍ତେ ନୁହେଁ, ପୃଥିବୀକୁ ଶାନ୍ତି ସମୃଦ୍ଧି ଦେବା ପାଇଁ, ଲୋକମାନଙ୍କୁ ସୁଖୀ, ସତ୍ୟନିଷ୍ଟା ଏବଂ ନିରାମୟ କରିବା ପାଇଁ ସ୍ତୁତି କରୁଥିଲେ । ଅର୍ଥ ନ ଜାଣି ମଧ୍ୟ ସେଇ ମନ୍ତ୍ର ଏବେବି ଉଚ୍ଚାରଣ କରୁଛନ୍ତି କୋଟି କୋଟି ଲୋକ । ଏବେବି ଗାଉଛନ୍ତି ମଧୁବାତା ଋତାୟତେ, ମଧୁ କ୍ଷରନ୍ତି ସନ୍ଧବଃ... । ଶକ, ହୁନ, ପଠାଣ, ମୋଗଲ ଏବଂ ତା’ ପୂର୍ବରୁ ଓ ପରେ ଆହୁରି କେତେ ବହିଃଶତ୍ରୁଙ୍କଦ୍ୱାରା ପରାଜିତ ହେବାର ପରାଭବ ପାଇ ମଧ୍ୟ ଏ ଜାତିର ଗୌରବ ବିପର୍ଯ୍ୟସ୍ତ ହୋଇଛି ସିନା ଲୁଣ୍ଠିତ ହୋଇନାହିଁ ।

 

ମଝିରେ ମଝିରେ ଇମିତି ଦାର୍ଶନିକ ପରି ଚିନ୍ତା କରିବାକୁ ଭଲ ଲାଗେ ମନୋଜକୁ । ତାକୁ ଭଲ ଲାଗେ ପଛକୁ ଫେରି ଚାହିଁବା ପାଇଁ; ଅତୀତକୁ ବିଶ୍ଳେଷଣ କରି ବର୍ତ୍ତମାନକୁ ସଂଶୋଧନ ଏବଂ ଆଗାମୀକୁ ସଞ୍ଜୀବିତ କରିବା ପାଇଁ ।

 

ହଠାତ୍ ଟେଲିଫୋନ୍‍ଟା ବାଜି ଉଠିବାରୁ ସେ ଚମକି ପଡ଼ି ଘଡ଼ିକୁ ଚାହିଁ ଦେଖିଲା ଯେ ପାଞ୍ଚଟା ବାଜି ପନ୍ଦର ମିନିଟ ହୋଇ ଗଲାଣି । ଅଥଚ ଠିକ୍ ପାଞ୍ଚଟାରେ ତା’ର ପହଞ୍ଚିବାର କଥା ଥିଲା ।

 

ପ୍ରେସ କନଫରେନସ୍‍ରେ ପହଞ୍ଚିବାବେଳକୁ ଟିକେ ବିଳମ୍ବ ହୋଇଯାଇଥିଲା । ପଛ ସିଟ୍‌ରେ ବସି ପଡ଼ିଲା ମନୋଜ ।

 

ମନ୍ତ୍ରୀ କହିଲେ - ମୁଁ ସ୍ୱତଃପ୍ରବୃତ ହୋଇ ଆପଣମାନଙ୍କୁ ଡାକିଛି ଏ ବିଷୟରେ ଯାହା ତଥ୍ୟ ସରକାରଙ୍କ ପାଖରେ ଅଛି ସବୁ ଆପଣଙ୍କୁ ଜଣାଇବା ପାଇଁ ।

 

ଜଣେ ସାମ୍ୱାଦିକ ପ୍ରଶ୍ନ କଲେ - ପାରାଦୀପ ବନ୍ଦରରେ ସ୍ମଗଲିଂ ରାକେଟ୍‌ ମୂଳରେ କିଏ ଅଛି - ନ୍ୟାସନାଲ ନା ଇଣ୍ଟରନ୍ୟାସନାଲ ଗ୍ୟାଙ୍ଗ - ସେ ସମ୍ପର୍କରେ ସରକାରଙ୍କ ନୋଟ୍‌ରେ କିଛି ନାହିଁ ?

 

ମନ୍ତ୍ରୀ କହିଲେ - ଏପର୍ଯ୍ୟନ୍ତ ଅନୁସନ୍ଧାନ ସରି ନାହିଁ, ତଥାପି ମୁଁ ଏତିକି କହିପାରେ ଯେ ଇଣ୍ଟରନ୍ୟାସନାଲ ସ୍ମଗ୍ଳିଂ ଗ୍ୟାଙ୍ଗ ଏଥିରେ ଲିପ୍ତ ଥିବାର ଯଥେଷ୍ଟ ପ୍ରମାଣ ରହିଛି ।

 

ମନୋଜ ପଚାରିଲା - କଣ୍ଟାକ୍ଟମ୍ୟାନ୍ ସମ୍ପର୍କରେ କିଛି ଖବର ଅଛି ସରକାରଙ୍କ ପାଖରେ-? ସେ କିଏ ? କେଉଁ ଅଞ୍ଚଳର ଲୋକ ?

 

ମନ୍ତ୍ରୀ କୌଣସି ସିଧା ସଳଖ ଉତ୍ତର ନ ଦେଇ କହିଲେ - ଅନୁସନ୍ଧାନ ଶେଷ ହେଲେ ସବୁ ତଥ୍ୟ ଯୋଗାଇ ଦିଆଯିବ ।

 

ମନୋଜ କହିଲା - ମ୍ବାଦପତ୍ରରେ ଯେତିକି ପ୍ରକାଶ ପାଇଛି ତା’ଠାରୁ ଅଧିକ କିଛି ଶୁଣିବା ପାଇଁ ଆଶା ଥିଲା, କିନ୍ତୁ ନିରାଶ କଲେ ଆପଣ ।

 

ମନ୍ତ୍ରୀଙ୍କର ମୁହଁ ଲାଲ ପଡ଼ିଗଲା ।

 

ଜଣେ ପଦାଧିକାରୀ ମନୋଜ ପାଖକୁ ଆସି ତା’ କାନ ପାଖରେ ଫୁସ୍ ଫୁସ୍ କରି କଅଣ କହିଲେ ।

 

ମନୋଜ କିନ୍ତୁ ବିନମ୍ର ଭାବରେ ତାଙ୍କୁ କହିଲା - ସାମ୍ବାଦିକ ସମ୍ମିଳନୀ ଡାକିଲେ ପ୍ରସ୍ତୁତ ହୋଇ ଆସିବା ଉଚିତ । ମନ୍ତ୍ରୀ ଯାହା କହିଛନ୍ତି ତାହା ଅପେକ୍ଷା ଅଧିକ ତଥ୍ୟ ଅଛି ମୋ ପାଖରେ ।

 

ପଦାଧିକାରୀ ନିରାଶ ହୋଇ ଫେରିଗଲେ ନିଜର ଆସନକୁ ।

 

ଆଉ ଜଣେ ସାମ୍ବାଦିକ କହିଲେ - ଅନୁସନ୍ଧାନ ଶେଷ ହେଲେ ଆଉ ଥରେ ଡାକିବେ ଆମକୁ । ସେଥର କିନ୍ତୁ ଗେଷ୍ଟ ହାଉସ୍‌ରେ ନୁହେଁ, ‘କୋଣାର୍କ କିମ୍ବା ସ୍ୱସ୍ତି’ରେ ।

 

ମନ୍ତ୍ରୀ ହସିଲେ । ସମ୍ମତି ଦବାର ଅମାୟିକ ହସ ।

 

ମନୋଜ କହିଲା - ପାରାଦୀପରେ ମଧ୍ୟପ୍ରାଚ୍ୟ ଦେଶମାନଙ୍କରୁ ସୁନା ଆଣି ଚୋରା କାରବାର କରୁଥିବା ବିଷୟରେ କେତେଦିନ ହେବ ସରକାରଙ୍କ ଦୃଷ୍ଟିକୁ ଆସିଛି ?

 

ମନ୍ତ୍ରୀ ପଦାଧିକାରୀଙ୍କ ସହିତ ପରାମର୍ଶ କଲେ କିନ୍ତୁ କୌଣସି ସଠିକ ବିବରଣୀ ଦେଇପାରିଲେ ନାହିଁ ।

 

ମନୋଜ ନମ୍ରତାର ସହିତ କହିଲା - ସାର୍‌, ଇଏବି କଅଣ ଅନୁସନ୍ଧାନ ସାପେକ୍ଷ... ।

ମନ୍ତ୍ରୀ ଅସ୍ୱସ୍ତୀ ଅନୁଭବ କରୁଥିବାର ସ୍ପଷ୍ଟ ସୂଚନା ପାଇଲେ ସମସ୍ତେ ।

 

ସାମ୍ବାଦିକ ସମ୍ମିଳନୀ ଅପ୍ରତ୍ୟାଶିତ ଭାବରେ ସମାପ୍ତ ହେବାର ଘୋଷଣାକରି ମନ୍ତ୍ରୀ ମହୋଦୟ କହିଲେ ଯେ ଏକ ବିଶେଷ ଜରୋରୀ କାର୍ଯ୍ୟ ଥିବାରୁ ସେ ଚାଲିଯିବାକୁ ବାଧ୍ୟ ହେଉଥିବାରୁ ଦୁଃଖିତ । କିନ୍ତୁ ଅନୁସନ୍ଧାନ ଶେଷ ହେଲେ କେବଳ ପାରାଦୀପରେ ନୁହେଁ ସମଗ୍ର ଓଡ଼ିଶା ଉପକୂଳରେ ଘଟୁଥିବା ସୁନା ଓ ନିଶା ଦ୍ରବ୍ୟର ଚୋରା କାରବାର ସମ୍ପର୍କରେ, ସାମୁଦ୍ରିକ ଜୀବ ଏବଂ ଅନ୍ୟାନ୍ୟ ଦ୍ରବ୍ୟର ଚୋରା କାରବାର ସମ୍ପର୍କରେ ମଧ୍ୟ ପୂର୍ଣ୍ଣ ବିବରଣୀ ସରକାର ଜଣାଇ ଦେବେ ସାମ୍ବାଦିକମାନଙ୍କୁ । ଆବଶ୍ୟକ ବିଷୟବସ୍ତୁର ଗୁରୁତ୍ୱ ଦୃଷ୍ଟିରୁ ଏକ ଶ୍ୱେତପତ୍ର ପ୍ରକାଶ କରିବା ବିଷୟରେ ମିଳିଥିବା ପ୍ରସ୍ତାବକୁ ମଧ୍ୟ ଗୁରୁତ୍ୱର ସହିତ ସରକାର ବିଚାର କରିବେ ।

 

ସାମ୍ବାଦିକ ସମ୍ମିଳନୀ ଶେଷ ହେଲା । ତା’ ଆଗରୁ ଶେଷ ହୋଇଥିଲା ପେଷ୍ଟ୍ରିଜ୍‌, କାଜୁ ବାଦାମ, କଲିକତିଆ ସନ୍ଦେଶ, ଚିକେନ୍‌ ରୋଲ ଏବଂ କଫି ।

 

ମନୋଜ ସମ୍ମିଳନୀ କକ୍ଷରୁ ବାହାରି ଆସିଲାବେଳେ ସ୍ୱଗତୋକ୍ତି କଲା ସମୟର ଅପଚୟ ବ୍ୟତୀତ ଅନ୍ୟ କିଛି ନୁହେଁ ।

 

କିଛି ସମୟ ଆଉ ଜଣେ ବନ୍ଧୁଙ୍କ ଘରେ ଅତିବାହିତ କରି ସେ ସିଧା ଚାଲି ଆସିଲା ସ୍ୱସ୍ତିକୁ - ସରକାରୀ ପଇସାରେ ନୁହେଁ ନିଜ ପଇସାରେ ଡିନାର ଖାଇବା ପାଇଁ ।

 

ଇଚ୍ଛା କରିବି ସୁମତି ପାଖରୁ ମୁକ୍ତି ପାଇ ପାରୁନି ମନୋଜ । ତାଙ୍କ ଘରେ ରହିବା ସମୟରେ ଦୁହିଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତ୍ୱ ଯେମିତି ଗଢ଼ି ଉଠେ ସହପାଠୀମାନଙ୍କ ମଧ୍ୟରେ-। ନିର୍ମଳ ବନ୍ଧୁତ୍ୱ । ଅନ୍ୟକିଛି ନୁହେଁ । ସେ ନିରାକାର ବାବୁଙ୍କ ଘର ଛାଡ଼ିଲାଣି । ଏଇ ଆଠବର୍ଷ ହେବ ସୁମତି ସହିତ ନିୟମିତ ଭାବରେ ସାକ୍ଷାତ୍‍ ହୋଇ ନାହିଁ । ସମ୍ପର୍କର ପ୍ରସାରଣ ମଧ୍ୟ ଘଟିନି । କିନ୍ତୁ ହଠାତ୍ ସେଦିନ ହୋଟେଲ ସ୍ୱସ୍ତିରେ ଡିନାର ଖାଇବାବେଳେ ତାହାରି ଟେବୁଲର ଗୋଟିଏ ଚୌକୀ ଦଖଲ କରି କହିଲା ସୁମତି - ଚିହ୍ନିବାରେ ଭୁଲ ହେବାର କଥା ନୁହେଁ, କିନ୍ତୁ ଏ ଭିତରେ ତୁମେ ଆଦୌ ବଦଳିନ ମନୁଭାଇ ।

 

ମନୋଜ ମୁହଁ ଉପରେ ହସ ଖେଳାଇ କହିଲା - ଅଇଁଠା ହାତଟା - ଏଇ ଖାଇବାକୁ ଆରମ୍ଭ କରିଛି - ତୁ ଆଗ କହିଦେ କଅଣ ଖାଇବୁ – ତା’ପରେ ଗପିବା ।

 

ବୟକୁ ଡାକି ସେଇ ମେନୁ ଆଉ ଜଣକ ପାଇଁ ଆଣିବାକୁ କହିଲା ମନୋଜ ।

ସୁମତି କହିଲା - କିମିତି ଦୀର୍ଘ ଦିନର ବନବାସ ପରେ ଚମକାଇ ଦେଲି ଦେଖିଲ !

 

ମନୋଜ କହିଲା - ଅତି ଭଲ ଲାଗୁଚି ତୋତେ ଦେଖି । ଏ ଭେରି ପ୍ଲିଜାଣ୍ଟ ସରପ୍ରାଇଜ୍-!

 

ସୁମତି କହିଲା - ତୁମେ କିନ୍ତୁ ଆଦୌ ବଦଳିନ । ଏ ଭିତରେ ବାହା ହୋଇନ ବୋଧହୁଏ... ?

 

ମ୍ଳାନ ହସି କହିଲା ମନୋଜ - ସମୟ ପାଇନି । ବାହା ହୋଇଥିଲେ ତୁ ଖବର ପାଇ ଥାଆନ୍ତୁ ନିଶ୍ଚୟ ।

 

- ବିବାହିତ ପୁରୁଷମାନଙ୍କୁ ଚିହ୍ନିବାରେ ବିଳମ୍ବ ହୁଏନି ।

- ଠକିଯିବାର ଭୟ ବି ତ ଅଛି ।

 

- ମନା କରୁନି । ତଥାପି ଜାଣିହୁଏ । ଯେମିତି ମୁହଁ ଚାହିଁ ଜାଣିହୁଏ ଜଣେ ଝିଅ ବାହା ହୋଇଚି କି ନାହିଁ ।

 

- ତୋ ଆଖିରେ ସେଦିନ ବି ଧୂଳି ଦେଇପାରି ନ ଥିଲି ଆଜି ବି ପାରିବିନି ।

ବିଜୟିନୀର ହସ ହସିଲା ସୁମତି ।

- କଅଣ ସବୁ କରୁଛ ଆଜିକାଲି ? ପଚାରିଲା ସେ ।

- ସେଇ ସାମ୍ବାଦିକତା.... ।

 

- ଡରଲାଗେ ଜର୍ଣ୍ଣାଲିଷ୍ଟମାନଙ୍କ ସହିତ ବସିବା ପାଇଁ । ଆଜିକାଲି ସବୁ ଖବର ତ ବାହାରି ପଡ଼ୁଚି କାଗଜରେ । ବ୍ୟକ୍ତିଗତ ବିଷୟ ବୋଲି ଆଉ କିଛି ରହୁ ନାହିଁ ।

 

- ନା, ସେ ଭୟ ନାହିଁ, ଆଇ ଡୁ ନଟ୍ ହିଟ୍ ଏଟ୍ ବିଲୋ ଦି ବେଲ୍‌ଟ... ।

- ଏଇ ପାଖରେ ରହୁଛ ପରା ?

 

- ହଁ ! ସେଣ୍ଟ୍ରାଲ ବ୍ୟାଙ୍କ ପଛରେ । କିନ୍ତୁ ତୋ କଥା କହିଲୁନିତ କିଛି । ସେଇ ବରଷକ ତଳେ ଯାଇଥିଲି ତା’ପରେ ଆଉ ସମୟ ହୋଇନି ।

 

- ଇଚ୍ଛା କରିନ, ନ ହେଲେ ସମୟ ପାଇ ଥାଆନ୍ତ ନିଶ୍ଚୟ ।

- ତୋ କଥା କହି ଯା

 

- ଶୁଭଙ୍କର ମୋ ପଛରେ ଗୋଡ଼େଇ ଥିଲା, ମୁଁ କିନ୍ତୁ ତାକୁ ସଫା ସଫା କହି ଦେଇଛି ମାୟା ମିରିଗ ପଛରେ ନ ଗୋଡ଼େଇବା ପାଇଁ ।

 

- ଆହା ! ସେ ବିଚରା କଷ୍ଟ ପାଇଥିବ ମନରେ ।

- କିନ୍ତୁ ମୋର ଦୋଷ ନାହିଁ ମନୁଭାଇ । ସେ ନିହାତି ନୀଚ ପ୍ରକୃତିର...

- ଅନଫରଚୁନେଟ୍‌ ।

 

- ମୁଁ ବି ସେୟା ଭାବେ । ଜୀବନ ପରି ବୈବାହିକ ଜୀବନର ସଫଳତା ବି ନିର୍ଭର କରେ ଆଡ଼ଜଷ୍ଟମେଣ୍ଟ୍‍ ଏବଂ ଆକୋମୋଡ଼େସନ ଉପରେ । ସେ କିନ୍ତୁ ବାହା ନ ହୋଇ ବାହାହବାର ସୁଆଦ ଚାଖିବାକୁ ଚାହୁଁଥିଲା... ।

 

- ଛି,ଛି... ।

 

ସେ ରାଜି ହେଲାନି । ସେ ଚାହୁଁଥିଲା ଟୋଟାଲ ସରେଣ୍ଡର । ମୋ ପରି ଝିଅ ପକ୍ଷରେ ତାହା ସମ୍ଭବ ହେଲାନି । ସର୍ବସ୍ୱ ନ ପାଇ ମୋର ସର୍ବସ୍ୱ ଦେଇଥାଆନ୍ତି କାହିଁକି ଯେ... । ତଥାପି ସନ୍ତୁଷ୍ଟ ନ ହୋଇ ସେ ଚାହୁଁଥିଲା ଯେ ମୋର ବ୍ୟକ୍ତିତ୍ୱ ବୋଲି କିଛି ରହିବ ନାହିଁ, ସେ ଯାହା କହିବ, ଯାହା କରିବ ମୁଁ ସବୁ ଗ୍ରହଣ କରିଯିବି ନିର୍ଦ୍ୱନ୍ଦ୍ୱରେ । ତୁମେ କୁହ ଏହା ସମ୍ଭବ ? ଦୁଇଜଣ ଯେତେବେଳେ ରୂପ, ସ୍ୱଭାବ ଓ ଚରିତ୍ରରେ ଏକାପରି ନୁହଁନ୍ତି, ପ୍ରତ୍ୟେକ କାର୍ଯ୍ୟରେ କିପରି ଦୁହେଁ ସମାନ ମତ ପୋଷଣ କରିବେ । ମୋତେ ଯଦି କ୍ଲାସିକାଲ ମ୍ୟୁଜିକ୍ ଭଲ ଲାଗିଲା, ତୁମକୁ ଲାଇଟ୍ ମ୍ୟୁଜିକ୍ ଭଲ ଲାଗିପାରେ । ଏତିକି ଉଦାରତା ଜଣେ ଆଶା କରିବନି ଜୀବନରେ ?

 

- ଦୁର୍ଭାଗ୍ୟର ବିଷୟ । ଅଥଚ ଶୁଭଙ୍କର ଏଭାରେଜ ନୁହେଁ ବ୍ରିଲିଏଣ୍ଟ ଥିଲା ଛାତ୍ର ଭାବରେ । ଏବେବି କାର୍ଯ୍ୟ କ୍ଷେତ୍ରରେ ତା’ର ସଫଳତା ଶୁଣିବାକୁ ପାଏ ।

 

- ନୋ ଡାଉଟ୍ ଏବାଉଟ୍‌ ଇଟ୍ । ନିଃସନ୍ଦେହରେ ମୁଁ କହିପାରେ ଯେ ବିଦ୍ୟା ଓ ବୁଦ୍ଧିରେ ତା’ପରି କମ ଲୋକଙ୍କୁ ଦେଖିଚି ମୁ୍ଁ । ଲାବୋରେଟରୀରେ କାମ କଲାବେଳେ ସେ ଅସାଧାରଣ । କିନ୍ତୁ ଅତି ସାଧାରଣ କଥା ବୁଝିପାରିଲାନି ସେ.... । ସେ ମୋତେ ଠକିନି ଯେ ନିଜେ ଠକିଗଲା ।

 

- ତୋ କଥା ଶୁଣି ମୋତେ ଦୁଃଖ ଲାଗୁଚି ସୁମତି । ଆଉଥରେ ଚେଷ୍ଟାକରି ଦେଖିଲେ ହୁଅନ୍ତାନି । କ୍ୟାନ୍ ଆଇ ଟେକ୍ ଏ ହ୍ୟାଣ୍ଡ ଇନ୍ ଇଟ୍‌...ଅବଶ୍ୟ ତୁ ଯଦି ରାଜି ମୁଁ ଚେଷ୍ଟାକରି ଦେଖିପାରେ ।

 

- ହାଣ୍ଡି ପରି ମନ ଥରେ ଫାଟିଲେ ଆଉ ଯୋଡ଼ି ହୁଏନି ମନୁଭାଇ । ହୃଦୟର କଥା ଇଏ । ଯାହା ଯାଇଛି - ସବୁଦିନ ପାଇଁ ଯାଇଛି - ଆଉ ଫେରିଆସିବ ନାହିଁ । ଲିଭ୍ ଇଟ୍ ଆଟ୍ ଦ୍ୟାଟ୍... ।

 

ପ୍ରନ୍ କକ୍‌ଟେଲ ଦେଇଗଲା ବୟ । ଦୁହେଁ ଖାଇବାକୁ ଆରମ୍ଭ କଲେ । ସୁମତି କହିଲା, ମୋର ମେନୁ ତୁମର ମେନୁ ହେଲା କିପରି ?

 

- ଏକ୍‌ସିଡ଼େଣ୍ଟାଲ ନିଶ୍ଚୟ

 

- ନା, ଇମିତି ହୁଏ । ବେଳେବେଳେ ଆକସ୍ମିକତା ଭିତରେ ଇଚ୍ଛା ବି ପ୍ରତିଫଳିତ ହୁଏ ଯଦି ପରସ୍ପର ସମାନ ୱେଭ ଲେଙ୍ଗଥ୍‌ରେ ଥାଆନ୍ତି ।

 

- ଏତେ ପାଖରେ ଥାଇ ବି ଏତେ ଦୂରେଇ ଗଲ ମନୁଭାଇ ?

- ଅନେକ କାମ । ସମୟ ହୁଏନି... ।

- ମିଛ କଥା । ମୋ ପାଖରେ କଅଣ କିଛି କାମ ନାହିଁ ତମର ?

- ଅଛି ସୁମତି କିନ୍ତୁ..

- ରହିଗଲ ଯେ.. କହିଯାଅ ।

- ତୁ ବଦଳି ନାହୁଁ ଆଦୌ .. ଆଗପରି ରହି ଯାଇଛୁ ... ।

- ମଣିଷ ଏତେଶୀଘ୍ର ବଦଳି ପାରେନି ମନୁ ଭାଇ ।

 

- କିନ୍ତୁ ପୃଥିବୀ କ୍ଷିପ୍ର ଗତିରେ ବଦଳୁଚି ସୁମି । ଆଡ଼ଜଷ୍ଟ କରି ଚଳିବାକୁ ହୁଏ । ଏପରି ସାହସ ପାଇଁ ପ୍ରଶଂସା ନ କରି ରହିପାରୁନି । କିନ୍ତୁ ମୋତେ ଏବେବି ଲାଗୁଛି ଯଦି ତମେ ଦୁହେଁ ଏକତ୍ର ରହି ପାରିଥାଆନ୍ତ ।

 

ଦୀର୍ଘ ନିଶ୍ୱାସ ଛାଡ଼ି କହିଲା ସୁମତି-ଦ୍ୟାଟ୍ ଇଜ୍ ଏ ଟ୍ରାଜେଡ଼ି ।

ପ୍ରନ୍ କକ୍‌ଟେଲ ପରେ ନନ୍‌, ରୋଷ୍ଟ୍‌ ଚିକେନ୍ ଏବଂ ପନୀର୍ ।

ତା’ପରେ ଫ୍ରୁଟ୍‌ସାଲାଡ଼୍ । ଶେଷରେ କଫି ।

 

ବିଲ୍‍ ଦେଇ ବାହାରକୁ ଆସି କହିଲା ମନୋଜ, ସେଥିପାଇଁ ଦୁଃଖ ଲାଗୁଛି ସୁମି । ମଣିଷ ଜୀବନରେ ଏଇ ଟ୍ରାଜେଡ଼ି ନ ଥାଆନ୍ତା କି ?

 

- ଟ୍ରାଜେଡ଼ି ଅଛି ବୋଲିତ କମେଡ଼ି ଏଡ଼େ ମନୋରଞ୍ଜକ ମନୁ ଭାଇ । ନ ହେଲେ ସବୁ ଯେପରି ଅସ୍ୱାଭାବିକ, କୃତ୍ରିମ ମନେହୁଅନ୍ତା, ନୁହେଁ ?

 

ମିଠାପାନ ଦୁଇଟା କିଣି ଗୋଟେ ସୁମତିକୁ ଦେଇ ଆଉ ଗୋଟେ ନିଜେ ନେଲା । ତା’ପରେ କହିଲା-ହଠାତ୍ ତୋ ସହିତ ଏଠାରେ ଦେଖା ହୋଇଯିବ ଭାବି ନ ଥିଲି ।

 

- ଡରି ଯାଇନ ନିଶ୍ଚୟ ?

- ନା,ନା... । ଗୋଟେ ଚାକିରି ଖୋଜୁ ଖୋଜୁ ଚାଲି ଆସିଥିଲି ଏଠାକୁ ।

- ଏଇ ହୋଟେଲରେ ?

ହଁ, ରିସେପ୍‌ସନ୍‌ରେ । କିନ୍ତୁ ସମସ୍ତେ ମନାକରୁଛନ୍ତି ଯେ...

- ଲେଟ୍‌ ଦ୍ୟାମ୍‌ ବାର୍କ୍‌ ଆର୍ ଗୋ ଟୁ ହେଲ୍ । ତୋ’ର ସେଥିରେ ଯାଏ ଆସେ କେତେ ।

- ତମ ମନକୁ ପାଇଛି ଯେତେବେଳେ ମୁଁ ଖୁସି ।

- ଆଇ ଏମ୍‌ ଏ ସ୍ମଲ ଫ୍ରାଇ... ମୋ କଥାର ବା ମୂଲ୍ୟ କେତେ ?

- ନା, ନା । ୟୁ ଆର୍‌ ଗ୍ରେଟ୍‌... ରିଏଲ ଗ୍ରେଟ୍‌... ।

- ଏଇନେ ଘରକୁ ଫେରିବୁ ? ପଚାରିଲା ମନୋଜ ।

 

- ଡିରେକ୍ଟରଙ୍କ ସହିତ ଦେଖା କରିବା ପାଇଁ ଚାଲିଆସିଥିଲି । ଫେରିବାବେଳେ ମୁହଁମାରି ଦେଇ କେହି ଚିହ୍ନା ପରିଚୟ ଅଛନ୍ତି କି ନାହିଁ ଦେଖିଯିବି ଭାବୁଛି ହଠାତ୍ ତୁମକୁ ବସିଥିବାର ଦେଖି ପଶି ଆସିଲି । ଏନ୍ ଇଭନିଂ ଟୁ ରିମେମ୍ବାର । ବହୁଦିନ ମନେ ରହିବ ଆଜିର ସଂଧ୍ୟା ।

 

- ତୋ କଥା ମନେରହିବ ଆହୁରି ବେଶୀଦିନ । ପ୍ରସାରଣଶୀଳତା ଦେଖାଇ କହିଲା ମନୋଜ ।

 

- ସତେ ! ମହମବତୀର ଦୃଷ୍ଟି ହାଣି କହିଲା ସୁମତି ।

- ତୋ ସହିତ କଥା ଅଛି ।

- କୁହ ।

- ବାହାରେ ବାହାରେ...

- ଯଦି ଗୋପନୀୟ ନୁହେଁ ଏଇଠି କହିବାରେ ଆପତ୍ତି ନାହିଁ ।

- ନା ଗୋପନୀୟ ବିଷୟ ।

- ଲାଉଞ୍ଜକୁ ଚାଲ । ଦୁହେଁ ଆସି ବସିଲେ ଲାଉଞ୍ଜରେ ।

ମନୋଜ କହିଲା-ତୋ’ର ସାହାଯ୍ୟ ଦରକାର ।

- ଆଇ ଆମ୍ ଏଟ୍‌ ଇଓର ଡିସପୋଜାଲ...ମୋଦ୍ୱାରା କଅଣ ହୋଇପାରିବ କୁହ ।

 

- ତୁ କେବଳ ଲକ୍ଷ୍ୟ ରଖିବୁ ମିଷ୍ଟର ରୋବେରୋ ଏବଂ ସୋରାବ ଖାଁ ଉପରେ । ସେମାନଙ୍କର ଏଇ ସପ୍ତାହରେ ଆସିବାର ଅଛି । ଏଇ ହୋଟେଲରେ ରହିବେ ସେମାନେ । ଇଣ୍ଟରନ୍ୟାସନାଲ୍‌ ସ୍ମଗଲର ସେ ଦୁହେଁ ।

 

-ତୁମେ ଯେଉଁମାନଙ୍କ କଥା କହୁଛ ସେମାନେ ବୁକିଂ କ୍ୟାନସେଲ କରି ସାରିଲେଣି । ଆଜି ଟେଲେକ୍‌ସ ଆସିଛି ବମ୍ବେରୁ ।

 

ଗୁଡ଼୍‍ ହେଭେନ୍‌ସ । ମୋର ସବୁ ପ୍ଲାନ ପଣ୍ଡ ହୋଇଗଲା । କିନ୍ତୁ ତୁ ଜାଣିଲୁ କେମିତି ଯେ ?

 

ମୁଁ ରିସେପ୍‌ସନରେ ବସିଥିବାବେଳେ ଟେଲେକ୍‌ସଟା ହଠାତ୍‌ ମୋ ଆଖିରେ ପଡ଼ିଯାଇଥିଲା ।

 

- ତୁ ଅନେକ ଚାଲାକ ହୋଇ ଗଲୁଣି ସୁମି । ତୁ ଟିକେ ସାହାଯ୍ୟ କର, ମୁଁ ସତରେ କୃତଜ୍ଞ ରହିବି ।

 

-ରେଷ୍ଟ ଏସିଓରଡ଼୍‍ ।

-କିନ୍ତୁ ଗୋପନୀୟ...ଷ୍ଟୀକ୍‍ଟଲି କନଫିଡ଼େନସିଆଲ୍‌...

-ଓ କେ ।

 

ଆଜି ତା’ହାଲେ ଏତିକି...ମନେରଖିବୁ । ଆଉ ଯଦି ଚାକିରିଟା ପାଇଯାଏ ଆହୁରି ସୁବିଧା ହେବ । ଏଥର ବିଦାୟ ନେବାର ବେଳ... ।

 

- ହଁ କିନ୍ତୁ ଲିଫ୍‌ଟ ଦବନି ମୋତେ !

- କ୍ଷମା କରିବୁ, ମୁଁ ଭୁଲି ଯାଇଥିଲି ।

ସ୍କୁଟର ପଛରେ ବସିଲା ସୁମତି ।

ସ୍କୁଟର ଷ୍ଟାଟ୍‌କରି ରାଜଭବନ ଆଡ଼କୁ ଅଗ୍ରସର ହେଲା ମନୋଜ ।

 

ଆସେମ୍ଳି ଛକରେ ଡାହାଣକୁ ମୋଡ଼ ଭାଙ୍ଗି ପାଣି ଟାଙ୍କି ପଛରେ ଗୋଟିଏ ଛୋଟ ଫ୍ଲାଟ୍‍ ଆଗରେ ଓହ୍ଲାଇଲେ ଦୁହେଁ ।

 

- ଭିତରକୁ ଆସିବନି ? କହିଲା ସୁମତି ।

- ନା, ଆଜି ଥାଉ, ଆଉ ଦିନେ ।

- ଆଉ କେହି ଅପେକ୍ଷା କରୁଥିବ, ନୁହେଁ ? ଦୁଷ୍ଟାମୀ ହସ ହସ ପ୍ରଶ୍ନ କଲା ସୁମତି ।

- ସେ ସୁଯୋଗ ଆସୁ ମୁଁ ନିଜେ କହିବନି, କହିଲା ମନୋଜ ।

 

ସୁମତି ଶୁଭରାତ୍ରୀ ଜଣାଇ ଘରଭିତରେ ଅଦୃଶ୍ୟ ହୋଇଯିବା ପରେ ସ୍କୁଟର ଷ୍ଟାର୍ଟ କଲା ମନୋଜ ।

 

ଶ୍ରୀଲେଖା ଘରକୁ ଫେରିବା ବାଟରେ ନିଜର ବଦଳି ବିଷୟରେ ଶୁଣିଲା ଆଉ ଜଣେ ଅଧ୍ୟାପକଙ୍କ ପାଖରୁ ।

 

ସ୍ୱାମୀଙ୍କର ଚାକିରି ଯିବା ପରେ ପରେ ସୁଦୂର କୋରାପୁଟକୁ ତା’ର ବଦଳି ତାକୁ କେବଳ ବିମର୍ଶ କରିଦେଲା ତାହା ନୁହେଁ ସେ ହତାଶାରେ ଭାଙ୍ଗ ପଡ଼ିଲା ପ୍ରାୟ ।

 

ବସାରେ ପହୁଞ୍ଚିବାବେଳକୁ ସଂଧ୍ୟା ହୋଇ ସାରିଥାଏ । ଶୀତଦିନର ଖରା ପୋହିବା ପାଇଁ ପିଣ୍ଡାରେ ଚୌକି ପକେଇ ସେ ଯେ ବସିଥିଲା ସ୍ୱଦେଶ, ଭିତରକୁ ଯିବାକୁ ଆଉ ମନ ହୋଇନି, ବରଂ ନିଜର ଅସ୍ତିତ୍ୱ ଭୁଲି ଶୂନ୍ୟଦୃଷ୍ଟିରେ ବସି ରହିଛି ସେଇ ଗୋଟିଏ ସ୍ଥାନରେ । ପୃଥିବୀ ଯେ ଗୋଟିଏ ବିନ୍ଦୁରେ ଅଟକି ନ ରହି ଘୂରୁଛି ନିଜର କକ୍ଷ ଚାରିପାଖରେ ଏହି ନିର୍ମମ ସତ୍ୟଟି ନ ଜାଣିବା ପରି ଅସହାୟ ଭାବରେ ବସିଥିଲା ସ୍ୱଦେଶ ଦାସ ।

 

ଏହି ଦୁଃସମ୍ବାଦ ଶୁଣିଲେ ସ୍ୱାମୀ ଆହୁରି ଭାଙ୍ଗି ପଡ଼ିବେ ଏଇ ଭୟରେ ସେ କିଛି ନ କହି ଘରଭିତରକୁ ପ୍ରବେଶ କଲାବେଳେ ପଚାରିଦେଲା ସ୍ୱଦେଶ - ଇମିତି ବିଷର୍ଣ୍ଣ ଦିଶୁଚ ଯେ.....ଆଉ କିଛି ଅଶୁଭ ଖବର ଶୁଣିଲ ନା’ କଅଣ ?

 

ହଠାତ୍‌ ବଦଳି ଖବରଟା ଦେବାକୁ ସାହସ ହେଲାନି ଶ୍ରୀଲେଖାର । ‘ଯାହାର ପୁଅକୁ ସାପ କାମୁଡ଼େ ତା’ର ମା’ ପାଳବିଣ୍ଡା ଦେଖିଲେ ଡରେ’ ପରି କଥାଟା । ନିଜର ଚାକିରି ଯିବା ପରେ ସ୍ୱଦେଶ ଇମିତି ଭାଙ୍ଗି ପଡ଼ିଛି ଯେ ତାକୁ ଦେଖିଲେ କେହି କହିବ ନାହିଁ ଯେ ବତିଶ ବର୍ଷର ଯୁବକ ଜଣେ । ବୟସ ବଢ଼ିଯାଏ ସଙ୍କଟ ପଡ଼ିଲେ ।

 

ନିମ୍ନମଧ୍ୟବିତ୍ତ ପରିବାରରୁ ଆସିଚି ସ୍ୱେଦେଶ । ଜୀବିକାର୍ଜନର ଅବଲମ୍ବନଟି ତା’ ପକ୍ଷରେ ଅନେକ ବଡ଼ । ସେତକ ନ ଥିଲେ ସେ ମର୍ତ୍ତ୍ୟ କି ସ୍ୱର୍ଗ କାହାରି କଳ୍ପନା କରିପାରେନା । ଅନ୍ଧାର ଦିଶେ ଆଲୋକିତ ପୃଥିବୀ । ଜମି ବିକ୍ରି କରି ବାପା ପଢ଼ାଇଥିଲେ ତାକୁ ବିଶ୍ୱବିଦ୍ୟାଳୟରେ ଏଇ ଆଶାରେ ଯେ ସେ କେବଳ ନିଜ ଗୋଡ଼ରେ ଠିଆ ହେବ ତାହାନୁହେଁ, ମାଟିକୁ ଆଶ୍ରୟ କରି ଦୁଃଖ ଓ ଦାରିଦ୍ର୍ୟ ଭିତରେ କାଳାତିପାତ କରୁଥିବା ବଂଶକୁ ଉଦ୍ଧାର କରିବ ଅଭିଶାପରୁ ।

 

ସ୍ୱଦେଶ କାହିଁକି କେଜାଣି ନିଶ୍ଚିନ୍ତ ହୋଇ ବସିପାରିଲା ନାହିଁ । ନୀରବତାହିଁ ସମ୍ମତିର ଲକ୍ଷଣ ବୋଲି କହନ୍ତି ପଣ୍ଡିତମାନେ । ଶ୍ରୀଲେଖା ଯେଉଁ ପ୍ରଶ୍ନର ଉତ୍ତର ନ ଦେଇ ଚାଲିଗଲା ଘର ଭିତରକୁ ସେଇ ପ୍ରଶ୍ନଟା ନାଗ ସାପ ପରି ଫଣା ଉଠେଇ ଚାହିଁଚି ତାହାରି ଆଡ଼କୁ । ଦଂଶିବ କି ଆଉ ? ସ୍ଥିର ହୋଇ ବସି ନ ପାରି ପଛେ ପଛେ ଭିତରକୁ ଗଲା ସେ । ତାହାରି ଦୁଃଖରେ ଶ୍ରୀଲେଖା ବି ଭାଙ୍ଗି ପଡ଼ିଚି । ନିଜକୁ ସାନ୍ତ୍ୱନା ବା ସାହସ ଦେଇପାରେନି ସ୍ୱଦେଶ, ସ୍ତ୍ରୀକୁ ଅଭୟବାଣୀ ଶୁଣାଇବ କୋଉ ଦମ୍ଭରେ ।

 

ଶ୍ରୀଲେଖା ସିଧା ଯାଇ ଶୋଇପଡ଼ିଲା ଖଟଉପରେ । ସ୍ୱଦେଶ ତା’ ପାଖରେ ବସି ପଡ଼ି ତା’ ଦେହ ଉପରେ ହାତ ରଖି କହିଲା ନିରୁତ୍ତାପ କଣ୍ଠରେ - କଅଣ ହେଲା ? ଦେହ ଖରାପ ଲାଗୁଚି ।

 

ମୁଣ୍ଡ ବିନ୍ଧୁଛି.....ସତ ନ କହି ମିଛ କହିଲା ଶ୍ରୀଲେଖା ।

- ଉପରକୁ ମୁହଁକର, ଅମୃତାଞ୍ଜନ ଲଗାଇ ଘଷିଦିଏ ଟିକେ । କହିଲା ସ୍ୱଦେଶ ।

- ନା ଥାଉ...

ମୁହଁ ବୁଲାଇ ଶୋଇଲା ସେ ।

 

ସ୍ୱଦେଶ ଉଠିପଡ଼ି କହିଲା – ଚା’ କରି ଆଣୁଚି, ଚା’ ଟକେ ପିଇଲେ ହୁଏତ ଭଲ ଲାଗିବ-। ଦିନଯାକର ପରିଶ୍ରମ ଯାଇଚି ଦେହରେ ।

 

ମନା କଲାନି ଶ୍ରୀଲେଖା । ଖାଲି ଭାବୁଥିଲା କିମିତି କହିବ ସ୍ୱାମୀଙ୍କୁ ତା’ର ବଦଳି କଥା-

 

ସ୍ୱଦେଶ ଚା’ କରି ଆଣିଲା ।

- ଶ୍ରୀଲେଖା ହଠାତ୍‌ କହି ପକେଇଲା- କୋରାପୁଟ କେବେ ଯାଇଚ ?

- ନା, ହଠାତ୍‌ କୋରାପୁଟ ମନେପଡ଼ିଲା କାହିଁକି ଯେ.....

-ସେଇଠିକି ବଦଳି ହୋଇଚି ମୋର.....

 

ଚା’ କପଟା ମୁହଁ ଆଗରେ ଅଟକି ଗଲା, ଚା’ ପିଇ ନ ପାରି ସ୍ତବ୍‌ଧ ହୋଇ ବସି ରହିଲା ସ୍ୱଦେଶ । ଏପରି ଗୋଟେ କିଛି ଦୁଃସମ୍ବାଦ ଶୁଣିବ ବୋଲି ସକାଳଠାରୁ ଆଶଙ୍କା କରୁଥିଲା ସେ ।

 

ଶ୍ରୀଲେଖା କହିଲା - ଅର୍ଡ଼ର ବାହାରିଚି ବୋଲି ପ୍ରଫୁଲ୍ଲ ବାବୁ କହୁଥିଲେ ଆଖିରେ ଦେଖିନି ।

 

- ସତ ହୋଇ ନ ଥିଲେ ସେ କହନ୍ତେ କାହିଁକି ଯେ...

- ସତ ହୋଇଥିବ !

 

- ଥରେ ଦୂରକୁ ଚାଲିଗଲେ ମୋ ହାତଖାଲି ରହିଯିବ ସୁବଦିନ । ଏଠାରେ କିଛି ଉପାୟ ଚିନ୍ତା କରି ହୁଏ, ପାଞ୍ଚଜଣଙ୍କ ସାଙ୍ଗରେ ଦେଖାକରି କିଛି ଗୋଟେ କରିବା ପାଇଁ ଅନୁରୋଧ କରିହୁଏ । କିନ୍ତୁ କୋରାପୁଟ ଯାଇ ନିର୍ବାସନ ଦଣ୍ଡ ଭୋଗିବା ଛଡ଼ା ଆଉ କଅଣ ?

 

- ଆଉ ଉପାୟ କଅଣ ? ନ ଯାଇ ଏଇଠି ବସି ରହିଲେ ଗୋଟିଏ କୂଳ ତ ଯାଇଛି, ଦ୍ୱିତୀୟ ବି ବିପନ୍ନ ହେବ ଯେ..... ।

 

ହଠାତ୍‌ ରାଗି ଯାଇ କହିଲା ସ୍ୱଦେଶ - ତୁମେ ଯଦି ମନ ସ୍ଥିର କରିସାରିଛ ଏତେ ବିମର୍ଷ ଦିଶୁଚ କାହିଁକି, ମୋତେ ବା ଶୁଣାଉଥିଲ କାହିଁକି ? ତୁମର ବଦଳି ହୋଇଚି, ବାହାରିପଡ଼ କାଲି । କୋରାପୁଟରେ ଅନେକ ବନ୍ଧୁ ଅପେକ୍ଷା କରୁଚନ୍ତି ତୁମକୁ .......

 

ତା’ର ଶେଷ ପଦକ କଥା ଶୁଣି ଦପ୍‌କରି ଜଳି ଉଠିଲା ଶ୍ରୀଲେଖା ।

- ମୋତେ କେହି ଅପେକ୍ଷା କରିନି କରିଚି ତୁମକୁ । ଦୃପ୍ତକଣ୍ଠରେ କହିଲା ସେ ।

 

ସ୍ୱଦେଶ କହିଲା - ବେକାରକୁ କେହି ଯେ ଅପେକ୍ଷା କରନ୍ତିନି ତୁମେ ଜାଣ । ତା’ ପରେ କୋରାପୁଟକୁ ମୁଁ ଯିବି କାହିଁକି ? ତୁମେ ଏକା ଯାଅ ...... ।

 

- ମୋତେ ବାହା ହୋଇଥିଲ କାହିଁକି, ଏକା ରହିଲ ନାହିଁ ?

- ଏକା ମୁଁ ବାହା ହୋଇ ନ ଥିଲି ।

 

- ମାନୁଚି । ମୁଁ ବି ବାହା ହୋଇଥିଲି । କିନ୍ତୁ ଆଜି ମୋତେ ଏକା ଛାଡ଼ି ତମେ ଅଧାବାଟରେ ଅଟକି ଯିବ ?

 

- ମୁଁ ବେକାର, ତୁମର ବୋଗଚା ବୋହି ଚାଲିଥିବି ସବୁକାଳ...ଆଉ କିଛି କରିବି ନାହିଁ-?

- ମୁଁ କହିଲି ସେ କଥା... । ଆଖିରୁ ଲୁହ ପୋଛି କହିଲା ଶ୍ରୀଲେଖା ।

 

- ଆଉ କଅଣ କହନ୍ତ ଯେ... । ତୁମେ ରହିବ ତୁମର ଚାକିରି ନେଇ । ମୁଁ କାହାକୁ ନେଇ ରହିବି... ?

 

- ତୁମେ ଚାକିରି କରିଥିଲେ, ମୁଁ କିଛି କରି ନଥିଲେ ମୁଁ କାହାକୁ ନେଇ ରହନ୍ତି ? ପୃଥିବୀର ଏତେ ଲୋକ କିମିତି କାହାକୁ ନେଇ ରହନ୍ତି !

 

- ତୁମ କଥା ଅଲଗା । ତୁମେ ସ୍ତ୍ରୀ, ମୁଁ ପୁରୁଷ... ।

 

- ଏଥିଇ ପାଇଁ ସ୍ତ୍ରୀ ପୁରୁଷ ସବୁକ୍ଷେତ୍ରରେ ସମାନ ବୋଲି ସେଦିନ କଲେଜରେ ଭାଷଣ ଦେଉଥିଲ ?

 

- କହିବା କଥା କହୁଥିଲି ..... ।

ଯାହା କୁହ ତାହା କାର୍ଯ୍ୟରେ କରିବାକୁ ଏତେ କୁଣ୍ଠା କାହିଁକି ?

- ତୁମେ ଯାହା କହିଲେ କହୁଥା ପଛକେ ମୁଁ ଆଦୌ କୋରାପୁଟ ଯିବି ନାହିଁ ।

- ମୁଁ ଏକା ଏକା ଯିବି ?

- ଆଉ କେହି ଥିଲେ ଡାକିନିଅ ସାଙ୍ଗରେ ।

 

- ବାରମ୍ବାର ସେଇ ଗୋଟେ କଥା ଉପରେ ଜୋର ଦେଉଛ କାହିଁକି ? ତୁମ ପଛରେ ଅନେକ ଗୋଡ଼େଇ ଥିଲେ, କିନ୍ତୁ ମୋର ଆଉ କିଏ ଅଛି ? ସମସ୍ତଙ୍କୁ ଛାଡ଼ି ତୁମ ପାଖକୁ ଆସିବାର ପ୍ରତିଦିନ କଅଣ ଏୟା ?

 

କୋହରେ ଭାଙ୍ଗିପଡ଼ିଲା ଶ୍ରୀଲେଖା । ସ୍ୱଦେଶ ଆଉ କିଛି ନ କହି ଦାଣ୍ଡକୁ ଚାଲିଗଲା । କିଛି ସମୟ ଫୁଲି ଫୁଲି କାନ୍ଦିଲା ଶ୍ରୀଲେଖା । ତା’ ପରେ ବାଥ୍‌ରୁମ୍‌କୁ ଯାଇ ମୁହଁହାତ ଧୋଇ ଲୁଗା ବଦଳାଇ ରୋଷେଇ ଘରକୁ ଗଲା । ମନ ନ ଥିଲା କିଛି ଖାଇବା ପାଇଁ । କିନ୍ତୁ ସେ ତ ଏକା ନୁହେଁ, ସ୍ୱଦେଶ ଅଛି । ଅଭିମାନରେ ଯାହା କହୁପଛେ ସେ ତା’ର ସ୍ୱାମୀ...ଇହକାଳ ପରକାଳର ଦେବତା... । ଆହା ! ତାଙ୍କର ଚାକିରି ଖଣ୍ଡକ ନ ଯାଇ ତା’ର ଚାକିରି ଖଣ୍ଡକ ଯାଇଥାଆନ୍ତା କି ! ସେ ପୁରୁଷ । ଦାଣ୍ଡରେ ବୁଲିବା ତାଙ୍କର କାମ । ସଂସାର ଚଳେଇବା ବି ତାଙ୍କର କାମ । କିନ୍ତୁ ସେ ଏଡ଼େ ହୀନକପାଳୀ ଯେ ଠିକ୍‌ ଓଲଟା ହୋଇଛି ତା’ଠାରେ । ସେ ଚାକିରି କରୁଚି । ତା’ର ମାନ ସମ୍ମାନ ଅକ୍ଷତ ଅଛି । ସ୍ୱଦେଶ କିନ୍ତୁ ବିଦ୍ୟାବୁଦ୍ଧି ଥାଇ ବି ବେକାର । ସେ ସ୍ତ୍ରୀର ଉପାର୍ଜନ ଉପରେ ନିର୍ଭରଶୀଳ । ବୋକଚାବୋହା ।

 

ଆଉ ଭାବି ନ ପାରି ଦାଣ୍ଡକୁ ଗଲା ଶ୍ରୀଲେଖା ସ୍ୱଦେଶକୁ ଖୋଜିବା ପାଇଁ ।

ସ୍ୱଦେଶ ଚୁପ୍‌କରି ବସିଥିଲା ବଉଳ ଗଛ ମୂଳେ ।

ଶ୍ରୀଲେଖା ଯାଇ ଛିଡ଼ା ହେଲା ପାଖରେ ।

 

ଏଇ ବଉଳ ଗଛକୁ ଭାରି ଭଲ ପାଏ ଶ୍ରୀଲେଖା । ବଉଳ ଫୁଲ ବି ତା’ର ଅତି ପ୍ରିୟ । ପିଲାଦିନେ ବଉଳ ବସିଥିଲା ଯାହା ସାଙ୍ଗରେ ତା’ ନାମ ସୁଲେଖିକା । ବାହା ହୋଇ ସ୍ୱାମୀ ସହିତ ଅଛି ବୋକାରୋରେ । ଦୁଇଟି ପୁଅ ଝିଅ । କେଡ଼େ ସୁନ୍ଦର ଚଳି ଯାଉଥିବେ ସେମାନେ, କେଡ଼େ ସୁଖରେ ଥିବେ ବଉଳ ଆଉ ତା’ର, ସ୍ୱାମୀ, ପୁଅ ଝିଅ..... ।

 

ମୋ ବଦଳରେ ତାଙ୍କର ଚାକିରି ଫେରାଇ ଦିଅ ଭଗବାନ । ମନେ ମନେ ପ୍ରାର୍ଥନା କଲା ଶ୍ରୀଲେଖା । କରଣ ଘର ଝିଅ ହୋଇ ସ୍ୱେଚ୍ଛାରେ ପ୍ରେମକରି ବ୍ରାହ୍ମଣଘରେ ବାହା ହୋଇଥିଲା ବୋଲି ବାପା ମା’ ଭାଇବନ୍ଧୁ ଭଗାରୀ ପରି ଦୂରେଇ ଯାଇଚନ୍ତି, ତା’ର ଦୁଃଖ ସୁଖର ଖବର ରଖନ୍ତି ନାହିଁ । ସେ ବି ଏକ ମୁହାଁ ଏକ ବସ୍ତ୍ରରେ ଛାଡ଼ି ବାହାରି ଆସିଥିଲା ଯେ ଆଉ ଫେରି ଚାହିଁନି । ସେମାନେ ଭଲରେ ଥାଆନ୍ତୁ, ଭଗବାନ ସେମାନଙ୍କର ମଙ୍ଗଳ କରନ୍ତୁ ।

 

ଶ୍ରୀଲେଖା କହିଲା - ଇମିତି ଅନ୍ଧାରଟାରେ ବସିଥିବ....ଆସ ଭିତରକୁ ଆସ... ।

 

ତାହାରି ପଦେ କଥା ଶୁଣିବା ପାଇଁ ବୋଧହୁଏ ଅପେକ୍ଷା କରୁଥିଲା ସ୍ୱଦେଶ । ସେ କହିଲା - ଚାଲ .... ।

 

ଦୁହେଁ ପୁଣି ଫେରି ଆସିଲେ ଘର ଭିତରକୁ । ଶ୍ରୀଲେଖା କହିଲା, ପରିବା ସରି ଯାଇଛି-। ଖାଲି ଆଳୁ ପୋସ୍ତ କରି ଦଉଛି । ଅସୁବିଧା ହବନି ତ ତମର ?

 

ସ୍ୱଦେଶ କହିଲା - ତୁମେ ଯାହା ପାରୁଛ କର....ତୁମ ହାତ ଲାଗିଲେ ସବୁ ସୁଆଦ ଲାଗିବ ।

 

ପୁଣି ସହଜ ସ୍ୱାଭାବିକ ହୋଇ ଆସିଲା ଶ୍ରୀଲେଖା ଓ ସ୍ୱଦେଶର ସଂସାର ।

 

ଭଡ଼ା ଘରେ ରୁହନ୍ତି ସେମାନେ । ଦୁଇବଖରା ଘର । ଆଜ୍‌ବେଷ୍ଟସ ଛାତ । ତିନିଶହ ଟଙ୍କା ଭଡ଼ା ମାସକୁ । ଦୁଇଜଣ ଚାକିରି କରୁଥିଲେ ବୋଲି ଚଳି ଯାଉଥିଲା । ସେ ସିନା ସରକାରୀ କଲେଜରୁ ଚାକିରିକରି ପୂରା ଦରମା ପାଏ କିନ୍ତୁ ସ୍ୱଦେଶ ପୂରା ଦରମା ପାଇବାର ପ୍ରାପ୍ତି ସ୍ୱୀକାର କରିପାଉଥିଲା ଅଧା ଦରମା । ସେଥିରୁ ପୁଣି କଲେଜ ଫଣ୍ଡକୁ ବାଧ୍ୟରେ ପଡ଼ି ମାସକୁ ଶହେ ଟଙ୍କା ଡୋନେସନ ଦବାକୁ ହେଉଥିଲା । ବାଧ୍ୟ ହୋଇ ଦେଉଥିଲେ ବି ସ୍ୱେଚ୍ଛାରେ ଦେଉଥିଲା ବୋଲି କହିବାକୁ ହେଉଥିଲା । ଘରକୁ ଆଣୁଥିଲା ମାତ୍ର ଚାରିଶହ ଟଙ୍କା । ଦୁହିଁଙ୍କର ଆୟ ନ ମିଶିଲେ ଟଙ୍କା ଘରଭଡ଼ା ଦେଇ ଘରକୁ ଦୁଇଶହ ଟଙ୍କା ପଠାଇବା ପରେ ଚଳିବାକୁ ନିଶ୍ଚୟ କଷ୍ଟହେବ ଜଣକର ଆୟରେ ।

 

ସ୍ୱଦେଶ ରୋଷେଇ ଘର ପିଣ୍ଡାରେ ବସି କହିଲା - କିମିତି ଚଳିବା ଯେ....ଆଉ କେତେଦିନ ଚଳିବା ଇମିତି....ବାପାଙ୍କ ବାତ ପୁଣି ବାହାରିଛି ଯେ କଷ୍ଟ ପାଉଛନ୍ତି ବୋଲି ଲେଖିଥିଲେ । କଟକ ଆଣି ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟଙ୍କୁ ଦେଖେଇଲେ ହୁଅନ୍ତା । କିନ୍ତୁ ସବୁ ଖର୍ଚ୍ଚ ସାପେକ୍ଷ... ।

 

ମୋ ପାଖରେ ଯାହା ଅଛି ସେଥିରେ ଚଳିଯିବ । ତୁମେ ବାପାଙ୍କୁ ଆଣି କବିରାଜଙ୍କୁ ଦେଖାଅ । କାଲି ବଡ଼ିଭୋରରୁ ବାହାରିଯାଅ ଗାଆଁକୁ.... ।

 

- ଏଣେ ତୁମରି ବଦଳି ।

 

- ବଦଳି ହୋଇଚି ବୋଲି ମୁହଁମାଡ଼ି ପଡ଼ିଥିବା ? ବାପା ମାଆଙ୍କୁ ପଚାରିବା ନାହିଁ ? ତୁମେ ବାପାଙ୍କର ଚିକିତ୍ସାର ବ୍ୟବସ୍ଥା କର । ବୁଢ଼ା ଲୋକ । ପୁଅ କିଛି ଗୋଟେ କରିବ ଏଇ ଆଶାରେ ଅନେଇ ବସିଥିବେ ।

 

- ତୁମେ ଟିକେ ବୁଝ..... ଡ଼ି.ପି.ଆଇଙ୍କୁ ସାକ୍ଷାତ୍‍ କର ।

 

- ଯାହା କରିବା କଥା କରିବି ନିଶ୍ଚୟ । ତା’ପରେ ଯଦି ଯିବାକୁ ହୁଏ ଯିବି.....ଚାକିରି କରିଛି ଯେତେବେଳେ ବଦଳିକୁ ଡରିଲେ ଚଳିବ ନାହିଁ ।

 

- ବଦଳିକୁ ଡରୁନ କେହି ଯେ,......ସମୟକୁ ଡରୁଛ । ସମୟଟା କିମିତି ଖରାପ ପଡ଼ିଛି ଦେଖୁନ ମୋର ଚାକିରି ନାହିଁ, ବାପାଙ୍କ ବେମାର....ତୁମରି ବଦଳି....ସବୁ ଏକାବେଳେ । କଥାରେ କହନ୍ତିନି ଦୁଃଖ ଯେତେବେଳେ ଆସେ ସାଥୀମାନଙ୍କୁ ସାଙ୍ଗରେ ନେଇ ଆସେ ।

 

- ହଁ ସେୟା । ଘର କରିଥିଲେ ସଂସାର ଭିତରେ ପଥର ପଡ଼ିଲେ ସହି । କିନ୍ତୁ ଏବେବି କହି ରଖୁଚି ଯେ ମୋର ବଦଳି ବି ସେଇ ମାନବ ମହାନ୍ତିର କାମ ।

 

- ତୁମକୁ କିଏ କହିଲା ?

- ମୋ ମନ କହୁଚି ।

- ସେଥିରେ ତାଙ୍କର ଲାଭ କଅଣ ?

 

ଲାଭର ସମ୍ଭାବନା ଅଛି । ତୁମରି ଚାକିରି ନେଇ ଯାହା ପାରିନାହାନ୍ତି ମୋତେ ବଦଳିକରି ସେତକ ପାଆନ୍ତି । କିନ୍ତୁ ମୁଁ କହି ରଖୁଚି ସୂର୍ଯ୍ୟଚନ୍ଦ୍ର ଥିବାଯାଏ ମାନବ ମହାନ୍ତିର ଆଶା ପୂର୍ଣ୍ଣ ହେବ ନାହିଁ । ସେ ଶ୍ରୀଲେଖାକୁ ଚିହ୍ନିନି । ସାବିତ୍ରୀ ଯେ ଖାଲି ସତ୍ୟଯୁଗରେ ଜନ୍ମିଥିଲେ ଏହା ନୁହେଁ, ଏ ଯୁଗରେ ବି ଜନ୍ମନ୍ତି ।

 

ସ୍ୱଦେଶ ସ୍ତ୍ରୀକୁ କିଛି ନ କହି ଅଗଣାରେ ବୁଲିବାକୁ ଲାଗିଲା ।

 

ନଭେମ୍ବର ଶେଷର ଆକାଶ ନିର୍ମଳ ଏବଂ ନିର୍ମେଘ । ଆକାଶରେ କୋଟି କୋଟି ନକ୍ଷତ୍ର ଚନ୍ଦ୍ରାତପ ତଳେ ମଣିଷମାନଙ୍କର ରାଜ୍ୟ । ପାପ, ପ୍ରତିଶୋଧ, ପ୍ରେମ ଓ ପ୍ରତିହିଂସାର ପୃଥିବୀ ରାତିର ଆକାଶତଳେ ଭାବୁଚି ଯେପରି । ଶୀତ ଶୀତ ଲାଗୁଚି । କିନ୍ତୁ ସୁଏଟର ବା ଚାଦରଖଣ୍ଡେ ଦେହରେ ନ ଦେଇ ସେହିପରି ବୁଲିବାରେ ଲାଗିଲା ସ୍ୱଦେଶ ।

 

ରାଜଧାନୀର ରହିବ ବୋଲି କେତେ ଆଶା କରି ଆସିଥିଲା । ଏଇ ପୁଣ୍ୟ ଭୂଇଁରେ ଦିନେ ଓଡ଼ିଆର ଗୌରବ ବାନା ଉଡ଼େଇ ଥିଲେ ଐର ଖାରବେଳ । ତାଙ୍କ ପରେ କେତେ ରାଜା ମହାରାଜା ସମ୍ରାଟ୍‍ ଆସିଚନ୍ତି, ପାଣିର ବୁଦ୍‌ବୁଦ୍‌ ପରି କାଳସ୍ରୋତରେ ଅଦୃଶ୍ୟ ହୋଇଯାଇଚନ୍ତି । ଅଳ୍ପ କେତେକଙ୍କୁ ଛାଡ଼ି ଦେଲେ ସମସ୍ତଙ୍କୁ ନିଶ୍ଚିହ୍ନ କରି ଦେଇଚି ସମୟ । ସେମାନଙ୍କର ପାଦ ଚିହ୍ନର କୌଣସି ଚିହ୍ନବର୍ଣ୍ଣ ବି ଦିଶୁନି କେଉଁଠାରେ ।

 

ଇତିହାସର ଅଧ୍ୟାପକ ଭାବରେ କେତେଥର ସେ କହିଚି ଯେ ଇତିହାସ ନିଜକୁ ପୁନାରାବୃତ୍ତି କରେ । କିନ୍ତୁ କାହିଁ ଏଡ଼େ ମହାନ ଦୁର୍ଦ୍ଧର୍ଷ ଓଡ଼ିଆ ଜାତିର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ ।

 

ଆଜି ସର୍ବତ୍ର ଅବକ୍ଷୟ । ସଂସ୍କୃତି, ପରମ୍ପରା, ମୂଲ୍ୟବୋଧ ସହିତ ଜୀବନର ସମ୍ପର୍କ ରହୁନାହିଁ ଏବଂ ଏଥିରେ ଉତ୍କର୍ଷତା ହାସଲ କରିବାଲାଗି ଆଉ ତ୍ୟାଗ କି ଉଦ୍ୟମ କରାଯାଉ ନାହିଁ । ଓଡ଼ିଆ ସର୍ବଭାରତୀୟ କ୍ଷେତ୍ରରୁ ବିଦାୟ ନେଇଛି । ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କଳା କେଉଁଥିରେ ଖାତି ଅର୍ଜିଥିବା ଓଡ଼ିଆକୁ ଦେଖିବା ଦୁର୍ଲଭ ହୋଇପଡ଼ିଛି । ସାରଳା ଦାସ, ଜଗନ୍ନାଥ ଦାସ ଯେପରି ନାହାନ୍ତି, ଚନ୍ଦ୍ରଶେଖର, ଫକୀରମୋହନ ବି ସେହିପରି ନାହାନ୍ତି । ମଧୁ ବାରିଷ୍ଟର ଓ ଗୋପବନ୍ଧୁ ଓଡ଼ିଆ ଜାତିପାଇଁ ସର୍ବସ୍ୱ ଦାନକରି ମଧ୍ୟ ଆଜି ଜାତୀୟ ଜୀବନରେ ଅବହେଳିତ । ପରଶ୍ରୀକାତରତା, ଉଦ୍ୟହୀନତା ଏବଂ ସହଜିଆ ଜୀବନ ଧାରା ଓଡ଼ିଆରେ ଗର୍ବ ଏବଂ ଗୌରବକୁ ସୃଜନାତ୍ମକ କ୍ଷେତ୍ରରେ କ୍ଷୁର୍ଣ୍ଣ କରିବାରେ ଲାଗିଛି । ଫଳରେ ବିଜ୍ଞାନ, କଳା ଓ ସାହିତ୍ୟରେ ମହାନ ଦିଗପାଳଙ୍କ ସ୍ଥାନରେ କେବଳ ବାମନ ଦର୍ଶନ ହେଉଛି ।

 

ଖାରବେଳଙ୍କ ଉତ୍ତରାଧିକାରୀ ଆଜି ହୀନବୀର୍ଯ୍ୟ, ଭୀରୁ ଏବଂ ନପୁଂସକ । ଇତିହାସ ଏତେବଡ଼ ପ୍ରତିଶୋଧ କାହିଁକି ନେଲା ବୁଝିପାରେନି ସ୍ୱଦେଶ ।

 

ତାହାରି ନିଜ କଥା ଭାବି ଚମକି ପଡ଼ିଲା ସେ । ନିଜର ବିଦ୍ୟା ଓ ବୁଦ୍ଧି ଅନୁସାରେ ଚାକିରିଟିଏ ଯୋଗାଡ଼ କରିଥିଲା ସେ । କିନ୍ତୁ ସେତକ ବି ରହିଲା ନାହିଁ ହାତରେ । ମାନବ ମହାନ୍ତିଙ୍କର ଦୋଷ ବା କଅଣ । ସେ ଯେଉଁ ଗୋଷ୍ଠୀର ପ୍ରତିନିଧିତ୍ୱ କରନ୍ତି ତାହା ସମ୍ଭ୍ରାନ୍ତ ଗୋଷ୍ଠୀ ଭାବରେ ପରିଚିତ ଓ ସ୍ୱୀକୃତି ହେଲେ ମଧ୍ୟ ସେଇ ଗୋଷ୍ଠୀ ଅନ୍ୟମାନଙ୍କୁ କବଳିତ ଏବଂ ଶୋଷଣ କରି ପ୍ରତିଷ୍ଠିତ ହୋଇଚି ସମାଜରେ । ଯେଉଁମାନେ ତଥାକଥିତ ବୁଦ୍ଧିଜୀବୀ ଏବଂ ବୌଦ୍ଧିକ ଉତ୍କର୍ଷତା ବଳରେ କରନ୍ତେ ବା ଅତି କମରେ ସାମାଜିକ ପରିବର୍ତ୍ତନ ସକାଶେ ଉଦ୍ୟମ କରନ୍ତେ, ସେମାନେ ନିଜର ସ୍ଥିତି ଓ ସ୍ୱାର୍ଥରକ୍ଷା ପାଇଁ ସମାଜର ସମ୍ପଦ ଓ ଶକ୍ତିକୁ ସମ୍ପୂର୍ଣ୍ଣ ଭାବରେ ବିନିଯୋଗ କରୁଛନ୍ତି । ଫଳରେ ସେମାନଙ୍କୁ ପ୍ରତିଷ୍ଠା ଦେବା ପାଇଁ ସମାଜ ଯେଉଁ ଅନୁଦାନ ଦେଇଛି ତାହା ପରିଶୋଧ କରିବାର ଅଭିପ୍ରାୟ ତ ଦେଖାଯାଉନି ବରଂ ସମାଜର ଅବଶିଷ୍ଟ ଶକ୍ତି ଏବଂ ସମ୍ପଦକୁ ଶୋଷଣ କରିବା ପାଇଁ ସେମାନେ ଲାଗିପଡ଼ୁଚନ୍ତି ।

 

ସେ ମଧ୍ୟ ସେହି ଶ୍ରେଣୀର । ସେ ସାମାଜିକ ସୁଖସୁବିଧା ଉପଯୋଗ କରି ପାଠପଢ଼ି ବୁଦ୍ଧିଜୀବି ଭାବରେ ଚାକିରିଟିଏ କରି ମଧ୍ୟ ସମାଜର ହିତ ସାଧନ କରାଯାଇ ପାରିବ ତାହା ତା’ର ଚିନ୍ତା ଓ ଚେତନାକୁ ତ ଥରେ ହେଲେ ଆଲୋଡ଼ିତ କରିନାହିଁ । ସେ ବି ପରାନ୍ନଭୋଜୀ ପରି ନିଜକୁ ପୁଷ୍ଟ କରିବାର ବିକଳ୍ପ ପଥ ଖୋଜିବାରେ ଲାଗିଚି । ଯେତେବେଳେ ସାମାଜିକ ଶକ୍ତି ଏବଂ ସମ୍ପଦ ଜନସାଧାରଣଙ୍କ ହିତାର୍ଥେ ବ୍ୟୟ ନ ହୋଇ ବାଟମାରଣା ହୋଇଯାଏ ଏବଂ ଦୁର୍ନୀତି ତଳ ଉପର ସ୍ତରକୁ ବ୍ୟାପିଯାଏ ସେତେବେଳେ ଅବକ୍ଷୟର ଚରମ ସୋପାନରେ ସମାଜ ପହଞ୍ଚିଛି କହିବାକୁ ହେବ । ଏଭଳି ଏକ ଦୁଃସମୟରେ ଜନ୍ମଗ୍ରହଣ ନ କରି ସେ ଆଗେ କିଛି କାଳ ପରେ ଜନ୍ମଗ୍ରହଣ କରି ଥାଆନ୍ତା କି !
 

ସମସ୍ତେ ସେଇ ଗୋଟିଏ ଲକ୍ଷ୍ୟରେ ଚାଲିଥିବାବେଳେ ନିଜର କର୍ତ୍ତବ୍ୟ ବିଷୟରେ ଚିନ୍ତା କରିବାକୁ ଯାଇ ଦୁର୍ବଳ ଅନୁଭବ କରେ ସ୍ୱଦେଶ । ଦୁର୍ନିତି, ଅପସଂସ୍କୃତି ବିରୁଦ୍ଧରେ ଏକା ଲଢ଼ିବାପାଇଁ ଶକ୍ତି ବା ଦୃଢ଼ ମନୋବଳ ତା’ର ନାହିଁ । ସମସ୍ତେ ଯାହା କରନ୍ତି ସେ ତାହାହିଁ ଅନୁସରଣ କରିବାକୁ ଶ୍ରେୟ ମନେକରେ । ପରିଚିତ ପଥରେ ନ ଚାଲି ଅଜଣା ଅମଡ଼ା ପଥରେ ଚାଲିବା ପାଇଁ ପ୍ରୟାସ କରିବେ ବିଡ଼ମ୍ବନା ମାତ୍ର ।

 

ଖିଆପିଆ ଶେଷ କରି ଶୋଇବାବେଳକୁ ରାତି ଦଶଟା ।

 

ଶ୍ରୀଲେଖାର ଶିଥିଳ ଦେହକୁ ଟିକେ ଉତ୍ତାପ ଦବାପାଇଁ ସ୍ତ୍ରୀ ଉପରେ ହାତ ରଖିଲା ସ୍ୱଦେଶ । କୌଣସି ପ୍ରତ୍ୟୁତ୍ତର ନ ଦେଇ ସେଇପରି ଶୋଇରହିଲା ଶ୍ରୀଲେଖା ।

 

ସ୍ୱଦେଶର ଆଜି ନିଜପ୍ରତି ହିଂସା ହୁଏ ।

 

ଶ୍ରୀଲେଖା ପରି ସୁନ୍ଦରୀ ଝିଅଟିଏ ତା’ ପାଖରେ କଅଣ ଦେଖି ଆକୃଷ୍ଟ ହେଲା ? ବାହାରେ ଶତ ପ୍ରଲୋଭନ ପଡ଼ିଥିବାବେଳେ ସେ କାହିଁକି ଗୋଟେଇ ନେଲା ତାକୁ ? ଆହୁରି ସତ୍‌ପାତ୍ରରେ ଯାଇ ପାରିଥାଆନ୍ତା ସେ ତା’ର ବାପା ମାଆଙ୍କର ସୁନାମ ଅଛି, ସମ୍ପଦ ଅଛି । କିନ୍ତୁ ସବୁକୁ ପଛରେ ପକେଇ ସେ କାହିଁକି ଦଉଡ଼ି ଆସିଲା ତା’ ପାଖକୁ ? ଏହାର ଉତ୍ତର ଆଗେ ବି ପାଇନି, ଆଜି ବି ପାଇଲା ନାହିଁ ସ୍ୱଦେଶ । ସେ କେବଳ ପ୍ରତିଦାନର ପଥ ନିର୍ଣ୍ଣୟ କରିବାକୁ ଯାଇ ଶ୍ରୀଲେଖାର ପ୍ରତିଲୋମକୂପକୁ ଜାଗ୍ରତ କରିବାକୁ ଲାଗିଲା ।

 

- ଆହୁରି କିଛି ନୂଆ ଜିନିଷ ଅଛି ବୋଲି ଭାବୁଛ ମୋ ପାଖରେ ? କଡ଼ ଲେଉଟାଇ କହିଲା ଶ୍ରୀଲେଖା ।

 

- ହୁଏତ ଆହୁରି କିଛି ଅଛି ।

- ଯାହାଥିଲା ସବୁତ ଦେଇ ସାରିଛି ତୁମକୁ । ଆଉ ଯାହା ଅଛି ନୂଆ ନୁହେଁ ପୁରୁଣା ।

- କିନ୍ତୁ କିଛି ଲୁଚେଇ ରଖିବା ପରି ଲାଗୁଚି ଯେ...

- ସ୍ତ୍ରୀ ଲୁଚାଏ ନାହିଁ, ଶ୍ରୀଲେଖା ବି ଲୁଚାଇ ନାହିଁ ।

- ପୁରୁଷ ଲୁଚାଏ ?

- କେଜାଣି... ।

- ତୁମେ ରାଗିଛ ?

- ଉହୁଁ

- ଏହାର ଅର୍ଥ ହଁ ବି ହୋଇପାରେ ।

- ନ ହୋଇ ବି ପାରେ ।

- ତୁମେ ନୂଆ ପରି ମନେହୁଏ ପ୍ରତିଦିନ ।

- ଖୋସାମତି କରିବା କେବେଠୁ ଶିଖିଲ ?

- ଖୋସାମତି ନୁହେଁ ଅଙ୍ଗେ ନିଭେଇବା କଥା କହୁଚି ।

- ମନ କଅଣ କହେ ?

- ଦେହ ଯାହା କହେ ମନ ବି କହେ ସେୟା ?

- ତଥାପି ତୁମେ ସୁଖୀ ନୁହଁ ?

 

- ସୁଖୀ, ଅନେକ ସୁଖୀ, । ଏଇ ତୁମ ମୁହଁକୁ ଚାହିଁ ମୁଁ ଭୁଲିଯାଏ ମୋର କଷ୍ଟ, ନିଷ୍ଫଳ ଜୀବନର ଗ୍ଳାନି....... ।

 

- ଇମିତି ଭାବ କାହିଁକି ? ସବୁଦିନ ସମାନ ନୁହେଁ । ଭଲ ମନ୍ଦ ଲାଗି ରହିଛି ସଂସାରରେ । ଆଜି ବେକାର ହୋଇଯାଇଛ ବୋଲି ତୁମର ପୌରୁଷତ୍ୱ ବେକାର ହୋଇଯାଇନି, ତୁମର ଅହଙ୍କାର ଦେବାଳିଆ ହୋଇନି । ତୁମେ ପରା ପୁରୁଷ; ପ୍ରତିକୂଳ ଅବସ୍ଥା ବିରୁଦ୍ଧରେ ଲଢ଼ିବା ତୁମର କାମ । ତୁମେ ଇମିତି ଭାଙ୍ଗି ପଡ଼ିଲେ ମୁଁ କଅଣ କରିବି କୁହ ତ ! ବିନାଶ୍ରୟେ ନ ବର୍ତ୍ତନ୍ତେ କବିତା ବନିତା ଲତା... ।

 

- ପାଖକୁ ଆସ ।

- ଏତେ ପାଖରେ ଅଛି ।

- ନା, ଆହୁରି ପାଖକୁ ।

- କଅଣ ପାଅ ସେଥିରୁ ?

 

- ତୁମରି ଭିତରେ ଖୋଜେ ନିଜକୁ, ଖୋଜେ ନିଷ୍କୃତ ପାଇବାର ପଥ, ଯନ୍ତ୍ରଣା ଉପଶମ କରିବାର ପଥ ..... ।

 

- ପାଇଛ କେବେ ?

 

- ପାଇଛି ପାଇଛି.... କିନ୍ତୁ ମୋର ଭୟ ହୁଏ ଶ୍ରୀଲେଖା - କାଳେ ତୁମେ ମୋ ହାତରୁ ଖସିଯିବ ବୋଲି ...... ।

 

- ଅହେତୁକ ସେ ଭୟ । ମୁଁ ତ କେବେ ଭାବିନି ସେପରି ।

- କିନ୍ତୁ ଯିଏ ଭୟକରେ ସେ ଭାବେ ।

- ତୁମେ ସନ୍ଦେହ କରୁଥିବ ମୋତେ, ନ ହେଲେ ଭୟ କରନ୍ତି କାହିଁକି ?

- ତୁମେ ସନ୍ଦେହାତୀତ, କିନ୍ତୁ ତଥାପି ନିଶ୍ଚିତ ହୋଇପାରେନା ..... ।

 

ଶ୍ରୀଲେଖାର ପ୍ରତିଟି ଅଙ୍ଗ ଏବଂ ଅନୁରାଗର ସମସ୍ତ ଉପାଦାନକୁ ଉତ୍ତାଳ କରି ସ୍ୱଦେଶ ଅବଗାହନ କଲା ସଙ୍ଗମରେ ।

 

କେତେବେଳେ ଶୋଇ ପଡ଼ିଥିଲେ ଦୁହେଁ ।

ହଠାତ୍‌ ମଧ୍ୟରାତ୍ରିରେ ନିଦ ଭାଙ୍ଗିଗଲା ସ୍ୱଦେଶର ।

ସେ କବାଟ ଖୋଲି ଧିରେ ଧିରେ ଅଗଣାକୁ ଯାଇ ଛିଡ଼ା ହେଲା ସେଠାରେ ।

 

କୋଟି କୋଟି ନକ୍ଷତ୍ରଙ୍କର ସଭା ବସିଚି । ସବୁଆଡ଼ ଶୂନଶାନ୍‌ । ସବୁଆଡ଼ ନୀରବ, ନିସ୍ତବ୍‌ଧ... ।

 

ଅୟୁତ ବର୍ଷ ଧରି ବଞ୍ଚିଛି ଏଇ ପୃଥିବୀ ।

ମଣିଷ କିନ୍ତୁ ଜନ୍ମ ଓ ମରଣ ପ୍ରତ୍ୟକ୍ଷ କରୁଚି ।

ସେ ଆଜି ଅଛି, ହୁଏତ କାଲିକୁ ନ ଥିବ ।

 

ସାମାଜିକ ଜୀବନର ଏତେ କୋଳାହଳ ଏବଂ ପାରିବାରିକ ଜୀବନର ଏତେ ସଖ୍ୟ ସୋହାଗ ସତ୍ତ୍ୱେ ନିଜକୁ ବଡ଼ ନିଃସଙ୍ଗ ମନେ କଲା ସ୍ୱଦେଶ ।

 

ସେ ଆଜି ଶ୍ରୀଲେଖା ଉପରେ ନିର୍ଭରଶୀଳ ।

ସେ ଆଉ ନିଜ ପାଦରେ ଛିଡ଼ା ନ ହୋଇ ସ୍ତ୍ରୀ ଉପରେ ହାତ ରଖି ଚାଲୁଛି ।

ସେ କଅଣ ଇମିତି ବେକାର ରହିଯିବ ?

 

ସରକାରୀ ଚାକିରି ପାଇଁ ବୟସ ଅତିକ୍ରାନ୍ତ ହୋଇଯାଇଚି । ବେସରକାରୀ କଲେଜର ଦୁର୍ଦ୍ଦଶା ଅବର୍ଣ୍ଣନୀୟ ।

 

ଆହୁରି ଏକୁଟିଆ ଲାଗିଲା ତାକୁ ।

ଚନ୍ଦ୍ରବିହୀନ ଆକାଶର ତାରାମାନେ ଖତେଇ ହେଲାପରି ଆଖି ମିଟିକା ମାରୁଛନ୍ତି ।

ଅବସାଦରେ ଅବଶ ହୋଇ ଆସୁଥିଲା ମନ ।

 

ଏଇ ସମାଜରେ ନୀତି, ନିୟମକୁ ଜଗି କିଏ କଅଣ ପାଉଛି ? ସେ କଅଣ ପାଇଛି ? ଶ୍ରୀଲେଖା ବା କଅଣ ପାଇଛି ? ଆଜି ହୁଏତ ସେ ମୁହଁ ଖୋଲି କହୁନି କିଛି କାଲି କିନ୍ତୁ କହିବ, ତାର ପୌରୁଷତ୍ୱକୁ ଧ୍ୱକ୍କାର କରିବ । ହୁଏତ ନପୁଂସକ ବୋଲି ବି କହିବ..... ।

 

ସବୁ ସହି ପଡ଼ି ରହିବ ସ୍ୱଦେଶ !

 

ସେ ଚାଲି ଯାଇଥିବାବେଳେ ଦୂରରୁ ଆଙ୍ଗୁଳି ଦେଖେଇ ତାକୁ ସାଙ୍ଗମାନଙ୍କୁ ଚିହ୍ନେଇ ଦବାବେଳେ କେହି କେହି ନିଶ୍ଚୟ କହୁଥିବେ-ସ୍ତ୍ରୀର ଉପାର୍ଜନକୁ ଅବଲମ୍ବନ କରି ଚଳୁଚି ଇଏ.. । ଏତେବଡ଼ ସକ୍ଷମ ପୁରୁଷଟା ଖାଇପିଇ ସ୍ୱସ୍ତିରେ ଘରେ ବସି ଚାକିରି କରି ତାକୁ ପୋଷୁଥିବା ସ୍ତ୍ରୀର ଲେଉଟାଣି ପଥକୁ ଚାହିଁଛି ।

ଛି...ଛି... ।

ସ୍ୱଦେଶ ଆହୁରି ଅବଶ ମନେକଲା ନିଜକୁ । ସେ ଯେପରି ଅକର୍ମା, ଅସହାୟ ପୁରୁଷଟିଏ ।

ଅଥଚ....

ଅଥଚ ଶ୍ରୀଲେଖା ଟିକେ ମାନି ଯାଇଥିଲେ ତାର ଚାକିରି ଯାଇ ନ ଥାନ୍ତା କି ସେ ବେକାର ହୋଇ ନ ଥାନ୍ତା ।

ନୀତିନିୟମଗୁଡ଼ା ବାସ୍ତବ ଜୀବନରେ କୌଣସି କାମରେ ଲାଗେ ନାହିଁ । ଯିଏ ନୀତି ନିୟମ ଭାଙ୍ଗୁଚି, ଶୃଙ୍ଖଳା ଓ ଧର୍ମ ମାନୁ ନାହିଁ; ନୌତିକତାକୁ ପୁଞ୍ଜିକରି ଓପାସରେ ରହୁନାହିଁ ତା’ର ଦୁନିଆରେ ସକାଳ ଓ ସୂର୍ଯ୍ୟାସ୍ତ ଏବେବି ମନୋରମ, ତା’ ପାଇଁ ଜୀବନର ଆକର୍ଷଣ ଅଲଂଘନୀୟ । କିନ୍ତୁ ଯିଏ ସଂସ୍କୃତି, ପରମ୍ପରା, ଧର୍ମ ଓ ମୂଲ୍ୟବୋଧକୁ ଧରି ପଡ଼ି ରହି ଧୁଁକୁଛି ଶ୍ୱାସରୋଗୀ ପରି ନିର୍ବାଣର ପଥ ତା’ଠାରୁ ବହୁଦୂରରେ ।

ସ୍ୱଦେଶ କଅଣ ଭାବି ପୁଣି ଧିରେ ଧିରେ ଫେରି ଆସିଲା ଶୋଇବା ଘରକୁ ।

ଅନେକ ସମୟ ସ୍ୱାମୀକୁ ପାଖରେ ନ ଦେଖି ଶଙ୍କିତା ହୋଇଥିଲା ଶ୍ରୀଲେଖା ।

ସ୍ୱଦେଶ ଫେରି ଆସିବାରୁ ସେ କହିଲା- କଅଣ କରୁଥିଲେ ବାହାରେ ?

ସ୍ୱଦେଶ କିଛି ଉତ୍ତର ନ ଦେଇ ଉଠି ଆସିଲା ଖଟ ଉପରକୁ ।

ଶ୍ରୀଲେଖା କହିଲା-ମୋ ରାଣ କହିବନି କଅଣ ହୋଇଚି ?

ସ୍ୱଦେଶ କେଇ ମୁହୂର୍ତ୍ତ ପରେ ନୀରବତା ଭାଙ୍ଗି କହିଲା-ମୋତେ ଭଲ ପାଅ ଲେଖା ?

-ହଠାତ୍‌ ଇମିତି ପ୍ରଶ୍ନ କଲ ଯେ ? ଏବେ ବି ସନ୍ଦେହ ହୁଏ ମନରେ ?

-ସନ୍ଦେହ ନୁହେଁ ଇମିତି ପଚାରିଲି ।

-ଏହାର ଉତ୍ତର ତ ପ୍ରତିକ୍ଷଣରେ ମୁଁ ଦଉଚି ।

-ମୋତେ କିନ୍ତୁ ଶୁଭୁନି.....

ଶୋଇଥିଲା କିନ୍ତୁ ହଠାତ୍‌ ଉଠିବସି କହିଲା ଶ୍ରୀଲେଖା-ସତ କହୁଚ ?

 

ସ୍ୱଦେଶ ତାକୁ କାନ୍ଧ ଉପରେ ଆଉଜାଇ ନେଇ କହିଲା - ମୋତେ ଆଉକିଛି ଭଲ ଲାଗୁନି ଲେଖା । ନିଃସହାୟ ମନେହେଉଛି । ବଞ୍ଚିବା ପାଇଁ ଇଚ୍ଛା ହେଉନି ।

 

ସ୍ୱାମୀକୁ ଆଲିଙ୍ଗନ କରି କହିଲା ଶ୍ରୀଲେଖା - ଏତିକିରେ ଦବି ଯାଉଛ ? ମଣିଷ ଜନ୍ମ ନିଏ ଯୁଝିବା ପାଇଁ । ହାରିଜିତ୍‌, ଦୁଃଖସୁଖ ତ ଲାଗି ରହିଚି ସଂସାରରେ । ତୁମେ ଦମ୍ଭ ଧର, ଆଶା ରଖ ।

 

କିନ୍ତୁ ମନ ସହଯୋଗ କରୁନି, ତୁମେ ବି ସହଯୋଗ କରୁନ... ।

-ମୋତେ ଯାହା କହିବି କରିବା ପାଇଁ ପ୍ରସ୍ତୁତ ମୁଁ ।

 

-କିନ୍ତୁ ସେଦିନ ମୁଁ ଯାହା କହିଥିଲି ସେଥିରେ ତୁମେ ରାଜି ହୋଇଥିଲେ ମୁଁ ଏତେ ଦୁର୍ଭୋଗ ଭିତରକୁ ଟାଣି ହୋଇ ଆସି ନ ଥାନ୍ତି ।

 

-କୋଉ କଥା ଅମାନ୍ୟ କଲି ମୁଁ ?

 

-ମାନବ ମହାନ୍ତି ପରାକ୍ରମଶାଳୀ ବ୍ୟକ୍ତି । ତାଙ୍କର ପ୍ରଭାବ ପ୍ରତିପତ୍ତି ସବୁଠି । ତାଙ୍କୁ ହାତରେ ରଖି ଆମେ ଫାଏଦା ଉଠେଇ ପାରିଥାଆନ୍ତେ ।

 

-ତୁମେ କଅଣ କହିବାକୁ ଚାହଁ ଯେ ?

-ବାହୁବନ୍ଧନ ଶିଥିଳ କରି କହିଲା ଶ୍ରୀଲେଖା ।

-ତୁମେ କାଚ ନୁହଁ ଯେ ତାଙ୍କୁ ଟିକେ ସଙ୍ଗସୁଖ ଦେଲେ ଭାଙ୍ଗିଯିବ ।

ଜଳି ଉଠିଲା ଶ୍ରୀଲେଖା ।

 

ସ୍ୱଦେଶକୁ ଦୂରକୁ ଠେଲି ଦେଇ ଖଟ ଉପରୁ ଡେଇଁପଡ଼ି କହିଲା ଶ୍ରୀଲେଖା- ମୋତେ ମାନବ ମହାନ୍ତି ସାଙ୍ଗରେ ଶୋଇବାକୁ କହିବା ଆଗରୁ ହତ୍ୟା କାରବା ପାଇଁ ଚାହିଁଥିଲେ ମୁଁ ବେକ ଦେଖାଇ ଦେଇଥାଆନ୍ତି । ଅଗ୍ନି ଆଗରେ ଶପଥ କରି କହିଥିଲ ପରା ସୁଦିନରେ, ଦୁର୍ଦ୍ଦିନରେ ମୋତେ ରକ୍ଷାକରିବ, ମୋର ସତୀତ୍ୱ ମୋର ସମ୍ମାନକୁ ରକ୍ଷାକରିବ...

 

-ସତୀତ୍ୱ ବୋଲି କିଛି ନାହିଁ ଲେଖା, ଏହା ମନରେ ଏକ କଳ୍ପନା ମାତ୍ର । ଚିତ୍କାର କରି କହିଲା ସ୍ୱଦେଶ ।

 

-ଏୟା ତୁମର ଶେଷ କଥା ? ଶ୍ଳେଷପୂର୍ଣ୍ଣ କଣ୍ଠରେ କହିଲା ଶ୍ରୀଲେଖା ।

 

-ମୋର କଥା ମୁଁ ସେହିଦିନ କହିଥିଲି ତମକୁ । ତମେ କିନ୍ତୁ ରାଜି ନ ହୋଇ ମୋର ସର୍ବନାଶ ଡାକି ଆଣିଲ....ତୁମର କଅଣ କ୍ଷତି ହୋଇଥାଆନ୍ତା ଯେ.... ।

 

କାନ୍ଦି ପକେଇ କହିଲା ଶ୍ରୀଲେଖା - ତମେ କେବଳ ପାଷାଣ ପରି ନିଷ୍ଠୁର ନୁହଁ ତୁମେ ନପୁଂସକ - ତୁମେ ନିର୍ବୀର୍ଯ୍ୟ, କାପୁରୁଷ.... । ସ୍ୱାମୀ ହୋଇ ସ୍ତ୍ରୀକୁ ଆଉ କାହା ସାଙ୍ଗରେ ଶୋଇବାକୁ କହିବା ଆଗରୁ ଆତ୍ମହତ୍ୟା କରି ପାରିଥାଆନ୍ତ....ଛି ଛି....

 

ନିଜକୁ ସମ୍ଭାଳି ନ ପାରି ହଠାତ୍‌ ଶ୍ରୀଲେଖାକୁ ଆଘାତ କଲା ସ୍ୱଦେଶ । ଥରେ ନୁହେଁ ବାରମ୍ବାର ।

 

ଶ୍ରୀଲେଖା ପାଷାଣ ପ୍ରତିମା ପରି ନିର୍ବାକ୍‌ନିସ୍ପନ୍ଦ ଭାବରେ ଛିଡ଼ା ହୋଇ ରହିଲା ।

 

ନିୟମିତ ନିଶା ସେବନ କରିବାର ଅଭ୍ୟାସ କ୍ରମଶଃ ବୃଦ୍ଧି ପାଉଛି ଯୁବକ ଓ ଛାତ୍ରମାନଙ୍କ ମଧ୍ୟରେ । ଏବେ ନିକଟରେ ଗୋଟିଏ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦିଲ୍ଲୀର ଏକ ପ୍ରଖ୍ୟାତ କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଯେଉଁ ସର୍ଭେ କରାଯାଇଥିଲା ଏଥିରୁ ଜଣାପଡ଼ିଛି ଯେ କଲେଜର ଏକ ହଜାର ଚାରିଶହ ଛାତ୍ର ଏବଂ ସାତଶହ ଛାତ୍ରୀଙ୍କ ମଧ୍ୟରୁ ଶତକଡ଼ା ପନ୍ଦରଭାଗ ଛାତ୍ର ଏବଂ ସାତଭାଗ ଛାତ୍ରୀ କୌଣସି ନା କୌଣସି ନିଶାଦ୍ରବ୍ୟ ନିୟମିତ ଭାବରେ ସେବନ କରନ୍ତି-। ସେହିପରି ସେହି ସମୀକ୍ଷାରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଛାତ୍ରମାନଙ୍କ ମଧ୍ୟରୁ ଶତକଡ଼ା ଏକୋଇଶ ଏବଂ ଛାତ୍ରୀମାନଙ୍କ ମଧ୍ୟରୁ ଶତକଡ଼ା ଷୋହଳ ବିବାହ ପୂର୍ବରୁ ଯୌନକାର୍ଯ୍ୟରେ ଅଭ୍ୟସ୍ତ । ଏବଂ ଆହୁରି ଏହା ବି ଜଣାପଡ଼ିଛି ଯେ ନିଶା ସେବନ କରୁଥିବା ପ୍ରାୟ ଅଧିକାଂଶ ଛାତ୍ର ଏବଂ ପ୍ରାୟ ସମସ୍ତ ଛାତ୍ରୀ ପରସ୍ପର ମଧ୍ୟରେ ଯୌନ ଲାଳସା କରିଥାଆନ୍ତି । ଆଉ କେତେକ ଛାତ୍ର ବେଶ୍ୟାଳୟକୁ ଯିବାର ଦୃଷ୍ଟାନ୍ତ ଯେପରି ରହିଚି । କେତେକ ଛାତ୍ରୀ ବିଳାସ କରିବା ପାଇଁ ଅଧିକ ଅର୍ଥ ଉପାର୍ଜନ କରି ନିଜର ବୃଦ୍ଧି ପାଉଥିବା ଖର୍ଚ୍ଚ ତୁଲାଇବା ପାଇଁ ହୋଟେଲ ଏବଂ ଗେଷ୍ଟ୍‍ ହାଉସମାନଙ୍କୁ ସାମାଜିକତା ରକ୍ଷା କରିବାକୁ ଯାଇ ଅସ୍ଥାୟୀ ସମ୍ପର୍କ ସ୍ଥାପନ କରନ୍ତି । ଏହି ଅସ୍ଥାୟୀ ସାମାଜିକ ସମ୍ପର୍କ ମଧ୍ୟ ଯୌନବିଳାସ ପାଇଁ ଉଦ୍ଦିଷ୍ଟ ।

 

ସମୀକ୍ଷା ପଢ଼ିସାରି ଅବାକ୍‌ ହୋଇଗଲା ମନୋଜ ମିଶ୍ର । ସହରରେ ଏତେଦିନ ରହି ମଧ୍ୟ ଏହାର କଳାଦିଗଟି ଦେଖି ନ ଥିଲେ ସେ । ଖାଲି ନିଶା ସେବନ ଏବଂ ଯୌନ ବିଳାସ ବଢ଼ୁନାହିଁ ତରୁଣ ତରୁଣୀଙ୍କ ମଧ୍ୟରେ ଅପରାଧପ୍ରବଣତା ମଧ୍ୟ ବୃଦ୍ଧି ପାଉଛି । ଆହୁରି ଆଶ୍ଚର୍ଯ୍ୟର କଥା ଯେ କେତେକ ଗୃହବଧୂ କିଛି ଉପାର୍ଜନ କରିବାପାଇଁ କଲେଜ ଛାତ୍ର ଏବଂ କେତେକ ପଥଭ୍ରଷ୍ଟ ଯୁବକଙ୍କ ସହିତ ଯୌନକାର୍ଯରେ ଲିପ୍ତ ରହନ୍ତି । ଏମାନଙ୍କର ସଂଖ୍ୟା ଅତି ନଗଣ୍ୟ ହେଲେ ମଧ୍ୟ ବୃଦ୍ଧି ପାଇବାର ଲାଗିଚି । ଏହା ଦିଲ୍ଲୀ ବା ବମ୍ୱେରେ ସୀମାବଦ୍ଧ ନ ରହି ଅନ୍ୟ ସହରକୁ ଯେ ବ୍ୟାପିବ ଏଥିରେ ସନ୍ଦେହ ଅବକାଶ ନାହିଁ ।

 

ସର୍ଭେ ରିପୋର୍ଟ ଯଥା ରଖି ଟେଲିଫୋନ୍‍ କଲା ମନୋଜ । ସେ ପାଖରୁ ହାସ୍ୟମୟୀ କହିଲେ - ଆପଣଙ୍କ ସ୍ୱର ଶୁଣି ଖୁସି ଲାଗୁଚି ।

 

- ଧନ୍ୟବାଦ । ଦିବ୍ୟଧାମର ସମ୍ବାଦ କଅଣ ?

- ସବୁ ଭଲ ।

- ମୁଁ ଟିକେ ଆସିଥାଆନ୍ତି ।

- କେବେ ?

- ଆଜି ଆପଣଙ୍କର ଯଦି ଅସୁବିଧା ନ ହୁଏ ।

 

- ଆଜି ଦିନସାରା ନାନାଦି କାର୍ଯ୍ୟରେ ବ୍ୟସ୍ତ ରହିବି ମୁଁ । ଯଦି ଅସୁବିଧା ନ ହୁଏ ବର୍ତ୍ତମାନ ଆସିପାରନ୍ତି ।

 

- ଅଧଘଣ୍ଟାକ ପରେ ପହଞ୍ଚିଲେ ଚଳିବ ?

- ହଁ,ସାଢ଼େ ଦଶଟାରେ ମୁଁ ଅପେକ୍ଷା କରିଥିବି ଅଭ୍ୟର୍ଥନା ଗୃହରେ ।

- ବାବାଙ୍କର ସବୁ କୁଶଳ ତ ?

- ହଁ, ସେ ଗସ୍ତରେ ଯାଇଚନ୍ତି ମହାବଳେଶ୍ୱର । ଫେରିବ ଆଉ ପନ୍ଦର ଦିନ ପରେ ।

- ଆଉ କିଏ ଯାଇଚନ୍ତି ସାଙ୍ଗରେ ?

-ଭଗ୍ନୀ ନିବେଦିତା, ଭଗ୍ନୀ ମନ୍ଦାକିନୀ ।

- ଆପଣଙ୍କ ଉପରେ ତା’ହେଲେ ବେଶୀ ଦାୟିତ୍ୱ ପଡ଼ିଛି ବର୍ତ୍ତମାନ.... ।

- ହଁ, ସେଥିପାଇଁ ତ ବ୍ୟସ୍ତ । ଆପଣ କିନ୍ତୁ ଆସିବେ ନିଶ୍ଚୟ, ମୁଁ ଅପେକ୍ଷା କରିବି ।

 

ମନୋଜ ଲେଖି ସାରିଥିବା ଗୋଟିଏ ରିପୋର୍ଟ ସମ୍ୱାଦପତ୍ର ଅଫିସ୍‌କୁ ପଠାଇ ଦେଇ ବାହାରି ପଡ଼ିଲା । ‘ଦିବ୍ୟଧାମ’କୁ ଯିବା ରାସ୍ତାରେ ଗୁଛାଏ ତାଜା ରଜନୀଗନ୍ଧା ଏବଂ ପ୍ରତିହାରୀ ଦୋକାନରୁ ଗୋଟିଏ ପ୍ୟାକେଟ ଛେନାପୋଡ଼ କିଣି ସେ ସିଧା ଗଲା ଦିବ୍ୟଧାମକୁ ।

 

ସ୍କୁଟର ବନ୍ଦ କରି ଫାଟକ ପାଖରେ ଛିଡ଼ା ହେବା ବେଳକୁ ଚୌକିଦାର ନମସ୍କାର କରି କହିଲା - ଆପଣ ମନୋଜ ବାବୁ ?

 

- ହଁ

- ଯାଆନ୍ତୁ ଭିତରକୁ ।

 

ଭଗ୍ନୀ ହାସ୍ୟମୟୀ ଯେ ସେ ଆସିବା ସମ୍ପର୍କରେ ପୂର୍ବରୁ ଚୌକୀଦାରରକୁ କହିଛନ୍ତି ଏଥିରେ ତିଳେମାତ୍ର ସନ୍ଦେହ ନ କରି ଭିତରକୁ ପଶିଲା ମନୋଜ ।

 

ଅଭ୍ୟର୍ଥନା ଗୃହର ଦ୍ୱାରଦେଶରେ ହସ ହସ ମୁହଁରେ ଛିଡ଼ା ହୋଇଥିଲେ ହାସ୍ୟମୟୀ । ଆଜି ତାଙ୍କ ଦେହରେ ଦିବ୍ୟଧାମର ସେଇ ଶୁଭବସ୍ତ୍ର ଦେଖିଲେ ମଧ୍ୟ ସାମାନ୍ୟ ଟିକେ ପ୍ରସାଧନର ପ୍ରଲେପ ଲାଗିଥିବାର ମୁହଁକୁ ଚାହିଁବା କ୍ଷଣି ଜାଣିପାରିଲା ମନୋଜ । ହାସ୍ୟମୟୀ ପ୍ରକୃତରେ ସୁନ୍ଦରୀ, ଶିକ୍ଷିତା ଏବଂ ମାର୍ଜିତା । କୋଉ ଦୁଃଖରେ ଯେ ସେ ଆଶ୍ରମବାସିନୀ ହେଲେ ତାହା କଳ୍ପନା କରି ନ ପାରି ତାଙ୍କ ହାତକୁ ରଜନୀଗନ୍ଧା ଗୁଛଟି ବଢ଼େଇ ଦେଇ ମିଠା ପ୍ୟାକେଟଟି ତାଙ୍କ ଟେବୁଲ ଉପରେ ରଖି ତାଙ୍କୁ ନମସ୍କାର ଜଣାଇଲା ମନୋଜ ।

 

ହାସ୍ୟମୟୀ କହିଲେ - ଫୁଲ ଆଣିଲେ ଭଲ କଲ । ରଜନୀଗନ୍ଧା ମୋର ଅତି ପ୍ରିୟଫୁଲ-। କିନ୍ତୁ ବାବା ତ ନାହାନ୍ତି ମିଷ୍ଟାନ୍ନ ଆଣିଲେ କାହିଁକି ?

 

ମନୋଜ ନମ୍ରତାର ସହ କହିଲା - ବାବା ସିନା ନାହାନ୍ତି, କିନ୍ତୁ ଆପଣ ତ ଅଛନ୍ତି ।

 

ମୁହଁ ଉପରେ ପ୍ରସନ୍ନତା ଖେଳାଇ କହିଲେ ହାସ୍ୟମୟୀ - ଆପଣଙ୍କର ଅନୁଗ୍ରହ ଅନେକ ଦିନ ମନେ ରହିବ ।

 

- ଆପଣଙ୍କ ପାଖକୁ ସେଦିନ ଆସିଥିଲି, ନ ଖୁଆାଇ ଛାଡ଼ିଲେ ?

ହସିଲେ ହାସ୍ୟମୟୀ ।

 

ତାଙ୍କର ହସରେ ଏପରି ଏକ ଅନୁପମ ଆକର୍ଷଣ ଏବଂ ମଧୁରତା ଅଛି ଯେ ସେଇ ହସ ଆଖିରେ ପଡ଼ିବା କ୍ଷଣି ସ୍ପର୍ଶ କରେ ନିଜ ହୃଦୟକୁ । ସମଗ୍ର ପୃଥିବୀ ହସି ଉଠେ ପ୍ରସନ୍ନତାରେ ଆଉ ମୁହଁରୁ ମୁହଁକୁ ସଞ୍ଚରିଯାଏ ସେଇ ହସ ।

 

ହାସ୍ୟମୟୀଙ୍କର ଆଖି ଯୋଡ଼ିକ ଲମ୍ବା ଲମ୍ବା - ଆୟତନୟନା । ସେଇ ଆଖିରେ ଢଳ ଢଳ ହୁଏ ସ୍ୱପ୍ନ ଏବଂ ବେଳେ ବେଳେ ଫୁଟି ଉଠେ ଏକ ଉଦାସୀନ ଦୂରତ୍ୱ । ସେତେବେଳେ ସେ ରହସ୍ୟମୟ ହୋଇଉଠନ୍ତି ଯାହାକି ତାଙ୍କର ନିଜସ୍ୱ ସ୍ୱରୂପ ନୁହେଁ । ତାଙ୍କ ବିଷୟରେ ଆଗ୍ରହ ହୁଏ ଜାଣିବା ପାଇଁ ।

 

ଆଜି ବି ପଚାରିଲା ମନୋଜ -ଏଇ ଆଶ୍ରମର ପରିବେଶରେ ଆପଣଙ୍କୁ ଦେଖିବି ବୋଲି ମୁଁ କିନ୍ତୁ ଆଶାକରି ନ ଥିଲି... ।

 

- ଆଉ କୋଉଠି ଆଶା କରିଥିଲେ ? ମୁହଁ ଉପରେ ସେଇ ରହସ୍ୟ ସଞ୍ଚରିଗଲା ପୁଣି ।

 

- କେଉଁ ଏକ ଗୃହରେ..ଯେଉଁଠି ହସ-ଖୁସି ସ୍ୱାଭାବିକ । ଜୀବନ ଯେଉଁଠି ପ୍ରବାହିତ ହୁଏ ସ୍ରୋତସ୍ୱିନୀ ପରି ନିଜ ପାଇଁ ନୁହେଁ ଅନ୍ୟମାନଙ୍କର ସୁଖ ଓ ସମୃଦ୍ଧି ପାଇଁ... ।

 

- ସମସ୍ତେ ଆପଣଙ୍କ ପରି ସୌଭାଗ୍ୟବାନ ନୁହଁନ୍ତି...

- ସୌଭାଗ୍ୟ କାହାରି ମନୋପଲିର ବିଷୟ ନୁହେଁ...

- ଛାଡ଼ନ୍ତୁ ...ସମୟ ହେଲେ ବଳେ ବଳେ ଜାଣିବେ...

- ସେଇ ସମୟକୁ ଅପେକ୍ଷା କରୁଛି ଅଧୀର ଆଗ୍ରହରେ ।

- ଆଉ କଅଣ କୁହନ୍ତୁ...କଥାର ମୋଡ଼ ବୁଲେଇବା ପାଇଁ କହିଲା ହାସ୍ୟମୟୀ ।

- ସେଇ ହତ୍ୟାକାଣ୍ଡ ସମ୍ପର୍କରେ ଆଉ କିଛି ଖବର ଅଛି... ?

 

ହାସ୍ୟମୟୀ ମୁହଁ ଉପରେ ହାତ ରଖି ଚୁପ ରହିବାକୁ ନିର୍ଦ୍ଦେଶ କରିବା ଭଙ୍ଗୀରେ କହିଲେ, ଏଠାରେ ନୁହେଁ... ।

 

ତା’ ପରେ ମନୋଜକୁ ବଗିଚା ଦେଖାଇବା ପାଇଁ ନେଇଗଲେ ସେ ।

 

ବଗିଚାରେ ଫୁଲ ଓ ଫଳଗଛମାନଙ୍କୁ ଦେଖାଇବାବେଳେ କହିଲେ ସେ ମୋ ଚିଠିଟା ଅକ୍ଷତ ଅବସ୍ଥାରେ ଅଛି ନା ନଷ୍ଟ କରି ଦେଇଛନ୍ତି ?

 

ମନୋଜ ସତ କଥାହିଁ କହିଲା - ଆପଣ ନଷ୍ଟ କରିଦେବା ପାଇଁ ଲେଖିଥିଲେ, କିନ୍ତୁ ପାରି ନାହିଁ ।

 

ହାସ୍ୟମୟୀ କହିଲେ - ଏଠାରେ କାନ୍ଥର ବି କାନ ଅଛି । ଯାହା ପଚାରିବାର କଥା ଏଠାରେ ପଚାରନ୍ତୁ, ହଁ କଥାଭାଷା ଇଂରାଜୀ କଲେ ଭଲ ହେବ । ଏଇ ମାଳିମାନେ ବି ଆଶ୍ରମରେ ଅନୁଗତ - ସେମାନେ ଇଂରାଜୀ ବୁଝନ୍ତି ନାହିଁ ।

 

ଅଳ୍ପ ସମୟ ମଧ୍ୟରେ ଭଗ୍ନୀ ହାସ୍ୟମୟୀଙ୍କଠାରେ ଅନେକ ଖବର ସଂଗ୍ରହ କରିନେଲା ମନୋଜ । ବାବା ପ୍ରବୁଦ୍ଧାଚାର୍ଯ୍ୟ ତନ୍ତ୍ର-ସାଧକ । ହୁଏତ କିଛି ଶକ୍ତିର ଅଧିକାରୀ ବି । କିନ୍ତୁ ପ୍ରଚଣ୍ଡ ବୁଦ୍ଧିମାନ ଏବଂ କୌଶଳୀ । ଦୁଃସାଧ୍ୟ କର୍ମସାଧନ କରିବାର ଏକ ଅଦ୍ଭୁତ ଶକ୍ତି ଅଛି ତାଙ୍କର । ତାଙ୍କର ଇଚ୍ଛାହିଁ ସବୁ- ଅନ୍ୟମାନେ ତାଙ୍କର ଇଚ୍ଛାଧୀନ । କେହି ଅପ୍ରତ୍ୟକ୍ଷ ଭାବରେ ସେଇ ଇଚ୍ଛାର ବିରୋଧ କଲେ ମଧ୍ୟ ତ୍ରାହି ପାଇବାର ଉପାୟ ନାହିଁ । ଭାଇ ପ୍ରେମାନନ୍ଦ ଥିଲେ ବୁଦ୍ଧିମାନ ଏବଂ ନିଜ ଉପରେ ନିର୍ଭର କରୁଥିବା ବିଚାରବନ୍ତ ପୁରୁଷ । ତାଙ୍କର ମତପାର୍ଥକ୍ୟ ହୁଏ ବାବାଙ୍କ ସହିତ ଆଶ୍ରମବାସିନୀମାନଙ୍କୁ ନେଇ । ତା’ର ପରିଣତି ଶେଷରେ ତାଙ୍କୁ ଭୋଗିବାକୁ ହେଲା ।

 

ଦୀର୍ଘ ନିଶ୍ୱାସଟିଏ ଥରି ଥରି ନିର୍ଗତ ହେଲା ହାସ୍ୟମୟୀଙ୍କ କଣ୍ଠରୁ ।

ମନୋଜ କହିଲା- ଆଶ୍ରମବାସିନୀମାନଙ୍କ ପାଇଁ କାହିଁକି ସେ ପ୍ରାଣ ବିସର୍ଜନ କଲେ ?

 

ସେମାନେ ଭୋଗ୍ୟବସ୍ତୁ ନୁହଁନ୍ତି - ସେମାନେ ଶୁଦ୍ଧ ଶକ୍ତି ଓ ସମ୍ଭାବନାର ପ୍ରତୀକ ଏଇଥିଲା ତାଙ୍କର ବକ୍ତବ୍ୟ । ତା’ ପରେ ଏଇ ହତ୍ୟାକାଣ୍ଡ ଘଟିଲା । ପୁଲିସ୍‍ ଅଫିସର ବାବାଙ୍କର ଶିଷ୍ୟ । କଥାଟା ଚପା ପଡ଼ିଗଲା ।

 

କେବଳ ଭକ୍ତମାନଙ୍କ ଦାନହିଁ ଆଶ୍ରମର ଆୟର ପନ୍ଥା ? ପଚାରିଲା ମନୋଜ ।

- ନା, ଦାନ ଯଥେଷ୍ଟ ମିଳେ । କିନ୍ତୁ ଆଶ୍ରମର ଖର୍ଚ୍ଚ ବି ଅନେକ ।

- ତା’ ହେଲେ ?

 

-ଚରସ, ହାସିସ ପ୍ରଭୃତି ନିଶାଦ୍ରବ୍ୟର କାରବାର ବି ପରିଚାଳିତ ହୁଏ ଏଇ ଆଶ୍ରମ ଭିତରୁ...

 

-ବିଦେଶକୁ ଯାଏ... ?

 

ବିଦେଶୀ ଭକ୍ତମାନେ ହିଁ ଯୋଗସୂତ୍ର । ବାବା କହନ୍ତି ଯେ ନିଶା ସେବକ ପରମାନନ୍ଦସ୍ଥ ହେବାରେ ସାହାଯ୍ୟ କରେ , ମଣିଷ ସଂସାରର ଜଞ୍ଜାଳ ଭୁଲିଯାଏ, ତୃତୀୟ ଅବସ୍ଥାକୁ ଚାଲିଯାଏ...

 

- ପାରାଦୀପ ବନ୍ଦର ସହିତ କିଛି ସମ୍ପର୍କ ଅଛି ?

- ନା, ଭାଇଜାଗ ସହିତ ସମ୍ପର୍କ ଅଛି ?

 

ଆଉ ଅଧିକ ସମୟ ପାଖରେ ରହିଲେ କାଳେ ସନ୍ଦେହ ସୃଷ୍ଟି ହୋଇପାରେ ସେଥିପାଇଁ କହିଲା, ଆଜି ଆଉ ବ୍ୟସ୍ତ କରିବି ନାହିଁ ଆପଣଙ୍କୁ । କେବଳ ଗୋଟିଏ କଥା ପଚାରିବାକୁ ଇଚ୍ଛାହୁଏ-

 

- କୁହନ୍ତୁ ?

- ଆପଣଙ୍କ ବିଷୟ ଅଶୁଣା ରହିଗଲା ଯେ.... ।

 

ଏଇ ଗୋଟିଏ ଜିଜ୍ଞାସା ହାସ୍ୟମୟୀଙ୍କର ସଦା ହାସ୍ୟମୟ ମୁହଁରୁ ହସଟିକକୁ ଅପହରଣ କରିନେଲା ।

 

ସେ ନିଶ୍ଚୁପ ହୋଇଗଲେ ଏବଂ ତାଙ୍କର ସର୍ବାଙ୍ଗରେ ଏକ ଅଦେଖା ବିଷର୍ଣ୍ଣତା ଖେଳିଗଲା ।

 

ମନୋଜ କହିଲା- ଯଦି ଆପଣଙ୍କ ମନରେ କଷ୍ଟ ଦେଇଥାଏ ସେଥିପାଇଁ କ୍ଷମା ମାଗୁଛି - ଆଜି ଥାଉ, ଆଉ ଦିନେ କହିବେ.... ।

 

ହାସ୍ୟମୟୀ ନିଜକୁ ସଜାଡ଼ି ନେଇ କହିଲେ - ମୁହଁରେ ଏତେକଥା କହିବାପାଇଁ ସମୟ ଲାଗିବ ବୋଲି ଲେଖି ରଖିଥିଲି ସବୁ । ଆଶ୍ରମର ପ୍ରସାଦ ଦେଇଥିବା ପ୍ୟାକେଟ ଭିତରେ ଚିଠିଟା ଅଛି । ଇଚ୍ଛା ହେଲେ ପଢ଼ି ସାରି ନଷ୍ଟ କରିଦେବେ ।

 

ମନୋଜ କହିଲା - ଆଜି ବିଦାୟ ଦିଅନ୍ତୁ... ।

 

ହାସ୍ୟମୟୀ କହିଲେ - ପୁଣି ଆସିବେ । ଆଉ ଦରକାର ହେଲେ ମୋତେ ମଧ୍ୟାହ୍ନ ବାରଟାରୁ ଚାରିଟା ଭିତରେ ଫୋନ୍‍ କରିପାରନ୍ତି । ସେତେବେଳେ ପିବିଏକସ୍‌ରେ ଯିଏ ବସନ୍ତି ଭଗ୍ନୀ ପ୍ରେମମୟୀ - ସିଏ ମୋର ଅନ୍ତରଙ୍ଗ ବାନ୍ଧବୀ, କୌଣସି କଥା ପ୍ରକାଶ କରେ ନାହିଁ ।

 

ମନୋଜ କହିଲା - ଆପଣ ମୋର ଫୋନ୍‍ ନମ୍ବରଟା ରଖନ୍ତୁ । ଏଇ କାର୍ଡ଼ରେ ଫୋନ୍‍ନମ୍ବର ଠିକଣା ସବୁ ଲେଖାଅଛି ।

 

ପୁଣି ଦୁହେଁ ଫେରି ଆସିଲେ ଅଭ୍ୟର୍ଥନା ଗୃହକୁ ।

 

ମନୋଜ ବିଦାୟ ନେଇ ବାହାରି ଯାଉଥିବାବେଳେ ହାସ୍ୟମୟୀ କହିଲେ - ଭଗ୍ନୀ ଶୁଭାର୍ଥୀନୀଙ୍କୁ ସେଦିନ ଦେଖି ଆପଣ ଚମକି ପଡ଼ିଲେ କାହିଁକି ?

 

ମନୋଜର ମାନସପଟରେ ବିଜୁଳି ପରି ଚମକି ଉଠିଲା ଶାଶ୍ୱତୀର ମୁହଁ ।

ସେ କହିଲା - ଶୁଭାର୍ଥୀନୀଙ୍କର ପୂର୍ବନାମ କଅଣ ?

 

- ତାହା ଆଉ ଲୋଡ଼ା ହୁଏନି ଏଠାରେ - ଏଠାରେ ନୂତନ ଭୂମିକା, ନୂତନ ନାମ, ନୂତନ ପରିଚୟ... ।

 

- ତଥାପି...

 

- ଜାଣିବାର କଥା ନୁହେଁ ମୋର । ପ୍ରତ୍ୟେକ ଅନ୍ତେବାସୀଙ୍କୁ ମନ୍ତ୍ର ଦବାବେଳେ ନାମ ବି ଦିଅନ୍ତି ବାବା । ପୂର୍ବନାମ ଓ ପରିଚୟ ନ ଦେବା ପାଇଁ ପ୍ରତିଜ୍ଞାବଦ୍ଧ ସମସ୍ତେ । ତଥାପି ତାଙ୍କର ପୂର୍ବନାମ ସେ କହିଛନ୍ତି ମୋତେ ବିଶ୍ୱାସରେ......

 

- କହିବାରେ ବାଧା ଅଛି ?

 

- ସେ ବାଧା ଆଉ ନାହିଁ । ସେ ମୋତେ ଅନୁମତି ଦେଇଛନ୍ତି କେବଳ ଆପଣଙ୍କୁ କହିବା ପାଇଁ ।

 

- ସେ ମୋତେ ଚିହ୍ନନ୍ତି ?

- ଚିହ୍ନିବେନି, ଆପଣ ତାଙ୍କ ସ୍ୱାମୀଙ୍କର ବନ୍ଧୁ ।

- ଶାଶ୍ୱତୀ ମୋତେ ଚିହ୍ନି ପାରିଲେ ?

- ନିଶ୍ଚୟ,...କିନ୍ତୁ ସାହାସ କରି ଛିଡ଼ା ହୋଇ ନ ପାରି ଲୁଚିଗଲେ ଆଶ୍ରମ ଭିତରେ... ।

- ତାଙ୍କର କିଛି କହିବାର ଅଛି... ।

 

- ହୁଏତ ଥିବ । ନିଶ୍ଚୟ ଥିବ । କିନ୍ତୁ ସେ ଏକ କରୁଣ କାହାଣୀ । ଆଉ ଦିନେ ସୁଯୋଗ ହେଲେ ଶୁଣିବେ ।

 

- ତାଙ୍କୁ ମୋର ଶୁଭେଚ୍ଛା ଜଣାଇ ଦେବେ ଏବଂ କହିବେ ଯେ ତାଙ୍କ ସ୍ୱାମୀ ଏବେବି ତାଙ୍କୁ ଅପେକ୍ଷା କରନ୍ତି.... ।

 

- ସେ ଜାଣନ୍ତି ଶାଶ୍ୱତୀ ଏଠାରେ ଅଛନ୍ତି ବୋଲି ?

- ନାଁ

 

-ଦୟାକରି ବର୍ତ୍ତମାନ ଆଉ କିଛି କହିବେ ନାହିଁ ତାଙ୍କୁ । କଥା ପ୍ରଘଟ ହେଲେ ସନ୍ଦେହ ବଢ଼ିବ । ଭାଇ ପ୍ରେମାନନ୍ଦ ପରି ଆମ ଭିତରୁ କେହି ବଳି ପଡ଼ିବା ବିଚିତ୍ର ନୁହେଁ ।

 

ପୁନର୍ବାର ତାଙ୍କ ମୁହଁ ଉପରେ ବିଷାଦର କଳା ମେଘଟିଏ ଅବତରଣ କଲା ।

 

ମନୋଜ ନମସ୍କାର କରି ବାହାରିଯିବାବେଳେ କହିଲା - କୌଣସି ବିପଦର ସମ୍ଭାବନା ଦେଖିଲେ ନିସଂକୋଚରେ ଖବର ଦେବେ । ମୁଁ ଛୋଟ ମଣିଷଟିଏ କିନ୍ତୁ ଅନେକ ଶକ୍ତିଶାଳି ଲୋକ ବି ମୋର ପୃଷ୍ଠପୋଷକତା କରନ୍ତି ।

 

ଭଗ୍ନୀ ହାସ୍ୟମୟୀ ଗୋଟିଏ ରକ୍ତ ଗୋଲାପ ତା’ ହାତକୁ ବଢ଼େଇ ଦେଇ କହିଲେ-ଭୁଲି ନ ଯାଆନ୍ତି ଯେପରି...

 

ମାନବ ମହାନ୍ତି ଶୀତଦିନର ସକାଳକୁ ଉପଭୋଗ କରୁଥିଲେ ହୋଟେଲ ‘ଶାନ୍ତି’ର ଶୀତତାପ ନିୟନ୍ତ୍ରିତ ଏକ କୋଠରିରେ ।

 

ବେଳେ ବେଳେ ଘରେ ନ ରହି ସେ ହୋଟେଲରେ ରାତ୍ରିଯାପନ କରନ୍ତି । ଯେଉଁଦିନ କାବାରେ କିମ୍ବା କକ୍‌ଟେଲ ଥାଏ ସେଦିନ ଅନେକ ରାତି ହୋଇଯାଏ । ସେତେବେଳେ ଆଉ ଘରକୁ ଫେରିବାର ମନ ବା ମେଜାଜ ନ ଥାଏ । ହୋଟେଲ ‘ଶାନ୍ତି’ର ସେ ପୃଷ୍ଠପୋଷକ । ତାଙ୍କ ପାଇଁ ଲଗ୍‌ଜୁରୀ ପ୍ରକୋଷ୍ଠଟିଏ ରହିଛି ନିର୍ଦ୍ଦିଷ୍ଟ ହୋଇ । ସେ ନ ଆସିଲେ ଖାଲିଥାଏ କୋଠରୀ । ସେ ଆସିଲେ ତାଙ୍କର ଚାହିଦା ଏବଂ ପସନ୍ଦ ଅନୁସାରେ ଯୋଗାଇ ଦିଆଯାଏ ସବୁ ।

 

ମାନବ ମହାନ୍ତି ଏଇ କେତେଦିନ ହେବ ଗସ୍ତରେ ଯାଇ କ୍ଳାନ୍ତ ହୋଇ ଫେରିଥିଲେ । ନାଗରିକ ଅଧିକାର ସୁରକ୍ଷା କମିଟିର ସେ ଅଧକ୍ଷ । ଆଦିବାସୀ ଉନ୍ନୟନ ସଭାର ସେ ସର୍ବମୟ କର୍ତ୍ତା । ପରିତ୍ୟକ୍ତା ମହିଳା ସମାଜର ସେ ପ୍ରେସିଡ଼େଣ୍ଟ୍‍ ଏବଂ ଯୌତୁକ ବିରୋଧି ସଂଘର ସେ ମୁଖ୍ୟ ପ୍ରବକ୍ତା । ଏହାଛଡ଼ା ସେ କେତୋଟି ବେସରକାରୀ କଲେଜର ସଭାପତି ଏବଂ ଆନ୍ତର୍ଜାତୀୟ ମୈତ୍ରୀ ସଂସ୍ଥାର ଛେୟାରମ୍ୟାନ । ଏତେଗୁଡ଼ିଏ ଅନୁଷ୍ଠାନ ସହିତ ସମ୍ପୃକ୍ତ ଥାଇ ସମୟ ପାଆନ୍ତି ନାହିଁ ଅନ୍ୟକାର୍ଯ୍ୟ କରିବାକୁ । ରାଜ୍ୟର ଆହୁରି ଅନେକ ଅନୁଷ୍ଠାନର ପରାମର୍ଶଦାତା ବା ପୃଷ୍ଠପୋଷକ ସେ । ତାଙ୍କରି ନାମ କର୍ମକର୍ତ୍ତାମାନଙ୍କ ତାଲିକାରେ ଶୀର୍ଷରେ ରହିଲେ ଅନୁଷ୍ଠାନର ସମ୍ମାନ ବୃଦ୍ଧିପାଏ ଏବଂ ସରକାରୀ ଓ ବେସରକାରୀ ସାହାଯ୍ୟ ମିଳିବାରେ ଅସୁବିଧା ହୁଏ ନାହିଁ । ମାନବ ମହାନ୍ତି ବୁଦ୍ଧିଜୀବୀ ମହଲର ଏକ ପ୍ରଖ୍ୟାତ ବ୍ୟକ୍ତି, ଖାଲି ଓଡ଼ିଶା ନୁହେଁ ପ୍ରଦେଶ ବାହାରେ ମଧ୍ୟ ତାଙ୍କର ଖ୍ୟାତି ଅଛି ଜଣେ ବିଖ୍ୟାତ ଆଇନଜ୍ଞ ଏବଂ ସମାଜସେବୀ ଭାବରେ ।

 

ମାନବ ମହାନ୍ତି କିନ୍ତୁ କୌଣସି ଦଳରେ ଯୋଗଦେଇ ନାହାଁନ୍ତି । ସେ ନିର୍ଦ୍ଦଳୀୟ ବ୍ୟକ୍ତି । ଯେଉଁଦଳ ସରକାର ଗଠନ କରେ ସେହି ଦଳ ତାଙ୍କୁ ଦଳଭୁକ୍ତ କରିବାଲାଗି ଚେଷ୍ଟା କରେ । ସେ କୁହନ୍ତି, ମୁଁ ତ ଅଛି ଦଳ ଭିତରେ ଖାଲି ଢୋଲ ବଜେଇ ସେଇ କଥାଟା ଘୋଷଣା ନ କଲେ ହେବ ନାହିଁ । ବରଂ ମୁଁ ବାହାରେ ରହି ଦଳକୁ ସାହାଯ୍ୟ କଲେ ଦଳ ଅଧିକ ସକ୍ରିୟ ଓ ଶକ୍ତିଶାଳୀ ହେବ ।

 

ଏହାପରେ ଆଉ କେହି ବାଧ୍ୟବାଧ୍ୟକତା କରନ୍ତି ନାହିଁ । ସେମାନେ ଧରିନିଅନ୍ତି ଯେ ସେ ଦଳର ଲୋକ, ଆପଣାର ଲୋକ ।

 

କାଲି କକ୍‌ଟେଲ ଶେଷ ହେବାବେଳକୁ ରାତି ଗୋଟାଏ ବାଜିଗଲା । ତା’ପରେ ଦେହଟା ଅବଶ ହୋଇ ଆସୁଥଲା । ଏହି କାରଣରୁ ସେ ଆଉ ଘରକୁ ନ ଯାଇ ନିଜର ସୁଇଟ୍‌ରେ ରହିଗଲେ ରାତିରେ ।

 

ରାତି ଦୁଇଟାବେଳକୁ ନିଶବ୍ଦରେ ପହଞ୍ଚିଲା ତୃପ୍ତି ।

 

ତୃପ୍ତି ନାଏକ ୧୯୭୮ ସାଲର ଓଡ଼ିଶା ସୁନ୍ଦରୀ ପ୍ରତିଯୋଗୀତାରେ ପ୍ରଥମ ହୋଇ ମୁକୁଟ ପରିଧାନ କରିବା ଦିନ ତା’ ସହିତ ପରିଚୟ ହୁଏ ତାଙ୍କର । ସେଇଦିନୁ ବନ୍ଧୁତା, ସେଇଦିନୁ ଘନିଷ୍ଠତା । ସେ ସଙ୍ଗୀତ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା । ଲଘୁ ସଙ୍ଗୀତ ବିଭାଗର ମୁଖ୍ୟ ଅଧ୍ୟାପିକା ।

 

ମାନବ ମହାନ୍ତି କୋଳ ଉପରେ କଡ଼ ଲେଉଟାଇ କହିଲା ତୃପ୍ତି - କେତେଟା ବାଜିବ ?

 

-ସମୟ ତ ରାତି ପାହାନ୍ତାରେ ଅଟକି ଯାଇଚି ତୃପ୍ତି ...ଘଡ଼ି ଦେଖି ଲାଭ କଅଣ ? କହିଲେ ସେ

 

Unknown

- ମୋର କ୍ଲାସ ଅଛି ଯେ...ତୁମେ ସିନା ଲକ୍ଷପତି । କୋର୍ଟକୁ ସାତଦିନ ନ ଗଲେ ମଧ୍ୟ ତୁମ ଜୁନିଅରମାନେ ଲଢ଼ିବେ ତୁମ ପାଇଁ ।

 

ମାନବ ମହାନ୍ତି ଆଉଥରେ ପ୍ରବଳ ଭାବରେ ତାଙ୍କୁ ନିଷ୍ପେସିତ କରି ତା’ ଓଠରେ ଦୀର୍ଘ ଚୁମ୍ବନ ଦବାବେଳେ ଶାଢ଼ି ଖୋଜୁଥିଲା ତୃପ୍ତି ।

 

ନା, ଆଜି ବୋଧହୁଏ ଆଉ ସକାଳର କ୍ଲାସଟା ନେଇପାରିବ ନାହିଁ ସେ ।

ମାନବ ମହାନ୍ତି କହିଲେ - ତୁମେ ପାଖରେ ଥିଲେ ସମୟ ସରେନି, ସୁରା ବି ସରେନି ।

- ଏତେ ପିଇବା ଭଲ ନୁହେଁ ଯେ.. । କହିଲା ତୃପ୍ତି ।

- ତୁମେ ନିର୍ଭୟ ହୁଅ ତୃପ୍ତି । ମୁଁ ଅନେକ ଦିନ ବଞ୍ଚିବି ।

- କିନ୍ତୁ ଇମିତି ସବୁଦିନ ଚାଲିଥିବ ନା ଆଉ କିଛି ।

ତୃପ୍ତି ନାଏକକୁ ବିବାହ କରିବେ ବୋଲି କଥା ଦେଇଥିଲେ ମାନବ ମହାନ୍ତି ।

ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନ ଦେଲେ ଆଇନ ଅନୁସାରେ ଦ୍ୱିତୀୟ ବିବାହ କରିବା ନିଷିଦ୍ଧ ।

 

ମାନବ କହିଲେ - ଧର୍ମେନ୍ଦ୍ର କିମିତି ବାହାହେଲା ହେମାମାଳିନୀକୁ ? ତା’ର ତ ପ୍ରଥମ ସ୍ତ୍ରୀ ଅଦ୍ୟାପି ଜୀବିତ ।

 

- ହେମାର ଝିଅଗୋଟିଏ ବି ହୋଇଚି ଏ ଭିତରେ ।

- ହବନି ! ତୁମେ ଖାଲି ଡରୁଚ ନା ...

- ଏଟା ଓଡ଼ିଶା ପୁଣି ଭୁବନେଶ୍ୱର -ବମ୍ବେ ହୋଇଥାଆନ୍ତା କି ।

- ଓଡ଼ିଆ ସବୁଦିନେ ଓଡ଼ିଆ ହୋଇ ରହିବେ -ଆଗେଇବେ ନାହିଁ ।

- କେଜାଣି...

- ତୁମେ ଭୟ ଛାଡ଼ । ମୋର ଉଷୁମ ପାଉଥିବା ଯାଏ ତୁମକୁ କେବେ ଶୀତ ଲାଗିବନି ।

- ଗୋଟେ କଥା କହିବି ?

- କୁହ ।

- ରଖିବ, କଥା ଦିଅ ।

- କୋଉ କଥା ନ ରଖିଚି ?

- ନା, ଆଗ କଥା ଦିଅ ।

- ଯା’ କହିବି ମାନିବ । କହିଯାଅ...

 

- କଲିକତା କି ଦିଲ୍ଲୀରେ ରେଜେଷ୍ଟ୍ରି ମ୍ୟାରେଜ୍‌ କରି ଆସିଲେ କିମିତି ହୁଅନ୍ତା ? କେହି ଜାଣନ୍ତେ ନାହିଁ ।

 

ବାହାହେବାରେ ଭୂତ ଲାଗିଚି ତୁମକୁ । ବାହା ନ ହୋଇ ଯଦି ଆମେ ସ୍ୱାମୀ ସ୍ତ୍ରୀ ପରି ରହିବାରେ ବାଧା ନାହିଁ ଏ ଅନର୍ଥ ଘଟେଇବା କାହିଁକି । ବିରୋଧିଙ୍କୁ ଗୋଟେ ସୁଯୋଗ ଦବା ଛଡ଼ା ଆଉ ଲାଭ କଅଣ ହେବ ଯେ... ।

 

- ନା ସେକଥା କହୁନି । ବାହା ନ ହୋଇ ମୁଁ ତ ମା’ ହୋଇ ପାରିବିନି ।

- ଅଲବତ୍ ହୋଇପାରିବ ।

- ତୁମେ ବାପା ହବାରେ ବି ବାଧା ନାହିଁ ?

- ନା ।

- ବର୍ଥ ରେଜିଷ୍ଟ୍ରାରରେ ତୁମ ନାମ ଲେଖାଯିବ ପିତା ଭାବରେ...

- ହଁ ।

- ସ୍କୁଲରେ ?

- ସେଠାରେ ବି ମୋ ନାମ ଲେଖିଦବ ।

- କେହି ପ୍ରଶ୍ନ କରିବେ ନାହିଁ ?

 

- ସବୁ କାଳରେ କେତେକ ଲୋକ ପ୍ରଶ୍ନ କରନ୍ତି କିନ୍ତୁ ସେମାନଙ୍କୁ ଉତ୍ତର ଦବାକୁ ଆମେ ବାଧ୍ୟ ନୋହୁଁ ।

 

- ମୋତେ ପଚାରିଲେ କଅଣ କହିବି ?

- କହିବ ଯାହା ସତ କଥା... । ମୁଁ ତ ଅଛି ।

- ଇମିତି କଲେ ଆଇନର ବାଧା ନାହିଁ...

- ନା ।

- ଆମେ ଧର୍ମେନ୍ଦ୍ର ହେମାମାଳିନୀ ପରି ବାହାହେଲେ...

- ଅପେକ୍ଷାକର, ଦିନେ ବମ୍ବେ କି ବାଙ୍ଗାଲୋର ଯାଇ ମନ୍ଦିରରେ ବାହାହୋଇ ଆସିବା ।

- ତୃପ୍ତି ତୃପ୍ତିରେ ମାନବ ମହାନ୍ତିକୁ ଅଣ୍ଡାଳିବାକୁ ଲାଗିଲା ।

ଟେଲିଫୋନ୍‌ ବାଜି ଉଠିଲା ।

ଧ୍ୟାତ୍‌ତେରୀ ସକାଳଟାରେ କାହାର ପୁଣି ଦରକାର ହେଲା ।

ରିସିଭରଟା ଉଠାଇ ନେଇ କହିଲେ ମାନବ ମହାନ୍ତି - ହ୍ୟାଲୋ ।

- ଆପଣଙ୍କ ସହିତ ଜଣେ ଭଦ୍ରଲୋକ କଥା କହିବାକୁ ଚାହାଁନ୍ତି ।

- କିଏ ସେ ?

- ମନୋଜ ମିଶ୍ର । ‘ନିଉ ଟାଇମସ୍‌’ର ସମ୍ବାଦଦାତା ।

 

- ତାଙ୍କୁ କହିଦିଅ ଯେ ମୁଁ ବାଥ୍‌ରୁମ୍‌ରେ ଅଛି ... ତାଙ୍କୁ ପରେ ଫୋନ୍ କରିବି । ତାଙ୍କର ନମ୍ବରଟା ଟିପିନିଅ ।

 

- ସେଇୟା କରିବି ସାର୍ । ଆପଣଙ୍କୁ ବିରକ୍ତ କଲିବୋଲି କିଛି ମନେକରିବେ ନାହିଁ ।

- ବାୟ ଦି ବାୟ ସମୟ କେତେ ହେଲାଣି ?

- ଦଶଟା ବାଜିବାକୁ ଏଗାର ମିନିଟ୍ ବାକି ଅଛି ସାର୍‌ ।

- ଥାଙ୍କ୍‌ ୟୁ ।

ରିସିଭର ରଖିଦେଲେ ମାନବ ମହାନ୍ତି ।

 

ସାରା ରାତିଟା ଶୋଇ ନ ଥିବାରୁ ପୋଡ଼ୁଛି ଆଖି । ମାତ୍ରାଧିକ ରତିକ୍ରୀଡ଼ା ଯୋଗୁଁ ଅବସନ୍ନ ଲାଗୁଚି ଦେହ । ଆଉ ଗିଲାସେ ପିଇ କଡ଼େ ଶୋଇଗଲେ ହୁଅନ୍ତା ।

 

ତାଙ୍କୁ ଗିଲାସେ ସୁରା ଦେଇ ଗାଧୋଇବାକୁ ଚାଲିଗଲା ତୃପ୍ତି ।

 

ମାନବ ମହାନ୍ତି ଉଠିବାବେଳକୁ ଲଞ୍ଚ ବେଳ । ଗାଧୋଇ ସାରି ସେ କହିଲେ - ଲଞ୍ଚ ଖାଇ ଯିବ ତ ?

 

- ହଁ

 

- ଏଠାରେ ନୁହେଁ, ଚାଲ ହୋଟେଲ ଖଣ୍ଡଗିରିକୁ ଯିବା । ନୂଆ ହୋଇ ଖୋଲିଚି । ବାର୍‌ଟା ଚମତ୍କାର । ଚିକେନ୍ ଗ୍ରିଲ୍‌ର ତୁଳନା ନାହିଁ ।

 

- ଚାଲ, କିନ୍ତୁ ଗୋଟେ ସର୍ତ୍ତରେ ମୋତେ ଆଉ ବ୍ୟସ୍ତ କରିବ ନାହିଁ ।

- ମାନେ ?

- ଅର୍ଥ ଜଳପରି ନିର୍ମଳ ।

- ଗୋଳିଆ ପାଣି ବି ଥାଏ...

- ନିର୍ମଳ ଜଳ କଥା କହୁଚି ମୁଁ ।

- ଥରୁଟିଏ ।

- ନା

- ଆଚ୍ଛା ହେଲା, କିନ୍ତୁ କମ୍‌ ବେକ୍‌ ଫର୍‌ ଡିନାର... ।

- ଆହୁରି ?

- ହ୍ୟାଙ୍ଗ ଓଭରଟା କଟିବାକୁ ଆହୁରି ଦିନେ ଲାଗିବ... ।

- ଓ କେ ।

ଦୁହେଁ ଲଞ୍ଚ ଖାଇବାକୁ ବାହାରିଗଲେ ହୋଟେଲ ଖଣ୍ଡଗିର ଅଭିମୁଖରେ ।

 

ନୂଆ ହୋଇ ଜାତୀୟ ରାଜପଥ କଡ଼ରେ ଖୋଲିଚି ଏଇ ହୋଟେଲ । ଏକ ପ୍ରଖ୍ୟାତ ଅନ୍ତର୍ଜାତୀୟ ହୋଟଲ ସଂସ୍ଥା ସହିତ ସମ୍ପୃକ୍ତ । ନୂଆ ହେଲେବି ବ୍ୟବସାୟ ଭଲ ଚାଲିଚି ।

 

ଏଇ ପାଞ୍ଚବର୍ଷ ଭିତରେ ରାଜଧାନୀରେ ଅତ୍ୟାଧୁନିକ ହୋଟେଲମାନଙ୍କର ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇଛି । ପୁଣି ତିଆରି ଚାଲିଚି ହୋଟେଲ ମହାନଦୀ । ଏଇଟା ମାନବ ମହାନ୍ତିଙ୍କର ନିଜର ହୋଟେଲ । ନନ୍ଦନକାନନକୁ ଯିବା ରାସ୍ତାରେ । ଆଉ ବର୍ଷେ ଲାଗିବ ସବୁକାମ ଶେଷକରି ଖୋଲିବା ପାଇଁ । ହୋଟେଲ ମହାନଦୀ ହେବ ଭୁବନେଶ୍ୱରର ସର୍ବଶ୍ରେଷ୍ଠ ପଞ୍ଚତାରକାବିଶିଷ୍ଟ ହୋଟେଲ । ଫାଇଭ୍‌ଷ୍ଟାର ହୋଟେଲର ସବୁ ବ୍ୟବସ୍ଥା ଛଡ଼ା ଅନ୍ୟକିଛି ସ୍ୱତନ୍ତ୍ର ସୁଖସୁବିଧା ବି ରହିବ ।

 

ସେଇ ହୋଟେଲର ପଚିଶ ଭାଗ ସେୟାର ତୃପ୍ତି ନାମରେ କରି ଦେଇଛନ୍ତି ମାନବ ମହାନ୍ତି । ସେ ମଧ୍ୟ ଜଣେ ଡାଇରେକ୍ଟର । ହୋଟେଲ ଚାଲିଲେ ଚାକିରିଟା ଛାଡ଼ି ଦବ ତୃପ୍ତି । ତା’ପାଇଁ ଗୋଟେ ଏକମହଲା ଘରଟିଏ ବି ତୋଳା ଚାଲିଚି ହୋଟଲର ଟିକେ ଦୂରରେ । ସୁନ୍ଦର ବଗିଚାଟିଏ ରହିବ ଘର ଚାରିପାଖରେ । ବାହାରୁ ଜଣାଯିବ ଯେମିତିକା କୋଉ ମହାରାଣୀର ଉଦ୍ୟାନ ଭବନ । ସେଇ ଉଦ୍ୟାନ ଭବନରେ ତୃପ୍ତିକୁ ଅବାଧରେ ଭୋଗ କରିବେ ମାନବ ମହାନ୍ତି । ସେଇଠି ବାହା ନ ହୋଇବ ବୈଧ ସନ୍ତାନ ଜନ୍ମ କରିବ ସେ ।

 

ଏଇ ଝିଅମାନଙ୍କ କଥା ଭାବିଲେ ମାନବ ମହାନ୍ତିଙ୍କ ମନଟା ଦବିଯାଏ ଟିକେ । ପରାଜିତ ସେନାପତି ପରି ଅପମାନିତ ମନେକରନ୍ତି ସେ ।

 

ତୃପ୍ତିଠାରୁ ଆହୁରି ଆକର୍ଷଣୀୟ ଅଧ୍ୟାପିକା ଶ୍ରୀଲେଖା ଦାସ ।

ସେ ତାଙ୍କର ଲମ୍ବିଥିବା ହାତକୁ ଫେରେଇ ଦେଇଛି ।

 

କିନ୍ତୁ ଶ୍ରୀଲେଖାକୁ ଜଣେଇ ଦବାପାଇଁ ତାଙ୍କର ଇଚ୍ଛା ହୁଏ ଯେ ମାନବ ମହାନ୍ତି ଯାହା ଚାହିଁଛି ସବୁ ପାଇଛି । ପୃଥିବୀରେ ଏପରି କୌଣସି ଶକ୍ତି ନାହିଁ ଯାହା ଅନ୍ତରାୟ ହେବ ତାଙ୍କର । କଳେ ବଳେ କୌଶଳେ ସଫଳତା ହାସଲ କରିବାର କୌଶଳ ଜଣାଅଛି ତାଙ୍କୁ ।

 

ଶ୍ରୀଲେଖା ଦାସର ମୁହଁଟା ଆଉ ଭୁଲି ପାରିଲେ ନାହିଁ ମାନବ ମହାନ୍ତି ।

 

ଗାଡ଼ି ଚାଲିଚି । ପାଖରେ ବସିଛି ତୃପ୍ତି । କେଡ଼େ ନିଷ୍ପ୍ରଭ ଦିଶୁଚି ତା’ର ମୁହଁ, ମଳିନ ଦିଶୁଚି ତା’ର ଓଠ । କିଏ କହେ ଏଇ ତୃପ୍ତିର ଆଖି ଯୋଡ଼ିକରେ ପୃଥିବୀର ସବୁ ସ୍ୱପ୍ନ, ତା’ର କଟିରେ ସିଂହିନୀର ଶକ୍ତି ! ସେମାନେ ବୋଧହୁଏ ଦେଖି ନାହାନ୍ତି ଶ୍ରୀଲେଖାକୁ । ଆଖିରେ ଯେତେ ସ୍ୱପ୍ନ ଓଠରେ ସେତେ ଆତୁରତା, ଛାତିରେ ମହୋଦଧିର ଢେଉ ଆଉ କଟିରେ ନୃତ୍ୟରତାର ଆଲେଖ୍ୟ । ତଳିପାରୁ ତାଳୁ ପର୍ଯ୍ୟନ୍ତ ସେକ୍‌ସି....ଆଃ....

 

କଅଣ ହେଲା ? ପଚାରିଲା ତୃପ୍ତି ।

 

ଗାଡ଼ି ପହଞ୍ଚି ସାରିଥିଲା ହୋଟେଲ ଖଣ୍ଡଗିରି ସାମ୍ନାରେ । ଗାଡ଼ି ପାର୍କକରି ତୃପ୍ତିକୁ କହିଲେ - କିଛି ନୁହେଁ.... ।

 

- ମୋତେ ଲୁଚଉଛ....

- ନା, ଲୁଚେଇବାର କଅଣ ଅଛି ଯେ.... ।

- ଗୋଟେ କଥା କହିବ ?

- ନିଶ୍ଚୟ, ପଚାର ।

- ମୁଁ ସୁନ୍ଦର ?

- ତୁଳନା କରିବା ପାଇଁ ପାଖରେ ଆଉ କାହାକୁ ଦେଖୁନ ତ !

- ସତ କହୁଛ ?

- ମାନବ ମହାନ୍ତି ମିଛ କହେନି ।

- ମୋତେ ତମେ ଭଲ ପାଅ ।

- ଚାଲ, ଲଞ୍ଚ ଖାଇବା ଆଗରୁ ସୁଇଟ୍‌କୁ ଯିବା ।

- ଆଗେ କୁହ...

- ସେଇଠି କହିବି...

- ବଡ଼ ଦୁଷ୍ଟ ହୋଇଯାଉଛ ଦିନକୁ ଦିନ.... ।

- ତୃପ୍ତି ଭିତରେ ଶ୍ରୀଲେଖାକୁ ଖୋଜୁଥିଲେ ମାନବ ମହାନ୍ତି !

 

ତାଙ୍କ ସହିତ ଦୁଇଘଣ୍ଟା ବସି ମନୋଜ ମିଶ୍ର ଫେରିଯିବା ପରେ ତା’ର ଆସିବା ଏବଂ ତାଙ୍କୁ ସାକ୍ଷାତ୍‍ କରିବାର ଅଭିପ୍ରାୟ ସମ୍ପର୍କରେ ମନକୁମନ ପ୍ରଶ୍ନକଲେ ମାନବ ମହାନ୍ତି । ସେ ଜଣେ ସାମ୍ବାଦିକ ଏବଂ ସେହି ଖାତିରରେ ସେ ସାକ୍ଷାତ୍‍ କରିବାପାଇଁ ରାଜି ହୋଇ ସ୍ୱାଗତ କରିଥିଲେ ତାକୁ; କିନ୍ତୁ ଦୁଇଘଣ୍ଟା ତାଙ୍କ ପାଖରେ ବସି, ତାଙ୍କର ଆତିଥ୍ୟର ସଦୁପଯୋଗ କରି ସେ ଯେ ତାଙ୍କର ଇମେଜ ବଢ଼େଇବା ପାଇଁ ତାଙ୍କ ପାଖକୁ ଆସି ନ ଥିଲା ଏହି ବିଷୟ ଅସ୍ଥିର କଲା ତାଙ୍କୁ । ମନୋଜ ମିଶ୍ର ତରୁଣ ହେଲେବି ଜଣେ ସଚ୍ଚୋଟ ଏବଂ ଦକ୍ଷ ସାମ୍ବାଦିକ ଭାବରେ ସୁନାମ ଅର୍ଜନ କରିଥିବାର ଜାଣିଥିଲେ ସେ । କଥାରେ ଅଛି ଯେ ପୁଲିସ୍‍, ସାମ୍ବାଦିକ ଏବଂ ଆୟକର ବିଭାଗର ଲୋକଙ୍କ ସହିତ ବୈରତା ବା ମିତ୍ରତା ନ କରି ଦୂରତ୍ୱ ରକ୍ଷା କରିବ । ସେମାନଙ୍କୁ ବିଶ୍ୱାସ କଲେ ନିଜେ ଅଡ଼ୁଆରେ ପଡ଼ିବାର ସମ୍ଭାବନା ଅଛି ।

 

ମନୋଜ ମିଶ୍ର ଚାଲିଯିବା ପରେ ତା’ର ଅଭିପ୍ରାୟ ସମ୍ପର୍କରେ ମନରେ ସ୍ୱତଃ ପ୍ରଶ୍ନ ଉଠିଲା । ସେ ତାକୁ ଆସିବା ପାଇଁ ଅନୁମତି ଦେଇ ନ ଥିଲେ କିମ୍ବା ବିଳମ୍ବ କରିଥିଲେ କିଛି କ୍ଷତି ଘଟି ନ ଥାନ୍ତା । ବରଂ ଇଣ୍ଟରଭିଉ କରିବାର ଛଳନା କରି ତାଙ୍କର ପ୍ରାୟୋରିଟି ଏବଂ କମିଟ୍‌ମେଣ୍ଟ ବିଷୟରେ ଏତେକଥା କହି ନ ଥିଲେ ଚଳିଥାଆନ୍ତା । ସେ ପ୍ରଗଳ୍‌ଭ ହୋଇ ଅନେକ କଥା କହିଗଲେ । ମନୋଜ ମିଶ୍ର ତାଙ୍କରି ଆଗରେ ତା’ର ବିଚକ୍ଷଣତା ପ୍ରମାଣ କରିଦେଇଗଲା ।

 

ସିଗାରେଟ ପରେ ସିଗାରେଟରେ ଅଗ୍ନି ସଂଯୋଗ କଲେ ମାନବ, କିନ୍ତୁ ନିଜ ଭିତରେ କୁହୁଳିଥିବା ଭାବଟା ଆଦୌ ଅନ୍ତର୍ହିତ ହେଲା ନାହିଁ ।

 

ମନୋଜ ମିଶ୍ରକୁ କିନ୍ତୁ ସହଜରେ ଛାଡ଼ି ଦେବେନି ସେ । ସହଜରେ କାହାକୁ ପଡ଼ିଆ ଛାଡ଼ିଦିଅନ୍ତି ନାହିଁ ସେ । ସେ ଖେଳିବେ ଏବଂ ଶେଷରେ ଗୋଲ କରିବେ ସେ ନିଜେ । ପ୍ରତିପକ୍ଷ ଗୋଲ କରିବା ଆଗରୁ ଜାଗା ଛାଡ଼ି ଦଉଥିବାର ଛଳନା କରି ସେ କମାଲ କରିବେ ଖେଳରେ । ଫାଉଲ ହେଉ ବା ପିଓର ଗେମ୍‌ ଯାହାହେଉ ଜିତିବେ ସେ ।

 

କିନ୍ତୁ ମନୋଜ ମିଶ୍ରର ଅଭିପ୍ରାୟ କଅଣ ? ତାଙ୍କ ପ୍ରତି ଏତେ ସଦୟ ହେବାର ଉଦ୍ଦେଶ୍ୟ କଅଣ ?

 

ଟେଲିଫୋନ୍‍ କଲେ ମାନବ ।

 

ପୁଲିସ୍‍ ବିଭାଗର ଇଣ୍ଟେଲିଜେନ୍‌ସ ଦାୟିତ୍ୱରେ ଥିବା ଜଣେ ବଡ଼ କର୍ତ୍ତା ତାଙ୍କର ସହପାଠୀ । ସେ ମନୋଜ ମିଶ୍ରର ନାମ ଶୁଣି ଉତ୍‌କ୍ଷିପ୍ତ ହେବା ପରି କହିଲେ- ଆଉ କେହି ଲୋକର ନାମ ନ ଧରି ତା’ର ନାମ ଧରୁଛୁ କୋଉ ଦୁଃଖରେ । ସେ ଶଳା ଇନ୍‌ଭେଷ୍ଟିଗେଟିଂ ରିପୋର୍ଟିଂ ନାମରେ ବ୍ଳାକ୍‌ମେଲ କରିବାକୁ ଆରମ୍ଭ କରିଚି ।

 

- ହ୍ୱାଟ୍‌ ? ତୀକ୍ଷ୍‌ଣ ସ୍ୱରରେ ପଚାରିଲେ ମାନବ ମହାନ୍ତି ।

 

- ତୋତେ ଇଣ୍ଟରଭିଉ କରିଚି ମାନେ ତୋହରି ଫାନ୍ଦରେ ତୋତେ ପକେଇବାର ମତଲବ ଅଛି ତା’ର ।

 

- ତା’ ବିଷୟରେ ଇଣ୍ଟଲିଜେନ୍‌ସର ଖବର କଅଣ ?

- ଅତି ଚତୁର । ବହୁ ଚେଷ୍ଟା କରିବି ଅଠାକାଣ୍ଡିଆରେ ପଡ଼ୁନି ଶଳା ।

- ଭାଇସେସ୍‌ ନାହିଁ କିଛି ?

 

- ନା, ଶଳା ପିଏନି କି ନିଏନି । ଶଳାର ମହିଳାମାନଙ୍କ ପ୍ରତି ବି ଦୁର୍ବଳତା ଥିବାର ଏପର୍ଯ୍ୟନ୍ତ ଜାଣିଲି ନାହିଁ । ବାଷ୍ଟାର୍ଡ଼ ।

 

- ତୋ ସହିତ କେବେ ଏନ୍‌କାଉଣ୍ଟର ହୋଇନି କେବେ ?

- ହୋଇଛି । ଶଳା ମୋତେ ଥରେ ଅପଦସ୍ତ ବି କରିଛି ମିନିଷ୍ଟରଙ୍କ ପାଖରେ ।

- ତା’ର ପ୍ରବେଶ ଅଛି ଉପର ମହଲରେ ।

- ହଁ ଭାଇ, ଶଳାକୁ ଡରନ୍ତି ସମସ୍ତେ ।

- କାହିଁକି ?

 

- ସମସ୍ତଙ୍କର ଦୁର୍ବଳତାଗୁଡ଼ା ସେ ଟିପି ରଖେ ଫାଇଲ୍‌ରେ । ଆଉ ଆଜିକାଲି କିଏ ସାଧୁସନ୍ଥ କହ । କାହାର ପିଇବା ଦରକାର ହୁଏ ତ କାହାର ଶୋଇବା ଦରକାର ହୁଏ । ଆଉ କେହି ନିଏ - ନବାର ଦୁର୍ବଳତା ତ ସଭିଙ୍କର ଆଜିକାଲି ।

 

- ତୁ ତା’ ଉପରେ ଦୃଷ୍ଟିରଖ ଭାଇ, ଦରକାରବେଳେ କହିବୁ ।

 

- ସେ ସେଇ ବାବାଜୀ ପଛରେ ଲାଗିଛି । ପ୍ରେମାନନ୍ଦ ବାବାଜୀରେ ହତ୍ୟା ସମ୍ପର୍କରେ ପୁଲିସ୍‍ର ଫଏସଲା ସେ ଗ୍ରହଣ କରିନି ।

 

- କିନ୍ତୁ ତାହା ତ କେତେଦିନ ତଳର ଘଟଣା । ସାକ୍ଷ୍ୟ ପ୍ରମାଣ ନଷ୍ଟ ହୋଇ ଗଲାଣି ସବୁ-

 

- ନା । ସେ ନୂତନ ତଥ୍ୟ ସଂଗ୍ରହ କରିବାରେ ଲାଗିଚି ।

- ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବେ ନାହିଁ ତ ?

- ତୁ ନିଶ୍ଚୁନ୍ତ ରହ, ପୋଲିସ ବି ତା’ ପଛରେ ଲାଗିଛି – ।

- ଇୟେସ୍‌ କଣ୍ଟାକୁ କଣ୍ଟାଦ୍ୱାରା କାଢ଼ିବାକୁ ହୁଏ ।

- ସୁହାସିନୀ ସହିତ ତୋ’ର ସମ୍ପର୍କ କିପରି ?

- ବେଶ ଭଲ ।

- ତାଙ୍କୁ ଟିକେ ହାତରେ ରଖିବା ଭଲ ।

- ମନୋଜ ମିଶ୍ର ବିଉଟି ପାର୍ଲରକୁ ଯାଏ ?

- ଯାଉ ନ ଥିଲା, ଏବେ କିନ୍ତୁ ଯିବାକୁ ଆରମ୍ଭ କରୁଚି ।

- ମତଲବ ?

- ଉଦ୍ଦେଶ୍ୟ ଯେ ସାଧୁ ନୁହେଁ ଏହା ତୁ ବୁଝୁଥିବୁ ।

- ହୁଁ ।

- ଶଳା ଯାଦୁ ଜାଣେ ନା କଅଣ, ଲୋକେ ଟାଣିହୋଇ ଆସନ୍ତି ତା’ ପାଖକୁ ।

- ମୁଁ ତ ସିମିତି ଗୋଟାଏ ଦୁର୍ବଳ ମୂହୂର୍ତ୍ତରେ ପଡ଼ିଗଲି ତା’ ପାଲ୍‌ରେ ।

- ତୁ ବି ଆଖି ରଖିଥା.... ।

- ମୁଁ କିନ୍ତୁ ତା’ର ପିଛା କରିବି... ।

- ଆଉ ସବୁ ଖବର କଅଣ ?

- କମ୍‌ ଫର ଏ ଡ୍ରିଙ୍କ୍‌...ଆସିବୁ ସନ୍ଧ୍ୟାରେ ?

- ଖାଲି ଡ୍ରିଙ୍କ୍‌ସ ନା ଆଉ କିଛି...ଘରେ ଖାଇ ଖାଇ ଅରୁଚି ଧରିଗଲାଣି ।

 

- ତୁ ଆ, ଖାଇବା ଶୋଇବା ଉଭୟର ବ୍ୟବସ୍ଥା ଅଛି ସେଠାରେ । ଗ୍ଳୋରିଆକୁ ଜାଣିଛୁ-?

 

- ଓ, ଇୟେସ । ସି ଇଜ୍‌ ବିଉଟିଫୁଲ ଆଣ୍ଡ ଭିଭାସିଅସ... ।

- ସେ ତୋ ପାଖରେ ରହିବ ଆଜି ।

- ତୁ ବାବାଜୀ ହେବୁ ?

- ନା, ଅନ୍ୟ ମାଲ ଅଛି, ତୁ ଚିହ୍ନିନୁ...

- ତଥାପି ଆଗ୍ରହ ହୁଏ ଜାଣିବାକୁ…

 

- ଗ୍ଳୋରିଆର ସାନ ଭଉଣୀ ସୋନିଆ । ଏଇ ଫେରିଛି ବମ୍ବେରୁ । ସେଠାରେ ଆର୍ଟ ସ୍କୁଲରେ ଅଛି । ଏ ଭେରି ସ୍ମାର୍ଟ ଗାର୍ଲ, ଇକ୍ୱେଲି ଚାରମିଂ ବାଟ୍‌ ଆଗ୍ରେସିଭ... ।

 

- ଓଃ, ବହୁତ ଆଗେଇଲୁଣି ଏ ଭିତରେ । ସମୟ ପାଉଛୁ କେତେବେଳେ ?

 

-ନୂଆ ମାଲ ନ ମିଲିଲେ ମଜା ଲାଗେନି ଭାଇ । ଇଏ ଗୋଟାଏ ନିଶା । ଥରେ ଧରିଲେ ଛାଡ଼ି ହୁଏନି । ଏଇ ଦେଖୁନୁ ତୋ ପାଖରେ ଏତେ ସୁନ୍ଦରୀ ମହିଳାଟିଏ ଥିବାବେଳେ ତୁ ତ ପୁଣି ନୂଆ ପାଇଁ ପାଗଳ ହେଉ ।

 

- ଏକା ମେନୁ ଭଲ ଲାଗେନା ସବୁଦିନ । ତା’ ହେଲେ ଠିକ୍‌ ଅଛି । କୋଉଠିକୁ ଆସିବି କହ ।

 

- ହୋଟେଲ ନନ୍ଦନକାନନ । ଠିକ୍‌ ସାଢ଼େ ସାତଟାରେ ।

- ବାୟ୍‌...

- ବାୟ୍‌...

 

- ଟେଲିଫୋନ୍‍ଟା ରଖି ଆଉ ଥରେ ହୋଟେଲ ନନ୍ଦନକାନନକୁ ଫୋନ୍‍କରି ବୁକିଂ କନଫାର୍ମ କରି ଗ୍ଳୋରିଆ ଏବଂ ସୋନିଆ ଏଜେଣ୍ଟକୁ ବି କହିଦେଲେ ମାନବ ।

 

ମନୋଜ ମିଶ୍ରର ଯଦି ମଦ କି ମାଇକିନିଆଙ୍କ ପ୍ରତି ଟିକେ ଦୁର୍ବଳତା ଥାଆନ୍ତା ସେ ପରୁଆ କରନ୍ତେ ନାହିଁ । ଶଳା ବାଚେଲର ଅଛି ଏ ଯାଏ । ପ୍ରୟୋଜନ ବି ସୀମିତ । ଟଙ୍କା ପଇସାରେ ଲୋଭ ନାହିଁ ଶଳାର ।

 

ତଥାପି ତା’ ଉପରେ ଆଖି ରଖିବାକୁ ହେବ । ସେ ଯେପରି ତାଙ୍କୁ ଖାପଚରେ ପକେଇ ନ ପାରେ ସେଥିପ୍ରତି ସତର୍କ ରହିବାକୁ ହେବ ।

 

ସୁହାସିନୀ ପାଖକୁ ଟେଲିଫୋନ୍‍ ନ କରି ନିଜେ ଯିବାପାଇଁ ଠିକ୍‌ କଲେ ମାନବ ମହାନ୍ତି-

 

ବିଉଟି ପାର୍ଲର ଭିତରେ ସେ ପଶିଲାଣି ଯେତେବେଳେ ଢୋଲ ଭିତରେ ମୂଷା ପରି କେତେବେଳେ ମେଲ କଣାକରି ବାହାରିବ କିଏ ଜାଣେ । ସେଠାରେ ବି ପୁଞ୍ଜି ଖଟେଇଚନ୍ତି ସେ । ସୁହାସିନୀ ବୁଦ୍ଧିମତୀ ହୋଇ ବି ଏଇ ଲୋକଟାକୁ ସ୍ୱାଗତ କଲେ କିପରି ?

 

ମାନବ ମହାନ୍ତିଙ୍କର ପୃଥିବୀର ଆକାର ବଢ଼ୁଚି ଦିନକୁ ଦିନ । ତାଙ୍କର ମାନସମ୍ମାନ, ଯଶଖ୍ୟାତି ସହିତ ବଢ଼ୁଚି ତାଙ୍କର ମାମ୍ରାଜ୍ୟ । ପ୍ରାକ୍‌ଟିସରେ ଅପ୍ରତିଦ୍ୱନ୍ଦ୍ୱୀ ସେ । ସମାଜସେବା ତାଙ୍କର ହବି । ନେତୃତ୍ୱ ନବାର ଗୋପନ ଅଭିଳାଷ ବି ଅଛି ମନରେ । ସମୟ ଓ ସୁଯୋଗ ପାଇଲେ ତା’ର ଉପଯୋଗ କରିବେ ମାନବ ।

 

ଏଇ ପୃଥିବୀରେ ଦୁର୍ବଳର ସ୍ଥାନ ନାହିଁ । ଯାହାର ଶକ୍ତି ଅଛି, ସାମର୍ଥ୍ୟ ଅଛି, ସେ ହୁଏ ବିଜୟୀ । ସେ ଧରଣୀର ଭର୍ତ୍ତା । ସେ ସମ୍ଭୋଗ କରିବ ପୃଥିବୀର ସୁଖ ଓ ସମ୍ପଦକୁ ।

 

ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ ସେ । ଅନୁଗୁଳର କ୍ଷୁଦ୍ର ପରିବେଶରୁ ପ୍ରତି ପଦକ୍ଷେପରେ ନିଜର ଯୋଗ୍ୟତା ପ୍ରମାଣିତ କରି ସେ ଚାଲି ଆସିଚନ୍ତି ଏପର୍ଯ୍ୟନ୍ତ । ଆହୁରି ଯିବାକୁ ହେବ । ଆଗକୁ ଯିବାର ତ ଗୋଟାଏ ନିଶା । ଯିଏ ଆଗକୁ ନ ଯାଇ ପଛକୁ ହଟେ ତା’ କାଳ ତ ସରି ଯାଇଛି । ଗୋଟିଏ ସ୍ଥାନରେ ଛିଡ଼ା ହୋଇଥିବା ଲୋକର ବି ଭୂତ ନାହିଁ କି ଭବିଷ୍ୟତ ନାହିଁ । ଫିଟେଷ୍ଟ ଅଫ୍‌ ଦି ସରଭାଇଭାଲ....

 

ସେ ବଞ୍ଚିବେ । ଭଲ ଭାବରେ ସୁଖରେ ବଞ୍ଚିବା ପାଇଁ ଯେଉଁ ସୌଖୀନ ବସ୍ତୁର ପ୍ରୟୋଜନ ସବୁ ତାଙ୍କର ଲୋଡ଼ା । ଥରେ ମାତ୍ର ଏଇ ଦେହରେ ଜନ୍ମଗ୍ରହଣ କରେ ମଣିଷ । ଥରୁଟିଏ ମାତ୍ର । ସମ୍ଭୋଗ ଭିତରେ ସେ ଦେଖିବେ ଉଭୟ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟୋସ୍ତର ଶୋଭା । ଏ ପୃଥିବୀର ରୂପ, ରସ, ଗନ୍ଧ ସବୁ ଭୋଗ କରିବେ ସେ ।

 

ପ୍ରଚୁର ଅର୍ଥ ଉପାର୍ଜନ କଲେଣି ମାନବ । କେବଳ ପ୍ରାକ୍‌ଟିସ୍‌ଦ୍ୱାରା ନୁହେଁ, ଅର୍ଥ ଉପାର୍ଜନ କରିବାର ଅନେକ ଲୋଭନୀୟ ଉପାୟ ଜାଣନ୍ତି ସେ । ତାଙ୍କ ହାତ ଲାଗି ମାଟି ବି ସୁନା ପାଲଟି ଯାଇଛି । ନିଜର ସଫଳତାରେ ନିଜେ ହସିଲେ ମାନବ ମହାନ୍ତି ।

 

ମନସ୍ୱିନୀ ନାମରେ ଓ ଗୁଣରେ ପୁରୁଣା ରହିଗଲେ । ସମାଜରେ ରହିବାକୁ ଗଲେ ସହଧର୍ମିଣୀଟିଏ ଲୋଡ଼ା ହୁଏ । ସମାନ ଧର୍ମାଚରଣ ପାଇଁ ନୁହେଁ ସାମାଜିକ ସମ୍ମାନ ସୁରକ୍ଷିତ ହୁଏ ସ୍ତ୍ରୀଟିଏ ଥିଲେ । ମନସ୍ୱନୀ ଘରର ଚତୁଃପାର୍ଶ୍ୱ ଅତିକ୍ରମ କରନ୍ତି ନାହିଁ । ଘର ଚଳେଇବା ତାଙ୍କର ଦାୟିତ୍ୱ । ସେ କଥା ଆଦୌ ବୁଝନ୍ତିନି ମାନବ । ସ୍ୱାମୀଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ଅହେତୁକୀ ଅନୁସନ୍ଦିତ୍ସା ନାହିଁ ତାଙ୍କର । ସେଥିପାଇଁ ସୁବିଧା ହୁଏ ତାଙ୍କୁ । ତାଙ୍କର ବହିର୍ଜଗତ ସହିତ ମନସ୍ୱିନୀଙ୍କର ଆଦୌ ପରିଚୟ ନାହିଁ ।

 

ମନସ୍ୱିନୀଙ୍କୁ ଏତେକାଳ ପରେ ନିଜର ବାହାରର ସ୍ୱରୂପ ଉଜ୍ଜ୍ୱଳ କରିବା ସକାଶେ ବ୍ୟବହାର କରିବା ନିମନ୍ତେ ସମୟ ଉପସ୍ଥିତ ହୋଇଥିବାର ଅନୁଭବ କଲେ ମାନବ ବାବୁ ।

 

ମନୋଜ ମିଶ୍ରଙ୍କୁ ତାଙ୍କର ରାତ୍ରି ଅଭିଯାନ ବିଷୟ ଅଜଣା ନ ଥିବ ନିଶ୍ଚୟ । ସେଇ ଦୁର୍ବଳତାକୁ ଧୋଇ ପୋଛି ଦବା ପାଇଁ ବାହାରକୁ ଆଣିବାକୁ ହେବ ମନସ୍ୱିନୀଙ୍କୁ । ଏଥିପାଇଁ ସୁଯୋଗର ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସୁଯୋଗ ତାଙ୍କୁ ଅପେକ୍ଷା କରେ ସଦାବେଳେ ।

 

ପରିତ୍ୟକ୍ତା ମହିଳାମାନଙ୍କୁ ନେଇ ଏଇ କାର୍ଯ୍ୟରେ ସଦୁପଯୋଗ କରିବାକୁ ହେବ । ସେମାନଙ୍କ ମଧ୍ୟରୁ ଯେତେଜଣଙ୍କୁ ସମ୍ଭବ ପୁଣି ସଂସାର କରିବାର ସୁବିଧା କରିଦେଇ ପାରିଲେ ତାଙ୍କର ଭାବମୂର୍ତ୍ତି ଏବଂ ବ୍ୟକ୍ତିତ୍ୱ ଉଜ୍ଜ୍ୱଳ ହେବ ନିଶ୍ଚୟ । ଏହି ମହତ୍‌କାର୍ଯ୍ୟ ତାଙ୍କୁ ନିକଟତର କରିବ ସବୁସ୍ତରର ଲୋକଙ୍କ ସହିତ । କିନ୍ତୁ ପରତ୍ୟକ୍ତା ମହିଳାଙ୍କୁ ପତ୍ନୀ ଭାବରେ ଗ୍ରହଣ କରିବା ଲାଗି ମାନସିକ ପ୍ରସ୍ତୁତ ଆବଶ୍ୟକ । କେତେ ବେକାର ଯୁବକମାନଙ୍କୁ ଏଥିପାଇଁ ମୋଟିଭେଟ କରିବାକୁ ହେବ । ସେମାନଙ୍କୁ ସ୍ୱାବଲମ୍ବନର ବ୍ୟବସ୍ଥା କରିଦେଲେ ସେମାନେ ହୁଏତ ରାଜି ହୋଇଯିବେ ଘରସଂସାର କରିବା ପାଇଁ । ହାତରୁ ସାମାନ୍ୟ କିଛି ଖର୍ଚ୍ଚ ହେବ, କିନ୍ତୁ ଆଉ ସବୁତ ମିଳିବ ରାଷ୍ଟ୍ରୟତ୍ତ ବ୍ୟାଙ୍କରୁ । ମଝିରେ ସୁନାମ ଅର୍ଜିବେ ମାନବ ଓ ମନସ୍ୱିନୀ । ସେମାନେ ହୁହେଁ କନ୍ୟାଦାନ କରିବେ ।

 

ନିଜର ଯୋଜନା ନିଜର କାନକୁ ଚମତ୍କାର ଶୁଣାଗଲା ।

 

ମାନବ ବାବୁ ମନସ୍ୱିନୀଙ୍କୁ ପାଖକୁ ଡାକି ସବୁ କହିଲେ । ମନସ୍ୱନୀ ସ୍ୱାମୀଙ୍କର କଥା ମନଯୋଗ ସହକାରେ ଶୁଣି କହିଲେ - ଭଲ କଥା । କିନ୍ତୁ ଏଥିରେ ମୋର ଭୂମିକା କଅଣ ଯେ... ।

 

ତୁମକୁ ମା’ ହୋଇ କନ୍ୟାଦାନ କରିବାକୁ ହେବ । ମୁଁ କନ୍ୟାପିତା ।

କରୁଣ ହସ ହସିଲେ ମନସ୍ୱିନୀ ।

 

ଆଉଥରେ ଭଲ କରି ତାଙ୍କର ମନେପଡ଼ିଗଲା ଯେ ସେ ଏବେ ବି ବନ୍ଧ୍ୟା ମା’ ହୋଇ ନାହାଁନ୍ତି ।

 

ଶହୀଦ ନଗରରେ ଏଇ ପାଞ୍ଚ ବର୍ଷ ମଧ୍ୟରେ ଗଢ଼ିଉଠିଛି ଏକ ସମ୍ଭ୍ରାନ୍ତ ଅଞ୍ଚଳ । ରାଜଧାନୀର ସବୁ ବଡ଼ ବଡ଼ ଲୋକଙ୍କର ଘର ଏଇଠି । ଖୋଲା ଜାଗା । ଚଉଡ଼ା ରାସ୍ତାର ଦୁଇପାଖରେ ବଡ଼ ବଡ଼ ପ୍ଳଟ, ରାସ୍ତାର ଦୁଇ ପାଖରେ ସାରି ସାରି ଗଛ । ଦୁଇ ମହଲା, ଚାରି ମହଲା, ଦଶ ମହଲା ପର୍ଯ୍ୟନ୍ତ କୋଠା ତିଆରି ହେଲାଣି । ଆକାଶ ଆଡ଼କୁ ମୁଣ୍ଡ ଟେକି ଉଚ୍ଚତା ମାପୁଛି ମଣିଷ । ଯାହାର ଯେତିକି ଉଚ୍ଚତା ତା’ର ପ୍ରତିଷ୍ଠା ସେତିକି ବେଶୀ । ରାଜ୍ୟର ଗଣ୍ୟମାନ୍ୟ ବ୍ୟକ୍ତିମାନେ ନିଜର ତଥା ଭବିଷ୍ୟତ ବଂଶଧାରମାନଙ୍କ ଆସନ, ପ୍ରଭାବ ଓ ପ୍ରତିପତ୍ତିକୁ ସୁଦୃଢ଼ କରିବା ପାଇଁ ରାଜଧାନୀରେ ଜମି ପଟ୍ଟା ନେଇଚନ୍ତି ସରକାରଙ୍କ ପାଖରୁ । ଅନେଶତ ବର୍ଷର ପଟ୍ଟା-। ସେମାନଙ୍କୁ ଗୃହ ନିର୍ମାଣ କରିବାରେ ସହାୟତା କରି ସରକାର ସୁଲଭ ମୂଲ୍ୟରେ ଜମି ଯୋଗାଇ ଦେଇଛନ୍ତି, ଘର କରିବା ପାଇଁ ଅତି କମ୍‌ ସୁଧରେ ଋଣ ମଞ୍ଜୁର କରିଛନ୍ତି; ଶିଳ୍ପ ଓ ବାଣିଜ୍ୟର ପ୍ରତିଷ୍ଠା ଓ ପ୍ରସାରକୁ ଉତ୍ସାହିତ କରିବା ଲାଗି ବିଜିନେସ କମ୍‌ ରେସିଡ଼େନସ୍‌ ଅଞ୍ଚଳ ସୁନିର୍ଦ୍ଦିଷ୍ଟ ହୋଇଛି । ମଝିରେ ମଝିରେ ଗଢ଼ି ଉଠିଚି ମନ୍ଦିର, ମାର୍କେଟ ଓ କ୍ଳବ ହାଉସ ।

 

ତଥାପି ଏପର୍ଯ୍ୟନ୍ତ ଅନେକ ଅଞ୍ଚଳ ଖାଲିଅଛି । ଖୋଲାଜାଗା କେବଳ ସହରର ଶୋଭା ବର୍ଦ୍ଧନ କରେ ନାହିଁ ପରିବେଶର ସୁରକ୍ଷା ଓ ସମୃଦ୍ଧିରେ ମଧ୍ୟ ସହାୟକ ହୁଏ ।

 

ଶହୀଦ ନଗର ଓ ସତ୍ୟ ନଗର ମଝିରେ ଯେଉଁ ଖାଲି ଜମି ଅଛି ସେଇ ଜମିକୁ ଦଖଲ କରି ସରକାର ହ୍ରଦ ନିର୍ମାଣ କରିବା ପାଇଁ ଚାହାଁନ୍ତି । ଯେଉଁମାନଙ୍କର ଜମି ସେମାନଙ୍କୁ ନୋଟିସ୍‌ ଦିଆ ସରିଲାଣି ଦଖଲ ହସ୍ତାନ୍ତର କରିବା ପାଇଁ ।

 

ଏହାର ପ୍ରତିବାଦରେ ଖାଲ ଜମିରେ ଚାଷ କରୁଥିବା ଏବଂ ଜବର ଦଖଲ କରି ମଝିରେ ମଝିରେ ଘର ତୋଳିଥିବା କେତେକ ଲୋକ ସଙ୍ଗଠିତ କରୁଛନ୍ତି ଲୋକଙ୍କୁ । ସେମାନଙ୍କ ପଛରେ ଆହୁରି ଶକ୍ତିଶାଳୀ ଲୋକେ ଅଛନ୍ତି ବୋଲି କୁହାଯାଉଛି ।

 

ସେଇ ରହସ୍ୟର ଉଦ୍‌ଘାଟନ କରିବାକୁ ଯାଇ ମନୋଜ ଜମି ବଣ୍ଟନ ଏବଂ ଏହାର ବିନିଯୋଗ ସମ୍ପର୍କରେ ଯେଉଁ ବିସ୍ତୃତ ତଥ୍ୟ ସଂଗ୍ରହ କଲା ବିଭିନ୍ନ ଦପ୍ତର ଏବଂ ସେଥି ସହିତ ସମ୍ପୃକ୍ତ ବ୍ୟକ୍ତିମାନଙ୍କଠାରୁ, ତାହା ଚମକପ୍ରଦ ନ ହେଲେ ମଧ୍ୟ ଉପରେ ମହଲରେ ନିଜର ସ୍ୱାର୍ଥକୁ ଆଖି ଆଗରେ ରଖି କିପରି ନୀତି ଓ ନିୟମ ଭଙ୍ଗ କରାଯାଉଛି ଏବଂ ସହରର ଶୋଭା ଏବଂ ଭବିଷ୍ୟତ ଅଭିବୃଦ୍ଧିରେ କିପରି କୁଠାରାଘାତ କରାଯାଉଛି । ତହିଁର ବିସ୍ତୃତ ବିବରଣୀ ପାଇଛି ସେ । ଏଣେ ସହରର ଖାଲି ଥିବା ଅଞ୍ଚଳକୁ ମନଇଚ୍ଛା ଜବର ଦଖଲ କରୁଥିବା ଲୋକଙ୍କୁ କେତେକ ନେତା ନିଜର ସ୍ୱାର୍ଥସାଧନ ପାଇଁ ଉତ୍ସାହିତ କରୁଥିବା ଯେପରି ନିରାଟ ସତ୍ୟ, ସେହିପରି ଜବର ଦଖଲ କରିଥିବା ଲୋକଙ୍କ ପାଖରୁ ସେମାନଙ୍କର ନିୟମିତ ଉତ୍କୋଚ ଗ୍ରହଣ ମଧ୍ୟ ସେହିପରି ସତ୍ୟ । ଜବରଦଖଲ କରି ରହିଥିବା ଲୋକଙ୍କର ଯେଉଁ ସଙ୍ଗଠନ ଅଛି ତା’ର ସଭାପତି ଜଣେ ଦଳୀୟ ନେତା ଏବଂ ପୃଷ୍ଠପୋଷକ ଆଉ ଜଣେ ଅନ୍ୟତମ ବିଶିଷ୍ଟ ନେତା । ଜବରଦଖଲ କରିଥିବା ଲୋକମାନଙ୍କୁ ଯେତେବେଳେ ଉଚ୍ଛେଦ କରିବା ପାଇଁ ଉଦ୍ୟମ କରାଯାଇଛି, ସେତେବେଳେ ଏଇ ତଥାକଥିତ ନେତାମାନେ କଳେବଳେ କୌଶଳେ ତାହା ପଣ୍ଡ କରି ଦେଇଚନ୍ତି । ଏହାରି ଫଳଶ୍ରୁତି ସ୍ୱରୂପ ଆଜି ସହର ମଝିରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରି ଗଢ଼ି ଉଠିଚି ମାଳି ସାହି, ସତ୍ୟନଗରର ଝୁମ୍ପୁଡ଼ି ଅଞ୍ଚଳ, ଏରୋଡ୍ରୋମ, ଷ୍ଟେସନ ଏରିଆ ଏବଂ ରାଜଭବନ ପଛରେ ବସ୍ତି ଅଞ୍ଚଳ । ପାଞ୍ଚ ହଜାର ଝୁମ୍ପୁଡ଼ି ବା କଚ୍ଚା ଘର ତୋଳି ବେଶ୍‌ ଆରାମରେ ଅଛନ୍ତି ଏମାନେ । ଏଥିରୁ ଅଧିକାଂଶ ଘର ପଇସାବାଲାଙ୍କର । ସେମାନଙ୍କ ଅର୍ଥରେ ତିଆରି କରାଯାଇଥିବା ଘରଗୁଡ଼ିକୁ ଭଡ଼ାରେ ଦେଇ ସେମାନେ ବେଶ୍‌ ଲାଭବାନ ହୁଅନ୍ତି ।

 

ସତ୍ୟନଗର ଓ ମାଳି ସାହିର ଏହି ଅପରିଷ୍କାର ଆବର୍ଜନାପୂର୍ଣ୍ଣ ଅଞ୍ଚଳରେ ବୁଲୁଥିବାବେଳେ ହଠାତ୍‌ ମନୋଜ ଯେଉଁ ସୂତ୍ର ଆବିଷ୍କାର କଲା ତାହା କିନ୍ତୁ ଚମକପ୍ରଦ ।

 

ଗୋବିନ୍ଦ ରାଜୁ ସତ୍ୟନଗରର ଏହି ଅଞ୍ଚଳରେ ରହେ । ତାହାରି ଦୋକାନରୁ ସିଗାରେଟ କିଣୁଥିବାବେଳେ ଗୋବିନ୍ଦ ରାଜୁ କହିଲା - ବିଦେଶୀ ସିଗାରେଟ ଅନେକ ଅଛି ଷ୍ଟକ୍‌ରେ-ଷ୍ଟେଟ୍‌ ଏକ୍‌ସପ୍ରେସ..ଡନ୍‌ହିଲ..ଦେବି ?

 

ମନୋଜ ମିଶ୍ର ତା’ ସହିତ ବନ୍ଧୁତ୍ୱ ସୃଷ୍ଟି କରିବା ପାଇଁ କହିଲା - ଷ୍ଟେଟ୍‌ ଏକ୍‌ସପ୍ରେସ ଛଅ ପ୍ୟାକେଟ ଦିଅ...କିନ୍ତୁ ଖାଲି ବିଦେଶୀ ସିଗାରେଟ ମିଳେ, ଆଉ କିଛି ବିଦେଶୀ ଜିନିଷ ମିଳେନି ?

 

ଗୋବିନ୍ଦ ଚାରିଆଡ଼ୁ ଆଖି ବୁଲାଇ ଆଖି ପାଖରେ ଆଉ କାହାକୁ ନ ଦେଖି ଧୀରେ ଧୀରେ କହିଲା, ବିଦେଶୀ ମାଲ ପ୍ରଚୁର ଅଛି ବାବୁ । ଜାପାନୀ ଘଡ଼ି, କ୍ୟାମେରା, ଜର୍ମାନୀ ଭିଡ଼ିଓ, ଆଉ ମଦ । ବିଦେଶୀ ଫିଲ୍ମ - ଥରେ ଦେଖିଲେ ପାଗଳ ହୋଇଯିବେ ବାବୁ... ।

 

ମନୋଜ କହିଲା - କୋଉଠି ମିଳେ ସବୁ...

 

ଗୋବିନ୍ଦରାଜୁ କହିଲା - ଏଇଠି ସାମ୍ପଲ ଦେଖି ଆପଣ ଠିକ୍‌ କଲେ ଗୋଦାମ ଘରକୁ ନେଇଯିବି । ସେଠି ସବୁଅଛି.... ।

 

ମନୋଜ ଆହୁରି ଟିକେ ନିକଟତର ହେବାପାଇଁ କହିଲା - ରାତି ଆସିଲେ ଆଉ କିଛି ସୁବିଧା କରାଯାଇ ପାରିବ ?

 

ଗୋବିନ୍ଦରାଜୁର ମୁହଁ ଉପରେ ବଙ୍କା ହସ ଖେଳିଗଲା । ସେ ଫିସ୍‌ଫିସ୍‌ କରି କହିଲା - ନୂଆ ମାଲ ଆମଦାନୀ ହୋଇଚି ବାବୁ । ଓଡ଼ିଆ ଝିଅ ତ ଅନେକ । ତା’ ଛଡ଼ା ବଙ୍ଗାଳୀ, ତେଲୁଗୁ, କାଶ୍ମୀରୀ, ଆଙ୍ଗ୍ଳୋଇଣ୍ଡିଆନ ବି ଅଛନ୍ତି । ତାଜା ମାଲ । ବୟସ ଷୋହଳରୁ ବାଇଶ ତେଇଶ ମଝିରେ । ତା’ ଛଡ଼ା କଲେଜ ଝିଅ ବି ପାଇବେ...ଘରର ବୋହୂ ବି ମିଳିବେ.... ।

 

ମନୋଜ କହିଲା - କେତେବେଳେ ଆସିଲେ ସୁବିଧା ହେବ.... ?

ସେ କହିଲା - ରାତି ଦଶଟା ପରେ ।

ମନୋଜ କହିଲା - ବ୍ଳୁଫିଲ୍ମ ନେବି କିଛି । ଆଉ ଯଦି ମିଳେ....

ସମାପ୍ତ ନ କରି ରହିଗଲା ସେ ।

 

ଗୋବିନ୍ଦରାଜୁ କହିଲା - ରହିଗଲେ ଯେ ବାବୁ...ମନ ଖୋଲି କହନ୍ତୁ ଆଉ କଣ ଦରକାର ।

 

ମନୋଜ ଚାରିଆଡ଼ୁ ଆଖି ଫେରେଇ ଆଣି କହିଲା - ସୁନା....ଚୋରା ସୁନା ମିଳିବ ?

 

ଗୋବିନ୍ଦରାଜୁ ନିଜର ସ୍ୱରକୁ ଆହୁରି କ୍ଷୀଣ କରି ନ ଶୁଭିବା ପରି କହିଲା - ମିଳିବ । କିନ୍ତୁ ଅତି ସାବଧାନରେ ନବାକୁ ହେବ ବାବୁ । ରାତି ବାରଟା ପରେ ।

 

ମନୋଜ କହିଲା - ମୁଁ ଟିକେ ଆଗରୁ ଜାଣିଥିଲେ ଏତେବେଳକୁ ଅନେକ ଜିନିଷ କିଣିଥାଆନ୍ତି । ଛାଡ଼ । ସମୟ ଗଡ଼ିଗଲାଣି । କିନ୍ତୁ ତୁମକୁ ଅଭିନନ୍ଦନ ନ ଜଣେଇ ରହି ପାରୁନି ଗୋବିନ୍ଦରାଜୁ । ସବୁଆଡ଼ ସମ୍ଭାଳିଚ..... ।

 

- ମାଲିକ ହୋଇଥିଲେ ମୁଁ ପାନଦୋକାନରେ ବସି ନ ଥାନ୍ତି ବାବୁ ।

- ମାଲିକ କିଏ ?

 

- ରାମଦାସ ଜାନକୀ ଦାସ । ପୁରୁଣା ଭୁବନେଶ୍ୱର କେଦାରଗୌରୀ ପାଖରେ ସେଇ ଯୋଉ ତିନି ମହଲା କୋଠା ଅଛି, ସେଇଠି ଗୋଦାମ ତାଙ୍କର ।

 

- ଆଉ ଦୋକାନ ଅଛି ନା ଏଇ ଗୋଟେ ?

- ଆହୁରି ଦୁଇ ତିନୋଟି ଖୋଲିଛି ଏ ଭିତରେ । ତେବେ ଏଇଟା ବଡ଼ ।

- ସେ ଦୋକାନଗୁଡ଼ା କେଉଁଠି ?

 

-ଏଇ ମୁଣ୍ଡରେ ଯୋଉ ଦୋକାନ ଅଛି ତା’ ପଛରେ ଯେଉଁ ଗୋଦାମ ଅଛି ସେଠାରେ ସିମେଣ୍ଟ, ଛଡ଼ ସୁବିଧାରେ ମିଳେ । ସୁନାରୁପା ବି ମିଳେ । ଆଉ ସାହିର ଦକ୍ଷିଣ ଦିଗରେ ଥିବା ମନ୍ଦିର ପାଖରେ ଗୋଟେ ଗୋଦାମ ଅଛି - ମୋଟରଗାଡ଼ି, ସ୍କୁଟର, ବିଦେଶୀ ମଦ ମିଳେ ସେଠାରେ । ଆଉ ତୃତୀୟ ଦୋକାନଟା ପାଣିଟାଙ୍କିକୁ ଲାଗି । ନୂଆ ଖୋଲିଚି । ଗଞ୍ଜେଇ, ଅଫିମ, ଭାଙ୍ଗ ପ୍ରଭୃତିର କାରବାର ହୁଏ ସେଠାରେ । ବିଦେଶକୁ ରପ୍ତାନି ହୁଏ ବେଶୀ । ମନ୍ଦିରର ମୂର୍ତ୍ତି ବି ରଖିଚନ୍ତି ସେମାନେ ।

 

- ଏସବୁ ଦୋକାନ କାହାର ?

 

ପ୍ରଥମ ଦୋକାନର ମାଲିକ ଗୁଣନିଧି ସାମନ୍ତରାୟ, ଦ୍ୱିତୀୟଟି ସର୍ଦ୍ଦାର ହରବଂଶ ସିଂ । ଆଉ ତୃତୀୟଟି ଓକିଲ ବାବୁଙ୍କର ।

 

ଚମକି ପଡ଼ି କହିଲା ମନୋଜ - କୋଉ ଓକିଲ....

 

ନାମ ଜାଣେନି ବାବୁ । କିନ୍ତୁ ନାମଜାଦା ଓକିଲ । ସେଥିପାଇଁ ତ ଅଳ୍ପ ଦିନରେ ଅନେକ କାରବାର କଲେଣି ।

ଗୋବିନ୍ଦରାଜ ପାଖରୁ ଆଉ ଛଅ ପ୍ୟାକେଟ ଡନହିଲ କିଣି ତା’ ସହିତ ବନ୍ଧୁତ୍ୱ ସ୍ଥାପନ କରି ସେଦିନ ପାଇଁ ବିଦାୟ ନେଲା ମନୋଜ ।

ଚୋରା କାରବାର ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ଅଧିକ ଅନୁସନ୍ଧାନ ସାପେକ୍ଷ । ତେଣୁ ସେ ବିଷୟରେ ସତର୍କତାର ସହିତ ଅଗ୍ରସର ହେବାକୁ ହେବ ।

କିନ୍ତୁ ସମାଜରେ ସୁପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ କାହିଁକି ଅଧିକ ଅର୍ଥସଂଗ୍ରହ କରିବାର ସର୍ବଗ୍ରାସୀ କାମନା କବଳିତ କରୁଛି ସେ ବୁଝିପାରୁନି । ସମାଜର ନୀତି ନିୟମ ରକ୍ଷାକରି ଯେଉଁମାନେ ଅନ୍ୟମାନଙ୍କ ଆଗରେ ଆଦର୍ଶ ହୋଇ ରହନ୍ତେ, ହ୍ରାସ ପାଉଥିବା ମୂଲ୍ୟବୋଧକୁ ଯେଉଁମାନେ ନିଜର ଦୃଷ୍ଟାନ୍ତଦ୍ୱାରା ସୁରକ୍ଷିତ ତଥା ଆହୁରି ଉନ୍ନତ କରନ୍ତେ, ସେମାନେ ନୀତିନିୟମ ମାନୁ ନାହାନ୍ତି, ମୂଲ୍ୟବୋଧକୁ ଜୀବନଚର୍ଯ୍ୟାରେ ପରିଣତ କରୁନାହାନ୍ତି । କେଉଁଠାରୁ ଆସିଲା ଏଇ ସର୍ବଗ୍ରାସୀ ଧନଲିପ୍‌ସା କେଜାଣି, ସମସ୍ତଙ୍କର ପ୍ରଥମ ଏବଂ ପ୍ରଧାନ ଧ୍ୟେୟ ହୋଇଛି ଧନ ଅର୍ଜନ କରିବା । ସେଥିପାଇଁ ଯେ କୌଣସି ଉପାୟ ଅବଲମ୍ବନ କରିବାପାଇଁ ସେମାନେ ଯେପରି ସଂକଳ୍ପବଦ୍ଧ ।

ଧନଉପାର୍ଜନ କରିବା ଖରାପ କାମ ନୁହେଁ । କିନ୍ତୁ ଧନ ଉପାର୍ଜନର ପନ୍ଥା ନ୍ୟାୟାନୁମୋଦିତ ହେବା ଉଚିତ । ଅନ୍ୟାୟ ଆଚରଣ କରି, ଧର୍ମର ଅନୁଶାସନ ଭଙ୍ଗ କରି, ସତ୍ୟମାର୍ଗରୁ ବିଚ୍ଛିନ୍ନ ହୋଇ ହୁଏତ ପ୍ରଭୂତ ଧନ ସମ୍ପଦ ଅଧିକାର କରାଯାଇପାରେ; କିନ୍ତୁ ଧନଅର୍ଜନ ଏବଂ ସୁଖ ଶାନ୍ତି ପରସ୍ପର ଉପରେ ନିର୍ଭରଶୀଳ ନୁହଁନ୍ତି । ସୁଖଶାନ୍ତି ବା ସମାଜର କଲ୍ୟାଣ ପାଇଁ ମଣିଷ ଉଦ୍ୟମ ନ କରି ଯେକୌଣସି ଉପାୟ ଅବଲମ୍ବନ କରି ଧନଠୁଳ କରିବା ପାଇଁ ପାଗଳ ପରି ଦୌଡ଼ିଛି, ଯେପରି ସର୍ବଗ୍ରାସୀ ଭୂତ ସବାର ହୋଇଛି ତା’ କାନ୍ଧରେ ।

ଶହୀଦ ନଗରର ଖୋଲା ପଡ଼ିଆ ଉପରେ ଶନିଦୃଷ୍ଟି ପଡ଼ିଚି ବଡ଼ ବଡ଼ ଅଫିସର ଏବଂ କେତେକ ରାଜନୀତିଜ୍ଞଙ୍କର । ଏତେବଡ଼ ପଡ଼ିଆ ସହର ଭିତରେ ରହିଲେ ଅସମାଜିମ ଲୋକଙ୍କର ଦୌରତ୍ମ୍ୟ ବୃଦ୍ଧିପାଇବ ଏବଂ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବ - ଏହି କାରଣ ଦର୍ଶାଇ ନୋଟ ତିଆରି ଚାଲିଚି ସେଇ ପଡ଼ିଆ ଜମିକୁ ପ୍ଳଟ କରି ବାଣ୍ଟିଦବା ପାଇଁ । ଗୋଟାଏ ସିନେମାହଲ, ଗୋଟିଏ ହୋଟେଲ ପାଇଁ ଜମି ଦବା ପରେ ବାକି ଉଦ୍‌ବୃତ୍ତ ଜମିକୁ କୋଡ଼ିଏଟି ପ୍ଳଟରେ ବିଭକ୍ତ କରିଦବାର ପ୍ରସ୍ତାବ ହୋଇଛି । ଭିତରେ ଭିତରେ ପଛ ତାରିଖ ଦେଇ ନିଜର ଓ ନିଜ ଲୋକଙ୍କର ଦରଖାସ୍ତ ମଧ୍ୟ ଦିଆ ସରିଲାଣି । ଆଫିଡ଼େଭିଟ୍‌ ତ ଆଗରୁ କରି ରଖିଥିଲେ ସେମାନେ, ଯେମିତି ଜାଣିଥିଲେ ଦିନେ ଇମିତି ସୁଯୋଗ ଆସିବ ।

ଏଇ ଜମି ଖଣ୍ଡକ ଚାଲିଗଲେ ଶହୀଦ ନଗରର ଶୋଭା ଓ ପରିବେଶ ସମ୍ପୂର୍ଣ୍ଣ ଲୋପ ପାଇବ । ଖେଳିବା ପାଇଁ, ବୁଲିବା ପାଇଁ ଖୋଲା ଜାଗା ରହିବ ନାହିଁ । କଲିକତା ସହର ପରି ଆଉ ଗୋଟେ ଛୋଟ କଞ୍ଜେଷ୍ଟେଡ଼୍ ସହର ସୃଷ୍ଟି ହେବ ଓଡ଼ିଶାର ରାଜଧାନୀରେ ।

କିନ୍ତୁ ପ୍ରତିକାର କରିବ କିଏ ? ପ୍ରତିବାଦ କରିବେ କେଉଁମାନେ ?

ସମସ୍ତେ ନିଶ୍ଚୁପ ।

ଜାତିଟା କ୍ଳୀବ ହୋଇଯାଇଛି ।

ଜାତୀୟ ଚେତନା ଲୋପପାଇ ଯାଇଛି ।

 

ସେ ତା’ର କର୍ତ୍ତବ୍ୟ କରିଯିବ । ସତର୍କ ଘଣ୍ଟି ବଜେଇ ଦବାର ଦାୟିତ୍ୱ ସାମ୍ୱାଦିକର । ନିର୍ଭୟ ଚିତ୍ତରେ କିମ୍ବା କୌଣସି ଲାଭର ଆଶା ନ ରଖି ସେ ସତ୍ୟ ପ୍ରକାଶ କରି ନିଜର ଦାୟିତ୍ୱ ପାଳନ କରିବ । ତା’ର ଅଗ୍ରଲେଖା ହୁଏତ ଶତ୍ରୁ ସୃଷ୍ଟି କରିବ, କିନ୍ତୁ ସେ ନିରୂପାୟ । ବାପାଙ୍କୁ ଯେଉଁ କଥା ଦେଇଥିଲା ତାଙ୍କର ମୃତ୍ୟୁଶଯ୍ୟାରେ, ତାହା ଭାଙ୍ଗି ପାରିବ ନାହିଁ । ସାମ୍ବାଦିକର କର୍ତ୍ତବ୍ୟ ନିର୍ଭୟ ଓ ନିରକ୍ଷେପ ଭାବରେ କରିଯିବା ପାଇଁ ସେ ଅଙ୍ଗୀକାରବଦ୍ଧ । ସେଇ କର୍ତ୍ତବ୍ୟ କରି ଯଦି ସେ ନିଜେ କ୍ଷତିଗ୍ରସ୍ତ ହୁଏ ତାହା ତାକୁ ଦୁଃଖ ଦେଇପାରେ କିନ୍ତୁ ଆଗକୁ ଅଗ୍ରସର ହେବାରୁ ବିରତ କରିପାରବ ନାହିଁ ।

 

ନୀତିଶିକ୍ଷା ଦବାପାଇଁ ସେ ଜନ୍ମି ନାହିଁ । ନୀତି ରକ୍ଷା କରିବାହିଁ ତା’ର ଧର୍ମ । ଏହା ବି ପ୍ରତ୍ୟେକ ମଣିଷର ଧର୍ମ । ନୀତି ଓ ସଦାଚାର ମଣିଷର ଆଚରଣଗତ ହେଲେ ତାହା ହୁଏ ଧର୍ମ । ଧର୍ମ କୌଣସି ବାହ୍ୟବସ୍ତୁ ନୁହେଁ, ଏହା ଶରୀରର ପରିଧାନ ବା ପ୍ରସାଧନ ନୁହେଁ; ସତ୍ୟାଚରଣ କରିବାପାଇଁ ଅନ୍ତରର ଅନୁରାଗ, ନୀତିକୁ ରକ୍ଷା କରିବାପାଇଁ ମାନସିକ ପ୍ରସ୍ତୁତ ଓ ଶୁଦ୍ଧତାହିଁ ଧର୍ମ ।

 

କିନ୍ତୁ ନୀତିନିୟମର ଦୁନିଆ ଭାଙ୍ଗିବାରେ ଲାଗିଚି । ବିଶ୍ୱାସ ଓ ଅନୁରାଗର ସଂସାର ଆଉ ଦୃଶ୍ୟ ହେଉ ନାହିଁ । ଝଡ଼ ପ୍ରକୋପରେ ମହାମହା ଦ୍ରୁମ ଭାଙ୍ଗି ପଡ଼ିବା ପରି କଳିଯୁଗରେ ଅବିଶ୍ୱାସ, ଅଧର୍ମ ଏବଂ ଅନୀତିର ପ୍ରକୋପ ସହି ନ ପାରି ଟଳି ପଡ଼ୁଚନ୍ତି ତେଜସ୍ୱୀ, ତ୍ୟାଗୀ ଓ ତପସ୍ୟାରତ ପୁରୁଷମାନେ । ସେମାନେ ଅଳ୍ପାୟୁ । ସେମାନେ ଅରକ୍ଷିତ । ଧର୍ମ ଧାର୍ମିକକୁ ରକ୍ଷା କରେ; କିନ୍ତୁ ଯଦି ଧର୍ମର ଗ୍ଳାନି ହୁଏ ତା’ ହେଲେ କିଏ ରକ୍ଷା କରିବ ପୃଥିବୀକୁ, ଏଇ ମଣିଷ ସମାଜକୁ ?

 

ସୁଯୋଗ ସୃଷ୍ଟି ହେଉଚି । ସୃଷ୍ଟି ହେଉଚି ଅନେକ ସୁବିଧା ଏବଂ ସମ୍ପଦ; କିନ୍ତୁ ଯାହା ପାଇଁ ଉଦ୍ଦିଷ୍ଟ ତା’ ପାଖରେ ପହଞ୍ଚିବା ପୂର୍ବରୁ ଆଉ କେହି ଲୁଟି ନେଉଛି ।

 

ମନୋଜର ଶକ୍ତି କାହିଁ ଅଧପତନର ଏଇ ଗତିକୁ ବନ୍ଦ କରିବ । ଅବଶ୍ୟ ଆଉ ଦଶଜଣଙ୍କ ପରି ଦର୍ଶକ ଭାବରେ ସେ ଏହି ଅଧୋଗତିକୁ ଅସହାୟ ଭାବରେ ପ୍ରତ୍ୟକ୍ଷ ନ କରି ସଂଶୋଧନର ପଥ କହି ଦେଉଛି । ଇଚ୍ଛା ହେଲେ ଜଣେ ଗ୍ରହଣ କରିପାରେ । ବାଧ୍ୟ ବାଧକତାଦ୍ୱାରା ଗୁଣର ବିକାଶ ସମ୍ଭବ ନୁହେଁ ।

 

ଠିକ୍‌ ମାଷ୍ଟର କ୍ୟାଣ୍ଟିନ ପାଖରେ ଦେଖା ହୋଇଗଲା ସୁମତି ସହିତ । ଲାଲଚାନ୍ଦ ଷ୍ଟୋରରୁ କିଛି ନବବର୍ଷର ଅଭିନନ୍ଦନ କାର୍ଡ଼ କିଣି ସୁମତି ବାହାରୁଥିବାବେଳେ ଠିକ୍‌ ସେଇ ଉଦ୍ଦେଶ୍ୟରେ ସ୍କୁଟର ରଖି ଦୋକାନ ଭିତରକୁ ମନୋଜ ପଶୁଥିବାବେଳେ ଦେଖାହୁଏ ଦୁଇଜଣଙ୍କର-

 

ସୁମତି କହିଲା - ଲୁଚି ଲୁଚି ବୁଲୁଥିଲ, ଆଜି କିନ୍ତୁ ଅପ୍ରତ୍ୟାଶିତ ଭାବରେ ହଠାତ୍‌ ଦେଖାହୋଇଗଲା ମନୁଭାଇ । ପଳେଇ ଯିବାପାଇଁ ଗୁପ୍ତ ପଥ କିନ୍ତୁ ନାହିଁ ଏଠାରେ ।

 

ଅନ୍ଧାରରେ ଛାତି ଉପରେ ଯେଉଁଦିନ ସୁମତି ତା’ ଉପରେ ଆଉଜି ପଡ଼ିଥିଲା ଏବଂ ସେ ମୁକ୍ତିର ପଥ କହିଦେବା ପାଇଁ ପ୍ରାର୍ଥନା କଲାକ୍ଷଣି ଆଲୁଅ ଜଳି ଉଠିଥିଲା, ପୁଣି ସେଇ ଘଟଣା ବିଜୁଳି ବେଗରେ ଖେଳିଗଲା ମାନସ ପଟରେ ।

 

ମନୋଜ ଠିଆ ହୋଇପଡ଼ି କହିଲା - କେହି ବାଛିବା ଆଗରୁ ତୁ ବାଛିଚୁ.... ନିଶ୍ଚୟ ଭଲ କାର୍ଡ଼ ନେଇଥିବୁ ।

 

ସୁମତି କହିଲା - ତୁମେ ବି କାର୍ଡ଼ ନବା ପାଇଁ ଆସିଛ ମନୁଭାଇ ?

- ହଁ ।

- ମୁଁ ସାହାଯ୍ୟ କରିପାରେ ...ଅବଶ୍ୟ ଯଦି ରାଜିହୁଅ....

- ତୁ ସାହାଯ୍ୟ କଲେ ଖୁସି ହେବି ସୁମି ।

 

ସୁମତି ମନୋଜ ସାଙ୍ଗରେ ଭିତରକୁ ପଶିଲା ପୁଣି । ନବବର୍ଷର ଗ୍ରିଟିଙ୍ଗ୍‌ କାର୍ଡ଼ କାଉଣ୍ଟରରେ ଭିଡ଼ ଜମିଲାଣି ଆଜିରୁ । ଆହୁରି ପନ୍ଦର ଦିନ ବାକି ଅଛି, କିନ୍ତୁ କାଳେ ଭଲ କାର୍ଡ଼ ନ ମିଳିବ ବୋଲି ଆଜିଠୁ ସାମଧାନ ହେବା ଭଲ ।

 

ସାମାଜିକତା ବଢ଼ୁଚି । ସମ୍ପର୍କର ପରିସର ବି ବଢ଼ିବାରେ ଲାଗିଚି । ଯୋଗାଯୋଗର ସୁବିଧା ମଣିଷକୁ ତା’ର ଗ୍ରହ ଓ ପ୍ରତିବେଶୀର ନିକଟତର କରୁଛି ।

 

ନବବର୍ଷ ଆଉ ଖ୍ରୀଷ୍ଟିଆନମାନଙ୍କର ପର୍ବ ହୋଇ ରହିନାହିଁ । ସମଗ୍ର ବିଶ୍ୱରେ ଧର୍ମ ଓ ସଂସ୍କୃତି ନିର୍ବିଶେଷରେ ନବବର୍ଷ ପାଳିତ ହେଉଛି ଧୁମ୍‌ଧାମ୍‌ରେ । ଶୁଭେଚ୍ଛା ବିନିମୟ କରାଯାଉଛି । ଈଶ୍ୱରଙ୍କ ଆଶୀର୍ବାଦ ପାଇବା ପାଇଁ ଭକ୍ତମାନଙ୍କର ଭିଡ଼ ଜମୁଛି ଗୀର୍ଜାରେ, ମନ୍ଦିର ଓ ନିକଟତର କରନ୍ତି । କେହି କେହି କାର୍ଡ଼ ପଠାଇ ବା ମିଷ୍ଟାନ୍ନ ବିତରଣ କରି ସାମାଜିକ ସମ୍ପର୍କକୁ ମଧୁର ଓ ନିକଟତର କରନ୍ତି । କେତେକ ବେକାର ଯୁବକଙ୍କୁ ସୁବିଧା ମିଳିଯାଇଛି କାର୍ଡ଼ ବିକି କିଛି ଅର୍ଥ ଉପାର୍ଜନ କରିବା ପାଇଁ । ଅନେକ ଦୋକାନ ଖୋଲିଛି । କିଣାକିଣି ଅନେକ ବଢ଼ିଚି ।

 

ନବବର୍ଷର ଗ୍ରିଟିଙ୍ଗ କାର୍ଡ଼ ପ୍ୟାକେଟ ସବୁକୁ ମନୋଜ ହାତକୁ ଦବାବେଳେ କହିଲା ସୁମତି - ଆଉ କିଛି ନ ଦେଲ ନାହିଁ ନିଉ ଇଅର୍ସ ଗ୍ରୀଟିଙ୍ଗ ନିଶ୍ଚୟ ପଠେଇବ ମନୁଭାଇ ।

 

ସୁମତିର ଉଷ୍ମ ଆଙ୍ଗୁଳିର ଚାପତଳୁ ନିଜର ଆଙ୍ଗୁଳି ଟାଣି ଆଣିବା ଅସୌଜନ୍ୟତା ଏବଂ ନିଷ୍ଠୁରତା ହେବ ଭାବି ମନୋଜ ହାତକୁ ସେହି ଏକ ଅବସ୍ଥାରେ ରଖି କହିଲା - ତୁ ନିଶ୍ଚିତ ଥା ସୁମି, ଆଉ କେହି ନ ପାଇ ପାରନ୍ତି ତୁ କିନ୍ତୁ ନିଶ୍ଚୟ ପାଇବୁ ।

 

ସୁମତି କହିଲା - ମୋର ଏଡ଼େ ସୌଭାଗ ହେବ ସତରେ । ତା’ର ଉଜ୍ୱଳି ଉଠୁଥିବା ଆଖିକୁ ଦେଖି ଆଉ ଆଗକୁ ନ ବଢ଼ି ଅଟକି ଗଲା ମନୋଜ ।

 

ବିଉଟି ପାର୍ଲରର ପୃଷ୍ଠାପୋଷକତା ଆଶାତୀତ ଭାବରେ ବଢ଼ି ଚାଲିଚି । ପ୍ରତିଦିନ ରୂପସଜ୍ଜା ବିଷୟରେ ନୂତନ କଳାକୌଶଳ ଜାଣିବା ପାଇଁ ଆସନ୍ତି ସହରର ଶିକ୍ଷିତା, ସମ୍ଭ୍ରାନ୍ତବଂଶଜା ରମଣୀମାନେ । ଖାଲି ରୂପସଜ୍ଜା ନୁହେଁ ସ୍ୱାସ୍ଥ୍ୟକୁ ଅତୁଟ ରଖିବା ନିମନ୍ତେ ମଧ୍ୟ ପ୍ରବଳ ଆକାଂଙ୍‌କ୍ଷା ନାରୀମାନଙ୍କର । ଯୋଗସାଧନା, ନିର୍ଦ୍ଦିଷ୍ଟ ପଦ୍ଧତିରେ ବ୍ୟାୟାମ ଶରୀର ଚର୍ଚ୍ଚାର ମାଧ୍ୟମ ଭାବରେ ସ୍ଥାନ ପାଇଛି । ଏହାଛଡ଼ା ଯେଉଁମାନେ ଅଙ୍ଗ ପ୍ରତ୍ୟଙ୍ଗର ସୁଷମ ଅଭିବୃଦ୍ଧି ଇଚ୍ଛା କରନ୍ତି ସେମାନଙ୍କ ପାଇଁ ମଧ୍ୟ ସୁବ୍ୟବସ୍ଥା ରହିଛି । କେଶ ପ୍ରସାଧନଠାରୁ ବସ୍ତ୍ରପରିଧାନ ପର୍ଯ୍ୟନ୍ତ ସବୁ ବିଷୟରେ ବିସ୍ତୃତ ଶିକ୍ଷା ଦିଆଯାଏ । ଏହା ବ୍ୟତୀତ ଯୌନ ଜୀବନକୁ ରସୋତ୍ତୀର୍ଣ୍ଣ କରିବାଲାଗି ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷାଦାନର ବ୍ୟବସ୍ଥା ଅଛି । ଏହା ଗୋପନୀୟ ଏବଂ ସୁହାସିନୀଙ୍କର ପ୍ରତ୍ୟକ୍ଷ ଦାୟିତ୍ୱରେ ତାହା ପରିଚାଳିତ ହୁଏ ।

 

ବିଉଟି ପାର୍ଲରରୁ ଶିକ୍ଷା ପାଇ ଏ ଭିତରେ କେତେକ ତରୁଣୀ ହୋଟେଲମାନଙ୍କରେ ହେଲ୍‌ଥ କ୍ଳିନିକର ଦାୟିତ୍ୱ ନେଇଛନ୍ତି । ମାସାଜ୍‌ କ୍ଳିନିକ୍‌, ସ’ନ ବାଥ୍‌ ମଧ୍ୟ ସେମାନଙ୍କ ଦାୟିତ୍ୱରେ । ରାଜଧାନୀରେ ଏତେଶୀଘ୍ର ବିଉଟି ପାର୍ଲରର ଏତେ ଆଦର ହେବ ବୋଲି କଳ୍ପନା କରି ନ ଥିଲେ ସୁହାସିନୀ । ତାଙ୍କର ଉଦ୍ୟମ ସଫଳ ହୋଇଥିବାରୁ ସେ ପ୍ରସନ୍ନା ।

 

ଏଥିପାଇଁ ତାଙ୍କୁ କମ୍‍ ପରିଶ୍ରମ କରିବାକୁ ପଡ଼ିନାହିଁ ।

 

ଏବେ ଗୃହାସଜ୍ଜା ବିଜ୍ଞାନରେ ଶିକ୍ଷାଦାନ ପାଇଁ ଦାବି ହେଉଛି । ତା’ ସାଙ୍ଗକୁ ଆହୁରି ଅନୁରୋଧ ଆସୁଛି ରନ୍ଧାବଢ଼ା ଶିକ୍ଷା ଦବାର ସୁବ୍ୟବସ୍ଥା କରିବା ପାଇଁ । ଏଥିପାଇଁ ବି ଗୋଟେ ପ୍ଳାନ ପ୍ରସ୍ତୁତ କରି ରଖିଛନ୍ତି ସୁହାସିନୀ । କିନ୍ତୁ ସମୟ ମିଳୁନି ତାଙ୍କୁ ସବୁ କରିବା ପାଇଁ ।

 

ନିଜର ଅଫିସରେ ବସି ଚଉଷଠି ପ୍ରକାର ବନ୍ଧର ରିପ୍ରିଣ୍ଟଗୁଡ଼ାକୁ ନିରୀକ୍ଷଣ କରୁଥିଲେ ସେ । ବିଦେଶରୁ ଅର୍ଡ଼ର ମିଳୁଛି ପ୍ରଚୁର । ବିଦେଶରୁ ଆସୁଥିବା ଟୁରିଷ୍ଟମାନଙ୍କର ବି ପ୍ରଚୁର ଚାହିଦା ରହିଛି । ଯୋଗାଇ ପାରୁନାହାନ୍ତି ସୁହାସିନୀ । ଏଇ ବ୍ୟବସାୟରେ ଇନ୍‌ଭେଷ୍ଟମେଣ୍ଟ୍‍ ତୁଳନାରେ ଇନ୍‌କମ ଯଥେଷ୍ଟ । କାମଶାସ୍ତ୍ର ସେ ପଢ଼ି ନ ଥିଲେ । କିନ୍ତୁ ଆଜିକାଲି ଝିଅମାନଙ୍କର ଏ ଦିଗରେ ଆଗ୍ରହ ଅପରିସୀମ । ତେଣୁ ଖାଲି ଅଭିଜ୍ଞତା ଉପରେ ନିର୍ଭର ନ କରି ସେ ବାତ୍ସାୟନଙ୍କର କାମଶାସ୍ତ୍ର ନିଜେ ଅନୁଶୀଳନ କରି କୋଣାର୍କ ଓ ଖାଜୁରାହୋର ମନ୍ଦିରମାନଙ୍କରୁ ଅନେକ ପଥର ମୂର୍ତ୍ତି ସଂଗ୍ରହ କରିଛନ୍ତି । ଏହି ମୂର୍ତ୍ତିଗୁଡ଼ିକ ବିଭିନ୍ନ ବନ୍ଧରେ ରତିକ୍ରୀଡ଼ାରତ ନାରୀ ଓ ପୁରୁଷଙ୍କର । ଅନେକ ଚିତ୍ର ମଧ୍ୟ ଉଠେଇଛନ୍ତି ସେ । ଚିତ୍ରଗୁଡ଼ିକୁ ଡେଭେଲପ୍‌ କରି ବିଦେଶକୁ ପଠାଇବାର ବ୍ୟବସ୍ଥା ହୋଇଛି । ଏହାଛଡ଼ା ଦେଶରେ ମଧ୍ୟ ଏହାର ଚାହିଦା ବଢ଼ିବାରେ ଲାଗିଛି ।

 

ସୁହାସିନୀ କାମବନ୍ଧର ରହସ୍ୟ ଖୋଜୁ ଖୋଜୁ ନିଜକୁ ହଜେଇ ଦିଅନ୍ତି ଅନ୍ଧ ଗଳିରେ । ସେଠାରେ ଆଲୋକ ନାହିଁ, କି ପଥର ନିର୍ଦ୍ଦିଷ୍ଟ ସୀମା ନାହିଁ । ଆଦିଗନ୍ତ ଅନ୍ଧାର, ପଲ ପଲ ଉଲଗ୍ନ ନାରୀ ଓ ପୁରୁଷଙ୍କର ସମ୍ଭୋଗର ଅନ୍ତନାହିଁ ସେଠାରେ । ଅନ୍ଧଗଳିରେ ସେ ଯେପରି ପଥ ଅଣ୍ଡାଳି ଅଣ୍ଡାଳି ଚାଲିଛନ୍ତି ଏକାକିନୀ । ସାହା ଭରସା କେହି ନାହିଁ । ସାଥୀ କେହି ଦିଶୁ ନାହାନ୍ତି ପାଖରେ । ଭୟ ଲାଗୁଛି ସୁହାସିନୀଙ୍କୁ । ସେ କେବଳ ଚୌଷଠି ବନ୍ଧର ରହସ୍ୟ ଖୋଜିବାକୁ ଯାଇ ନିଜେ ଦୌଡ଼ୁଛନ୍ତି । ଭୟରେ - ତାଙ୍କୁ ପଲପଲ ପୁରୁଷ ଗୋଡ଼େଇଛନ୍ତି ପଛରୁ ଏବଂ ଆଗରୁ । ପଳେଇବାର ପଥଗୁଡ଼ାକ ଆଖି ଆଗରେ ବନ୍ଦହୋଇ ଆସିଛି । ହଠାତ୍‌ ଯେପରି କେହି ତାକୁ କୋଳ ଉପରକୁ ଟାଣିନେଲା । ତାକୁ କେବେ ଦେଖିଥିବା ପରି ମନେ ନ ହେଲେ ବି ଚିହ୍ନା ଚିହ୍ନା ଲାଗିଲା ।

 

ହଠାତ୍‌ ତାଙ୍କ ଅଫିସର ସୁଇଂ ଡୋର ଉପରେ ଠକ୍‌ ଠକ୍‌ କରି କହିଲେ ଜଣେ - ଭିତରକୁ ଆସିପାରେ କି ?

 

ପ୍ରକୃତିସ୍ଥା ହୋଇ ଛବିଗୁଡ଼ାକ ଡ୍ରୟାର ଭିତରେ ଲୁଚେଇ ଦେଇ କହିଲେ ସୁହାସିନୀ - କମ୍‌ ଇନ୍‌ ପ୍ଳିଜ୍‌ ।

 

ଭିତରକୁ ଆସି କହିଲା ମିସ୍ ଗ୍ଳୋରିଆ, ଗୁଡ଼୍‌ ଇଭନିଂ ମାଡ଼ାମ୍‌... ।

- ଗୁଡ଼ ଇଭିନିଂ । ବସ...

 

- ମୋର ଟିକେ ଡେରିହେଲା ଆସିବାରେ...ଜଟଣୀରୁ ଏଇନେ ଆସିବାପାଇଁ ତ ସେଇ ଗୋଟେ ଲୋକାଲ ଟ୍ରେନ...ପାଞ୍ଚଟା ପନ୍ଦରରେ ପହଞ୍ଚେ ଏଠାରେ । ଷ୍ଟେସନରୁ ରିକସାରେ ଏଠାକୁ ଆସିବାକୁ ଆହୁରି ଅଧଘଣ୍ଟାଏ ଲାଗିଗଲା ।

 

- କୈଫିୟତ ଦବା ଦରକାର ନାହିଁ । କିନ୍ତୁ ଆଜି ପ୍ରସ୍ତୁତ ହୋଇ ଆସିଛ ତ ?

 

ଲାଜେଇ ଯାଇ କହିଲା ଗ୍ଳୋରିଆ - ଦିସ୍‌ ଟାଇମ୍‌ ଇଟ୍‌ ଉଇଲ ବି ଅଲ ରାଇଟ ....ଏଥର ସବୁ ଠିକ୍‌ ହେବ ।

 

- ପ୍ରାକ୍‌ଟିସ କରିଛ ?

- ନା, କିନ୍ତୁ ଷ୍ଟଡ଼ି କରିଛି .... ।

 

-ଗୁଡ଼୍‌...ସେକ୍‌ସ ଏଜୁକେସନ ସେକ୍‌ସନ ଦାୟିତ୍ୱରେ ରହିବ, ବୁଝିଲ ! କିନ୍ତୁ ତୁମର ଦକ୍ଷତା ଉପରେ ସଫଳତା ନିର୍ଭର କରେ ।

 

- ଆଇ ଅଣ୍ଡରଷ୍ଟେଣ୍ଡ ମାଡ଼ାମ୍‌....ସବୁ ବୁଝୁଚି ଯେ, କିନ୍ତୁ ମୋ ଭଉଣୀ ବିଷୟରେ କଅଣ ହେଲା ? ସେ ଘରେ ଖାଲି ବସିଥିବା ଯାଏ ଚଳିବାକୁ ଅସୁବିଧା ହେଉଚି ଯେ ... ।

 

- ତୁମ ବାପା ପରା ଚାକିରି କରନ୍ତି ?

 

- ନା, ସେ ରିଟାୟାର କଲେଣି ଛଅମାସ ହେଲା । ଘରେ ବସି ବସି ଦିନ ସରୁନି ତାଙ୍କର । ଡ୍ରିଙ୍କ କରିବାର ବଦଅଭ୍ୟାସ ବି ଅଛି ।

 

- ସୋନିଆ କେତେଦୂର ପାଠ ପଢ଼ିଚି ?

- ମାଟ୍ରିକ ପାସ୍‌ ।

- ଇଂରାଜୀ ଶିଖେଇ ପାରିବ ।

- ଓ ଇୟେସ । ଭଲ ଭାବରେ ପାରିବ... ।

- ମନ୍ତ୍ରୀଙ୍କର ଜଣେ ଟିଉଟର ଦରକାର ।

- କାହାକୁ ପଢ଼େଇବ ?

- ତାଙ୍କ ସ୍ତ୍ରୀଙ୍କୁ ।

- ତାଙ୍କ ସ୍ତ୍ରୀଙ୍କୁ ?

 

-ହଁ, ସେ ଇଂରାଜୀ ଜାଣନ୍ତି ନି ବୋଲି ମନ୍ତ୍ରୀ ତାଙ୍କୁ ସଭା ମସିତିକୁ ନେଇପାରୁ ନାହାନ୍ତି । ତା’ପରେ ଦିଲ୍ଲୀ, କଲିକତା ଗଲେ ତ ଆହୁରି ଅସୁବିଧା ।

 

- କେତେବେଳେ ପଢ଼େଇବାକୁ ହେବ ।

 

- ସପ୍ତାହରେ ପାଞ୍ଚଦିନ । ସଂଧ୍ୟା ଛଅରୁ ଆଠ । ଷ୍ଟେସନରୁ ଗାଡ଼ି ନେଇ ଆସିବ ଏବଂ ଷ୍ଟେସନରେ ଛାଡ଼ି ଆସିବ । ମାସକୁ ଦୁଇଶହ ପଚାଶ ଟଙ୍କା । ବିଭାରେଜ କି ଅନ୍ୟକିଛି ରିଫ୍ରେସ୍‍ମେଣ୍ଟର ବ୍ୟବସ୍ଥା ବି ଅଛି । ରାଜି ?

 

- ରାଜି । ମୁଁ କଥା ଦେଉଛି । ସେ କେବେ ଆସିବ ?

 

- ଆଗେ ମନ୍ତ୍ରୀଙ୍କ ସହିତ ସାକ୍ଷାତ୍‍ କରିନେଉ । ସେତିକିବେଳେ ଆସିବା ଦିନ ଠିକ୍‌ କରିନବ ।

 

- ବିଉଟିଫୁଲ । ମୋତେ ଆପଣ ରକ୍ଷାକଲେ ମ୍ୟାଡ଼ାମ୍‌ ।

- କିନ୍ତୁ ତୁମେ ମୋତେ ରକ୍ଷା କରିବନି ଗ୍ଳୋରିଆ ?

- କହନ୍ତୁ ମ୍ୟାଡାମ୍‌ ।

 

-ସେଇ ଯେ ମୋର ଓକିଲ ବନ୍ଧୁଙ୍କ କଥା କହୁଥିଲି, ଆଜି ତାଙ୍କ ପାଖରେ ରହିଯାଇ ପାରିବ ?

 

- ମୁଁ ତ ରାତି ରହିବା ପାଇଁ ପ୍ରସ୍ତୁତ ହୋଇ ଆସିନି !

 

- କିନ୍ତୁ ରାତି ରହିବା ଦରକାର । ଯଦି ନାଇଟ୍‌ ଗାଉନ୍‌କି ଅନ୍ୟ କିଛି ଦରକାର ମୋତେ କହିପାର, ମୁଁ ଚେଷ୍ଟା କରିବି କିଛି କରିବାପାଇଁ ।

 

- ନାଇଟ୍‌ ଗାଉନ୍‌ ନ ହେଲେ ବି ଚଳିବ । କିନ୍ତୁ ମୁଁ ତ ଘରେ କହିନି । ଦେ ଉଇଲ ବି ଇନ୍‌ ସସ୍‌ପେନସ ଆଣ୍ଡ ଆଙ୍କଜାଇଟ୍ । ମୋତେ ନ ଦେଖିଲେ ସେମାନଙ୍କର ଆଶଙ୍କା ଏବଂ ଉତ୍କଣ୍ଠା ବଢ଼ିବ ...

 

- ତୁମେ ରାଜି ନ ହେଲେ ବଡ଼ ମାଛ ଗୋଟେ ଖସିଯିବ ବନଶୀରୁ । ଏପରି ଲୋକଙ୍କୁ ହାତରେ ରଖିଲେ ଆମର ଲାଭ...

 

- ତା’ ମୁଁ ବୁଝୁଚି ମ୍ୟାଡାମ୍‌ । କିନ୍ତୁ କୋଉଠିକି ଯିବାକୁ ହେବ ?

- ତାଙ୍କର ନିଜର ଦରକାର ନାହିଁ । ସେ ତାଙ୍କ ଫ୍ରେଣ୍ଡ ପାଇଁ ଚାହାଁନ୍ତି ।

- କିଏ ସେ ?

- ଇନ୍‌କମ ଟିକସ ଡିପାର୍ଟମେଣ୍ଟର କର୍ତ୍ତା ।

- ଆଇ ହୋପ୍‌ ହି ନୋଜ୍‌ ମ୍ୟାନ୍‌ରସ୍‌... । ସେ ଭଦ୍ର ବ୍ୟବହାର କରିବେ ଆଶା କରୁଚି ।

 

- ନା, ତୁମେ ନିଶ୍ଚିନ୍ତ ରହ । ବଡ଼ ବଡ଼ ଲୋକଙ୍କର ଗୋଟିଏ ନିଶା-ନିତି ନୂଆ ନୂଆ....ଆଉ ତୁମେ ଇମିତି ବ୍ୟବହାର କରିବ ଯେ, ଏଇ ତୁମର ପ୍ରଥମ ରାତି.... ଫାଷ୍ଟ ନାଇଟ୍‌....

 

ଲଜ୍ଜାମିଶା ସ୍ମିତହାସ୍ୟ କରି କହିଲା ଗ୍ଳୋରିଆ, ଭେରି ଇଣ୍ଟରେଷ୍ଟିଂ.....ଆପଣ ଚମତ୍କାର ବର୍ଣ୍ଣନା କରିପାରନ୍ତି ।

 

- ତା’ହେଲେ ମୁଁ ତାଙ୍କୁ ଫୋନ୍‌ କରିଦଉଚି !

- ଦିଅନ୍ତୁ ।

 

- ଏ ବିଗ୍ କେଚ୍‌ । ଆମର ବି ଦରକାର ହେବ ଭବିଷ୍ୟତରେ । ତାଙ୍କୁ ହାତରେ ରଖିବା ଉଚିତ ।

 

- ଆଇ ଉଇଲ ହୁକ୍‌ ହିମ୍‌ ଅନ୍‌..... ।

- ଥ୍ୟାଙ୍କ୍‌ ୟୁ ।

 

ଟେଲିଫୋନ୍‌ କରି ମାନବ ମହାନ୍ତିଙ୍କୁ କହିଲେ ସୁହାସିନୀ, ଗ୍ଳୋରିଆ ପ୍ରସ୍ତୁତ ହୋଇ ଅପେକ୍ଷା କରୁଛି । ଗାଡ଼ି ପଠେଇ ନେଇଯାଅ, ସି ଇଜ୍‌ ପିଓର ଆଣ୍ଡ ଭରଜିନ୍‌.... । କିନ୍ତୁ ତୁମେ ମୋତେ ନିରାଶ ନ କର ଯେପରି .... ।

 

ସେ ପାଖରୁ ମାନବ ମହାନ୍ତି କଅଣ କହିଲେ ସୁହାସିନୀ ବ୍ୟତୀତ ଅନ୍ୟ କେହି ଶୁଣିପାରିଲେ ନାହିଁ ସତ, କିନ୍ତୁ ସେଇକଥା ଶୁଣି ତାଙ୍କ ମୁହଁ ଯେ ଲଜ୍ଜାରେ ଲାଲ ପଡ଼ିଗଲା - ଏଇ ପରିବର୍ତ୍ତନ ଅଜଣା ରହିଲା ନାହିଁ ଗ୍ଳୋରିଆର ।

 

ସତ କହିଚନ୍ତି ମ୍ୟାଡ଼ାମ୍‌ ଏ ବିଗ୍‌ କେଚ୍‌... । କହିଲା ଗ୍ଳୋରିଆ ।

 

ଶୀତ ଋତୁର ମଧ୍ୟାହ୍ନରେ ଗଛରୁ ପାଚିଲା ପତ୍ର ଖସିପଡ଼ିବା ପରି ଖସି ପଡ଼ୁଚି ମଣିଷର ଆଶା ଓ ବିଶ୍ୱାସର କେନ୍ଦ୍ରଭୂମି ବୋଲି ଏଇଠି ଜୀବନ କଟାଇବା ପାଇଁ ଜନ୍ମଭୂମି ଛାଡ଼ି ଚାଲି ଆସିଥିବା ଶତସହସ୍ର ଲୋକଙ୍କ ଆଖିରୁ ସ୍ୱପ୍ନ ଖସିପଡ଼େ ରାଜଧାନୀର ରୂପ ଦେଖିଲେ । ଏତେ ଲୋକ ଏବଂ ଏତେ କୋଳାହଳ ମଧ୍ୟରେ ନିଜକୁ କେଡ଼େ ଏକୁଟିଆ, କେଡ଼େ ଅପରିଚିତ ଲାଗେ ସତରେ । ଦିନବେଳେ ବି ଏଠାରେ ଘରେ ଘରେ ଆଲୁଅ ଜଳେ, ରାତିରେ ରାସ୍ତା ଉପରେ ବୁଣି ହୋଇପଡ଼େ ସ୍ୱର୍ଣ୍ଣାଭ ଆଲୋକ । ଆଉ ଗଛର ଛାଇ ଗଛଠାରୁ ଲମ୍ବା ଦେଖାଯିବା ପରି ମଣିଷଠାରୁ ଆହୁରି ଉଚ୍ଚ ତାର ଆଶା ଆକାଂକ୍ଷା ରାଜମହଲ ଛକରେ ବା ଷ୍ଟେସନ ସ୍କୋୟାରରେ ଗୋଟିଏ ରାସ୍ତାରୁ ଆଉ ଗୋଟିକୁ ଯିବାବେଳେ ଚାପା ପଡ଼ିଯାଏ ଟ୍ରକ୍ ବା ଟ୍ରେକର ତଳେ । ରାଜଧାନୀର ରାସ୍ତା ରକ୍ତରଞ୍ଜିତ ହୁଏ । କିନ୍ତୁ ଟ୍ରାଫିକ୍ ବନ୍ଦ ହୁଏ ନାହିଁ । କେହି ମୁହଁ ବୁଲେଇ ଚାହେଁନି । ଚାହିଁଲେ ବି ଅଚିହ୍ନା ପରି ନିର୍ବିକାର ମନରେ ଚାଲିଯାଏ । ଘର କୋଣରେ ବା ଗଛର ଡାଳରେ ବୁଢ଼ିଆଣି ଜାଲ ବୁଣିବା ପରି ଏଠାରେ ସର୍ବତ୍ର ବୁଣାହୁଏ ରାଜନୀତିର ଜାଲ । ଗାଦିରେ ବସିଥିବା ଲୋକକୁ ଗାଦିରୁ ହଟେଇ ଅନ୍ୟଜଣେ ଗାଦି ମାଡ଼ି ବସିବାପାଇଁ ଅହୋରାତ୍ର ଚାଲେ ଚକ୍ରାନ୍ତ ।

 

ଗୋଟେ ବଡ଼ ଶୋଭାଯାତ୍ରା ଷ୍ଟେସନ ସ୍କୋୟାରରୁ ବାହାରି ଆଗେଇ ଚାଲିଛି ବିଧାନସଭା ଆଡ଼କୁ । ବିଧାନସଭାର ଶୀତକାଳୀନ ଅଧିବେଶନରେ ଭାଗ ନେଉଥିବା ମାନ୍ୟବର ବିଧାୟକମାନଙ୍କ ଦୃଷ୍ଟ ଆକର୍ଷଣ କରି ସେମାନଙ୍କର ଦୁଃଖ ସୁଖ ଜଣାଇବାଲାଗି ସେମାନେ ଆସୁଥିବେ ଭାବି ସ୍କୁଟରରେ ଆଗେଇ ଯାଉଥିବେବେଳେ ହଠାତ୍ କଅଣ ଭାବି ଛିଡ଼ା ହୋଇଗଲା ମନୋଜ ।

 

ଆମର ଦାବି ପୂରଣ ହେଉ

ଘର ଭଙ୍ଗା ବନ୍ଦ ହେଉ

ଆମର ନେତା ସବୁରି ନେତା

ଜିନ୍ଦାବାଦ ଜିନ୍ଦାବାଦ ।

 

ମନୋଜ ସବାଶେଷର ଲୋକଟିକୁ ପଚାରିଲା, ‘‘କେଉଁ ଦଳର ଶୋଭାଯାତ୍ରା; କିଏ ତୁମର ନେତା ?’’

 

ସେ ପଛରେ ପଡ଼ିଯିବ ଭାବି କିଛି ନ ଶୁଣିବା ପରି ଆଗକୁ ଚାଲିଲା ।

 

ମନୋଜ ଉଚ୍ଚ ସ୍ୱରରେ କହିଲା – ‘‘ରହିଯାଅ ଭାଇ, ରହିଯାଅ ଦଣ୍ଡେ... । ପଚାରୁଛି ପରା କେଉଁ ଦଳର ଶୋଭାଯାତ୍ରା, କିଏ ତୁମର ନେତା ?’’

 

ସେ ଠିଆ ହୋଇପଡ଼ି ଫୋପାଡ଼ିବା ପରି କହିଲା, ‘‘ଜାଣେନା...’’

- ଜାଣିନ କୁଆଡ଼େ ଯାଉଛ ? ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନକଲା ମନୋଜ ।

- ସମସ୍ତେ ଯାଉଛନ୍ତି, ମୁଁ ବି ଯାଉଛି ।

-ତୁମର ଦାବି କଅଣ ?

- ବାବୁ ଜାଣେ... ।

- ତୁମକୁ କେହି କିଛି କହି ନାହାନ୍ତି ?

 

- ଦୁଇଟଙ୍କା ଦେଇଛି ମୋତେ । ବାରଙ୍ଗରୁ ରେଳଗାଡ଼ିରେ ଆଣିବାର ବ୍ୟବସ୍ଥା ବି ରହିଛି ।

 

- ନେତା କିଏ, ନାମ କଅଣ ?

- ବାବୁ....

- ତୁମ ଘର କୋଉଠି ?

- କେନ୍ଦୁଝରରେ ।

- ବାରଙ୍ଗରେ କରୁଚ କଅଣ ?

- ନୂଆ ସଡ଼କ ହେଉଚି ଯେ, ସେଇଠି ମାଟିକାମ କରୁଚି ।

- ଆଜି ଦିନକର ମଜୁରୀ ମାରା ହେଲା ।

 

- ନାଇଁ, ଆଜି କାମ ନ ଥିଲା ବୋଲି ଆଇଲିନା ! ବସି ବସି ନିଜର ଭାତ ଖାଇବା ଅପେକ୍ଷା ପର ପଇସାରେ ରାଜଧାନୀ ବୁଲିଯିବା ଭଲ ।

 

- ଅନେକ ଭଲ...ଅନେକ ଭଲ... । ମନ୍ତବ୍ୟ କଲା ମନୋଜ ।

 

ତା’ପରେ ସ୍କୁଟର ଚଳେଇ ଆଗକୁ ଗଲା । ସେତେବେଳକୁ ଶୋଭାଯାତ୍ରାକୁ ପୁଲିସ୍‍ ଅଟକ କରି ଦେଇଥାଏ ପି. ଏମ୍. ଜି. ଅଫିସ ଆଗରେ ।

 

ଆଗକୁ ଯିବା ମନା । ଶାନ୍ତିଭଙ୍ଗର ଆଶଙ୍କା କରି ନିଷେଧାଜ୍ଞା ଜାରୀ କରାଯାଇଛି ।

ଏତିକିବେଳେ ମନୋଜର ନଜର ପଡ଼ିଲା ଆରେୟା ଉପରେ ।

ଆରେୟା ମାଳିସାହିର ମୁଖିଆ ।

 

ସେଦିନ ଆରେୟା ବିପ୍ଳବୀ ସମାଜବାଦୀ ଦଳର ପତାକା ଧରି ଆଉ ଗୋଟିଏ ଶୋଭାଯାତ୍ରାର ଆଗେ ଆଗେ ଚାଲୁଥିଲା । ସେ ଯେତେବେଳେ ଶୋଭାଯାତ୍ରାର ଅଗ୍ରଭାଗରେ ରହି ସ୍ଲୋଗାନ ଦଉଛି, ନିଶ୍ଚୟ ଶୋଭାଯାତ୍ରାକାରୀମାନେ ବିପ୍ଲବୀ ସମାଜବାଦୀ ଦଳର ହୋଇଥିବେ ଏୟା ଭାବି ନୋଟ୍‍ ବହି ବାହାର କଲା ମନୋଜ । ଶୋଭାଯାତ୍ରା ସମ୍ପର୍କରେ କିଛି ଟିପି ରଖିବା ଭଲ ହେବ ଭାବି ସେ ପକେଟରୁ ପେନ୍‌ସିଲ ବାହାର କଲାବେଳକୁ ଆରେୟା ତା’ ମୁହଁକୁ ଚାହିଁ ଫକ୍‌କିନା ହସିଦେଲା ।

 

ମନୋଜ କହିଲା - ‘‘ତୁମେ ଥିଲେ ଶୋଭାଯାତ୍ରା ଲମ୍ବହୁଏ, ଅନେକ ଲୋକ ଆସନ୍ତି ।’’

- ନ ହେଲେ ମୋତେ ଡାକିବେ କାହିଁକି ଯେ... । କହିଲା ଆରେୟା ।

 

- ତୁମ ଦଳର ଶକ୍ତି ବଢ଼ୁଚି ଦିନକୁ ଦିନ । ଗତଥର ଦୁଇତିନିଶହ ଥିଲେ ଶୋଭାଯାତ୍ରାରେ, ଆଜି ତ ହଜାରକରୁ କମ୍ ହେବେ ନାହିଁ ।

 

- ଠିକ୍ ହଜାରେ ଲୋକ ଆଣିଛି ବାବୁ... ।

- ଭଲ ଭଲ ।

 

- ତୁମର ଦଳ ବଡ଼ ହେବା ସଙ୍ଗେ ସଙ୍ଗେ ତୁମର ଉନ୍ନତି ବି ଜଳ ଜଳ ହୋଇ ଆଖିରେ ପଡ଼ୁଛି... ।

 

- ମୋର କିନ୍ତୁ ଦଳ ନାହିଁ ବାବୁ, ଖାଲି ବଳ ଅଛି ।

- ମାନେ ? ଆଶ୍ଚର୍ଯ୍ୟ ହୋଇ ପଚାରିଲା ମନୋଜ ।

 

- ମୋର ଦଳ ନାହିଁ । ମୋର ଲୋକ ଅଛନ୍ତି, ପଇସା ଦେଲେ ମୁଁ ଆଣେ ସେମାନଙ୍କୁ । ଯେତେ ଦରକାର ।

 

- ତୁମେ ବିପ୍ଲବୀ ଦଳର ନେତା କି ସଭ୍ୟ ନୁହଁ ?

- ନା

- ତା’ ହେଲେ ?

 

- ମାଳିସାହୀ, ସତ୍ୟନଗରର ଏରୋଡ଼୍ରମ ପଡ଼ିଆ ପାଖର ମଜଦୂର କଲୋନି, ବାରଙ୍ଗରେ କାମ କରୁଥିବା କେନ୍ଦୁଝର, ମୟୁରଭଞ୍ଜ ଅଞ୍ଚଳର ଆଦିବାସୀ ମୋ’ ଲୋକ । ମୁଁ କହିଲେ ଆସିବେ ।

 

- ତୁମେ କଅଣ ପାଅ ?

- ପ୍ରତିଲୋକ ପିଛା ପଚାଶ ପଇସା ।

- ଆଉ ସେମାନେ ?

- ଓଳିକୁ ଦୁଇଟଙ୍କା...କେବେ କେବେ ଚାରି-ପାଞ୍ଚ ଟଙ୍କା, ଯିବା ଆସିବାର ବ୍ୟବସ୍ଥା... ।

- ତୁମେ କେବେଠାରୁ ରହିଲଣି ରାଜଧାନୀରେ ?

- ଆରମ୍ଭରୁ...ତିରିଶି ବରଷ ହେବ... ।

 

- ସେଦିନ ବିପ୍ଲବୀ ସମାଜବାଦୀ ଦଳର ଶୋଭାଯାତ୍ରାରେ ଦେଖିଥିଲି ତୁମକୁ । ଆଜି ଦେଖୁଛି ଆଉ ଗୋଟିଏ ଦଳର ଶୋଭାଯାତ୍ରାରେ... । ଇଏ କୋଉ ଦଳ ?

 

- ବସ୍ତି ଉଚ୍ଛେଦ ନିରୋଧକ ଦଳ ।

- ନୂଆ ଦଳ ?

- ହଁ, ଏଇ ଏବେ ତ ଗଢ଼ିଛନ୍ତି ଓକିଲ ବାବୁ ।

- କୋଉ ଓକିଲ ବାବୁ ? ଚମକିପଡ଼ି କହିଲା ମନୋଜ ।

- ମାନବ ମହାନ୍ତି...ବଡ଼ ଓକିଲ ରାଜଧାନୀର ।

- ସିଏ ନେତା ।

- ହଁ ।

- ସେ ତୁମକୁ ଟଙ୍କା ଦେଇଛନ୍ତି ?

- ହଁ ।

 

ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ମନୋଜର । ଈଶ୍ୱରଙ୍କ ପରି ମାନବ ମହାନ୍ତି ସର୍ବତ୍ର ବିରାଜମାନ । ତାଙ୍କର ଦଳ ଓ ବଳ ସବୁଠାରେ ।

 

ଦଳର ଜଣେ କର୍ମୀଙ୍କୁ ରାସ୍ତା କଡ଼କୁ ଡାକି ନେଇ ପଚାରିବାରେ ସେ ଯାହା କହିଲେ ତାହା ଏହିପରି ... ।

 

ରାଜଧାନୀରେ ପାଞ୍ଚହଜାର ଝୁମ୍ପୁଡ଼ି ଅଛି । ସରକାରୀ ଜମି ଜବର ଦଖଲ କରି ଝୁମ୍ପୁଡ଼ି ତିଆରି କରି ଲୋକେ ରହିଛନ୍ତି ସେଥିରେ । ଖାଲି ଏ ରାଜ୍ୟର ଲୋକ ନୁହଁନ୍ତି, ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକ, ଭିକ୍ଷୁକ, କୁଷ୍ଠରୋଗୀମାନଙ୍କର ସଂଖ୍ୟା କିଛି କମ୍ ନୁହେଁ । ବରଂ ସେମାନଙ୍କ ସଂଖ୍ୟା ଅଧାଅଧି ହେବ । ଏବେ କିଛିଦିନ ହେବ ଶହୀଦ ନଗର, ଗଙ୍ଗ ନଗର ପ୍ରଭୃତିରେ ଝୁମ୍ପୁଡ଼ି ଭାଙ୍ଗି ଜବରଦଖଲ କରିଥିବା ଜମି ପୁଣି ଅକ୍ତିଆର କରିବା ପାଇଁ ଅଭିଯାନ ଆରମ୍ଭ ହୋଇଚି । ରାସ୍ତା ଚଉଡ଼ା କରିବା ପାଇଁ, ସୁପରମାର୍କେଟ କରିବା ପାଇଁ, ହୋଟେଲ ସିନେମାହଲ କରିବାପାଇଁ ଅଧିକ ଜମି ମଧ୍ୟ ଆବଶ୍ୟକ ହେଉଛି । ସେଥିପାଇଁ ଘରଭଙ୍ଗା ଅଭିଯାନ ଚାଲିଛି ଏଇ କେତେଦିନ ହେଲା । ମାନବ ମହାନ୍ତି ସମାଜସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବାରୁ ନୀରବଦ୍ରଷ୍ଟା ଭାବରେ ବସି ନ ରହି ଅଣ୍ଟାଭିଡ଼ି ବାହାରିଛନ୍ତି ମଳିମୁଣ୍ଡିଆ, ନିରାଶ୍ରୀତମାନଙ୍କର ସେବା କରିବା ଉଦ୍ଦେଶ୍ୟରେ । ଶାସକ ଦଳ ସହିତ ତାଙ୍କର ଯୋଗସୂତ୍ର ଓ ଉତ୍ତମ ବୁଝାମଣା ମଧ୍ୟ ଅଛି । ତାଙ୍କ ଅକ୍ତିୟାରରେ ଜବରଦଖଲକାରୀମାନେ ରହିଲେ ଉଭୟଙ୍କର ଲାଭ । ମାନବ ମହାନ୍ତିଙ୍କର ନେତୃତ୍ୱ ବି ଦୃଢ଼ ହେବ । ଆଗାମୀ ଲୋକସଭା ନିର୍ବାଚନରେ ସେ ଶାସକ ଦଳର ସମର୍ଥିତ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ଛିଡ଼ାହେବାର ଆଶା ଉଜ୍ଜ୍ୱଳ ।

 

ମନୋଜ ତିନି ଚାରି ଜଣ କର୍ମୀଙ୍କ ସହିତ କଥାଭାଷା କରି ଆହୁରି କେତେକ ତଥ୍ୟ ସଂଗ୍ରହ କଲା । ମାନବ ମହାନ୍ତି ଯେ ଜଣେ ବିଚକ୍ଷଣ ବ୍ୟକ୍ତି ଏଥିରେ ଆଉ ତିଳେମାତ୍ର ସନ୍ଦେହ ରହିଲା ନାହିଁ ମନରେ ।

 

ଶହୀଦ ନଗର ମଝିରେ ଯେଉଁ ବିରାଟ ପଡ଼ିଆ ଅଛି ତା’ ଉପରେ ବି ଶ୍ୱେନଦୃଷ୍ଟି ପଡ଼ିଛି ତାଙ୍କର । ତାଙ୍କର ପ୍ରରୋଚନାରେ ବର୍ତ୍ତମାନ ମସୁଧା ଚାଲିଛି ଏହି ପଡ଼ିଆକୁ ପ୍ଲଟ କରି ବାଣ୍ଟିଦବା ପାଇଁ । ମାନବ ମହାନ୍ତି ଗୋଟିଏ ହୋଟେଲ କରିବା ପାଇଁ ସ୍ତ୍ରୀଙ୍କ ନାମରେ ପାଞ୍ଚଏକର ଜମି ନବା ସକାଶେ ଦରଖାସ୍ତ କରିଛନ୍ତି । ତାଙ୍କ ଶାଳୀ ସିନେମାହଲ କରିବାପାଇଁ ଇଚ୍ଛୁକ । ଏଥିପାଇଁ ତିନି ଏକର ଜମି ଆବଶ୍ୟକ । ଅନେକ ବଡ଼ ବଡ଼ ଅଫିସର ଏବଂ ନେତାଙ୍କର ଜ୍ୱାଇଁ, ଭଣଜା, ଶାଳୀ ଓ ଶଳାମାନେ ଏପର୍ଯ୍ୟନ୍ତ ରାଜଧାନୀରେ ଜମି ନ ଥିବାରୁ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଏଠାରେ ପ୍ଲଟ ଯୋଗାଇ ଦିଆଯାଇ ପାରିବ । ବାକି ଯେଉଁମାନେ ରହିଯିବେ ଏବଂ ଯେଉଁମାନେ ଭବିଷ୍ୟତ ପ୍ରତିଦ୍ୱନ୍ଦ୍ୱୀ ଭାବରେ କଳକୌଶଳ କରିବାର ସମ୍ଭାବନା ଅଛି ସେମାନଙ୍କୁ ସନ୍ତୁଷ୍ଟ କରି ନିଜ ଆଡ଼କୁ ନେବା ପାଇଁ ରାଜଭବନ ପଛରେ ଏବଂ ଝୁନ୍‌ଝୁନ୍‌ଓ୍ୱାଲା ବଗିଚାକୁ ଦଖଲ କରି ସେଥିରେ ଥିବା ଜମିକୁ ପ୍ଲଟ କରି ବାଣ୍ଟିଦବା ପାଇଁ ପ୍ଲାନ୍ ପ୍ରସ୍ତୁତ ହୋଇରହିଛି । ଶୀତକାଳୀନ ବିଧାନସଭା ଅଧିବେଶନ ଶେଷ ହେବାକ୍ଷଣି ଏଇ ପ୍ଲାନ୍ କାର୍ଯ୍ୟରେ ପରିଣତ ହେବ ।

 

ସମ୍ବାଦପତ୍ର ପାଇଁ ଭଲ ଗଳ୍ପଟିଏ ପାଇଗଲା ମନୋଜ ।

 

ମାନବ ମହାନ୍ତିଙ୍କର ଚେର କେତେଦୂର ତଳକୁ ଯାଇଚି ଜାଣିବା କଷ୍ଟ । ଯେଉଁଠାରେ ସେ ଅନୁସନ୍ଧାନ ଆରମ୍ଭ କରୁଛି ମାନବ ମହାନ୍ତିଙ୍କର ସମ୍ପର୍କ ରହିଛି ସେଠାରେ । ସମାଜ ସେବାର ଆକର୍ଷଣ ଆଉ ନାହିଁ ବୋଲି ଶୁଣୁଥିଲା ସେ । କିନ୍ତୁ ତାହା ଯେ ସମାଜ, ରାଜନୀତି, ଶାସନକଳର ସବୁସ୍ତର ସହିତ ଓତଃପ୍ରୋତ ଭାବରେ ଜଡ଼ିତ ହୋଇ ରହିଛି ଏହା ନିଶ୍ଚିତ ହୋଇଗଲାଣି ।

 

ମନୋଜ ଆରେୟାକୁ ତା’ର ସଫଳତା ପାଇଁ ଧନ୍ୟବାଦ ଦେଇ କହିଲା ଯିଏ ଆସିବ ଆସୁ, ତୁମର ପ୍ରୟୋଜନ ରହିଥିବ, ତୁମକୁ ଛାଡ଼ି ରାଜଧାନୀ ବଞ୍ଚିପାରିବ ନାହିଁ । ତା’ କଥା ଶୁଣି ହସିଲା ଆରେୟା ।

 

ମନୋଜ ସେଠାରେ ଆଉ ଅପେକ୍ଷା ନ କରି ଚାଲିଲା ନିରାକାରର ଘର ଅଭିମୁଖରେ ।

 

ଅନେକ ଦିନ ହେଲା ଯାଇନି ତାଙ୍କ ଘରକୁ । ଶିଥିଳ ହୋଇ ଆସିଥିବା ଅତୀତର ସେଇ ଘନିଷ୍ଠତାକୁ ଆଉଥରେ ସଜାଡ଼ି ଦବ ସେ ।

 

ସେ ପହଞ୍ଚିବାବେଳକୁ ନିରାକାର ନ ଥିଲା ଘରେ । କିନ୍ତୁ ତା’ର ଫେରିବାବେଳ ହୋଇଗଲାଣି ବୋଲି କହି ତାକୁ ଅଟକାଇ ଦେଲା ସୁମତି ।

 

ସୁମତିକୁ ଅଭିନନ୍ଦନ ଜଣାଇଲା ମନୋଜ । ଏଭିତରେ ସେ ସଚିବାଳୟରେ ମନ୍ତ୍ରୀଙ୍କର ଦପ୍ତରରେ ଷ୍ଟେନୋ ଚାକିରିଟିଏ ପାଇଛି । ବେଶ୍ ଭିଣ୍ଟେଜ ପଜିସନରେ ଅଛି ସୁମତି ।

 

ପ୍ରକୃତରେ ତାହାରି ପାଖରେ କାମ ଅଛି ମନୋଜର । ନିରାକାର କେବଳ ଆଳ ମାତ୍ର ।

 

ନିରାକାରର ବାରନ୍ଦାରେ ବସି ବସି ସେ ଗଳ୍ପ ଆରମ୍ଭ କରିଦେଲା । ଅନ୍ୟପିଲାମାନେ ସିନେମା ଦେଖିବାକୁ ଯାଇଥିଲେ ଯେ ଫେରି ନ ଥିଲେ ଏ ଯାଏ । ମାଟିନୀ ସୋ ଶେଷ ହେବାବେଳକୁ ସାଢ଼େ ପାଞ୍ଚ । ସେମାନେ ଯେତେ ଶୀଘ୍ର ଆସିଲେ ବି ଛଅଟା ପୂର୍ବରୁ ଫେରିବାର ସମ୍ଭାବନ ନାହିଁ ।

 

ହାତରେ ଘଣ୍ଟାକରୁ ବେଶୀ ସମୟ ଅଛି ମନୋଜର ।

ସୁମତି ତା’ ପାଖକୁ ଚେଆରଟା ଟାଣି ଆଣି ବସିଲା ।

 

ସୁମତି ସୁନ୍ଦର ଦିଶୁଛି ମନୋଜର ଆଖିକୁ । ଚାକିରି ପାଇବା ପରେ ତାକୁ ଆଉ ଦେଖି ନ ଥିଲା ସେ । ବୋଧହୁଏ ତାର ସୌନ୍ଦର୍ଯ୍ୟ ହଠାତ୍ ବଢ଼ିଯାଇ ନ ଥିଲେ ବି ମନର ପ୍ରସନ୍ନତା ତାକୁ ଅଧିକ ସୁନ୍ଦର କରିଛି ।

 

ସୁମତି କହିଲା - ବାଟବଣା ହୋଇ କିପରି ଚାଲି ଆସିଲ ମନୁଭାଇ ?

 

- ନା, ନା, ତୋତେ ଦେଖିଯିବା ପାଇଁ ଆସିଛି । ଚାକିରି କଲୁ କିନ୍ତୁ ମିଠେଇ ଖୁଆଇନୁ ତ ଆଜିଯାଏ ... !

 

- ତମେ ବଡ଼ ଲୋକ, କେତେ ଲୋକଙ୍କର ନିମନ୍ତ୍ରଣ ପାଉଥିବ... ।

 

- ନା, ନା...ତୋ ହାତରେ ପକୋଡ଼ିର ସୁଆଦ ଆଉ କେଉଁଠି ମିଳିବ ନାହିଁ । ସେଇ ଯେ ପୋଇଶାଗ ଆଉ ଧଣିଆପତ୍ରରେ ପକୋଡ଼ି କରି ଖୁଆଇଥିଲୁ ଏଯାଏ ଭୁଲି ନାହିଁ ।

 

- ମନେ ଅଛି ?

- ସବୁ ମନେ ଅଛି । ଆଜି କଅଣ ଖୁଆଇବୁ ଯେ ?

- ଅପେକ୍ଷା କର...ଦେଖିବନି... ।

ମନୋଜର ଆହୁରି ପାଖକୁ ଲାଗି ଆସିଲା ସୁମତି ।

 

ପରିବାରର ଆକାରକୁ ଚାହିଁ କ୍ୱାଟରଟା ଛୋଟ । ସେଥିପାଇଁ ଘର ଆଗର ବାରନ୍ଦାରେ ନିଜ ଖର୍ଚ୍ଚରେ ଜାଫ୍‌ରି ଲଗାଇଦେଇଛି ନିରାକାର । ଜାଫ୍‌ରି ଉପରେ ମଧୁମାଳତୀ ଲତା ମାଡ଼ିଯାଇ ସବୁଜ ପର୍ଦ୍ଦାପରି ଝୁଲିପଡ଼ିଛି । ବାରନ୍ଦାରେ ବସିଲେ ବାହାରକୁ ଟିକେ ଟିକେ ଦେଖାଗଲେ ବି ବାହାରୁ ଭିତରର ଦୃଶ୍ୟ ଦେଖାଯାଏ ନାହିଁ । ପ୍ରାଇଭେସି ରକ୍ଷା ହୁଏ ।

 

ସୁମତି କହିଲା - ତମେ କିନ୍ତୁ ଝଡ଼ିଗଲାଣି ମନୁ ଭାଇ ...ଶୁଖିଲା ଦିଶୁଛ... ।

- ନା’ ତ ।

- ତମ ଆଖିକୁ ଦିଶୁନି ନିଜର ମୁହଁ, ମୋତେ କିନ୍ତୁ ଠକିଦେଇ ପାରିବନି... ।

ମନୋଜ କିଛି କହିବା ପୂର୍ବରୁ ତା’ ହାତ ଉପରେ ହାତ ରଖିଲା ସୁମତି ।

ସୁମତିର ଦେହରୁ ସେଣ୍ଟର ବାସ୍‌ନା ଆସି ନାକରେ ଲାଗୁଥିଲା ମନୋଜର ।

ସେ ବସି ରହିଲା ସ୍ଥିର ହୋଇ ।

 

ସୁମତି ତା’ର ହାତ ଗୋଟିକୁ ଟେକି ନେଇ ଛାତି ଉପରେ ଇମିତି ଭାବରେ ଜାକି ଧରିଲା ଯେ ମନୋଜ ଭିତରର କୋମଳତା ଅନୁଭବ କରି ଶିହରି ଉଠିଲା ସର୍ବାଙ୍ଗରେ ।

 

ଆହୁରି ପାଖକୁ ଲାଗି ଆସି ଫିସ୍ ଫିସ୍ କରି କହିଲା ସୁମତି - ସମସ୍ତେ ଯାଇଛନ୍ତି ସିନେମା ଆସୁ ଆସୁ ସଂଧ୍ୟା ହେବ...ବୋଉ ଯାଇଛି ବାପଘରକୁ । ରାତିରେ ଫେରିବ ।

 

- ତୁ ଏକା ଏକା କଅଣ କରୁଥିଲୁ ଯେ ? କିଛି ସମୟ ପରେ ଢୋକ ଗିଳି କହିଲା ମନୋଜ ।

 

- ଅପେକ୍ଷା କରୁଥିଲି ତମକୁ । ମନ କହୁଥିଲା ତମେ ନିଶ୍ଚୟ ଆଜି ଆସିବ... ।

- ସତେ !

 

ସୁମତି ମନୋଜର ହାତକୁ ବ୍ଲାଉଜ ଭିତରେ ଭର୍ତ୍ତି କରିଦେଇ ଶାଢ଼ିଟା ଢାଙ୍କିଦେଇ ମନକୁ ମନ କହିଲା - ମୁଁ ଗେଟ୍ ଆଡ଼କୁ ଲକ୍ଷ୍ୟ ରଖିଛି... ।

 

ମୁହୂର୍ତ୍ତକ ପାଇଁ ଜଳିଉଠି ପୁଣି ଶିଥିଳ ହୋଇଗଲା ମନୋଜ । ନିଜକୁ ସଂଯତ କରିନେଇ କହିଲା ଥାଉ... । କିଏ ଆସି ଯାଇପାରେ ।

 

ସୁମତି ମନୋଜର ଛାତି ଉପରେ ଢଳିପଡ଼ି କହିଲା - ମୋତେ ଭଲ ପାଅ ମନୁଭାଇ ?

ମନୋଜ କିଛି ଉତ୍ତର ଦେଇ ପାରିଲା ନାହିଁ ।

 

ସୁମତି କହିଲା - ଇମିତି ନିର୍ବିକାର ପୁରୁଷ ପରି ବସି ରହିଲା ଯେ ଖାଲି ଖାଲି ଫେରିଯିବ ?

 

ମନୋଜ ବାଧ୍ୟ ହୋଇ ତା’ ମୁହଁରେ ଚୁମ୍ବନ କରି କହିଲା - ହେଲା ଏଥର... ।

ସୁମତି କହିଲା - ଆଉ କିଛି ନୁହେଁ, ଏତିକି ?

ମନୋଜ କହିଲା ଆଉ ଦିନେ... ।

ସୁମତି କହିଲା - ତୁମେ ବସ ମନୁଭାଇ...ମୁଁ ପକୋଡ଼ି କରି ଆଣୁଛି ।

- ଚା’ ବି !

- ହଁ, ହଁ !

 

ସୁମତି ଚାଲିଗଲା ଘର ଭିତରକୁ । ମନୋଜ ଅପରାଧୀ ପରି ବସି ରହିଲା ଏକାକୀ । ହଠାତ୍ ଅପରାଧବୋଧରେ ଭାରି ହୋଇଗଲା ମୁଣ୍ଡ ।

 

ଶେଷ ସୂର୍ଯ୍ୟର ଝଲକାଏ ସୁନେଲି ରଶ୍ମି ମଧୁମାଳତୀ ଲତା ଅତିକ୍ରମ କରି ପଶି ଆସିଲା ଭିତରକୁ ।

 

ମନୋଜର ମନ ଅନୁତାପ ଉଦାସ ହୋଇଗଲା । ଛି, ଛି, ସେ ନିଜର ସ୍ୱାର୍ଥସିଦ୍ଧି ପାଇଁ ଏପରି କରିବା ଉଚିତ ନ ଥିଲା । ସୁମତି ନିଜକୁ ନିୟନ୍ତ୍ରଣ କରି ନ ପାରିଲା ବୋଲି ସେ ବି ତରଳିଗଲା ତା’ର ଉଷ୍ମା ପାଇଁ । ଯେତେହେଲେ ବୟସରେ ସେ ବଡ଼ । ବିଦ୍ୟା ଓ ବୁଦ୍ଧିରେ ବି ସେ ବଡ଼ । ସୁମତି ହୁଏତ ତା’ର ଏଇ ସୋହାଗକୁ ସମ୍ମତି ବୋଲି ଧରିନେଇ ଇମିତି ଉଚ୍ଚ ଆଶା ଲାଳନ କରିବ ଯେ ମନରେ, ସେ ତାହା କେବେହେଲେ ପୂର୍ଣ୍ଣ କରି ପାରିବ ନାହିଁ । କେତେଥର ଇଚ୍ଛା କରିଛି ସୁମତିକୁ ଏଇ ନିର୍ମମ ସତ୍ୟକଥା କହିଦବା ପାଇଁ; କିନ୍ତୁ କହିବାକୁ ଯାଇ ସୁମତିର ମୁହଁରେ କଅଣ ଦେଖିଛି କେଜାଣି କହି ନ ପାରି ଅଟକି ଯାଇଛି ସେ । ଆଉ ଠିକ୍ ସେତିକିବେଳେ ସୁମତି ତାକୁ କହିଛି - ମୋତେ ଭଲ ପାଅନି ମନୁ ଭାଇ ?

 

ଏଇ ପ୍ରଶ୍ନ ଉତ୍ତର ସେ ଦେଇପାରିବନି ସୁମତିକୁ । ହୁଏତ ସତକଥାଟା ତା’ ମୁହଁରୁ ଶୁଣିଲେ ସହ୍ୟ କରିପାରିବ ନାହିଁ ସୁମତି । ସେ ଯେ ତାକୁ ଭଲ ପାଏନି...ହୁଏତ ଭବିଷ୍ୟତରେ କେହି ତା’ର ଭଲ ପାଇବାର ଅଧିକାରିଣୀ ହେବ କି ନାହିଁ ସେ ଏବେବି ଜାଣିନି । ସେ ଆଉ ଦଶଜଣଙ୍କ ପରି ସ୍ୱାର୍ଥପର...ସାମ୍ବାଦିକ ସେ । କୌଶଳ ନ କଲେ ସମ୍ବାଦ ମିଳିବ ନାହିଁ । କାର୍ଯ୍ୟସିଦ୍ଧି କରିବାଲାଗି ଯେକୌଣସି ଉପାୟ ଅବଲମ୍ବନ କରିବାକୁ ପ୍ରସ୍ତୁତ ସେ । ସେତକ କଲାବେଳେ ଯଦି ସୁମତିର କି ସୁହାସିନୀର ମନରେ କାମନାର ସଞ୍ଚାର କରିବାକୁ ପଡ଼େ କରିବ ସେ । ସେଥିପାଇଁ ପରେ ଅନୁତାପ କରିବ, ଅନୁଶୋଚନା କରିବ... । ପ୍ରାୟଶ୍ଚିତ ବି କରିବ ।

 

ମନୋଜ ଆଗରେ ପକୋଡ଼ି ଭର୍ତ୍ତି ପ୍ଲେଟ ରଖି କହିଲା ସୁମତି, ଆରମ୍ଭ କର ମନୁଭାଇ କିମିତି ହୋଇଛି କେଜାଣି !

 

ମନୋଜ ପକୋଡ଼ି ଗୋଟେ ପାଟିରେ ପୂରେଇ କହିଲା ତୋ ହାତର ଗୁଣ ଅଛି ସୁମି ! ତୁ ଅମୃତହସ୍ତା... !

 

ସୁମତି ବିଚଳିତ ହୋଇ କହିଲା କିନ୍ତୁ ସେ ହାତରୁ ଖାଇବା ପାଇଁ ମାସକରେ ଥରେ ତ ଆସି ପାରନ୍ତ ମନୁଭାଇ !

 

ମନୋଜ କହିଲା - ମାନୁଛି ମୁଁ ଆସିନି । ଦୋଷ ସ୍ୱୀକାର କରୁଛି । ଏଥର ନିୟମିତ ଆସିବି ।

 

- ଡାଏରୀରେ ଲେଖିରଖୁଛି ଆଜିର ତାରିଖଟା । ପୁଣି ଯେବେ ଆସିବ ଫେରେ ଲେଖିବି । ସେତିକିବେଳେ ତୁମ କଥା ସତ କି ମିଛ ପରଖି ନବାପାଇଁ ସୁବିଧା ମିଳିବ ।

 

ଗରମ ଚା’ କପ୍‌ରେ ଓଠ ଭିଜାଇ କହିଲା ମନୋଜ, ଚମତ୍କାର ହୋଇଚି ସୁମି... !

- ଖାଲି ଏଇ କଥାରେ ସବୁ ରହିଯିବ ମନୁଭାଇ... !

ଅର୍ଥପୂର୍ଣ୍ଣ ଚାହାଣୀ ଚାହିଁ ହସିଲା ସୁମତି ।

 

ମନୋଜ କହିଲା, ତୋତେ ଦେଖି ଭୁଲି ଯାଇଛି ସବୁ । ଯେଉଁଥିପାଇଁ ଆସିଥିଲି କହି ପାରିନି ଏଯାଏ... ।

 

- ଗୋପନୀୟ ନୁହେଁ ତ ?

- ନା, ତୋ ପାଖରେ ନୁହେଁ ।

- କହିଯାଅ ।

 

- ମୋର ପେଶା ତୁ ଜାଣୁ । ସମ୍ବାଦ ସଂଗ୍ରହ । ତୁ ମନ୍ତ୍ରୀଙ୍କ ଦପ୍ତରରେ ରହିଚୁ ଯେତେବେଳେ ମୋତେ ଟିକେ ସାହାଯ୍ୟ କରିବୁନି ସୁମି... ।

 

- ଯେତେବେଳେ ଯାହା ଚାହଁ ମୋତେ କହିବ....ମୁଁ ଯଥାସାଧ୍ୟ ଚେଷ୍ଟା କରିବି ।

 

- ଶହୀଦ ନଗରର ପ୍ଲଟ ମଞ୍ଜୁରୀ ଫାଇଲଟା ଟିକେ ତୁ ପଢ଼ିନବୁ ସୁମି... । ଗୋଟେ ଦୁଇଟା ପୃଷ୍ଠାର ଫଟୋକପି ଦରକାର ।

 

ସୁମି ଜିଭ କାମୁଡ଼ି କହିଲା - କିନ୍ତୁ କେହି ଜାଣିଲେ ଖାଲି ଚାକିରି ଯିବନି ମନୁଭାଇ ! ଜେଲଖାନାକୁ ବି ଯିବାକୁ ପଡ଼ିବ ।

 

- କାହାକୁ ଜାଣିବାର ସୁଯୋଗ ନ ଦେଇ କାମ କରିବା ତ ବାହାଦୂରୀ । ତୁ ପରା ଷ୍ଟେନୋ...ଏତକ ପାରିବୁନି... ?

 

- ଫୋଟ କପି କିଏ କରିବ ?

 

- ତୁ ପୃଷ୍ଟା କେତୋଟି ତୋ ଭ୍ୟାନଟି ବେଗ୍‌ରେ ନେଇ ଆସିଲେ ମୁଁ ଫଟୋ କପି କରି ତୋତେ ସଙ୍ଗେ ସଙ୍ଗେ ଫେରେଇ ଦେବି । ମୋ ଘର ତ ଦେଖିଛୁ... !

 

- ଏକା ଦେଖି ଦୁଷ୍ଟାମୀ କରିବନି ତ ?

ଓଠ ଉପରେ ବଙ୍କା ହସର ଢେଉ ଖେଳାଇ କହିଲା ସୁମତି ।

ମନୋଜ ହାତରେ ଅଭୟ ମୁଦ୍ରା ଦେଖାଇ ହସିଲା କେବଳ ।

 

ସେ ଉଠିବା ଆଗରୁ ସୁମତି କହିଲା, ଶହୀଦନଗର ପ୍ଲଟ ବିଷୟଠାରୁ ଆହୁରି ବେଶୀ ଚମକପ୍ରଦ ଖବର ଯଦି ମୁଁ ତୁମକୁ ଦିଏ, ମୋତେ କଅଣ ଲାଞ୍ଚ ଦବ ମନୁଭାଇ ?

 

- ଯାହା ମାଗିବୁ ।

 

ଚାରିଆଡ଼କୁ ଚାହିଁ ନେଇ ସେ ନଇଁପଡ଼ି ମନୋଜର ଓଠ ଉପରେ ଏକ ଦୀର୍ଘ ଚୁମ୍ବନ ଆଙ୍କି ଦେଇ କହିଲା - ମନେରଖିବ ଯେପରି... । ଆଉ ଯାହା ବାକି ରହିଲା ଯୋଉଦିନ ତାହା କହିବି ସେଇଦିନ ଆଦାୟ କରିନେବି । କୃପଣ ନ ହୋଇ ଦବ ତ ମନୁଭାଇ ?

 

- ପ୍ରତ୍ୟାଶରେ ବଞ୍ଚେ ମଣିଷ । ଲେଟ୍ ଅସ୍ ହୋପ୍ ଫର ଦି ବେଷ୍ଟ । ତୁ କିନ୍ତୁ ଗୋପନୀୟତା ରକ୍ଷାକରୁ ଯେପରି !

 

- ନିଶ୍ଚୟ ! ମୁଁ ବି ଲଟାରୀ ଟିକେଟ ଗୋଟେ କିଣିଛି ମନୁଭାଇ... ! ଜିତିଲେ କୋଟିଏ, ହାରିଲେ ଦେବାଳିଆ !

 

ମନୋଜ ଅର୍ଥପୂର୍ଣ୍ଣ ହସ ହସି ନିଷ୍କ୍ରାନ୍ତ ହୋଇଗଲା କୋଠରି ଭିତରୁ ।

 

ପରିତ୍ୟକ୍ତା ମହିଳାମାନଙ୍କର ବିବାହ ବେଶ୍ ଧୁମ୍‌ଧାମରେ କଲେ ମାନବ ମହାନ୍ତି । ସେ ଏବଂ ମନସ୍ୱିନୀ କନ୍ୟା ପିତା ଓ ମାତା ହୋଇ କନ୍ୟାଦାନ କଲେ । ସ୍ୱୟଂ ରାଜ୍ୟପାଳ ଏହି ମହତ୍ କାର୍ଯ୍ୟରେ ଯୋଗଦାନ କରି କେବଳ ଯେ ବରକନ୍ୟାଙ୍କୁ ଆଶୀର୍ବାଦ କଲେ ତାହା ନୁହେଁ, ମାନବ ମହାନ୍ତିଙ୍କର ଏତାଦୃଶ ମହତ୍ ଜନକଲ୍ୟାଣକର କାର୍ଯ୍ୟ ସକାଶେ ତାଙ୍କୁ ଏବଂ ମନସ୍ୱିନୀଙ୍କୁ ପ୍ରକାଶ୍ୟରେ ସାଧୁବାଦ ଜଣାଇଲେ । ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ନିମନ୍ତ୍ରିତ ହୋଇ ଯୋଗ ଦେଇଥିଲେ ଏଇ ଉତ୍ସବରେ । ପରିତ୍ୟକ୍ତା ମହିଳାମାନେ ପରିବାରର ଛତ୍ରଛାୟା ତଳକୁ ଫେରିଯିବାର ଗୌରବ ଲାଭ କରିଥିବାରୁ ସମସ୍ତେ ମୁକ୍ତକଣ୍ଠରେ ଅଭିନନ୍ଦନ ଜଣାଇଲେ ମାନବ ମହାନ୍ତିଙ୍କୁ । ଏହି ଉପଲକ୍ଷେ ଆୟୋଜିତ ଭୋଜିସଭାରେ ଅନେକ ମନ୍ତ୍ରୀ, ପ୍ରାୟ ସମସ୍ତ ଉଚ୍ଚ ପଦାଧିକାରୀ ଏବଂ ସହରର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ତାଙ୍କର ଭୂୟସୀ ପ୍ରଶଂସା କରୁଥିବାବେଳେ ସରକାରୀ ଦଳର ମୁଖ୍ୟ ସଚେତକ ସମସ୍ତଙ୍କ ଶୁଣିବାଭଳି ସ୍ୱରରେ କହିଲେ ଯେ ମାନବ ବାବୁ ଆଉ ସୀମିତ ପରିଷଦ ମଧ୍ୟରେ ନିଜକୁ ଆବଦ୍ଧ ନ ରଖି ସମାଜ ଓ ଦେଶସେବାରେ ବୃହତ୍ ପରିଷଦ ମଧ୍ୟକୁ ଲମ୍ଫଦେବା ଉଚିତ । ରାଜନୀତି ଏଥିପାଇଁ ପ୍ରକୃତ କ୍ଷେତ୍ର । ସେଥିରେ ପ୍ରଚୁର ସମ୍ଭାବନା ଅଛି ବ୍ୟାପକ କ୍ଷେତ୍ରରେ କାମ କରିବା ପାଇଁ । ମାନବ ବାବୁ ସମ୍ମତ ହେଲେ ଶାସନରେ ଥିବା ଦଳ ତାଙ୍କୁ କେବଳ ସ୍ୱାଗତ କରିବ ନାହିଁ ତାଙ୍କର ମର୍ଯ୍ୟାଦା ଏବଂ ସାମାଜିକ ସ୍ଥିତିକୁ ଚାହିଁ ଦଳରେ କୌଣସି ଏକ ଉଚ୍ଚ ପଦରେ ତାଙ୍କୁ ଅଧିଷ୍ଠିତ କରିବ ।

 

ଅବସର ପ୍ରାପ୍ତ ବିଚାରପତି ଆନନ୍ଦ ସ୍ୱରୂପ କହିଲେ ଯେ, ମାନବ ବାବୁଙ୍କ ପରି ଯୋଗ୍ୟ ବ୍ୟକ୍ତିଙ୍କୁ ଯେ କୌଣସି ଦଳ ସ୍ୱାଗତ କରିବ । ସେ ଯେଉଁ ଦଳରେ ଯୋଗଦେବେ ସେହି ଦଳ ନିଶ୍ଚିତ ଭାବରେ ଏକ ଶକ୍ତିଶାଳୀ ନେତା ଏବଂ ମାନବବାଦୀ ଉଦାରପନ୍ଥୀଙ୍କୁ ପାଇ ଆହୁରି ସୁଦୃଢ଼ ହେବ । ମାନବ ମହାନ୍ତିଙ୍କୁ ଘେରିଯାଇ ଏଇ ଶୁଭଲଗ୍ନରେ ନିଜର ମନକଥା ଘୋଷଣା କରିବାକୁ ଅନୁରୋଧ କଲେ ସାମ୍ବାଦିକମାନେ । ଯୁଗାନ୍ତରର ମୁଖ୍ୟ ସମ୍ପାଦକ ସେତେବେଳକୁ ହୁଇସ୍କିର ପ୍ରଭାବରେ ଟଳୁଥାଆନ୍ତି । ତଥାପି ସେ ସାମ୍ବାଦିକମାନଙ୍କ ପକ୍ଷରୁ ତାଙ୍କ ହାତକୁ ଧରି ଜିଦ୍ କଲେ କିଛି ଶୁଣିବା ପାଇଁ । ଅନ୍ୟମାନେ ବି ତାଙ୍କୁ ସମର୍ଥନ କଲେ ସମସ୍ୱରରେ । ତାଙ୍କର ନିଷ୍ଫତ୍ତି ଶୁଣିବା ପାଇଁ ବ୍ୟାକୁଳ ଭାବରେ ଅପେକ୍ଷା କରୁଛି ଜାତି । ସେ ନିଜର ନିଷ୍ଫତ୍ତି ଘୋଷଣା କଲେ ଆସନ୍ତାକାଲି ସକାଳେ ଏହାହିଁ ହେବ ଚଳିତ ମାସର ସର୍ବଶ୍ରେଷ୍ଠ ସମ୍ବାଦ ।

 

ମାନବ ମହାନ୍ତି ମନସ୍ୱିନୀଙ୍କୁ ପାଖରେ ଛିଡ଼ା କରାଇ ଘୋଷଣା କଲେ ଯେ ତାଙ୍କର କାର୍ଯ୍ୟ ଏପର୍ଯ୍ୟନ୍ତ ରାଜଧାନୀର ଚତୁଃସୀମା ମଧ୍ୟରେ ଆବଦ୍ଧ ଥିଲେ ମଧ୍ୟ ସେ ଜାତୀୟ ଘଟଣାବଳୀ ପ୍ରତି ବୀତସ୍ପୃହ ନୁହଁନ୍ତି । ଏବେ ଜାତିର ସେବା କରିବା ପାଇଁ ଯେଉଁ ସୁଯୋଗ ମିଳିଛି ତାଙ୍କୁ, ତା’ର ପୂର୍ଣ୍ଣ ସଦୁପଯୋଗ କରିବେ ସେ । ଦେଶର ଅବସ୍ଥାକୁ ନୀରବଦ୍ରଷ୍ଟା ଭାବରେ ନିରୀକ୍ଷଣ ନ କରି ସେ ଲମ୍ଫ ଦେବେ ସକ୍ରୀୟ ରାଜନୀତିକୁ ଏବଂ ତାଙ୍କର ଦୃଢ଼ ବିଶ୍ୱାସ ଯେ ସେ ବନ୍ଧୁ, ଶୁଭେଚ୍ଛୁ ତଥା ଜନସାଧାରଣଙ୍କର ଅକୁଣ୍ଠ ସହଯୋଗ ପାଇବେ ।

 

ମନସ୍ୱିନୀଙ୍କ ପାଖରେ ଛିଡ଼ା ହୋଇ ଏହି ଘୋଷଣା କଲାବେଳେ କେତେକ ଫଟୋଗ୍ରାଫର ଫଟୋ ଉଠାଇଲେ ଏବଂ ବିପୁଳ କରତାଳିରେ କମ୍ପି ଉଠିଲା କଲ୍ୟାଣ ମଣ୍ଡପ ।

 

ଜଣେ ତରୁଣ ସାମ୍ବାଦିକ ମନସ୍ୱିନୀଙ୍କୁ ପଚାରିଲା - ମାନବ ବାବୁଙ୍କ ରାଜନୀତିରେ ଯୋଗଦେବା କିମିତି ଲାଗିବ ଆପଣଙ୍କୁ ? ମନସ୍ୱିନୀ ଶାନ୍ତି ସ୍ୱରରେ କହିଲେ, ସବୁ ଈଶ୍ୱରଙ୍କ ଇଚ୍ଛା... ।

 

Unknown

ମାନବ ମହାନ୍ତିଙ୍କୁ ସାମ୍ବାଦିକମାନେ ଘେରିଯାଇ ଅନେକ ପ୍ରଶ୍ନ ପଚାରିଲେ । ତାଙ୍କର ଉତ୍ତର ଶୁଣି ଅନେକ ବି ମନ୍ତବ୍ୟ କଲେ ଯେ ତାଙ୍କ ଉତ୍ତର ଜଣେ ଅଭିଜ୍ଞ ରାଜନୀତିଜ୍ଞଙ୍କ ପରି ହୋଇଛି । କିଏ ସୂଚନା ଦେଲା କେଜାଣି, ହଠାତ୍ ବେଦୀ ପାଖରୁ ଧ୍ୱନି ଦେଲେ ଦଳେ ଲୋକ- ମାନବ ଭାଇ ଜିନ୍ଦାବାଦ୍...ଆମର ନେତା - ତୁମର ନେତା - ମାନବ ବାବୁ ସବୁରି ନେତା...ଇନ୍‌କିଲାବ ଜିନ୍ଦାବାଦ୍ ।

 

ଭଲ ଲାଗୁଥିଲା ମାନବ ବାବୁଙ୍କୁ । ଜଣ ଜଣ କରି ସମସ୍ତ ବିଶିଷ୍ଟ ଅତିଥିଙ୍କୁ ବିଦାୟ ଦବାବେଳେ ତୃପ୍ତି ନାଏକ ତାଙ୍କୁ ଏକା ପାଇ କହିଲା, ତୁମେ ମନ୍ତ୍ରୀ ହେଲେ ମୋ କଥା ମନେପଡ଼ିବଟି ?

 

ମାନବ ବାବୁ ଉତ୍ତର ଦେଲେନି; ହସିଲେ କେବଳ ।

ସବା ଶେଷରେ ଆସିଲେ ସୁହାସିନୀ ।

ସେତେବେଳକୁ ବରକନ୍ୟାଙ୍କୁ ନେଇ ବ୍ୟସ୍ତ ଥିଲେ ମନସ୍ୱିନୀ ।

 

ଏତେ ବିଳମ୍ବରେ ଆସିଲ ଯେ ? କହିଲେ ମାନବ । ବେଟର ଲେଟ୍ ଦ୍ୟାନ ନେଭର । ବିଳମ୍ବ ହେଲେବି ଆଦୌ ନ ଆସିବାଠାରୁ ଭଲ । ଅଟକି ଯାଇଥିଲି ।

 

- କାହା ପାଖରେ ? ପରିହାସ କରି କହିଲେ ମାନବ ।

 

ସୁହାସିନୀ ଶୁଣିବାଭଳି ଦୂରତ୍ୱ ମଧ୍ୟରେ କାହାକୁ ନ ଦେଖି କହିଲେ, ଆମ ଉପରେ କେହି ନଜର ରଖିବା ପରି ଲାଗୁଚି । ଆଗେ କାହାକୁ ଦେଖୁ ନ ଥିଲି, ଏବେ ଜଣେ ଦୁଇଜଣ ବିଉଟି ପାର୍ଲର ପାଖରେ ବୁଲୁଥିବାର ଲକ୍ଷ୍ୟ କରୁଚି । ସେମାନଙ୍କର ଗତିବିଧି କିଛି ଭଲ ଲାଗୁନି ।

 

- ତୁମେ ଚିନ୍ତିତ ହେବାର କୌଣସି କାରଣ ନାହିଁ । ମୁଁ ପୁଲିସ୍ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ କାଲି ସକାଳେ କହିଦେବି । ଆଉଟିକେ ଆଗରୁ କହିଥିଲେ ଏଇଠି କହି ଥାଆନ୍ତି । ସେ ଏଇ ଅଧଘଣ୍ଟାଏ ହେବ ଗଲେ ଏଠାରୁ ।

 

- ଆଉ ଗୋଟେ କଥା...

- କୁହ ।

- ସେଇ ନଟରାଜ ମୂର୍ତ୍ତି ସମ୍ପର୍କରେ ଗୁଞ୍ଜନ ଶୁଣା ଯାଉଛି... ।

- କେଉଁ ସୂତ୍ରରୁ ଶୁଣିଛ ?

- ଇମିତି । ନିରାକାର କହୁଥିଲା ।

- ହୁଁ ।

- ସତର୍କ ହେବା ଉଚିତ... ।

 

- ନିଶ୍ଚୟ । କିନ୍ତୁ ନିରାକାରକୁ ପୂରା ବିଶ୍ୱାସ କରିବ ନାହିଁ । ତା’ର ହୁଏତ ଆଉ କୌଣସି ମତଲବ ଅଛି ... ।

 

- ସେ ତ ପାଇ ସାରିଛି ତା’ର ପ୍ରାପ୍ୟ ।

- ଆହୁରି କିଛି ଚାହୁଁଥିବ ।

- ହୋଇଥିବ । କିନ୍ତୁ ଦଶହଜାର ଟଙ୍କା କ’ଣ କମ୍ ?

- ସେ ବୋଧହୁଏ ତମେ କେତେରେ ବିକିଲ ଜାଣି ଯାଇଛି... ।

- ଲୋକଟା ପାଜି...... ।

- ପାଜି ନ ହେଲେ ଏପରି କାମ କିଏ କରିପାରିବ ?

-ହୁଁ...... ।

- ଚିନ୍ତା କରନି । ସବୁ ଠିକ୍ ହୋଇଯିବ । ମୁଁ ତ ରାଜନୀତିରେ ଯୋଗ ଦେଉଛି ! ଚିନ୍ତା କଅଣ ?

ସୁହାସିନୀ କହିଲେ - ସରକାରୀ ଦଳରେ ?

- ବିଜ୍ଞ ଲୋକେ କେବଳ ସରକାରୀ ଦଳରେ ଯୋଗ ଦିଅନ୍ତି । ମୁଁ ଓକିଲ ହୋଇ ବୋକାମି କରନ୍ତି ?

- ସରକାର ବଦଳିଲେ ?

- ଯିଏ ଆସିବ ତାହାରି ଦଳରେ.. । ଦଳ ବଦଳତ ନୂଆ କଥା ନୁହେଁ ! ଦେଶର ବୃହତ୍ତର ସ୍ୱାର୍ଥଦୃଷ୍ଟିରୁ ଯାହା କରିବା କଥା କରିବାକୁ ହୁଏ । ଦୁହେଁ ହସିଲେ ମନଖୋଲା ହସ ।

- ତୁମେ ମନ୍ତ୍ରୀ ହେବ ନିଶ୍ଚୟ ।

- ଆଗ ଇଲେକ୍‌ସନରେ ଜିଣେ ।

- ଇଲେକ୍‌ସନ ନ ଜିଣି ମଧ୍ୟ ଛଅମାସ ମନ୍ତ୍ରୀ ହବାରେ ବାଧା ନାହିଁ ଶୁଣିଚି ।

- ତା’ ହୋଇପାରେ । ମନ୍ତ୍ରୀ ହେବା ପରେ ଇଲେକ୍‌ସନ ଲଢ଼ିବା ସୁବିଧା ଜନକ । ଦଳର ବଳକୁ ଛାଡ଼ି ଶାସନକଳକୁ ବି କାମରେ ଲଗାଇ ହୁଏ ।

- ସେୟା କର । କିନ୍ତୁ.....

- କିନ୍ତୁ କଅଣ ?

 

- ସେତେବେଳେ ସମୟ ତୁମର ନିଜର ହୋଇ ରହିବ ନାହିଁ । ଚାହିବା ମାତ୍ରେ ସୁହାସିନୀ ପାଖକୁ ଚାଲିଆସି ପାରିବ ନାହିଁ ।

 

- ଦିଲ୍ଲୀ ଯିବା ବମ୍ବେ ଯିବା...ବାଙ୍ଗାଲୋର କି ଶ୍ରୀନଗର ଯିବା...ଯେଉଁଠି ଚିହ୍ନା ଲୋକ କେହି ନ ଥିବେ, କେବଳ ଥିବା ଆମେ... ।

 

ସୁହାସିନୀ କହିଲେ, ଦେଖ, ଏଇଠି ଠିଆ ହୋଇ ଗପୁଚି । ଉପହାରଗୁଡ଼ିକୁ ଏ ଯାଏ ଦେଇପାରିଲି ନାହିଁ ।

 

ତାଙ୍କୁ ଭିତରକୁ ଯିବାପାଇଁ ବାଟ ଦେଖାଇ ମାନବ ମହାନ୍ତି କଲ୍ୟାଣ ମଣ୍ଡପ ବାହାରକୁ ଆସି ଖୋଲା ଆକାଶକୁ ଅନେଇଲେ । ଏଇ ଆକାଶ ପରି ବଢ଼ୁଛି ତାଙ୍କର ସାମ୍ରାଜ୍ୟ । ଏହାରି ପରି ଉଜ୍ଜ୍ୱଳ ଦିଶୁଚି ତାଙ୍କର ଭବିଷ୍ୟତ୍... ।

 

ବୀରଭୋଗ୍ୟା ବସୁନ୍ଧରା । ଯାହାର ଶକ୍ତି ଅଛି, ଯିଏ ସମର୍ଥ, ସିଏ ସୁପୁରୁଷ । ସେ ଏହି ପୃଥିବୀର ଅଧିପତି ।

 

ଦିନେ କପର୍ଦ୍ଦକଶୂନ୍ୟ ହୋଇ ଘରୁ ବାହାରି ଆସିଥିଲେ ମାନବ ମହାନ୍ତି । ପ୍ରାୟ ତିରିଷ ବର୍ଷ ତଳର କଥା । ସେତେବେଳେ ପରର କରୁଣା ଲାଭ କରି କୃତାର୍ଥ ହେଉଥିଲେ ସେ । ସମଗ୍ର ଛାତ୍ରଜୀବନ ସରକାରୀ ବୃତ୍ତି ଏବଂ ସେମାନଙ୍କର ସାହାଯ୍ୟ ପାଇ କଟେଇ ଦେଇଥିଲେ ସେ । ସେତେବେଳେ ସେ ଗୋଟିଏ କଥା ନିଶ୍ଚିତ ଭାବରେ ଜାଣି ଯାଇଥିଲେ ଯେ ସୁଖୀ ହେବାକୁ ହେଲେ ନିଜକୁ ଉପଯୁକ୍ତ କରିବାକୁ ହେବ । ଗୋଟିଏ ପ୍ଲେଟରେ ସୁଖ ସମ୍ପଦକୁ କେହି ବଢ଼େଇ ଦବନି ହାତକୁ, ତାହା ଅର୍ଜନ କରିବାକୁ ହେବ । ଆଉ ତାହା କଲାବେଳେ ବାଟରେ ବାଧା ବିପତ୍ତି ଉପୁଜେ ମାଡ଼ି ମକଚି ଆଗେଇବାକୁ ହେବ । ନିଷ୍କଣ୍ଟକ ରାଜ୍ୟ ଭୋଗ କରିବା ପାଇଁ ଶତ୍ରୁନାଶ କରିବା ଯେପରି ରାଜାର ଚରମ ଲକ୍ଷ୍ୟ; ନୀତିନିୟମ ଭାଙ୍ଗି, ପ୍ରତିଯୋଗୀମାନଙ୍କୁ ପରାଭୂତ କରି ଜୀବନଯୁଦ୍ଧରେ ସଫଳତାର ସହିତ ଉତ୍ତୀର୍ଣ୍ଣହେବା ଏଇ ଯୁଗର ପରମ କାମ୍ୟ । ସେଥିରୁ କୌଣସି ଶକ୍ତି ତାଙ୍କୁ ନିବୃତ୍ତ କରିପାରିବ ନାହିଁ । ଶାସନକଳକୁ ଅକ୍ତିୟାର କରିବା ଲାଗି ଯଦି ସରକାରୀ ଦଳରେ ଯୋଗଦବା ପ୍ରୟୋଜନ ଓ ସୁବିଧାଜନକ ତା’ହେଲେ ସେ କୁଣ୍ଠାବୋଧ କରିବେ କାହିଁକି ? ରାଜନୀତି ଆଉ ତ୍ୟାଗର କ୍ଷେତ୍ର ହୋଇ ରହି ନାହିଁ, ଭୋଗର କ୍ଷେତ୍ର ହୋଇଯାଇଛି । ସୁବିଧାବାଦ ଆଉ ଘୃଣ୍ୟ ନୁହେଁ, ବେଶ୍ ଆଦୃତ ହୋଇଗଲାଣି ସମାଜରେ ।

 

ଛିଡ଼ା ହୋଇ ଆହୁରି କଅଣ ଭାବୁଥାଆନ୍ତେ ମାନବ ବାବୁ; କିନ୍ତୁ କେହି ଜଣେ ଆସି କହିଲା ଯେ ଖାଇବା ସ୍ଥାନରେ ସୁହାସିନୀ ଦେବୀ ଏବଂ ଅବଶିଷ୍ଟ ଅତିଥିମାନେ ତାଙ୍କୁ ଅପେକ୍ଷା କରୁଛନ୍ତି ।

 

ମାନବ ମହାନ୍ତି ସିଗାରେଟର ଶେଷାଂଶକୁ ତଳେ ପକେଇ ଜୋତା ତଳେ ମକଚି ଦେଲେ ଏବଂ ମନକୁ ମନ ସ୍ୱଗତୋକ୍ତି କଲାଭଳି କହିଲେ, ନିରାକାରର କାର୍ଯ୍ୟ ଶେଷ ହୋଇଛି । ତା’ର ଆଉ ପ୍ରୟୋଜନ ନାହିଁ ।

 

ପ୍ରଦର୍ଶନୀ ପଡ଼ିଆ ଆନନ୍ଦ ମୁଖରିତ ହୋଇ ଉଠିଛି । ନିଖିଳ ଉତ୍କଳ ଶିଳ୍ପ ଓ କୃଷି ପ୍ରଦର୍ଶନୀ ଦେଖିବା ପାଇଁ ସୁଅ ଛୁଟିଛି ଲୋକଙ୍କର । ଛବିଶ ଜାନୁଆରୀ ଗଣତନ୍ତ୍ର ଦିବସରେ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଛି । ସାଜସଜ୍ଜାରେ ତ୍ରୁଟି ନାହିଁ । ମାସାଧିକକାଳ ଅକ୍ଳାନ୍ତ ପରିଶ୍ରମ କରି ଦୁଇଶହ ମଣ୍ଡପ ନିର୍ମାଣ କରାଯାଇଛି । ଲୋକଙ୍କର ମନୋରଞ୍ଜନ କରିବାପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଜୟଦେବ ମଣ୍ଡପରେ ନୃତ୍ୟଗୀତର ଆୟୋଜନ ହୋଇଛି ପ୍ରତିଦିନ ସଂଧ୍ୟାରେ । ଖାଇବା ପିଇବାର ସୁବିଧା କରିବା ସକାଶେ କେତେଗୁଡ଼ିଏ ରେସ୍ତୋଁରା ମଧ୍ୟ ଖୋଲାଯାଇଚି ।

 

ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଷ୍ଟଲ ଲଗାଲଗି ହୋଇ ନିର୍ମାଣ କରାଯାଇଚି । ଶିକ୍ଷା ଓ ସ୍ୱାସ୍ଥ୍ୟ ମହତ୍ତ୍ୱପୂର୍ଣ୍ଣ ବିଷୟ ହୋଇଥିବାରୁ ପ୍ରଦର୍ଶନୀ ଦେଖିବାକୁ ଆସୁଥିବା ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବାପାଇଁ ସେଇ ଦୁଇଟି ଷ୍ଟଲରେ ତ୍ରୂଟିଶୂନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ।

 

ଶିକ୍ଷା ବିଭାଗ ଷ୍ଟଲରେ ଯେପରି ସୁନିର୍ବାଚିତ ସାତଜଣ ସୁନ୍ଦରୀ ଅଧ୍ୟାପିକା ଓ ଶିକ୍ଷୟିତ୍ରୀଙ୍କ ସହିତ ଆଉ ଦଶଜଣ ପ୍ରବୀଣ ଅଧ୍ୟାପକଙ୍କୁ ନିଯୁକ୍ତ କରାଯାଇଚି ଲୋକଙ୍କୁ ବିଭିନ୍ନ ବିଷୟ ବୁଝାଇବା ପାଇଁ, ସ୍ୱାସ୍ଥ୍ୟ ବିଭାଗ ଷ୍ଟଲରେ ଏଗାରଜଣ ଡାକ୍ତରାଣୀ ଏବଂ ନର୍ସଙ୍କ ବ୍ୟତୀତ ତେରଜଣ ସ୍ୱାସ୍ଥ୍ୟବିଭାଗର କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଚି ସ୍ୱାସ୍ଥ୍ୟରକ୍ଷା ପ୍ରତିଷେଧକ ବ୍ୟବସ୍ଥା, ସୁଷମ ଖାଦ୍ୟର ବିଭିନ୍ନ ଦିଗ, ପରିବାରକଲ୍ୟାଣ ସମ୍ପର୍କରେ ଲୋକଙ୍କୁ ଅବହିତ କରିବାପାଇଁ ।

 

ପ୍ରଦର୍ଶନୀ ଦେଖିବାକୁ ଆସୁଥିବା ଲୋକଙ୍କର ଭିଡ଼ ଜମୁଛି ଏହି ଦୁଇଟା ଷ୍ଟଲରେ ।

 

ଏହି ଦୁଇଟି ଷ୍ଟଲରେ ସୁନିର୍ବାଚିତ ସନ୍ଦରୀ ତରୁଣୀମାନଙ୍କର ଆକର୍ଷଣ ବୋଧହୁଏ ସର୍ବାପେକ୍ଷା ବେଶୀ । ସେମାନଙ୍କର ବେଶ ଓ ପ୍ରସାଧନରେ ମଧ୍ୟ ସ୍ୱାତନ୍ତ୍ର୍ୟ ରହିଛି ।

 

ସେହି ଦୁଇଟି ଷ୍ଟଲରେ କେବଳ ଯୁବକ ଓ ପ୍ରୌଢ଼ମାନେ ଭିଡ଼ କରୁନାହାନ୍ତି, ବୃଦ୍ଧ ଓ ଗଣ୍ୟମାନ୍ୟ ଲୋକମାନେ ବି କର୍ତ୍ତବ୍ୟରତା ସୁନ୍ଦରୀ ତରୁଣୀମାନଙ୍କର ସମ୍ମୋହିନୀ ଶକ୍ତିଦ୍ୱାରା ଟାଣିହୋଇ ଯାଉଚନ୍ତି ସେଠାକୁ ।

 

ଶ୍ରୀଲେଖା ଶିକ୍ଷାବିଭାଗ ଷ୍ଟଲରେ ଆଧୁନିକ ସାହିତ୍ୟ ବିଭାଗର ଦାୟିତ୍ୱରେ ଅଛି । କମଳା ରଙ୍ଗର କୁମ୍ଭପକା ସମ୍ବଲପୁରୀ ଶାଢ଼ି ପରିହିତା ଶ୍ରୀଲେଖା ପରୀଟିଏ ପରି ଦିଶୁଛି । ସେଇ ବିଭାଗରେ କଲେଜଛାତ୍ର, ତରୁଣ ଏବଂ ପ୍ରୌଢ଼ମାନଙ୍କର ଭିଡ଼ । ବିଶିଷ୍ଟ ବ୍ୟକ୍ତିମାନେ ବି ସେହି ଷ୍ଟଲରେ ଅଧିକ ସମୟ ଦବାର ଦେଖିବାକୁ ମିଳୁଛି ।

 

ସ୍ୱାସ୍ଥ୍ୟବିଭାଗ ଷ୍ଟଲର ପରିବାରକଲ୍ୟାଣ ବିଭାଗର ଦାୟିତ୍ୱରେ କାର୍ଯ୍ୟ କରୁଥିବାବେଳେ ଡାକ୍ତରାଣୀ ମାନସିଂ ଜଣେ ଭି. ଆଇ. ପି.ଙ୍କଦ୍ୱାରା ଲାଞ୍ଚିତା ହବା ପରେ ସାବଧାନ ହୋଇଯାଇଛି ଶ୍ରୀଲେଖା ।

 

ଭି. ଆଇ. ପି.ମାନେ ଆସନ୍ତି ଡେରିରେ, ରାତି ନଅଟା ପରେ । ସେତେବେଳକୁ ଭିଡ଼ କମିଥାଏ ଏବଂ ସେମାନଙ୍କ ପ୍ରତି ଅଧିକ ଧ୍ୟାନ ଦବା ସମ୍ଭବ ହୁଏ ।

 

ଶ୍ରୀଲେଖା ବେକ ଚାରିପାଖରେ ଅଞ୍ଚଳଟାକୁ ଗୁଡ଼େଇ ଦେଇଥିଲା ବୋଲି କାଲି ଗାଳି ଖାଇଛି ଉପରିସ୍ଥଙ୍କଠାରୁ । ସେ ସ୍ପଷ୍ଟକରି ତାକୁ ଜଣାଇଦେଲେ ଯେ ସୌନ୍ଦର୍ଯ୍ୟ ସ୍ପତଃସ୍ଫୁର୍ତ୍ତ ଭାବରେ ପ୍ରକାଶ ପାଇବା ଉଚିତ । ଦେହର ଯେଉଁ ଅଂଶ ଅନାବୃତ ରଖିବା ଆଧୁନିକ ଫେସନ ହୋଇଯାଇଚି ସେଥିରେ ବ୍ୟତିକ୍ରମ ବିତୃଷ୍ଣା ସୃଷ୍ଟି କରିବ । ଏଥିପାଇଁ ବିଭାଗ ପକ୍ଷରୁ କାଖତଳେ ଏବଂ ସ୍ତନତଳେ ଶେଷ ହେଉଥିବା ଭି କଟ୍ ବ୍ଲାଉଜ୍ ସହିତ ମ୍ୟାଚିଂ ସମ୍ବଲପୁରୀ ଶାଢ଼ି ଯୋଗାଇ ଦିଆଯାଇଛି । ଛାତିଉପର ଓ ସ୍ତନତଳ ଉଭୟ ନିରାଭରଣ ଓ ନଗ୍ନ ରହିବା ଆବଶ୍ୟକ ।

 

ଶ୍ରୀଲେଖା ସଂକୁଚିତ ହୋଇ ଯାଇଥିଲା ।

 

ତାକୁ କିଛି ସମୟ ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁ କହିଲେ କମିଶନର - କେଉଁ କଲେଜରେ କାମ କର ? ତମକୁ ଆଗେ ଆଉ କେବେ ଦେଖିବାର ମନେପଡ଼ୁନାହିଁ ତ !

 

ଶ୍ରୀଲେଖା ଶାଢ଼ିଟାକୁ ସଜାଡ଼ି ନେଇ କହିଲା - ସାର, ସେ ସୌଭାଗ୍ୟ ହୋଇନି ମୋର-। ଖଣ୍ଡଗିରି କଲେଜରେ କାମ କରୁଚି । ଇଂରାଜୀ ସାହିତ୍ୟ ପଢ଼ାଏ । ବଦଳି ହୋଇଚି କୋରାପୁଟ ।

 

- ଭେରି ଗୁଡ଼୍ । ଇଂରାଜୀ ସାହିତ୍ୟର କୋଉ ବିଭାଗ ପଢ଼ାଅ ?

- ଆଧୁନିକ କବିତା... ।

- ଓ୍ୱାଣ୍ଡରଫୁଲ । ମୁଁ ସେଥିରେ ସ୍ପେସିଆଲ ପେପର ଲେଖାଇଥିଲି ଏମ୍. ଏ. ରେ ।

- ଏଠାରେ କିନ୍ତୁ ଓଡ଼ିଆ ସାହିତ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି ସାର୍‌ ।

 

- ପକ୍ଷପାତିତା କରିବା ଉଚିତ ନ ଥିଲା ଶ୍ରୀଲେଖା । କିନ୍ତୁ ତୁମେ ତ ଆଧୁନିକ ଇଂରାଜୀ ପଏଟ୍ରି ପଢ଼ାଅ ଉପେନ୍ଦ୍ର ଭଞ୍ଜ, ଜୟଦେବ, ମାୟାଧର ମାନସିଂଙ୍କୁ ଜାଣିଚ କି ନାହିଁ ?

 

- ଜାଣେ ସାର୍ !

- ସେମାନଙ୍କ କାବ୍ୟ, କବିତା ପଢ଼ିଚ ?

- ଅଳ୍ପ ପଢ଼ିଚି ସାର୍... !

- ଉପେନ୍ଦ୍ରଭଞ୍ଜଙ୍କ ଲାବଣ୍ୟବତୀ, କୋଟିବ୍ରହ୍ମାଣ୍ଡସୁନ୍ଦରୀ, ବୈଦେହୀଶବିଳାସ ପଢ଼, ଜୟଦେବଙ୍କର ଗୀତଗୋବିନ୍ଦ ପଢ଼, ଆଉ ପଢ଼ ମାନସିଂହଙ୍କର ଧୂପ, ପୂଜାରିଣୀ, କମଳାୟନ... ।

ରୋମାନ୍‌ସ ଜୀବନ ଓ ସାହିତ୍ୟ ଉଭୟକୁ ରସାଳ କରେ । ରୋମାଞ୍ଚ ନ ଥିବା ଜୀବନ ଯେପରି ନିରର୍ଥକ ସାହିତ୍ୟ ବି ତତୋଽଧିକ ଅର୍ଥହୀନ... ।

ଶ୍ରୀଲେଖା ଆପାଦମସ୍ତକରେ ସଂକୋଚନ ଅନୁଭବ କରୁଥିଲା ।

କମିଶନର ‘ଆଧୁନିକ କବିତା’ ବିଭାଗରେ କେଉଁ କବିମାନଙ୍କର କାବ୍ୟ, କବିତା ସ୍ଥାନ ପାଇଛି ତାହା ଦେଖିବା ପାଇଁ ଭିତରକୁ ଗଲେ । ଶ୍ରୀଲେଖା ତାଙ୍କୁ ଗୋଟି ଗୋଟି କରି ସବୁ ବୁଝାଉଥିବାବେଳେ ତାଙ୍କର ଡାହାଣ ହାତର କହୁଣୀ ଶ୍ରୀଲେଖାର ସ୍ତନ ସ୍ପର୍ଶ କରିବାରୁ ସେ ଟିକେ ଘୁଞ୍ଚଯିବାରୁ କମିଶନର ନଇଁପଡ଼ି ମାନସିଂହଙ୍କ ‘ଧୂପ’ ବହିଟିକୁ ଉଠାଇ ନେଇ ଶ୍ରୀଲେଖା ପାଖକୁ ଆହୁରି ଲାଗିଯାଇ କହିଲେ - ଏହି ପଂକ୍ତିଟି ପଢ଼...ତାଙ୍କର ଏଇ ଗୋଟିଏ ପଂକ୍ତି ସମଗ୍ର ତରୁଣ ସମାଜକୁ ପ୍ରଲୋଭିତ କରେ... ।

ଶ୍ରୀଲେଖା ଚାହିଁ ଦେଇ ଆଖି ତଳକୁ କଲା ।

‘ଏଇ ସହକାର ତଳେ ସେଦିନ ପ୍ରିୟାର କର କଙ୍କଣ ଭିଡ଼ିଥିଲା ମୋର ଗଳେ ।’

ତା’ ବାପାଙ୍କ ବୟସର ନ ହେଲେ ମଧ୍ୟ ପଚାଶ ବର୍ଷ ପାଖାପାଖି ହେବେ କମିଶନର ସାହେବ ।

 

ଶ୍ରୀଲେଖା ଚାରିଆଡ଼ୁ ଆଖି ବୁଲାଇ ଆଣିଲା । ପ୍ରଦର୍ଶନୀ ସମୟ ଅତିକ୍ରାନ୍ତ ହେବାକୁ ବସିଲାଣି, ସେଥିପାଇଁ ଭିଡ଼ ନ ଥିଲା କହିଲେ ଚଳେ । ଭାଗ୍ୟକୁ ପାଖରେ କେହି ନାହାନ୍ତି ।

 

କମିଶନର ହଠାତ୍ ତା’ ହାତ ଧରି ପକେଇ କହିଲେ - ଖଣ୍ଡଗିରି କଲେଜରେ କୋଉ ଦୁଃଖରେ ଅଛ ? ରମାଦେବୀକୁ ଆସୁନ !

 

ଶ୍ରୀଲେଖା ହାତ ଛଡ଼ାଇନବାର ଉପକ୍ରମ କରିବାକୁ ସେଥିରେ ଚାପ ଦେଇ କହିଲେ ସେ - ଚିନ୍ତା କରନି, ମୁଁ ଅଛି, ଆଇ ଏମ୍ ଭେରି ପ୍ଲିଜଡ଼୍...ମୋତେ ବେଶ୍ ଖୁସି ଲାଗୁଛି । ତୁମେ ଆସିବ ଅଫିସକୁ, କଥାଭାଷା ହବା ରମାଦେବୀକୁ ଆସିଲେ ତୁମର ସୁବିଧା ହେବ । କୋରାପୁଟ ଆଉ ଯିବାକୁ ହେବନି... ।

 

ଶ୍ରୀଲେଖା କୌଶଳ କ୍ରମେ ଅଲଗା ହୋଇଗଲା । ସେ ବହିଟାକୁ ରାକ୍‌ରେ ରଖି ଦବାପାଇଁ ନଇଁ ପଡ଼ିବା ବେଳେ ତା’ ଛାତି ଉପରକୁ ଇମିତି ଭୋକିଲା ଆଖିରେ ସେ ଚାହିଁ ରହିଲେ ଯେ ଶ୍ରୀଲେଖା ଲଜ୍ଜା ଓ ସଂକୋଚରେ ସଢ଼ି ଯାଉଥିଲା ।

 

କମିଶନର ଆଉ କିଛି ନ ଦେଖି ବିଦାୟ ନବାବେଳେ କହିଲେ ଯେ ସେ ପୁଣି କାଲି ଆସିବେ ଏବଂ କେତେଗୁଡ଼ିଏ ଆଧୁନିକ ଇଂରାଜୀ କବିତା ବହି ଶ୍ରୀଲେଖା ପାଇଁ ନେଇ ଆସିବେ । ଶ୍ରୀଲେଖାର ଇଚ୍ଛା ହେଉଥିଲା ତାଙ୍କୁ ମନା କରିବା ପାଇଁ; କିନ୍ତୁ ଲଜ୍ଜାରେ ସେ ଏତେ ମ୍ରିୟମାଣ ହୋଇ ପଡ଼ିଥିଲା ଯେ ତା’ କଣ୍ଠରୁ ଆଉ ପଦଟିଏ କଥା ବାହାରିଲା ନାହିଁ ।

 

କମିଶନର ଚାଲିଯିବା ପରେ ସେ ଅନୁଭବ କଲା ଯେ ଶୀତ ରାତିରେ ବି ସେ ଝାଳେଇ ଯାଇଛି ।

 

ରାତି ଦଶଟାରେ ପ୍ରଦର୍ଶନୀ ବନ୍ଦ ହେବା ପରେ ପ୍ରତିଦିନ ସ୍ୱଦେଶର ସ୍କୁଟର ପଛରେ ବସି ସେ ବସାକୁ ଫେରେ । ଆଜି କିନ୍ତୁ ଏପର୍ଯ୍ୟନ୍ତ ସ୍ୱଦେଶକୁ ନ ଦେଖି ଶ୍ରୀଲେଖା ଇତସ୍ତତଃ ହେବାକୁ ଲାଗିଲା । ସେ ପ୍ରଦର୍ଶନୀର ଅନ୍ୟତ୍ର ଅନେକ ଖୋଜି ବି ତାକୁ ନ ପାଇ ନିରାଶ ହୋଇ ଗେଟ୍ ପାଖରେ ପହଞ୍ଚିବାବେଳକୁ ରାତି ସାଢ଼େ ଦଶ ଏବଂ ସାଙ୍ଗମାନେ ସମସ୍ତେ ଚାଲି ଗଲେଣି ସେତେବେଳକୁ । ପ୍ରଦର୍ଶନୀ ପଡ଼ିଆରୁ ଘରକୁ ଯିବା ରାସ୍ତାଟା ଭଲ ନୁହେଁ, ନିର୍ଜନ ହୋଇଯାଏ ଆଠଟା ପରେ । ଏକା ଗଲେ ମାଡ଼ି ମାଡ଼ି ପଡ଼େ । ତଥାପି ଅନ୍ୟ ଉପାୟ ନ ଦେଖି ସେ ଗୋଟେ ରିକ୍‌ସା ପାଇଁ ଅପେକ୍ଷା କରୁଥିବାବେଳେ ତାହାରି ପାଖରେ ଗାଡ଼ି ଛିଡ଼ା କରାଇ କହିଲେ କମିଶନର କାହାକୁ ଅପେକ୍ଷା କରୁଛି ବସିପଡ଼...ତମକୁ ଘରେ ପହଞ୍ଚାଇ ଦେବି... ।

 

ହଁ କି ନା କିଛି କହିବା ପୂର୍ବରୁ ଆଗ ଦରଜା ଖୋଲି ଦେଲେ ସେ ।

ଅନନ୍ୟୋପାୟ ହୋଇ ଗାଡ଼ି ଭିତରକୁ ପଶିଗଲା ଶ୍ରୀଲେଖା ।

କମିଶନର ନିଜେ ଗାଡ଼ି ଚଳାଉଥିଲେ ।

କୋଉଠି ରୁହ ?

ନୟାପଲ୍ଲୀରେ ସାର୍...

ସେଇ ଦୁଇଟାବେଳୁ ଆସିଥିବ...ରାତି ସାଢ଼େ ଦଶଟା ହେଲାଣି ଭୋକ ଲାଗୁନି !

ଶ୍ରୀଲେଖା କହିଲା - ପ୍ରତିଦିନ ତ ଇମିତି ଡେରି ହୁଏ... ।

 

- ମଣିଷ ଭିତରେ ପଶୁତ୍ୱ ପ୍ରବଳ ହେଉଚି, ନ ହେଲେ ଡିନାରର ବ୍ୟବସ୍ଥା ନ କରି ଅର୍ଗାନାଇଜରମାନେ ଇମିତି ପଠେଇ ଦିଅନ୍ତେନି । ନୋ ଇମାଜିନେସନ୍, ନୋ ଇନିସିଏଟିଭ... ।

 

କିଛି ନ କହି ଚୁପ୍ କରି ବସି ରହିଲା ଶ୍ରୀଲେଖା ।

 

ଗାଡ଼ି ନୟାପଲ୍ଲୀ ନ ଆସି ‘କେଶରୀ’ ସିନେମା ପାଖରେ ଥିବା ‘ମଧୁମାଳତୀ’ ରେସ୍ତୋଁରା ଆଗରେ ଛିଡ଼ାହେଲା ।

 

ଗାଡ଼ି ପାର୍କ କରି କହିଲେ କମିଶନର, ଆସ, ଟିକେ କିଛି ଖାଇନବା...ମୋତେ ବି ଭୋକ କରୁଛି...

 

ଶ୍ରୀଲେଖା ନମ୍ର କଣ୍ଠରେ କହିଲା...ଅନେକ ଡେରି ହୋଇଯିବ ସାର୍..ଘରେ ଅପେକ୍ଷା କରିଥିବେ... ।

 

- ନା, ନା...ନ ଖାଇ ଯାଇ ପାରିବ ନାହିଁ..ପନ୍ଦର ମିନିଟରୁ ବେଶୀ ଲାଗିବ ନାହିଁ ।

 

ଶ୍ରୀଲେଖାକୁ ପ୍ରାୟ ବାଧ୍ୟକରି ହାତ ଧରି ଓହ୍ଲାଇ ଦେଲେ କମିଶନର ।

 

ରେସ୍ତୋଁରା ଭିତରକୁ ଯିବାକ୍ଷଣି ଗୋଟିଏ ଖାଲି କେବିନ ଦେଖାଇ ଦେଇ ବୟ କହିଲା ଏଇଟା ଖାଲିଅଛି ସାର୍‌... ଏଇଠି ବସନ୍ତୁ ... ।

 

କେବିନ ଭିତରକୁ ଯାଇ ମୁହାଁମୁହିଁ ବସିଲେ ଦୁଇଜଣ ।

 

- ଚିକେନ୍‌ ସୁପ୍‌, ନାନ୍‌, ଚିକେନ୍‌ କାଶ୍ମୀରୀ, ଶାମି କବାବ ଆଉ ଶେଷରେ ଟୁଟିଫୁଟି... କହିଲେ କମିଶନର ।

 

ବୟ ପର୍ଦ୍ଦା ପକେଇ ଚାଲିଗଲା ।

କେବିନ ଭିତରେ ଶ୍ରୀଲେଖା ଓ ଏବଂ କମିଶନର ସାହେବ ।

 

କେଉଁ ଏକ ନିର୍ଜ୍ଜନ ଦ୍ୱୀପରେ ଏକାକିନୀ ବସି ସରୀସୃପ ଓ ଶ୍ୱାପଦମାନଙ୍କ କବଳରେ ପଡ଼ିଗଲା ପରି ଲାଗୁଥିଲା ଶ୍ରୀଲେଖାକୁ । ସେ ଅରକ୍ଷଣୀୟାର ଅସହାୟତା ନେଇ ଅପେକ୍ଷା କରୁଥିଲା ଉତ୍କଣ୍ଠାରେ । ତା’ର ପାଦ ଦୁଇଟିକୁ ନିଜ ପାଦରେ ବନ୍ଦୀ କରି ହାତ ଗୋଟିକୁ ଦୁଇ ହାତ ପାପୁଲି ଭିତରେ ରଖି କହିଲେ କମିଶନର, ଆମ ଓଡ଼ିଆ ଘରର ଝିଅ ଏଡ଼େ ସୁନ୍ଦର ହୋଇପାରନ୍ତି ଏଇ ପ୍ରଥମ ଦେଖିଲି ମୁଁ ... ୟୁ ଆର ଲୁଙ୍କି ବିୱିଚିଙ୍ଗଲି ବିଉଟିଫୁଲ... ସଦ୍ୟ ପ୍ରସ୍ଫୁଟିତ ଗୋଲାପ ଫୁଲପରି ।

 

ଶ୍ରୀଲେଖାର ତଣ୍ଟି ଶୁଖି ଆସୁଥିଲା ।

କପାଳରେ ବିନ୍ଦୁ ବିନ୍ଦୁ ଝାଳ ଉକୁଟି ଉଠିଲା ।

 

କମିଶନର ଗୋଟିଏ ହାତରେ ତା’ ହାତ ଧରି ଆଉ ଗୋଟେ ହାତ ତା’ର ଛାତି ଉପରୁ ବୁଲେଇ ଆଣି କହିଲେ - ତମେ, କବିତା ଲେଖ.... ।

 

ଶ୍ରୀଲେଖା ଚମକି ପଡ଼ିଲା । ଯାହା ଏତେବେଳ ପର୍ଯ୍ୟନ୍ତ ଗୋପନ ରଖିଥିଲା ସେ ସେତକ ପ୍ରକାଶ ପାଇଯିବାର ଦେଖି ଶଙ୍କିତ କଣ୍ଠରେ କହିଲା, କେବେ କେବେ ଲେଖେ ସାର୍...

 

- ମୋତେ ସବୁବେଳେ ସାର୍‌ କହୁଛ କାହିଁକି.... ମୁଁ ତ ଅଫିସରେ ତୁମକୁ ଇଣ୍ଟରଭିଉ କରୁନି କି ତୁମ କାମର ତର୍ଜମା କରୁନି ...

 

ନୀରବ ରହିବାକୁ ଶ୍ରେୟସ୍କର ମନେକଲା ଶ୍ରୀଲେଖା । ନିଷ୍କୃତିର ପଥ ବନ୍ଦହୋଇ ଯାଇଛି ଆଖି ଆଗରେ । ନୀଳରଙ୍ଗର ପରଦାର ସେପାଖରେ ହୁଏତ ସାରା ଦୁନିଆ ବିଦ୍ରୂପ କରୁଥିବ ତାକୁ । ସେ ପରା ସତୀ ସାଧ୍ୱୀ ପତିବ୍ରତା । ସେ ପରା ଭଲପାଇ ବିଭା ହୋଇଥିଲା ସ୍ୱଦେଶକୁ । ସେ ଭଲପାଇବା ଏତେ ଶୀଘ୍ର ଭୁଶୁଡ଼ି ପଡ଼ିଲା ବାଲିଘର ପରି । ହାତର ଘଡ଼ି ଉପରକୁ ବାରମ୍ୱାର ଅନାଉଥାଏ ଶ୍ରୀଲେଖା । ପନ୍ଦର ମିନିଟ ଅତୀତ ହୋଇଗଲାଣି ।

 

ସୁପ୍‌ ଦେଇଯାଇଛି ବୟ ।

 

ସୁପ୍‌ରେ ଗୋଲମରିଚ ଗୁଣ୍ଡ ମିଶାଇ ଘାଣ୍ଟିଲେ କମିଶନର । କିଛି ଭଲ ଲାଗୁ ନ ଥାଏ ଶ୍ରୀଲେଖାକୁ । ତଥାପି କମିଶନର ସାହେବ ତା’ର ବାର୍ତ୍ତା, ଦଣ୍ଡମୁଣ୍ଡର ଅଧିକାରୀ ସେ । ସୌଜନ୍ୟତା ରକ୍ଷା କରିବାକୁ ଯାଇ ସୁପ୍‌ରୁ ଚାମୁଚେ ଗଳାଧକରଣ କଲା ଶ୍ରୀଲେଖା ।

 

ଗୋଲମରିଚ ଗୁଣ୍ଡ ମିଶାଇ ନାହଁ ଯେ ....

- ନା, ଦରକାର ନାହିଁ । କହିଲା ଶ୍ରୀଲେଖା ।

 

ପତଳା କରି କଟାଯାଇ କ୍ରିପ୍ସ କରାଯାଇଥିବା ଗୋଟିଏ ଟୋଷ୍ଟ ଉପରେ ଲହୁଣୀ ଲଗାଇ ତା’ ହାତକୁ ବଢ଼ାଇ ଦେଲେ କମିଶନର । ଶ୍ରୀଲେଖାର ଲଙ୍ଗଳା ପାଦର ଉପରକୁ ଉଠିଗଲାଣି ତାଙ୍କର ଲଙ୍ଗଳା ପାଦ । ଆଣ୍ଠୁ ଛୁଇଁବ ଛୁଇଁବ ହେଉଛି । କିଛି କହିପାରୁନି ଶ୍ରୀଲେଖା, ଘୁଞ୍ଚି ଯାଇ ପାରୁନି । ସଂକୁଚିତ ହୋଇଗଲେ ବି ସେ ଘୁଞ୍ଚି ଘୁଞ୍ଚି ଆସୁଛନ୍ତି ।

 

ଖାଲି ସୁପ୍‌ପ୍ଲେଟ ଉଠାଇ ନେଇ ଡିନର ପ୍ଲେଟ ରଖି ଦେଇ ଗଲା ବୟ ।

ଆଙ୍ଗୁଳିର ଟିପ ମାଡ଼ି ପ୍ଲେଟ ଉଷୁମ ଅଛି କି ନାହିଁ ଦେଖିନେଲେ କମିଶନର ସାହେବ ।

ଶାମି କବାବ, ସାଲାଡ଼ ଏବଂ ଟମାଟୋ ଓ ଚିଲିସସ୍‌ ।

 

ବେଶ୍‌ ଖାଇପାରନ୍ତି ଭଦ୍ରଲୋକ । ସେ ମନା କରି ନ ଥିଲେ ଡ୍ରିଙ୍କ୍‌ସ ବି କରିଥାଆନ୍ତେ । ପାନ ନ କଲେ ଭୋଜନରେ ସୁଖ ନ ଥାଏ ।

 

ଗୋଟେ କବାବ ଖାଇସାରିବା ପରେ କଣ୍ଟା ଚାମୁଚ ରଖିଦେଲା ଶ୍ରୀଲେଖା ।

-ରଖିଦେଲ ଯେ ? କହିଲେ ସାହେବ ।

-ପେଟ ପୁରି ଗଲାଣି ।

 

-ନା, ନା, କିଛି ତ ଖାଇନି । ନାନ୍‌ ଅଛି, ଚିକେନ୍‌ କାଶ୍ମୀରୀ ଅଛି । ପନୀର ଓ ଡେଜର୍ଟ ଅଛି ।

-ଆଜି ଏତିକି ...

-ନା, ନା । ଖାଇବାକୁ ହେବ । ଖାଇବାରେ ଲାଜ କଅଣ ? ମୁଁ ତ ପୁଣି ତୁମରି ଆଗରେ ଗିଳି ପକାଉଛି...

- ଆପଣ ପେଟ ପୁରେଇ ଖାଆନ୍ତୁ ... ଆଉ ଗୋଟେ କବାବ ନିଅନ୍ତୁ ।

ଫ୍ରକ୍‌ରେ ଗୋଟେ କବାବ ଉଠାଇ ସେ ଥୋଇଦେଲା ତାଙ୍କ ପ୍ଲେଟରେ ।

ସେତକ ପରେ ବହୁ ବାଧ୍ୟବାଧକତା ପରେ ଖଣ୍ଡେ ଚିକେନ କାଶ୍ମୀରୀ ଖାଇଲା ଶ୍ରୀଲେଖା । ଫୁଲ ପ୍ଲେଟ ଚିକେନ କାଶ୍ମୀରୀକୁ ଏକା ଶେଷ କରିଦେଲେ ସାହେବ । ତା’ ସହିତ ଦୁଇଟା ନାନ୍‌, ପନୀର ଓ ସାଲାଡ଼ ଏବଂ ପାଁପଡ଼ ।

ତା’ ପରେ ଟୁଟିଫୁଟି ।

ମନା କରୁ କରୁ ତା’ ହାତ ଧରି ପକେଇ ଅନୁନୟ କରିବା ଭଙ୍ଗୀରେ କହିଲେ କମିଶନର, ତୁମେ ନ ଖାଇଲେ ମୁଁ ବି ଖାଇବି ନାହିଁ ।

ବାଧ୍ୟ ହୋଇ ଖାଇଲା ଶ୍ରୀଲେଖା ।

ସବା ଶେଷରେ କଫି ।

 

କଫି ପିଇବାବେଳେ ଟେବୁଲ ତଳେ ହାତ ଗଳାଇ ତାର ଜଙ୍ଘ ପର୍ଯ୍ୟନ୍ତ ଆଉଁସି ଦେଇଗଲେ କମିଶନର । ଚିତ୍କାର କରିବାକୁ ଇଚ୍ଛା ହେଲା ଶ୍ରୀଲେଖାର । ଉଠିପଡ଼ି ତାଙ୍କ ଗାଲରେ ଚପଲ ବସେଇ ଦବାପାଇଁ ମନହେଲା । ସର୍ବାଙ୍ଗ ଘୃଣାରେ ଶିରଶିରେଇ ଉଠିଲା । କିନ୍ତୁ କେବଳ ନିର୍ଲିପ୍ତ ପରି ବସିରହିବା ଛଡ଼ା ସେ ଆଉ କିଛି କରିପାରିଲା ନାହିଁ ।

 

ପ୍ଲେଟ, କଣ୍ଟା ଚାମୁଚ ସବୁ ଉଠାଇ ନେଇ ବୟ ବିଲ୍‌ ଆଣିବାକୁ ଚାଲିଗଲା ପରେ କମିଶନର ସାହେବ କହିଲେ - କବିତା ଲେଖୁଛ ଯେତେବେଳେ ରୋମାଞ୍ଚ ଉପଭୋଗ କରୁଥିବ ନିଶ୍ଚୟ । ପରକିୟା ପ୍ରେମର ରସାଳତା ପାଇଁ ବଙ୍ଗୀୟ ବୈଷ୍ଣବ ସାହିତ୍ୟ ଯେପରି ମଧୁର, ମାୟାଧରଙ୍କର କାବ୍ୟ କବିତା ସେହିପରି ଲୋଭନୀୟ । ଆଉ ତୁମେ ବି କଅଣ କମ୍‌ ସୁନ୍ଦର ଲେଖ-? ପୂଜା ସଂଖ୍ୟା ‘ପ୍ରତୀବେଶୀ’ରେ ତୁମର ‘ଶୀତରାତି’ କବିତା ପଢ଼ି ମୁଁ ତିନିଦିନ ଶୋଇପାରିନି ଶ୍ରୀଲେଖା ।

 

ତାଙ୍କ କଥା ଶୁଣି ଶ୍ରୀଲେଖାର ମୁହଁ ଲଜ୍ଜାରେ ରକ୍ତରଞ୍ଜିତ ହୋଇଉଠିଲା ।

ସେ ହଠାତ୍‌ ଉଠିପଡ଼ି ତା’ ଓଠ ଉପରେ ଏକ ଉଷ୍ମ ଚୁମ୍ୱନ ଆଙ୍କିଦେଲେ ।

ତଡ଼ିତ୍‌ ବେଗରେ ଉଠି ବସି ଘର ଭିତରୁ ବାହାରି ଆସିଲା ଶ୍ରୀଲେଖା ।

 

କମିଶନର କହିଲେ - ମୋ ଅଣ୍ଡରକୁ ଚାଲିଆସ । ସ୍ପେଶାଲ ଅଫିସର ପୋଷ୍ଟଟା ଖାଲି ଅଛି । ତୁମେ ଆସିଲେ ବେଶ୍‌ ଏନଜୟ କରିବ ... ସାଙ୍ଗହୋଇ ଟୁର କରିବା । କୋରାପୁଟ ଯିବାକୁ ହେବନାହିଁ ।

 

କିଛି କହିଲା ନାହିଁ ଶ୍ରୀଲେଖା । ରାଗରେ ଜର୍ଜରିତ ହୋଇ ଥରୁଥିଲା ସେ ।

ଘଡ଼ିରେ ସାଢ଼େ ଏଗାରଟା ବାଜିଲା ।

କମିଶନର କହିଲେ, ଆଜିର ସଂଧ୍ୟା ଅବିସ୍ମରଣୀୟ ହୋଇ ରହିବ ଜୀବନରେ ।

 

ବିଲ୍‌ ନେଇ ଟଙ୍କା ଦେଇସାରି ବୟକୁ ଦଶଟଙ୍କା ବକ୍‌ସିସ୍‌ ଦେଲେ କମିଶନର । ତା’ ପରେ ଗାଡ଼ିର ଦରଜା ଖୋଲି ତାକୁ ବସେଇ ନିଜେ ଷ୍ଟିଅରିଂ ଧରିଲେ ସେ ।

 

ଗାଡ଼ି ଷ୍ଟୁଆର୍ଟ ସ୍କୁଲ ପାର ହବାବେଳେ ହଠାତ୍‌ ଗତି ହ୍ରାସ କରି ତଡ଼ିତ ବେଗରେ ଆଉ ଥରେ ଚୁମ୍ୱନ କଲେ କମିଶନର ।

 

ଗୋଟେ ହାତ ଶ୍ରୀଲେଖାର କାନ୍ଧ ଉପରେ ଝୁଲିପଡ଼ି ବ୍ଲାଉଜ ତଳେ ସଲସଲ ହେଉଥାଏ । ଶ୍ରୀଲେଖା ନିଜର ସମ୍ମାନକୁ ଜଗି ପାଷାଣ ପ୍ରତିମା ପରି ବସି ରହିଥାଏ କେବଳ ।

 

ତା’ର ଘର ସମ୍ମୁଖରେ ଗାଡ଼ି ଅଟକାଇ କହିଲେ କମିଶନର, ମଝିରେ ମଝିରେ ଚାଲି ଆସିବ କିମ୍ୱା ଫୋନ୍‌ କରିବ... । ଆଉ ଯାହା ଦରକାର କହିବ । ଆଉ ଏମ୍‌ ଏଟ୍‌ ଇଓର ଡ଼ିସ୍ପୋଜାଲ... ।

 

କଅଣ କହିବ କହିବ ହୋଇ କହି ନ ପାରି ରହିଗଲାପରି ଲାଗୁଛି । ଲଜ୍ଜା କଅଣ ? କହିଦିଅ ଯାହା କହିବାକୁ ଚାହଁ... ।

 

ଶ୍ରୀଲେଖା ଘର ଆଗରେ ଓହ୍ଲେଇ ପଡ଼ିବା ପାଇଁ ଶକ୍ତି ଖୋଜୁଥିଲା ପାଦରେ ।

 

ତାକୁ ଓହ୍ଲେଇ ଦେଇ କମିଶନର ସାହେବଙ୍କ ଗାଡ଼ିଟା ଅଦୃଶ୍ୟ ହୋଇଯିବା ପରେ ତାକୁ ଦରଜା ଆଗରେ ଖୁଣ୍ଟଭଳି ଛିଡ଼ା ହୋଇଥିବାର ଦେଖି କହିଲା ସ୍ୱଦେଶ - ଏତେ ଶୋଚନା କାହିଁକି-? ଭଲ ମାଛ ଗୋଟେ ଧରିଛ ଲେଖା; ମାଗୁର କି ମିରିକାଳି ନୁହେଁ, ମାଛର ରାଜା ରୋହୀ ମାଛଟିଏ .... । ଆସ, ଭିତରକୁ ଆସ । ଅନେକ ଅନେକ ଅଭିନନ୍ଦନ ତୁମକୁ ।

 

ଶ୍ରୀଲେଖା ରାଗରେ ଫାଟିପଡ଼ି ଚିତ୍କାର କରିଉଠିଲା - ୟୁ ଆର ମୀନ୍‌ (ତୁମେ ନୀଚ), ୟୁ ଆର ଏ ବ୍ରୁଟ୍‌ ।

 

ଆଉ ତା’ପରେ ତା’ ଆଖିରୁ ସହସ୍ର ଧାରରେ ଝରିପଡ଼ିଲା ଅଶ୍ରୁ ଠିକ୍‌ ଶ୍ରାବଣର ଧାରା ପରି ।

 

ଦିବ୍ୟଧାମ ପୁଣି ଆକର୍ଷଣର କେନ୍ଦ୍ର ହୋଇ ଉଠିଲା ।

 

ବାବା ପ୍ରବୁଦ୍ଧାଚାର୍ଯ୍ୟ ଫେରି ଆସିବା ପରେ ନୂତନ ଉନ୍ମାଦନା ଏବଂ କର୍ମଚଞ୍ଚଳତା ଦେଖା ଦେଇଛି ଆଶ୍ରମରେ । ଯିବା ଆସିବା ବୃଦ୍ଧି ପାଇଛି । ନୂତନ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । କିନ୍ତୁ ଆଶ୍ରମର ନିୟମ ଓ ଶୃଙ୍ଖଳା କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଶ୍ରମର ନିରାପତ୍ତା ଦାୟିତ୍ୱରେ ନିଯୁକ୍ତ ହୋଇଚନ୍ତି ଜଣେ ନିର୍ଦ୍ଦେଶକ । ସେ ମହାରାଷ୍ଟ୍ର କ୍ୟାଡ଼ରର ଅବସରପ୍ରାପ୍ତ ପୁଲିସ୍‍ ଅଫିସର । ଆଶ୍ରମ ଭିତରକୁ ପ୍ରବେଶ ପୂର୍ବରୁ ଯେଉଁ ପରିଚୟପତ୍ର ଦେଖାଇବାର ନିୟମ ଅଛି ସେଥିରେ ତାଙ୍କର ଦସ୍ତଖତ ଥିବା ଆବଶ୍ୟକ । ଆଶ୍ରମର ବାହାରକୁ ଅନ୍ତେବାସୀମାନଙ୍କୁ ଯିବାର କଟକଣାକୁ ଆହୁରି ଦୃଢ଼ କରାଯାଇଛି ।

 

ବାବା ଫେରିବାବେଳେ ତାଙ୍କ ସହିତ ଯେଉଁ କେତେଜଣ ନୂତନ ଭକ୍ତ ଆସିଛନ୍ତି ସେମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପୁଲିସ୍‍ ଗୋପାଳ ସଭରକରଙ୍କୁ ଛାଡ଼ି ପାଞ୍ଚଜଣ ମହିଳା ଭକ୍ତ ବି ଆସିଛନ୍ତି । ସମସ୍ତେ ତରୁଣୀ ଏବଂ ବୟସ ବାଇଶ ତେଇଶ ମଧ୍ୟରେ । ସୁନ୍ଦରୀ ଏବଂ ଶିକ୍ଷିତା ସମସ୍ତେ ।

 

ବାବା କିନ୍ତୁ ତାଙ୍କ ଅନୁପସ୍ଥିତି ସମୟର ସବୁ ଘଟଣାବଳୀର ବିବରଣୀ ଶୁଣିସାରି ଗମ୍ଭୀର ହୋଇଗଲେ । ତାଙ୍କର ଶତଚେଷ୍ଟା ସତ୍ତ୍ୱେ ଦିବ୍ୟଧାମର ଅନେକ ଗୋପନୀୟ ବିଷୟ କ୍ରମଶଃ ପ୍ରକାଶ ପାଇବାରେ ଲାଗିଚି । ଦୁଇଟି ହତ୍ୟାକାଣ୍ଡ ସହିତ ଆଶ୍ରମ ଜଡ଼ିତ ହୋଇଯିବା ତାଙ୍କ ଦୃଷ୍ଟିରେ ସେପରି ଗୁରୁତର ନ ହେଲେ ସୁଦ୍ଧା ସେପରି ଭାବରେ ଆଶ୍ରମର କେତେକ ଆଭ୍ୟନ୍ତରୀଣ ବିଷୟ ପ୍ରକାଶ ପାଇ ଯାଇଛି ଏବଂ ଟାଣିଓଟାରି ସହରରେ ଘଟୁଥିବା ନାନାଦି ଅପରାଧ ଓ ଦୁଷ୍କର୍ମ ସହିତ ଦିବ୍ୟଧାମକୁ ଜଡ଼ିତ କରାଯାଉଚି, ତାହା ଆଦୌ ପ୍ରୀତିକର ନୁହେଁ ।

 

ବାବାଙ୍କର ଡାକରା ପାଇ ଆସିଥିଲେ ପୁଲିସ୍‍ ବିଭାଗର ପଦସ୍ଥ ଅଫିସର । ସେ ଭକ୍ତ ହେଲେ ମଧ୍ୟ ଆଶ୍ରମର ପ୍ରଶଂସକମାନଙ୍କ ମଧ୍ୟ୍ୟରେ ଅନ୍ୟତମ । ସେ ଆଶ୍ରମକୁ କାହିଁକି ଆସନ୍ତି ବାବା ଜାଣନ୍ତି । ପୂଣ୍ୟାର୍ଜନ କରିବା ପାଇଁ ନୁହେଁ, ପରମାନନ୍ଦ ପ୍ରାପ୍ତିହିଁ ତାଙ୍କର ଲକ୍ଷ୍ୟ୍ୟ । ସେଥିପାଇଁ ସୁବ୍ୟବସ୍ଥା ମଧ୍ୟ କରାଯାଇଛି ବାବାଙ୍କ ଜ୍ଞାତସାରରେ । ଭଗ୍ନୀ ସ୍ନିଗ୍‌ଧାଙ୍କ ସହିତ ତାଙ୍କର ସମ୍ପର୍କ ନିଗୂଢ଼ ହୋଇଚି । ଆଶ୍ରମର ନିୟମ କୋହଳ କରି ସ୍ନିଗ୍‌ଧାକୁ ତାଙ୍କ ସହିତ ବାହାରକୁ ଯିବାପାଇଁ ଅନୁମତି ଦିଆଯାଇଚି । ତାଙ୍କରି ଚେଷ୍ଟାରୁ ହତ୍ୟାକାଣ୍ଡ ସମ୍ପର୍କରେ ତୀବ୍ରତର ହେଉଥିବା ଅନୁସନ୍ଧାନର ଗତି ଶିଥିଳ ହୋଇଯାଇଚି ଏବଂ ଶେଷରେ ଯେ ଦୁଇଟି କେଶର ସ୍ୱାଭାବିକ ମୃତ୍ୟୁ ହେବ ଏ ସମ୍ପର୍କରେ ପ୍ରବୁଦ୍ଧାଚାର୍ଯ୍ୟ ନିଶ୍ଚିନ୍ତ ।

 

ଅନ୍ତପୁରର ନିର୍ମାଣ କାର୍ଯ୍ୟ ଶେଷ ହୋଇଚି ଏ ଭିତରେ । ଗୃହପ୍ରବେଶ ପାଇଁ ଦିନ ମଧ୍ୟ ନିର୍ଦ୍ଦିଷ୍ଟ ହୋଇଗଲାଣି । ସନ୍ତାନ କାମନା କରି ଆସୁଥିବା ନିଃସନ୍ତାନ ମହିଳା ଶିଷ୍ୟମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଚି ଏଠାରେ । ଗର୍ଭଧାରଣ ପରେ ସେମାନେ ନିଜ ଘରକୁ ଫେରିଯିବେ ପୁଣି । ଅନ୍ତପୁର ମଧ୍ୟରେ ଏକ ଯଜ୍ଞବେଦୀ ନିର୍ମାଣ କରାଯାଇଚି । ଯଜ୍ଞ କୁଣ୍ଡରେ ପ୍ରତିଦିନ ପୁତ୍ରେଷ୍ଟି ଯଜ୍ଞ କରିବାର ବ୍ୟବସ୍ଥା ମଧ୍ୟ ହୋଇଛି । ଅନ୍ତପୁରର ନିୟମ କିନ୍ତୁ ଆହୁରି କଡ଼ା । ବାବାଙ୍କ ବ୍ୟତୀତ ଅନ୍ତପୁର ଭିତରକୁ ଅନ୍ୟ କୌଣସି ପୁରୁଷଙ୍କର ପ୍ରବେଶ ନିଷିଦ୍ଧ କରାଯାଇଛି । ଅନ୍ତପୁରରେ ବାବା କୃଷ୍ଣାବତାର ହୋଇ ଗୋପଲୀଳାରେ ଅଂଶ ଗ୍ରହଣ କରିବେ । ସେଥିପାଇଁ ଅନ୍ତପୁରର ପରିସର ମଧ୍ୟରେ କଦମ୍ବ ଗଛକୁ ଲାଗି ଛୋଟ ପୁଷ୍କରିଣୀଟିଏ ବି ନିର୍ମାଣ କରାଯାଇଛି । ଏଇ ସୁଇମିଂ ପୁଲ୍‌ରେ ଜଳକ୍ରୀଡ଼ା କରିବେ ଗୋପାଙ୍ଗନାମାନେ । ଯେଉଁମାନେ ଅନ୍ତଃପୁରରେ ଅନ୍ତେବାସିନୀ ହୋଇ ରହିବେ ସେମାନଙ୍କ ଭିତରେ ରାଧାଭାବ ଜାଗ୍ରତ କରିବା ସକାଶେ କେତେକ ଭିଡ଼ିଓ ଫିଲିମ୍‌ ବମ୍ୱେରୁ ଅଣାଯାଇଛି ଏବଂ ଡିସ୍କୋ ଡ୍ୟାନସର ମଧ୍ୟ ବ୍ୟବସ୍ଥା ହୋଇଛି । ଉନ୍ମୋଚନ ଦିବସରେ ଜଣେ ବ୍ୟବସାୟୀ ଏବଂ ତାଙ୍କ ତାଙ୍କ ପତ୍ନୀଙ୍କର ସଂକଳ୍ପିତ ପୁତ୍ରେଷ୍ଟି ଯଜ୍ଞ ବାବା ସମ୍ପାଦନା କରିବେ-

 

ବାବା ପ୍ରବୁଦ୍ଧାଚାର୍ଯ୍ୟଙ୍କର ଅତୀତ ସମ୍ପର୍କରେ କୌଣସି ତଥ୍ୟ ମିଳେ ନାହିଁ, ଅନ୍ଧାର ଗର୍ଭରେ ସବୁ ଲୀନ ହୋଇଯାଇଛି । ଶିଷ୍ୟମାନଙ୍କର ଅନୁସନ୍ଧିତ୍ସାର ଉତ୍ତର ଦେଇ ବାବା କେତେଥର କହିଛନ୍ତି ଯେ ଥରେ ପାରମ୍ପାରିକ ଜୀବନ ପରିତ୍ୟାଗ କରି ସନ୍ୟାସ ଗ୍ରହଣ କଲେ ବ୍ୟକ୍ତିର ଅତୀତ ବୋଲି ଆଉ କିଛି ରହେ ନାହିଁ । ଅତୀତର ଭଷ୍ମସ୍ତୁପରୁ ଜନ୍ମନିଏ ଅନ୍ୟ ଏକ ବ୍ୟକ୍ତିତ୍ୱ, ଆଉ ଏକ ପରିଚୟ । ସେ ପ୍ରବୁଦ୍ଧାଚାର୍ଯ୍ୟ । ବର୍ତ୍ତମାନ ଯାହା ଅଛି ତାହା ସତ୍ୟ, ଅତୀତ ସ୍ୱପ୍ନ ପରି ନିରର୍ଥକ ।

 

ଏଥର କିନ୍ତୁ ବାବାଙ୍କ ସହିତ ଭଗ୍ନୀ ନିବେଦିତା ଆଉ ଫେରି ନ ଥିଲେ । ଏବେ ତାଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ଭଗ୍ନୀ ହାସ୍ୟମୟୀ ଏବଂ ହାସ୍ୟମୟୀଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ଭଗ୍ନୀ ସମ୍ମୋହିନୀ ।

 

ବାବାଙ୍କ ପ୍ରତ୍ୟାଗମନ ପରେ ତାଙ୍କ ସହିତ ସାକ୍ଷାତ୍‍ କରିବାକୁ ଆସିଲା ମନୋଜ ।

 

ଆଶ୍ରମ ସମ୍ପର୍କରେ ବହୁ ତଥ୍ୟ ଏବେ ବି ତା’ର ଅଜ୍ଞାତ । ଏବେବି ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରିପାରିନାହିଁ ସେ । ତା’ପରେ ମଝିରେ ଅନ୍ୟ ଘଟଣା ଘଟିଯାଉଥିବାରୁ ସେଥିରେ ସମୟ ଖର୍ଚ୍ଚ ହୋଇଯାଏ, ସେ ଏକାଦିକ୍ରମେ ଦିବ୍ୟଧାମ ସମ୍ପର୍କରେ ତଥ୍ୟ ସଂଗ୍ରହ କରିପାରେ ନାହିଁ । ବାବା ଆସି ପହଞ୍ଚିବା ପରେ ହାସ୍ୟମୟୀ ଫୋନ୍‌ କରି ତାକୁ ଜଣାଇ ଦେଇଥିଲେ ଏବଂ ସେତିକିବେଳେ ବି ତାଙ୍କର ସ୍ଥାନ ପରିବର୍ତ୍ତନ ଓ ନୂତନ ନିଯୁକ୍ତି ସମ୍ପର୍କରେ କହିଥିଲେ । ହାସ୍ୟମୟୀ ଆହୁରି ବି ତାକୁ ସତର୍କ କରି ଦେଇଥିଲେ ଯେ ଯେପରି ସେ ତାଙ୍କ ସମ୍ପର୍କରେ ଯାହା ଜାଣେ ଘୃଣାକ୍ଷରେ ବି ପ୍ରକାଶ ନ କରେ ।

 

କିପରି ଅନୁପମାରୁ ସେ ହାସ୍ୟମୟୀ ହେଲେ ତାହା ମନୋଜକୁ କହିଥିଲେ ହାସ୍ୟମୟୀ-

 

ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ କଲେଜରେ ଏମ୍‌.ଏ ପଢ଼ିବାବେଳେ ସେ ବାବାଙ୍କ ଦର୍ଶନ ସମ୍ପର୍କରେ ପ୍ରଥମେ ଜାଣିବାକୁ ପାଇଲେ । ସେତେବେଳକୁ ସେ ଗୋଟିଏ ନୂତନ ଜୀବନ ଦର୍ଶନ ଖୋଜିବାରେ ବ୍ୟସ୍ତ ଯାହା ତାଙ୍କୁ ଶୁଷ୍କ ପାରମ୍ପାରିକତାରୁ ରକ୍ଷା କରି ନୂତନ ଜୀବନର ସ୍ୱାଦ ଦେବ, ନୂତନ ମାର୍ଗରେ ଚାଲିବାର ପ୍ରେରଣା ଯୋଗାଇବ । ମା’ଙ୍କୁ ଅଳ୍ପ ବୟସରେ ହରାଇଥିଲେ ସେ । ବାପା ଡାକ୍ତର ଏବଂ ଅଦ୍ୟାପି ଜୀବିତ । କିନ୍ତୁ କନ୍ୟାକୁ ଆବଶ୍ୟକୀୟ ଅର୍ଥ ଯୋଗାଇଦେବା ବ୍ୟତୀତ ତା’ପ୍ରତି ଆଉ କିଛି କରିବା ଯେ ଆବଶ୍ୟକ ଏହା ଆଦୌ ଭାବିପାରୁ ନ ଥିଲେ ସେ । ସେଇ କିଶୋରୀ ବୟସରୁ ନିସଙ୍ଗ ଜୀବନ ନେଇ ଚଳି ଆସିଥିଲେ ଅନୁପମା । ସ୍କୁଲରୁ କଲେଜ ଏବଂ ଶେଷରେ ବି.ଏ. (ଅନର୍ସ)ରେ ପ୍ରଥମ ଶ୍ରେଣୀରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହେବା ପରେ ସେ ଚାଲି ଆସିଲେ ଦିଲ୍ଲୀ ଗତାନୁଗତିକ ଜୀବନକୁ ଛାଡ଼ି ଏକ ନୂତନ ଜୀବନର ସନ୍ଧାନରେ । ତାଙ୍କର ନିଃସଙ୍ଗ ମୁହୂର୍ତ୍ତଗୁଡ଼ିକୁ ଯିଏ ସଙ୍ଗ ଦେଇ ଜୀବନ୍ତ କଲା ସେହି ମନୀଷା ଆଉ ଇହଜଗତରେ ନାହିଁ । ଜଣେ ହିପ୍‌ପି ସହିତ ଦିନେ ସେ ଅଦୃଶ୍ୟ ହୋଇଗଲା ପରେ ଆଉ ଫେରିନାହିଁ କିମ୍ୱା ତା’ ସମ୍ପର୍କରେ କୌଣସି ଖବର ପାଇନାହାନ୍ତି କେହି । ସେ କେଉଁଠି ଅଛି ଆଜି ବି ଅଜ୍ଞାତ । କିନ୍ତୁ ତା’ ପରି ଝିଅ ଯେ ଅନେକ ଦିନ ଅଜ୍ଞାତବାସରେ ରହି ନ ପାରେ ଏଥିରେ ନିଃସନ୍ଦେହ ହାସ୍ୟମୟୀ । ସେ ହୁଏତ ସେଇ ଇପ୍‌ସିତ ସ୍ୱର୍ଗଲୋକ ନ ପାଇ ଗ୍ଲାନିରେ ଆତ୍ମହତ୍ୟା କରିଥିବ । କିନ୍ତୁ ମନୀଷା ପ୍ରଭାବରେ ପଡ଼ି ଚରସ ବ୍ୟବହାର ଅଭ୍ୟାସ ସେ ଚାଲିଯିବା ପରେ ସମ୍ପୂର୍ଣ୍ଣ ପରିତ୍ୟାଗ କରିଛନ୍ତି ସେ ।

 

ମନିଷା ହୁଏତ ଆତ୍ମହତ୍ୟା କରିଥିବ, କିନ୍ତୁ ସେଦିନର ଅନୁପମା ଜୀବନର ସବୁ ଯନ୍ତ୍ରଣାକୁ ହସରେ ଉଡ଼ାଇ ଦେବା ପାଇଁ ହାସ୍ୟମୟୀ ହୋଇ ଯାଇଛନ୍ତି । ଅନୁପମାର ମୃତ୍ୟୁ ହୋଇଛି । ବଞ୍ଚିଛନ୍ତି କିନ୍ତୁ ହାସ୍ୟମୟୀ । ପିତାଙ୍କ ଗୃହକୁ ଫେରି ନ ଯାଇ ସେ ରହି ଯାଇଛନ୍ତି କୋଳାହଳ ଭିତରେ । ଯଦି ସେଇଠି କେବେ ମିଳିଯାଏ ଧ୍ୟାନର ମଣିଷ !

 

ହାସ୍ୟମୟୀ କହିଥିଲେ ସେଦିନ - ଏତେବଡ଼ ପୃଥିବୀରେ ମୁଁ ଏଡ଼େ ନିଃସଙ୍ଗ, ଏଡ଼େ ଅଲୋଡ଼ା ଏହା ହୁଏତ ଆପଣ ବିଶ୍ୱାସ କରିପାରିବେ ନାହିଁ, କିନ୍ତୁ ଏହା ସୂର୍ଯ୍ୟାଲୋକ ପରି ସତ୍ୟ ।

 

ତାଙ୍କର ସତ୍ୟ କାହାଣୀ ଅତ୍ୟନ୍ତ ମନଦେଇ ଶୁଣିଥିଲା ମନୋଜ । ସେଇଦିନୁ ହାସ୍ୟମୟୀଙ୍କ ମୁଖାତଳୁ ସେଇ ଅନୁପମାକୁ ପୁଣି ଆବିଷ୍କାର କରିବାପାଇଁ ଉଦ୍ୟମ ଅବ୍ୟାହତ ରଖିଛି ମନୋଜ ।

 

ସେ କିନ୍ତୁ ଭଗ୍ନୀ ସମ୍ମୋହିନୀଙ୍କୁ ଦେଖି ଚମକିପଡ଼ିଲା ଏବଂ ଅସ୍ପଷ୍ଟ ଭାବରେ ହେଲେ ବି ତା’ ମୁହଁରୁ ଉଚ୍ଚାରିତ ହେଲା - ଶା-ସ୍ୱ-ତୀ ।

 

ଶାଶ୍ୱତୀ ମୁହଁ ଉପରେ ଆଙ୍ଗୁଳି ଜାକି ତାକୁ ନୀରବ ରହିବାକୁ ଇଙ୍ଗୀତ କରି କହିଲା, ବାବା ଆସିଚନ୍ତି । ଆପଣଙ୍କ କଥା କହିଛି ତାଙ୍କୁ । ଅପେକ୍ଷା କରନ୍ତୁ ।

 

ଶାଶ୍ୱତୀର ଲମ୍ୱା କେଶ ସମ୍ପର୍କରେ ମନୋଜ ଶୁଣିଥିଲା ତାଙ୍କରି ପାଖରୁ । ସେଇ ଲମ୍ୱା କେଶ କିନ୍ତୁ ଆଉ ନାହିଁ, ଶାଶ୍ୱତୀ ବବ୍‌କରି ଦେଇଛି । ଯାହା ସହଜ, ସ୍ୱଚ୍ଛନ୍ଦ ଏବଂ ସାବଲୀଳ ତାହାହିଁ ଜୀବନଚର୍ଯ୍ୟାର ମାଧ୍ୟମ । ସବୁକିଛି ଛାଡ଼ି ଯେତେବେଳେ ସେ ଆସିପାରିଲା ଆଉ ଗୋଟେ ନୂଆ ପୃଥିବୀକୁ ସେତେବେଳେ ପୁରୁଣା ମନ, ପୁରୁଣା କେଶ ଓ ଅଙ୍ଗବାସ ରଖନ୍ତା କେମିତି ଯେ... ! ଦେହଟାକୁ ବଦଳାଇବାର ଉପାୟ ନାହିଁ, ତଥାପି ଅନେକ ବଦଳିଛି ଶାଶ୍ୱତୀ, ଆହୁରି ସୁନ୍ଦର ଏବଂ ଚିକ୍‌କଣ ଦିଶୁଛି କିନ୍ତୁ ମୁହଁ ଉପରେ ପୂର୍ବର ସ୍ନିଗ୍‌ଧ ମଧୁର ହସ ଆଉ ଶୋଭା ପାଉନି, ବିଷର୍ଣ୍ଣତା ଢାଙ୍କି ରଖିଛି ମୁହଁକୁ ଯେମିତି ସକାଳର ସୂର୍ଯ୍ୟକୁ ଢାଙ୍କିରଖେ ମେଘ ।

 

ମନୋଜ କହିଲା - ଆଶ୍ରମର ଖବର କଅଣ ?

 

ଶାଶ୍ୱତୀ ଶୁଆ ପରି ସେଇ ଗୋଟିଏ ଉତ୍ତର ଦେଲା - ଦିବ୍ୟଧାମରେ କେବଳ ଆନନ୍ଦ... ଅନାବିଳ ନିର୍ମଳ ଅବାରିତ ଆନନ୍ଦ ।

 

ମନୋଜ ଚାହିଁଲା ତା’ ମୁହଁକୁ । ସେ ମୁହଁରେ ଆଉ ପୂର୍ବର ଲଜ୍ଜା ନାହିଁ କି ଅନୁରାଗିଣୀର ପ୍ରଲେପ ନାହିଁ । ଯାହା ଅଛି ତାହା ସହଜଲବ୍‌ଧ ସୁଷମା ପରି ସମ୍ମୋହନ କରେ କିନ୍ତୁ ସ୍ଥାୟୀ ହୁଏ ନାହିଁ ।

 

ମଣିଷ ଯଦି ନଶ୍ୱର ସେ ଅବିନଶ୍ୱର ହବାପାଇଁ ଏତେ ଚିନ୍ତା କରିବ କାହିଁକି ଯେ ... ! ସୁଯୋଗ ପାଇ କହିଲା ସେ !

 

ଅଳ୍ପ ସମୟ ଅପେକ୍ଷା କରିବା ପରେ ଡାକରା ଆସିଲା ଉପରୁ । ମନୋଜକୁ ଆଗେଇଦବାବେଳେ କହିଲା ଶାଶ୍ୱତୀ, ମୋତେ ସମ୍ମୋହିନୀ କହିବାକୁ ଭୁଲି ନ ଯାଆନ୍ତି ଯେପରି ।

 

ମନୋଜ ଈଷତ୍‌ ହସିଲା, କିଛି କହିଲା ନାହିଁ । ଏଥର ବାବା ପ୍ରବୁଦ୍ଧାଚାର୍ଯ୍ୟଙ୍କୁ ଏକ ନୂତନ ମୁଦ୍ରାରେ ଦେଖିଲା ମନୋଜ ।

 

ସେ ପୁଷ୍ପଗୁଚ୍ଛ ଆସନ ପାଖରେ ରଖି ଆଣ୍ଠୁମାଡ଼ି ପ୍ରଣାମ କଲା ।

ପ୍ରବୁଦ୍ଧାଚାର୍ଯ୍ୟ ଆଖି ଖୋଲି କହିଲେ - ପରମାନନ୍ଦ ପ୍ରାପ୍ତ ହୁଅ .... ।

 

ସେ ଦର୍ଶନ ଦେଇଥିବାରୁ ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରି ମନୋଜ ତାଙ୍କର ଭ୍ରମଣ ସୁଖମୟ ହୋଇଛି କି ନାହିଁ ଜିଜ୍ଞାସା କରିବାରୁ ବାବା କହିଲେ ଯେ ପୃଥିବୀର ସବୁସ୍ଥାନ ଆନନ୍ଦଧାମ । କେବଳ ମାର୍ଗ ନ ଜାଣି ଧନ୍ଦି ହେଉଥିବା ଲୋକ ଦୁଃଖ ପାଆନ୍ତି, ଯନ୍ତ୍ରଣା ଭୋଗ କରନ୍ତି । ଯିଏ ସୁମାର୍ଗରେ ଚାଲେ ତା’ର କେବଳ ଆନନ୍ଦ, ଅଖଣ୍ଡ ଆନନ୍ଦ । ନିବୃତ୍ତିରେ ନୁହେଁ ପ୍ରବୃତ୍ତିକୁ ଚରିତାର୍ଥ କରି ସୁଖର ଅଧିକାରୀ ହୋଇପାରିବ ମଣିଷ । ନିବୃତ୍ତି ମାର୍ଗରେ ଅଛି ନିଜକୁ ନିଗୃହୀତ କରିବାର ନିର୍ଯ୍ୟାତନା, ମନକୁ ବାନ୍ଧି ରଖିବାର ନିଃପୀଡ଼ନ । ଭୋଗରେ ହିଁ ତୃପ୍ତି । ଆଗରେ ପ୍ରାପ୍ତିର ସୁଖ ନ ଥାଏ; କିନ୍ତୁ ଥାଏ ହରାଇବାର ଅବସାଦ । ପୃଥିବୀର ଦୁଃଖ ଶୋକରୁ ପରିତ୍ରାଣ ପାଇବାର ଏକମାତ୍ର ପଥ ନିଜର ସମସ୍ତ କାମନାବାସନାକୁ ଚରିତାର୍ଥ କରିବା । ଯଦି ଇଚ୍ଛା ହେଉଛି ସ୍ନାନ ନ କରି ଭୋଜନ କରିବା ପାଇଁ, ତାହାହିଁ କର । ଇଚ୍ଛାକୁ ଦମନ କରି ଅଯଥା ମନକୁ କଷ୍ଟ ଦିଅ ନାହିଁ । ଯଦି ନାରୀ ସହିତ ସହବାସ ପାଇଁ ଅଭିଳାଷ ଅଛି ତାହା ପୂର୍ଣ୍ଣକର - ସେଥିରେ ପୂର୍ଣ୍ଣତା ପାଇବ । କେହି ବଡ଼ ନୁହେଁ କି ଛୋଟ ନୁହେଁ । ନାରୀ ଓ ପୁରୁଷ ନଦୀର ଦୁଇଟି ଧାର । ଦୁଇଧାରର ମିଳନ ହିଁ ସଙ୍ଗମ । ସଙ୍ଗମ ହିଁ ସମ୍ଭୋଗ । ଆଉ ସମ୍ଭୋଗ ହିଁ ପ୍ରାପ୍ତି । ପ୍ରାପ୍ତି ହିଁ ତୃପ୍ତି । ତୃପ୍ତି ତ ସୁଖ ! ସୁଖର ଶୀର୍ଷବିନ୍ଦୁ ଆନନ୍ଦ । ପୂର୍ଣ୍ଣ ଆନନ୍ଦ ହିଁ ପରମାନନ୍ଦ ।

 

ମନୋଜ ପ୍ରବଚନ ଶୁଣିସାରି ଆଉଥରେ ପ୍ରଣାମ କଲା । ସେ ବାବାଙ୍କ ବାଣୀ ତାଙ୍କ ଅନୁମତି ନେଇ ଟେପ୍‌କରି ନେଇଛି ।

 

ବାବା ତା’ ହାତକୁ କିଛି ମିଷ୍ଟାନ୍ନ ବଢ଼ାଇଦେଇ କହିଲେ - ଆଜିଠାରୁ ତୁମେ ଦିବ୍ୟଧାମର ଶୁଭେଚ୍ଛୁ, ସମର୍ଥକ । ଯେତେବେଳେ ଇଚ୍ଛା ହେବ ଚାଲି ଆସିବ ଆଶ୍ରମକୁ । ଯଦି କେବେ ସ୍ୱତଃସ୍ଫୁର୍ତ୍ତ ପ୍ରେରଣା ଜାତ ହୁଏ ମନରେ ଦୀକ୍ଷା ନବାପାଇଁ ତୁମେ ଆସିବ ନିସଂକୋଚରେ । ତୁମ ପାଇଁ ଦିବ୍ୟଧାମର ଦ୍ୱାର ସଦା ଉନ୍ମୁକ୍ତ ରହିବ ।

 

ପୁନର୍ବାର ସେଇ ନୂତନ ମୁଦ୍ରାରେ ଧ୍ୟାନସ୍ଥ ହୋଇ ଚକ୍ଷୁ ବନ୍ଦକଲେ ପ୍ରବୁଦ୍ଧାଚାର୍ଯ୍ୟ ।

ସୂଚନା ପାଇ ଉଠି ବସିଲା ମନୋଜ । ତା’ର ଅଭିଳାଷ ପୂର୍ଣ୍ଣ ହୋଇଛି ।

ହାସ୍ୟମୟୀ ତାକୁ ନିଜ ପ୍ରକୋଷ୍ଠକୁ ଡାକି ନେଇ କହିଲେ, ଆପଣ ଭାଗ୍ୟବାନ ... ।

 

ମନୋଜ କହିଲା, ଆଉ ଆପଣ ନୁହେଁ ... ତୁମେ କହି ନିକଟତର ହବାକୁ ଚେଷ୍ଟା କର । ମୁଁ ତ ତାଲିକାରେ ନାମ ଲେଖାଇ ସାରିଲିଣି ।

 

ତାକୁ ଚୁପ୍‌ ହବାକୁ ଇଙ୍ଗୀତ ଦେଇ କହିଲେ ହାସ୍ୟମୟୀ - ଆଜି ମାଧ୍ୟହ୍ନରେ ଆଶ୍ରମ ବାହାରକୁ ଯିବା ପାଇଁ ଅନୁମତି ପାଇଛି ମୁଁ । ଯେଉଁ ବ୍ୟବସାୟୀ ପୁତ୍ରେଷ୍ଟି ଯଜ୍ଞ କରାଇବାକୁ ଆସିବେ ରବିବାର ଦିନ, ତାଙ୍କ ସ୍ତ୍ରୀଙ୍କ ସହିତ ଆଳାପ ପରିଚୟ କରି ଆସିବି । ତୁମର ଠିକଣା ଦିଅ, ମୁଁ ଆପେ ଆପେ ପହଞ୍ଚିଯିବି ।

 

ମନୋଜ ହଠାତ୍‌ କହି ପକାଇଲା, ମୁଁ ଏକା ଥାଏ ଘରେ... ଯିବ ?

ହାସ୍ୟମୟୀ ହସର ଢେଉ ଖେଳାଇ - ବାଘ କି ଭାଲୁ ନୁହେଁ - ତୁମେ ତ ମଣିଷ !

ମନୋଜ ବିଦାୟ ନେଇ ଚାଲି ଆସିଲା ତଳକୁ ।

ଶାଶ୍ୱତୀ ଅପେକ୍ଷା କରୁଥିଲା ।

 

ତା’ ହାତକୁ କ୍ୟାମରା ଏବଂ ବ୍ରିଫ୍‌କେଶ୍‌ଟା ବଢ଼ାଇଦେଇ କହିଲା ଶାଶ୍ୱତୀ, ଏଠାରେ ନୁହେଁ ଯାହା କହିବାର ଥିଲା ସବୁ କହି ଦେଇଛି ଚିଠିରେ । କ୍ୟାମେରା ଖୋଲିଲେ ପାଇବେ ।

 

ମନୋଜ ଆଉ କିଛି ନ କହି ନିର୍ଗତ ହୋଇଥିଲା ଆଶ୍ରମ ଭିତରୁ । ଭଗ୍ନୀ ସମ୍ମୋହିନୀ ଅନାଇ ରହିଲେ ତା’ ଯିବା ପଥକୁ ।

 

ହାସ୍ୟମୟୀ ଠିକ୍‌ ସମୟରେ ପହଞ୍ଚିଗଲେ ।

 

ମନୋଜ ଝାଡ଼ିଝୁଡ଼ି ପରିଷ୍କାର କରିଥିଲା ବସିବା କୋଠରୀ । ଫୁଲଦାନୀରେ ପାଣି ରଖି ସଜାଇ ଦେଇଥିଲା ଗୁଚ୍ଛାଏ ରଜନୀଗନ୍ଧା ।

 

- ଏଇ ମୋର ଘର ଢୋକ ଗିଳି କହିଲା ସେ ।

ତୁମେ ଏକା ରୁହ, ନିଃସଙ୍ଗ ଲାଗେନି ?

- ଲାଗେ...କିନ୍ତୁ ଚାରା କଅଣ ଅଛି କୁହ । ଇମିତି ବୋଧହୁଏ ସରିଯିବ ଜୀବନ ।

- ନୈରାଶ୍ୟବାଦର ସ୍ଥାନ ନାହିଁ ଆମ ଧର୍ମରେ......ଏକଥା ମନେଅଛି ତ !

ଆଶା ଦୂରାଶରେ ପରିଣତ ହେଉଛି ଯେତେବେଳେ, ଆଉ ଉପାୟ କ’ଣ ଯେ.... ।

- ଆଶା ରଖ । ଦିନେ ପୁଣି ହସିବ ତୁମର ପୃଥିବୀ ।

- ସେଦିନ ସବୁ କହିବି ବୋଲି କହିଥିଲ..... ।

- ଧୈର୍ଯ୍ୟ ଅଛି ଶୁଣିବାକୁ ?

- ହଁ, କହିଯାଅ ..... ।

 

ଭଗ୍ନୀ ନିବେଦିତା ସମ୍ପର୍କରେ ତୁମ ମନରେ ସଂଶୟ ଜାତ ହୋଇଥିବ ନିଶ୍ଚୟ । କେଡ଼େ ପ୍ରଗଳ୍‌ଭ ଏବଂ ପ୍ରଫୁଲ୍ଲିତା ଥିଲେ ସେ । ତାଙ୍କ ଅନୁପସ୍ଥିତିରେ ନୀରସ ଲାଗୁଚି ।

 

- କୁଆଡ଼େ ଗଲେ ସେ ?

- କେଉଁ ନର୍ସିଂହୋମରେ ଅପେକ୍ଷା କରୁଥିବେ ।

- ନର୍ସିଂହୋମରେ ?

 

- ହଁ ଯେଉଁମାନେ ସନ୍ତାନସମ୍ଭବା ସେମାନଙ୍କୁ ରଖାଯାଏନି ଆଶ୍ରମରେ । ସେଥିପାଇଁ ବାବା ନିଜେ ଯାଇଥିଲେ ତାଙ୍କର ସୁବ୍ୟବସ୍ଥା କରିବା ପାଇଁ ।

 

- ଡେଲିଭରି ପରେ ପୁଣି ଫେରି ଆସିବେ ?

 

- ନାଁ ଆଉ ନୁହେଁ । ସେ ଅନ୍ୟତ୍ର ରହିବେ । ତାଙ୍କର ଭରଣପୋଷଣ ପାଇଁ ବ୍ୟବସ୍ଥା କରାଯାଇଛି ।

 

- ଇମିତି ସମସ୍ତଙ୍କ ପାଇଁ କରାହୁଏ ?

- ହଁ । ବାବା ଏକ ସମୟରେ ଜଣକ ସହିତ ଘନିଷ୍ଠ ହୁଅନ୍ତି ।

- ଏହାପରେ ?

- ମନ୍ଦାକିନୀ ଅଛନ୍ତି । ତାଙ୍କ ଉପରେ ବାବାଙ୍କର ଦାୟିତ୍ୱ ପଡ଼ିଛି ବର୍ତ୍ତମାନ ।

- ତା’ ପରେ ?

- ତା’ ପରର କଥା କହିବା ପାଇଁ ତ ଏଠାକୁ ଆସିଛି !

ବ୍ୟାକୁଳ ଭାବରେ କହିଲେ ହାସ୍ୟମୟୀ ।

- କୁହ ।

- ମୋ ପାଳି ତା’ ପରେ...

ଆତଙ୍ଗରେ ଶିହରି ଉଠିଲା ମନୋଜ ।

- ତୁମ ପାଳି !

- ହଁ, ମୋ ଉପରେ ଦୃଷ୍ଟି ପଡ଼ି ନ ଥିଲେ ମୋର ପଦନ୍ନୋତି ହୋଇ ନ ଥାନ୍ତା ।

- ପଦନ୍ନୋତିର ଏଇ ନିୟମ ?

- ହଁ ।

ମନୋଜ ସ୍ତବ୍‌ଧ ହୋଇ ରହିଗଲା କିଛିକ୍ଷଣ ।

 

ହାସ୍ୟମୟୀ କହିଲେ – ଦିବ୍ୟଧାମକୁ ଯିଏ ଥରେ ଆସେ ଫେରିବାର ସବୁ ପଥ ଚିରଦିନ ବନ୍ଦ ହୋଇଯାଏ ତା’ ପାଇଁ । କିନ୍ତୁ ମୁଁ କଅଣ ଏୟା । ଚାହିଁଥିଲି ଏଇ ସ୍ୱର୍ଗ ଖୋଜୁଥିଲି ସୁଖରେ ରହିବା ପାଇଁ ।

 

ସ୍ୱର ଭାଙ୍ଗିଗଲା ତାଙ୍କର । ହାସ୍ୟମୟୀଙ୍କର ମୁହଁରେ ବିଷାଦର ଘନ ଅନ୍ଧାର ଲକ୍ଷ୍ୟକଲା ମନୋଜ ।

 

ସମବେଦନା ଜଣାଇବା ପାଇଁ ସେ ତାଙ୍କର ଗୋଟିଏ ହାତ ଟେକି ନେଇ ଆଉଁସିବାରେ ଲାଗିଲା ।

 

ହାସ୍ୟମୟୀ ସେହିପରି ଏକ ଲୟରେ ବସି ରହିଲେ, ଆଉ କିଛି କହିପାରିଲେ ନାହିଁ । ପ୍ରଥମେ ଟୋପା ଟୋପା, ତା’ ପରେ ବର୍ଷାର ଧାର ପରି ଝରି ପଡ଼ିଲା ଅଶ୍ରୁ ।

 

ମନୋଜ ତାଙ୍କୁ ନିଜ ଛାତି ଉପରକୁ ଆଉଜାଇ ନେଇ କହିଲା - ଭଗବାନ ବଡ଼ ଦୟାଳୁ ଅନୁ, ତାଙ୍କୁ ଧନ୍ୟବାଦ ଦିଅ ଯେ ଏଯାଏ ତୁମେ ଅକ୍ଷତ ଅଛ ।

 

- କାୟୋମନୋବାକ୍ୟରେ ଅଛି - କିନ୍ତୁ ସଂସାର ଦୃଷ୍ଟିରେ ମୁଁ ପତିତା ମୁଁ ଉଚ୍ଚିଷ୍ଟ... ।

- ନା, ନା, ସେକଥା କୁହ ନାହିଁ । ତୁମେ ପୁଷ୍ପପରି ନିର୍ମଳ, ନିଷ୍ପାପ ।

 

ହାସ୍ୟମୟୀ ମନୋଜର ଛାତି ଉପରେ ଏକ ନିଶ୍ଚିନ୍ତ ଆଶ୍ରୟ ପାଇ କାନ୍ଦିବାରେ ଲାଗିଲେ-

 

କିଛି ସମୟ ଲାଗିଲା ତାଙ୍କୁ ଶାନ୍ତ ହେବାପାଇଁ ।

 

ତାଙ୍କର ଲୁହଭିଜା ଚିବୁକରେ ଚୁମାଦେଇ କହିଲା ମନୋଜ, ଏଇ ମୋର ପ୍ରତିଶ୍ରୁତି...ତୁମେ ନିର୍ଭୟ ହୁଅ...ନିଶ୍ଚିନ୍ତ ହୁଅ....

 

- କିନ୍ତୁ ସେଇ ରାକ୍ଷସପୁରୀରେ ବେଶୀଦିନ ରହିଲେ ମୁଁ ପାଗଳ ହୋଇଯିବି । କିମ୍ବା ଆତ୍ମହତ୍ୟା କରିବି ।

 

- ମୋତେ କିଛି ସମୟ ଦିଅ ଅନୁ । ସବୁ ଠିକ୍‌ ହୋଇଯିବ ।

 

ହାସ୍ୟମୟୀଙ୍କୁ ସେଠାରେ ବସେଇ ରଖି ଭିତରକୁ ଯାଇ କିଛି ବିସ୍କୁଟ, ଫଳ, ମିଠା ନେଇ ଆସି ତାଙ୍କ ସାମନାରେ ରଖିଲା ମନୋଜ ।

 

- ଏଇଆ ଖାଇବାକୁ ଡାକିଥିଲ ?

 

-ନା, ନା, ଏ କିଛି ନୁହେଁ....ତୁମେ ତ ଆଶ୍ରମବାସିନୀ, କାଳେ ଆଉ କିଛି ଖାଇବ କି ନାହିଁ ବୋଲି ସାହସ ହେଲାନି ଯାଚିବା ପାଇଁ ।

 

- କଅଣ ଅଛି ଆଉ ?

ଚିକେନ୍‌ କଟ୍‌ଲେଟ୍‌, କବାବ...

ଏସବୁ ଉଠେଇ ନେଇ ସେଇସବୁ ଆଣ ।

ଖାଇବ ? ଆଶ୍ଚର୍ଯ୍ୟ ହୋଇ କହିଲା ମନୋଜ ।

- ନିଶ୍ଚୟ । ତୁମେ ଜାଣିନି ବୋଧହୁଏ ଯେ ଖାଇବାରେ ବାଛବିଚାର ନାହିଁ ଆଶ୍ରମରେ ।

- ନୂଆ ଶୁଣୁଛି । ଭଲ ହେଲା .....ଆଇ ଆମ୍‍ ହ୍ୟାପି...

ନାରଣକୁ କଟଲେଟ ଏବଂ କବାବ ଗରମକରି ଆଣିବାକୁ କହିଲା ମନୋଜ ।

ସେତେବେଳକୁ ପୁଣି ମୁହଁ ଉପରକୁ ହସ ଫେରି ଆସିଥାଏ ହାସ୍ୟମୟୀଙ୍କର ।

-ସ୍ମଗଲ୍‌ଡ଼ ଗୁଡ଼୍‌ସ କେଉଁଠି ରଖାଯାଏ ?

 

-ମୁଁ ବି ସଠିକ୍‌ ଜାଣେନି । କିନ୍ତୁ ବାବାଙ୍କ ବ୍ୟକ୍ତିଗତ ତତ୍ତ୍ୱାବଧାନରେ କାରବାର ହେବାର ସୂଚନା ପାଇଛି ।

 

-ରେଡ଼୍‌ କଲେ ମିଳିବ କିଛି ?

 

- ମେଟାଲ ଡିଟେକ୍ଟର ଏବଂ ଅନ୍ୟାନ୍ୟ ଆଧୁନିକ ପ୍ରଣାଳୀରେ ଅନୁସନ୍ଧାନ କଲେ ହୁଏତ ମିଳିପାରେ ।

 

- ଅନ୍ତପୁର ଖୋଲିବାର ଏବଂ ରହସ୍ୟ କଅଣ ?

 

ଧର୍ମର ଅନ୍ଧପୁଟୁଳି ବାନ୍ଧି, ବିଶ୍ୱାସର କଳାପଟି ପିନ୍ଧେଇ, ଏଇ ବ୍ୟଭିଚାର ଚାଲିବ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଆମ ଲୋକଙ୍କର ବିଶ୍ୱାସ ଅଛି ଏଥିରେ... । ଶିକ୍ଷିତ ସମ୍ଭ୍ରାନ୍ତ ଲୋକଙ୍କର ଆସ୍ଥା ଅଛି ।

 

- ସତରେ ସେଇ ବ୍ୟବସାୟୀ ଆସିବ ସ୍ତ୍ରୀକୁ ନେଇ ?

 

- ତା’ ପରେ କାମ ସାରି ଫେରୁଛି ତୁମ ଘରକୁ । ବାବାଙ୍କ ଅଲୌକିକ ଶକ୍ତି ଉପରେ ଅଗାଧ ବିଶ୍ୱାସ ହିମ୍ମତଲାଲ ରଘୁବୀରର ରହିଛି । ସେ ନିଃସନ୍ତାନ । ବାହା ହେବାର ଚଉଦ ବର୍ଷ ହେଲାଣି । ଆଉ ଅପେକ୍ଷା କରିବା ଅବସ୍ଥାରେ ସେ ନାହିଁ । ନିଜର ମେଦବହୁଳ ଶରୀରରେ ସେଥିପାଇଁ ସାମର୍ଥ୍ୟ ବି ବୋଧହୁଏ ନାହିଁ ।

 

- ପୁତ୍ରେଷ୍ଟି ଯଜ୍ଞର ହୋତା କିଏ ?

- ନିଜେ ବାବା ।

 

-ତା’ ପରେ ପୁତ୍ରେଷ୍ଟି ଯଜ୍ଞ ସମ୍ପର୍କରେ ଯେଉଁ କାର୍ଯ୍ୟପଦ୍ଧତି ପ୍ରସ୍ତୁତ ହୋଇଛି ତାହା ବର୍ଣ୍ଣନା କଲେ ହାସ୍ୟମୟୀ । ହିମ୍ମତଲାଲ ରଘୁବୀର ନୀଜ ସ୍ତ୍ରୀ ସହିତ ଆସି ସାତଦିନ କୋଠରୀରେ ରହିବେ ଆଶ୍ରମରେ । କିନ୍ତୁ ଦୁହେଁ ଗୋଟିଏ କୋଠରିରେ ନ ରହି ଦୁଇଟି ଭିନ୍ନ ଭିନ୍ନ କୋଠରିରେ ରହିବେ । ବାବା ପ୍ରତିଦିନ ରାତି ଏଗାରଟାରେ ଯଜ୍ଞ ଆରମ୍ଭ କରିବେ । ତାହା ଶେଷ ହେବ ସକାଳ ଚାରିଟାରେ । ସେ ସମୟ ମଧ୍ୟରେ ରଘୁବୀର ବାହାରକୁ ଆସିବା ମନା ।

 

- ହଁ ।

- ତା’ ପରେ ?

 

ସାତଦିନ ପୂର୍ଣ୍ଣହେଲେ ପୂର୍ଣ୍ଣାହୂତି ଦିଆଯିବ । ସେଦିନ ବାବାଙ୍କୁ ପ୍ରଣାମ କରି ଦଶ ହଜାର ଏକ ଟଙ୍କା ପ୍ରଣାମ ଦେଇ ସସ୍ତ୍ରୀକ ବିଦାୟ ନେବ ରଘୁବୀର ।

 

- ଏଇ ରାଜଧାନୀର ହୃତ୍‌ପିଣ୍ଡ ଉପରେ ବସି ଲୋକଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ଏଇ ବ୍ୟଭିଚାର କରିଯିବ ବାବାଜୀ ? ଉତ୍ତ୍ୟକ୍ତ ହୋଇ କହିଲା ମନୋଜ ।

 

ତୁମେ ବୋଧହୁଏ ଜାଣିନି... ସେ ତନ୍ତ୍ରମନ୍ତ୍ର ଜାଣନ୍ତି କିଛି । ନ ହେଲେ ବଡ଼ ବଡ଼ ନେତା, ଅଫିସର ଆସନ୍ତେନି ତାଙ୍କ ପାଖକୁ ।

 

- କଅଣ ପାଇଁ ଆସନ୍ତି ?

 

- ଜଣେ ପୂର୍ବତନ ମନ୍ତ୍ରୀ ଆଉଥରେ ମନ୍ତ୍ରୀ ହବାର ବାସନା ନେଇ ବାବଙ୍କର ଶରଣ ଯିବାକୁ ତାଙ୍କ ପାଇଁ ବ୍ୟାଘ୍ରଚର୍ମ ଉପରେ ବସି ବାବା ଯେଉଁ ଯନ୍ତ୍ର ତିଆରି କରି ଦେଇଛନ୍ତି ତାହା ପାଇ ସେ ମେଦିନୀ କମ୍ପାଇବାକୁ ଆରମ୍ଭ କଲେଣି ।

 

- ଶ୍ୟାମାନନ୍ଦ ସାହୁଙ୍କ କଥା କହୁଛ ?

- ହଁ ।

 

- ଶ୍ୟାମାନନ୍ଦ ତ ଫତୁର ପ୍ରାୟ । ଦକ୍ଷିଣା ଦବାପାଇଁ ବୋଧହୁଏ କିଛି ନ ଥିଲା ହାତରେ... ।

 

- ସେ ଅନ୍ୟ ଦକ୍ଷିଣା ଦେଇଛନ୍ତି ।

- ଶୁଣିବାରେ ବାଧା ଅଛି ?

 

- ନା ! ତୁମକୁ କହିବାରେ ଆଉ କିଛି ବାଧା ନାହିଁ । ଶାଶ୍ୱତୀକୁ ସେ ଅପହରଣ କରି ଉପହାର ଦେଇଥିଲେ ବାବାଙ୍କୁ ।

 

- ବାଷ୍ଟାର୍ଡ଼...

- ରାଗନି...ଇମିତି ଅନେକ ହେଉଛି...

- ମାନେ ?

 

- ଜଣେ ଅଫିସର ଉତ୍କୋଚ ନବାବେଳେ ଧରାପଡ଼ି ସସ୍‌ପେଣ୍ଡ ହୋଇଥିଲେ । ନିଶ୍ଚିନ୍ତ ଭାବରେ ତାଙ୍କର ଚାକିରି ଯିବାର କଥା । କିନ୍ତୁ କଅଣ ହେଲା ?

 

- କଅଣ ହେଲା ?

- ସସ୍‌ପେନସନ ରଦ୍ଦ ହେଲା ଏବଂ ସେ ପ୍ରମୋସନ ପାଇଲେ ।

- କିମିତି ?

 

- ସେ ବାବାଙ୍କ ଶରଣ ପଶିଲେ । ତାଙ୍କ ସ୍ତ୍ରୀକୁ ନ ଦେଖିଲେ ଦୁଇଟି ସନ୍ତାନର ଜନନୀ ହୋଇ ବି ଚାଳିଶ ବର୍ଷ ବୟସରେ ଇମିତି ଅତୁଟ ସ୍ୱାସ୍ଥ୍ୟ ଓ ଶ୍ରୀର କେହି ଅଧିକାରିଣୀ ହୋଇପାରେ ତାହା ବିଶ୍ୱାସ କରିହେବ ନାହିଁ । ସେଇ ଅଫିସରଙ୍କ ହାକିମଙ୍କର ଆଖି ଥିଲା ତାଙ୍କ ସ୍ତ୍ରୀଙ୍କ ଉପରେ । ହାକିମ ବାବାଙ୍କ ଭକ୍ତ । ବାବା ମାଧ୍ୟମ ଏଠାରେ । ହାକିମ ଯାହା ଚାହୁଁଥିଲେ ସେତକ ପାଇଲେ । ପରମାନନ୍ଦର ତୃପ୍ତି ଏ ଯାଏ ପାଉଛନ୍ତି । ଭଦ୍ରମହିଳା ସ୍ୱାମୀ ଏତକ କରନ୍ତେ ତ... ।

 

- ସବୁ ସମ୍ଭବ ଏ ଦେଶରେ । ଦୀର୍ଘଶ୍ୱାସ ତ୍ୟାଗ କରି କହିଲା ମନୋଜ ।

- କିନ୍ତୁ ତୁମେ ଅସମ୍ଭବ ହୋଇଯିବନି ତ ?

- ନା, ନା, ।

 

ଖିଆ ସରିଥିଲା ସେତେବେଳକୁ । କଫି ପିଇବା ପୂର୍ବରୁ ମନୋଜ କହିଲା ମନେରଖିବା ଭଳି କିଛି ନବ ନି ?

 

ଲଜ୍ଜାମିଶା ହସ ହସି କହିଲେ ହାସ୍ୟମୟୀ..ନା, ସବୁ ସଞ୍ଚିତ କରି ରଖ...ସେତେବେଳେ ଅକୃପଣ ଭାବରେ ଦାନ କରିବ... ।

 

ମନୋଜ ତାଙ୍କ ହାତକୁ କଫି କପଟା ବଢ଼ାଇ ଦେଇ କହିଲା, ରାମଚନ୍ଦ୍ର ଯେପରି ଯୁଦ୍ଧ କରି ରାବଣକୁ ହତ୍ୟାକରି ଉଦ୍ଧାର କରିଥିଲେ ସୀତାଙ୍କୁ, ମୁଁ ଠିକ୍‌ ସେହିପରି କରିବି ଅନୁ... ।

 

ହାସ୍ୟମୟୀ ମନୋଜର ହାତରେ ଚାପ ଦେଇ କହିଲେ - ଆଜିଠାରୁ ହାସ୍ୟମୟୀର ମୃତ୍ୟୁ ହୋଇ ଅନୁପମା ଜୀବନ୍ୟାସ ପାଉ । ରାଜି ?

 

ଅନୁପମାର ଓଠ ଉପରେ ଚୁମାଟିଏ ଆଙ୍କିଦେଇ କହିଲା ମନୋଜ- ରାଜି...ରାଜି...ରାଜି... ।

 

ଏକାମ୍ରପୁରୀର ଇତିହାସରେ ଯେଉଁମାନଙ୍କର ନାମ ଲିପିବଦ୍ଧ ହୋଇଚି ସେମାନଙ୍କର ଜୀବନୀ ଏବଂ ଘଟଣାପ୍ରବାହକୁ ସମୀକ୍ଷା କଲେ ବାରମ୍ବାର ସେଇ ଗୋଟିଏ ସିଦ୍ଧାନ୍ତରେ ଉପନୀତ ହେବାକୁ ହୁଏ । ସେଇ ସିଦ୍ଧାନ୍ତଟି ଏହି ଯେ ଯୁଗେ ଯୁଗେ ନୀତି ଓ ଆଦର୍ଶ ପାଇଁ ଏହି ମାଟି ରକ୍ତରଞ୍ଚିତ ହୋଇଚି । ଥରେ ନୁହେଁ ଅନେକ ଯୁଦ୍ଧ ପ୍ରତ୍ୟକ୍ଷ କରିଛି ଭୁବନେଶ୍ୱର । ଗୋଟିଏ ନୁହେଁ ଏକାଧିକ ଧର୍ମ ଓ ଆଦର୍ଶର ଉତ୍‌ଥାନ ହୋଇଚି ଯେପରି ପତନ ବି ହୋଇଚି ସେହିପରି । ଚଣ୍ଡାଶୋକ ଧଉଳିଗିରିରେ ରୂପାନ୍ତରିତ ହୋଇ ହୋଇଗଲେ ଅଶୋକ । ଆଜୀବନ ଯୁଦ୍ଧ ଜୟ କରି ଆସିଥିବା ଏହି ମହାବିକ୍ରମଶାଳୀ ସମ୍ରାଟ୍‍ କଳିଙ୍ଗ ଯୁଦ୍ଧ ଜୟ କରି ବି ପରାଜୟ ବରଣ କଲେ । ଚିରଦିନ ପାଇଁ ଯୁଦ୍ଧକୁ ରାଷ୍ଟ୍ରନୀତି ଭାବରେ ବିସର୍ଜନ ଦେଇ ସେ ପ୍ରଚାର କଲେ, ଅହିଂସା, ଶାନ୍ତି, ଦୟା ଓ କ୍ଷମା । ରାଜଶକ୍ତି ପ୍ରଜାପୀଡ଼ନରେ ବିନିଯୋଗ ନ ହୋଇ ପ୍ରଜାଙ୍କର ମଙ୍ଗଳ ନିମନ୍ତେ ବ୍ୟବହୃତ ହେଲା ।

 

କଳିଙ୍ଗ ଯୁଦ୍ଧର ପରାଜୟ ଗ୍ରହଣ କରିପାରି ନ ଥିଲେ କଳିଙ୍ଗର ଅଧିବାସୀମାନେ । ସେଥିପାଇଁ ଶତାଧିକ ବର୍ଷ ପରେ ତା’ର ପ୍ରତିଶୋଧ ନେବା ପାଇଁ ମଗଧ ସାମ୍ରାଜ୍ୟକୁ ଜୟ କରି ତା’ ପରେ ବି ଉତ୍ତର-ଭାରତର ବିଶାଳ ଭୂଖଣ୍ଡ ଜୟକରି କଳିଙ୍ଗ ସମ୍ରାଜ୍ୟର ବିଜୟକେତନ ଉଡ଼ାଇଲେ ଖାରବେଳ । ସେହିଦିନଠାରୁ ଏଯାବତ୍‌ ଇତିହାସର ପୁନଃ ପୁନଃ ପୁନରୁକ୍ତି ହୋଇଛି ଏଠାରେ ।

 

ଇତିହାସର କୋଳ ମଣ୍ଡନକରି ଓଡ଼ିଆ କେତେବେଳେ ଆଗେଇ ଯାଇଛି ତ ଇତିହାସକୁ ବିକଳାଙ୍ଗ କରି କେତେବେଳେ ପଛେଇ ଆସିଛି । ଉତ୍କଳର ଆଦର୍ଶ, ଏହି ବୀରଭୂମିର ଗୌରବ ଏହାର ପରମ୍ପରା ଓ ସଂସ୍କୃତିର ଅଖଣ୍ଡତା ବିପନ୍ନ ହୋଇଛି; କିନ୍ତୁ ଧ୍ୱଂସ ପାଇଯାଇ ନାହିଁ । ଅଜ୍ଞାତକୁ ଜାଣିବାପାଇଁ, ଅମଡ଼ା ପଥ ମାଡ଼ିବାପାଇଁ, ଅଜେୟକୁ ଜୟ କରିବା ପାଇଁ ମଣିଷର ଅଦମନୀୟ ଉଦ୍ୟମର ଫଳାଶ୍ରୁତି ପୂରି ରହିଛି ଓଡ଼ିଶା ମାଟିରେ ।

 

ରାଜାରାଣୀ ମନ୍ଦିର ଦେଖିବା ପାଇଁ ଯାଇଥିବା ଦଳେ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାର ଶିଳ୍ପନୈପୁଣ୍ୟ ସମ୍ପର୍କରେ ସମ୍ୟକ୍‍ ବିବରଣୀ ଦେଉଥିବାବେଳେ ଜଣେ ବିଦେଶିନୀ, ମାର୍ଗାରେଟ୍‌କିଙ୍ଗ ପଚାରିଲେ ସେଇ ତରୁଣ ଗାଇଡ଼କୁ – ଅତୀତରେ ଏଇ ସମୃଦ୍ଧ ଉତ୍କଳ ବିଷୟ ଚିନ୍ତା କଲେ ଆଜି ସେଇ ଭୂମିରେ ଓଡ଼ିଆର ଦୁର୍ଦ୍ଦଶା ଦେଖି କାନ୍ଦିବାକୁ ଇଚ୍ଛା ହୁଏ । କର୍ପୁର ଉଡ଼ିଯାଇଛି, କନା ଖଣ୍ଡକ ପଡ଼ିରହିଚି କେବଳ ।

 

ରାଜରାଣୀର ଅଳସକନ୍ୟା, ଉତ୍ତରେଶ୍ୱରର ରତି ଓ ପ୍ରୀତି ସହିତ କାମ, ମୁକ୍ତେଶ୍ୱରର ତୋରଣ ଓ ନଟରାଜ, ପାପନାଶିନୀର ହାତୀ ଶୋଭାଯାତ୍ରା, କପିଳେଶ୍ୱରର ନୃତ୍ୟାଙ୍ଗନା ଦେଖି ବିଦେଶୀର ଚକ୍ଷୁବିସ୍ମୟରେ ଅଟକିଯାଏ ନିଷ୍ଫଲକ ହୋଇ । ଅପୂର୍ବ ଶିଳ୍ପନୈପୁଣ୍ୟ, ଅନିନ୍ଦ୍ୟ ପ୍ରସ୍ତର ଆଲେଖ୍ୟ । ମଣିଷର ମନୀଷା ଏବଂ ସୃଜନଶୀଳତାର ଚରମ ଉତ୍କର୍ଷତା ଫୁଟିଉଠିଛି ଶିଳା ଦେହରେ । ଓଡ଼ିଆ ଶିଳ୍ପକଳା, ଓଡ଼ିଆ ଶିଳ୍ପୀ, ଓଡ଼ିଆର ଅବିସ୍ମରଣୀୟ ପ୍ରତିଭା ଆଜି ଇତିହାସର ବିଷୟ । ହାୟ, ହାୟ !

 

ମାର୍ଗାରେଟ୍‌ କହିଲା, ‘‘ମୋତେ ଆଉ ସ୍ୱଦେଶକୁ ଫେରିବାଯିବାକୁ ଇଚ୍ଛା ହେଉନି । ମନ ହେଉଛି ରହିଯାଆନ୍ତି ଏଠାରେ । ପୁରୀର ସୁନୀଳ ସାଗର, କୋଣାର୍କର କଳାନୈପୁଣ୍ୟ, ଭୁବନେଶ୍ୱରର ଶିଳ୍ପଚାତୁରୀ, ଆଉ ସିମିଳିପାଳର ସବୁଜ ଅଭୟାରଣ୍ୟ ଛାଡ଼ି କାହାରି ଚାଲିଯିବାକୁ ଇଚ୍ଛା ହୁଏନି ।’’ ତାକୁ ସାନ୍ତ୍ୱନା ଦବା ଭଙ୍ଗୀରେ କହିଲା ଆନନ୍ଦ ।

 

ଟୁରିଷ୍ଟ ବସ୍‌ରେ ଭୁବନେଶ୍ୱର ଏବଂ ପାଖଆଖରେ ଥିବା ଦର୍ଶନୀୟ ସ୍ଥାନ ସବୁ ଦେଖିସାରି ଯେତେବେଳେ ସେମାନେ ଫେରି ଆସିଲେ ହୋଟେଲକୁ, ନିରାକାର ଅପେକ୍ଷା କରୁଥିଲା ହୋଟେଲ ଲାଉଞ୍ଜରେ ।

 

ନିରାକାରକୁ ସେମାନଙ୍କ ସହିତ ପରିଚିତ କରାଇଦବା ପରେ ବିଦାୟ ନେଇ ଚାଲିଗଲା ଆନନ୍ଦ ।

 

ଆସନ୍ତାକାଲି ସକାଳେ ଉଡ଼ାକଳରେ ସେମାନଙ୍କର ଦିଲ୍ଲୀ ହୋଇ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବାର କଥା ।

 

ମାର୍ଗାରେଟ୍‍ର କୋଠରିକୁ ଯାଇ ତାକୁ ନିଭୃତରେ ନିଜର ଯୋଜନା କଥା କହିଲା ନିରାକାର ।

 

ମାର୍ଗାରେଟ୍‍ ଉଚ୍ଛ୍ୱାସିତ ହୋଇ କହିଲା - ସେଇ ଅଳସକନ୍ୟା; କାମ ସହିତ ରତି ଓ ପ୍ରୀତି ଏବଂ ଗୋଟେ କି ଦୁଇଟା ମୈଥୁନ ଚିତ୍ର ଦେଇପାରିବ ? ମୂଲ୍ୟ ବଡ଼ କଥା ନୁହେଁ, ବଡ଼ କଥା ହେଉଛି କିପରି ତୁମେ ଦବ ଏବଂ ମୁଁ କିପରି ନେବି । ଥରେ ଦିଲ୍ଲୀ ବା ବମ୍ବେ ପହଞ୍ଚିଗଲେ କାମ ଫତେ, ଭୟ ନାହିଁ ।

 

ନିରାକାର ସବୁ ଭାବିଚିନ୍ତି ଆସିଥିଲା । ସେ ମାର୍ଗାରେଟ୍‍ର କହିବା ଅନୁସାରେ ଓଡ଼ିଶାର ଶିଳ୍ପନୈପୁଣ୍ୟର ନିଦର୍ଶନସ୍ୱରୂପ ସେହି ମୂର୍ତ୍ତିଗୁଡ଼ିକୁ ନୀଳାଚଳ ଏକ୍‌ସପ୍ରେସ୍‌ରେ ଦିଲ୍ଲୀ ପଠାଇବାର ପ୍ରସ୍ତାବ କଲା । ମାର୍ଗାରେଟ୍‍ କହିଲା, ଏଥିରେ ଧରାପଡ଼ିବାର ସମ୍ଭାବନା ନାହିଁତ ? ନିରାକାର ତାକୁ ଆଶ୍ୱସ୍ତ କରି ଆମୂଳଚୁଳ କହିଗଲା କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ । ଟ୍ରାଭେଲ୍‌ ଏଜେଣ୍ଟ ମାଧ୍ୟମ-। ତାଙ୍କର ଲୋକ ରହିଛି ଦିଲ୍ଲୀ ଓ ବମ୍ବେରେ । ପୂର୍ବରୁ ଅନେକ ମୂର୍ତ୍ତି ପଠାଇଛି ନିରାକାର । ଇଏ ପ୍ରଥମ ନୁହେଁ । ଧରାପଡ଼ିବାର ଆଶଙ୍କା ନାହିଁ । ପୁଲିସ୍‍ ଏବଂ ପ୍ରତ୍ନତତ୍ତ୍ୱ ବିଭାଗରେ ବିଶ୍ୱସ୍ତ ଲୋକ ଅଛନ୍ତି । ସେମାନେ ସାହାଯ୍ୟ କରିବେ ।

 

ମାର୍ଗାରେଟ୍‌ ଖୁସିହୋଇ ଦଶହଜାର ଟଙ୍କା ଦେଲା ନିରାକାରକୁ ।

ନିରାକାର ତା’ପରେ ଫିସ୍‌ ଫିସ୍‌ କରି କହିଲା ଚରସ କିଛି ନବ ମ୍ୟାଡ଼ାମ୍‌ ?

 

ମାର୍ଗାରେଟ୍‍ କହିଲା, ଦିଲ୍ଲୀ ପର୍ଯ୍ୟନ୍ତ ପଠାଇବାର ଦାୟିତ୍ୱ ତୁମର । ତା’ ପୂର୍ବରୁ କିଛି ହେଲେ କ୍ଷତି ତୁମର ।

 

ରାଜି ହୋଇ ଗଲା ନିରାକାର ।

 

ଚରସ ଏବଂ ପଥରମୂର୍ତ୍ତିଗୁଡ଼ିକୁ ପାର୍ସଲରେ ପଠାଇବାର ସ୍ଥିର କରି ସେ କୋଡ଼ିଏ ହଜାର ଟଙ୍କା ବ୍ରିଫ୍‌କେସ୍‌ରେ ନେଇ ହୋଟେଲ ଶାନ୍ତି ଛାଡ଼ିବାବେଳକୁ ଘଡ଼ିରେ ଏଗାରଟା ବାଜିଥିଲା-

 

ଓଡ଼ିଆମାନଙ୍କର ପରଶ୍ରୀକାତରତା ଦେଖି କ୍ଷୁର୍ଣ୍ଣ ହୁଏ ନିରାକାର । ସେ ସାମାନ୍ୟ କିରାଣୀରୁ ଲକ୍ଷପତି ହେଲାଣି ବୁଦ୍ଧିବଳରେ, ଅନ୍ୟ କାହାରି ଦୟାରୁ ନୁହେଁ ।

 

ଆଉ ଘରକୁ ଫେରିବାର ବେଳ ନାହିଁ । ସିଧା ସେ ଗଲା ଶହୀଦ ନଗରର ହରବଂଶ ସିଂର ଗୋଦାମକୁ । ମାନବ ମହାନ୍ତି କିଛି ନ କରି ବି ତିନିଭାଗ ଲାଭ ମାରି ନିଅନ୍ତି ବୋଲି ଆଉ ତାଙ୍କ ଗୋଦାମକୁ ନ ଯାଇ ସର୍ଦ୍ଦାରଜୀର ଗୋଦାମକୁ ଗଲା ନିରାକାର । ସର୍ଦ୍ଦାରଜୀ ପୋଖତ ଲୋକ, କୌଶଳ ଜାଣେ ବ୍ୟବସାୟର । ତାକୁ ଠକିବା ଯେପରି ଅସମ୍ଭବ ସେ ବି ଯେ କାହାକୁ ଠକେ ନାହିଁ ଏହା ମଧ୍ୟ ନିରୋଳା ସତ୍ୟ । ନୀତି ରକ୍ଷା କରି କିପରି ବଡ଼ ହେବାକୁ ହୁଏ ସେଇ ମାର୍ଗ ଜାଣେ ସର୍ଦ୍ଦାରଜୀ ।

 

ଏତେ ରାତିରେ ତାକୁ ଦେଖି ଆଶ୍ଚର୍ଯ୍ୟ ହେଲାନି ସର୍ଦ୍ଦାର ହରବଂଶ ସିଂ । ବାରଟା ପରେ ଦୋକାନ ଖୋଲେ କାରବାର ପାଇଁ । ନିରାକାର ଅଧଘଣ୍ଟାଏ ଆଗରୁ ଆସିଛି । କିଛି ସମୟ ତା’ ସହିତ ଖୁସିଗପ କରି ଏବେ ବିଜିନେସ ମାନ୍ଦା ପଡ଼ି ଯାଇଥିବା କଥା କହିଲା ସେ । ଧରପଗଡ଼ ବଢ଼ୁଚି । ଭୁବନେଶ୍ୱରରୁ ମାଲ ପଠାଇବାରେ ଅସୁବିଧା ଦେଖା ଦିଏନି ସତ; କିନ୍ତୁ ଦିଲ୍ଲୀ ଓ ବମ୍ବେରୁ ଆମଦାନୀ ରପ୍ତାନୀ ହେଉଥିବା ମାଲ ଉପରେ କଡ଼ା ନଜର ଦିଆଯାଉଛି । ସେ ନିଜେ କ୍ଷତିଗ୍ରସ୍ତ ନ ହୋଇଥିଲେ ବି ଅନ୍ୟମାନେ କ୍ଷତିଗ୍ରସ୍ତ ହେବାର ସମ୍ବାଦ ସେ ପାଇଛି ।

 

ସର୍ଦ୍ଦାର ହରବଂଶ ସିଂ ସ୍ୱାଧୀନତା ପରେ ପାକିସ୍ତାନ ଛାଡ଼ି ଭାରତବର୍ଷକୁ ଚାଲି ଆସିଥିଲା ଖାଲି ହାତରେ । ସାଙ୍ଗରେ ଆଉ କେହି ଆସି ପାରି ନ ଥିଲେ । ହଠାତ୍‌ ପଞ୍ଜାବ ସୀମାନ୍ତରେ ଅଚାନକ ଆକ୍ରମଣ ଫଳରେ ତା’ର ସ୍ତ୍ରୀ, ଦୁଇ ପୁଅ ଏବଂ ବୁଢା ବାପ ମୃତ୍ୟୁବରଣ କରିଥିଲେ । ସବୁ ହରାଇ ବି ବଞ୍ଚିବାର ଆଶା ହରାଇ ନ ଥିଲା ହରବଂଶ ଲାଲ । ସେ ବହୁ କଷ୍ଟରେ ଆହାର ନିଦ୍ରା ବର୍ଜନ କରି ପ୍ରଥମେ ମୁସଲମାନ ମୌଲବୀ ବେଶରେ ଭାରତ ସୀମାକୁ ଆସି ସେଠାରୁ ରେଳରେ ଚାଲି ଆସିଥିଲା ଦିଲ୍ଲୀ ଏବଂ ତା’ପରେ ସମ୍ବଲପୁର । ହୀରାକୁଦ ବନ୍ଧ ନିର୍ମାଣ ହେଉଥାଏ ସେତେବେଳେ । ସେଇ କାମ ଶେଷହେବା ପରେ ନିଜର ଟ୍ରକ୍‌ ଏବଂ ଆସବାବପତ୍ର ନେଇ ସେ ଚାଲିଆସିଲା ରାଜଧାନୀ ଭୁବନେଶ୍ୱରକୁ । ଏଠାରେ ବଞ୍ଚିବାର ବାଟ ପ୍ରଶସ୍ତ, ଧନ ଉପାର୍ଜନ କରିବାର ସମ୍ଭାବନା ପ୍ରଚୁର । ବେଳେ ବେଳେ ସେ ପରିହାସ ପରି ନିରାକାରକୁ କୁହେ ଯେ ଓଡ଼ିଆମାନେ ପଖାଳ ଖାଇ ସୁଖରେ ଦିବାନିଦ୍ରା ଉପଭୋଗ କରୁଥିବାବେଳେ ତା’ର ସ୍ଥାନଚ୍ୟୁତ ହେବାର ଆଶଙ୍କା ନାହିଁ, ବରଂ ଆସ୍ଥାନର ଆୟତନ ବଢ଼ିବାରେ ଲାଗିଚି ।

 

ସେ ଆଜି ବି ସେହିକଥା କହିଲା ନିରାକାରକୁ । ନିଜ ନିଜ ମଧ୍ୟରେ ଏତେ ବାଦ ବିସମ୍ବାଦ କାହିଁକି ? ଯୋର ଯାହାର ମୁଲକ ତାର, ନୀତି ତ ବଳବତ୍ତର ରହିଚି ଆଜିଯାଏ । ପର କିପରି ଧନ ଉପାର୍ଜନ କଲା ତା’ର ଅନୁସନ୍ଧାନ ନ କରି ନିଜେ କିଛି ଉପାର୍ଜନ କରିବାଲାଗି ଉଦ୍ୟମ କର ।

 

ନିରାକାର ସର୍ଦ୍ଦାରଜୀକୁ କହିଲା- ଜଣେ ଓଡ଼ିଆ ଆଉ ଜଣଙ୍କର ଉନ୍ନତି ଦେଖିପାରେ ନାହିଁ । ଓଡ଼ିଆ ଜାତି ଠିକ୍‌ କଙ୍କଡ଼ା ଜାତିପରି । କେହି କାହାକୁ ବାଟ ଛାଡ଼ିବାକୁ ନାରାଜ । ଯଦି କେହି ନିଜର ବିଦ୍ୟା ଓ ବୁଦ୍ଧି ବଳରେ ଉଠେ ତା’ ଗୋଡ଼ ଟାଣିବାକୁ ଅଭାବ ନାହିଁ ଲୋକଙ୍କର ।

 

ଗୋଦାମ ଘରେ ନିଭୃତରେ ବିଶେଷ ଭାବରେ ତିଆରି କରାଯାଇଥିବା ଦୁଇଟି ଟ୍ରଙ୍କ୍‌ରେ ପ୍ୟାକିଂ କରିସାରିବାବେଳକୁ ରାତି ଗୋଟାଏ ବାଜିଗଲା । ସକାଳେ ନୀଳାଚଳରେ ବୁକ୍ କରିବା ପାଇଁ ସବୁ ବ୍ୟବସ୍ଥା ଶେଷକରି ବାହାରିବାବେଳକୁ ବାଟ କାଟି ବିଲେଇଟିଏ ଚାଲିଯିବାରୁ ତାକୁ ରୋକିଦେଇ କହିଲା ସର୍ଦ୍ଦାରଜୀ, ଆଉ ଟିକିଏ ବସିଯାଅ ନିରାକାର ବାବୁ । ଆଉ ଗୋଟେ ବୋତଲ ଅଛି ଫ୍ରିଜ୍‌ରେ । ବେଶୀ ସମୟ ଲାଗିବନି ଖାଲି କରିଦେବାକୁ ।

 

ବୋତଲର ଠିପି ଖୋଲି ଦୁଇଟି ଗ୍ଲାସରେ ଢାଳିଲା ସର୍ଦ୍ଦାରଜୀ । ନିରାକାରର ମେଜାଜ୍‌ ଚଢ଼ା ହୋଇ ଆସିଲାଣି ସେତେବେଳେକୁ । ତଥାପି ମନା କରି ନ ପାରି ପିଇବାକୁ ଆରମ୍ଭ କଲା ସେ ।

 

ପ୍ରାୟ ଦୁଇଟାବେଳେ ଲୁନା ଉପରେ ବସି ଘର ଆଡ଼କୁ ମୁହାଁଇଲା ନିରାକାର ।

 

ଶହୀଦ ନଗର ଓ ସତ୍ୟ ନଗର ମଝିରେ ଯେଉଁ ପୋଲ ଅଛି ତାହା ଅତିକ୍ରମ କଲାବେଳେ ହଠାତ୍ ସାଇକେଲ ରାସ୍ତା ଉପରେ ରଖିଦେଇ ଦୁଇଜଣ ଅଜ୍ଞାତ ବ୍ୟକ୍ତି ଅଟକାଇ ଦେଲେ ନିରାକାରକୁ । ସେ ଲୁନା ଉପରୁ ଓହ୍ଲାଇପଡ଼ିବା ଆଗରୁ ଗୋଟେ ଧାରୁଆ ଅସ୍ତ୍ରଦ୍ୱାରା ଜଣେ ଆଘାତ କଲା ତାକୁ । ସେଇ ଆଘାତର ତୀବ୍ରତା ସହ୍ୟକରି ନ ପାରି ଭୂଇଁ ଉପରେ କଚାଡ଼ି ହୋଇ ପଡ଼ିଲା ନିରାକାର । ସେ ନିଜକୁ ରକ୍ଷା କରିବାର କୌଣସି ଉପାୟ ଚିନ୍ତା କରିବା ପୂର୍ବରୁ ଆଉଜଣେ ଭୁଜାଲିଟା ଭୁଷିଦେଲା ତା’ ଛାତିରେ ।

 

ଏତିକିବେଳେ ବାଣୀବିହାର ଆଡ଼ୁ ଏକ ମୋଟର ଆସୁଥିବାର ଦେଖି ଅତତାୟୀମାନେ ସାଇକେଲ ଛାଡ଼ି ଲୁଚିଗଲେ ଧାନବିଲ ଭିତରେ ।

 

ପୁଲିସ୍‍ ଜିପ୍‌ଟା ତାହାରି ପାଖରେ ବ୍ରେକ କସି ଛିଡ଼ା ହେବାବେଳକୁ ତା’ର ମୁର୍ମୂଷୁ ଅବସ୍ଥା । ପୁଲିସ୍‍ ଜିପରେ ତାକୁ ହସ୍‌ପିଟାଲ ପଠେଇ ଦେଇ ଦୁଇଜଣ ସଶସ୍ତ୍ର ପୁଲିସ୍‍ ଜଗିରହିଲେ ସେହି ସ୍ଥାନ ।

 

ପୁଲିସ୍‍ ଜିପ୍‌ରୁ ନିରାକାରକୁ କାଜୁଆଲିଟିକୁ ନବା ପରେ ପରେ ସେ ମୃତ ବୋଲି ଘୋଷଣା କଲେ ଡାକ୍ତର ।

 

ଶହୀଦ ନଗରରେ ଜମି ବଣ୍ଟନ ରହସ୍ୟର ଏକ ସମ୍ପୂର୍ଣ୍ଣ ବିବରଣୀ ବହୁଳ ଭାବରେ ପ୍ରସାରିତ ଏକ ଜାତୀୟ ସମ୍ବାଦପତ୍ରରେ ପ୍ରକାଶିତ ହେବା ପରେ ପ୍ରଶାଶନିକ ସ୍ତରରେ ତୁମୁଳ ଆଲୋଡ଼ନ ଦାଖାଦେଲା । ସରକାରୀ ନଥିପତ୍ରର ଅବିକଳ ନକଲ ଫାଇଲରୁ କିପରି କିଏ ନେଲା ସେହି ବିଷୟ ନେଇ ଅନୁସନ୍ଧାନ ମଧ୍ୟ ଲାଗିଗଲା । କିନ୍ତୁ ଏହି ଗୋଟିଏ ବିଷୟ ଯେ ଏବର୍ଷର ପ୍ରଶାସନିକ ଦୁର୍ବଳତାର ଏବଂ ପ୍ରୀୟାପ୍ରୀତି ତୋଷଣର ସବୁଠାରୁ ବଡ଼ ଚମକପ୍ରଦ ନିଦର୍ଶନ - ଏକଥା ହାଟରେ ବାଟରେ ଅଫିସରେ ଏବଂ ରେସ୍ତୋଁରାରେ ଆଲୋଚିତ ହେବାକୁ ଲାଗିଲା ।

 

ସରକାର ବିଷୟଟିକୁ ଗ୍ରହଣ କରିଯାଇ ନୀରବ ରହିବେ ଏବଂ ଏପରି ଘଟଣା ଯେପରି ଆଉ ନ ଘଟେ ସେଥିପ୍ରତି ସମସ୍ତ ସତର୍କତା ଅବଲମ୍ବନ କରିବେ ନା ସମ୍ବାଦପତ୍ରରେ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ କରି ଅଭିଯୋଗକୁ ଖଣ୍ଡନ କରିବେ ସହସା କିଛି ସ୍ଥିର କରିପାରିଲେ ନାହିଁ । ଯାହା ପ୍ରକାଶ ପାଇଛି ତାହା ଯେ ସମ୍ପୂର୍ଣ୍ଣ ସତ୍ୟ ଏଥିରେ ଦ୍ୱିମତ ନ ଥିବାବେଳେ କାଳେ ନୀରବ ରହିଲେ ମୌନ ସମ୍ମତିର ଲକ୍ଷଣ ବୋଲି ଯଦି ସମସ୍ତେ ଧରି ନିଅନ୍ତି ନିର୍ବାଚନ ବର୍ଷରେ ସରକାର ଅଡ଼ୁଆରେ ପଡ଼ିଯାଇ ପାରନ୍ତି । କେତେକ ପରାମର୍ଶ ଦେଲେ, ପ୍ରେସ୍ ବିଜ୍ଞପ୍ତି ଦେଇ ବିଷୟଟି ଅତିରଞ୍ଜିତ ଏବଂ ଅଭିଯୋଗ ଅଭିସନ୍ଧିମୂଳକ ଏତିକି ଅନ୍ତତଃ କୁହାଯାଉ । କିନ୍ତୁ ବହୁ ତର୍କ ବିତର୍କ ଏବଂ ଆଲୋଚନା ପରେ ସିଦ୍ଧାନ୍ତ କରାଗଲା ଯେ ଏପରି ଗୋଟିଏ ବିବୃତି ଦିଆଯିବ ଯେଉଁଥିରେ ସ୍ୱୀକାର ବା ଅସ୍ୱୀକାର ନ କରି ଏତିକି କୁହାଯିବ ଯେ ପ୍ରଶାସନିକ ଅନୁସନ୍ଧାନ ପରେ ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ସେ ଯେତେ ଉଚ୍ଚପଦବୀରେ ଥାଆନ୍ତୁନା କାହିଁକି, ତାଙ୍କୁ ଆଇନ ଅନୁସାରେ ଦଣ୍ଡ ଦେବାକୁ ସରକାର ପଶ୍ଚାଦ୍‌ପଦ ହେବେ ନାହିଁ । ଲୋକଙ୍କର ସ୍ମୃତିଶକ୍ତି ସ୍ୱଳ୍ପ, ଅଳ୍ପଦିନ ପରେ ବିସ୍ମୃତି ଗର୍ଭରେ ଲୀନ ହୋଇଯିବ ଏହି ଘଟଣା । ନିର୍ବାଚନ ପରେ ଲୋକେ ଭୁଲିଯିବେ ଏହି କଥା ।

 

କିନ୍ତୁ ଏତେ ପରିଶ୍ରମ କରି ଯେଉଁ ତଥ୍ୟ ସଂଗ୍ରହ କରିଛି ମନୋଜ ତା’ର ସମ୍ପୂର୍ଣ୍ଣ ଉପଯୋଗ କରିବା ନିମନ୍ତେ ଠିକ୍ ଦୁଇ ସପ୍ତାହ ପରେ ସେହି ସମ୍ବାଦପତ୍ରରେ ସେହି ବିଷୟରେ ଅଧିକ ପ୍ରମାଣିକ ତଥ୍ୟ ଦେଇ ଆହୁରି ଏକ ଦୀର୍ଘ ଅଗ୍ରଲେଖା ପ୍ରକାଶ କଲା ସେ । ଏହି ଅଗ୍ରଲେଖା ପ୍ରକାଶ ପାଇବା ପରେ ପରେ ଆଉ ନୀରବ ହୋଇ ବସି ନ ରହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଆସିଲା ଉପରୁ ।

 

ଏହି ଘଟଣା ସହିତ ସମ୍ପୃକ୍ତ ଅନେକ ବଡ଼ ବଡ଼ ବ୍ୟକ୍ତି ବିଷୟଟିକୁ ଚାପିଦେବା ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ ଚେଷ୍ଟା କଲେ ବି ସମ୍ପୂର୍ଣ୍ଣ ସଫଳ ନ ହେବାରୁ ମନୋଜ ଉପରେ ପ୍ରତିଶୋଧ ନେବାପାଇଁ ପ୍ରସ୍ତୁତ ହେବାକୁ ଲାଗିଲେ ।

 

ପ୍ରକାଶ ପଟ୍ଟନାୟକ ସେଦିନ ଅପରାହ୍ନରେ ହଠାତ୍ ଜିପ୍ ଛିଡ଼ା କରାଇ ଯେତେବେଳେ ପଶିଆସିଲା ଘର ଭିତରକୁ ସେତେବେଳେ ମନୋଜ ବସି ବସି ବହି ପଢ଼ୁଥିଲା ନିରୁଦ୍‌ବିଘ୍ନ ମନରେ-। ସେହି ଉପନ୍ୟାସର ପୃଷ୍ଠା ଯେତିକି ବଢ଼ୁଥିଲା ସେତିକି ନଗ୍ନ ହୋଇ ଦେଖାଯାଉଥିଲା ମନୋଜର ଅସଲସ୍ୱରୂପ, ତାର ସର୍ବଗ୍ରାସୀ ଲୋଭ, ହିଂସା ଏବଂ ନୀଚତାର ରୂପ । ତା’ ହାତରୁ ବହିଟା ଛଡ଼େଇ ନେଇ କହିଲା ସଦର ଥାନାର ପୁଲିସ୍‍ ଇନିସ୍‌ପେକ୍ଟର ପ୍ରକାଶ ପଟ୍ଟନାୟକ- ଆକାଶ ତେଣେ ମୁଣ୍ଡ ଉପରେ ଖସି ପଡ଼ିବାକୁ ବସିଲାଣି ଏଣେ ବସି ବସି ଉପନ୍ୟାସ ପଢ଼ୁଚୁ ଯେ... ।

 

ପ୍ରକାଶ ଏବଂ ମନୋଜ ସହପାଠୀ ।

 

ମନୋଜ ଉଠିପଡ଼ି ବନ୍ଧୁକୁ କୁଣ୍ଢେଇ ପକେଇ କହିଲା, ଯୁଗଟିଏ ପରେ ତୋତେ ଦେଖିବା ପରି ଲାଗୁଛି... ଭଲ କଲୁ ଚାଲି ଆସିଲୁ । କାହା ମୁଣ୍ଡ ଉପରେ ଆକାଶ ଛିଡ଼ୁଚି ଶୁଣେ !

 

ପ୍ରକାଶ ଭଲକରି ନିରୀକ୍ଷଣ କଲା ମନୋଜକୁ, କୌଣସି ପରିବର୍ତ୍ତନ ଆଖିରେ ପଡ଼ିଲା ନାହିଁ କିମ୍ବା ତା’ର ମୁହଁ ଉପରେ କୌଣସି ଭାବାନ୍ତର ଲକ୍ଷ୍ୟ କଲାନି ସେ । ଠିକ୍ କଲେଜରେ ପଢ଼ିବାବେଳେ ଯେମିତି ଥିଲା ଏବେବି ସେମିତି ରହିଯାଇଛି- ଏ ଗୁଡ଼୍ ସାମାରିଟାନ୍... ଚିନ୍ତା ନାହିଁ, ଭାବନା ନାହିଁ...ବେପରବାୟ....କିନ୍ତୁ ପରକୁ ଆପଣାର କରିବାପାଇଁ ପ୍ରାଣପ୍ରଣେ ଚେଷ୍ଟା... ବନ୍ଧୁକୁ ସାହାଯ୍ୟ କରିବା ଲାଗି ଦୁଃସାହସ...ଏବଂ ରହସ୍ୟ ଉନ୍ମୋଚନ କରି ସତ୍ୟ ପ୍ରକାଶ ପାଇଁ ଅପ୍ରତିହତ ଉଦ୍ୟମ... । କାମଗୁଡ଼ା ସବୁ କର୍ତ୍ତବ୍ୟ ହୋଇଯାଏ ତା’ ପାଖରେ । ସେଥିପାଇଁ ଛାତ୍ରାବସ୍ଥାରେ ଯେପରି ସେ ସାମ୍‌ନା କରୁଥିଲା ବିପଦକୁ ଏବେ ବି ସେଥିରେ କିଛି ପରିବର୍ତ୍ତନ ହୋଇ ନାହିଁ ।

 

ପ୍ରକାଶ ହାତକୁ ଗୋଟେ ସିଗାରେଟ ବଢ଼ାଇ ଦେଇ ଆଉ ଗୋଟେ ନିଜେ ନେଇ ପ୍ରଥମେ ବନ୍ଧୁର ଏବଂ ତା’ ପରେ ନିଜର ସିଗାରେଟରେ ଅଗ୍ନି ସଂଯୋଗ କଲା ମନୋଜ ।

 

ତା’ ପରେ ଆଉ ଖବର କ’ଣ କହ ? କଳେ ଧୂଆଁ ଛାଡ଼ି କହିଲା ମନୋଜ ।

 

ଦୁନିଆର ଦୁର୍ଭାବନା ବୋଧହୁଏ ସ୍ପର୍ଶ କରେନି ଏଇ ଲୋକଟିକୁ । ମଣିଷର ମୃତ୍ୟୁ ନିଶ୍ଚିତ ଜାଣି ମଧ୍ୟ ଦିନେ କାତର ହୁଏନି ଏଇ ଲୋକଟି । ସେ ଯେପରି ଭଦ୍ର ମଣିଷର ମୁଖା ଖୋଲି ତା’ର ଅସଲ ରୂପଟିକୁ ସମସ୍ତଙ୍କୁ ଦେଖାଇ ଦବାପାଇଁ ନିଜ ପାଖରେ ଅଙ୍ଗୀକାରବଦ୍ଧ ।

 

ପ୍ରକାଶ କହିଲା - ତୁ ଏଣେ ନିଶ୍ଚିନ୍ତରେ ଉପନ୍ୟାସ ପଢ଼ୁଥା ତେଣେ ତୋ ବିରୁଦ୍ଧରେ ଯେ ବଡ଼ଧରଣର ଷଢ଼ଯନ୍ତ୍ର ଚାଲିଚି ସେ ଖବର ପାଇଛୁ କି ନାହିଁ ?

 

ମନୋଜ ଚୌକିରେ ଆଉଜିପଡ଼ି ପାଦ ଦୁଇଟିକୁ ଟେବୁଲ ଉପରେ ରଖି ଉପରକୁ ଧୂଆଁ ଛାଡ଼ି କହିଲା- ଶିକାରୀ ଯଦି ବାଘକୁ ମାରି ନ ଦେଇ କେବଳ ଘାଏଲ କରି ଛାଡ଼ିଦିଏ, ବାଘ ପଳେଇ ଯିବାର ଛଳନା କରି ପାଖରେ କାହିଁ ଛକିରହି ପଞ୍ଝା ପକାଏ ଝାମ୍ପ ଦବାପାଇଁ । ସେମାନେ ଯଦି କିଛି ନ କରି ଚୁପ୍ ହୋଇ ବସନ୍ତେ, ମୁଁ ଭାବନ୍ତି ଯେ ସେମାନେ ମଣିଷ ନୁହଁନ୍ତି କି ପଶୁ ନୁହଁନ୍ତି - ଅନ୍ୟ କିଛି ।

 

- କିନ୍ତୁ ଭାଇ ଶତ୍ରୁ ସୃଷ୍ଟିକରି ଲାଭ କଅଣ ? କହିଲା ପ୍ରକାଶ ।

 

- ଲାଭ କ୍ଷତିର ହିସାବ କରି ସବୁ କାର୍ଯ୍ୟ କରାଯାଏନିରେ ପ୍ରକାଶ ! ପ୍ରାୟ ଅଧିକାଂଶ ପୁଲିସ୍‍ ଅଫିସର ନିଜର ହାତ ଚିକ୍‌କଣ କରୁଥିବାବେଳେ ତୁ ନିଃସ୍ୱାର୍ଥପର ଭାବରେ କାମକରୁ କାହିଁକି ? ତୋ’ର ତ ଏତେ ଅଭାବ ଯେ, ସବୁ ପିଲାଙ୍କ ପାଇଁ ସୁଏଟର କିଣି ପାରିଲୁନି ଏବର୍ଷ...କିନ୍ତୁ ଖାଲି ଇଙ୍ଗିତ ଦେଇଥିଲେ ଦଶଟା ସୁଏଟର, ଫାଞ୍ଚଟା ସାଲ ଧରିଓ୍ୱାଲ ଆସି ତୋ ଘରେ ଦେଇଯାଇ ଥାଆନ୍ତା ।

 

ପ୍ରକାଶ କହିଲା - ଏ ଯୁଗର ଯନ୍ତ୍ରଣା ସହିବା ଲାଗି ବୋଧହୁଏ ଆମର ଜନ୍ମ । ସୁଖ ତ ଅନ୍ୟମାନେ ଲୁଟୁଚନ୍ତି...ଦୁଃଖ ପୁଣି ତ କେହି ସାଉଁଟିବ... !

 

ଆମେ ମୂର୍ଖରେ ପ୍ରକାଶ... ଠିକ୍ ଏଇ ଗଧ ପରି । ଦେଖୁନୁ ବୋଝ ବୋହି ବି କେମିତି ଚାଲିଚି ଗଧ... ପ୍ରତିବାଦ କରୁନି... ସେମିତି କେହି ତ ସମାଜର କିଛି କିଛି ବୋଝ ବୋହିବ ନିର୍ବିକାର ଚିତ୍ତରେ, ବିନା ପ୍ରତିବାଦରେ... ।

 

- ତୁ ଟିକେ ସାବଧାନ ହେ ଭାଇ...ଦେଖୁଚୁ ତ ପରିବେଶ କିପରି ବଦଳିବାରେ ଲାଗିଚି-। ଚତୁର୍ଦ୍ଦିଗରେ ହିଂସା... ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ପ୍ରତିଦିନ ଜନ୍ମ ନେଉଛନ୍ତି ଯେତେ ଦଳ ଅହଂସାରେ ଯେ କାହାରି ବିଶ୍ୱାସ ନାହିଁ ଏକଥା ସମସ୍ତେ ଜାଣନ୍ତି; କିନ୍ତୁ କେହି ସାହସ କରି କହିବେ ନାହିଁ ।

 

ଅନେକ ସମୟ ପର୍ଯ୍ୟନ୍ତ ଦୁଇ ବନ୍ଧୁ ବସି ଗଳ୍ପକଲେ । ବଦଳୁଥିବା ପରିବେଶ, ପରିବର୍ତ୍ତିତ ପରିସ୍ଥିତି, ନଷ୍ଟ ହେଉଥିବା ସମ୍ପର୍କ, ଭାଙ୍ଗୁଥିବା ବିଶ୍ୱାସ ଏବଂ ମଣିଷର ମହାନୁଭବତା ତା’ର ସାହସ, ଉଦାରତା ଏବଂ ତ୍ୟାଗ କରିବାର ଶକ୍ତି ସବୁ କିପରି ଅନ୍ତର୍ହିତ ହୋଇଯାଉଚି ଏବଂ ଦିଗ୍‌ରାଜମାନଙ୍କ ସ୍ଥାନରେ କିପରି ସର୍ବତ୍ର ବାମନ ଦର୍ଶନ ହେଉଛି ସେ ବିଷୟରେ ବହୁ ଆଲୋଚନା କଲେ ଦୁଇବନ୍ଧୁ । ସେତିକିବେଳେ ମନୋଜ ପ୍ରକାଶଠାରୁ ଶୁଣିଲା ଯେ ରାଜଧାନୀରେ ଜମି ବଣ୍ଟନ ସମ୍ପର୍କରେ ସେ ଯେଉଁ ରିପୋର୍ଟ ପ୍ରକାଶ କରିଛି ତାହା ଅନେକଙ୍କର କ୍ରୋଧର କାରଣ ହୋଇଛି ।

 

ଶାସନ କଳ ଆହତ ବାଘ ପରି ପଞ୍ଝା ପଜାଉଛି, ଟିକେ ସୁବିଧା ପାଇଲେ ଝାମ୍ପ ଦବ ମନୋଜ ଉପରକୁ । ତା’ର ଜୀବିକାର୍ଜନରେ ବାଧା ଦବାପାଇଁ ମଧ୍ୟ ସେମାନେ ଅଭିଯାନ ଆରମ୍ଭ କରି ଦେଇଛନ୍ତି । ସେ ଚାକିରି କରିନି, ବା ସମ୍ବାଦପତ୍ରର ଦରମାଖିଆ ସାମ୍ବାଦିକ ନୁହେଁ, ସେ ଫ୍ରିଲାନ୍‌ସ ସାମ୍ବାଦିକ । ଯେତେବେଳେ ଯାହା ଇଚ୍ଛା ସେହି କାମ ହାତକୁ ନେବ, ଯାହା ଅନ୍ୟାୟ ଅନୀତି ବୋଲି ମନେକରିବ ତାହା ନିର୍ଭିକ ଭାବରେ ପ୍ରକାଶ କରିବ । ସେଥିରେ କେହି ନିନ୍ଦାକରୁ କି ସ୍ତୁତିକରୁ, ସେଥିରେ ସମ୍ମାନ ଓ ସମ୍ପଦର ଅଧିକାରୀ ହେଉ ବା ଦରିଦ୍ର ହେଉ ତାହା ତାକୁ କର୍ତ୍ତବ୍ୟ ପଥରୁ ବିଚ୍ୟୁତ କରିପାରିବ ନାହିଁ ।

 

କିନ୍ତୁ ସତ୍ୟର ମୁହାଁମୁହିଁ ହେବାକୁ ଡରନ୍ତି ଲୋକ । ନିଜ ଜୀବନରେ ନୀତିର ପ୍ରୟୋଗକୁ ଭୟ କରନ୍ତି ସେମାନେ । ଆଦର୍ଶ କେବଳ ପ୍ରଚାର ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ । ଏହାର ପ୍ରତିଷ୍ଠା ବା ଏହାକୁ ଅନୁସରଣ କରିବାରେ ଆନ୍ତରିକତା ବା ନିଷ୍ଠା ନାହିଁ । ମୂଲ୍ୟର ସୁରକ୍ଷା ପାଇଁ ତ୍ୟାଗ କରିବାକୁ ପ୍ରସ୍ତୁତ ନ ଥିବା ଲୋକ ମୂଲ୍ୟବୋଧ କଥା କହନ୍ତି । ସଂସ୍କାର ସହିତ ଯେଉଁ ପରିବର୍ତ୍ତନ ଆଶା କରାଯାଏ; ଯେଉଁ ଶୁଦ୍ଧତା ଜୀବନଚର୍ଯ୍ୟାକୁ ନିର୍ମଳ କରିବାରେ ସହାୟକ ହୁଏ ଏବଂ ଯେଉଁ ଉତ୍କର୍ଷତା ଅର୍ଜନ କରିବାଲାଗି ଅବିରତ ଉଦ୍ୟମ କରିବା ଆବଶ୍ୟକ ସେଥିପାଇଁ ତିଳେମାତ୍ର ଆଗ୍ରହ ନ ଥିବା ବ୍ୟକ୍ତି ସଂସ୍କୃତିର କଥା କହନ୍ତି । ଯାହା ନିଜ ଜୀବନରେ ପ୍ରୟୋଗ କରିବା ଲାଗି ଅସୁବିଧାଜନକ ବା ଅସମ୍ଭବ ମନେହୁଏ ଅନ୍ୟମାନେ ତାହା ଜୀବନଚର୍ଯ୍ୟାରେ ପରିଣତ କରନ୍ତୁ - ଏହା ଆଶା କରିବା ଛଳନା ଛଡ଼ା ଆଉ କିଛି ନୁହେଁ । କହିବା ଓ କରିବା ମଧ୍ୟରେ ପାର୍ଥକ୍ୟ ଯେତିକି ବଢ଼ିବାରେ ଲାଗିଛି ସେତିକି ବଢ଼ିବାରେ ଲାଗିଚି ଅଶାନ୍ତି, ଅସ୍ଥିରତା, ହିଂସା ଏବଂ ମତାନ୍ଧତା । ଯୀଶୁଖ୍ରୀଷ୍ଟ ବା ଗାନ୍ଧୀ ଥରେ ନିହତ ହୋଇ ନାହାନ୍ତି, ପ୍ରତିଦିନ ନିହତ ହେଉଛନ୍ତି ।

 

ପ୍ରକାଶ କହିଲା - ତୋ ପଛରେ ପଡ଼ିଛନ୍ତି ସେମାନେ । କଳେବଳେ କୌଶଳେ ତୋତେ ବଦ୍ଧ କରିବା ପାଇଁ ତାଗିଦ ଆସୁଛି ଉପରୁ ।

 

- ମୁଁ କିନ୍ତୁ ଆଇନ ଭାଙ୍ଗେନି, କି ଟିକସ ଫାଙ୍କି ଦିଏନି ପ୍ରକାଶ ।

- ନିର୍ଦ୍ଦୋଷ ବ୍ୟକ୍ତି ଦଣ୍ଡ ପାଇବାର ଦୃଷ୍ଟାନ୍ତ ତ ଅନେକରେ ମନୋଜ !

 

- ଯଦି ଦୋଷ ନ କରି ବି ଜେଲ୍ ଯିବାକୁ ହୁଏ ଯିବି, ମରିବାକୁ ହୁଏ ମରିବି । ବେଶ୍ ମନେପଡ଼ିଗଲା ତୋ କଥା ଶୁଣି । ନିରାକାରର ହତ୍ୟା ବିଷୟରେ କିଛି ସୂତ୍ର ମିଳିଲା ? ଦିବ୍ୟଧାମର ସେହି ଭାଇ ପ୍ରେମାନନ୍ଦଙ୍କ ହତ୍ୟା ସମ୍ପର୍କରେ ଅନୁସନ୍ଧାନ ଶେଷ ହେଲା ?

 

- ଅନୁସନ୍ଧାନ ଚାଲିଚି । ଶେଷ ହୋଇ ଯାଆନ୍ତାଣି କୋଉଦିନୁ; କିନ୍ତୁ ଉପରୁ ଚାପ ପଡ଼ୁଚି । ଯେତେ ସମ୍ଭବ ଡେରି କରିବାକୁ କୁହାଯାଉଛି । ଆଉ ଏ କଥାର ବି ସୂଚନା ଦିଆଯାଉଛି ଯେ, ଯାହାକୁ ଦୋଷୀ ବୋଲି ସନ୍ଦେହ କରାଯାଉଛି ସେ ପ୍ରକୃତରେ ଦୋଷୀ ନୁହେଁ...ଅନ୍ୟ କେହି...-

 

- ସେମିତି କିଛି କିଛି ଶୁଣିଥିଲି ମୁଁ । କିନ୍ତୁ ଉପରୁ ଚାପ ପକାଇ ହତ୍ୟାକାଣ୍ଡ ସମ୍ପର୍କିତ ଅନୁସନ୍ଧାନକୁ ଯଦି ଭଣ୍ଡୁର କରି ଦିଆଯାଏ ଆଇନ ଉପରୁ ଲୋକଙ୍କର ଶେଷ ସମ୍ମାନ ଟିକକ ବି ଚାଲିଯିବ । ଆଇନ ପ୍ରତି ଭୟ ରହିବ ନାହିଁ କି କ୍ଷମତା ପ୍ରତି ସମ୍ଭ୍ରମ ରହିବ ନାହିଁ । ଯାହା ଇଚ୍ଛା ତାହା କରିଯିବେ ଲୋକ । ସମାଜ ଭୁଶୁଡ଼ି ପଡ଼ିବ...

 

- କଅଣ କରିବି କହ । ଯଦି କୁଟୁମ୍ବ ପ୍ରତିପୋଷଣ କରିବାର ଅନ୍ୟପନ୍ଥା ଥାଆନ୍ତା ଚାକିରି ଛାଡ଼ି ସେୟା କରନ୍ତି । ସବୁ ଚାକିରି ତ ଏକାପରି । କଥାରେ ଅଛି ଚାକିରି ଚୋରି, ବଣିଜ ମିଛ... ।

 

- ତା’ ବୋଲି ମର୍ଡରକେସ ଚାପା ପଡ଼ିଯିବ ?

- ସେୟା ହବାକୁ ଯାଉଚି ତ.... !

 

- ମୁଁ କିନ୍ତୁ ଛାଡ଼ିବି ନାହିଁ । ମୋ ପାଖରେ ବି କିଛି ତଥ୍ୟ ଅଛି । ତୋତେ କିନ୍ତୁ ଟିକେ ସାହାଯ୍ୟ କରିବାକୁ ହେବ ପ୍ରକାଶ । ଅବଶ୍ୟ ଗୋପନୀୟତା ରକ୍ଷା କରିବାଲାଗି ମୁଁ ଶପଥ ନେଉଛି ତୋ ପାଖରେ ।

 

- ସେଇ ବାବା ସହିତ ତୋ’ର ଘନିଷ୍ଠତା ବଢ଼ୁଥିବାର ଖବର ମୋ ପାଖରେ ପହଞ୍ଚିଛି ।

 

ହସିଦେଇ କହିଲା ମନୋଜ ଘନିଷ୍ଠତା ନ କଲେ ଅନ୍ତପୁରର ରହସ୍ୟ ଜାଣିବି କିପରି ? ତୁ ପୁଲିସ୍‍ ଅଫିସର । ଚୋର ତସ୍କରଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ତୋ’ର ସମ୍ପର୍କ ନ ରହିଲେ ତୁ ଅଯୋଗ୍ୟ ବିବେଚିତ ହେବୁ । ସମ୍ପର୍କ ମାଧ୍ୟମ ମାତ୍ର । ଯେତେବେଳେ ଇଚ୍ଛା ଭାଙ୍ଗିଦେଇ ହେବ । ସାମ୍ବାଦିକର କାର୍ଯ୍ୟ ବି ଅନେକଟା ପୁଲିସ୍‍ର କାର୍ଯ୍ୟପରି ।

 

- ଯା’ ହେଉ ତୁ ବି ଟିକେ ସାବଧାନ ହେ । ତୁ ଅବତାର ହୋଇ ଜନ୍ମିନାହୁଁ ଯେ ଅନୀତି, ଦୁର୍ନୀତି, ମିଥ୍ୟାଚାର, ହତ୍ୟା ବିରୁଦ୍ଧରେ ସଂଗ୍ରାମ ଚଳାଇ ସତ୍ୟ, ନୀତି, ଶୃଙ୍ଖଳା ପ୍ରତିଷ୍ଠା କରିବୁ । ଟିକେ ଅଟକି ଯା.... । ପ୍ରତିପକ୍ଷ ପରାକ୍ରମଶାଳୀ, ସମସ୍କନ୍ଧ ନୁହେଁ । ଏଇକଥା କହିବାକୁ ଆସିଥିଲି ।

 

ମନୋଜ କହିଲା ଯାହା ପ୍ରକାଶ ପାଇଛି ଜମି ବଣ୍ଟନ ସମ୍ପର୍କରେ ତା’ଠାରୁ ବେଶୀ ତଥ୍ୟ ରହିଛି ମୋ ପାଖରେ । ଫଟୋଷ୍ଟାଟ୍‍ କରି ରଖିଛି ସବୁ । ପରେ ପରେ ପ୍ରକାଶ ପାଇବ । ଜାତୀୟ ସମ୍ପଦକୁ କେତେକ ସ୍ୱାର୍ଥନ୍ୱେଷୀ ବ୍ୟକ୍ତି ଲୁଟୁଥିବେ ଆଉ ଆମେ ଜଳକା ପରି ଅନେଇଥିବୁ ? ଆଉ ଏଇ ତଥାକଥିତ ବଡ଼ଲୋକ ଆଉ ବୁଦ୍ଧିଜୀବୀଙ୍କ କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବୁ । ସେ ପାଖରେ ‘ଦିବ୍ୟଧାମ’ ତ ଏ ପାଖରେ ‘ମୃତ୍ୟୁଞ୍ଜୟ’ । ଆଉ ମଝିରେ ଅନ୍ୟମାନେ ।

 

- ତୁ ସବୁ ଖବର ରଖିଛୁ ଦେଖୁଚି । ମାନବ ମହାନ୍ତି ‘ମୃତ୍ୟୁଞ୍ଜୟ’ରେ ବସି କଅଣ ପ୍ଲାନ କରୁଛନ୍ତି କିଏ ଜାଣେ ? କିନ୍ତୁ ବିଉଟି ପାର୍ଲରକୁ ତୁ କାହିଁକି ଯାଉ ଶୁଣେ ?

 

ମନୋଜ କିଛି ସମୟ ନୀରବ ରହି କହିଲା - ସେ ବି ଗୋଟିଏ ରହସ୍ୟ । ସୁହାସିନୀ ଯେ ସହଜ ମହିଳା ନୁହଁନ୍ତି ଏକଥା ତୁ ନିଶ୍ଚୟ ଜାଣିଥିବୁ ।

 

- ସେଥିପାଇଁ ତ କହୁଛି । ସେ ମନ୍ତ୍ର ଜାଣେ କି କଅଣ, ଯିଏ ତା’ ପାଖକୁ ଯାଏ ତାକୁ ମେଣ୍ଢା କରିଦିଏ ବୋଲି ଶୁଣିଚି ।

 

- ନିଜେ ପରୀକ୍ଷା କରି ଦେଖୁନୁ.... ?

 

- ଆମ ସାହେବ ଯାଆନ୍ତି ସେଠାକୁ... ତାଙ୍କ ମେମ୍‍ସାହେବ ବି... ହଠାତ୍ ଏକାଘାଟରେ ବାଘବକୁରୀର ଦେଖା ହୋଇଗଲେ ବକୁରୀ ମରିବା ନିଶ୍ଚିତ ।

 

ଦୁହେଁ ହସି ଉଠିଲେ ହୋ ହୋ କରି ।

ଜଳଖିଆ, ଚା’ ଖାଇ ବିଦାୟ ନେଲା ପ୍ରକାଶ । ଏକା ବସି ରହିଲା ମନୋଜ ।

 

ପ୍ରତିପକ୍ଷ ପ୍ରଭାବଶାଳୀ କେବଳ ନୁହେଁ ପ୍ରତିପତ୍ତିଶାଳୀ ମଧ୍ୟ । ସେମାନଙ୍କ ସହିତ ଲଢ଼ିବା ସହଜ ନୁହେଁ । ତଥାପି ଲଢ଼ାଇ ଆରମ୍ଭ କରିଛି ଯେତେବେଳେ ପଛଘୁଞ୍ଚା ଦବାର ପ୍ରଶ୍ନ ଉଠୁନି । ଗୋପବନ୍ଧୁଙ୍କ ପଦିଏ କବିତା ବାରମ୍ବାର ଆବୃତ୍ତି କଲା ମନୋଜ ।

 

‘‘ପଛଘୁଞ୍ଚା ନାହିଁ ବୀରର ଜାତକେ

ନ ମରେ ସେ କେବେ ପରାଣ ଆତଙ୍କେ ।’’

 

ମନୋଜ ଆହୁରି ବି ମନକୁ ମନ କହିଲା ଯେ - ଯଦି ମରିବାକୁ ହୁଏ ବୀର ପରି ମରିବ ସେ । ଭାଇ ପ୍ରେମାନନ୍ଦ କି ନିରାକାରକୁ ମାରି ସେମାନେ ହୁଏତ ନିଷ୍କଣ୍ଟକ ହେଲେ ବୋଲି ଆଶ୍ୱସନା ଦେଇପାରନ୍ତି ନିଜକୁ, କିନ୍ତୁ ତାଙ୍କୁ ମାରି ନିଷ୍କଣ୍ଟକ କି ନିଶଙ୍କ ହୋଇପାରିବେ ନାହିଁ । ମନୋଜ ମିଶ୍ର ମରିଯିବା ପରେ ତା’ର ଭୂତ ଗୋଡ଼ାଇବ ସେମାନଙ୍କୁ ।

 

ଟେଲିଫୋନ୍‍ କରବାକୁ ଇଚ୍ଛା ହେଲା ।

 

କେତେଦିନ ହେଲା କଥା ହୋଇନି ଅନୁପମା ସହିତ । ସେ ହାସ୍ୟମୟୀ ହୋଇ ଦିବ୍ୟଧାମରେ ରହିଥିବା ଯାଏ ତାକୁ ନିରେଳାରେ ନିଜ ପାଖରେ ପାଇପାରିବ ନାହିଁ ମନୋଜ । ଯେତେଶୀଘ୍ର ସମ୍ଭବ ମୁକ୍ତ କରିବାକୁ ଚାହେଁ ତାକୁ । କିନ୍ତୁ ସେ ଶୀଘ୍ର ଚାଲି ଆସିଲେ ଦିବ୍ୟଧାମର ଅନେକ ରହସ୍ୟ ଅନ୍ତପୁରରେ ଆବଦ୍ଧ ହୋଇ ରହିଯିବ, ଲୋକ ଲୋଚନକୁ ଆସିପାରିବ ନାହିଁ । ତା’ର ଯୋଗସୂତ୍ର ମଧ୍ୟ କଟିଯିବ । ଶାଶ୍ୱତୀର ନିଜର ସମସ୍ୟା ରହିଚି । ଶଙ୍କର ତାକୁ ଗ୍ରହଣ କିରିବ କି ନାହିଁ ତାହା ଜାଣିବା ପର୍ଯ୍ୟନ୍ତ ସେ ଅପେକ୍ଷା କରିବାକୁ ଚାହେଁ । ସେଇକଥା ସେଦିନ ଚିଠିରେ ଲେଖିଥିଲା ଶାଶ୍ୱତୀ । ଏକ ଅସତର୍କ ମୁହୂର୍ତ୍ତରେ କିପରି ସେ ଦିବ୍ୟଧାମକୁ ଆସିଥିଲା ତାହା ମଧ୍ୟ ବର୍ଣ୍ଣନା କରିଥିଲା ଚିଠିରେ ।

 

ମଧ୍ୟାହ୍ନ ସମୟରେ ପଡ଼ୋଶୀ ଘରକୁ ଯାଇଥିଲା ସେ ଗଳ୍ପ କରିବା ପାଇଁ । ସେଠାରୁ ଫେରିବା ବାଟରେ ସେମାନଙ୍କ ସହିତ ସାକ୍ଷାତ୍‍ ହୁଏ । ଦିବ୍ୟଧାମ ସମ୍ପର୍କରେ ଅନେକ ମନଗଡ଼ା କାହାଣୀ ଲୋକମୁହଁରୁ ଶୁଣି ପୂର୍ବରୁ ପ୍ରଭାବିତ ହୋଇଥିଲା ଶାଶ୍ୱତୀ । ସେଥିପାଇଁ ଦିବ୍ୟଧାମକୁ ଯାଇ ପ୍ରବୁଦ୍ଧାଚାର୍ଯ୍ୟଙ୍କର ଶିଷ୍ୟ ହବାପାଇଁ ଅଭିଳାଷ ହୋଇଥିଲା ମନରେ । ସେଇ ସୁଯୋଗ ସହସା ଏତେଶୀଘ୍ର ମିଳିଯିବାର ଦେଖି ସେମାନଙ୍କ କଥାରେ ବିଶ୍ୱାସ କରି ଆଶ୍ରମକୁ ଚାଲି ଆସିଲା ବାବାଙ୍କ ସହିତ ଦେଖାକରି ଫେରିଯିବା ପାଇଁ । ସେମାନେ ଯେ ଗୁପ୍ତଚର, ପରେ ଅବଶ୍ୟ ଜାଣିଲା ସେ । କିନ୍ତୁ ସଙ୍ଗେ ସଙ୍ଗେ ଫେରିଯିବାକୁ ଆସି ବରଷେ ହବ ରହିଗଲାଣି ।

 

ମନର ପବିତ୍ରତା ଅକ୍ଷୁର୍ଣ୍ଣ ଥିଲେ ମଧ୍ୟ ତା’ର ଶରୀର ଆଉ ଶୁଦ୍ଧହୋଇ ରହିନାହିଁ । ବଳାତ୍କାର କରି ତା’ର ଫେରିବା ପଥକୁ ବନ୍ଦ କରିଦବାର ଚେଷ୍ଟା ହୋଇଛି । ଯାହାଙ୍କୁ ଇଶ୍ୱରଙ୍କର ଅବତାର ଭାବି ଆଶୀର୍ବାଦ ନବାପାଇଁ ଆସିଥିଲା ଶାଶ୍ୱତୀ, ଶେଷରେ ସେ ତାକୁ ପରମାନନ୍ଦର ତୃପ୍ତି ଦବାଲାଗି ଭୋଗ କଲେ ବଳାତ୍କାର କରି । ସେହିଦିନୁ ନାମ ଠିକଣା ବଦଳ କରି ଅନ୍ତରର ଅନୁତାପ ଏବଂ ଅନୁଶୋଚନାରେ ତିଳ ତିଳ ଦଗ୍‌ଧ ହୋଇ ସେ କେବଳ ଅପେକ୍ଷା କରିଛି ମୃତ୍ୟୁକୁ । ସୁଯୋଗ ପାଇଲେ ବିସର୍ଜନ କରିବ ନିଜକୁ । କିନ୍ତୁ ଭଗବାନ ଏଡ଼େ ନିର୍ଦ୍ଦୟ ଯେ ସେପରି ସୁଯୋଗ ବି ଆସୁନାହିଁ ତା’ ଭାଗ୍ୟକୁ । ସେ ତଥାପି ଅପେକ୍ଷା କରିଛି । ରେଳଗାଡ଼ି ତଳେ ବା ସମୁଦ୍ର ଭିତରକୁ ଡେଇଁପଡ଼ିବା ପୂର୍ବରୁ ତା’ର ଶେଷ ଇଚ୍ଛା ସେ ଥରେମାତ୍ର ଶଙ୍କର ସହିତ ସାକ୍ଷାତ୍‍କରି କହିଯିବାକୁ ଚାହେଁ ଯେ- ତା’ର ଅପରାଧର ଫଳ ସେ ଏକା ଭୋଗିବ ସତ; କିନ୍ତୁ ଶଙ୍କର ଅନ୍ତତଃ ଏତିକି ଜାଣିରଖୁ ଯେ ସ୍ୱେଚ୍ଛାରେ ସେ ତାକୁ ପରିତ୍ୟାଗ କରିନାହିଁ, କାୟା ଅଶୁଦ୍ଧ ହେଲେ ମଧ୍ୟ ମନଟି, ହୃଦୟଟି ଏବେବି ତା’ର ଶୁଦ୍ଧ, ପବିତ୍ର, ନିର୍ମଳ । ଶଙ୍କର ତାକୁ ଗ୍ରହଣ କରୁ କି ନ କରୁ ସେଥିରେ କିଛି ଯାଏ ଆସେ ନାହିଁ । ଯାହା ଘଟିବାର କଥା ଭାଗ୍ୟର ବିଡ଼ମ୍ବନା ଯୋଗୁ ଘଟି ସାରିଚି । ସେ କେବଳ ଶେଷରେ ସ୍ୱାମୀର ପାଦତଳେ ଦୂରରୁ ପ୍ରଣାମ କରି ଏତିକି କହିବ ଯେ - ମୋର ଦଶଦୋଷ କ୍ଷମା କରିବା ପାଇଁ ତୁମେ ଯେଉଁ ଶପଥ ନେଇଥିଲ ଅଗ୍ନିକୁ ସାକ୍ଷୀକରି ସେଇକଥା ସ୍ମରଣ କରାଇଦେଇ ମୋତେ କ୍ଷମା କରିଦବାପାଇଁ କହିବାକୁ ଆସିନାହିଁ- ଆସିଚି କେବଳ ଥରୁଟିଏ ଦେଖା କରିବା ପାଇଁ ଏବଂ ଏତିକି କହିଯିବା ପାଇଁ ଯେ, ମୁଁ ଯାହା କରିଚି ସ୍ୱେଚ୍ଛାରେ ନୁହେଁ - ପରିସ୍ଥିତି ବାଧ୍ୟ କରିଚି । ମୋତେ ଚରମ ଶାସ୍ତି ଦିଅ- ମୁଁ ହସି ହସି ଗ୍ରହଣ କରିବି ।

 

ସେଇ ଚିଠିଟା ଶଙ୍କର ପାଖକୁ ଲେଖି ତାହାରି ହାତରେ ଦେଇଥିଲା ଶାଶ୍ୱତୀ । ଖୋଲା ଚିଠି । ତଥାପି କାଳେ ସେ ସ୍ୱାମୀ ପାଖକୁ ସ୍ତ୍ରୀର ଚିଠି ପଢ଼ି ନ ପାରେ ଏଥିପାଇଁ କହିଥିଲା ଶାଶ୍ୱତୀ–ଏ ଚିଠିଟା ଅନ୍ୟପାଇଁ ଉଦ୍ଦିଷ୍ଟ ହେଲେ ବି ତୁମେ ପଢ଼ିବାରେ ବାଧା ନାହିଁ; ବରଂ ତୁମେ ପଢ଼ିବ–ଏୟା ଆଶାକରି ତୁମ ହାତକୁ ଟେକି ଦଉଚି ନିଃସଂକୋଚରେ । ସେ ଯଦି ପଢ଼ିବାକୁ ଚାହାଁନ୍ତି ଦବ, ନ ହେଲେ ନିଆଁ ଲଗାଇ ପୋଡ଼ିଦବ... ।

 

ମନୋଜ ଶଙ୍କର ପାଖକୁ ଚିଠି ଲେଖି ତାକୁ ଅନୁରୋଧ କରିଚି ଆସିବା ପାଇଁ । ଶଙ୍କର ତା’ର ଚିଠି ପାଇଥିବ ନିଶ୍ଚୟ, କିନ୍ତୁ ଏଯାଏ ଆସିଲା ନାହିଁ । ସେ ଅପେକ୍ଷା କରି ରହିଛି । ଶଙ୍କର ଆସିଲେ ଶାଶ୍ୱତୀର ଚିଠି ତା’ ହାତକୁ ଟେକିଦେଇ ସେ ଦାୟିତ୍ୱମୁକ୍ତ ହେବ । ଭଗବାନ କରନ୍ତୁ ସ୍ୱମୀସ୍ତ୍ରୀର ସମ୍ପର୍କ ସ୍ଥାପିତ ହେଉ ପୁଣି । ଆଉଥରେ ନୂଆକରି ଦୁହେଁ ଆରମ୍ଭ କରନ୍ତୁ ସଂସାର - ଅତୀତର ଗ୍ଳାନି ଉପରେ ନୁହେଁ ଆଗାମୀର ବିଶ୍ୱାସ ଉପରେ ନୂତନ ପ୍ରତିଶ୍ରୁତିର ଶୁଦ୍ଧତା ଉପରେ ।

 

ନିଜକଥା ଭାବିବାକୁ ସମୟ ପାଏନି ମନୋଜ । ନିଜକଥା ଭାବୁ ଭାବୁ ଅନ୍ୟମାନଙ୍କର କଥା କେତେବେଳେ ମନକୁ ଆଚ୍ଛନ୍ନ କରିପକାଏ ତାହା ଜାଣିପାରେନାହିଁ ।

 

ସେ ସାମାନ୍ୟ ମଧ୍ୟବିତ୍ତ ପରିବାରର ଅଭାବ ଅସୁବିଧା, ସୁଖ ଓ ଦୁଃଖ ମଧ୍ୟରେ ବଡ଼ ହୋଇଚି । ସମାଜଠାରୁ ବିଛିନ୍ନ ହୋଇ ନିଜ ସମ୍ପର୍କରେ କେବେ ଭାବି ନାହିଁ । ନିଜ କଥା ଭାବିବାକୁ ଯାଇ ଅନ୍ୟମାନଙ୍କ କଥା ଯେପରି ଭାବିଚି, ଅନ୍ୟମାନଙ୍କ ବିଷୟ ଚିନ୍ତା କରୁ କରୁ ସେମାନଙ୍କର ସୁଖ ଦୁଃଖରେ ତା’ର ଭୂମିକା ନିଜର ମନକୁ ଆଲୋଡ଼ିତ କରିଚି । ସେ ଜନ୍ମ ହୋଇଥିଲା ଏକା ହୋଇ ଯେମିତି ଅନ୍ୟମାନେ ଜନ୍ମ ହୁଅନ୍ତି, ମରିବ ବି ଏକା, ସମସ୍ତଙ୍କ ପରି; କିନ୍ତୁ ପୃଥିବୀରେ ଯେଉଁ ସମୟତକ ରହିବ ସେହି ସମୟ ତା’ର ନିଜର ନୁହେଁ କି ସୁଯୋଗଗୁଡ଼ା କେବଳ ତା’ର ସୁଖ ସୁବିଧା ପାଇଁ ଉଦ୍ଦିଷ୍ଟ ନୁହେଁ । ଗୋଟିଏ ସମାଜର ସୁଖ ଦୁଃଖକୁ ବାଣ୍ଟି କୁଣ୍ଟି ନେଇ ଚଳିବା କଥା । ସମାଜକୁ ଶକ୍ତିଶାଳୀ କରିବା ସକାଶେ ନିଜର ସୁଖରୁ ଯେପରି ସ୍ୱେଚ୍ଛାରେ ଅନ୍ୟମାନଙ୍କୁ ଭାଗ ଦବାକୁ ହୁଏ, ଅନ୍ୟମାନଙ୍କର ଦୁଃଖରୁ ସ୍ୱେଚ୍ଛାରେ ଭାଗ ନେବାକୁ ହୁଏ । ଯେତେବେଳେ ଏହି ପ୍ରକ୍ରିୟାଟି କାର୍ଯ୍ୟକାରି ହୁଏ ନାହିଁ ସେତେବେଳେ ଜନ୍ମନିଏ ଏକ ଅହଂକାରୀ, ଅବ୍ୟବସ୍ଥିତ, ସ୍ୱାର୍ଥପର ସମାଜ ।

 

ନିଜର ସୁଖ ସୁବିଧାକୁ ବାଣ୍ଟି ଦବାପାଇଁ ଯଦି ଅନ୍ୟମାନେ ସକ୍ଷମ ହୁଅନ୍ତେ ମନୋଜର ଜୀବନ ଧନ୍ୟ ହୋଇଯାଆନ୍ତା ।

 

ଯେଉଁ ମୁହୂର୍ତ୍ତରେ ପ୍ରଥମ ଦୃଷ୍ଟି ବିନିମୟ ହୋଇଥିଲା ଅନୁପମା ସହିତ ତାହା ସଞ୍ଜୀବିତ ହୋଇ ରହିଚି ଜୀବନରେ । ହସର ପ୍ରଲେପ ତଳେ ବିଷାଦର କାରୁଣ୍ୟ ଇମିତି ଦଗ୍‌ଧ କରିପାରେ ମଣିଷକୁ ତାହା ଏଇ ପ୍ରଥମ ଜାଣିଲା ସେ । ସେହି ମୁହୂର୍ତ୍ତର ଅକ୍ଷୟ ଭଣ୍ଡାର ସେହିଦିନୁ ଖୋଲା ରହିଚି ତା’ ଆଗରେ । ସେ ଧୀରେ ଧୀରେ ଅନୁପମାର ନିକଟତର ହେବାକୁ ଚେଷ୍ଟା କରିଚି । ସ୍ପନ୍ଦିତ ହୃଦୟରେ ନିକଟତର ହେବାବେଳେ ଆଉ ଗୋଟିଏ ହୃଦୟର ସ୍ପନ୍ଦନ ଠିକ୍ ତାହାରି ସ୍ୱାଗତ ପାଇଁ ଉନ୍ମୁଖ ହୋଇ ଅପେକ୍ଷା କରିଚି ଏହା ଜାଣିବାକ୍ଷଣି ନିଜର ତରଳିବାର ଆଲୋକରେ ଉଦ୍ଭାସିତ ହେବାକୁ ଲାଗିଚି ସେ । ମହମବତୀ ଜଳିବାକୁ ଆରମ୍ଭ କଲେ ପରକୁ ଆଲୁଅ ଦେଖାଉଥିବାର ଆନନ୍ଦରେ କେତେବେଳେ ନିଜକୁ ନିଃଶେଷ କରିଦିଏ ତାହା ଯେପରି ଚିରକାଳ ଅଗୋଚର ରହିଯାଏ ସେହିପରି ନିଜର ମୁଗ୍‌ଧତାରେ ବିଭୋର ମନୋଜ ମିଶ୍ର କେବଳ ଚାରିପାଖର ମଧୁକ୍ଷରା ପୃଥିବୀକୁ ଚାହିଁ ନିଜେ ଶେଷ ହୋଇଯାଉଥିବା କଥା ପାସୋରି ଦେଇଛି ମନରୁ ।

 

ଭଗ୍ନୀ ହାସ୍ୟମୟୀ ଯେଉଁଦିନ ଅନୁପମାର କାହାଣୀ କହିଲେ ତାକୁ ସେଦିନଟି ସତରେ ଅକ୍ଷୟ ଓ ଅନୁପମ । ଦେଖିବାଦିନୁ ତାକୁ ଭଲ ଲାଗିଥିଲା, କିନ୍ତୁ ସେହି ପ୍ରକୃତ ପରିଚୟ ପାଇବାଦିନୁ ତାଙ୍କୁ ଭଲ ପାଇବାକୁ ଆରମ୍ଭ କରିଚି ମନୋଜ ।

 

ଭଲ ପାଇବାର ଯାତ୍ରାପଥ କେତେବେଳେ କୁସୁମିତ ତ କେତେବେଳେ କଣ୍ଟକିତ ।

 

ଅନୁପମାର ପରମ ସୌଭାଗ୍ୟ ଯେ ସେ ନିଜକୁ ରକ୍ଷା କରିପାରିଛି ଆଜିଯାଏ । ଖଣ୍ଡାଧାରରେ ଚାଲିବା ଯେପରି ଦୁଃସାଧ୍ୟ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ତତୋଽଧିକ ଦୁଃସାଧ୍ୟ । କେଉଁଦିନ ଖଣ୍ଡାଧାରରେ ପାଦ କାଟି ହୋଇଯିବ, ଅଗ୍ନି ପରୀକ୍ଷାରେ ଶରୀର ଦଗ୍‌ଧ ହୋଇଯିବ ତାହା କେବଳ ଇଶ୍ୱରହିଁ ଜାଣନ୍ତି । ପତଙ୍ଗମାନେ ଅଗ୍ନିର ଶୋଭା ଦେଖି ଆତ୍ମହରା ହୋଇ ତହିଁରେ ଝାସ ଦେଇ ଜଳିଯାଆନ୍ତି ଯେପରି, ସେହିପରି ଦିବ୍ୟଧାମର ପରମାନନ୍ଦଦ୍ୱାରା ଆକର୍ଷିତ ହୋଇ ଯେଉଁମାନେ ଆସିଚନ୍ତି ପତଙ୍ଗ ପରି ସେମାନଙ୍କର ଜଳିଯିବା ସମୟସାପେକ୍ଷ ହେଲେ ମଧ୍ୟ ସୁନିଶ୍ଚିତ । ତା’ପୂର୍ବରୁ ଅନୁପମାକୁ ରକ୍ଷା କରିବା ପାଇଁ ଆଉଥରେ ମନେ ମନେ ସଂକଳ୍ପ କଲା ମନୋଜ ।

 

ପ୍ରଚୀନ ମୂଲ୍ୟବାନ ଏବଂ ଦୁଷ୍ପ୍ରାପ୍ୟ ମୂର୍ତ୍ତି ଏବଂ ଅନ୍ୟାନ୍ୟ ଦୁର୍ଲଭ ଐତିହାସିକ ଚିତ୍ରପଟ ପ୍ରଭୃତି କିପରି ଯୋଜନାବଦ୍ଧ ଭାବରେ ମନ୍ଦିର ଏବଂ ରାଜ୍ୟ ସଂଗ୍ରହାଳୟରୁ ଚୋରି କରି ବିଦେଶୀ ପର୍ଯ୍ୟଟକମାନଙ୍କୁ ଅତି ଅଳ୍ପ ଟଙ୍କାରେ ବିକ୍ରି କରି ଦିଆଯାଉଛି ଏହି ବିଷୟରେ ଏକ ତଥ୍ୟସମ୍ବଳିତ ଅଗ୍ରଲେଖା ସର୍ବାଧିକ ପ୍ରଚାରିତ ‘ଇଟାରନେଲ ଇଣ୍ଡିଆ’ ପାକ୍ଷିକ ପତ୍ରିକାରେ ପ୍ରକାଶ ପାଇବା ପରେ ରାଜଧାନୀ ଏବଂ ରାଜ୍ୟର ଚତୁର୍ଦ୍ଦିଗରେ ଏକ ଘୃଣାର ଢେଉ ଖେଳିଗଲା । ଦୁଷ୍ପ୍ରାପ୍ୟ ଏବଂ ଦୁର୍ଲଭ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ ସମ୍ପଦ ଅପହରଣ କରି ଯେଉଁମାନେ ବିଦେଶୀମାନଙ୍କ ହାତକୁ ଟେକିଦିଅନ୍ତି ଧନ ଉପାର୍ଜନ କରିବା ଆଶାରେ, ସେମାନେ ଯେ ସମଗ୍ର ଯେ ଜାତିର ଶତ୍ରୁ ଏଥିରେ ସମସ୍ତେ ପ୍ରାୟ ଏକମତ ହେଲେ ବି ଏପର୍ଯ୍ୟନ୍ତ ସାହସ କରି କେବଳ ଯେ ଅସୀମ ସାହସର ପରିଚୟ ଦେଇଛନ୍ତି ତାହା ନୁହେଁ, ସେ ଏକ ଜାତୀୟ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି ବୋଲି ରାଜ୍ୟ ଭିତରୁ ଏବଂ ବାହାରୁ ବହୁ ବ୍ୟକ୍ତି ଏବଂ ଅନୁଷ୍ଠାନ ଏ ସମ୍ପର୍କରେ ସ୍ପଷ୍ଟ ମତାମତ ପ୍ରକାଶ କରି ଅଭିନନ୍ଦନ ଜଣାଇଛନ୍ତି ପତ୍ରିକା ଏବଂ ସାମ୍ବାଦିକଙ୍କୁ ।

 

ରାତି ଏଗାରଟା ହେବ ବୋଧହୁଏ । ଘରେ ନ ଥିଲା ମନୋଜ । ପ୍ରକାଶ ଚେଷ୍ଟା କରି ବି ତାକୁ ପାଇନି ଆଜି । ବନ୍ଧୁର ପ୍ରଶଂସାରେ ଅନେକ ଲୋକ ପଞ୍ଚମୁଖ ହୋଇ ଉଠୁଥିବାବେଳେ ସେ ମୁହଁ ଖୋଲିପାରୁ ନାହିଁ, କାଳେ କଅଣ କହିଦେବ କାଳେ । ମନୋଜ ଯେ ବିପଦ ଆଡ଼କୁ ଟାଣିହୋଇ ଯାଉଛି ଏହି କଥା ତାକୁ ଆଉଥରେ କହିଦେବା ପାଇଁ ଇଚ୍ଛା ହେଉଥିଲା ପ୍ରକାଶର । କିନ୍ତୁ ଯାହା ପାଇଁ ଖୁସିରେ ସେ ଆହାର କରିପାରୁ ନାହିଁ ବା ନିଶ୍ଚିନ୍ତରେ ନିଦ୍ରା ଯାଇପାରୁ ନାହିଁ, ସେ ବେପରୁଆ ଭାବରେ ବୁଲୁଛି କେଉଁ ଗଳିକନ୍ଦିରେ ନୂତନ ଗଳ୍ପର ଉପାଦାନ ଖୋଜି ଖୋଜି ।

 

ତଥାପି ପ୍ରକାଶ ନିଶ୍ଚିନ୍ତ ହେବା ପାଇଁ ଟେଲିଫୋନ୍‍ କଲା ଦୁଇ ତିନିଟା ଜାଗାକୁ । ସେଠାରେ ବି ନ ଥିଲା ମନୋଜ ।

 

ଏତିକିବେଳେ ଟେଲିଫୋନ୍‍ଟା ବାଜି ଉଠିଲା । ରିସିଭର ଉଠାଇ ନେଇ କଥାଭାଷା ହେଲା ପ୍ରକାଶ ଅଳ୍ପସମୟର କଥାଭାଷା, କିନ୍ତୁ ବହୁ ସମୟ ଧରି ଯେପରି କିଏ ତାକୁ ରୁକ୍ଷ କଣ୍ଠରେ ସେଇ ଗୋଟିଏ କଥାକୁ ବାରମ୍ବାର କହୁଥିଲା । ସେଇ ଶଇତାନଟାକୁ ଯେମିତି ହେଲେ ଜବତ୍ କରିବାକୁ ହେବ । ତା’ ବିରୁଦ୍ଧରେ ଅନୁସନ୍ଧାନ ଜାରୀରଖ, ତା’ର ଦୁର୍ବଳତା ଏବଂ ସମ୍ପର୍କ ଉପରେ ଦୃଷ୍ଟି ରଖ । ସାମାନ୍ୟତମ କାରଣ ପାଇବା ମାତ୍ରେ ତାକୁ ଆରେଷ୍ଟ୍ କରି ହାଜତରେ ଭର୍ତ୍ତି କରିଦିଅ । ବୁଝିଲ, ନୋ ଏକସି୍କିଉଜ୍ ।

 

ସେଇ ରୁକ୍ଷସ୍ୱର ଥିଲା ବସ୍‌ଙ୍କର । ବସ୍‌ଙ୍କୁ ଯେ ତାଙ୍କ ବସ୍‌ ସେହିପରି ରୁକ୍ଷ ସ୍ୱରରେ କିଛି କହିଥିବେ ଏଥିରେ ଆଉ ସନ୍ଦେହର ଅବକାଶ ନ ଥିଲା । ଉପରର କ୍ରୋଧ, ଉପରିସ୍ଥଙ୍କର ଅସନ୍ତୋଷ ଏହିପରି ଖସେ ତଳକୁ ତଳକୁ, ଯେମିତି ଉପରର ଓଜନ ଉପରୁ ଖସି ଖସି ଚାପିଦିଏ ତଳକୁ ।

 

ପ୍ରକାଶ ବିବେକକୁ ଅନେକ ଦିନୁ ବନ୍ଧା ପକେଇଛି ! ତା’ର ସ୍ୱାଧିନତା ନାହିଁ କି ବିବେକର କଥା ଶୁଣିବାକୁ ସମୟ ନାହିଁ । ସେ ଦରମାଖିଆ ଚାକର । ଯେତେଦିନ ପର୍ଯ୍ୟନ୍ତ ଚାକିରି କରୁଥିବ ସେପର୍ଯ୍ୟନ୍ତ ଉପରିସ୍ଥଙ୍କ ଅନ୍ୟାୟ ଆଦେଶ ବି ତାଲିମ କରିବାକୁ ପଡ଼ିବ ତାକୁ ।

 

ପ୍ରକାଶ ଥାନାରେ ବସିଥିବାବେଳେ ଜଣେ କାଉନ୍‌ସିଲର ଫୋନ୍‍ କରି ଜଣାଇଲେ ଯେ ଜନପଥ ଏବଂ ରାଜପଥ କ୍ରସିଂ ପାଖରେ ତିଆରି କରାଯାଉଥିବା ହୋଟେଲ ଆଇନ ଅମାନ୍ୟ କରି ଅନୁମତି ମିଳିଥିବା ଦଶମହଲା କୋଠାକୁ ଚଉଦ ମହଲା କରିବା ପାଇଁ ନିଷ୍ଫତ୍ତି ନେଇ ପରିଚାଳନା କର୍ତ୍ତୃପକ୍ଷ କାର୍ଯ୍ୟକରି ଚାଲିଚନ୍ତି । ଏହା ବିରୁଦ୍ଧରେ ସବୁ ପ୍ରତିବାଦ ବିଫଳ ହୋଇଥିବାରୁ ଏବଂ ହୋଟେଲ ମ୍ୟାନେଜ୍‌ମେଣ୍ଟ୍ ଏ ଦିଗରେ ଅଗଣତାନ୍ତ୍ରିକ ମନୋଭାବ ପୋଷଣ କରୁଥିବାରୁ ଜନସାଧାରଣଙ୍କ ପକ୍ଷରୁ ବଳ ପ୍ରୟୋଗ କରି ନିର୍ମାଣ କାର୍ଯ୍ୟରେ ବାଧା ଦିଆଯିବ । ଶାନ୍ତିଭଙ୍ଗର ଆଶଙ୍କା ମଧ୍ୟ ରହିଛି । ପୁଲିସ୍ ଅବିଳମ୍ବେ ଶାନ୍ତିରକ୍ଷାର ଦାୟିତ୍ୱ ଗ୍ରହଣ କରିବା ଉଚିତ ।

 

ପ୍ରକାଶ ଆଗରୁ ଶୁଣିଥିଲା ଏ ସମ୍ପର୍କରେ । ଏହି ଅଭିଯୋଗ ଶୁଣିବା ପରେ କେବଳ ଡାଇରୀରେ ଲେଖିରଖି ଉପରିସ୍ଥଙ୍କୁ ଜଣାଇ ଦେଇ ନୀରବ ରହିବାକୁ ଶ୍ରେୟସ୍କର ମନେକଲା । କାରଣ ଏହି ବିଷୟ ମ୍ୟୁନିସିପାଲିଟି ଏବଂ ନଗର ଉନ୍ନୟନ ବିଭାଗର ଦାୟିତ୍ୱ, ଏବଂ ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକଙ୍କୁ ଦୃଢ଼ହସ୍ତରେ ଦମନ କରାଯିବ ।

 

ପ୍ରକାଶ ଉପରିସ୍ଥଙ୍କୁ କେବଳ ଜଣାଇଦେବା ପାଇଁ ଚାହିଥିଲା; କିନ୍ତୁ ସେ ତାକୁ ଭର୍ତ୍ସନା କରି କହିଲେ ଯେ ଏହା ମ୍ୟୁନିସିପାଲଟିର ଦାୟିତ୍ୱ ହେଲେବି ହୋଟେଲ ମାଲିକ ସଚିବଙ୍କ ଘନିଷ୍ଠ ବନ୍ଧୁ ହୋଇଥିବାରୁ ଏବଂ ସରକାରୀ ଦଳରେ ତାଙ୍କର ବହୁ ବନ୍ଧୁ ଥିବାରୁ ତାଙ୍କୁ ସାହାଯ୍ୟ କରିବାକୁ କଡ଼ା ନିର୍ଦ୍ଦେଶ ଆସିଛି ଉପରୁ । ଯେଉଁମାନେ ପ୍ରତିବାଦ କରୁଛନ୍ତି ସେମାନେ ଅଦାବେପାରୀ, ଜାହାଜର ମୂଲ୍ୟ ପଚାରିବା ଅଧିକାର ନାହିଁ ସେମାନଙ୍କର । ସେମାନଙ୍କୁ ସାବଧାନ କରିଦବାକୁ ହେବ । ଦଶମହଲା ସ୍ଥାନରେ କୋଡ଼ିଏ ମହଲା କଲେବି କାହାରି କିଛି କହିବାର ନାହିଁ । ଯିଏ ବୁଝିବା କଥା ସିଏ ବୁଝିବେ । ତା’ପରେ ପରମିଶନ୍‌ ପାଇଁ ମ୍ୟାନେଜ୍‌ମେଣ୍ଟ୍, ଆଗରୁ ଦରଖାସ୍ତ ବି କରିଛନ୍ତି ।

 

ପ୍ରକାଶର ପଚାରିବାକୁ ଇଚ୍ଛା ହେଉଥିଲା ଦରଖାସ୍ତ କରି ଅନୁମତି ନ ମିଳିବା ପର୍ଯ୍ୟନ୍ତ ମ୍ୟାନେଜ୍‍ମେଣ୍ଟ୍ ବେଆଇନ ଭାବରେ ନିର୍ମାଣ କାର୍ଯ୍ୟ ଚାଲୁରଖି ନାହାନ୍ତି କି ? କିନ୍ତୁ ତା’ର କଥା ଶୁଣିବା ପାଇଁ କେହି ଅପେକ୍ଷା କରୁ ନ ଥିଲେ । ଟେଲିଫୋନ୍‍ ଛାଡ଼ି ଦେଇଥିଲେ ସୁପରିଣ୍ଟେଣ୍ଡେଣ୍ଟ ।

 

ପ୍ରକାଶ ଦଳବଳ ଘେନି ବାହାରିପଡ଼ିଲା ଜିପରେ । ଅନ୍ତତଃ ଥରେ ବୁଲି ଆସିବା ଭଲ ।

 

ଜନପଥ ଏବଂ ରାଜପଥ ଯେଉଁଠାରେ ପରସ୍ପର ମିଳିତ ହୋଇଛନ୍ତି ତା’ର ଠିକ୍ ଅନତିଦୂରରେ ଦକ୍ଷିଣକୁ ମୁହଁକରି ନିର୍ମିତ୍ତ ହେଉଚି ଏକ ପଞ୍ଚତାରକା ଅତ୍ୟାଧୁନିକ ହୋଟେଲ ଉତ୍କଳ-। ପାଞ୍ଚକୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ଏଇ ପଞ୍ଚତାରକା ହୋଟେଲ । ନିର୍ମାଣ କାର୍ଯ୍ୟ ଶେଷ ହୋଇ ଆସିଲାଣି । କିନ୍ତୁ ଦଶମହଲା ପାଇଁ ପରିଚାଳନା କର୍ତ୍ତୃପକ୍ଷ ଅନୁମତି ପାଇଥିଲେ ମଧ୍ୟ ଓ ଦଶମହଲା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ପୁଣି ଉପରେ ଆହୁରି ଚାରିମହଲା ଯୋଗ କରିବା ପାଇଁ ଆୟୋଜନ ଆରମ୍ଭ ହୋଇ ଗଲାଣି । ଏଣେ ଯେଉଁ ଦଶମହଲାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ସେଥିରେ ଆଭ୍ୟନ୍ତରର ସାଜସଜ୍ଜା ଦ୍ରୁତ ଗତିରେ ଆଗେଇ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ତାହା ଉଦ୍‍ଘାଟିତ ହୋଇ ଦ୍ୱିତୀୟ ପର୍ଯ୍ୟୟରେ ଆଉ ଚାରିମହଲା ଏବଂ ଅବଶିଷ୍ଟ କାର୍ଯ୍ୟ ସମାପ୍ତ ହେବା ପରେ ସମ୍ପୂର୍ଣ୍ଣ ‘‘ହୋଟେଲ ଉତ୍କଳ’’ ଉଦ୍‌ଘାଟିତ ହେବ ।

 

ରାଜଧାନୀରେ ହୋଟେଲ ଉତ୍କଳ ହେବ ଏକ ବିଶେଷ ଶ୍ରେଣୀର - ଯାହା ପଞ୍ଚତାରକା ବିଶିଷ୍ଟ ହୋଟେଲଠାରୁ ମଧ୍ୟ ହେବ ଆହୁରି ଉନ୍ନତ । ଆଭ୍ୟନ୍ତରୀଣ ସାଜସଜ୍ଜା ଏବଂ ସୁବିଧା ସୁଯୋଗ ଓ ଖାଦ୍ୟପେୟର ସ୍ୱତନ୍ତ୍ରତା ରହିବ ଅନ୍ୟ ହୋଟେଲମାନଙ୍କଠାରୁ । ଅତିଥିମାନଙ୍କର ସନ୍ତରଣର ସୁବିଧାପାଇଁ ରହିବ ଏକ ବଡ଼ ସୁଇମିଂ ପୁଲ, ଏକ ହେଲ୍‌ଥ କ୍ଲିନିକ୍ ଏବଂ ସାଲୁନ । ସପିଙ୍ଗ୍ ଆରକେଡ଼ରେ ଉତ୍କଳର ଚାରୁକଳା, ହସ୍ତତନ୍ତ ନିର୍ମିତ ତନ୍ତବସ୍ତ୍ର, ପଥର ଓ ତାରକସୀ କାମ, ସିଂହ ଏବଂ ଅନ୍ୟାନ୍ୟ ହସ୍ତଶିଳ୍ପ ବ୍ୟତୀତ ବିଭିନ୍ନ ରାଜ୍ୟର ହସ୍ତଶିଳ୍ପ ନିର୍ମିତ ବିଭିନ୍ନ ଦର୍ଶନୀୟ ବସ୍ତୁ ମଧ୍ୟ ରଖାଯିବ । ପ୍ରଥମକରି ରାଜଧାନୀରେ ଏଇ ହୋଟେଲରେ ପ୍ରତିଦିନ କ୍ୟାବାରେ ନୃତ୍ୟ ପ୍ରଦର୍ଶିତ ହେବ ଏବଂ ବିଶେଷ ଦିନମାନଙ୍କରେ ଓଡ଼ିଶୀନୃତ୍ୟ ଏବଂ ଓଡ଼ିଶାର ଅନ୍ୟ ଆଞ୍ଚଳିକ ନୃତ୍ୟ ମଧ୍ୟ ପ୍ରଦର୍ଶିତ ହେବ । ଗୋଟିଏ ବଡ଼ ବହି ଦୋକାନ ଏବଂ ଟିଭି ରୁମ ମଧ୍ୟ ରହିବ ଯେଉଁଠାରେ ଅତିଥିମାନେ ସମବେତ ଭାବରେ ବସି ଦୂରଦର୍ଶନ, ଚଳଚିତ୍ର ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଦେଖିପାରିବେ । ଏହାଛଡ଼ା ପ୍ରତ୍ୟେକ ଶୀତତାପ ନିୟନ୍ତ୍ରିତ କୋଠରୀରେ ରହିବ ଟେଲିଫୋନ୍, ରେଡ଼ିଓ, ଟିଭିସେଟ୍, ଭିଡ଼ିଓ ଓ ସଙ୍ଗୀତ ଶୁଣିବାର ବ୍ୟବସ୍ଥା । ଆବଶ୍ୟକ ସ୍ଥଳେ ଟ୍ରାନ୍‌ସପୋର୍ଟ ଏବଂ ସେକ୍ରେଟାରୀଏଟ୍‍ ସେବା ମଧ୍ୟ ଯୋଗାଇ ଦିଆଯିବ ।

 

ଏତାଦୃଶ ଏକ ବିରାଟ ହୋଟେଲ କେବଳ ରାଜଧାନୀର ସୌନ୍ଦର୍ଯ୍ୟ ଏବଂ ଗୌରବ ବୃଦ୍ଧି କରିବ ନାହିଁ ସମଗ୍ର ରାଜ୍ୟର ଗୌରବ ବୃଦ୍ଧି କରିବ ।

 

ପ୍ରକାଶ ତଳେ ଛିଡ଼ାହୋଇ ଉପରକୁ ଅନାଇଲା । କାର୍ଯ୍ୟ ଚାଲିଛି ପୂରାଦମ୍‌ରେ । ଶହ ଶହ ଶ୍ରମିକ କାର୍ଯ୍ୟରତ । ରେକର୍ଡ଼ ସମୟ ମଧ୍ୟରେ ସବୁ କାର୍ଯ୍ୟ ଶେଷ କରିବା ନିମନ୍ତେ ଆପ୍ରାଣ ଉଦ୍ୟମ ଚାଲିଚି । ସବାଉପରେ ପଲସ୍ତରା କରୁଥିବା ଶ୍ରମିକମାନେ ବାମନ ପରି ଦିଶୁଚନ୍ତି ତଳୁ ।

 

ଏଗାରମହଲାର କାର୍ଯ୍ୟ ବି ଶେଷ ହେବାକୁ ବସିଲାଣି ।

 

ତାକୁ ସେଠାରେ ଦେଖି ଟିକେ ଦୂରରେ ସମବେତ ହୋଇ ପ୍ରତିବାଦ କରୁଥିବା ଲୋକମାନେ ଚାଲି ଆସିଲେ ତା’ ପାଖକୁ ।

 

ସେମାନଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କରି ସେମାନଙ୍କର ଯାହା ବକ୍ତବ୍ୟ ତାକୁ ଜଣାଇବା ପାଇଁ କହିଲା ସେ । ସେମାନଙ୍କର ନେତା ବିପ୍ଳବ ପାତ୍ର ହୋଟେଲ ମାଲିକଙ୍କ ଅଭିସନ୍ଧି ବିରୁଦ୍ଧରେ ଅଭିଯୋଗ ଉପସ୍ଥାପିତ କରି କିପରି ପ୍ରଚଳିତ ଆଇନ ଅମାନ୍ୟ କରି ହୋଟେଲର ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନିଆଯାଇଚି ସେ ସମ୍ପର୍କରେ କହିଲା ଏବଂ ଏହି ବେଆଇନ କାର୍ଯ୍ୟକଳାପ ବନ୍ଦ ନ ହେଲେ କେବଳ ଯେ ହୋଟେଲର ପାରିପାର୍ଶ୍ୱିକ ନିର୍ମଳତା ବ୍ୟାହତ ହେବ ତାହା ନୁହେଁ, ରାଜଧାନୀରେ ବିମାନ ବନ୍ଦର ଥିବା ଦୃଷ୍ଟିରୁ ଏହାଦ୍ୱାରା ଭବିଷ୍ୟତରେ ରାଜଧାନୀର ସୁରକ୍ଷା ମଧ୍ୟ ବ୍ୟାହତ ହେବ ।

 

ପ୍ରକାଶ ସେମାନଙ୍କୁ ନିଜ ନିଜ ଘରକୁ ଫେରିଯିବା ପାଇଁ କହିଲା । ଏହା ଯାହାର ଦାୟିତ୍ୱ ସିଏ ଅବଶ୍ୟ ବୁଝିବ ଏ କଥା । ଯଦି କେହି ଆଇନ ଅମାନ୍ୟ କରିଥାଏ ତା’ ବିରୁଦ୍ଧରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ । କିନ୍ତୁ ଯେଉଁମାନେ ଆଇନ ରକ୍ଷକ ନୁହଁନ୍ତି ଏଥିରେ ସେମାନଙ୍କର ହସ୍ତକ୍ଷେପ କେବଳ ଅନାବଶ୍ୟକ ନୁହେଁ ଅସ୍ପୃହଣୀୟ ମଧ୍ୟ ।

 

ଲୋକମାନେ କିନ୍ତୁ ବୁଝିଲେ ନାହିଁ ।

 

ସେମାନେ ହୋଟେଲର ନିର୍ମାଣ କାର୍ଯ୍ୟରେ ବାଧାସୃଷ୍ଟି କଲେ । ସେ ବାଧ୍ୟ ହୋଇ ଆଇନ ଅନୁସାରେ କାର୍ଯ୍ୟ କରିବ ବୋଲି ଧମକ ଦେଇ ପାଞ୍ଚଜଣ କନେଷ୍ଟବଳଙ୍କୁ ସେଠାରେ ଅବସ୍ଥା ପର୍ଯ୍ୟବେକ୍ଷଣ କରିବାକୁ ଛାଡ଼ି ନିଜେ ଗଲା ସିଟି ଏଡ଼ମିନିଷ୍ଟ୍ରେଟରଙ୍କ ଅଫିସକୁ ।

 

ନଗର ପ୍ରଶାସକ ସେତେବେଳେ ବ୍ୟସ୍ତଥିଲେ ଏକ ଆଲୋଚନାରେ ।

 

ଅପେକ୍ଷା କଲା ପ୍ରକାଶ । ସେ ଅପେକ୍ଷା କରୁଥିବାବେଳେ ନଗର ପ୍ରଶାସକଙ୍କ ପି.ଏ.ଠାରୁ ଶୁଣିଲା ଯେ ହୋଟେଲ ଉତ୍କଳର ମାଲିକ ଶିଳ୍ପପତି ମହେନ୍ଦ୍ର ରାଉତରାୟ ନିଜେ ଆସିଚନ୍ତି ଆଲୋଚନା କରିବାପାଇଁ । ସେତେବେଳେ ତାଙ୍କୁ ସେଠାରେ ଆଶା କରୁ ନ ଥିଲା ପ୍ରକାଶ ।

Unknown

 

ଆଲୋଚନା କିଛି ସମୟ ଚାଲିବା ପରେ କଫି ପଠାଇବା ପାଇଁ ହୁକୁମ ପାଇଲେ ପି.ଏ-। ଆଲୋଚନା ଶୀଘ୍ର ଶେଷ ହେଉ ନ ଥିବାର ଆଭାସ ପାଇ ଅଶ୍ୱସ୍ତି ଅନୁଭବ କଲା ପ୍ରକାଶ ।

 

ତଥାପି ଅପେକ୍ଷା କରିବାକୁ ସ୍ଥିରକରି ସେ ବାହାରେ ବୁଲିବାକୁ ଲାଗିଲା ।

 

ପ୍ରାୟ ଅଧଘଣ୍ଟା ପରେ ଯେଉଁମାନେ ଭିତରେ ଥିଲେ ଜଣ ଜଣ କରି ବାହାରି ଆସି ଛିଡ଼ା ହେଲେ ପୋର୍ଟିକୋରେ । ଆଲୋଚନା ଶେଷ ହେବା ପରେ ସେମାନେ ଚାଲି ନ ଯାଇ କାହିଁକି ଏବଂ କାହାକୁ ଅପେକ୍ଷା କଲେ ବୁଝିପାରିଲା ନାହିଁ ପ୍ରକାଶ । ସେମାନଙ୍କ ମଧ୍ୟରୁ ମହେନ୍ଦ୍ର ରାଉତରାୟଙ୍କୁ ସେ ଚିହ୍ନିଥିଲା ଆଗରୁ । ତାଙ୍କ ସହିତ କିନ୍ତୁ ଆଉ ଦୁଇ ଜଣ ବି ଥିଲେ । ଜଣେ ମହିଳା ଅନ୍ୟ ଜଣେ । ମହିଳାଙ୍କ ବୟସ ସତେଇଶ ଅଠେଇଶରୁ ବେଶୀ ହେବ ନାହିଁ ଏବଂ ଦେଖିବାକୁ ବେଶ୍ ସୁଶ୍ରୀ ଏବଂ ସ୍ୱାସ୍ଥ୍ୟବତୀ । ଅନ୍ୟଜଣ ମଧ୍ୟ ବୟସ୍କ । ପିଅନଠାରୁ ପ୍ରକାଶ ଶୁଣିଲା ଯେ ସେ ଇଞ୍ଜିନିଅର ନରୋତ୍ତମ ବିଶ୍ୱାଳ । ଭଦ୍ରମହିଳା ହୋଟେଲ ମାଲିକଙ୍କ ବ୍ୟକ୍ତିଗତ ସଚିବ ଶେଫାଳି ରାୟ ।

 

କାଳେ ଏଡ଼ମିନିଷ୍ଟ୍ରେଟର ଅନ୍ୟକାର୍ଯ୍ୟରେ ବ୍ୟସ୍ତ ରହିଯାଇ ପାରନ୍ତି ଏହା ମନେକରି ତାଙ୍କୁ ଦେଖା କରିବା ପାଇଁ ସେ ତାଙ୍କ ଅଫିସ ଆଡ଼କୁ ଅଗ୍ରସର ହେବାବେଳେ ନଗର ପ୍ରଶାସକ ବିଭାସ ବଳିଆର ସିଂ ତାଙ୍କ ଚେମ୍ବରରୁ ବାହାରି ଅପେକ୍ଷମାଣ କଳା ଆମ୍ବାସାଡ଼ର ଗାଡ଼ିରେ ବସିଲେ ଯାଇ । ଗାଡ଼ିର କବାଟ ଖୋଲି ଛିଡ଼ା ହୋଇଥିଲେ ମହେନ୍ଦ୍ର ରାଉତରାୟ । ତାଙ୍କ ସହିତ ପଛସିଟ୍‌ରେ ବସିଲେ ଶେଫାଳି ରାୟ ଏବଂ ଆଗରେ ବସିଲେ ମହେନ୍ଦ୍ର ରାଉତରାୟ । ଗାଡ଼ି ଚଳାଇଲେ ଇଞ୍ଜିନିଅର ନରୋତ୍ତମ ବିଶ୍ୱାଳ ।

 

ନଗର ପ୍ରଶାସକଙ୍କୁ ଆଉ ସାକ୍ଷାତ୍‍କରି ପାରିଲା ନାହିଁ ପ୍ରକାଶ । ସେ ଚାଲିଗଲା ପରେ ପ୍ରକାଶ ଜାଣିଲା ଯେ ସେ ନିଜ ଗାଡ଼ିରେ ନ ଯାଇ ମହେନ୍ଦ୍ର ରାଉତରାୟଙ୍କ ଗାଡ଼ିରେ ଗଲେ ଏବଂ ପଛେ ପଛେ ତାଙ୍କ ଖାଲି ଗାଡ଼ି ଗଲା । ତାଙ୍କ ପଛେ ପଛେ ଯିବ କି ଯିବ ନାହିଁ ତାହା ହଠାତ୍ ଠିକ୍‌ କରି ନ ପାରି ଏଡ଼ମିନିଷ୍ଟ୍ରେଟର କେଉଁଠିକୁ ଗଲେ ଜାଣିବାକୁ ଚାହିବାରୁ ପି.ଏ. ତାହା ଜାଣି ନ ଥିବାର ସୂଚନା ଦେବାରୁ ପ୍ରକାଶ ଜିପ୍‌ରେ ଫେରି ଆସିଲା ଥାନାକୁ ।

 

ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହି ସେ ଭୁଲିଗଲା ପଞ୍ଚତାରକା ହୋଟେଲ କଥା ।

 

ସମୟ ଗୋଟେ ହେବ ସେତେବେଳକୁ । ଟେଲିଫୋନ୍‍ ଉଠେଇଲାବେଳକୁ ସେ ପାଖରୁ କହିଲା କିଏ ଯେ ଷ୍ଟେସନ ସ୍କୋୟାର ପାଖରେ ଗୋଟେ ଘରେ ନିଆଁ ଲାଗିଯାଇଛି । ଦମକଳକୁ ଖବର ଦିଆଯାଇଛି । କିନ୍ତୁ ଘରେ ଚାକରଟି ଛଡ଼ା ଆଉ କେହି ନ ଥିବାରୁ ପୁଲିସ୍‍ ଉପସ୍ଥିତ ରହିବା ବାଞ୍ଛନୀୟ ମନେହେଉଛି ।

 

ପ୍ରକାଶ ଘର ମାଲିକର ନାମ ପଚାରିବା ପୂର୍ବରୁ ଟେଲିଫୋନ୍‍ ଲାଇନ କଟି ଯାଇଥିଲା ।

 

ଆଉ କାଳ ବିଳମ୍ବ ନକରି ସେ ନିଜ ଜିପ୍‌ନେଇ ବାହାରିଗଲା ଘଟଣାସ୍ଥଳକୁ । ସେଠାରେ ପହଞ୍ଚିବା ପରେ ସେ ପୂର୍ବରୁ ଯାହା ଅନୁମାନ କରୁଥିଲା ତାହା ସତ୍ୟ ପ୍ରମାଣିତ ହେଲା ।

 

ମନୋଜ ରହୁଥିବା ଘର ଭିତରେ ନିଆଁ ଲାଗିଛି । ନିଆଁ ଲାଗିବାର କାରଣ ଜାଣିବାକୁ ଯାଇ ସେ ଶୁଣିଲା ଯେ ନିଆଁ ଲାଗିବା ପୂର୍ବରୁ ଘର ଭିତରେ ଏକ ବିସ୍ଫୋରଣ ଘଟିଛି । ସେତେବେଳେ ତାଙ୍କର ଚାକର ମଧ୍ୟ ନ ଥିଲା ଘର ଭିତରେ । ସେ ଥିଲେ କଅଣ ହୋଇଥାଆନ୍ତା କେଜାଣି ! ସେତେବେଳକୁ ଦମକଳ ପହଞ୍ଚି ସାରିଥାଏ ଏବଂ ନିଆଁ ଲିଭା କାମ ଆରମ୍ଭ ହେଉଥାଏ ମାତ୍ର । ମନୋଜର ଚାକର ନାରଣ ବାହାରେ ଛିଡ଼ା ହୋଇ କାନ୍ଦୁଥିବାର ଦେଖି ପ୍ରକାଶ କହିଲା କଅଣ କିପରି ହେଲା, ତୁ ଥିଲୁ କୋଉଠି, ମନୋଜ ବାବୁ ଗଲେ କୁଆଡ଼େ ?

 

ମନୋଜ ସକାଳୁ ବାହାରି ଯାଇଥିବାର ଜଣାଇଲା ନାରଣ । ତାହାରି ପାଖରୁ ପ୍ରକାଶ ଶୁଣିଲା ଯେ ସେ ଘର ଦରଜା ବନ୍ଦକରି ପାଖ ଦୋକାନରୁ ଧୂପକାଠି କିଣିବା ପାଇଁ ଯାଇଥିବାବେଳେ ବିସ୍ଫୋରଣ ଘଟିଲା । ଶବ୍ଦ ଶୁଣି ସେ କେଉଁଠି କଅଣ ଘଟିଲା ଜାଣିବାପାଇଁ ଦୌଡ଼ି ଆସିବାବେଳେ ଦେଖିଲା ଯେ ତାଙ୍କରି ଘରେ ନିଆଁ ଲାଗିଯାଇଛି ଏବଂ ପ୍ରବଳ ଧୂଆଁରେ ପୂରିଉଠିଛି ଘର ଚାରିପାଖ । ପାଖଘରେ ରହୁଥିବା ବାବୁ ଫୋନ୍‍ କଲେ ଦମକଳ ପଠେଇବା ପାଇଁ-। ସେ ଫୋନ୍‌ କଲେ ପୁଲିସ୍‍ଥାନାକୁ ।

 

ପ୍ରକାଶ ସଦାନନ୍ଦ ବାବୁଙ୍କ ସହିତ କଥାଭାଷା କରି ଜାଣିଲା ଯେ ଦିନ ବାରଟାବେଳେ ସନ୍ଦେହଜନକ ଭାବରେ ଜଣେ ବ୍ୟକ୍ତିକୁ ମନୋଜର ଘର ଆଗରେ ଛିଡ଼ା ହୋଇଥିବାର ଦେଖି ତାକୁ କେହି ଚିହ୍ନନ୍ତି କି ନାହିଁ, ତାଙ୍କ ସ୍ତ୍ରୀ ଓ ଚାକରକୁ ପଚାରିବାରୁ ସେମାନେ ନାସ୍ତି କଲେ । ତେଣୁ ସେ ଧରିନେଲେ ଯେ ବୋଧହୁଏ କେହି ଅପେକ୍ଷା କରୁଛି ମନୋଜକୁ । ଇମିତି ଅନେକ ଲୋକ ଆସନ୍ତି ତା’ ପାଖକୁ ଏବଂ ସେ ଘରେ ନ ଥିଲେ ତା’ର ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି ସେମାନେ । ଆଜିବି କିଛି ବ୍ୟତିକ୍ରମ ଘଟି ନ ଥିବ ଏହା ଧରିନେଇ ସେ ବୈଠକଖାନାରେ ବସି ଟିଭି ଦେଖୁଥିବା ସମୟରେ ବିସ୍ଫୋରଣର ଶବ୍ଦ ଶୁଣି କଅଣ ହେଲା ଜାଣିବା ପାଇଁ ବାହାରକୁ ଆସିଲାବେଳକୁ ଘର ସାମ୍ନାରେ ଅପେକ୍ଷା କରୁଥିବା ସେଇ ଯୁବକକୁ ଆଉ ଦେଖିପାରିଲେ ନାହିଁ । ତାଙ୍କର ଅନୁମାନ ଯେ ନାରଣ ଦୋକାନକୁ ଚାଲିଯିବା ପରେ ପରେ ସେ ଆସିଥିଲା ଏବଂ ନାରଣ ଫେରିବା ପୂର୍ବରୁ ଏହି କାଣ୍ଡ କରି ପଳେଇ ଯାଇଛି ।

 

ତାଙ୍କ ସହିତ ସହମତ ହୋଇ ପ୍ରକାଶ ଲାଗିଗଲା ନିଜ କାମରେ ।

 

ଜିନିଷପତ୍ର ଯାହା ଉଦ୍ଧାର କରାଗଲା ତାହା ସାମାନ୍ୟ ମାତ୍ର; ଅଧିକାଂଶ ମୂଲ୍ୟବାନ ଆସବାବ, ଲୁଗାପଟା ଏବଂ ବହିପତ୍ର ପୋଡ଼ି ଧ୍ୱଂସ ହୋଇଗଲା ।

 

ଏହା ଯେ ଏକ ଅଭିସନ୍ଧମୂଳକ କାର୍ଯ୍ୟ ଏଥିରେ ଆଉ ସନ୍ଦେହ ରହିଲା ନାହିଁ ପ୍ରକାଶର-। ଇଏ କୌଣସି ଦୁର୍ବୃତ୍ତର ଖାମଖିଆଲି କାର୍ଯ୍ୟ ନୁହେଁ ବା ବ୍ୟକ୍ତିଗତ ଆକ୍ରୋଶର ପରିଣତି ନୁହେଁ ବା ବ୍ୟକ୍ତିଗତ ଆକ୍ରୋଶର ପରିଣତି ନୁହେଁ । ଏହା ପଛରେ ଯେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି ଏବଂ ଷଡ଼ଯନ୍ତ୍ର ପଛରେ ଚତୁର ବ୍ୟକ୍ତିମାନଙ୍କର ହାତ ଅଛି ଏହା ନିଶ୍ଚିତ ।

 

ଯାହା ଆଶଙ୍କା କରିଥିଲା ପ୍ରକାଶ ପ୍ରାୟ ତାହାହିଁ ହେଲା । କିନ୍ତୁ ମନୋଜକୁ ହତ୍ୟାକରି ନ ପାରି ତା’ର ଘରେ ବିସ୍ଫୋରଣ ଘଟାଇ ଜିନିଷପତ୍ର ନଷ୍ଟଭ୍ରଷ୍ଟ କରିବାର କାରଣ ସ୍ପଷ୍ଟ ହେଲାନି ମନରେ । ତାକୁ ଜୀବନରେ ମାରିଦେବା ପାଇଁ ଷଡ଼ଯନ୍ତ୍ର ଚାଲିଥିବାର ଆଭାସ ପାଇବାକ୍ଷଣି ସେ ମନୋଜକୁ ଜଣାଇ ଦେଇଥିଲା । ଆହୁରି ସାଙ୍ଘାତିକ ଖବର ଯେତେବେଳେ ପାଇଲା ସେତେବେଳେ ମନୋଜକୁ ସତର୍କ କରାଇଦେବା ପାଇଁ ଏବଂ ପୁଲିସ୍‍ର ସାହାଯ୍ୟ ନେବାପାଇଁ କହିବା ସକାଶେ ସେ ମନୋଜକୁ ଖୋଜୁଥିଲା ସକାଳେ । କିନ୍ତୁ ମନୋଜକୁ ନ ପାଇ ନିରାଶ ହୋଇ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ଏହି ଦୁର୍ଘଟଣା ଘଟିଗଲା । ଯା’ହେଉ ମନୋଜ ଯେ ରକ୍ଷା ପାଇଯାଇଛି ଏହା ବଡ଼ ଭାଗ୍ୟର କଥା । ଭଗବାନ ତା’ର ମଙ୍ଗଳ କରନ୍ତୁ ।

 

ଦମକଳ କାର୍ଯ୍ୟ ଶେଷ କଲାବେଳକୁ ଦୁଇଘଣ୍ଟା ଲାଗିଗଲା । ଏ ଭିତରେ ତାହାରି ଅନୁରୋଧରେ ବିସ୍ଫୋରକ ବିଶାରଦ ଆସି ଅନୁସନ୍ଧାନ ଆରମ୍ଭ କରି ଦେଇଥିଲେ । ସେଠାରେ ପୁଲିସ୍‍ ଜଗୁଆଳି ରଖି କାଳେ ମନୋଜ ଉପରେ ଅନ୍ୟ କୌଣସି ବିପଦ ଦେଖାଦେଇପାରେ ଏହା ଆଶଙ୍କା କରି ରାଜଧାନୀର ବିଭିନ୍ନ ଅଞ୍ଚଳରେ ଅବସ୍ଥିତ ସମସ୍ତ ଥାନାମାନଙ୍କୁ ସତର୍କ କରାଇଦେଇ ଥାନାକୁ ଫେରୁଥିବାବେଳେ ସେ ଦେଖିଲେ ଯେ ହୋଟେଲ ଶାନ୍ତିରୁ ବାହାରି ପ୍ରାୟ ଟଳି ଟଳି ନିଜର ଗାଡ଼ି ଭିତରକୁ ଗଲେ ନଗର ପ୍ରଶାସକ ବିଭାସ ବଳିଆର ସିଂ । ତାଙ୍କ ହାତଧରି ଗାଡ଼ି ଭିତରେ ଯିଏ ବସେଇ ଦେଲେ ସିଏ ଆଉ କେହି ନୁହଁନ୍ତି ଶିଳ୍ପପତି ମହେନ୍ଦ୍ର ରାଉତରାୟଙ୍କ ବ୍ୟକ୍ତିଗତ ସଚିବ ଶେଫାଳି ରାୟ ।

 

ଯେଉଁଦିନ ଆନୁଷ୍ଠାନିକ ଭାବରେ ମାନବ ମହାନ୍ତି ଦଳରେ ଯୋଗଦେଲେ ସେଦିନ ସଂଧ୍ୟାରେ ସେ ହୋଟେଲ ‘ଖଣ୍ଡଗିରି’ରେ ଏକ ବ୍ୟୟବହୁଳ ଭୋଜି ଦେଲେ ଦଳର କର୍ମକର୍ତ୍ତା, ଶୁଭେଚ୍ଛୁ ସହକର୍ମୀ ଏବଂ ନଗରର କେତେକ ପ୍ରସିଦ୍ଧ ବୁଦ୍ଧିଜୀବୀଙ୍କୁ । ଦୁଇଶହ ବ୍ୟକ୍ତିଙ୍କୁ ସେ ନିମନ୍ତ୍ରଣ କରିଥିଲେ ମଧ୍ୟ ପ୍ରାୟ ଆହୁରି ଶହେ ଲୋକ ଅଧିକ ଆସିଗଲେ । ଦଳୀୟ ଲୋକଙ୍କୁ ଡାକିଲେ କିଛି ସୀମା ନିର୍ଦ୍ଧାରଣ କରି ହୁଏ ନାହିଁ । ଯାହାକୁ ଡକାଯାଏ ସିଏ ସାଙ୍ଗପାଙ୍ଗଙ୍କୁ ନେଇ ଆସେ । ଫଳରେ ଦଳୀୟ ଭୋଜି କିମ୍ବା ଉତ୍ସବରେ କୌଣସି ଏଷ୍ଟିମେଟ୍‍ କାର୍ଯ୍ୟକରେ ନାହିଁ । ସବୁ ଅନୁମାନ ଭାଙ୍ଗି ତାଲିକା ଲମ୍ବା ହୋଇଯାଏ ।

 

ଠିକ୍ ସେହିପରି ହେଲା ଏଠାରେ ।

 

ଦୁଇଶହ ସ୍ଥାନରେ ତିନିଶହ ପାଞ୍ଚଜଣ ଆସିଲେ । ମୂଳ ଲିଷ୍ଟରୁ କୋଡ଼ିଏ ପଚିଶ ଜଣ ଅସୁସ୍ଥତା ବା କାର୍ଯ୍ୟବ୍ୟସ୍ତତା ଯୋଗୁ ଆସି ନ ପାରି ମଧ୍ୟ ସଂଖ୍ୟା ତିନିଶହରୁ ଟପିଗଲା ।

 

ଜଣେ କେହି ଶୁଭେଚ୍ଛୁ ଆସି ଏହି କଥା ସୂଚେଇ ଦେଇ କହିଲେ ଯେ ଏହା ଶୁଭ ଲକ୍ଷଣ ଏବଂ ଏହାହିଁ ତାଙ୍କର ପପୁଲାରିଟିର ପ୍ରମାଣ । ଲୋକପ୍ରିୟତା ଥିଲେ ଲୋକ ଆସିବେ, ମନା କରିହେବ ନାହିଁ । ନ ଡାକିଲେ ମଧ୍ୟ ଆସିବେ ।

 

ମାନବ ମହାନ୍ତି ଏତେ ଲୋକପ୍ରିୟ ବୋଲି ନିଜେ ମଧ୍ୟ ଜାଣି ନ ଥିଲେ ।

 

ସେ ସାହେବୀ ପୋଷାକ ଛାଡ଼ି ଆଜି ପ୍ୟାଣ୍ଟ୍‍ ଏବଂ ଗଳାବନ୍ଧ କୋଟ ପିନ୍ଧି ଆସିଛନ୍ତି । ମୁଣ୍ଡ ଉପରେ ଟୋପି । ନେତା ପରି ଲାଗୁଛନ୍ତି । ମନ୍ତ୍ରୀ ପରି ବି ଦିଶୁଛନ୍ତି ।

 

ତାଙ୍କ କୋର୍ଟର ବଟନ ହୋଲରେ ଅର୍ଦ୍ଧ ପ୍ରସ୍ଫୁଟିତ ରକ୍ତ ଗୋଲାପଟି ଖୋସିଦେଲା ତୃପ୍ତି । ସ୍ୱାଗତ ସଙ୍ଗୀତ ସେ ଗାଇବ ଆଜି । ଗୋଦାବରୀଶ ମିଶ୍ରଙ୍କର ‘‘ତୁଙ୍ଗ ଶିଖରୀ ଚୁଳ, କୁଞ୍ଜ କାନନ ମାଳ ।’’ ଗୀତ ଗାଇବାକୁ ଭଲପାଆନ୍ତି ମାନବ । ଛାତ୍ରାବସ୍ଥାରେ କେତେଥର ନ ଗାଇଥିବେ ଏ ଗୀତ ! ଏଇ ଗୀତ ଗାଇ ସେ କଲେଜ ୟୁନିଅନର ନିର୍ବାଚନରେ ଜିତି ସଭାପତି ହୋଇଥିଲେ । ଏଇ ଗୀତ ଗାଇବା ପରେ ଦଶବର୍ଷ ପୂର୍ବେ ଜନସେବା କରିବା ନିମନ୍ତେ ନିଜକୁ ଉତ୍ସର୍ଗ କରୁଥିବାର ସିଦ୍ଧାନ୍ତ ଘୋଷଣା କରିଥିଲେ ସେ ।

 

ଆଜି ଜନସେବା ଓ ନିଜ ସେବା ଏକ ହୋଇଯାଇଥିବାବେଳେ ସେ ମୂଳସ୍ରୋତରୁ ବିଚ୍ଛିନ୍ନ ହୋଇ ରହନ୍ତେ କିପରି ? ସେଇ ଗୀତ ଗାଇବା ପାଇଁ କହିଥିଲେ ତୃପ୍ତିକୁ । ତୃପ୍ତି ସଙ୍ଗେ ସଙ୍ଗେ ରାଜି ହୋଇ ଯାଇଥିଲା । ଆଜିର ସଭା ସୂଚନାଭବନ କିମ୍ବା ରବୀନ୍ଦ୍ରମଣ୍ଡପରେ କରାଇ ପାରିଥାନ୍ତେ ସେ । କିନ୍ତୁ ତାହା ଚିତ୍ତାକର୍ଷକ ହୋଇ ପାରି ନ ଥାନ୍ତା । ସୂଚନା ଭବନ କିମ୍ବା ରବୀନ୍ଦ୍ରମଣ୍ଡପ ଯେଉଁଠାରେ ହେଲେବି ଦଳେ ଅବାଞ୍ଛିତ ବେକାର ଆସି ଆଗୁଆ ଆସନ ଦଖଲ କରିଥାଆନ୍ତେ ସେଠାରେ । ସେମାନଙ୍କୁ ପ୍ରଥମରୁ ଏତେ ପାଖରେ ରଖିବାକୁ ଚାହାଁନ୍ତିନି ମାନବ । ଚିହ୍ନା ପରିଚୟ ନ ହେବା ଆଗରୁ ତ ସେମାନେ ସଭାର ଆସନ ଦଖଲ କରନ୍ତି, ଚିହ୍ନା ପରିଚୟ ଆରମ୍ଭ ହେବାବେଳୁ ସେମାନଙ୍କ ଦାବି, ଗୁହାରୀ ଶୁଣିବାକୁ ହୁଏ । ସେଥିରୁ ରକ୍ଷା ପାଇବାକୁ ଚାହୁଁଥିଲେ ସେ । ପାର୍ଟି ସ୍ତରରେ କେବଳ କର୍ମକର୍ତ୍ତାଙ୍କୁ ଡାକିଲେ ଏବଂ ଶୁଭେଚ୍ଛୁ, ସମର୍ଥକଙ୍କୁ ଡାକିଲେ ତାଙ୍କର ପାଓ୍ୱାର ବେଶ୍ ସୁଦୃଢ଼ ହେବ । ବୁଦ୍ଧିଜୀବୀମାନେ ରହିଲେ ତାଙ୍କ ଇମେଜ ଉଜ୍ଜ୍ୱଳ ହେବ । ସେଥିପାଇଁ ସାମ୍ବାଦିକ, ସାହିତ୍ୟିକ, ଆଇନଜୀବୀ, ବୈଜ୍ଞାନିକ ଏବଂ ଅଧ୍ୟାପକ କେତେଜଣଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ ସେ । ଦୁଇଜଣ ଶିଳ୍ପପତି ମଧ୍ୟ ଆସିଥିଲେ ଏବଂ ଆସିଥିଲେ ତିନିଜଣ ଆଧ୍ୟତ୍ମିକ ପ୍ରବକ୍ତା ଏବଂ ସଂଖ୍ୟାନ୍ୟୁନ ଗୋଷ୍ଠୀର କେତେକ ମୁଖ୍ୟବ୍ୟକ୍ତି । ଆଗନ୍ତୁକମାନଙ୍କୁ ଚାହିଁଦେଇ ମାନବ ମାହାନ୍ତି ଖୁସି ହୋଇଗଲେ । ଓଡ଼ିଶା ବିଧାନ ସଭାରେ ଶହେ ଛୟାଳିସ ସଭ୍ୟ ଅଛନ୍ତି; କିନ୍ତୁ ସେ ଡାକିଥିବା ସଭାକୁ ତିନିଶହ ପାଞ୍ଚଜଣ ଆସିଚନ୍ତି ।

 

ସ୍ୱାଗତ ସଙ୍ଗୀତ ଗାନ କଲାପରେ ମଞ୍ଚ ଉପରେ ସଂଧ୍ୟା ପ୍ଲେନ୍‌ରେ କଲିକତାରୁ ସ୍ପେଶାଲ ଅର୍ଡର ଦେଇ ଅଣାଯାଇଥିବା ଦଶକିଲୋରୁ ଅଧିକ ଓଜନର ଗୋଟିଏ ବଡ଼ ଫୁଲମାଳ ତାଙ୍କ ଗଳାରେ ଲମ୍ବାଇ ଦେଲେ ଷୋହଳ ସତର ବର୍ଷର ଝିଅ ଚାରିଜଣ । ସମସ୍ତେ ଏକାପରି ଶାଢ଼ି ପିନ୍ଧିଥିଲେ, ଏକାପରି ହସୁଥିଲେ ।

 

ବିପୁଳ କରତାଳି ମଧ୍ୟରେ ପାର୍ଟି ପ୍ରେସିଡେଣ୍ଟ୍‍ ମାନବ ମହାନ୍ତିଙ୍କୁ ଦଳକୁ ସ୍ୱାଗତ କରିବାର ସଙ୍କେତସ୍ୱରୂପ ଚାରିଫୁଟ ଲମ୍ବ ଏକ ମୋଟା ଫୁଲମାଳ ଲମ୍ବେଇ ଦେଲେ ତାଙ୍କ ଗଳାରେ-। ଏହା ପରେ ପରେ ତାଙ୍କରି ପୃଷ୍ଠପୋଷକତାରେ ଗଢ଼ିଉଠିଥିବା ଅନୁଷ୍ଠାନମାନଙ୍କ ପକ୍ଷରୁ ମାଲ୍ୟ ପ୍ରଦାନ କରାଗଲା । ତା’ପରେ ମାଲ୍ୟପ୍ରଦାନ କଲେ ଶୁଭେଚ୍ଛୁ, ସମର୍ଥକ ଏବଂ ପ୍ରଶଂସକମାନେ । ଶେଷରେ ତାଙ୍କ ହାତକୁ ଫୁଲତୋଡ଼ା ବଢ଼ାଇଦେଇ ସମର୍ଥନ ଜଣାଇଲେ ସେବାଦଳର କର୍ମୀମାନେ-

 

ମାନବ ମହାନ୍ତି ସକ୍ରୀୟ ରାଜନୀତିରେ ପ୍ରବେଶ କରିବା ସମ୍ପର୍କରେ ଆବାହକ ନାତିଦୀର୍ଘ ଏକ ଭାଷଣ ଦେଇ ସାରିବାପରେ ଦଳର ସଭାପତି ତାଙ୍କୁ ସ୍ୱାଗତ କରି ଆହୁରି ଏକ ଉଦ୍ଦୀପନାମୟ ଭାଷଣ ଦେଲେ । ତା’ପରେ ବୁଦ୍ଧିଜୀବୀମାନଙ୍କ ମଧ୍ୟରୁ ଏବଂ ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରୁ କେତେଜଣ ତାଙ୍କୁ ଅଭିନନ୍ଦନ ଜଣାଇ କିଛି କିଛି କହି ସାରିବା ପରେ ମାନବ ମହାନ୍ତି ନିଜର ଶେଷ ବକ୍ତବ୍ୟ ଦେଲେ ।

 

ଦେଶ ଏକ ସଙ୍କଟପୂର୍ଣ୍ଣ ପରିସ୍ଥିତି ଭିତର ଦେଇ ଗତି କରୁଥିବାବେଳେ ସେ ଆଉ ନୀରବଦ୍ରଷ୍ଟା ହୋଇ ବସିରହି ପାରିଲେ ନାହିଁ । ବିବେକ ଦଂଶନ କଲା ତାଙ୍କୁ । ଶୁଭେଚ୍ଛୁ ଓ ସମର୍ଥକମାନେ ବାରମ୍ବାର ପ୍ରବର୍ତ୍ତାଇବାକୁ ଲାଗିଲେ କିଛି କରିବାପାଇଁ । ଦେଶ କଅଣ ଦେଇଛି ତାହା ବିଚାର ନ କରି ସେ ଦେଶକୁ କଅଣ ଦେଇଛନ୍ତି ମନକୁ ମନ ସେ ଯେତେବେଳେ ପ୍ରଶ୍ନ କଲେ ସେତେବେଳେ ଅନ୍ତର ଭିତରୁ କେହି ଯେପରି ଉଦାତ୍ତ ସ୍ୱରରେ କହିଲା ଯେ - ତୁ ଏତେ ନେଇଛୁ ଦେଶ ପାଖରୁ, ସମାଜ ଓ ଲୋକଙ୍କ ପାଖରୁ ..କିନ୍ତୁ ପ୍ରତିଦାନରେ ଦେଇନୁ କିଛି । ଋଣୀ ରହିଯିବୁ ଚିରଦିନ ? ନା, ବାହାରିପଡ଼ । କାନ ଦେଇ ବିବେକାନନ୍ଦ କହିଥିବା ଉପନିଷଦର ସେଇ ବାଣୀ ସ୍ମରଣ କର ‘ଉତ୍ତିଷ୍ଟିତ ଜାଗ୍ରତ ପ୍ରାପ୍ୟ ବରାନ୍ନିବୋଧ ତା’ ସେହି ଏକ କଥା ଋଷିମାନେ ବି କହିଚନ୍ତି-। ତାଙ୍କର ଶୁଭେଚ୍ଛୁ ଓ ହିତାକାଂକ୍ଷୀମାନେ ବି କହନ୍ତି ।

 

ସେହି ଶୁଭଲଗ୍ନ ଆଜି ଉପସ୍ଥିତ ହୋଇଛି । ଆଜି ଆଉ କଥାରେ ନ କହି କାର୍ଯ୍ୟରେ ଦେଖାଇବାର ବେଳ ଆସିଛି । ସେ ବକ୍ତୃତା ନ ଦେଇ କେବଳ ବାସ୍ତବରେ କଅଣ କରାଯାଇପାରେ ସେଥିପ୍ରତି ସମସ୍ତଙ୍କର ସଚେତନ ଦୃଷ୍ଟି ଆକର୍ଷଣ କରି କିଛି କରିବା ପାଇଁ ଯେଉଁ ସଂକଳ୍ପ କରିଚନ୍ତି ସେହି ବିଷୟ କହିଲେ ଉଦାତ୍ତ କଣ୍ଠରେ । ଗୋଟିଏ ପଦରେ ସେ ଘୋଷଣା କଲେ ଯେ - ସେ ଦେଶସେବାରେ ନିଜକୁ ଉତ୍ସର୍ଗ କରିଚନ୍ତି ।

 

ପରିଶେଷରେ ସେ ଘୋଷଣା କଲେ ଯେ ଜନସେବାରେ ଆତ୍ମୋତ୍ସର୍ଗ କରିବାବେଳେ ସେ ନିଜର ସ୍ୱାର୍ଥ କଥା ଭାବୁ ନାହାନ୍ତି, ନିଜ ଲୋକଙ୍କ କଥା ତାଙ୍କ ମନକୁ ଅଧିକାର କରୁନାହିଁ; ସେ କେବଳ ଭାରତବର୍ଷର ମାନଚିତ୍ର ଦେଖୁଚନ୍ତି ଆଖିଆଗରେ । କୋଟି କୋଟି ଭୋକିଲା, ନିର୍ଯ୍ୟାତିତ ନିଷ୍ପେସିତ ଲୋକଙ୍କର ମୁହଁ ଦେଖୁଚନ୍ତି ଏବଂ ଉତ୍କଳ ଜନନୀର ତୁଙ୍ଗ ଶିଖରଚୂଳ କୁଞ୍ଜ କାନନ ମାଳ ତାଙ୍କୁ ସଚେତନ କରେଇ ଦଉଚି ନିଜର କର୍ତ୍ତବ୍ୟ ସମ୍ପର୍କରେ । ସେ ଲମ୍ଫ ଦେଉଛନ୍ତି ଅନାଗତକୁ... । ଏପର୍ଯ୍ୟନ୍ତ ଯାହା ସ୍ୱପ୍ନ ହୋଇ ରହିଛି, କଳ୍ପନା ହୋଇ ରହିଛି ତାହା ବାସ୍ତବରେ ରୂପାନ୍ତରିତ ନ ହେବା ପର୍ଯ୍ୟନ୍ତ ସେ ବିଶ୍ରାମ କରିବେ ନାହିଁ, କାୟୋମନୋବାକ୍ୟରେ ଦେଶର ସେବା କରିଯିବେ ଏବଂ ତାଙ୍କର ଗଭୀର ପ୍ରତ୍ୟୟ ଜନ୍ମିଚି ଯେ ଗାନ୍ଧିଜୀ ହୋଇ ନ ପାରି ଯାହା କେବଳ ସ୍ୱପ୍ନରେହିଁ ରହିଗଲା, ସେ ତାହା ବାସ୍ତବରେ ପରିଣତ କରିବେ । କୌଣସି ଲାଭର ଆଶା ନ ରଖି ଭୟଶୂନ୍ୟ ହୃଦୟରେ କର୍ମଯୋଗୀ ପରି ସେ ଝାସ ଦେବେ କର୍ମଯଜ୍ଞରେ । ସେ ଆଉ ନିଜର ହୋଇ ନ ରହି ସମଗ୍ର ଜାତି ଉଦ୍ଦେଶ୍ୟରେ ନିଜକୁ ସମର୍ପଣ କଲେ ।

 

ଏତାଦୃଶ ମହତ୍‌ବାକ୍ୟ ଅନେକ ଶ୍ରୋତାଙ୍କୁ ଉଦ୍‌ବୁଦ୍ଧ କଲା । ଅନେକ ତାଙ୍କର ବକ୍ତୃତା ପରେ ବିଜୟୋଲ୍ଲାସରେ ନୃତ୍ୟ କରିବାକୁ ଲାଗିଲେ, ଅନେକ ଆଉ କାଳ ବିଳମ୍ବ ନ କରି ପାନପାତ୍ର ହାତକୁ ନେଇ ପରସ୍ପରକୁ ଉତ୍ସାହିତ କଲେ ।

 

ମାନବ ମହାନ୍ତି ଆଉ ବ୍ୟକ୍ତିବିଶେଷ ହୋଇ ରହିଲେ ନାହିଁ, ଏକ ବିରାଟ ଅନୁଷ୍ଠାନର ଜଣେ ଅଗ୍ରଗଣ୍ୟ ନେତା ହୋଇଗଲେ ।

 

ବାଙ୍କ୍ୱେଟ୍‌ ହଲରେ ଭୋଜିର ବ୍ୟବସ୍ଥା କରାଯାଇଥିଲା ।

 

ସ୍ୱାମୀଙ୍କର ଅଭିଭାଷଣ ପରେ ମନସ୍ୱିନୀ ଦେବୀ ବିଦାୟ ନେଇ କୌଣସି ବିଶେଷ କାର୍ଯ୍ୟରେ ବ୍ୟସ୍ତଥିବା ଯୋଗୁ ଚାଲିଗଲେ ।

 

ପାର୍ଟି ପ୍ରେସିଡେଣ୍ଟ୍‍ଙ୍କ ଦାୟିତ୍ୱ ଏକ ଯୋଗ୍ୟହସ୍ତରେ ଅର୍ପଣ କରିବା ପାଇଁ ତାଙ୍କୁ ଗୋଟିଏ ପ୍ରକୋଷ୍ଠ ଭିତରକୁ ନେଇଗଲେ ମାନବ । ସେଠାରେ ପାନ ଓ ଭୋଜନର ପର୍ଯ୍ୟାପ୍ତ ବ୍ୟବସ୍ଥାସହ ଅପେକ୍ଷା କରୁଥିଲା ଗ୍ଲୋରିଆ ।

 

ମାନବ ମହାନ୍ତି ଆଖିଠାରି ତାକୁ ସକ୍ରୀୟ କରିଦେଇ ବାହାରି ଆସିବାବେଳେ କହିଲେ - ଶୁଭରାତ୍ରି ଯେପରି ଶୀଘ୍ର ଶେଷ ନ ହୁଏ... ।

 

ପାର୍ଟି ଶେଷ ହେବାବେଳକୁ ରାତି ଗୋଟାଏ ।

 

ସମସ୍ତ ଅତିଥିଙ୍କୁ ବିଦାୟ ଦେଇ ନିଜେ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ତୃପ୍ତି କହିଲା - ଆଜି ନବବର୍ଷର ଠିକ୍‌ ପୂର୍ବଦିନ । ଏଇଠୁ ଇମିତି ଫେରିଯିବା ?

 

ମାନବ ମହାନ୍ତି ଭୁଲିଯାଇିଥିଲେ ସବୁ ସ୍କଚହୁଇସ୍କର ତାଡ଼ନାରେ ।

 

ତାଙ୍କ ହାତରେ ତୃପ୍ତିର ହାତ ଲାଗିବା କ୍ଷଣି ତା’ର ଉତ୍ତାପ ଲାଗିଲା ତାଙ୍କୁ । ସେ ତା’ର କାନ୍ଧ ଉପରେ ଝୁଲିପଡ଼ି କହିଲେ ଯେଉଁଠିକୁ ଇଚ୍ଛା ମୋତେ ନେଇଯାଅ ହରି ଅପ୍‌ ।

 

ସ୍ୱଦେଶ ଦାସକୁ ସ୍ୱୟଂ କମିଶନର ସାହେବ ଡାକି ପଠେଇଲେ ।

 

ଜଣେ କର୍ମଚାରୀ ଆସି ସ୍ୱଦେଶକୁ ଏକଥା ଜଣେଇ ଦେଇଗଲା । ସେ ଆଶ୍ଚର୍ଯ୍ୟ ହେଲାନି, ବରଂ ଇମିତି ହଠାତ୍‌ କିଛି ଗୋଟେ ଘଟିବ ବୋଲି ଏଇ କେତେଦିନ ହେଲା ଆଶା କରୁଥିଲା ।

 

ସୁନ୍ଦରୀ ସ୍ତ୍ରୀଟିଏ ଥିଲେ ଏପରି ସୁଯୋଗ ଘଟେ ବୋଲି ଆଗରୁ ଶୁଣିଥିଲେ ବି କର୍ଣ୍ଣପାତ କରି ନ ଥିଲା ସେଥିରେ । ଶ୍ରୀଲେଖାକୁ ପାଇବା ପରେ ସେ ଆଉସବୁ ଭୁଲି ଯାଇଥିଲା । କିନ୍ତୁ ହଠାତ୍‌ ସେଇ ଶ୍ରୀଲେଖାକୁ ଉପଲକ୍ଷ୍ୟ କରି ଚାକିରି ଖଣ୍ଡକ ଚାଲି ଯିବା ପରେ ସେ ବାସ୍ତବବାଦୀ ହେବାକୁ ବାଧ୍ୟ ହେଲା । ଆଦର୍ଶ ପଛରେ ଧାଇଁ ଧାଇଁ ଯଦି ଶେଷରେ ଭୋକରେ ମରିବାକୁ ହୁଏ ତାହାଦ୍ୱାରା ପୃଥିବୀର ହୁଏତ କ୍ଷତି ହୋଇ ନ ପାରେ; କିନ୍ତୁ ଆଦର୍ଶ ପଛରେ ଦଉଡ଼ୁଥିବା ବ୍ୟକ୍ତିର ଅପୂରଣୀୟ କ୍ଷତି ହେବ । ସେ ଆଉଥରେ ଏଇ ଦେହରେ ଏଇ ସୁଯୋଗ ପାଇବ ନାହିଁ ମର୍ତ୍ତ୍ୟରେ । ସେ ଆଉଥରେ ଏଇ ଶରୀରରେ ଜନ୍ମଗ୍ରହଣ କରିବ ନାହିଁ । ମୃତ୍ୟୁପରେ ଏଇ ଶରୀର ପଞ୍ଚମହାଭୂତରେ ମିଶିଯିବ । ତାହାରି ସହିତ ଶେଷ ହୋଇଯିବ ଏ ଜନ୍ମର ସବୁ ଆଶା, ଆକାଂକ୍ଷା ଓ ସୁଖଦୁଃଖ । ପୁନର୍ଜନ୍ମ କଳ୍ପନାବିଳାସ ବ୍ୟତୀତ ଆଉକିଛି ନୁହେଁ । ଯଦି ବି ସତ୍ୟ ହୁଏ, ସେଥିରେ ତା’ର ଯାଏ ନାହିଁ କି ଆସେ ନାହିଁ, କାରଣ ଯେଉଁ ଶରୀର ଓ ଜୀବନ ଯାଏ ସେଇ ଶରୀର ଓ ଜୀବନ ଆଉ କେବେ ଏକତ୍ର ପୂର୍ବପରି ଅବତୀର୍ଣ୍ଣ ହୁଏ ନାହିଁ । ଅନ୍ୟରୂପ, ଅନ୍ୟ ଶରୀର ଓ ମନ ନେଇ ଆଉ କିଏ ଆସିଲା, ତା’ ସହିତ ଆଜି ଜୀବନର ପ୍ରତିକ୍ଷଣରେ ସନ୍ତୁଳି ହେଉଥିବା ସ୍ୱଦେଶ ଦାସର ସମ୍ପର୍କ କଅଣ ? ସେ ଯଦି ଜାଣନ୍ତା ଯେ ସେ ପୁଣି ପୂର୍ବଜନ୍ମର ସ୍ୱଦେଶ ଦାସ, ତା’ହେଲେ କିଛି ଶାନ୍ତି, କିଛି ସାନ୍ତ୍ୱନା ଅବା ମିଳନ୍ତା ମନକୁ । ସେଇ ସମ୍ଭାବନା ଯେତେବେଳେ ନାହିଁ ଚାର୍ବାକ୍‌ଙ୍କ ଉକ୍ତି ହିଁ ସତ୍ୟ ।

 

ଏଇ ଦେହଟା ବି ସେହିପରି ।

 

ଶ୍ରୀଲେଖାପରି ସ୍ତ୍ରୀର ସ୍ୱାମୀ ହୋଇଥିବାରୁ ଆଗେ ମନରେ ଅହଂକାର ହେଉଥିଲା । ଏପରି ସୁନ୍ଦରୀ ତରୁଣୀଟିକୁ ସ୍ତ୍ରୀ ଭାବରେ ପାଇବାଲାଗି କେତେ ଲାଳାୟିତ ଥିଲେ ମଧ୍ୟ ଶେଷରେ ଗଛର ପାଚିଲା ଫଳପରି ସେ ଆପେ ଆପେ ଖସି ପଡ଼ିଲା ତା’ ହାତରେ । ତା’ ପାଖରେ କେଉଁ ଆକର୍ଷଣ ଥିଲା କେଜାଣି ଶ୍ରୀଲେଖା ତାକୁ ଦେଖିବାଦିନୁ ତା’ର ହୋଇଗଲା । ଶ୍ରୀଲେଖା ସହିତ ପାଞ୍ଚ ବର୍ଷ ସ୍ୱାମୀ-ସ୍ତ୍ରୀ ଭାବରେ ଗୋଟିଏ ଛାତ ତଳେ ରହିବା ପରେ ପରସ୍ପରକୁ ସମ୍ପୂର୍ଣ୍ଣରୂପେ ପାଇଚନ୍ତି ଦୁହେଁ । ବାକି ଆଉ କିଛି ନାହିଁ ପାଇବାକୁ । ଯାହା ସଞ୍ଚୟଘରେ ଜମା ରଖାଯାଇଚି ଜୀବନସାରା ଦୁହେଁ ଏବେ ଖର୍ଚ୍ଚ କରିବେ । ସେଇ ପାଣ୍ଠି ଟାଇମ୍‌ ଡିପୋଜିଟ୍‌ ପରି । ସମୟ ଶେଷ ହବା ପୂର୍ବରୁ ତାକୁ ଉଠାଇନବା ମନା । ସେଇ ପାଣ୍ଠି ବଢ଼ୁଛି, ବଢ଼ୁଥିବ... ।

 

ଯଦି ସେମାନେ ସ୍ୱାମୀ-ସ୍ତ୍ରୀ ଭାବରେ ରହିବାରେ ବାଧା ନାହିଁ ତା’ହେଲେ ଜଣକର ଅଭାବ ଆଉ ଜଣେ ପୂର୍ଣ୍ଣ କରିବ ନାହିଁ କାହିଁକି ? ସେ ବେକାର ହୋଇ ବୁଲିଲେ, ସ୍ତ୍ରୀର ଉପାର୍ଜନ ଖାଇ ବଞ୍ଚିଲେ ତାକୁ ଲୋକେ ବାହାବା ଦେବେ ନାହିଁ କି ଶ୍ରୀଲେଖାକୁ ପ୍ରଶଂସା କରିବେ ନାହିଁ । ନିନ୍ଦା ପ୍ରଶଂସା ସବୁ ନିଜ ଉପରେ ନିର୍ଭର କରେ । ଅର୍ଥ ଥିଲେ, ସାମର୍ଥ୍ୟ ଥିଲେ ମଣିଷ ଖାତିର କରେ ନା କାହାକୁ । ଏହା ନ ଥିଲେ ଜୀବନ ଅସାର, ନିରର୍ଥକ । ଅର୍ଥ ଉପାର୍ଜନ କରିବା ଯଦି ସୁଖ ଅର୍ଜନ କରିବାର ଅଲଙ୍ଘନୀୟ ପଥ ତା’ ହେଲେ ତାହା ନ କରି ନୀତିନିୟମ କଥା ଚିନ୍ତାକରି ଲାଭ କଅଣ ? ଅର୍ଥହୀନ, ବେକାର ଓ ଦରିଦ୍ରକୁ ନୈତିକତା ବଞ୍ଚାଇ ପାରିବ ନାହିଁ ।

 

ଏଇ ନୀତି, ଆଦର୍ଶ ଓ ନୈତିକତାକୁ ଜାବୋଡ଼ି ଧରି ଅନାବଶ୍ୟକ ଦୁଃଖରେ ସଢ଼ୁଚନ୍ତି ମଧ୍ୟବିତ୍ତ, ନିମ୍ନ-ମଧ୍ୟବିତ୍ତମାନେ, ସଂସ୍କାର ଓ ସଂସ୍କୃତି, ମୂଲ୍ୟବୋଧ ଏବଂ ମାନବିକତାକୁ ଆଶ୍ରୟ କରି ଅଥର୍ବପରି ପଡ଼ିରହିଚନ୍ତି ଗୋଟିଏ ସ୍ଥାନରେ । ସମ୍ପଦଶାଳୀକୁ ଦେଖ, କେହି ନୀତି ନିୟମକୁ ସର୍ବସ୍ୱ କରି ନିଜକୁ ନିଗୃହୀତ କରୁନାହିଁ । ଯାହା ଯେତେବେଳେ ସୁବିଧା ହେଲା, ନିଜ ସ୍ୱାର୍ଥର ଓ ସୁଖର ଅନୁକୂଳ ହେଲା ସେମାନେ ସେତକ କରିବାକୁ କେବେ ପଶ୍ଚାଦ୍‌ପଦ ହୁଅନ୍ତି ନାହିଁ । କାମ ହାସଲ କରିବା ସେମାନଙ୍କର ଲକ୍ଷ୍ୟ । ଏକଲବ୍ୟପରି ଆଙ୍ଗୁଳି କାଟି ଗୁରୁଦକ୍ଷିଣା ନ ଦେଇ ସେମାନେ ଦକ୍ଷିଣା ଦିଅନ୍ତି ଉଦ୍‌ବୃତ୍ତରୁ । ଯଦି ଅଫିସର ଉତ୍କୋଚ ମାଗନ୍ତି ସେତକ ବିନାଦ୍ୱିଧାରେ ତାଙ୍କ ହାତକୁ ବଢ଼ାଇଦେଇ ପରମିଟ୍‌ କି ଅଡ଼ର ନେଇ ଆସନ୍ତି ସେମାନେ । ଯଦି କେହି କାଞ୍ଚନରେ ଲୋଭ ନ କରି କାମିନୀରେ ଲୋଭ କରେ ତାହା କିପରି ପୂରଣ କରିବାକୁ ହୁଏ ଜଣା ସେମାନଙ୍କୁ । ସେମାନେ ମଦ, ମାଂସ ଓ ନାରୀଦ୍ୱାରା ପୃଥିବୀ ଜୟ କରନ୍ତି ପ୍ରତିଦିନ ।

 

ସେମାନଙ୍କର ସମୃଦ୍ଧି, ପ୍ରତିପତ୍ତି ଏବଂ ପରାକ୍ରମ ଦେଖେଇ ଦେଲେ ବି କିଛି ବୁଝିଲାନି ଶ୍ରୀଲେଖା ।

 

ସେମାନେ ଯଦି ନୀତି ଭାଙ୍ଗି ନୈତିକତାକୁ ବିସର୍ଜନ ଦେଇ ବିଳାସ ଏବଂ ପ୍ରାଚୁର୍ଯ୍ୟ ଭିତରେ ରହିପାରନ୍ତି ସାମାନ୍ୟ ସଙ୍ଗସୁଖ ବିନିମୟରେ, ଶ୍ରୀଲେଖା ସ୍ୱାମୀର ମଙ୍ଗଳ ନ କରିବ କାହିଁକି ? ସେ ରାତିଏ ବାହାରେ ଶୋଇ ଆସିଲେ ସେଇ ରାତିକି ହୁଏତ ନିସଙ୍ଗ ଅନୁଭବ କରିବ ସ୍ୱଦେଶ, କିନ୍ତୁ ଅଧିକ କିଛି ହେବ ନାହିଁ । ମାନବ ମହାନ୍ତିର ମନୋରଞ୍ଜନ କରିଥିଲେ ସେ ଏତେ ଦୁର୍ଭୋଗ ସହ ମୁହଁମାଡ଼ି ପଡ଼ି ନ ଥାନ୍ତା । ଶ୍ରୀଲେଖା କେବଳ ହୁଣ୍ଡୀ ନୁହେଁ ଏକଜିଦିଆ । ଯେଉଁ ମୂଲ୍ୟବୋଧ, ପରମ୍ପରା ଓ ସଂସ୍କାରର କଥା ସେ କହେ ତାହା ଅକାମୀ ହୋଇଯାଇଚି । ତାହା ଅଚଳ ପଇସାପରି ମୂଲ୍ୟହୀନ ।

 

ମାନବ ମହାନ୍ତି ସହିତ ବନ୍ଧୁତ୍ୱର ଆକର୍ଷଣ କଅଣ କମ୍‌ ? ସମ୍ଭାବନା ତ ପ୍ରଚୁର ! ଏଇ ଦେହଟା ଟୟଲେଟ୍‌ ପରି ଘଷିମାଜି ଧୋଇଦେଲେ ପୁଣି ଚକ୍‌ଚକ୍‌, ପୁଣି ବ୍ୟବହାରଯୋଗ୍ୟ ।

 

କମିଶନରଙ୍କ ଦୃଷ୍ଟି ହୁଏତ ଶ୍ରୀଲେଖା ଉପରେ ପଡ଼ିଚି । ପଡ଼ୁ ଏହା ତ ଶୁଭଲକ୍ଷଣ ! ସ୍ୱାଗତଯୋଗ୍ୟ । ଯା’ହେଉ ଏତେ ଡେରିରେ ହେଲେ ବି ଗୁଡ଼୍‌ଲକ୍‌ ଫେରି ଆସୁଚି ପୁଣି ।

 

ସେ ଶ୍ରୀଲେଖାକୁ କିଛି ନ କହି ସଙ୍ଗେ ସଙ୍ଗେ ବାହାରିଗଲା ।

କମିଶନର ତାହାରି ଅପେକ୍ଷାରେ ବସିଥିଲେ ଯେପରି ।

ତାକୁ ବସିବାକୁ କହିଲେ ସେ ।

ସ୍ୱଦେଶ କମିଶନରଙ୍କ ଆଗରେ ବସି କୃତକୃତ୍ୟ ଅନୁଭବ କଲା ।

 

ତୁମେ ମିଛଟାରେ ସମୟ ଓ ସୁଯୋଗ ନଷ୍ଟ କଲ ... ମୋତେ ଆଗରୁ କହି ପାରିଥାନ୍ତ-। ମୁଁ ପରେ ଜାଣିଲି ଯେ ତମେ ବେକାର ବସିଚ ଘରେ । ଶ୍ରୀଲେଖାର ତ ଏତେ ଲାଜ ଯେ ସେଦିନ ବାରମ୍ବାର ପଚାରି ବି ମୁଁ ନିରାଶ ହୋଇଥିଲି ।

 

ସ୍ୱଦେଶ ସାହସ ପାଇଲା ମନରେ । ପୁଣି କହିଲେ କମିଶନର ସାହେବ-

 

-ଦରଖାସ୍ତ ଖଣ୍ଡେ ଦେଇଯାଅ ଅଫିସରେ । ଆଡ଼୍‌ହକ୍‌ରେ ରହିଯାଅ ପ୍ରଥମେ । ମୁଁ ପରେ ସିଲେକ୍‌ସନ କରାଇଦେବି । ସାମାନ୍ୟ କଥା...

 

- ମୁଁ କୃତଜ୍ଞ ରହିବି ସାର୍‌... ।

 

- ଆଉଗୋଟେ ନିଷ୍ଫତ୍ତି ବି ମୁଁ ନେଇଛି ତୁମର ସୁବିଧାପାଇଁ । ଶ୍ରୀଲେଖାକୁ ଅଫିସର ଅନ୍‌ ସ୍ପେଶାଲ ଡିଉଟି କରି ପୋଷ୍ଟିଂ କରିଚି ମୋ ଅଫିସରେ । ସେ ନାରୀଶିକ୍ଷା ଦାୟିତ୍ୱରେ ରହିବେ-। କୋରାପୁଟ ଯିବା ଅଡ଼ର କ୍ୟାନସଲ କରିଦେଇଛି... । କିଛି ଆପତ୍ତି ନାହିଁ ତ ?

 

- ନା, ନା, ଇଏତ ଆପଣଙ୍କ କରୁଣା ସାର... !

 

- କରୁଣା ନୁହେଁ, ଏହା ତୁମର ପ୍ରାପ୍ୟ । ଶ୍ରୀଲେଖାଠାରୁ ଆଉ କେହି ଯୋଗ୍ୟ ପ୍ରାର୍ଥୀ ମୋ ଦୃଷ୍ଟିରେ ପଡ଼ି ନାହାନ୍ତି ଏଯାଏ ।

 

- ସେ ଖୁବ୍‌ ସିନ୍‌ସିଅର ସାର୍‌ ।

 

- ମୁଁ ସବୁ ଜାଣି ଏଇ ନିଷ୍ଫତ୍ତି କରିଚି । ତାଙ୍କୁ ଏଇ ଆଗାମୀ ପହିଲାରୁ ଜଏନ୍‌ କରିବାକୁ ହେବ ଏଠାରେ । କ୍ୱାଟର କଥା ପରେ ବୁଝିବି ।

 

- ଆପଣଙ୍କର ଦୟାର ଅନ୍ତ ନାହିଁ ସାର... !

- କିନ୍ତୁ ଟିକେ ଅସୁବିଧା ହୋଇପାରେ ତୁମର... ।

- କଅଣ ସାର ?

 

-ତାଙ୍କୁ ଗସ୍ତରେ ଯିବାକୁ ପଡ଼ିବ ମଧ୍ୟେ ମଧ୍ୟେ । ଅବଶ୍ୟ ଏକା ଯିବନି, ମୋ ସାଙ୍ଗରେ ଯିବେ । ମୁଁ ତ ମୁରବୀ ପରି... ଚିନ୍ତା କ’ଣ ?

 

- ନା, ନା, ସେୟା ଭଲ ହେବ ସାର... ଆପଣ ସାଙ୍ଗରେ ଥିଲେ ମୁଁ ନିର୍ଭୟ, ସେ ବି ନିଶ୍ଚିନ୍ତ ।

 

- କମିଶନର ସାହେବ ଖୁସିହେଲେ ତା’ର କଥା ଶୁଣି । ତା’ପରେ ଆଉ ଗୋଟେ ପ୍ରସ୍ତାବ ଉପସ୍ଥାପିତ କଲେ ସେ - ମୋ ଝିଅ ପରୀକ୍ଷା ଦବ ଏଇ ମାର୍ଚ୍ଚରେ । ଇଂରାଜୀରେ ଦୁର୍ବଳ । ମଝିରେ ମଝିରେ ଯଦି ସନ୍ଧ୍ୟାବେଳେ ଦୁଇଘଣ୍ଟା ଆସନ୍ତେ ଶ୍ରୀଲେଖା, ବଡ଼ ଉପକ୍ତୃତ ହୁଅନ୍ତି । ମୋ ଗାଡ଼ି ଯାଇ ନେଇଆସିବ ।

 

- ସେଇଆ ହେବ ସାର୍‌ । ମୁଁ କଥା ଦେଉଛି । ସେ ମନାକରିବେ ନାହିଁ । ମୁଁ ଯାଉଛି ଏଇନେ ତାଙ୍କୁ ପଠେଇ ଦେବି ।

 

ସ୍ୱଦେଶ ଦାସ କମିଶନର ସାହେବଙ୍କୁ ନମସ୍କାର କରି ଅଫିସରେ ଦରଖାସ୍ତ ଖଣ୍ଡେ ଦେଇ ଘରକୁ ନ ଯାଇ ଶ୍ରୀଲେଖାର କଲେଜ ଆଡ଼କୁ ପାଦ ବଢ଼େଇଲା । ତାକୁ ଲାଗୁଥିଲା ଯେପରି ଅକ୍ଲେଶରେ ସେ ହିମାଳୟକୁ ଗିରିଶୃଙ୍ଗଗୁଡ଼ାକୁ ଗୋଟିକ ପରେ ଗୋଟିଏ ଆରୋହଣ କରି ଚାଲିଚି-

 

ଅଗ୍ନି ଗର୍ଭରେ ଅନେକ ତଥ୍ୟ, ଅନେକ ପ୍ରମାଣ ଧ୍ୱଂସ ପାଇଯିବା ପରେ ମନୋଜ ଭାଗ୍ୟର ବିଡ଼ମ୍ବନାକୁ ଉପହାସଦ୍ୱାରା ଉଡ଼େଇଦେଇ ନ ପାରି ଦାର୍ଶନିକ ପରି କହିଲା ନିଜକୁ ଯେ, କର୍ମରେ ମଣିଷର ଅଧିକାର ଅଛି ସତ, କିନ୍ତୁ କର୍ମଫଳ ବିଧିର ଆୟତ୍ତାଧୀନରେ । ବିଧାତାଙ୍କର ଇଚ୍ଛା ବିରୁଦ୍ଧରେ ପତ୍ରଟିଏ ବି ପଡ଼େ ନାହିଁକି କେଶଟିଏ ବି ହଲେ ନାହିଁ । ସବୁ ଯଦି ତାଙ୍କରି ଇଚ୍ଛାଧୀନ ତା’ହେଲେ ନିରାକରର ହତ୍ୟା ବି ତାଙ୍କରି ଇଚ୍ଛାକୃତ, ପତିଗୃହରୁ ଶାଶ୍ୱତୀର ଅପହରଣ ବି ବିଧିର ବିଧାନ, ଆଉସବୁ ନିୟମ ଲଙ୍ଘନ କରି ଚଉଦ ମହଲାବିଶିଷ୍ଟ ହୋଟେଲ ତିଆରି କରିବା ମଧ୍ୟ ତାଙ୍କରି ଇଚ୍ଛାର ଫଳ ! ଏହାହିଁ ଯଦି ସତ୍ୟ ତା’ହେଲେ ଈଶ୍ୱରତତ୍ତ୍ୱ ବୁଝିବାକୁ ଆହୁରି ବହୁ ବର୍ଷ ଲାଗିବ ତାକୁ । ହୁଏତ ସାରାଜୀବନ ଅନ୍ୱେଷଣ ଏବଂ ଅନୁଶୀଳନ କରି ମଧ୍ୟ ସେଇ ତତ୍ତ୍ୱର, ତାଙ୍କ ରହସ୍ୟର କୌଣସି କୂଳକିନାରା ପାଇବ ନାହିଁ ସେ ।

 

ମାଘ ମାସର ଶେଷବେଳକୁ ବସନ୍ତ ଅନଧିକାର ପ୍ରବେଶ କରି ରାଜଧାନୀର ବୃକ୍ଷ ଶାଖାମାନଙ୍କରେ ଆଗମନ ବାର୍ତ୍ତା ପହୁଞ୍ଚାଇ ଦେଇଛି ।

 

ଦେହରେ ପ୍ରଥମ ଯୌବନର ପରଶ ଲାଗିଲେ ଯେଉଁ ନମ୍ର କମନୀୟତା ସଞ୍ଚାରିତ ହୁଏ ସର୍ବାଙ୍ଗରେ ତାହା ଶାଖା ପ୍ରଶାଖାରେ ମଞ୍ଜୁରିତ ହବାରେ ଲାଗିଚି । ବଡ଼ ବଡ଼ ବଙ୍ଗଳାର ଚାରିକଡ଼ରେ ଶୋଭା ପାଉଥିବା ଆମ୍ବଗଛର ଶାଖା ପ୍ରଶାଖାରେ ବଉଳର ବିଳାସ । କୋଇଲି ଲୁଚି ଛପି କେତେବେଳେ କେମିତି ପଦୁଟିଏ ଗୀତଗାଇ ପୁଣି ଅଦୃଶ୍ୟ ହୋଇଯାଉଚି ଶାଖାର ଅନ୍ତରାଳରେ । ସାର, ପାଣି ଏବଂ ଯତ୍ନ ପାଇ ସଚିବମାନଙ୍କ ଉଆସ ଆଗରେ ହସକୁରୀ ଝିଅମାନଙ୍କ ପରି ରୂପର ସମ୍ଭାର ଅଙ୍ଗରେ ବୋଳିହୋଇ ଫୁଟିଚି ଅସଂଖ୍ୟ ଡାଲିଆ, ହଲିହକ୍‌ସ...ଏବଂ ନାନା ଜାତିର ଦେଶୀ ଓ ବିଲାତି ଫୁଲ । ବଡ଼ ମୋଲାୟମ ଲାଗୁଚି ରାଜଧାନୀର ପରିବେଶ । ଟିକେ ଟିକେ ଶୀତୁଆ ପବନ ଦେହକୁ ଶିର୍‌ଶିରେଇ ଦେଇ ଚାଲିଯାଉଚି ଅଗଣା ପଛକୁ ନିକାଞ୍ଚନରେ ଶୋଇଥିବା ହଳଦୀ ବସନ୍ତକୁ ଉଠେଇଦବା ପାଇଁ । ଦୁଇଟି କଜ୍ଜଳପାତୀ ଲାଞ୍ଜଟେକି ପରସ୍ପରକୁ ଖୁମ୍ପିବାରେ ଲାଗିଚନ୍ତି । ସେଇ ସକାଳବେଳୁ ଷଣ୍ଢଟି ବୁଲୁଚି ଯେ ଗାଈ ପଛେ ପଛେ ଏପର୍ଯ୍ୟନ୍ତ ସଫଳତାର ସନ୍ତୋଷ ଉପୁଚି ପଡ଼ୁନି ତା’ ଆଖିରୁ । ରିକ୍‌ସାଟାକୁ ଗଛତଳେ ଠିଆ କରେଇ ଶୋଇପଡ଼ିଛି ରିକ୍‌ସାବାଲା ।

 

ସବୁ ପୂର୍ଣ୍ଣତା ମଧ୍ୟରେ କେଉଁଠି ଯେପରି କିଛି ଅପୂର୍ଣ୍ଣତା ରହିଯାଇଚି । ସୁଖର ଜୀବନକୁ ଦୁଃଖ ଅକସ୍ମାତ୍‌ ମାଡ଼ିବସିଚି କେଉଁ ଏକ ଦୋଛକିରେ । ଆଉ ପୃଥିବୀର ସବୁ ଐଶ୍ୱର୍ଯ୍ୟ ଓ ସମ୍ପଦକୁ ନିଜର ସୁଖ ନିମନ୍ତେ ଉପଯୋଗ କରିବାଲାଗି ସୁଯୋଗ ପାଇ ବି ଦୀନହୀନ କାଙ୍ଗାଳବେଶରେ ବୁଲୁଚି ମଣିଷ । ବୃକ୍ଷରେ ଏତେ ବଳ୍‌କଳ ଥିବା ସତ୍ତ୍ୱେ ଲୁଗାକଳାରୁ ଏତେ ଲୁଗା ଉତ୍ପାଦନ ହେଉଥିବା ସତ୍ତ୍ୱେ ମଣିଷ ଏବେବି ଗାଁ ଗୋହିରୀରେ, ସହରର ଗଳିକନ୍ଦିରେ, ରାଜଧାନୀର ରାଜପଥରେ ନଙ୍ଗଳା ହୋଇ ବୁଲୁଚି । ଏତେ ବର୍ଷା ହେଉଥିବା ସତ୍ତ୍ୱେ ମରୁଡ଼ି ହୋଇ ଅକାଳ ପଡ଼ୁଚି ଦେଶରେ, ଏତେ ସଂଖ୍ୟାରେ ବଡ଼ ବଡ଼ କୋଠା ଥିବା ସତ୍ତ୍ୱେ ଗଛତଳେ କିମ୍ବା ଖୋଲାଆକାଶ ତଳେ ନିରାଶ୍ରୟ ପରି ପଡ଼ି ରହୁଚି ମଣିଷ । ଇଏ ବିଡ଼ମ୍ବନା ନୁହେଁ କି ଆଉ କଅଣ ହୋଇପାରେ ?

 

ସବୁ ତାଙ୍କର ବିଚିତ୍ର ଲୀଳା । ସେଥିପାଇଁ ବୋଧହୁଏ କବି ଗାଇଛନ୍ତି - ତୁମେ ତ ବିଚିତ୍ରକର୍ମା ମହାପ୍ରଭୁ, ତୁମେ ତ ବିଚିତ୍ର କର୍ମା ...ସେଇ ବିଚିତ୍ର କର୍ମାଙ୍କର ସୃଷ୍ଟିର ବୈଚିତ୍ର୍ୟ ବୁଝିପାରୁନି ମନୋଜ, ତା’ର ସବୁ ହିସାବ ଭୁଲ ହୋଇଯାଉଚି । ଯାହା ଘଟିବାର କଥା ଘଟୁ ନାହିଁ, ଯାହା ନ ଘଟିବାର କଥା ତାହାହିଁ ଘଟୁଚି ।

 

ପ୍ରକୃତି ତା’ ବାଟରେ ଚାଲିଚି ।

ପବନ ବି ବହୁଚି ।

କିନ୍ତୁ ତଥାପି ବାଟ ଦିଶୁନି କାହିଁକି ? ମଣିଷ ନିଜର କର୍ତ୍ତବ୍ୟ ବୁଝିପାରୁନି କାହିଁକି ?

କିଏ ଉତ୍ତର ଦବ ଏହାର ?

 

ହୁଏତ ଏହାର ଉତ୍ତର ଦିଆସରିଚି ବହୁ ଆଗରୁ, ଅନେକ ପୂର୍ବରୁ ଏଇ ପ୍ରଶ୍ନର ଉତ୍ତର ହୁଏତ କେହି ଲେଖି ଦେଇଯାଇଚି କପାଳରେ । ମଣିଷ ଦେଖି ପାରୁନି ନିଜର ଅଦୃଷ୍ଟ, ପଢ଼ି ପାରୁନି ବିଧିଲିପି ।

 

ମନୋଜ କିନ୍ତା ହାର ମାନିବାକୁ ଚାହେଁ ନାହିଁ ।

 

କଥାରେ କହନ୍ତି ଘରପୋଡ଼ିଠାରୁ ବିପତ୍ତି ନାହିଁ । ବିସ୍ଫୋରଣ ହେବା ଫଳରେ ଘର ଭିତରର ବହୁ ମୂଲ୍ୟବାନ ଜିନିଷ ନଷ୍ଟ ହୋଇଗଲା । ଟଙ୍କାର ହିସାବ କରି ନାହିଁ ସେ । ଟଙ୍କାଦ୍ୱାରା ସବୁର ହିସାବ ବେଳେ ବେଳେ କରିହୁଏ ନାହିଁ ।

 

ପ୍ରତିଶୋଧ ନବାକୁ ଆରମ୍ଭ କରିଚି ପ୍ରତିପକ୍ଷ ।

 

ତା ନାମରେ ମାନହାନି ମୋକଦ୍ଦମା କରିଚନ୍ତି ମାନବ ମହାନ୍ତି । ଲକ୍ଷେ ଟଙ୍କା ଖେସାରତ ଦାବି କରିଚନ୍ତି ।

 

ଠିକ୍‌ କହିଥିଲା ପ୍ରକାଶ ପଟ୍ଟନାୟକ । ସେ ପୁଲିସ୍‍ ହୋଇ ବି ବନ୍ଧୁକୁ ଆଇନର ସୁରକ୍ଷା ଦେଇପାରିବ ନାହିଁ । ଆଇନ ତ ବଡ଼ ବଡ଼ଙ୍କର ସୁରକ୍ଷା ପାଇଁ, ସେମାନଙ୍କ ସିଂହାସନକୁ ଆହୁରି ମଜବୁତ୍‌ ଏବଂ ସୁଦୃଢ଼ କରିବାପାଇଁ ତିଆରି ହୋଇଚି, ସାଧାରଣଙ୍କ ପାଇଁ ତିଆରି ହୋଇଥିବା ସମ୍ବିଧାନର ବ୍ୟବସ୍ଥା ଛନ୍ଦାଛନ୍ଦି ହୋଇପଡ଼ିଚି କୋର୍ଟ କଚେରୀ କୋଣରେ, ଅସଂଖ୍ୟ ମୋକଦ୍ଦମା ନିଷ୍ଫତ୍ତି ନ ହୋଇ ପଡ଼ିରହିଚି ଅଦାଲତରେ । ଯିଏ ନ୍ୟାୟ ପାଇଁ, ସୁବିଚାର ପାଇଁ ଅଦାଲତର ଆଶ୍ରୟ ନେଇଥିଲେ ସିଏ ମରିହଜି ଗଲେଣି, କିନ୍ତୁ ବିଚାର ହେବାର ଶୁଭବେଳ ଏଯାଏ ଆସି ନାହିଁ-

 

ଧନ୍ୟରେ ଦେଶ !

ନିଜର ସାହସକୁ ବି ଧନ୍ୟବାଦ ଦିଏ ମନୋଜ ।

ଯାହା ହେବାର ହେବ ଲଢ଼ିବ ସେ । ମରିବ ପଛକେ ଡରିବ ନାହିଁ ।

 

ଏଇ କେତେଦିନ ପାଗଳପରି ଅଫିସ, ଅଦାଲତ ଏବଂ ବନ୍ଧୁମାନଙ୍କ ଘରକୁ ଛୁଟିଚି ମନୋଜ । ପ୍ରମାଣ ସଂଗ୍ରହ କରୁଚି, ତଥ୍ୟ ସଂଗ୍ରହ କରୁଚି ।

 

ତା’ର ଦୁଃଖ ଦେଖି ସୁମତି କହିଲା ସେଦିନ, ତୁମଠାରୁ କୌଣସି ପ୍ରତ୍ୟାଶା ନ ରଖି ମୁଁ ତୁମକୁ ସାହାଯ୍ୟ କରିବି ମନୁଭାଇ । ବାପାଙ୍କୁ ସେମାନେ ମାରିଚନ୍ତି, ତୁମେ ସେମାନଙ୍କର ଶିକାର ନ ହୁଅ ଯେପରି ।

 

ସୁମତିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଏ ମନୋଜ ।

 

ଅନେକ ବଦଳି ଯାଇଚି ସୁମତି । ଦୁଃଖ ଶୋକ ତା’ ଦେହର ରଙ୍ଗକୁ ଆହୁରି ମଇଳା କରିଦେଇଚି; କିନ୍ତୁ ସେଇ ମଇଳା ରଙ୍ଗର ବି ନିଜସ୍ୱ ଉଜ୍ଜ୍ୱଳତା ଅଛି, ନିଜସ୍ୱ ନିବଦେନ ଅଛି । ତାହାହିଁ ତାକୁ ମୁଗ୍‌ଧ ମୋହିତ କରୁଥିଲା ।

 

ମନୋଜ ଗୋଟିକ ପରେ ଗୋଟିଏ ପୁନର୍ବାର ଯୋଗାଡ଼ କଲା ନଷ୍ଟ ହୋଇଯାଇଥିବା ତଥ୍ୟ, ପ୍ରାମାଣିକ ଦଲୀଲ । ସବୁ ନ ମିଳିଲେ ବି ଯାହା ମିଳିଲା ତାହା ତା’ର କାର୍ଯ୍ୟପାଇଁ ଯଥେଷ୍ଟ ।

 

ତଥାପି ସନ୍ଦେହ ରହିଚି ମନରେ ।

 

ପ୍ରକୃତ ତଥ୍ୟ ପ୍ରକାଶ କରିବା ତା’ର କର୍ତ୍ତବ୍ୟ । ନିରପେକ୍ଷ ଭାବରେ ସତ୍ୟ ସମ୍ବାଦ ପରିବେଷଣ କରିବା ତା’ର ଧର୍ମ ।

 

ନିରାକାରର ହତ୍ୟା ବିଷୟ ଭୁଲିଗଲେଣି ଲୋକେ । ଭୁଲିଗଲେଣି ଦିବ୍ୟଧାମର ଭାଇ ପ୍ରେମାନନ୍ଦଙ୍କ ହତ୍ୟା ସମ୍ପର୍କିତ ଘଟଣା । ଉପରୁ ଚାପ ପଡ଼ୁଚି ବୋଲି କହୁଥିଲା ପ୍ରକାଶ । ସେଥିପାଇଁ ଆଉ ବୋଧହୁଏ ଅନୁସନ୍ଧାନ ସରୁ ନାହିଁ । ସରିବ ନାହିଁ ମଧ୍ୟ । ଶେଷରେ ଦିନେ କୌଣସି ଅଫିସର ଲେଖିଦେବେ ଯେ - ହତ୍ୟା ଘଟଣା ସତ୍ୟ, କିନ୍ତୁ ହତ୍ୟାର କାରଣ ବା ହତ୍ୟାକାରୀ କିଏ ସେ ସମ୍ପର୍କରେ କୌଣସି ପ୍ରମାଣଯୋଗ୍ୟ ତଥ୍ୟ ନାହିଁ । କେସ୍‌ ଇଜ୍‌ କ୍ଲୋଜ୍‌ଡ଼ ।

 

ସେ କିନ୍ତୁ ଯେତିକି ସଂଗ୍ରହ କରିଛି ସେତିକି ଯଥେଷ୍ଟ ପୁଲିସ୍‍କୁ ସୁତ୍ର ଯୋଗାଇ ଦବାପାଇଁ । କିନ୍ତୁ ତା’ର ବୋଧହୁଏ ଆଉ ପ୍ରୟୋଜନ ହେବ ନାହିଁ । ହତ୍ୟାକାରୀ ଭଦ୍ରବେଶରେ ଚଳପ୍ରଚଳ ହେଉଥିବ ସମାଜରେ । ହୁଏତ ସମାଜସେବକ କିମ୍ବା ସଂସ୍କାରକ ରୂପରେ ଫୁଲମାଳ ବି ପାଉଥିବ ।

 

ସମାଜ ବଦଳୁ ନାହିଁ । ମନ ବଦଳୁ ନାହିଁ । ଆଭିମୁଖ୍ୟ ବି ବଦଳୁ ନାହିଁ । ପରିବର୍ତ୍ତନ କେବଳ ଭାଷଣର ଉପାଦାନ ହୋଇ ରହିଚି ।

 

ଚିଠି ଲେଖିଚି ଅନୁପମା । ସେ ଅସ୍ଥିର ହେଲାଣି ଆସିବାପାଇଁ । ହାସ୍ୟମୟୀର ଅଭିନୟ କରି ନିଜର ଆତ୍ମାକୁ ପ୍ରତି ମୁହୂର୍ତ୍ତରେ ହତ୍ୟା କରିବାକୁ ଚାହେଁନି ସେ ।

 

ଅନୁପମାର କଥା ମନେପଡ଼ିବାକ୍ଷଣି ସର୍ବାଙ୍ଗରେ ଏକ ଅନୁଭୂତି ପୁଲକ ଅନୁଭବ କରେ ମନୋଜ । ବହୁଦିନ ଖୋଜିବା ପରେ ଯାହାକୁ ସେ ପାଇଚି, ସେ ସତରେ ଅନୁପମା । ତାକୁ ଭାବିବାରେ ଯଦି ଏତେ ରୋମାଞ୍ଚ, ପାଇବାରେ କେତେ ସୁଖ ନ ଥିବ ସତରେ !

 

ସେଦିନ ସେ ତା’ର ଅତୀତର ସବୁକଥା କହିସାରି କହିଲା ଯେ, କିଛି ଗୋପନ ନ କରି ଯାହା କହିବାର କଥା କହିଦେଲି ତୁମ ଆଗରେ, ଆଉ କହିବାକୁ ବାକି ନାହିଁ କିଛି । ଏବେ ଖାଲି ତୁମେ କହିବ, ମୁଁ ଶୁଣିବି କିନ୍ତୁ ଯଦି ମୋର ସୌଭାଗ୍ୟ ହୁଏ ଶୁଣିବାର ... ।

 

ସେତେବେଳେ ଅନୁପମାର ଆଖି ସଜଳ ହୋଇ ଉଠିଥିଲା... ସେଇ ସଜଳତା ଉପରେ ପ୍ରତିଫଳିତ ହୋଇଥିଲା ଯେଉଁ ଅନୁପମା ତା’ର ମହିମା ଅତୁଳନୀୟ ।

 

ସେଇ ମୁହୂର୍ତ୍ତରୁ ସେ ଆପଣାର କରିନେଇଚି ତାକୁ ବିନା ଦ୍ୱିଧାରେ, ବିନା ସଂକୋଚରେ-

 

ମନହିଁ ବୃନ୍ଦାବନ ।

 

ସେଇ ମନ ଯେତେଦିନ ପର୍ଯ୍ୟନ୍ତ ଅକ୍ଷତ ଓ ଅବିଭକ୍ତ ସେତେଦିନ ପର୍ଯ୍ୟନ୍ତ ତାହା ନିର୍ମଳ ଏବଂ ଅନୁରକ୍ତ ।

 

ତା’ର ଭାବନାରେ ବିଘ୍ନ ସୃଷ୍ଟି କରି ନାରଣ ତା’ ହାତକୁ ବଢ଼ାଇ ଦେଲା ଗୋଟେ ଚିଠି ।

ଏକୋଇଶିଆର ନିମନ୍ତ୍ରଣ ।

ଆୟକରି କମିଶନର ନିମନ୍ତ୍ରଣ ପଠେଇଛନ୍ତି ।

 

ନ ଗଲେ ବି ଚଳିବ, କିନ୍ତୁ କାଳେ ଅଭଦ୍ରତା ହେବ ଏହି ଭୟରେ ଯିବାପାଇଁ ମନସ୍ଥ କଲା ମନୋଜ ।

 

ଆଜିକାଲି ସାମାଜିକତା ବୃଦ୍ଧି ପାଉଚି । ଲୌକିକତା ମଧ୍ୟ ବୃଦ୍ଧି ପାଉଚି ।

 

ଉଚ୍ଚପଦସ୍ଥ ଅଫିସରମାନେ ଖାଲି ଯଦି ବନ୍ଧୁତ୍ୱ ରକ୍ଷା କରିବାଲାଗି ଏପରି ଉତ୍ସବ କରୁଥାଆନ୍ତେ କଥା ନ ଥିଲା, କିନ୍ତୁ ଦିନକୁଦିନ ଏପରି ଏକ ଉତ୍ସବ ଆୟୋଜନ କରି ପ୍ରଚ୍ଛନ୍ନରେ ଯେଉଁ ଅସତ୍‌ ଉଦ୍ଦେଶ୍ୟ ସାଧନ କରାଯାଉଛି ତା’ର ଗତିରୋଧ ନ କଲେ ଭବିଷ୍ୟତରେ ଏହା ଏକ ସାମାଜିକ ବ୍ୟାଧିରେ ପରିଣତ ହୋଇଯିବ ।

 

ଇନ୍‌କମ୍‍ ଟ୍ୟାକ୍‌ସ କମିଶନର ନିକୁଞ୍ଜ କିଶୋର ଦାସ ସହରକୁ ଆସିବାଦିନୁ ସାମାଜିକ ସର୍କଲରେ ସୁଖ୍ୟାତି ବଢ଼ିଚି ତାଙ୍କର ।

 

ସେ ଯାହାହେଉ ତାକୁ ଯିବାକୁ ହେବ । ହୁଏତ ସେଠାକୁ ଯିବାଦ୍ୱାରା ତା’ର କିଛି ବୃତ୍ତିଗତ ଫାଇଦା ବି ହୋଇପାରେ । ଏହାଛଡ଼ା ଦେଖାହେବ ବହୁ ଲୋକଙ୍କ ସହିତ । ସରକାରୀ ଅଫିସର, ପାର୍ଲିଆମେଣ୍ଟ ମେମ୍ବର, ବ୍ୟବସାୟୀ, ବୃଦ୍ଧିଜୀବୀ, ସମାଜସେବୀ ଇତ୍ୟାଦି ।

 

ଫେରିବାକୁ ବିଳମ୍ବ ହୋଇପାରେ ଏବଂ ତା’ପାଇଁ ଅପେକ୍ଷା ନ କରି ନାରଣକୁ ଖାଇନବାକୁ କହି ବାହାରି ପଡ଼ିଲା ମନୋଜ । ଯିବା ବାଟରେ ଜଣେ ଦୁଇଜଣ ବନ୍ଧୁଙ୍କୁ ସଙ୍ଖୋଳି ଯିବ । ଭୁବନେଶ୍ୱର କଟକ କିମ୍ବା ବାରିପଦା ପରି ନୁହେଁ, ଏଠାରେ ଯିଏ ଯାହାର ଗୃହବନ୍ଦୀ । ବଡ଼ ବଡ଼ ଅଫିସରମାନେ ଯେପରି ବଙ୍ଗଳା ଚାରିପାଖାରେ ଥିବା ବଡ଼ ବଡ଼ ହତା ମଧ୍ୟରେ ଆବଦ୍ଧ, ସେହିପରି ସାମାଜିକ ବୋଲାଉଥିବା ଭଦ୍ରଲୋକମାନଙ୍କ ଅବସ୍ଥା । ଫଳରେ ସେମାନେ ଜୀବିତ କି ମୃତ ବୁଝାପଡ଼େ ଖବରକାଗଜରୁ ସେମାନଙ୍କର ବିବୃତ୍ତି ପଢ଼ିଲେ । ତଥାପି ସେମାନଙ୍କ ସହିତ ସମ୍ପର୍କ ରଖିବା ଆବଶ୍ୟକ ହୁଏ । ସମ୍ପର୍କ ନ ଥିଲେ ସମାଜ ତିଷ୍ଠିବ ନାହିଁ ।

 

ସୁପରମାର୍କେଟ ଆଗରେ ଅପ୍ରତ୍ୟାଶିତ ଭାବରେ ଦେଖା ହୋଇଗଲା ଆରେୟା ସହିତ-। ମାଳିସାହିର ମୁଖିଆ ଆରେୟା । ତାହାରି କଥାରେ ଉଠ୍‌ ବସ୍‌ ହୁଅନ୍ତି ସମସ୍ତେ । ଯେଉଁମାନଙ୍କର କାମ ନାହିଁ ସେମାନକୁ କାମ ଯୋଗାଇଦବା ଯେପରି ତା’ର ଏକ କାମ, ଯେଉଁମାନେ ମୁଣ୍ଡ ଗୁଞ୍ଜିବାପାଇଁ ଏଯାଏ କୁଡ଼ିଆଟିଏ କରିପାରି ନାହାନ୍ତି ସେମାନଙ୍କ ପାଇଁ ଖଣ୍ଡେ ଖାଲି ସରକାରୀ ଜମି ଖୋଜିବା ତା’ର କାମ, ଆଉ ଘର ତୋଳିବାର ସାହାଯ୍ୟ କରିବା ବି ତା’ର କାମ । କେହି ବାଧିକି ପଡ଼ିଲେ ତା’ର ରୋଗଶଯ୍ୟା ନିକଟରେ ସେ ଛିଡ଼ା ହୁଏ ବା ମରିଗଲେ କୋକେଇ କାନ୍ଧେଇ ଶ୍ମଶାନକୁ ଯିବାପାଇଁ ବାହାରିପଡ଼େ ଆଗୁଆ ହୋଇ । ଏଥିପାଇଁ ଆରେୟା ସମସ୍ତଙ୍କର ମୁଖିଆ, ମୁରବୀ । ସେ ଯାହା କହେ ସମସ୍ତେ ମାନି ନିଅନ୍ତି ।

 

ଆରେୟା ମୁହଁରେ ବେପରୁଆ ହସ ଖେଳାଇ କହିଲା ତମେ ବାବୁ ଯାହା ଲେଖିବ ଲେଖ; କିନ୍ତୁ ମୁଁ କଅଣ କରିବି, ମୋତେ ତ ବସେଇ ଉଠେଇ ଦଉ ନାହାନ୍ତି ତାଙ୍କ ଲୋକ । ପାଞ୍ଚ ହଜାର ଲୋକ ଯୋଗାଡ଼ କରିବାକୁ ବହିନା ବି ଦେଇଛନ୍ତି । କିନ୍ତୁ ଏତେ ଲୋକ ଯୋଗାଡ଼ କରିବା କି ଯେ କଷ୍ଟ ... ! ଲୋକମାନଙ୍କର ଦୁଃଖ ଅଛି, ଧନ୍ଦା ଅଛି, କହିଲାକ୍ଷଣି କେମିତି ଚାଲି ଆସିବେ ଯେ .. ।

 

ଟିକେ ଅଟକିଯାଇ ଆରେୟା ସହିତ କଥାଭାଷା ହେଲା ମନୋଜ । ନେତା ଓ ରାଜନୈତିକ ଦଳମାନଙ୍କର ଅନେକ ଭିତିରି ଖବର ମିଳେ ଏଇ ଆରେୟା ପାଖରୁ ।

 

ଆରେୟା ଆନ୍ଧ୍ରର ଲୋକ । ରାଜଧାନୀ ନିର୍ମାଣ ହେବାବେଳେ ଆସିଥିଲା, ଆଉ ଫେରିଯାଇନି, ଘରଦ୍ୱାର କରି ରହିଗଲାଣି ତିରିଶି ବର୍ଷରୁ ଅଧିକ ହେବ ।

 

ତାହାରି ମୁହଁରୁ ଶୁଣିଲା ମନୋଜ ।

 

ମାନବ ମହାନ୍ତି ଦଳରେ ମିଶିବା ପରେ ଦଳକୁ ସକ୍ରୀୟ କରିବାର ଭାର ପଡ଼ିଚି ତାଙ୍କ ଉପରେ । ମ୍ୟୁନିସ୍‌ପାଲିଟି ନିର୍ବାଚନ ପାଖହୋଇ ଆସିଲାଣି । ରାଜଧାନୀରେ ଶାସକଦଳ ହାତରେ ଯଦି ମ୍ୟୁନିସ୍‌ପାଲଟି ନ ରହେ ତା’ହେଲେ ସମ୍ମାନରେ ଆଞ୍ଚ ଆସିବ । ଯେମିତି ହେଉ ଇଲେକ୍‌ସନରେ ଜିତିବାକୁ ହେବ । କାମ ଆରମ୍ଭ ହୋଇଗଲାଣି ।

 

ତା’ ପୂର୍ବରୁ ବଡ଼ଧରଣର ସାଧାରଣ ସଭାଟିଏ କରିବା ଦରକାର । ସେଇ ସଭାରେ ମାନବ ମହାନ୍ତିଙ୍କୁ ଦଳକୁ ଆସିଥିବାରୁ ସ୍ୱାଗତ କରାଯିବ ଜନସାଧାରଣଙ୍କ ପକ୍ଷରୁ । ମୁଖ୍ୟମନ୍ତ୍ରୀ, ଦଳର ସଭାପତିଙ୍କ ପରେ ତାଙ୍କ ସ୍ଥାନ ତୃତୀୟରେ । ଏହା ପ୍ରାୟ ନିଶ୍ଚନ୍ତ ହୋଇଗଲାଣି ।

 

- ସେ ଇଲେକ୍‌ସନ ଲଢ଼ିବେ ?

- ଖାଲି ଲଢ଼ିବେ ନି ବାବୁ ? ସିଏତ ଚେୟାରମ୍ୟାନ ହେବେ ମ୍ୟୁନିସ୍‌ପାଲିଟିର ।

 

ତାଜା ଖବର ନିଶ୍ଚୟ । ଆରେୟା ସହିତ ଆଉଟିକେ ଗପିବା ପାଇଁ ଇଚ୍ଛା ହେଲା ମନୋଜର ।

 

ସେତେବେଳକୁ ଚା’ ଗିଲାସେ ନେଇଆସି ତା’ ହାତକୁ ବଢ଼େଇ ଦେଇଥାଏ ଆରେୟା ।

 

- ପାଞ୍ଚହଜାର ଲୋକ ଯୋଗାଡ଼ କରିବା ସହଜ ନୁହେଁ ! ବାରଙ୍ଗକୁ, ଜଟଣୀକୁ ଖବର ପଠେଇଚି । ଜଣକୁ ପାଞ୍ଚଟଙ୍କା ମିଳିବ । ଓଳିଏ ଖାଇବାକୁ ମିଳିବ । ଯିବାଆସିବା ଖର୍ଚ୍ଚ ନାହିଁ । ଟିକଟ ଲାଗିବ ନାହିଁ । ଟିକଟ କଲେକ୍ଟର ବାବୁମାନଙ୍କ ସହିତ ସଦ୍‍ଭାବ ଅଛି ଆରେୟାର । ହାତଗୁଞ୍ଜା କିଛି ଦେଲେ ମୁହଁ ଖୋଲନ୍ତିନି ସେମାନେ ।

 

ଆରେୟା କିନ୍ତୁ ଗୋଟିଏ ସମସ୍ୟାର ସମାଧାନ କରିପାରୁ ନାହିଁ ।

ମନୋଜ କହିଲା - ତୁମର ପୁଣି ସମସ୍ୟା କଅଣ ଯେ... ?

-ମୁଁ ସଭା କରାଏ, ଶୋଭାଯାତ୍ରା କରାଏ ବାବୁ ସଭା ଭାଙ୍ଗି ନି କେବେ ।

- ସଭା ଭାଙ୍ଗିବା କଥା ଉଠୁଚି କାହିଁକି ?

 

- ବିରୋଧୀ ଦଳମାନେ ମେଣ୍ଟ ବାନ୍ଧୁଛନ୍ତି । ସେମାନେ ଚୁପ୍‌ହୋଇ ବସି ନାହାନ୍ତି । ସେମାନେ ବି ବଡ଼ ଧରଣର ସଭା ଡାକିବା ପାଇଁ ସ୍ଥିର କରିଛନ୍ତି । ଶୋଭାଯାତ୍ରା ବି ଆଣିବେ ।

 

- ଇଏ ତ ବରାବର ଲାଗିଚି । ନୂଆକଣ କଅଣ ଯେ... ?

 

- ନୂଆ ନୁହେଁ ବାବୁ... କିନ୍ତୁ ମୋତେ ନୂଆ ଲାଗୁଚି । ମୁଁ ସଭା କରାଏ, ସଭା ଭାଙ୍ଗେ ନାହିଁ । ମୁଁ ଯାହା ନ କରେ ସେୟା କରିବା ପାଇଁ ଲଗେଇଛନ୍ତି... ଟଙ୍କା ତ ସବୁଠୁ ବଡ଼ ନୁହେଁ, ନିଜ କଥାର ବି ଦାମ୍‌ ଅଛି, ପତିଆରା ଅଛି ... ।

 

- କାହାର ସଭା କିଏ ଭାଙ୍ଗିବ ?

 

- ବିରୋଧୀ ଦଳର ସଭା ଯେପରି ଆଦୌ ନ ହୁଏ ସେଥିପାଇଁ ଯାହା ଖର୍ଚ୍ଚ ପଡ଼ିବ ଦବାକୁ ତିଆର ମାନବବାବୁ । ବଡ଼ ଓକିଲ, ପଇସାର ତ ଅଭାବ ନାହିଁ !

 

- କିଛି ଉପାୟ ଚିନ୍ତା କଲଣି ?

 

- ଅନେକ ଉପାୟ ଅଛି ଯେ ..... ହେଲେ ଅଡ଼ୁଆ ଅଡ଼ୁଆ ଲାଗୁଚି । କାଲି ପୁଣି ବିରୋଧୀ ଦଳ ଯଦି ଆସି କହିବେ - ଆରେୟା, ଶାସନ ଦଳର ଶୋଭାଯାତ୍ରା ଛିନ୍‌ଛତ୍ର କରିଦିଅ, ସେତେବେଳେ ମନାକରିବି କେମିତି.... ଉଭୟ ସମାନ ମୋ ପାଖରେ । ମୁଁ ବ୍ୟବସାୟ କରୁଚି, ପାତରଅନ୍ତର କରିପାରିବି ନାହିଁ ବାବୁ !

 

ମନୋଜ ଖାଲି ଗ୍ଲାସଟାକୁ ତା’ ହାତକୁ ବଢ଼େଇ ଦେଇ କହିଲା - ସେମାନେ ମରନ୍ତୁ ବା ବଞ୍ଚନ୍ତୁ, ମୋର କିଛି ଯାଏ ଆସେନି ଆରେୟା । ତୁମେ କିନ୍ତୁ ବଞ୍ଚିରୁହ.... ତୁମର ପରମାୟୁ ବଢ଼ୁ... । ତୁମେ ନ ଥିଲେ ରାଜଧାନୀର ରଙ୍ଗ ଫିକା ପଡ଼ିଯିବ ।

 

କାନ୍ଥରେ ବାଡ଼ରେ ସ୍ଲୋଗାନ ଲେଖା କାଗଜ ମରାହୋଇଛି । ମଝି ସଡ଼କ ଉପରେ ବି ସ୍ଲୋଗାନ ଲେଖାଯାଇଚି ।

 

ବିରାଟ ସାଧାରଣ ସଭା । ସ୍ଥାନ ପରେଡ଼୍‌ ପଡ଼ିଆ । ଶନିବାର ସଂଧ୍ୟା ପାଞ୍ଚଟା ।

ଆରେୟା କହିଲା, ଆହୁରି ଅନେକ ହେବ ବାବୁ... ଦେଖିବନି... !

ତା’ପାଖରୁ ବିଦାୟ ନେଇ ଆଗେଇଲା ମନୋଜ ।

ରାଜମହଲ ଛକ ପହଞ୍ଚିଲାବେଳକୁ ଅଟକାଇଦେଲା ଟ୍ରାଫିକ୍‌ ପୁଲିସ୍‌ ।

ଗୋଟେ ଦୁର୍ଘଟଣା ଘଟିଛି ଆଗରେ ।

 

ସ୍କୁଟର ପଛରେ ଧକ୍‌କା ଲଗେଇ ପଳେଇ ଯାଇଚି ମାଟାଡୋର । ଆରୋହୀ ଜଖମ ହୋଇଥିବାରୁ ଡାକ୍ତରଖାନାକୁ ନିଆହୋଇଛି । ଭାଗ୍ୟକୁ ହେଲେମେଟ୍‌ ଥିଲା ମୁଣ୍ଡରେ । ହୁଏତ ବଞ୍ଚି ଯାଇପାରେ । ସ୍କୁଟରଟା କିନ୍ତୁ ନଷ୍ଟ ହୋଇ ଯାଇଛି ଏକାବେଳେ ।

 

କିଏ ସେଇ ଦୁର୍ଭାଗା ? ଜାଣିବାର ଉପାୟ ନାହିଁ । କିଏ କହୁଚି ସିଏ ଜଣେ ଅଧ୍ୟାପକ, ଆଉ କିଏ କହୁଚି ସିଏ ଜଣେ ଓକିଲ... ।

 

ଇମିତି ଦୁର୍ଘଟଣା ପ୍ରତିଦିନ ଘଟେ ରାଜଧାନୀରେ । ଏଥିରେ ନୂତନତ୍ୱ ବା ଅସାଧାରଣତ୍ୱ କିଛି ନାହିଁ ।

 

ତା’ ପଛରୁ କେହି ତା’ ନାମ ଧରି ଡାକିଲା ଯେପରି ।

 

ମୁହଁ ବୁଲାଇ ମନୋଜ ଶଙ୍କରକୁ ଦେଖି ଅବାକ୍‌ ହୋଇଗଲା ବିସ୍ମୟରେ । ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ।

 

ଶଙ୍କର ରିକ୍‌ସାକୁ ଉହ୍ଲେଇ ଆସି ମନୋଜକୁ କୁଣ୍ଢେଇ ପକେଇ କହିଲା, ତୋ ଘରକୁ ଯାଇ ନିରାଶ ହୋଇ ଫେରିଲି । ତୁ ତ ବାହାରେ ବାହାରେ ବୁଲୁଚୁ, ପାଆନ୍ତି କେମିତି ?

 

- କେବେ ଆସିଲୁ ?

- ଆଜି ସକାଳେ ପହଞ୍ଚିଛି ।

- ରହିଚୁ କେଉଁଠି ?

- ହୋଟେଲରେ... ।

 

- ମୁଁ ଥିବାବେଳେ ତୁ ହୋଟେଲରେ ରହିବୁ ମୁଁ ଅଫିସର ନୁହେଁ ଯେ ବନ୍ଧୁମାନଙ୍କୁ ଗେଷ୍ଟ୍‍ ହାଉସ୍‌ କି ହୋଟେଲରେ ରଖିବି ମୁଁ ସାଧାରଣ ଲୋକଟିଏ । ମୋର ଘର ଅଛି । ତୁ ବଡ଼ ଅନ୍ୟାୟ କଲୁ ଶଙ୍କର !

 

- ତୋ ଘର ପୋଡ଼ିଯାଇଥିଲା ବୋଲି ପଢ଼ିଥିଲି ଖବରକାଗଜରେ । ସେଥିପାଇଁ ତୋ ଘରେ ଉଠିନି... ।

 

- ମୁଁ ରହିପାରୁଚି, ତୁ ରହିପାରିବୁନି ? କିଛି ମରାମତି କରିଚି । ଧୀରେ ଧୀରେ କାମ ଚାଲିଚି ।

 

ଟ୍ରାଫିକ୍‌ ଚାଲୁ ହେଲା ପୁଣି ।

ରିକ୍‌ସା ଛାଡ଼ି ସ୍କୁଟର ପଛରେ ବସିଲା ଶଙ୍କର ।

 

ଇନକମ୍‌ ଟ୍ୟାକ୍‌ସ କମିଶନରଙ୍କ ବଙ୍ଗଳା ସାମ୍ନାରେ ସ୍କୁଟର ଛିଡ଼ା କରେଇ କହିଲା ମନୋଜ - ମୁଁ ଦଶମିନିଟ୍‌ ଭିତରେ ଆସୁଛି, ତୁ ଏଇଠି ବସିଥା କିଛି ମନେକରିବୁନି ଭାଇ ... ଇଏ ରାଜଧାନୀ ... । ଏଠାରେ ନିମନ୍ତ୍ରିତମାନଙ୍କ ଅପେକ୍ଷା ଅନିମନ୍ତ୍ରିତଙ୍କ ସଂଖ୍ୟା ଅଧିକ; କିନ୍ତୁ ଆଉ ତୋତେ ସେ ଭିତରକୁ ଟାଣିବି ନାହିଁ ।

 

ଶଙ୍କର ସିଗାରେଟରେ ନିଆଁ ଧରାଇ ଫୁଙ୍କିବାରେ ଲାଗିଲା ।

ମନୋଜ ହାତରେ ଉପହାର ପ୍ୟାକେଟଟି ଧରି ଫାଟକ ପାରହୋଇ ଭିତରକୁ ଗଲା ।

 

ସେଇଠି ତା’ର ଦେଖାହେଲା ହିମ୍ମତଲାଲ ରଘୁବୀର, ଯମୁନା ଦାସ ହନୁମନ୍ତରାମ, ରାମଦାସ, ଲଛମନ ଦାସ, ସୁବେଦାର ସିଂ, ଗୋବିନ୍ଦ ଚମ୍ପତ୍ତି ପ୍ରଭୃତିଙ୍କ ସହିତ । ରାଜଧାନୀର ସବୁ ବ୍ୟବସାୟୀ ସେଠାରେ - ଯେପରି ମାର୍ଚ୍ଚେଣ୍ଟ ଆସୋସିଏସନର ସଭା ବସିଚି ! ଆହୁରି ବି ସେଇଠି ଦେଖା ହୋଇଗଲା ଦୁଇଚାରିଜଣ ଅଫିସର ଏବଂ ସମାଜସେବା କରି ନାମ ଅର୍ଜନ କରିଥିବା ସଂକଳ୍ପ ସାମଲଙ୍କ ସହିତ । ସଂକଳ୍ପ ସାମଲ ବିଲାତରେ ଦଶବର୍ଷ ଡାକ୍ତରୀ କରିବା ପରେ ଏବେ ସ୍ୱଦେଶକୁ ଫେରି ଫରେଷ୍ଟ ପାର୍କରେ ଖୋଲିଚନ୍ତି ନିଜର କ୍ଲିନିକ୍‌ । ଦାତା ଭାବରେ ହରିଶ୍ଚନ୍ଦ୍ର ସେ । ସମ୍ମାନରେ ଦୁର୍ଯ୍ୟୋଧନ ।

 

ମନୋଜ ଉପହାର ଖଣ୍ଡକ ଟେବୁଲ ଉପରେ ରଖିଦେଲା । ସୁନାମୁଦି, ସୁନାହାର, ରୂପାଥାଳି, ପେରେମ୍ବୁଲେଟର ତାହାରି ଆଗରେ ଦେଇଗଲେ କେତେଜଣ । ସେ ତୁଳନାରେ ସେ ଦେଇଥିବା ତିନୋଟି କାଠତିଆରି ବାନର କେଡ଼େ ତୁଚ୍ଛ ! ତିନି ବାନର ମଧ୍ୟରୁ ଜଣେ ଦେଖେ ନାହିଁ, ଜଣେ ଶୁଣେ ନାହିଁ, ଆଉ ଜଣେ କଥା କହେ ନାହିଁ । ବଡ଼ ହେଲେ କମିଶନର ସାହେବଙ୍କ ସାନ ପୁଅ ନିଶ୍ଚୟ ଦିନେ ପଚାରିବ ଏଇ ତିନି ବାନର ସମ୍ପର୍କରେ । ସେତେବେଳକୁ କମିଶନର ସାହେବ ପାଣିଭର୍ତ୍ତି କଳସପରି ପୂର୍ଣ୍ଣ ହୋଇ ଯାଇଥିବେ । ଆଉ ଖରାପ କଥା କହିବାକୁ କହିବାକୁ ପଡ଼ିବ ନାହିଁ, ଖରାପ କଥା ଶୁଣିବାକୁ ପଡ଼ିବ ନାହିଁ ଏବଂ ଖରାପ କଥା ଦେଖିବାକୁ ପଡ଼ିବ ନାହିଁ ।

 

ବାପାକୁ ଛାଡ଼ି ସେଇ ଶିଶୁ ସେଦିନ ହୁଏତ ଏଇ ତିନୋଟି ବାନରକୁ ନିଜର ଗୁରୁ ବୋଲି ମାନିବ ।

 

ମନୋଜ ଭିଡ଼ ଭିତରେ ପଳେଇ ଆସୁଥିଲା । ତାକୁ ଧରିପକେଇ କହିଲେ ସଂକଳ୍ପ ସାମଲ କଂଗ୍ରାଚୁଲେସନ୍‌ସ... । ଏଠାରୁ ବି କିଛି ମସଲା ସଂଗ୍ରହ ନ କରି ଇମିତି ତର ତର ହୋଇ ପଳେଇ ଯାଉଚନ୍ତି ଯେ... ।

 

ମନୋଜ କୃତଜ୍ଞତାର ହସ ହସି ହସି ମଥା ଅବନତ କଲା ମାତ୍ର ।

 

ଫାଟକ ପାର ହୋଇ ସ୍କୁଟର ପାଖରେ ପହଞ୍ଚିବାବେଳକୁ ଶଙ୍କର ତାକୁ କହିଲା, ତୁ ଭି.ଆଇ.ପି. ହୋଇଗଲୁଣି ମନୁ... ଏତେ ଲୋକ ତୋ ପିଛା କରନ୍ତି ବୋଲି ଜାଣି ନ ଥିଲି ଆଦୌ ।

 

ମନୋଜ କହିଲା ଭି.ଆଇ.ପି. ଭିତରେ ଅଛନ୍ତିରେ ଶଙ୍କର ! ମୁଁ ଛାର ସାମ୍ବାଦିକ ।

ଶଙ୍କର କହିଲା - ଘରକୁ ଚାଲ ତା’ପରେ ସବୁ କହିବି । ଏଠାରେ ନୁହେଁ ।

ସ୍କୁଟର ଚାଲିଲା ଷ୍ଟେସନ ସ୍କୋୟାର ଆଡ଼କୁ ।

ରେସ୍ତୋଁରାରୁ କିଛି ମଟନ କଟ୍‌ଲେଟ ଆଉ ଗୋଟେ ବଡ଼ ପାଉଁରୋଟି କିଣିନେଲା ମନୋଜ ।

 

ଘରେ ପହଞ୍ଚିବା ପରେ ଶଙ୍କର କହିଲା - ତୋ ପିଛା ଧରିଥିଲେ ଦୁଇଜଣ । ମୁଁ ନ ଥିଲେ କଅଣ ହୋଇଥାନ୍ତା କେଜାଣି !

 

- ତୁ କିମିତି ଜାଣିଲୁ ?

 

- ତୁ ଯିବା ପରେ ସେମାନେ ନମ୍ବର ଚିହ୍ନିପାରି ତୋ ସ୍କୁଟର ପାଖରେ ଆସି ଛିଡ଼ା ହେଲେ । ମୁଁ ଗଛମୂଳେ ଛିଡ଼ା ହୋଇ ସିଗାରେଟ ଟାଣୁଥିଲି । ସ୍କୁଟର ଚୋରି ବଢ଼ୁଚି ରାଜଧାନୀରେ-। କାଳେ ସେମାନେ ସ୍କୁଟରଚୋର ହୋଇଥିବେ ଏୟା ଭାବି ନଜର ରଖିଲି କିଛି ନ ଜାଣିଲାପରି । ଜଣେ ଆଉ ଜଣକୁ କହିବାର ଶୁଣିଲି - ସେଇ ଶଳାର ସ୍କୁଟର .. ନମ୍ବରଟା ମନେରଖ, ରଙ୍ଗଟା ବି ମନେରଖ.. କାଏଦା କରି ଖତମ କରିବାକୁ ହେବ ଶଳାକୁ.... ଆଜି ଆଉଜଣେ କିଏ ସାଙ୍ଗରେ ଥିଲାପରି ଲାଗିଲା... ସେ ଶଳା କିଏ କେଜାଣି... !

 

- ଭଲ ହେଲା । ତୋ’ର ମୋ’ର ଗୋଟିଏ ଜାଗାରେ ସମ୍ପର୍କ ସ୍ଥାପିତ ହେଲା ।

ହସି ଉଠିଲା ମନୋଜ ।

ଶଙ୍କର କିନ୍ତୁ ଗମ୍ଭୀର ହୋଇଗଲା । ସେ ହସି ପାରିଲା ନାହିଁ ।

ମନୋଜ କହିଲା - ଇମିତି ଗମ୍ଭୀର ହୋଇଗଲୁ ଯେ ?

 

ଶଙ୍କର ରାସ୍ତା ଉପରକୁ ଅନେଇଥିଲା । ମୁହଁ ଉପରେ ଆଙ୍ଗୁଳି ରଖି ନୀରବ ରହିବାକୁ ମନୋଜକୁ ସଂକେତ ଦେଇ ଲାଇଟ୍‌ପୋଷ୍ଟ ତଳେ ରିକ୍‌ସା ପାଇଁ ବା ଟାଉନବସ୍‌ ପାଇଁ ଅପେକ୍ଷା କରୁଥିବା ଭଙ୍ଗୀରେ ଛିଡ଼ା ହୋଇଥିବା ଦୁଇଜଣଙ୍କ ଆଡ଼କୁ ଆଖି ଠାରି ଦେଖେଇ ଗୋଟେ କାଗଜରେ ଲେଖିଥିଲା ଶଙ୍କର - ଏମାନେ ସେଇ ଦୁଇଜଣ... ।

ମନୋଜ ସେମାନଙ୍କୁ ଚିହ୍ନିବା ପୂର୍ବରୁ ସେମାନେ ଯେମିତି ହଠାତ୍‌ ଆବିର୍ଭାବ ହୋଇଥିଲେ, ସେଠାରୁ ସେମିତି ଅନ୍ତର୍ଦ୍ଧାନ ହୋଇଗଲେ ବସ୍‌ ଡିପୋ ଆଡ଼କୁ ଯାଇଥିବା ଅପେକ୍ଷାକୃତ ଅନ୍ଧାର ଗଳିରେ ।

ଭାଇ ପ୍ରେମାନନ୍ଦଙ୍କର ହତ୍ୟା ସମ୍ପର୍କରେ ଅନୁସନ୍ଧାନ ଧିମେଇ ଯାଇଥିବାବେଳେ ଏଭଳି କେତେକ ତଥ୍ୟ ପାଇଲା ପ୍ରକାଶ, ଯାହା ଏ ବିଷୟରେ ଅଧିକ ଅବହେଳା ଏବଂ କାଳକ୍ଷେପ ନୀତି ପ୍ରଦର୍ଶନ ନ କରି ଯେତେଶୀଘ୍ର ସମ୍ଭବ ଦିବ୍ୟଧାମ ସମ୍ପର୍କରେ ଅଧିକ ତଦନ୍ତ କରିବାର ଆବଶ୍ୟକତାକୁ କ୍ଷିପ୍ରତର କରି ତୋଳିଲା । ଉପରିସ୍ଥଙ୍କର ମତିଗତି ସେ ଜାଣେ । ତେଣୁ ସେମାନଙ୍କଠାରୁ ଏଦିଗରେ କୌଣସି ଅନୁକୂଳ ଅନୁମତି ପାଇବାର ଆଶା ନ ରଖି ନିଜର ବିବେକ ଏବଂ ବୁଦ୍ଧି ଅନୁସାରେ ସେହି ରାତିରେ ଦିବ୍ୟଧାମର ସବୁ ପ୍ରବେଶପଥକୁ ବନ୍ଦ କରି ମୁଖ୍ୟଫାଟକ ଆଗରେ ସଶସ୍ତ୍ର ପୁଲିସ୍‍ ପ୍ରହରାର ବ୍ୟବସ୍ଥା କରି ନିଜେ ଦଳ ବଳ ସହ ଭିତରେ ପ୍ରବେଶ କଲା ସର୍ଚ୍ଚ କରିବାପାଇଁ । ବାବା ପ୍ରବୁଦ୍ଧାଚାର୍ଯ୍ୟଙ୍କର ପ୍ରଥମେ ବିସ୍ମୟର ସୀମା ରହିଲା ନାହିଁ; କାରଣ ଦିବ୍ୟଧାମ ଭିତରେ ପୁଲିସ୍‍ ପ୍ରବେଶ କରି କେବେ ସର୍ଚ୍ଚ କରିପାରେ ଏହା ସେ କଳ୍ପନା ବି କରି ନ ଥିଲେ । ତେଣୁ ପୁଲିସ୍‍ ଅଫିସର ପ୍ରକାଶ ସର୍ଚ୍ଚ କରିବା ପାଇଁ ଆସିଥିବା ଜଣେଇବା ପରେ ପ୍ରଥମେ ତାଙ୍କର ବାକ୍‌ସ୍ଫୁର୍ତ୍ତି ହେଲାନାହିଁ । କିନ୍ତୁ ପରମୁହୂର୍ତ୍ତରେ ନିଜକୁ ସଜାଡ଼ିନେଇ ସେ ଟେଲିଫୋନ୍‍ ରିସିଭରଟା ନିଜେ ଉଠେଇନେଇ ଡାଏଲ କରିବାକୁ ଲାଗିଲେ । କୌଣସି ପ୍ରତ୍ୟୁତ୍ତର ନ ପାଇ ଭଗ୍ନୀ ମନ୍ଦାକିନୀଙ୍କ ମୁହଁକୁ ଚାହିଁବାବେଳେ କହିଲା ପ୍ରକାଶ - କ୍ଷମା କରିବେ, ସର୍ଚ୍ଚ ଶେଷ ନ ହେବା ପର୍ଯ୍ୟନ୍ତ ଆପଣ କାହା ସହିତ ଯୋଗାଯୋଗ କରିପାରିବେ ନାହିଁ ।

ପ୍ରକାଶର ସ୍ପର୍ଦ୍ଧା ଦେଖି ସ୍ତବ୍‌ଧ ହୋଇଗଲେ ପ୍ରବୁଦ୍ଧାଚାର୍ଯ୍ୟ । ସେ ସାମାନ୍ୟ ଇନିସ୍‌ପେକ୍ଟର ହୋଇ ଏପରି ଦୁଃସାହସ କରିଥିବାରୁ ତା’ ପଛରେ ଆଉ କାହାର ସମର୍ଥନ ଥାଇପାରେ ଏହା ଆଶଙ୍କା କରି ଟିକେ ନରମ ସ୍ୱରରେ କହିଲେ, ପୁଲିସ୍‍ ସୁପରିଟେଣ୍ଡେଣ୍ଟ୍ ମୋର ଶୁଭେଚ୍ଛୁ; ତାଙ୍କ ସହିତ କଥା କହିବାରେ ବାଧା ସୃଷ୍ଟି କରିବା କେବଳ ଯେ ଅସ୍ପୃହଣୀୟ ତାହା ନୁହେଁ, ଆମର ବ୍ୟକ୍ତିଗତ ଅଧିକାରକୁ ମଧ୍ୟ ଏହା କ୍ଷୁର୍ଣ୍ଣ କରୁଛି । ଆପଣ ଆଇନ ଅନୁସାରେ କାମ କଲାବେଳେ ବେଆଇନ ପନ୍ଥା ଅନୁସରଣ କରିବା ଉଚିତ ହେଉ ନାହିଁ ।

ଉଚିତ ଅନୁଚିତ ବିଚାର କରି ଆଉ କାମ କରାଯାଉ ନ ଥିବାରୁ ଏପରି ଖାନ୍‍ତଲାସ ଏବଂ କିଛି ମାତ୍ରାରେ ଜବରଦସ୍ତି ଆବଶ୍ୟକ ହୋଇପଡ଼ୁଛି । ପ୍ରକାଶ ନମ୍ରତାର ସହିତ ତାଙ୍କୁ ଅନ୍ୟ କାହା ସହିତ ସଂଯୋଗ କରିବାଲାଗି ଉଦ୍ୟମ ନ କରି ପୁଲିସ୍‍ ସହିତ ସହଯୋଗ କରିବା କଥା କର, କିନ୍ତୁ ପୁଲିସ୍‍ର ଏତାଦୃଶ ନିୟମବିରୋଧୀ କାର୍ଯ୍ୟ ବିରୁଦ୍ଧରେ ମୁଁ ପ୍ରତିବାଦ କରୁଛି ।

ପ୍ରକାଶ ଆଉ କାଳବିଳମ୍ବ ନ କରି ପ୍ରତ୍ୟେକ କଠୋରି, ସର୍ଚ୍ଚ କରିବାକୁ ଲାଗିଲା । ସର୍ଚ୍ଚ କଲାବେଳେ କୋଠରି ଭିତରେ ଥିବା ଓ୍ୱାର୍ଡ଼ ଗ୍ଲୋବ ଆଲମାରୀ, ବାକ୍‌ସ, ଟେବୁଲର ଡ୍ରୟାର ଓ ସ୍ଥାନ ତନ୍ନ ତନ୍ନ ପରୀକ୍ଷା କରି ମଧ୍ୟ କିଛି ଆପତ୍ତିଜନକ କାଗଜପତ୍ର ବା ଅନ୍ୟ କୌଣସି ବସ୍ତୁ ନ ପାଇ ନିରାଶ ହେଲା ପ୍ରକାଶ । କିନ୍ତୁ ଦିବ୍ୟଧାମର ପରିସର ମଧ୍ୟରେ ଏତେ ଘର, ଆସବାପତ୍ର ଅଛି ଯେ ସାରାରାତି ସର୍ଚ୍ଚ କଲେ ମଧ୍ୟ ଶେଷ ହେବ ନାହିଁ । ତଥାପି ଗୋଟିକ ପରେ ଗୋଟିଏ ସ୍ଥାନ ସର୍ଚ୍ଚ କରିବାରେ ଲାଗିଲା ସେ ।

 

ରାତି ଗୋଟାଏ ହେବ ବୋଧହୁଏ । ପ୍ରକାଶ ଭଣ୍ଡାରଘର ଭିତରେ ଖାନ୍‍ତଲାସ କରୁଥିବାବେଳେ ପ୍ରବୁଦ୍ଧାଚାର୍ଯ୍ୟଙ୍କ ପାଖରୁ ସମ୍ବାଦ ପାଇ ବାହାରିଆସିଲା କୋଠରି ଭିତରୁ । କୋଠରି ବାହାରେ ବାବା ଅପେକ୍ଷା କରୁଥିଲେ । ସେ ପ୍ରକାଶକୁ କହିଲେ ତୁମେ ଯୁବକ । ତୁମ ରକ୍ତରେ ସାହସ ଏବଂ କାମ କରିବାର ଉଦ୍ଦୀପନା ରହିବା ସ୍ୱାଭାବିକ । କିନ୍ତୁ ସାରାରାତି କଅଣ ଆମକୁ ଶୋଇବାକୁ ଦେବ ନାହିଁ କି ଧ୍ୟାନ ଓ ପ୍ରାର୍ଥନା କରିବା ଲାଗି ସୁଯୋଗ ଦେବନି ଆଶ୍ରମବାସୀଙ୍କୁ ?

 

ପ୍ରକାଶ ତାଙ୍କ ମୁହଁକୁ ଚାହିଁ ଗମ୍ଭୀର ହୋଇଗଲା, କିନ୍ତୁ ସଙ୍ଗେ ସଙ୍ଗେ କୌଣସି ଉତ୍ତର ଦେଲା ନାହିଁ ।

 

ସେ ଜାଣେ ଯେ ଅନ୍ୟତ୍ର ତା’ର ଦୃଷ୍ଟି ଆକର୍ଷଣ କରିବାପାଇଁ ଚେଷ୍ଟା ଚାଲିଚି । ସେ ଯଦି କୌଣସି ଦୁର୍ବଳତା ପ୍ରଦର୍ଶନ କରେ ତାହା ଅନୁସନ୍ଧାନକୁ ଦୁର୍ବଳ ଓ ଶିଥିଳ କରିଦେବ ଏବଂ ପରିଶେଷରେ ତା’ର ସମସ୍ତ ଉଦ୍ୟମ ନିଷ୍ଫଳ ହେବାର ସମ୍ଭାବନା ମଧ୍ୟ ରହିଚି ।

 

ବାବା ପ୍ରବୁଦ୍ଧାଚାର୍ଯ୍ୟ ବୋଧହୁଏ କାହାକୁ ଅପେକ୍ଷା କରୁଥିଲେ ।

 

ଏହି ସମୟରେ ଭାଇ ସୁଦର୍ଶନ ଆସି ଜଣାଇଲେ ଯେ ସେ ବେତାର ମାଧ୍ୟମରେ ପୁଲିସ୍‍ ହେଡ଼୍‌କ୍ୱାଟରରୁ ଏକ ବାର୍ତ୍ତା ପାଇଚନ୍ତି । ବାର୍ତ୍ତାଟି ପୁଲିସ୍‍ ଇନିସ୍‌ପେକ୍ଟର ପ୍ରକାଶ ପଟ୍ଟନାୟକଙ୍କ ପାଖକୁ ଆସିଛି ।

 

ଆଶ୍ରମରେ ବାହାର ଜଗତ ସହିତ ଯୋଗାଯୋଗ କରିବା ନିମନ୍ତେ ଏକ ବେତାର ଯନ୍ତ୍ର ଥାଇପାରେ ତାହା ଏହି ପ୍ରଥମ ଜାଣିଲା ସେ ।

 

ଭାଇ ସୁଦର୍ଶନଙ୍କ ହାତରୁ ତା’ ପାଇଁ ଅଭିପ୍ରେତ ବାର୍ତ୍ତାଟି ନେଇ ପଢ଼ିଲା ପ୍ରକାଶ । ତାକୁ ସଙ୍ଗେ ସଙ୍ଗେ ପୁଲିସ୍‍ କଣ୍ଟ୍ରୋଲ ରୁମ୍‌ ସହିତ ସମ୍ପର୍କ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

 

କିନ୍ତୁ ଅନୁସନ୍ଧାନ ଏପରି ଏକ ସଂକଟଜନକ ସ୍ଥିତି ମଧ୍ୟ ଦେଇ ଗତି କରୁଥିଲା । ଯେ ତାହା ଅସମାପ୍ତ ରଖି ଅନ୍ୟ କୌଣସି ସ୍ଥାନକୁ ଯିବା ତା’ ପକ୍ଷରେ ସମ୍ଭବ ନ ଥିଲା । ଟେଲିଫୋନ୍‍ ଲାଇନ ଇଚ୍ଛାକୃତ ଭାବରେ ଅଚଳ କରି ଦିଆଯାଇଥିଲା ।

 

ଏହି ସମ୍ବାଦ ପାଇବା ପରେ ତା’ର ପ୍ରତିକ୍ରିୟା ଲକ୍ଷ୍ୟ କରିବା ପାଇଁ ବାବା ଛିଡ଼ାହୋଇ ରହିଲେ ।

 

ପ୍ରକାଶ କିନ୍ତୁ କୌଣସି ଉତ୍ତର ନ ଦେଇ ପୁନର୍ବାର ନିଜର କାର୍ଯ୍ୟରେ ମନୋନିବେଶ କଲା । ଏହା କରିବାଦ୍ୱାରା ସେ ଯେ ନିଜ କାନ୍ଧ ଉପରେ ଏକ ଗୁରୁଦାୟିତ୍ୱ ନେଉଚି ତାହା ଅନୁଭବ କରି ମଧ୍ୟ ସେଥିରୁ ନିର୍ବୃତ୍ତ ରହିବାର କୌଣସି ବିକଳ୍ପ ଉପାୟ ପାଇଲା ନାହିଁ । ସେ ଇଚ୍ଛାକଲେ ଟେଲିଫୋନ୍‍ ସାହାଯ୍ୟରେ ସଂଯୋଗ ସ୍ଥାପନ କରିପାରନ୍ତା । କିନ୍ତୁ ଥରେ ଦିବ୍ୟଧାମ ବାହାର ଜଗତ ସହିତ ସମ୍ପର୍କ ସ୍ଥାପନ କରିବାରେ ସମର୍ଥ ହେଲେ ଅନୁସନ୍ଧାନ ବନ୍ଦ କରିବାଲାଗି ଯେ ବହୁ ଚାପ ପ୍ରୟୋଗ କରାଯିବ ଏଥିରେ ସେ ନିଃସନ୍ଦେହ ହୋଇ ଏପରି କୌଶଳ ଅବଲମ୍ବନ କରିଥିଲା । ସେ ସବ୍‌-ଇନସେପକ୍ଟର ସୁବାଷ ପୁରୋହିତକୁ କଣ୍ଟ୍ରୋଲରୁମ୍‌ ସହିତ କଥା କହିବାକୁ ପରାମର୍ଶ ଦେଇ କହିଲା ବିଳମ୍ବ କରିବାକୁ ଚେଷ୍ଟାକର ମୁଁ ପାଖରେ ନାହିଁ ବୋଲି ଜଣାଇ ଦିଅ ଏବଂ କହିଦିଅ ଯେ ମୁଁ ଫୁରୁସତ ପାଇବାକ୍ଷଣି କଣ୍ଟ୍ରୋଲ ସହିତ କଥା କହିବି ।

ସୁବାଷ ଚାଲିଗଲା ।

ବାବା ସାମାନ୍ୟ ସନ୍ତୋଷ ହେବାପରି ଦୂରରୁ କହିଲେ ଭାଇ ସୁଦର୍ଶନଙ୍କୁ ତାଙ୍କୁ ସାହାଯ୍ୟ କର । ସେ ବୁଲିପଡ଼ି ପୁଣି ତାଙ୍କ କୋଠରିକୁ ଯିବାବେଳେ ଟିକେ ପଛରେ ପଡ଼ିଗଲେ ହାସ୍ୟମୟୀ । ତାଙ୍କର ଅତି ନିକଟରେ କାହାକୁ ନ ଦେଖି ଗୋଟେ ଛୋଟ କାଗଜ ପୁଡ଼ିଆ ପ୍ରକାଶ ଆଡ଼କୁ ଫିଙ୍ଗି ଦେଇ କେହି ଲକ୍ଷ୍ୟ କରିବା ପୂର୍ବରୁ ତ୍ୱରିତ ପାଦରେ ବାବାଙ୍କ ପଛକୁ ଚାଲିଆସିଲେ ପୁଣି ।

ପ୍ରକାଶ ସେଇ କାଗଜଖଣ୍ଡକ ଖୋଲିଲା । ସେଥିରେ ଲେଖାଥିଲା - ଆଶ୍ରମର ଏକନମ୍ବର କୂଅ ଭିତରେ ବିଲେଇ ପକାଅ, କିଛି ପାଇବାର ସମ୍ଭାବନା ଅଛି ।

ପ୍ରକାଶ ଆଉ ଭଣ୍ଡାରଘର ସର୍ଚ୍ଚ କରିବାରେ ସମୟ ନଷ୍ଟ ନ କରି କୂଅ ପାଖକୁ ଗଲା ।

ସେତେବେଳକୁ ଭାଇ ସଦାନନ୍ଦ ଏବଂ ଭାଇ ଶୁଦ୍ଧାନନ୍ଦ ଆସି ପହଞ୍ଚିଥାଆନ୍ତି ତା’ ପାଖରେ ।

ସେ ଭଣ୍ଡାରଘରୁ ବାହାରି ଆସି ସିଧା କୂଅ ପାଖକୁ ଯିବାର ଦେଖି ସେମାନେ କିଞ୍ଚିତ ବିଚଳିତ ହେବାପରି ମନେହେଲା ପ୍ରକାଶର ।

ଭାଇ ଶୁଦ୍ଧାନନ୍ଦ କହିଲେ - ଭଣ୍ଡାରଘରର ଅନେକ ସ୍ଥାନ ତ ଅଦେଖା ରହିଗଲା । ଦେଖିବେନି ଆଉ ?

ପ୍ରକାଶ କହିଲା - ଥାଉ । ଏଇ କୂଅ ଭିତରକୁ ପଶିବାପାଇଁ ଇଚ୍ଛା ହେଉଚି ।

- ଏଇ ରାତିରେ ?

- ହଁ, କିନ୍ତୁ ନିଜେ ନ ପଶି ବିଲେଇ ପକେଇ ଦେଖାଯାଇପାରେ ।

ଜଣେ କନେଷ୍ଟବଳ ଯାଇ ବିଲେଇ ନେଇଆସିଲା ଅଳ୍ପ ସମୟ ମଧ୍ୟରେ ।

 

ବିଲେଇ ସାହାଯ୍ୟରେ ପାଞ୍ଚଟା ଷ୍ଟିଲ ବାକ୍‌ସ କୂଅଭିତରୁ ବାହାରକୁ ଆଣିବାରେ ସକ୍ଷମ ହେଲା ପ୍ରକାଶ ।

 

ଆଇରନ୍‍ ଚେଷ୍ଟ୍‍ ଭଳି ଦେଖାଯାଉଥିବା ସେଇ ଓ୍ୱାଟରପ୍ରୁଫ ବାକ୍‌ସଗୁଡ଼ିକୁ ଖୋଲିବାକୁ ଆଦେଶ ଦେଲା ପ୍ରକାଶ ।

 

ବାକସ୍‌ଗୁଡ଼ିକୁ ଖୋଲିବା ପରେ ସେଥିରୁ ଯାହା ମିଳିଲା ତାହା ଅପ୍ରତ୍ୟାଶିତ ଥିଲା ତା’ ପକ୍ଷରେ । ପ୍ରତ୍ୟେକ ବାକ୍‌ସରୁ ସୁନା ଇଟା, ମୂଲ୍ୟବାନ ଅଳଙ୍କାର, ଅନେକ ମୂଲ୍ୟବାନ ପଥର ମିଳିଲା ।

 

ଅନୁସନ୍ଧାନ ସମୟରେ ମିଳିଥିବା ଆପତ୍ତିଜନକ ସମସ୍ତ ଦ୍ରବ୍ୟର ଏକ ତାଲିକା ପ୍ରସ୍ତୁତ କରି ଆଶ୍ରମର ଦୁଇଜଣ ଭକ୍ତ ଏବଂ ବାହାରର ଦୁଇଜଣ ସାକ୍ଷୀଙ୍କ ସହିତ ବାବା ପ୍ରବୁଦ୍ଧାଚାର୍ଯ୍ୟଙ୍କର ଦସ୍ତଖତ ନେଇସାରିବାବେଳକୁ ଭୋର ହୋଇ ଆସୁଥିଲା ।

 

କୁଆଁତାରା ଏଡ଼େ ଉଜ୍ଜ୍ୱଳ ଦେଖାଯାଏ ତାହା ଆଉ ବୋଧହୁଏ ପୂର୍ବରୁ ଜାଣି ନ ଥିଲା ପ୍ରକାଶ । କୁଆଁତାରା ଧୀରେ ଧୀରେ ଅଥଚ ନିଶ୍ଚିତ ପାଦରେ ଆଗେଇ ଆସୁଥିବା ପ୍ରଭାତର ଘୋଷଣା କଲାବେଳକୁ ଗୋଟିଏ କଥା ମନେପଡ଼ିଗଲା ପ୍ରକାଶର ।

 

ଦିବ୍ୟଧାମର ପରିବା ବଗିଚା ଶେଷରେ ଏବଂ ନୈୠତ କୋଣରେ ଥିବା ନଡ଼ିଆ ଗଛ ମୂଳରେ ଅନୁସନ୍ଧାନ କରିବାଲାଗି ତାକୁ କେହି ଜଣେ ସଂକେତ ଦେଇ ଯାଇଥିଲେ ଆଶ୍ରମରେ ସର୍ଚ୍ଚ କଲାବେଳେ । ତାଙ୍କୁ ଜାଣିବାର ଅବକାଶ ନ ଥିଲା ପ୍ରକାଶର । ସେ ଆଶ୍ରମର କୌଣସି ଭାଇ କି ଭଉଣୀ ହୋଇପାରନ୍ତି ଅବା ପରିଚାରିକା ହୋଇପାରନ୍ତି । ସେ ଯା’ ହେଉ ଶେଷରେ ସେ ଦଳବଳ ନେଇ ନଡ଼ିଆଗଛ ପାଖରେ ପହଞ୍ଚି ଭାବିଲା ଯେ ହୁଏତ ଅସଲ ଜାଗାରୁ ଅନ୍ୟତ୍ର ତା’ର ଦୃଷ୍ଟି ଆକର୍ଷଣର ତାକୁ ବିଭ୍ରାନ୍ତ କରିବାର ଅଭିପ୍ରାୟ ରଖି ଏହା କୁହାଯାଇଛି । ସେ ଆଉ ବିଶେଷ ଉତ୍ସାହ ନ ଦେଖାଇ ସେଠାରୁ ଫେରିବାକୁ ଇଚ୍ଛା କରୁଥିବାବେଳେ ଅନେକ ସମୟରେ ମନର ସଂଶୟକୁ ସଠିକ୍‌ ପ୍ରମାଣିତ କରିବାପାଇଁ ଝିଟିପିଟି ଟିକ୍‌ଟିକ୍‌ କରିବାପରି ଏକପ୍ରକାର ଶବ୍ଦ ହେଲା, ଯାହାର ଅର୍ଥ ବୁଝିବା ଅସମ୍ଭବ ଥିଲେ ମଧ୍ୟ ଯେପରି କେହି କହିବାକୁ ଚାହେଁ ଯେ ଯାହା ସନ୍ଦେହ ଜନକ ମନେହେଉଚି ତାହା ସତ୍ୟ । ଅଟକିଗଲା ପ୍ରକାଶ ।

 

ନଡ଼ିଆଗଛର ଚାରିପାଖରେ ମାଟି ଖୋଳିବା ପାଇଁ ଆଦେଶ ଦେଲା ସେ ।

 

ଠିକ୍ ଏହି ସମୟରେ ଅନ୍ୟାନ୍ୟ ନଡ଼ିଆଗଛମାନଙ୍କଠାରୁ ଏହି ନଡ଼ିଆ ଗଛର କିଛି ସ୍ୱାତନ୍ତ୍ର୍ୟତା ଚକ୍ଷୁରେ ପଡ଼ିଲା ପ୍ରକାଶର । ଅନ୍ୟ ନଡ଼ିଆଗଛ ଗୁଡ଼ିକରେ ନଡ଼ିଆ ଫଳିଥିବାର ଲକ୍ଷ୍ୟ କଲେ ବି ଏଥିରେ ଆଦୌ ଫଳ ନ ଥିଲା । ଏହାର କାରଣ କଅଣ ହୋଇପାରେ ? ବୋଧହୁଏ ତା’ର କୌତୁହଳ ଚରିତାର୍ଥ କରିବା ପାଇଁ କହିଲେ ଜଣେ ଭାଇ ଅଣ୍ଡିରା ଗଛଟିଏ । ଫଳ ନାହିଁ, ଫୁଲ ନାହିଁ । କେବଳ ଶୋଭାବର୍ଦ୍ଧନ କରୁଛି ।

ଖୋଳା ଚାଲିଥାଏ ସେତେବେଳକୁ ।

ଭିତରକୁ ଭିତରକୁ ଖୋଳିବାବେଳେ ବଡ଼ ବଡ଼ ସାଇଜକରା ମାଙ୍କଡ଼ାପଥର ବାହାରିବାର ଦେଖି ବିସ୍ମିତ ହେଲା ପ୍ରକାଶ । ଘର ତିଆରି କରିବା ପାଇଁ ଆଣିଥିବା ଏଇ ମାଙ୍କଡ଼ାପଥରଗୁଡ଼ା ମାଟି ଭିତରେ ରଖାହୋଇଛି କାହିଁକି ? ସନ୍ଦେହ ଘନୀଭୂତ ହେଲା ।

ତା’ର ସନ୍ଦେହ ମୋଚନ କରିବା ଲାଗି କହିଲେ ଭାଇ ସୁଦର୍ଶନ - ପାଚେରୀ ତିଆରି ସରିବା ପରେ କେତେକ ପଥର ବଳକା ରହିଯାଇଥିଲା । ଏଇ କୋଣରେ ରଖି ଦିଆଯାଇଥିଲା ।

କିନ୍ତୁ ମାଟିତଳେ ରଖିବାର ଅର୍ଥ ? - ପଚାରିଲା ପ୍ରକାଶ ।

ଭାଇ ସୁଦର୍ଶନଙ୍କ ମୁହଁରୁ କୌଣସି ଶବ୍ଦ ବାହାରିଲା ନାହିଁ ।

ଆହୁରି ଯୋରରେ ଖୋଳିବାକୁ ନିର୍ବ୍ଦେଶ ଦେଲା ପ୍ରକାଶ । ପ୍ରବୁଦ୍ଧାଚାର୍ଯ୍ୟ ଖବର ପଠେଇଲେ ପୁଣି । ପୁଲିସ୍‍ କଣ୍ଟ୍ରୋଲ ରୁମ୍‍ରୁ ବାର୍ତ୍ତା ଆସିଛି ପ୍ରକାଶ ପାଖକୁ । ଶୀଘ୍ର ଥାନାକୁ ଫେରିବା ଦରକାର । ନଚେତ୍‌ କଥା କହିବା ଦରକାର ।

ପ୍ରକାଶ ସେହି ବାର୍ତ୍ତାବାହକର ମୁହଁକୁ ଅନାଇଲା ମାତ୍ର । ହଁ କି ନା, କିଛି ନ କହି ମାଟିଖୋଳି ପଥର ବାହାର କରୁଥିବା ଲୋକମାନଙ୍କୁ ଜଲଦି ଜଲଦି ପଥର ଉଠେଇବା ପାଇଁ ତାଗିଦ୍‍ କଲା ସେ ।

କେତେଖଣ୍ଡ ପଥର ଉଠାଇବା ପରେ କାମ ବନ୍ଦକରି ଛିଡ଼ା ହୋଇଗଲେ ସେମାନେ ।

ସେତେବେଳକୁ ପ୍ରାୟ ପାଞ୍ଚଫୁଟ ଖୋଳିସାରିଥିଲେ ସେମାନେ ।

ପ୍ରକାଶ ଅନେଇଲା ତଳକୁ ।

ନିଜେ ତଳକୁ ଯାଇ ପରୀକ୍ଷା କଲା ।

 

ମାଟି ନୁହେଁ, ଏହାପରେ ପଥରଗୁଡ଼ାକ ସିମେଣ୍ଟଦ୍ୱାରା ଯୋଡ଼ା ଯାଇଥିବାର ଦେଖି ବିସ୍ମୟ ଆହୁରି ବଢ଼ିଗଲା ପ୍ରକାଶର ।

 

ସେଇ ପଥରଚଟାଣକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଲା ପ୍ରକାଶ । ଅଳ୍ପ ସମୟ ପରେ ସିମେଣ୍ଟ ଯୋଡ଼େଇ ଭାଙ୍ଗି ଗୋଟେ ପଥର ଉଠାଇ ଆଣିଲେ ସେମାନେ । ତା’ପରେ ଆଉ ଗୋଟେ-। ପରେ ପରେ ଆଉ ଚାରିଟା ଏବଂ ସବାତଳେ ପଥରଘେରା ଏକ କ୍ଷୁଦ୍ର ପ୍ରକୋଷ୍ଠ ଭିତରୁ ଯାହା ମିଳିଲା ତାହା ଦେଖି ବିସ୍ମୟବିମୂଢ଼ ହୋଇଗଲେ ସମସ୍ତେ ।

 

ମୃତ ମଣିଷର କଙ୍କାଳଟିଏ । ପୁରୁଷର ନୁହେଁ, ନାରୀର ।

 

ପ୍ରକାଶର ମୁଖମଣ୍ଡଳର ମାଂସପେଶୀ ଆହୁରି ଶକ୍ତ ହୋଇଉଠିଲା ସକାଳର ଆଲୋକରେ ।

 

ଅନୁସନ୍ଧାନ ଶେଷ ହେଲା । ସେ ଯାହା ପାଇବାର ପାଇଯାଇଚି । ଆଉ କିଛି ବି ମିଳିପାରେ, କିନ୍ତୁ ତାହା ଆବଶ୍ୟକ ହୋଇ ନ ପାରେ ।

 

ପ୍ରକାଶ ସବୁସ୍ଥାନରେ ପ୍ରହରିମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇ ପ୍ରବୁଦ୍ଧାଚାର୍ଯ୍ୟଙ୍କ ପାଖକୁ ଆସିଲା । ସେତେବେଳେ ପଦ୍ମାସନରେ ବସି ଧ୍ୟାନସ୍ଥ ଥିଲେ ବାବା ।

 

ସେ ପ୍ରଣାମ କରି କହିଲା - ମୋର କାର୍ଯ୍ୟ ଆଜିପାଇଁ ଶେଷ ହୋଇଚି ବାବା ! ମୁଁ ବିଦାୟ ନବା ପୂର୍ବରୁ କିନ୍ତୁ କିଛି କହିବାକୁ ଚାହେଁ... ।

 

ସେଇ ସ୍ୱରରେ କଅଣ ଥିଲା କେଜାଣି ଧ୍ୟାନଭଙ୍ଗ କରି ତା’ ଆଡକୁ ଅର୍ଦ୍ଧଉନ୍ନୀଳିତ ନୟନରେ ଅନାଇଲେ ପ୍ରବୁଦ୍ଧାଚାର୍ଯ୍ୟ ।

 

ଆପଣ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କୋଠରି ଛାଡ଼ି ଅନ୍ୟତ୍ର ଯାଇପାରିବେ ନାହିଁ, କାହାରି ସହିତ କଥାଭାଷା କହିପାରିବେ ନାହିଁ ।

 

- ମୋତେ ବନ୍ଦୀ କରିବାକୁ ଚାହଁ ?

- ସେୟା ଧରିନିଅନ୍ତୁ ବାବା... !

- କାରଣ ?

- କାରଣ ଅନେକ । ଅଭିଯୋଗ ଅନେକ । ପ୍ରମାଣ ମଧ୍ୟ ଅନେକ ।

 

- ଦିବ୍ୟଧାମର ସୁନାମ ନଷ୍ଟ କରିବା ପାଇଁ ଗୋଟାଏ ହୀନ ଷଡ଼ଯନ୍ତ୍ର ଚାଲିଥିବା ଅନୁଭବ କରୁଚି ମୁଁ ।

 

- ଅଭିଯୋଗ କିନ୍ତୁ ଆଶ୍ରମ ବିରୁଧ୍ୟରେ...ସମସ୍ତ ପ୍ରଚଳିତ ପାରମ୍ପାରିକ ମୂଲ୍ୟବୋଧକୁ ନଷ୍ଟକରି ଆପଣ ଅସାମାଜିକ କାର୍ଯ୍ୟରେ ଲିପ୍ତ ଅଛନ୍ତି... ।

 

- ତୁମର ବଡ଼କର୍ତ୍ତାଙ୍କୁ ଆଶ୍ରମ ବିଷୟରେ ପଚାରିବ ! ସେ ସଠିକ୍‌ ଉତ୍ତର ଦେବେ ।

- ଆଉ ଆବଶ୍ୟକ ହେବ ନାହିଁ ।

- ନିଜ ଉପରେ ଏତେ ନିର୍ଭର କର ନାହିଁ ।

 

- ତୁମେ ଅହଂକାର ଏବଂ ରାଜଶକ୍ତି ବଳରେ ଏହା କହିପାରୁଛ । କିନ୍ତୁ ଆଧ୍ୟାତ୍ମିକ ଶକ୍ତି ଅପରାଜୟ, ସର୍ବବ୍ୟାପକ । ସେଇ ଶକ୍ତି ସାମ୍‌ନାରେ ମନୁଷ୍ୟ ଅତ୍ୟନ୍ତ ହେୟ, ଅତ୍ୟନ୍ତ ଦୁର୍ବଳ ।

 

-ମୋ ହାତରେ ସମୟ ଅଳ୍ପ ଅଛି ବାବା ! ପରେ ଆସିଲେ ଗଳ୍ପ କରିବା । ଆଜି ବିଦାୟ ନେଉଛି ।

 

ହସିଲେ ବାବା ପ୍ରବୁଦ୍ଧାଚାର୍ଯ୍ୟ ।

ମନୁଷ୍ୟର ଔଦ୍ଧତ୍ୟ ଅନେକ ଦେଖିଚନ୍ତି ସେ ।

 

ପ୍ରକାଶ ପ୍ରକୋଷ୍ଠ ଭିତରୁ ନିଷ୍କ୍ରାନ୍ତ ହୋଇଗଲା । ଭଗ୍ମୀ ମନ୍ଦାକିନୀ ଗୋଟିଏ ଗ୍ଲାସରେ ଫଳରସ ଆଣି ବାବାଙ୍କ ପାଖକୁ ଯିବାବେଳେ ବାଧା ଦେଇ କହିଲା ପ୍ରହରି - ଭିତରକୁ ପ୍ରବେଶ କରିବା ନିଷେଧ କରାଯାଇଛି ।

 

ତା’ ହାତକୁ ଫଳରସ ବଢାଇ ଦେଇ ମନ୍ଦାକିନୀ କହିଲେ- ତୁମେ ଦେଇ ଆସ !

ପ୍ରହରୀ ସମ୍ମତ ହେଲା ।

 

ସକାଳର ପ୍ରଥମ ସୂର୍ଯ୍ୟକିରଣ ଫୁଲ ବଗିଚାରେ ସଞ୍ଚରି ଯିବାବେଳେ ଗୋଟିଏ ମୁହଁର ହସ ମିଶିଗଲା ପରିବେଶ ସହିତ ।

 

ଏକ ନୂତନ ପ୍ରାପ୍ତି ଏବଂ ଅନୁପମ ହସରେ ହାସ୍ୟମୟୀଙ୍କର ମୁଖମଣ୍ଡଳ ଉଦ୍ଭାସିତ ହୋଇଉଠୁଥିଲା ସକାଳର ଲାଲ ସୂର୍ଯ୍ୟପରି ।

 

ଦିବ୍ୟଧାମ ଉପରେ ଚଢ଼ାଉ କରି ପୁଲିସ୍‍ ସାରାରାତି ସର୍ଚ୍ଚ କରିବା ଫଳରେ ଯେଉଁ ପରିସ୍ଥିତି ଉପୁଜିଛି ସେଥି ସହିତ ନିଜ ଅନୁସନ୍ଧାନର ବିବରଣୀ ଜାତୀୟ ଖବର କାଗଜମାନଙ୍କରେ ମନୋଜ ପ୍ରକାଶ କରିବା ପରେ କେବଳ ରାଜଧାନୀରେ ନୁହେଁ ସମଗ୍ର ଦେଶରେ ଚହଳ ପଡ଼ିଗଲା-। ମଠ ଓ ମଠ ମହନ୍ତଙ୍କଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଯେଉଁସବୁ ଆଶ୍ରମ ଗଢ଼ି ଉଠିଚି ଏବଂ ଯେଉଁ ବାବାଜୀ, ମାତାଜୀ, ସନ୍ନ୍ୟାସୀ ଏବଂ ସେମାନଙ୍କର ଚେଲାଚାମୁଣ୍ଡା ଓ ଭକ୍ତମଣ୍ଡଳୀଙ୍କର ପ୍ରତିଷ୍ଠା ବଢ଼ିଚି ସେମାନଙ୍କ ସମ୍ପର୍କରେ ଲୋକମାନଙ୍କ ମନରେ ଅତ୍ୟନ୍ତ ପ୍ରତିକୂଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଆଧ୍ୟାତ୍ମିକତା ନାମରେ କିପରି କେତେକ ଭ୍ରଷ୍ଟ ନ୍ୟସ୍ତସ୍ୱାର୍ଥ ବୁଦ୍ଧିଜୀବୀ ଆତ୍ମସ୍ୱାର୍ଥ ଚରିତାର୍ଥ କରିବା ପାଇଁ ଏଭଳି ପଥ ଅନୁସରଣ କରୁଛନ୍ତି ଏବଂ ଏ ଦେଶର ସହସ୍ର ନିରୀହ ଧାର୍ମିକ ଜନସାଧାରଣ କିପରି ଧର୍ମ ନାମରେ ଅନ୍ଧବିଶ୍ୱାସର ଶିକାର ହୋଇ ସର୍ବସ୍ୱ ହରାଇଚନ୍ତି ତାହାର ରୋମାଞ୍ଚକର ତଥା ଲୋମହର୍ଷକ କାହାଣୀ ପଢ଼ି ଦେଶବାସୀ ସ୍ତବଧ୍‌ ହୋଇଯାଇଚନ୍ତି । ଏହି ଅନୁଷ୍ଠାନମାନଙ୍କର ପ୍ରଧାନ ପୃଷ୍ଠପୋଷକ ଭାବରେ କେବଳ ବୁଦ୍ଧିଜୀବୀ ନୁହଁନ୍ତି ବଡ଼ ବଡ଼ ପଦବୀ ମଣ୍ଡନ କରୁଥିବା ସରକାରୀ ଅଫିସରମାନେ ଥିବାରୁ ଏହା ସରକାରଙ୍କର ଚିନ୍ତାର କାରଣ ହୋଇଚି ବୋଲି ସରକାରୀ ମୁଖପାତ୍ର ମତ ପ୍ରକାଶ କରିଚନ୍ତି ।

 

ନ୍ୟସ୍ତସ୍ୱାର୍ଥର ମୂଳୋତ୍ପାଟନ ଏତେଶୀଘ୍ର ଏବଂ ଏଡ଼େ ସହଜରେ କରିବା ଯେ ସମ୍ଭବ ନୁହେଁ ଏହା କିନ୍ତୁ ବୁଝିଥିଲା ମନୋଜ । ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ଏଇ ଆରମ୍ଭ ହୋଇଚି ମାତ୍ର । ସେମାନେ ସମ୍ପଦ ଓ ପ୍ରତିପ୍ରତ୍ତିର ଅଧିକାରୀ । ପୋଷକତା ଦେଇ ଲୋକଙ୍କୁ ମୋହାଚ୍ଛନ୍ନ କରିପାରିବାର ସୁବିଧା ଅଛି ସେମାନଙ୍କର । ସେମାନେ ବିପଦଗ୍ରସ୍ତ ହେଲେ ଅନ୍ୟମାନଙ୍କୁ ଯେ ବିପଦର ସମ୍ମୁଖୀନ ହେବାକୁ ହେବ ଏହା ମଧ୍ୟ ସୁନିଶ୍ଚିତ । ଆକ୍ରମଣକୁ ଗ୍ରହଣକରି ନ ନେଇ ସେମାନେ ଯେ ପ୍ରତିଆକ୍ରମଣ ନିଶ୍ଚୟ କରିବେ ଏ ବିଷୟରେ ନିଃସନ୍ଦେହ ଥିଲା ପ୍ରକାଶ । କିନ୍ତୁ ସେମାନେ ପ୍ରତିଆକ୍ରମଣ କେବେ ଆରମ୍ଭ କରିବେ ସେ ସମ୍ପର୍କରେ ସେ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ତଥ୍ୟ ଜାଣିପାରି ନ ଥିଲା । ପ୍ରକାଶ ଯେ ଏହି ପ୍ରତି ଆକ୍ରମଣର ପ୍ରଥମ ଶିକାର ହୋଇପାରେ ସେ ତାକୁ ଏ ସମ୍ପର୍କରେ ସତର୍କ ମଧ୍ୟ କରାଇ ଦେଇଥଲା । ପ୍ରକାଶକୁ ଏଥିପାଇଁ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିଲା ନାହିଁ । ଗସ୍ତରୁ ଫେରି ତାକୁ ଡାକି ପଠାଇଲେ ବଡ଼ ସାହେବ ।

 

ବଡ଼ ସାହେବଙ୍କୁ ସବୁକଥା କହିବା ପାଇଁ ଅପେକ୍ଷା କରିଥିଲା ପ୍ରକାଶ । ବଡ଼ ବଡ଼ ଲୋକ ତା’ ଅନୁସନ୍ଧାନର ପରିସର ଭିତରକୁ ଆସିଯାଇଛନ୍ତି । ବଡ଼ ସାହେବ ସବୁ ଜାଣିବା ଦରକାର । ତାଙ୍କର ସମର୍ଥନ ଏବଂ ନିର୍ଦ୍ଦେଶ ବ୍ୟତୀତ ସେ ସଫଳ ହେବାରେ ସନ୍ଦେହ ରହିଛି । ଆଧ୍ୟାତ୍ମିକତାର ଆବରଣ ତଳେ ଏପରି ଅସାମାଜିକ କାର୍ଯ୍ୟ ଚାଲିଲେ ଧର୍ମ, ସଂସ୍କୃତି ଏବଂ ବିଚାର ଉପରୁ ଲୋକଙ୍କର ଆସ୍ଥା ତୁଟିଯିବ । ବାବା ପ୍ରବୁଦ୍ଧାଚାର୍ଯ୍ୟଙ୍କର ଗତିବିଧି ଉପରେ ଆଜିକୁ ପାଞ୍ଚବର୍ଷ ହେବ ଦୃଷ୍ଟି ରଖିଛି ସେ । କିନ୍ତୁ ସେ ଯେ ଉର୍ଦ୍ଧ୍ୱଗତି ନ କରି ଏତେ ଅଧୋଗତି କରିଚନ୍ତି ତାହା ଏବେ ଜାଣୁଚି ସେ ।

 

ଖାଲି କଅଣ ପ୍ରବୁର୍ଦ୍ଧଚାର୍ଯ୍ୟଙ୍କୁ ଦେଖି ତା’ର ମୋହଭଙ୍ଗ ହୋଇଛି ? ଉଚ୍ଚ ପାଚେରୀ ଘେରା ଦିବ୍ୟଧାମରେ ପରମାନନ୍ଦ ପ୍ରାପ୍ତି ନାମରେ ଯେଉଁ ବ୍ୟଭିଚାର ଚାଲିଚି ତା’ର ପଟାନ୍ତର ନାହିଁ ରାଜ୍ୟରେ । କେତେ କୁମାରୀ କନ୍ୟା, କେତେ ସତୀ ଓ ପତିବ୍ରତା, କେତେ ନିସନ୍ତାନ ସ୍ୱାମୀ ଅନୁରକ୍ତା ମହିଳା ଆଶ୍ରମକୁ ସ୍ୱର୍ଗସୁଖ ପାଇବାକୁ ଆସି ସର୍ବସ୍ୱ ହରାଇ କାଙ୍ଗାଳିନୀ ହୋଇ ଫେରିଯାଇଚନ୍ତି । ସେମାନଙ୍କର ଅଶ୍ରୁଳ କାହାଣୀ ହୁଏତ ପ୍ରକାଶ ପାଇବ ନାହିଁ ଅନେକ ଦିନ ବା ସେମାନଙ୍କର ଜୀବନ କାଳ ମଧ୍ୟରେ; କିନ୍ତୁ ସେମାନଙ୍କର ଦୀର୍ଘଶ୍ୱାସ ପୃଥିବୀରେ ପବନ ବହୁଥବା ପର୍ଯ୍ୟନ୍ତ ଶୁଣାଯାଉଥିବ । ଯେଉଁ ଅଭାଗିନୀର ଜୀବନଦୀପ ଲିଭାଇ ଦିଆହୋଇଥିଲା ଅସମୟରେ, ତା’ର କଙ୍କାଳର ଗୋଟିଏ ଅସ୍ଥି ଥିବା ପର୍ଯ୍ୟନ୍ତ ପ୍ରତିଶୋଧ ନେବାପାଇଁ ସୁଯୋଗ ଖୋଜୁଥିବ ପ୍ରେତାତ୍ମା ।

 

ନିଜ ମନର ପ୍ରସନ୍ନତାରେ ଭରିଉଠୁଚି ଅନ୍ତର । ସେ ହୁଏତ ଛୋଟ ଚାକିରିଟିଏ କରିଚି କିନ୍ତୁ ତା’ର କାମଟି ଛୋଟ ନୁହଁ । ତା’ର ନିଜର ଶକ୍ତି ସୀମିତ, କିନ୍ତୁ ଯେଉଁ ରାଜଶକ୍ତିର ସେ ପ୍ରତୀକ ତାହା ଅପ୍ରମିତ । ସେ ଦାୟିତ୍ୱ ସମ୍ପାଦନ କରିବାପାଇଁ ଅଙ୍ଗୀକାରବଦ୍ଧ । ମନରେ ଭୟ ନ ରଖି ବା କୌଣସି ଲାଭ ପାଇବାର ଆଶା ନ ରଖି ସେ କର୍ତବ୍ୟ କରିଚାଲିଚି । ପୁରସ୍କାର ମିଳୁ ବା ନ ମିଳୁ ସେଥିରେ ଯାଏ ଆସେ ନାହିଁ । ସେ କେବଳ ଚାହେଁ ସମର୍ଥନ । ଉପରିସ୍ଥଙ୍କର ଆଶୀର୍ବାଦ ତା’ର ଲୋଡା ।

 

ବଡ଼ ସାହେବ ଭଲ ଲୋକ । ଅନ୍ୟାୟ, ଅନୀତିକୁ କଠୋର ହସ୍ତରେ ଦମନ କରି ବଡ଼ ହୋଇଚନ୍ତି ସେ । ଇଶ୍ୱର ତାଙ୍କର କଲ୍ୟାଣ କରନ୍ତୁ ।

 

ଆଜି ସେ ସବୁ କଥା ଗୋଟି ଗୋଟି କରି କହିବ ତାଙ୍କୁ । ବାବା ପ୍ରବୁଦ୍ଧାଚାର୍ଯ୍ୟଙ୍କ ସହିତ ଆଉ କେତେକ ବଡ଼ ବଡ଼ ଲୋକଙ୍କୁ ଗିରଫ କରି ସେମାନଙ୍କ ବିରୁଦ୍ଧରେ କେସ୍‌ ଦାଏର କରିବ ଅଦାଲତରେ । ବଡ଼ ସାହେବଙ୍କର ଅନୁମୋଦନ ମିଳିଗଲେ ସେ ନିଶଙ୍କ ଚିତ୍ତରେ ଅଗ୍ରସର ହେବ ।

 

ପ୍ରକାଶ ପଟ୍ଟନାୟକ ପି.ଏ.ଙ୍କ କୋଠରିରେ ଅପେକ୍ଷା କରୁଥିଲା ।

ଅଳ୍ପ ସମୟ ପରେ ଡାକରା ଆସିଲା ।

 

ପ୍ରକାଶ ପ୍ରବେଶ କଲାମାତ୍ରେ ସଲାମ କରି ଆଟେନ୍‌ସନ ଭଙ୍ଗୀରେ ଛିଡ଼ାହୋଇ ରହିଲା-

 

ବଡ଼ ସାହେବ ଆଶତୀତ ଭାବରେ ଗମ୍ଭୀର ଦେଖାଯାଉଥିଲେ, ତାକୁ ସମ୍ମୁଖରେ ଦେଖି କ୍ରୋଧରେ ଫାଟିପଡ଼ି କହିଲେ- ତୁମକୁ କିଏ ଚାକିରି ଦେଇଥିଲା ପ୍ରକାଶ ?

 

- ଆପଣ ସାର୍‌- ସ୍ପଷ୍ଟ ଭାବରେ କହିଲା ପ୍ରକାଶ ।

- ଏଠାରେ ତୁମର ପୋଷ୍ଟିଂ କିଏ କରିଥିଲା ?

- ଆପଣ ସାର୍‌ !

- ତୁମକୁ ପ୍ରମୋସନ୍‌ କିଏ ଦେଇଥିଲା ?

- ଆପଣ ସାର୍ !

 

- ସେଥିପାଇଁ ଆଜି ମୋର ଆଦେଶ ଅମାନ୍ୟ କରୁଚ ? ନିମକହାରାମର ଶାସ୍ତି କଅଣ ଜାଣ ?

 

ପ୍ରକାଶ ତିରସ୍କାର ନୁହେଁ ପୁରସ୍କାର ଆଶା କରି ଆସିଥିଲା । କିନ୍ତୁ ବଡ଼ ସାହେବ ଯେ ତା’ ଉପରେ ଆଦୌ ସନ୍ତୁଷ୍ଟ ନୁହଁନ୍ତି, ବରଂ ବିରକ୍ତ - ଏହା ଅତି ସ୍ପଷ୍ଟ ହୋଇଗଲା ଏଇ କେତୋଟି ପ୍ରଶ୍ନରେ । ସେ କୌଣସି ଅନ୍ୟାୟ କରି ନାହିଁ, ଆଇନ ବା କ୍ଷମତାର ଅପବ୍ୟବହାର ମଧ୍ୟ କରି ନାହିଁ-। ତଥାପି କାହିଁକି ବଡ଼ ସାହେବ ଅସନ୍ତୁଷ୍ଟ ? କିଏ ତାଙ୍କୁ କଅଣ କହିଛି, ସେ ଯଦି ଜାଣିପାରନ୍ତା ତାଙ୍କୁ ବୁଝେଇ ଦିଅନ୍ତା ପ୍ରକାଶ ।

 

ପ୍ରକାଶ ଦଣ୍ଡେ ନୀରବ ରହି ଧୀରେ ଧୀରେ କହିଲା, ଆପଣ ସର୍ବମୟ କର୍ତ୍ତା ସାର୍ ! ଆପଣଙ୍କୁ ଅମାନ୍ୟ କରିବି ଏ ଶକ୍ତି ବା ଦୁଃସାହସ ମୋର ଚିନ୍ତାର ବି ଅତୀତ । ମୁଁ ଆପଣଙ୍କର ଆନୁରକ୍ତ ଆଜ୍ଞାଧୀନ କର୍ମଚାରୀ ।

 

- ସବୁ ଜାଣିଶୁଣି କାହିଁକି ବାବାଙ୍କ ପଛରେ ଲାଗିଚ ? ତାଙ୍କପରି ନିର୍ମଳ, ନିଷ୍କଳଙ୍କ ଧାର୍ମିକ ବ୍ୟକ୍ତି କେତେଜଣ ଅଛନ୍ତି ପୃଥିବୀରେ ? ନିଆଁରେ ହାତ ଭର୍ତ୍ତିକଲେ କଅଣ ହୁଏ ଜାଣ ? ନିଆଁରେ କିଛି ହୁଏ ନାହିଁ, କିନ୍ତୁ ହାତ ପୋଡ଼ିଯାଏ ।

 

- ମୋ କଥା ଟିକେ ଶୁଣିବା ହୁଅନ୍ତୁ ସାର୍ !

 

- ନୋ, ନୋ..... ତୁମର ବକ୍ତୃତା ଶୁଣିବା ପାଇଁ ତୁମକୁ ମୁଁ ଏଠାକୁ ଡାକି ନାହିଁ । ତୁମର କୈଫିୟତ ଶୁଣିବାକୁ ଚାହେଁ । କୋଉଁ ସାହସରେ ଦିବ୍ୟଧାମ ଭିତରକୁ ପଶିଲ ତୁମେ ? ମୋର ଅନୁମତି ନେଇଥିଲ ? ଏସ୍.ପି. ସାହେବଙ୍କ ଅନୁମତି ପାଇଥିଲ ?

 

- ସେ ଛୁଟିରେ ଅଛନ୍ତି ସାର୍ !

- ସେ ଛୁଟିରେ ଅଛନ୍ତି, ମୁଁ କିନ୍ତୁ କାର୍ଯ୍ୟ କରୁଚି.....

- ଆପଣ ସବୁ ଭଲକାମକୁ ତ ଆଶୀର୍ବାଦ କରନ୍ତି ସାର୍ !

- ଏଇଟା ଗୋଟେ ଭଲକାମ ବୋଲି ଭାବୁଛ ତୁମେ ? ତୁମର ମଥା ଠିକ୍ ଅଛି ତ ?

ଚୁପ୍‌ହୋଇ ତାଙ୍କ ଆଗରେ ଛିଡ଼ା ହୋଇ ରହିଲେ ପ୍ରକାଶ ।

 

ବଡ଼ ସାହେବ ରୁକ୍ଷ କଣ୍ଠରେ କହି ଚାଲିଗଲେ - ସରକାରଙ୍କ କାନକୁ କଥା ପହଞ୍ଚିଛି । ତୁମେ ଦଳବଳ ସହିତ ଯାଇ ଅପବିତ୍ର କରିଛି ଧର୍ମସ୍ଥାନକୁ । ମିଛ ମୋକଦ୍ଦମାରେ ଜଡ଼ିତ କରିଛ ବାବା ଏବଂ ଆଶ୍ରମବାସୀଙ୍କୁ । ଦିବ୍ୟଧାମ ବଦନାମ, କଳଙ୍କିତ କରିବା ତୁମର ଇଚ୍ଛା ।

 

- ମୋ କଥା ଟିକେ ଶୁଣିବା ହୁଅନ୍ତୁ ସାର୍‌ ଆଜ୍ଞା ହେଲେ କହିବି... ।

 

ନୋ, ନୋ । ତୁମର କଥା ଶୁଣିବାକୁ ମୋର ସମୟ ନାହିଁ...ତୁମକୁ ସସ୍‌ପେଣ୍ଡ କରିଛି-....ଏଇ ଆଦେଶ ଶୁଣେଇବା ପାଇଁ ଡାକିଥିଲି ତୁମକୁ ।

 

- ଆପଣଙ୍କର ପୁରସ୍କାର ପରି ଆପଣଙ୍କର ଶାସ୍ତି ବି ମୁଁ ଜଣେ ଅନୁଗତ କର୍ମଚାରୀ ଭାବରେ ଗ୍ରହଣ କରିବି ସାର୍.....ମୁଁ କିନ୍ତୁ ନିରପରାଧ ... ।

 

ସଟ୍ ଅପ୍.....ମୁଁ ଆଉ କିଛି ଶୁଣିବାକୁ ଚାହେଁନି ....ଏଥର ତୁମେ ଯାଇପାର ।

 

ତାଙ୍କୁ ସଲାମ୍‌ କରି ଅପମାନର ଜ୍ୱାଳାରେ ଜର୍ଜରିତ ହୋଇ ପ୍ରକୋଷ୍ଠ ଭିତରୁ ବାହାରି ଆସିଲା ପ୍ରକାଶ ।

 

ପି.ଏ. ପଦ୍ମନାଭ ବାବୁ ପ୍ରକାଶଙ୍କୁ ତାଙ୍କ କୋଠାରୀକୁ ଡାକିଲେ କହିଲେ -ବଡ଼ ସାହେବଙ୍କୁ ବଡ଼ ବାଧିଚି ପ୍ରକାଶ ବାବୁ ! ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆପଣ କାର୍ଯ୍ୟାନୁଷ୍ଠାନ କରିବା ପୂର୍ବରୁ ବଡ଼ ସାହେବଙ୍କ ଅନୁମତି ନେଇଥିଲେ ଧର୍ମ ଉପରେ ସରକାରୀ ହସ୍ତକ୍ଷେପ କରୁଥିବା ଅଭିଯୋଗକୁ ଏଡ଼ାଇ ଦିଆଯାଇ ପାରିଥାଆନ୍ତା ।

 

ପ୍ରକାଶ କହିଲା, ମୁଁ ମୋ ପାଇଁ ବ୍ୟସ୍ତ ନୁହେଁ, ମୁଁ ଯଦି କିଛି ଅନ୍ୟାୟ କରିଥାଏ ମୁଣ୍ଡପାତି ଦଣ୍ଡ ଗ୍ରହଣ କରିବି । କିନ୍ତୁ ସାର ଯଦି ମୋର ବକ୍ତବ୍ୟ ଶୁଣନ୍ତେ ନିଶ୍ଚୟ ସ୍ୱୀକାର କରନ୍ତେ ଯେ ମୁଁ ନିରପରାଧ । ମୋର ଦୋଷ କେବଳ ଏତିକି ଯେ ରାଜନୀତିର ପ୍ରଭାବ ଜାଣି ମଧ୍ୟ ଏ ସମ୍ପର୍କରେ ନେଡ଼ିଗୁଡ଼ କହୁଣୀକୁ ବହିଯିବା ଆଗରୁ ଏ ଦୁଃସାହସିକ କାର୍ଯ୍ୟ କରିପକେଇଚି । ସାର୍‌ ହେଡ଼କ୍ୱାଟରରେ ନ ଥିଲେ, ନ ହେଲେ ମୁଁ ଅନୁମତି ନ ନେଇ ଆଗେଇ ନ ଥାନ୍ତି ଏ କାମରେ । ବିଳମ୍ବ କରିବାର ଉପାୟ ମଧ୍ୟ ନ ଥିଲା । ମଙ୍ଗଳବାର ରାତିରେ କାର୍ଯ୍ୟାନୁଷ୍ଠାନ ନ କରିଥିଲେ ପ୍ରମାଣ ମିଳି ନ ଥାନ୍ତା ପରେ । ସେଇ ରାତିରେ ସବୁ ଚୋରାମାଲ ବମ୍ବେ ପଠାଇଦବା ଲାଗି ଟ୍ରକ ମହଜୁଦ ହୋଇ ରହିଥିଲା ।

 

- ଆଉ ସେହି କଙ୍କାଳ ? ପି.ଏ. ପଚାରିଲେ ।

 

- କଙ୍କାଳ ଭଗ୍ନୀ ସୌଦାମିନୀଙ୍କର । ତାଙ୍କ ସ୍ୱାମୀ ଏବେ ପାଗଳ ହୋଇ ବୁଲୁଚନ୍ତି । ତାଙ୍କୁ ପରମାନନ୍ଦ ପ୍ରାପ୍ତିର ପ୍ରଲୋଭନ ଦେଖାଇ ସ୍ତ୍ରୀଙ୍କ ସହିତ ଆଶ୍ରମରେ ରହିବା ପାଇଁ ପ୍ରବର୍ତ୍ତାଇଥିଲେ ବାବା । ସେ ଆଶ୍ରମରେ କିଛିଦିନ ଥିଲେ ମଧ୍ୟ । କିନ୍ତୁ ସୌଦାମିନୀ ବାବାଙ୍କର ବାସନା ଚରିତାର୍ଥ କରିବାକୁ ଅସମ୍ମତ ହେବାରୁ ଶେଷରେ ଧର୍ଷଣର ଶିକାର ହୋଇଥିଲେ ଏବଂ ତା’ ପରେ ହତ୍ୟା କରାଯାଇଥିଲା ତାଙ୍କୁ ।

 

- ତାଙ୍କ ସ୍ୱାମୀ ?

 

- ପାଗଳ । ସ୍ତ୍ରୀଙ୍କର ମୃତ୍ୟୁ ପରେ ପ୍ରଭାକର ପଶାୟତ ପାଗଳ ହୋଇଗଲେ....ଏଇ ରାଜଧାନୀରେ ରାସ୍ତାରେ କେତେଥର ଦେଖିଚି ତାଙ୍କୁ....ତିନି ଚାରିମାସ ହେବ ଦେଖିନି ଆଉ-....ଜାଣେନି ଏବେ ସେ ଜୀବିତ ନା ମୃତ, ରାଜଧାନୀରେ ନା ଅନ୍ୟକେଉଁଠି ।

 

ମୁଁ ବି ଅନେକ କଥା ଶୁଣିଚି ଆଶ୍ରମ ସମ୍ପର୍କରେ । କଅଣ କରିବି ଚାକିରି କରିଚି ଯେତେବେଳେ କହିପାରୁନି କିଛି...... । ମନ୍ତ୍ରୀଠାରୁ ଆରମ୍ଭ କରି ସେକ୍ରେଟେରୀ, କମିଶନର ଅନେକ ବଡ଼ ବଡ଼ ଲୋକ ବାବାଙ୍କ ଚେଲା । କଅଣ ହେବ କେଜାଣି ?

 

- ଆଉ କିଛି ହେବନାହିଁ ପଦ୍ମନାଭ ବାବୁ ..ମୋର ଦଣ୍ଡ କେବଳ ଅବଧାରିତ ହୋଇ ରହିଚି ।

- ବଡ଼ ସାହେବ ନ୍ୟାୟବନ୍ତ ପୁରୁଷ ....ଏତେ ଅନ୍ୟାୟ କରିବେ ?

 

- ସେ ବୋଧହୁଏ ନାଚାର । ଚାକିରି ଅଛି, ସଂସାର ଅଛି । ଉପରୁ ହୁକୁମ ଆସିଲେ ତାମିଲ କରିବାକୁ ହୁଏ ।

 

- ବିବେକ ବିରୁଦ୍ଧରେ ?

 

- ହଁ, ଚାକିରିରେ ପଶିବାଦିନ ବିବେକ ......ବିକ୍ରି ହୋଇଯାଏ । ମଣିଷ ସେଇଦିନୁ ଦାସ ହୋଇଯାଏ...

 

- ଆପଣଙ୍କର ବି ପିଲାଛୁଆ ଅଛନ୍ତି । ବାପା ମା’ ସହିତ ସାତପ୍ରାଣୀ କୁଟୁମ୍ବ ।

 

- ଈଶ୍ୱରଙ୍କର ଆଶୀର୍ବାଦ । କିନ୍ତୁ ମୁଁ ଶପଥ କରିଛି ଦୋଷୀକୁ ଛାଡ଼ିବି ନାହିଁ.....ଯେଉଁମାନେ ସମାଜରେ ନିର୍ମଳ, ନିଷ୍କଳଙ୍କ, ଧର୍ମାବତାର ଭୂମିକାରେ ଅଭିନୟ କରୁଚନ୍ତି ସେମାନଙ୍କର ମୁଖା ଖୋଲିଦେଇ ଅସଲ ପରିଚୟ ପଦାରେ ପକାଇଦେବି । ଆଉ ଯଦି ସେତକ କରିବାବେଳେ ମୁଁ ମାଟିରେ ମିଶିଯାଏ, ସେଥିରେ କ୍ଷୋଭ ନାହିଁ......କାରଣ ମୁଁ ଜାଣେ ଯେ ମୁଁ ନିଜ ପାଇଁ କିଛି କରୁନି....ସମାଜର ବୃହତ୍ତର ସ୍ୱାର୍ଥ ରକ୍ଷାପାଇଁ ମୋର କର୍ତ୍ତବ୍ୟ କରୁଛି ମାତ୍ର ।

 

ପଦ୍ମନାଭ ବାବୁ ସାନ୍ତ୍ୱନା ଦେଇ ବିଦାୟ ଦେଲେ ପ୍ରକାଶକୁ ।

 

ସେ ଥାନାକୁ ଫେରିଆସି ନିଜର ଚାର୍ଜ ତଳ ଅଫିସରଙ୍କୁ ହସ୍ତାନ୍ତର କରି ଥାନାର ସମସ୍ତ କର୍ମଚାରୀଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇ ଘରକୁ ଫେରିବାବେଳକୁ କଥାଟା ପ୍ରଘଟ ହୋଇ ଗଲାଣି ।

 

ପ୍ରକାଶର ସ୍ତ୍ରୀ ପ୍ରତିମା ଦାଣ୍ଡଦୁଆରେ ଅପେକ୍ଷା କରୁଥିଲା ସ୍ୱାମୀର ।

 

ପ୍ରକାଶ ମୋଟର ସାଇକେଲରୁ ଓହ୍ଲେଇପଡ଼ି ବାରନ୍ଦା ଉପରକୁ ଉଠିଆସିବାକ୍ଷଣି କହିଲା ସେ-ସବୁ ସତ ?

 

- ହଁ । ପ୍ରକାଶ କହିଲା ।

- କଅଣ ହେବ ଯେ....ଚଳିବା କେମିତି ?

- ଭଗବାନ୍ ଅଛନ୍ତି । ସତ୍ୟ, ଧର୍ମ ଅଛି.... ।

- ଭଗବାନ ଥିଲେ ଇମିତି ଅନ୍ୟାୟ ହୁଅନ୍ତା ତୁମ ଉପରେ ?

- ହୁଏତ ତାଙ୍କର କୌଣସି ମହତ୍ ଉଦ୍ଦେଶ୍ୟ ଥିବ ଏହା ପଛରେ... ।

 

ପ୍ରତିମା ଆଉ କିଛି ନ କହି ନୀରବରେ ସବୁ ଯନ୍ତ୍ରଣା ସହ୍ୟ କରିବା ପାଇଁ ଶକ୍ତି ମାଗୁଥିଲେ ଭଗବାନଙ୍କୁ ।

 

ନାହିଁ ନ ଥିବା ଏକ ବଡ଼ ଧରଣର ସଭା ହୋଇଗଲା ରାଜଧାନୀର ପ୍ୟାରେଡ଼୍‌ ପଡ଼ିଆରେ । ସଭାମଞ୍ଚ ଏବଂ ସମଗ୍ର ପରେଡ଼୍‌ ପଡ଼ିଆ ଏଭଳି ସୁନ୍ଦର ଭାବରେ ଆଉ କେବେ ସଜା ହୋଇଥିବାର କେହି ଦେଖି ନ ଥିଲେ । ରଙ୍ଗ ବେରଙ୍ଗର କାଗଜ ଏବଂ ଦେବତାରୁ ପତ୍ର ଓ ଗେଣ୍ଡୁ ଫୁଲରେ ନିର୍ମିତ ହୋଇଥିବା ଚାରିଦିଗରେ ଚାରୋଟି ତୋ’ରଣ ଅପୂର୍ବ ହୋଇଥିଲା । ମଞ୍ଚକୁ କେବଳ ଫୁଲଦ୍ୱାରା ସଜାଯାଇଥିଲା । ଆକାଶରେ ଶହ ଶହ ରଙ୍ଗୀନ ବେଲୁନ ଉଡ଼ାଇ ଦିଆଯାଇଥିଲା । ଶୋଭାଯାତ୍ରା ଷ୍ଟେସନ ଛକରୁ ବାହାରି ଜନପଥ ଦେଇ ରାଜମହଲ ଛକ ପର୍ଯ୍ୟନ୍ତ ଆସି ସେଠାରୁ ରାଜପଥରେ ସଚିବାଳୟ ମାର୍ଗଦେଇ ସଭାସ୍ଥଳରେ ପହଞ୍ଚିବାବେଳକୁ ହଜାର ହଜାର ଲୋକ ସମବେତ ହୋଇ ସାରିଥିଲେ ।

 

ଏତେବଡ଼ ସଭା ବା ଶୋଭାଯାତ୍ରା ରାଜଧାନୀରେ ଏହାପୂର୍ବରୁ ଆଉ କେବେ ହୋଇ ନ ଥିଲା । ମାନବ ମହାନ୍ତିଙ୍କର ଗର୍ବ କରିବାର କାରଣ ଥିଲା ଯଥେଷ୍ଟ । ଦଳକୁ ଅଳ୍ପଦିନ ହେଲା ଆସିବି ସେ ଲୋକମାନଙ୍କ ମନରେ ଯେଉଁ ନୂତନ ଆଶା ଓ ଉଦ୍ଦୀପନା ସଞ୍ଚାର କରି ପାରିଛନ୍ତି ତାହା ଅଦ୍ଭୁତପୂର୍ବ । ଲୋକେ ପ୍ରାୟ ପାଗଳ ପରି ଛୁଟି ଆସିଥିଲେ କଟକ, ପୁରୀ, ଜଟଣୀ, ବାରଙ୍ଗ, ବାଙ୍କୀ, ଜଗତ୍‌ସିଂହପୁର, ଖୋର୍ଦ୍ଧା ପ୍ରଭୃତି ଅଞ୍ଚଳରୁ । ଆହୁରି ଦୂର ଦୂରାନ୍ତରୁ ବି ଆସିଥିଲେ କିଛି ଲୋକ ।

 

ଦଳର ଭାବମୂର୍ତ୍ତି ଏବଂ ମର୍ଯ୍ୟାଦା ଅନେକ ଗୁଣରେ ବଢ଼ିଗଲା । ବିରୋଧୀ ଦଳର ବିଭାଜନ ନୀତିକୁ ଲୋକେ ପ୍ରତ୍ୟାଖ୍ୟାନ କରି ଦଳ ଦଳ ହୋଇ ଆସିଲେ । ସଭାରେ ଗଣ୍ଡଗୋଳ ସୃଷ୍ଟି କରିବାଲାଗି ବିରୋଧୀ ଦଳ ଏବଂ କେତେକ ହତାଶ୍‍ ବ୍ୟକ୍ତଙ୍କର ସମସ୍ତ ଉଦ୍ୟମ ବ୍ୟର୍ଥ ହେଲା-। ଆରେୟା କଥାରେ ଯାହା କହିଥିଲା ଏବେ କାର୍ଯ୍ୟରେ ତାହା ଦେଖାଇଦେଲା ।

 

ମାନବ ମହାନ୍ତି ତା’ ପିଠି ଥାପୁଡ଼ାଇ କହିଲେ ସଭାର ସଫଳତା ପଚାଶ ଭାଗ ତୁମର ଏବଂ ଆଉ ପଚାଶ ଭାଗ ଅନ୍ୟମାନଙ୍କର ପ୍ରାପ୍ୟ । ମୋତେ ଆଜିରୁ କହିଥା କଅଣ କରିବାକୁ ହେବ-

 

ଆରେୟା ହସିଲା ଅମାୟିକ ହସ । ଇମିତି ଅନେକ ପ୍ରଶଂସା ସେ ଶୁଣେ ରାଜନୀତିଜ୍ଞମାନଙ୍କ ମୁହଁରୁ । ଅନେକ ପ୍ରତିଶ୍ରୁତି ବି ଦେଇଛନ୍ତି ସେମାନେ । କିନ୍ତୁ ସେ ସବୁ ତା’ର ମନେନାହିଁ କି ସେମାନଙ୍କର ବି ମନେ ନ ଥିବ । ମନେ ନ ରହିବା କଥା । କ୍ଷମତାକୁ ଆସିଲେ ଏତେ ବଡ଼ ବଡ଼ କାର୍ଯ୍ୟ କରିବାକୁ ହୁଏ ଯେ ଛୋଟ ଛୋଟ ପ୍ରତିଶ୍ରୁତିଗୁଡ଼ାକୁ ସହଜରେ ଭୁଲିଯାଆନ୍ତି ନେତାମାନେ ।

 

ଆରେୟାର ସେଥିପାଇଁ ଦୁଃଖ ନାହିଁ । ରୂପଜୀବୀମାନେ ଅଧିକ ଉପାର୍ଜନ କରିବା ଉଦ୍ଦେଶ୍ୟରେ ଭଲ ପାଇବାର ଅନେକ ଛଳନା କରନ୍ତି, ଅନେକ ମଧୁର କଥା କହି ପ୍ରେମିକକୁ ବଶ କରନ୍ତି; କିନ୍ତୁ ସେ ଚାଲିଗଲା ପରେ ସେଇ ଏକା କଥା ପୁଣି ଆଉ ଜଣକୁ କହନ୍ତି । ଏଇ ରାଜନୀତିଜ୍ଞମାନେ ଠିକ୍ ସେଇପରି । ବରଂ ଆରେୟା ଖୁସିହୁଏ ଯେ ତାକୁ ଦିଆ ହୋଇଥିବା ଦାୟିତ୍ୱ ସେ ସୁଚାରୁ ଭାବରେ ପାଳନ କରିଚି । ସେ ଧୋକା ଦେଇନି । ଫେଲ୍ ମାରିନି । ସେ ପଇସା ନେଇ କାମ କରେ । ଏହା ବାଦ ତା’ର ଆଉ ପ୍ରତ୍ୟାଶ ନାହିଁ, କାହାରି ପ୍ରତି ମୋହ ମୁଲାହିଜା ବା ଅନୁରକ୍ତି ବି ନାହିଁ ।

 

ତଥାପି ମାନବ ମହାନ୍ତି କହିଲେ- ମ୍ୟୁନିସିପାଲିଟିର ଚେୟାରମ୍ୟାନ ହେବା ପ୍ରାୟ ନିଶ୍ଚିତ ହୋଇଗଲାଣି । ତୁମେ ଆଜିରୁ କହିଥାଅ, ଦରକାରବେଳେ କର୍ମରେ ଆସିବ ।

 

ଆରେୟା ପୁଣି ହସିଲା ସେଇ ଅମାୟିକ ହସ ।

 

ଇମିତି ସବୁ ନେତା କହନ୍ତି; ଖାଲି ତାକୁ କୁହନ୍ତି ନାହିଁ, ସମସ୍ତଙ୍କୁ କୁହନ୍ତି । ପ୍ରତିଶ୍ରୁତି ପାଳନ କରିବାର କୌଣସି ଦାୟିତ୍ୱ ନ ଥାଇ ପ୍ରତିଶ୍ରୁତି ଦବା ଅତି ସହଜ । ପଲିଟିକ୍ସ୍‌ର ଧର୍ମ ଏୟା ।

 

ମାନବ ମହାନ୍ତି ତାହାରି ମୁହଁରୁ ଶୁଣିବାକୁ ଚାହାଁନ୍ତି ।

 

ଆରେୟା ଆଉ ଏଡ଼ିଯାଇ ନ ପାରି କହିଲା- ବାଧ୍ୟ କରୁଛ ଯେତେବେଳେ କହୁଚି ବାବୁ.....ମୋର କିଛି ଲୋଡ଼ା ନାହିଁ । କିନ୍ତୁ ଯେଉଁମାନେ ସମସ୍ତଙ୍କ ପାଇଁ ଘର ତୋଳି ବି ନିଜପାଇଁ ତୋଳି ନାହାଁନ୍ତି ସେମାନଙ୍କ ସଂଖ୍ୟା ହଜାର ହଜାର । ସେମାନେ ଗଛମୂଳେ, ରାସ୍ତାକଡ଼ରେ, ପ୍ଲାଟଫର୍ମ ଆଉ ମନ୍ଦିର କଡ଼ରେ କିମ୍ବା ପରିତ୍ୟକ୍ତ ଗୋଦାମ ଘରେ ରହନ୍ତି । କେହି କେହି ବି ସତ୍ୟନଗର କି ମାଳିସାହିରେ ରହନ୍ତି । ସେମାନଙ୍କ ସଂଖ୍ୟା ବଢ଼ୁଚି । ସମସ୍ୟା ବି ବଢ଼ୁଚି ଦିନକୁ ଦିନ । ସେମାନେ ଜବରଦଖଲ କରିଥିବା ଜମି ଯଦି ପଟ୍ଟାକରି ଦିଆଯାଆନ୍ତା ସେମାନେ ନିଶ୍ଚିନ୍ତରେ ନିଃଶ୍ୱାସ ମାରନ୍ତେ, ମରିବା ଆଗରୁ ମୁଣ୍ଡ ଉପରେ ତାଟିଝାଟି ବା ନଡ଼ାର ଛାତଟିଏ ଦେଖନ୍ତେ ।

 

ମାନବ ମହାନ୍ତି ହରିଶ୍ଚନ୍ଦ୍ର ପରି ହସିଲେ ଦାତାର ହସ ।

ଆରେୟା ବୁଝେ ଏଇ ହସର ଅର୍ଥ ।

ସେ କହିଲେ - ତୁମେ ଘରକୁ ଆସ, ସେଇଠି କଥାଭାଷା ହେବା ।

 

ଆରେୟା ଜାଣେ ଏଇ କଥାଭାଷାର ଅର୍ଥ କଅଣ । ମାନବ ମହାନ୍ତି ଯେତିକି ବଡ଼ ହେବେ ସେତିକି ଏଇ କଥାଭାଷା ପାଇଁ ସମୟ ନିଅଣ୍ଟ ହେବ ଏବଂ ସେତିକି ତାଙ୍କ ସମୟରେ ମୂଲ୍ୟ ବି ବଢ଼ିବ ।

 

ଆରେୟା ନିର୍ଲିପ୍ତ ପରି କହିଲା - ମୌକା ପଡ଼ିଲେ ଆସିବି ବାବୁ ।

ଆରେୟା ତା’ ବାଟରେ ଚାଲିଗଲା ।

 

ମାନବ ମହାନ୍ତି ହିସାବ ନିକାସ କଲେ । ପଚାଶ ହଜାର ଖର୍ଚ୍ଚ କରି ଲକ୍ଷେ ଲୋକଙ୍କୁ ଯଦି ଠୁଳ କରିପାରିଲେ ଜଣକୁ ପଡ଼ିଲା ପଚାଶ ପଇସା । ଏତେ ଶସ୍ତା ଏଇ ଲୋକଗୁଡ଼ା ! ଏଡ଼େ ଶସ୍ତାରେ କାମ ହୋଇଯାଏ !

 

ତଥାପି ପାର୍ଟିକୁ ଅନ୍ୟକଥା କହିବେ ।

 

ଦୁଇଲକ୍ଷ ସେ ନିଜ ପକେଟରୁ ଦେଇଛନ୍ତି । ଦରକାର ପଡ଼ିଲେ ଆହୁରି ଦେବେ । କିନ୍ତୁ ପାର୍ଟିର ପ୍ରେସିଡେଣ୍ଟ୍‍ ପଦ ଲୋଡ଼ା ତାଙ୍କର । ବର୍ତ୍ତମାନର ସଭାପତି ନିଷ୍କର୍ମା । ତାଙ୍କ କଥାରେ ଶାଗ ସିଝେ ନାହିଁ କି ମୁଗ ସିଝେ ନାହିଁ । ବିରୋଧୀ ଦଳମୁକାବିଲା କରିବା ପାଇଁ କରିତ୍‍କର୍ମା ପ୍ରେସିଡ଼େଣ୍ଟ୍‍ଟିଏ ଲୋଡ଼ା ।

 

ସେ ଅଛନ୍ତି ।

ପ୍ରେସିଡ଼େଣ୍ଟ୍ ପଦରେ ପାର୍ଟି ତାଙ୍କୁ ଗ୍ରହଣ କରିବାରେ ବାଧା ନାହିଁ ।

 

ଚନ୍ଦ୍ରର କଳଙ୍କ ପରି ମନୋଜର ସେଇ ରିପୋର୍ଟ ତାଙ୍କୁ କଳଙ୍କିତ କରିଛି । ସେ ଯେ ନୀରବ ହୋଇ ବସି ନାହିଁ ଏହା ମଧ୍ୟ ତାଙ୍କ ସୂତ୍ରରୁ ଜାଣିପାରିଚନ୍ତି ସେ । ମୂର୍ତ୍ତି ଚୋରି ଏବଂ ତତ୍‌ସହିତ ସମ୍ପର୍କିତ ଘଟଣା ସହିତ ତାଙ୍କୁ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ କରିବାକୁ ଚେଷ୍ଟା କରିଛି ମନୋଜ; କିନ୍ତୁ ଅଳ୍ପ କେତେକଙ୍କୁ ଛାଡ଼ିଦେଲେ ଆଉ କେହି ବିଶ୍ୱାସ କରିନାହାଁନ୍ତି । ବର୍ତ୍ତମାନ ତାଙ୍କର ଖ୍ୟାତି ବଢ଼ିବାରେ ଲାଗିଚି । ସେ ଆଉ ଏକା ନୁହଁନ୍ତି ଯେ ନିଜ ବଳରେ ଲଢ଼ିବେ । ଗୋଟେ ବଡ଼ ଦଳ ତାଙ୍କର ପକ୍ଷନେଇ ଲଢ଼ିବ । ନିଜର ବିଶ୍ୱାସଯୋଗ୍ୟତାକୁ ପ୍ରମାଣ କରିବା ପାଇଁ ମାନହାନି ମୋକଦ୍ଦମା ଦାଏର କରିଛନ୍ତି ମନୋଜ ମିଶ୍ର ବିରୁଦ୍ଧରେ । ଏ ମୋକଦ୍ଦମା ବିଚାର ହେବାବେଳକୁ ସବୁ କଥା ଭୁଲି ଯାଇଥିବେ ଲୋକମାନେ । ସେ ଯାହା ହେବାର ହେଉ ମନୋଜକୁ ସେ କ୍ଷମା କରିବେ ନାହିଁ । ତାକୁ ଅନ୍ତର କରିବା ତାଙ୍କର ପ୍ରଥମ ବ୍ରତ ହେବ । ସେ ତାଙ୍କର ଏକନମ୍ବର ଶତ୍ରୁ ।

 

ମାନବ ମହାନ୍ତି ମ୍ୟୁନିସିପାଲଟି ଚେୟାରମ୍ୟାନ ବା ଏମ୍. ଏଲ୍. ଏ. ହୋଇ ରହିବା ପାଇଁ ଦଳରେ ମିଶି ନାହାନ୍ତି । ଆହୁରି ଉପରେ ଜାଗା ସୁନିର୍ଦ୍ଦିଷ୍ଟ ହୋଇ ରହିଚି ତାଙ୍କ ପାଇଁ । ଚେୟାରମ୍ୟାନ ପରେ ମନ୍ତ୍ରୀ, ତା’ପରେ ମୁଖ୍ୟମନ୍ତ୍ରୀ... ।

 

ସମୟ ଅଣ୍ଟୁନି ଆଉ । ମନକୁ ହାଲୁକା କରିନବା ପାଇଁ ସୁବିଧା ମିଳୁନି ଆଗପରି । ଦଳର ଲୋକେ ବ୍ୟସ୍ତ କରୁଛନ୍ତି ତାଙ୍କୁ । ସେମାନଙ୍କ ସମସ୍ୟା ସମାଧାନ କରିବାରେ ସମୟ ସରିଯାଉଚି । ହୋଟେଲକୁ ଯାଇ ତୃପ୍ତି ସହିତ କିଛି ସମୟ କଟାଇବା ପାଇଁ ସମୟ ମିଳୁନି । ତା’ ସହିତ ସମ୍ପର୍କ ଶିଥିଳ ହୋଇ ଆସିଲାଣି । ସେଇ ଏକା ଜିଦ୍ ଲଗାଇଚି ବାହାହେବା ପାଇଁ । ବାହାହେଲେ ଆଉ ବେଶୀ କ’ଣ ହେବ ଯେ ଅନାବଶ୍ୟକ ଫାଶରେ ମୁଣ୍ଡ ଗଳେଇବେ ସେ ।

 

ଶିକ୍ଷା କମିଶନରଙ୍କୁ ବି ପାନେ ଦେବେ ସେ । ଶ୍ରୀଲେଖାକୁ ହାତରେ ରଖିବା ପାଇଁ କଳ କୌଶଳ କରୁଛନ୍ତି ସେ । ସେ ଚାକିରିରୁ ବାହାର କରିଥିଲେ ଯେଉଁ ସ୍ୱଦେଶ ଦାସକୁ ତାକୁ କେବଳ ଚାକିରି ଦେଇ ନାହାନ୍ତି, ଶ୍ରୀଲେଖାକୁ ନିଜ ଦପ୍ତରକୁ ବଦଳି କରି ଆଣିଚନ୍ତି ସେ ।

 

ଶ୍ରୀଲେଖା... ।

 

ଶ୍ରୀଲେଖା ମନେପଡ଼ିଲେ ଅତୃପ୍ତ ମନ ପାଗଳ ହୋଇଯାଏ । ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟରେ ଅସଫଳ ହୋଇନାହାନ୍ତି । ଯାହା ଚାହିଁଛନ୍ତି ପାଇଛନ୍ତି । ଏଇ ଶ୍ରୀଲେଖା ଦାସ କେବଳ ସ୍ୱପ୍ନ ହୋଇ ରହିଯାଇଚି । ସରକାରୀ ଚାକିରି କରି କେତେଦିନ ତାଙ୍କୁ ଏଡ଼ିଯାଇ ପାରିବ । ସେ ବା କୋଉ ଗୁଣରେ ସେଇ ବୁଢ଼ା କମିଶନରଠାରୁ କମ ଯେ..... ! ତାଙ୍କର ରୂପ ଅଛି, ବୟସ ଅଛି । ମନେ ମନେ ପ୍ଲାନ କରିବାକୁ ଲାଗିଲେ ମାନବ । ତୃପ୍ତି, ଗ୍ଲୋରିଆ, ସୁହାସିନୀ କାହାରି ପାଖରେ ତୃପ୍ତିର ଶୀର୍ଷରେ ପହଞ୍ଚି ପାରିନ୍ତିନି ସେ । ଶ୍ରୀଲେଖା ତାଙ୍କର ମନକୁ ଆଚ୍ଛନ୍ନ କରି ରଖିଚି ।

 

ସେ ଚେସ୍‌ରେ ବସିଥିବାବେଳେ ଆସିଲା ପାରାଦୀପ କୁଜଙ୍ଗ ଅଞ୍ଚଳର ନେତା ପଦ୍ମକେଶରୀ ଘଡ଼େଇ ।

 

ପଦ୍ମକେଶରୀ ସେଦିନ ସଭାକୁ ଅନେକ ଲୋକ ଆଣିଥିଲା ।

ମାନବ କହିଲେ - ଇମିତି ଶୁଖିଲା ଦିଶୁଚ ଯେ.... !

ସେ କହିଲା - ଆପଣ ତାରିଲେ ତାରିବେ ମାରିଲେ ମାରିବେ... ।

- କଅଣ ହୋଇଛି ?

 

- ଆପଣଙ୍କ ସଭାର ଆଶତୀତ ସଫଳତା ପାଇଁ ମୁଁ ଶତ୍ରୁ ପକ୍ଷର ଶିକାର ହେବାକୁ ଯାଉଚି... ।

 

- କିପରି ?

 

- ସେଦିନ ଫେରିବା ବାଟରେ ଚତୁର୍ଭୁଜ ବିଶୋଇ ବି ଦଳବଳ ସହିତ ଫେରୁଥିଲା ପାରାଦୀପ । ତାହାରି ଯୋଗୁ ତ ବନ୍ଦର ଅଚଳ ହୋଇ ଗଲାଣି । ଷ୍ଟ୍ରାଇକ୍ ଲାଗି ରହିଚି... । ସେ କର୍ମଚାରୀମାନଙ୍କୁ ଭୟ ଦେଖାଇ ଦଳଭୁକ୍ତ କରୁଚି ।

 

- ପ୍ରତିକାର କର ।

- ମୁଁ ସେୟା କରୁଥିଲି...

- କଅଣ ହେଲା ?

 

- କାଲି ସନ୍ଧ୍ୟାର ଘଟଣା । ଅଠରବାଙ୍କୀ ପାଖରେ କୌଣସି କାରଣ ନ ଥାଇ ସେ ଆକ୍ରମଣ କଲା ମୋ ଉପରେ...

 

- ତା’ପରେ ?

- ମୋ ସହିତ ଆମର କର୍ମୀମାନେ ଥିଲେ...

- ତା’ପରେ ?

 

- ଲାଗିଲା ଝଗଡ଼ା । ଝଗଡ଼ାରୁ ଲଢ଼େଇ । ସେ ତ ପ୍ରସ୍ତୁତ ହୋଇ ଆସିଥିଲା । ଆମ ଦଳର ଧେନୁ ନାଏକର ମୁଣ୍ଡ ଫାଟିଗଲା.....

 

- ତା’ପରେ ?

 

- ମୁଁ ତାକୁ ରକ୍ଷା କରିବାକୁ ଯିବାବେଳେ ମୋ ମୁଣ୍ଡକୁ ଲକ୍ଷ୍ୟକରି ନିଜେ ଚତୁର୍ଭୁଜ ଫାର୍ସାଟାଏ ଧରି ଦଉଡ଼ି ଆସିବାବେଳକୁ ମୁଁ ଗୋଟେ ଲୁହାରଡ଼୍ ଉଠାଇ ନେଲି.....ସେତିକିବେଳକୁ ମାର ମାର କହି ମାଡ଼ି ଆସିଲେ ଲୋକେ ଚାରିଆଡ଼ୁ । ମୁଁ ରଡ଼୍ ଉଠାଇବା ଆଗରୁ ଚତୁର୍ଭୁଜ ଟଳି ପଡ଼ିଲା । କିଏ ମାରିଲା କହିହେବନି । ଲୋକଙ୍କର ରାଗ ଥିଲା ଅନେକ ଦିନର । ସୁଯୋଗ ଉଣ୍ଡୁଥିଲେ ।

 

- ମରିଗଲା ନା ବଞ୍ଚିଛି.... ?

- ମରି ଯାଇଛି ।

- ତା’ପରେ ?

 

- ପୁଲିସ୍‍ ମୋତେ ମୁଖ୍ୟ ଆସାମୀ କରିବା ପାଇଁ ମୋ ପଛରେ ପଡ଼ିଚି । ମୁଁ ରାତି ରାତି ପଳେଇ ଆସି ବାରଙ୍ଗରେ ଥିଲି । ଏବେ ଆପଣଙ୍କ ପାଖକୁ ଆସୁଚି । ଆପଣ ରକ୍ଷା ନ କଲେ ମୋ କୁଳ ଉଚ୍ଛନ୍ନ ହୋଇଯିବ..... ।

 

ମାନବ ମହାନ୍ତି ଚିନ୍ତାରେ ପଡ଼ିଗଲେ ।

 

ନରହତ୍ୟା ସହିତ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ହୋଇପଡ଼ିଚି ପଦ୍ମକେଶରୀ; କିନ୍ତୁ.....ପଦ୍ମକେଶରୀ ତାଙ୍କର ସମର୍ଥକ...ବେଶ୍ ଟାଣୁଆ ନେତା ବି । ହାତରେ ଲୋକ ଅଛନ୍ତି ।

 

- ମୋତେ ଗିରଫ କଲେ ମୋର ଯାହା ହେଉ ବା ନ ହେଉ ଦଳର କ୍ଷତି ହେବ ଅନେକ-। ଲୋକେ କଅଣ କହିବେ ? ମୁଁ ଟିକଟ ପାଇଲେ ବି ଲଢ଼ିବା ପାଇଁ ନୈତିକ ବଳ ପାଇବି ନାହିଁ । କହିଲା ପଦ୍ମକେଶରୀ ।

 

ମାନବ ମହାନ୍ତି ବୁଝିଗଲେ । ବଡ଼ କ୍ରିମିନାଲ ଲୟାର ସେ । କେତେ ଆସାମୀଙ୍କୁ ବୁଦ୍ଧି ବଳରେ ଆଇନର ଛିଦ୍ରପଥ ଦେଇ ଉଦ୍ଧାର କରିଛନ୍ତି ସେ ।

 

- କଅଣ କରିବା କହୁଚ... ? କହିଲେ ମାନବ ।

- ଆପଣ ଉପାୟ ବତାନ୍ତୁ ସେଥିପାଇଁ ତ ଆସିଚି ।

 

- ତୁମେ ମୋ ଘରେ କିଛିଦିନ ରହିଯାଅ...ମୁଁ ଏ ଭିତରେ ଯାହା କରିବା କଥା କରିବି, ଯାହାକୁ କହିବା କଥା କହିବି ।

 

- କିନ୍ତୁ ଉପରେ ନ କହିଲେ ହେବ ନାହିଁ । ପାରାଦୀପର ଥାନାବାବୁ ଚତୁର୍ଭୁଜର ଲୋକ-। ମୋଟା କିଛି ପ୍ରତିମାସ ପାଏ ସେ ସେମାନଙ୍କ ପାଖରୁ ।

 

- ଥାନାବାବୁକୁ ଜବ୍‌ଦ କରିବା ବଡ଼ କଠିନ କାମ ନୁହେଁ... ।

- ତାକୁ ବଦଳି କରିଦେଲେ ଯାଆନ୍ତା... ।

 

- ତୁମେ ଖିଆପିଆ କରି ବିଶ୍ରାମ କର । ଗ୍ୟାରେଜ ପଛରେ ଯୋଉ ଘରଟା ଖାଲିଅଛି ସେଇଠି ରୁହ । କେହି ଜାଣିବ ନାହିଁ । ଏଠାକୁ ସନ୍ଦେହ କରି କେହି ଆସିବା ପ୍ରଶ୍ନ ବି ଉଠୁନାହିଁ ।

 

ପଦ୍ମକେଶରୀ ହାତ ଯୋଡ଼ି କହିଲା - ମୁଁ ଆପଣଙ୍କର ଲୋକ...ଜୀବନଯାକ ବଚସ୍କର ହୋଇ ରହିବି...ଆପଣ ମୋତେ ରକ୍ଷା କରନ୍ତୁ... ।

 

ତାକୁ ଅଭୟ ଦେଇ ଟେଲିଫୋନ୍‍ କଲେ ମାନବ ।

 

କାଳ ବିଳମ୍ବ ନକରି ମନ୍ତ୍ରୀଙ୍କ ସହିତ ସାକ୍ଷାତ୍‍ କରିବା ପାଇଁ ସଙ୍ଗେ ସଙ୍ଗେ ବାହାରି ଗଲେ ସେ ।

 

ଦଙ୍ଗା...ଦଙ୍ଗା...

 

ପାରାଦୀପରେ ଦଙ୍ଗା, ଗଣ୍ଡଗୋଳ ଲାଗିରହିଛି ପ୍ରାୟ । ଦଙ୍ଗାରେ ଜଣେ କିଛି କରେ ନାହିଁ, ଦଳେ ଲୋକ ସବୁ କରନ୍ତି । କିଏ କଲା କହିବା କଠିନ । ପୁରୁଣା ଶତ୍ରୁତା ଲାଗି ରହିଚି । ପ୍ରତିଶୋଧ ନବା ପାଇଁ ଦଳେ ଆକ୍ରମଣ କଲାବେଳେ ଅନ୍ୟଦଳେ ଆତ୍ମରକ୍ଷା କରିବା ପାଇଁ ବାଟ ଖୋଜନ୍ତି, ସେତିକିବେଳେ ପିଟାପିଟି ହୁଏ ।

 

ସୂତ୍ର ପାଇଗଲେ ମାନବ ମହାନ୍ତି ।

 

ମନ୍ତ୍ରୀଙ୍କ ଘରେ ବସି ପ୍ରଥମେ ସମ୍ବାଦପତ୍ର ଏବଂ ସମ୍ବାଦ ସରବରାହ ସଂସ୍ଥାକୁ ଫୋନ୍‍ କରି ସମ୍ବାଦକୁ ବଦଳାଇ ଦବାପାଇଁ କୁହାଗଲା । ସଠିକ ଖବର ପ୍ରକାଶ ନ ପାଇ ଭୁଲ ଖବର ପ୍ରକାଶ ପାଇଗଲେ ଶାନ୍ତିଶୃଙ୍ଖଳା ବ୍ୟାହତ ହେବ । ଦୁଇଦଳ ଭିତରେ ବହୁ ପୂର୍ବରୁ ଶତ୍ରୁତା ଥିଲା । ତାହାରି ଫଳ ଇଏ । ଦଙ୍ଗାରେ ଜଣେ ମରିଚି, ତିନିଜଣ ଆହତ ହୋଇଛନ୍ତି । ପୁଲିସ୍‍ ଅନୁସନ୍ଧାନ କରୁଚି । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ କଡ଼ା ବ୍ୟବସ୍ଥା କରାଯାଇଛି । ଏହି ଦଙ୍ଗା ଓ ଗଣ୍ଡଗୋଳ ପଛରେ ବିରୋଧୀ ଦଳର ହାତ ଥିବାର ଖବର ମଧ୍ୟ ମିଳିଛି । ପୁଲିସ୍‍ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଦଳବଳ ନେଇ ମାଜିଷ୍ଟ୍ରେଟ୍ ସାଙ୍ଗରେ ଯାଇଛନ୍ତି ଘଟଣାର ସରଜର୍ମିନ ତଦନ୍ତ କରିବା ପାଇଁ ।

 

Unknown

ମୂଳ ସମ୍ବାଦ ବଦଳି ଗଲା ସଙ୍ଗେ ସଙ୍ଗେ ।

 

ମନ୍ତ୍ରୀ ଏସ୍ ପି.ଙ୍କୁ ଫୋନ୍‍ କରି ସବୁ ବୁଝେଇ ଦେଲେ - ବିରୋଧୀ ଦଳର କଥାରେ ପଡ଼ି ତଳ ଅଫିସର ଯେପରି ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଗିରଫ ନ କରନ୍ତି ।

 

ସନ୍ଧ୍ୟା ଖବର କାଗଜମାନଙ୍କରେ ପାରାଦୀପ ଗଣ୍ଡଗୋଳ ସମ୍ପର୍କରେ ଯାହା ପ୍ରକାଶ ପାଇଲା, ତାହା ପଢ଼ି ମାନବ ମହାନ୍ତି ଗିଲାସେ ସ୍କଚ୍ ଢକ ଢକ କରି ପିଇଗଲେ ମନକୁ ଖୁସି କରିବା ପାଇଁ । ଆଗୁଆ ଟିକେ ପିଇ ନେଇ ଫୁର୍ତ୍ତି ରହିବା ଭଲ ।

 

ସାମ୍ବାଦିକମାନଙ୍କୁ ହୋଟେଲ ସ୍ୱସ୍ତିକୁ ନିମନ୍ତ୍ରଣ କରିଛନ୍ତି ସେ ଡିନାର ପାଇଁ । ପାନ ଏବଂ ଭୋଜନର ପର୍ଯ୍ୟାପ୍ତ ବ୍ୟବସ୍ଥା କରିଛନ୍ତି ସେ । ସାମ୍ବାଦିକମାନଙ୍କୁ କିମିତି ହାତ କରିବାକୁ ହୁଏ ଜାଣନ୍ତି ସେ ।

 

ମାନବ ପୁଣି ଆଉଥରେ ଦଳର ସଭାପତିଙ୍କୁ ବି କହିରଖିଲେ । ହିଂସାତ୍ମକ କାର୍ଯ୍ୟକଳାପର ନିନ୍ଦା କରି ବିରୋଧଦଳମାନେ ଶାନ୍ତି, ସହଯୋଗ ଓ ଗଣତାନ୍ତ୍ରିକ ପନ୍ଥା ଅବଲମ୍ବନ କରିବାପାଇଁ ଆସନ୍ତାକାଲି ପ୍ରେସିଡ଼େଣ୍ଟ୍‍ ଯେପରି ଖବରକାଗଜକୁ ଗୋଟିଏ ବିବୃତ୍ତି ଦିଅନ୍ତି ।

 

ସବୁ ଠିକ୍ କରି ସେ ମନସ୍ୱିନୀକୁ କହିଲେ ଯେ ମହିଳା ସମାଜର କାର୍ଯ୍ୟ ମନ୍ଥର ଗତିରେ ଚାଲୁଚି । ଅନୁଷ୍ଠାନକୁ ସକ୍ରୀୟ କରିବାକୁ ହେଲେ ନୂଆ କାମ ଯେପରି ହାତକୁ ନେବାକୁ ହେବ ସେହିପରି ନୂଆ ସଭ୍ୟ ମଧ୍ୟ ନିଆଯିବା ଦରକାର । ସବୁ ଶ୍ରେଣୀର ମହିଳାମାନଙ୍କୁ ଅନୁଷ୍ଠାନରେ ଗ୍ରହଣ କଲେ ଅନୁଷ୍ଠାନର ମୂଳଦୁଆ ଟାଣହେବ ଏବଂ ତାହା ମହିଳାମାନଙ୍କ ମଧ୍ୟରେ ଭଲ କାର୍ଯ୍ୟ କରିପାରିବ ।

 

ମନସ୍ୱିନୀ ସ୍ୱମୀଙ୍କୁ ଆଜି ଏତେ ପାଖରେ ପାଇ କୃତ୍ୟକୃତ୍ୟ ହୋଇଗଲେ । ସେ ପତି ଅନୁଗତା ପତ୍ନୀ । ସ୍ୱାମୀଙ୍କର ଇଚ୍ଛାକୁ ଆଜୀବନ ସମ୍ମାନ ଦେଖାଇ ଆସିଛନ୍ତି ।

 

ସେ କହିଲେ - ମୁଁ ବି ସେୟା ଭାବୁଥିଲି । ଭଲ ହେଲା, ତମେ ମନେ ପକେଇ ଦେଲ ।

 

ମାନବ ମହାନ୍ତି ସ୍ତ୍ରୀଙ୍କ ମୁହଁକୁ ଅନାଇଲେ । ଅନେକ ଦିନପରେ ତାଙ୍କ ମୁହଁକୁ ଏକାନ୍ତରେ ଦେଖିବାର ସମୟ ମିଳିଚି ତାଙ୍କୁ । ମନସ୍ୱିନୀ ବେଶୀ ବଦଳି ନାହାନ୍ତି । ବୟସ ବଢ଼ିଥିଲେବି ଏବେବି ମଉଳି ଯାଇନି ଅଙ୍ଗଲାବଣ୍ୟ । କିପରି ଏକ ଶୁଷ୍କ ବିଷର୍ଣ୍ଣତା ତଳେ ଭସ୍ମାଚ୍ଛାଦିତ ବହ୍ନିପରି ନିଜ ପାଖରେ ନିଜେ ବସି ରହନ୍ତି ମନସ୍ୱିନୀ । ହଠାତ୍ କ’ଣ ଭାବି ଶେଷ କ୍ଲାନ୍ତ ଅପରାହ୍ନରେ ସ୍ତ୍ରୀଙ୍କ ପାଖରେ ବସିପଡ଼ି ତାଙ୍କ ପିଠି ଉପରେ ହାତ ବୁଲାଇଲେ ମାନବ । କାହିଁକି କେଜାଣି ଦୟା ହେଲା ମନରେ ।

 

ମନସ୍ୱିନୀ କହିଲେ, ଘର ଖୋଲା ଅଛି... ।

ମାନବ ନିଜେ କବାଟ ବନ୍ଦ କରି ଦେଇ ଆସିଲେ ।

ମନସ୍ୱିନୀ କହିଲେ, ଥାଉ, ମୁଁ ତ ଶୂନ୍ୟ ମନ୍ଦିର... ।

 

ସେତେବେଳକୁ ଜିଦ୍ ଚାପିଥିଲା ମାନବଙ୍କର । ସେ ମନସ୍ୱିନୀର କୌଣସି କଥା ନ ଶୁଣି ତାଙ୍କୁ ପ୍ରସ୍ତୁତ କରିବାକୁ ଲାଗିଲେ । ସେ ଆଉ ମନା କଲେ ନାହିଁ ।

 

ବିଉଟି ପାର୍ଲର ଆଗରେ ଗାଡ଼ି ଆସି ଛିଡ଼ାହେଲା ।

ରାତି ଦଶଟାରେ ବିଉଟି ପାର୍ଲର ବନ୍ଦ ହେବାର କଥା । ଆଜି କିଛି ବ୍ୟତିକ୍ରମ ହେଲା ।

 

ସୁହାସିନୀ ସମସ୍ତ କର୍ମଚାରୀଙ୍କୁ ବିଦାୟ ଦେଇ ଏକାକିନୀ ଅପେକ୍ଷା କରୁଥିଲେ ନିଜ ଚେମ୍ବରରେ ।

 

ଚୌକିଦାର ଫାଟକ ଖୋଲିଦେଲା ।

 

ଗାଡ଼ି ଭିତରୁ ଯିଏ ଓହ୍ଲାଇଲେ ତାଙ୍କୁ ପୂର୍ବରୁ କେବେ ଦେଖି ନ ଥିଲା ବାହାଦୂର । ତଥାପି କେହି ଜଣେ ବଡ଼ ଲୋକ ହୋଇଥିବେ ଭାବି ଭିତରକୁ ଯାଇ ଖବର ଦେଇଆସିଲା ।

 

ଆଗନ୍ତକଙ୍କୁ ନିଜେ ଆସି ପାଛୋଟି ନେଇଗଲେ ସୁହାସିନୀ ।

ନିଭୃତରେ ଅନେକ ସମୟ କଥାଭାଷା କଲେ ଦୁଇଜଣ ।

 

ସୁହାସିନୀ ହାତରେ ସ୍ୱର୍ଗ ପାଇଥିଲେ ଯେପରି । ଅନେକ ଦିନରୁ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ ବି ଏ ଯାଏ ସମୟ କରି ଆସିପାରି ନ ଥିଲେ ସେ । ଆଜି ତାଙ୍କର ମନସ୍କାମନା ପୂର୍ଣ୍ଣକରି ଆସିଚନ୍ତି ସେ ।

 

କଥାରେ କହନ୍ତି ବଡ଼ଲୋକ ହେବ କିମ୍ବା ବଡ଼ଲୋକଙ୍କର ପଛରେ ଥିବ । ବଡ଼ଲୋକ ହେବାଯାଏ ବଡ଼ଲୋକଙ୍କର ପଛରେ ଚାଲିବା ଭଲ ।

 

ସୁହାସିନୀ କହିଲେ, ମନେପଡ଼େ ପୂର୍ବକଥା ?

 

ନବକିଶୋର ଆଜି ସିନା ନେତା, ଦିନେ କିନ୍ତୁ ସେ ଥିଲେ ସୁହାସିନୀଙ୍କର ସହପାଠୀ । ଏକା କଲେଜରେ ପଢ଼ୁଥିଲେ ଦୁହେଁ । ସେତେବେଳର ସୁହାସିନୀଙ୍କଠାରୁ ଆଜିର ସୁହାସିନୀ ବେଶି ବଦଳି ନାହାନ୍ତି । କିନ୍ତୁ ସେତେବେଳର ନବକିଶୋରଙ୍କଠାରୁ ଆଜିର ନବକିଶୋରଙ୍କର ସମ୍ପୂର୍ଣ୍ଣ ଭିନ୍ନ-। ଯିଏ ହଠାତ୍ ଦେଖିବ ସିଏ ହୁଏତ ଚିହ୍ନି ପାରିବନି । ପଛ ବେଞ୍ଚରେ ବସୁଥିବା ସେଇ ଲାଜୁଆ ସାଧାରଣ ପିଲାଟି ଆଜି ନେତା, ଆଙ୍ଗୁଳିଅରେ ଗଣା ଯାଉଥିବା ମଣିଷ । ପାଠରେ ସେଦିନ ପଛରେ ପଡ଼ିଥିଲେ ବି ଆଜି ସେଦିନର ଅନେକ ପାଠୁଆ ପିଲାଙ୍କଠାରୁ ଅନେକ ଆଗରେ ଅଛନ୍ତି ନବକିଶୋର । ସେ ବିରୋଧୀଦଳର ନେତା ଥିଲେ ଏଇ ଛଅମାସ ତଳେ । ଦଳ ବଦଳ କରି ସରକାରୀ ଦଳକୁ ଆସିବାର ତିନିମାସ ହୋଇଗଲାଣି ।

 

ନବକିଶୋର ଲାଜମିଶା ସ୍ୱରରେ କହିଲେ, ମନେରଖିଚ ତୁମେ... !

 

ସୁହାସିନୀ କହିଲେ, ଝିଅମାନେ ଭୁଲନ୍ତିନି ସାଙ୍ଗମାନଙ୍କୁ, ପୁରୁଷମାନେ କିନ୍ତୁ ଭୋଳାନାଥଙ୍କ ପରି ଭୁଲିଯାଆନ୍ତି ସବୁ... ।

 

- ନା, ନା, ତୁମକୁ ଦେଖିଲେ ସେଇ ମୁହଁ, ସେଇ ହସ ମନେପଡ଼ିଯାଏ । କଲେଜ ଡ୍ରାମାରେ ନାୟିକା ଭାବରେ ଯେଉଁଦିନ ଅଭିନୟ କରିଥିଲ ତାହା ଏବେବି ମନେଅଛି । ତୁମକୁ ଅଭିନନ୍ଦନ ଜଣାଇସାରି ସେଦିନ ଝାଳେଇ ଯାଇଥିଲି ମୁଁ... ।

 

- ଆଜି ଝାଳେଇ ଯାଉନ ତ ଏକା ଏକା ମୋ ସାଙ୍ଗରେ ବସିଲାବେଳେ !

- ନା, ନା ସେଦିନ ଏଦିନ ମଧ୍ୟରେ କେତେ ତଫାତ୍...ସମୟ କେତେ ବଦଳି ଯାଇଚି ।

- ତମେ ଆଜି ମନ୍ତ୍ରୀ- କେତେବଡ଼ ମଣିଷ... ।

 

- ଦେଶସେବା କଲେ ଦାୟିତ୍ୱ ନବାକୁ ହୁଏ । ଅନେକ ଦିନ ବେପରୁଆ ଭାବରେ ବୁଲିଲି ବିରୋଧୀ ଦଳରେ । ହଠାତ୍ ଦିନେ ଭାବିଲି ଯେ - ବଳ ବୟସ ତ ବସିରହେନି ଗୋଟିଏ ଜାଗାରେ ! ଏଯାଏ କିଛି ହେଲାନି । ଖାଲି ପରର ଛିଦ୍ର ଖୋଜିବାରେ କଟିଗଲା ସମୟ । କଥାରେ କହନ୍ତିନି କାନ୍ଧରେ ଜୁଆଳି ପଡ଼ିଲେ ଶିଖେ ମଣିଷ । କାନ୍ଧରେ ଜୁଆଳି ଟାଣି ନିଜେ ଚାଷ କରିବା ପାଇଁ ଇଚ୍ଛା ହେଲା । ବିରୋଧୀ ଦଳର ନକାରାତ୍ମକ ରାଜନୀତି ଛାଡ଼ି କିଛି କରିବାଲାଗି ଶାସକ ଦଳକୁ ଚାଲିଆସିଲି ।

 

- ଭଲ କରିଚ । ଲାଭ ହୋଇଚି ନିଶ୍ଚୟ... ।

- କିନ୍ତୁ ସବା ଉପରକୁ ତ ଯାଇନି ଏଯାଏ !

- ଚେଷ୍ଟାକର ।

 

- ଖାଲି ନିଜ ଚେଷ୍ଟାରେ ତ ସବୁକିଛି ହୁଏନି । ଅନ୍ୟମାନଙ୍କର ସାହାଯ୍ୟ, ସହଯୋଗ ବି ଦରକାର ହୁଏ ।

 

- ମୁଁ ତ ରାଜନୀତି କରୁନି, ନ ହେଲେ ଯାହା କହନ୍ତ କରନ୍ତି ।

 

- ରାଜନୀତି ନ କରି ବି ରାଜନୀତି କରୁଥିବା ଲୋକଙ୍କୁ ସାହାଯ୍ୟ କରିହୁଏ । ବରଂ ତୁମେ ବେଶୀ ସାହାଯ୍ୟ କରିପାରିବ ।

 

- ମୋତେ ତ କହିନ...ଦିନେହେଲେ ଡାକିନ ପାଖକୁ ?

-ଅଯଥା ତୁମକୁ ଦୃଷ୍ଟି ଆକର୍ଷଣର କେନ୍ଦ୍ର ନ କରି ମୁଁ ନିଜେ ଚାଲି ଆସିଲି ।

 

- ଭଲ କଲ । ଟେଲିଫୋନରେ ତିନି ଚାରିଥର କଥା ହବାପରେ ମୋର କିନ୍ତୁ ଅଭିମାନ ହୋଇଥିଲା, ତୁମେ ପାଖକୁ ନ ଆସି ଟେଲିଫୋନରେ କାମ ସାରିଦେଉଛ ବୋଲି ।

 

- ତୁମେ ମୋ ଝିଅର କେଶ ଇମିତି ସୁନ୍ଦର ଭାବରେ ସଜେଇ ଦେଇଛି ଯେ ସେ ପ୍ରତିଦିନ ତୁମ କଥା କହେ ।

 

- ସମ୍ପୂର୍ଣ୍ଣ ଭଲ ଝିଅଟିଏ । ସରଳ । ଦେଖିବାଭଳି ରୂପ ।

- ହଁ, ଫାଷ୍ଟଇଅରରେ ପଢ଼ୁଚି...

- ତୁମ ଶ୍ରୀମତୀଙ୍କୁ ଦିନେ ଆଣୁନ ?

- ସେଇ ତ ସମସ୍ୟା । ସେ ପୂଜାପାଠ ନେଇ ବ୍ୟସ୍ତ ।

- ତୁମକୁ ଉପରକୁ ଉଠେଇବା ଲାଗି ମନ୍ତ୍ର ସାଧୁଚନ୍ତି ବୋଧହୁଏ ?

- ତାଙ୍କଦ୍ୱାରା ଯଦି ସେପରି କିଛି ହୁଅନ୍ତା ମୁଁ ଆହୁରି ଉପରକୁ ଉଠନ୍ତି... ।

- କାହିଁକି- ତାଙ୍କୁ କହୁନ କଅଣ କରିବାକୁ ହେବ... ?

- ବଡ଼ କଞ୍ଜରଭେଟିଭ... ।

- ଓଃ ଆଇ ସି.... ।

 

ନବକିଶୋର ସୁହାସିନୀଙ୍କୁ ଯେତିକି ଦେଖୁଥିଲେ ତାଙ୍କର ଅଙ୍ଗଲାବଣ୍ୟ ସେତିକି ଲୋଭନୀୟ ଦିଶୁଥିଲା ତାଙ୍କୁ । ପ୍ରଭାସିନୀ ବୁଢ଼ୀ ହୋଇଗଲେଣି । ଅଥଚ ତାଙ୍କରି ବୟସର ଆଉଜଣେ ମହିଳାଙ୍କର ବୟସ ନ ବଢ଼ି ବ୍ଲାଉଜ ତଳେ ଚିପିହୋଇ ରହିଚି ।

 

ସୁହାସିନୀ କହିଲେ, ଭିତରକୁ ଚାଲ...

 

ନବକିଶୋର ଆଶ୍ଚର୍ଯ୍ୟ ହୋଇ କହିଲେ - ଇଏତ ତୁମ ଚେମ୍ବର...ଆହୁରି ଭିତରେ ଘର ଅଛି ?

 

ସୁହାସିନୀ କହିଲେ, ତୁମେ ଭି.ଆଇ.ପି. ଗେଷ୍ଟ୍‍ । ସବୁଦିନ ତ ଆସନି, ଆଜି ଆସିଚ ଯେତେବେଳେ ଦେଖିଯିବନି ସବୁ !

 

ନବକିଶୋର କହିଲେ, ତା’ ଆଗରୁ ଯେଉଁ ଉଦ୍ଦେଶ୍ୟ ନେଇ ଆସିଥିଲି ତାହା ତ କୁହା ହେଲାନି ଏଯାଏ...

 

- ସଂକୋଚ ନ କରି କହିଯାଅ ।

- ତୁମର ସାହାଯ୍ୟ ପାଇଁ ଆସିଚି ।

- ମୁଁ ଭାଗ୍ୟବତୀ ନିଶ୍ଚୟ... ।

- ତୁମେ ସହଯୋଗ ନ କଲେ ସେ କାମ ହେବାର ଆଶା ନାହିଁ ।

- କୁହ...

ନବକିଶୋର କହିଲେ ସେଇ ଆଗକଥା ।

 

ଉପରକୁ ଉଠିବା ଏଡ଼େ ସହଜ ନୁହେଁ । ସେଠାରେ ସ୍ଥାନ ମାଡ଼ି ବସିଚି ଆଉ ଜଣେ । ତାକୁ ଅନ୍ତର ନ କଲେ ଆଉ ଜଣେ ସେଠାକୁ ଯିବ ବା କିପରି ? ସ୍ଥାନ ତ ଜଣକ ପାଇଁ ଅଛି କେବଳ । ଏକ ନମ୍ବରଙ୍କ କଥା କହୁଚି..... ।

 

- ମୋ ଦେଇ କଅଣ ହୋଇପାରିବ କୁହ ।

- ତୁମ ସହିତ ଚିହ୍ନାପରିଚୟ ନାହିଁ ତାଙ୍କର ?

 

- ନା, ଆମେ ଛୋଟ ଛୋଟ ମଣିଷ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ଯାହା, ବଡ଼ଲୋକଙ୍କୁ ଆଶା କରିବା ସେୟା ।

 

- ତୁମେ ଡାକିଲେ ସେ ଆସିବେ, ମନା କରିପାରିବେ ନାହିଁ ।

- କିଛି କାମ ନ ଥାଇ ଆସିବେ କିପରି ? ଡାକିବି କିପରି ?

 

- ମୁଁ ସେଇ ଉପାୟ କହୁଛି ଶୁଣ । ବିଉଟି ପାର୍ଲରକୁ ଲାଗି ଯୋଉ ଏକସଟେସନ୍ ତିଆରି ହୋଇଚି, ସେଇଠି ଫେମିଲି ଉଏଲଫେଆର ସେଣ୍ଟର୍ ଖୋଲିବ ବୋଲି ଶୁଣିଚି ମୁଁ... ।

 

- ହଁ, ପରିବାର କଲ୍ୟାଣ କେନ୍ଦ୍ରଟିଏ ଖୋଲିଲେ ମହିଳାମାନଙ୍କର ଅନେକ ଉପକାର ହେବ ।

- କଲ୍ୟାଣ କେନ୍ଦ୍ରର ଉଦ୍‌ଘାଟନ ଉତ୍ସବ କରିବ ନାହିଁ ?

- ଭାବିନି ତ ସେ ବିଷୟରେ... !

- ତାଙ୍କୁ ଡାକ । ମୁଖ୍ୟ ସେ । ତାଙ୍କୁ ହାତରେ ରଖିଲେ କାମ ହେବ ।

- ମୋ ଫାଇଲ୍ ତ ତାଙ୍କରି ପାଖରେ ଅଟକି ଯାଇଚି କହୁଥିଲ ।

- ସେଇକଥା କହିବାକୁ ଆସିଚି... ।

- କଅଣ କରିବା କୁହ.. ।

 

- ତାଙ୍କୁ ନିମନ୍ତ୍ରଣ କର । ତାଙ୍କୁ ରାଜି କରାଇବା ମୋର ଦାୟିତ୍ୱ । ସେ ଉଦ୍‌ଘାଟନ କରିବା ପରେ ଠିକ୍ ହୋଇଯିବ.... ।

 

- ମୁଁ ରାଜି ।

 

- ତୁମପରି ଗୁଣବତୀ କେତେଜଣ ଅଛନ୍ତି ଓଡ଼ିଶାରେ ? ତୁମଠାରୁ ସୋସିଆଲ ସର୍ଭିସ ବୋର୍ଡ଼ର ଚେୟାରମ୍ୟାନ ହେବାପାଇଁ ଆଉ କିଏ ବେଶୀ ଉପଯୁକ୍ତ ?

 

- ମୋ କଥା ମୁଁ କହିପାରିବି ନାହିଁ... ।

- ମୁଁ କହିବି ତୁମ କଥା ତୁମେ କହିବ ମୋ କଥା ।

- କଅଣ କିପରି କରିବାକୁ ହେବ କୁହ ।

 

- ମୁଁ କଅଣ ଉପମନ୍ତ୍ରୀ ରହିଥିବି ସବୁଦିନ । କ୍ୟାବିନେଟ ରାଙ୍କ ନ ପାଇଲେ ବଡ଼ ବଡ଼ ଦାୟିତ୍ୱ ହାତକୁ ଆସିବ ନାହିଁ ।

 

- ତୁମର ଯୋଗ୍ୟତା ଅଛି ।

- କିନ୍ତୁ ମୁଖ୍ୟଙ୍କୁ ସେ କଥା କହିବାକୁ ହେବ ।

- ସପ୍ଲାଇ କିମ୍ବା ଶିଳ୍ପ ବିଭାଗର ଦାୟିତ୍ୱ ନେଲେ ଭଲ ହୁଅନ୍ତା ।

-ହଁ ! ତାହା ନ ହେଲେ କମର୍ସିଆଲ ଟ୍ୟାକସ୍, ପୂର୍ତ୍ତ କିମ୍ବା ପାଓ୍ୱାର... ।

- ହଁ, ହଁ, ଏତେ ଭଲ ଭଲ ଡିପାର୍ଟମେଣ୍ଟ ଥାଉ ଥାଉ ଶ୍ରମ ଓ ନିଯୁକ୍ତିରେ ରହିଯାଇଚ ତୁମେ ।

- ଆଉ ଗୋଟେ କଥା...

- କୁହ ।

 

-ସୁବିଧା ପାଇଲେ ତୁମ ଲୋନ୍ କଥା ବି କହିବ । କର୍ପୋରେସନ୍ ଅଟକାଇ ରଖିଚି । ସେ କହିଦେଲେ ହୋଇଯିବ ।

 

- ତୁମେ ପାରୁନ ?

 

- ପାରିବା ନ ପାରିବା ପଡ଼ିନି । ତୁମେ ପଚିଶ ଲକ୍ଷ ଲୋନ୍ ମାଗିଛ । ସେ ଯେ ଏମ.ଡି. ଅଛି...ସେ ଶଳା ନିଏନି କି ଦିଏନି ଅଯୋଗ୍ୟ ଅପଦାର୍ଥଟିଏ...ମାଇଚିଆଟା... ।

 

- ହଉ ଠିକ୍ ଅଛି । ମୁଁ କାଲି ନିମନ୍ତ୍ରଣ ପଠେଇବି । ତା’ପରେ ଆଉ ଯାହା କରିବା କଥା ତୁମେ କରିବ ।

 

- ନିଶ୍ଚୟ, ମୋ ଉପରେ ଭରସା ରଖ । ୟାଙ୍କର ବି ମୁଦ୍ରାଦୋଷ ଅଛି - ନେଇ ଜାଣି ଥୋଇ ଜାଣିଲେ କଚେ ବାଆର... ।

 

ହସିଲେ ସୁହାସିନୀ । ସବୁ ପୁରୁଷସିଂହଙ୍କୁ ଚିହ୍ନନ୍ତି ସେ । କଥା କହିବାରେ ବାଚସ୍ପତି । କିନ୍ତୁ ଥରେ ନାରୀଟିଏ ଦେଖିଲେ ତାଳୁ ଶୁଖିଯାଏ- ମୁହଁଦେଇ କଥା ବାହାରେ ନାହିଁ ।

 

ନବକିଶୋରଙ୍କୁ ହାତ କରି ଅନେକ ଫାଇଦା ଉଠେଇଛନ୍ତି ସେ । ତାଙ୍କରି କୃପାଦୃଷ୍ଟି ପଡ଼ି ନ ଥିଲେ ପୁଲିସ୍‍ ହଇରାଣ କରିଥାଆନ୍ତେ ତାଙ୍କୁ । ବ୍ଲୁ ଫିଲ୍ମ ସେ ଏକା ରଖି ନାହାନ୍ତି କି ଏକା ଏକପତ୍ନୀବ୍ରତ ପାଳୁଥିବା ପାଜିଟା କୌଣସି କଥା ନ ଶୁଣି ଲାଗିଥିଲା ତାଙ୍କ ପଛରେ । ଭାଗ୍ୟକୁ ନବକିଶୋର ଯଦି ମନ୍ତ୍ରୀ ହୋଇ ନ ଥାନ୍ତେ ଏତେବେଳକୁ ଦୋକାନ ବନ୍ଦ କରି ସାରିଥାଆନ୍ତେ ସୁହାସିନୀ ।

 

ନବକିଶୋରଙ୍କର ବୁଦ୍ଧି ଅଛି । ବିଦ୍ୟା ଅଛି । କହିବାର କାଏଦା ଜାଣନ୍ତି ସେ । କିନ୍ତୁ କୌଶଳ ଜାଣନ୍ତି ନି । ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଜବତ କରି ଶିଖି ନାହାନ୍ତି ।

 

ମାନବ ମହାନ୍ତି ଦଳରେ ଯୋଗଦେବା ପରେ ସମସ୍ତଙ୍କ ସ୍ଥିତି ଟଳମଳ । ସେ ଚତୁରତାରରେ ସମସ୍ତଙ୍କୁ ଟପିଯିବେ ଅନାୟାସରେ । ତଥାପି ଯେତେ ଜଣଙ୍କୁ ପାରନ୍ତି ହାତରେ ରଖିବା ଭଲ । ସମୟ ସେହିପରି । ହାତରେ କ୍ଷମତା ନ ଥିଲେ କ୍ଷମତା ଥିବା ଲୋକ ଅନ୍ତତଃ ହାତରେ ଥିବା ଦରକାର ।

 

ସୁହାସିନୀ ‘ଗୋପନୀୟ କକ୍ଷ’କୁ ଡାକିନେଲେ ନବକିଶୋରଙ୍କୁ । ସ୍ତିମିତ ଆଲୋକ ଲୋଭନୀୟ କରିଥିଲା ପ୍ରକୋଷ୍ଠକୁ ।

 

ଚାରିଆଡ଼େ ରତିଲିପ୍ତ କୋଣାର୍କର ବଡ଼ ବଡ଼ ଛବି ।

ତାଙ୍କୁ ଏକାକୀ ଛାଡ଼ି କିଛି ସମୟ ଅନ୍ୟତ୍ର ରହିଗଲେ ସୁହାସିନୀ ।

ତା’ ପରେ ପାନପାତ୍ର ହାତରେ ଧରି ଭିତରକୁ ପ୍ରବେଶ କଲେ ସେ ।

ନବକିଶୋର କହିଲେ - ଆଜିଯାଏ ଚଳିନି ଏସବୁ... ।

- ବିରାଡ଼ି ବୈଷ୍ଣବ ହୋଇ ରହିଯାଇଚ... ।

- ଆମେ ସବୁ ଶପଥ ନେଇଛୁ ଯେ... ।

 

- ଖାଲି ପାନ କରିବ ନାହିଁ ବୋଲି ଶପଥ ନେଇଚ ନା ସବୁ ପାପ ବର୍ଜନ କରିବ ବୋଲି ଶପଥ ନେଇଚ ନିଅ ଧର ।

 

ନବକିଶୋର ବାଧ୍ୟଛାତ୍ର ପରି ଗୋଟିଏ ଗ୍ଲାସ ଉଠାଇ ନେଲେ । ଶୋଫାରେ ବସିଲେ ଦୁହେଁ ପାଖାପାଖି । ଚିଜ୍ ପକୋଡ଼ା ଏବଂ କଲିଜା ଭଜା ଥିବା ପ୍ଲେଟଟା ତାଙ୍କ ଆଗରେ ରଖିଦେଇ ନିଜ ଗ୍ଲାସ୍‌ଟାକୁ ହାତରେ ଧରି ‘ଚିଅରସ୍’ କହିଲେ ସୁହାସିନୀ ।

 

ନବକିଶୋର ସଂକୋଚ କରି ଓଠ ଭିଜାଇବାବେଳେ ମନେପଡ଼ି ଯାଉଥିଲା ଗାନ୍ଧୀଜୀଙ୍କ ସମାଧି ପୀଠରେ ନେଇଥିବା ଶପଥ । ସେତେବେଳେ ସେ ବିରୋଧୀଦଳର ଜଣେ ଟାଣୁଆ ନେତା-। ସବୁ ବିରୋଧୀଦଳ ମିଶି ଯୁକ୍ତଫ୍ରଣ୍ଟ୍‍ ଗଠନ କରାହୋଇଥାଏ ଶାସକଦଳର ମୁକାବିଲା କରିବା ପାଇଁ । ଯୁକ୍ତଫ୍ରଣ୍ଟ୍‍ର ଭାବମୂର୍ତ୍ତିକୁ ଲୋକପ୍ରିୟ କରିବା ସକାଶେ ସବୁ ନେତାମାନେ ମିଶି ଏକତ୍ର ଶପଥ ନେଇଥିଲେ ଗାନ୍ଧୀସମାଧି ପୀଠରେ ଯେ ସେମାନେ ନିଜର ବା ଦଳର ସ୍ୱାର୍ଥ ଅପେକ୍ଷା ଦେଶର ସମୂହସ୍ୱାର୍ଥକୁ ଆଖି ଆଗରେ ରଖି ନିଷ୍ଠାପର ଭାବରେ ଦେଶର ସେବା କରିବେ । ରାଜନୀତିକୁ କ୍ଷମତାଦଖଲ କରିବାର ଏକ ଅସ୍ତ୍ର ଭାବରେ ବ୍ୟବହାର ନ କରି ଲୋକଙ୍କର ସେବା କରିବାର ଏକ ମାଧ୍ୟମ ଭାବରେ ଗ୍ରହଣ କରିବେ । ମୋଟା ଖାଇବେ । ମୋଟା ପିନ୍ଧିବେ । ମଦ ସ୍ପର୍ଶ କରିବେ ନାହିଁ । ନିର୍ମଳ ଓ ସରଳ ଜୀବନଯାପନ କରିବେ ।

 

ସେହି ଶପଥର ସେତୁବନ୍ଧରେ ଫାଟ ଧରୁଥିଲା ଧୀରେ ଧୀରେ । ଆଜି ସମ୍ପୂର୍ଣ୍ଣ ଭାବରେ ବନ୍ଧ ଭାଙ୍ଗିଗଲା ।

 

ତାଙ୍କର ଲାଜୁଆ ହାତ ଦୁଇଟାକୁ ଆଣି ଛାତି ଉପରେ ରଖିଲେ ସୁହାସିନୀ ।

 

ତାଙ୍କୁ ଭଲ ଲାଗୁଥିଲା ଶିକ୍ଷୟିତ୍ରୀ ହୋଇ ନବକିଶୋରଙ୍କୁ ଅ ଆ ଠାରୁ ଶିଖେଇବା ପାଇଁ-

 

ସେଇ ନଗ୍ନ ଚିତ୍ରଗୁଡ଼ାକ ଦେଖେଇ କହିଲେ ସୁହାସିନୀ - ସେମାନଙ୍କ ମୁହଁରେ, ଆଖିରେ ପରମାନନ୍ଦର ତୃପ୍ତି ଦେଖିପାରୁଛ ?

 

ନବକିଶୋର କିଛି କହିବା ପୂର୍ବରୁ ତାଙ୍କୁ ନିଜ ଉପରକୁ ଟାଣି ନେଇଥିଲେ ସୁହାସିନୀ ।

 

‘ଦିବ୍ୟଧାମ’ ସମ୍ପର୍କରେ କ୍ରମାଗତ ତିନୋଟି ଅଗ୍ରଲେଖା ଗୋଟିଏ ଜାତୀୟ ଦୈନିକ ସମ୍ବାଦପତ୍ରରେ ପ୍ରକାଶ ପାଇବା ପରେ ମନୋଜର ଶତ୍ରୁ ସଂଖ୍ୟା ଅନେକ ବଢ଼ିଗଲା । ପ୍ରାୟ ପ୍ରତିଦିନ ଟେଲିଫୋନରେ ତାକୁ ଧମକ ଚମକ ଦେବା ବ୍ୟତୀତ ସେ ପ୍ରାୟ ବରାବର ବେନାମୀ ଚିଠି ପାଇବାରେ ଲାଗିଚି । କୋଉ ଚିଠିରେ ଧମକ ଦିଆଯାଇଥାଏ ତ ଆଉ କୋଉ ଚିଠିରେ ଅକଥ୍ୟଭାଷାରେ ଗାଳିଗୁଲଜ କରାଯାଇ ତା’ର ସପ୍ତପୁରୁଷଙ୍କ ଉଦ୍ଧାର କରାହୋଇଥାଏ । ଟେଲିଫୋନ୍‍ ବିଭାଗକୁ ଅନେକ ଅନୁରୋଧ କରିବାସତ୍ତ୍ୱେ ସୁଫଳ ନ ଫଳିବାରୁ ନିଜେ କୌଶଳ କରି ଟେଲିଫୋନ୍‍ ବାଜିବାକ୍ଷଣି ସବୁକଥାଭାଷା ଟେପ୍ କରିନବା ପାଇଁ ଏକ ମେକାନିଜିମ୍ ନିଜେ ଲଗାଇଚି ମନୋଜ । ସୁଇଚ ଅଫ୍‍ ଥାଏ । ଅନ୍ କଲେ ଟେପ୍ କାମ କରିବା ଆରମ୍ଭ କରିଦିଏ । ଯେଉଁ କଥା ଟେପ୍‍ କରିବା ଦରକାର ହୁଏ ସେ ସୁଇଚ ଟିପି କଥାଭାଷା ଟେପ୍ କରିନିଏ । ଟେଲିଫୋନ୍‍ ଡିପାର୍ଟମେଣ୍ଟ୍‍ ଟିକେ ସହାୟତା କଲେ କୋଉ ନମ୍ବରରୁ ଟେଲିଫୋନ୍‍ କରାଯାଇଛି ତାହା ଜାଣିବାରେ କିଛି କଷ୍ଟ ହୁଅନ୍ତା ନାହିଁ । କିନ୍ତୁ ସେତକ ସାହାଯ୍ୟ କରିବାକୁ ରାଜି ନାହାଁନ୍ତି କେହି-

 

ମନୋଜ ଜଣେ ଟେଲିଫୋନ୍‍ ଅପରେଟରଙ୍କ ସହିତ ଆଉ ଜଣେ ବନ୍ଧୁଙ୍କ ସହାୟତାରେ ସମ୍ପର୍କ ସ୍ଥାପନକଲା ଅନେକ ଚେଷ୍ଟା ପରେ । ସେହି ବନ୍ଧୁଙ୍କ ଜରିଆରେ ଉତ୍କୋଚ ବି କିଛି ଦେଲା ମନୋଜ । ଅଳ୍ପଦିନପରେ ଟେଲିଫୋନ୍‍ ଅପରେଟର ଆଉ ମଧ୍ୟସ୍ଥଙ୍କ ଜରିଆରେ ନ ଆସି ନିଜେ ଆସିଲେ ।

 

ଦିନେ ହଠାତ୍ ମନୋଜର ଟେଲିଫୋନ୍‍ ଲାଇନ୍ ଅଚଳ ହୋଇଗଲା । ସେ ସବଡିଭିଜନାଲ ଅଫିସରଙ୍କୁ ପଚାରିବାରୁ ସେ ଅଫିସରେ ବୁଝିବାପାଇଁ କହିଲେ । ଅଫିସକୁ ଯିବାରେ ବାବୁ କହିଲେ ଯେ ଟେଲିଫୋନ୍‍ ବିଲ୍ ବାକି ପଡ଼ିଥିବାରୁ ଲାଇନ କାଟି ଦିଆଯାଇଛି । ପ୍ରତିମାସ ବିଲ ପାଇବାକ୍ଷଣି ଟଙ୍କା ଜମା କରିଦିଏ ମନୋଜ । ତଥାପି ଏପରି ଭୁଲ କାହିଁକି ଏବଂ କିପରି ହୁଏ ଜାଣିବାପାଇଁ ସେ ଟେଲିଫୋନ୍‍ ବିଭାଗର କେତେକ କର୍ମଚାରୀଙ୍କ ସହିତ ସମ୍ପର୍କ ସ୍ଥାପନକରି ଅନୁସନ୍ଧାନ କରିବାକୁ ଲାଗିଲା ।

 

ଏହି ସମୟରେ ଟେଲିଫୋନ୍‍ ଅପରେଟର ମଧୁ ନାୟକ ଦିନେ ତା’ ପାଖକୁ ଆସି କହିଲା- ପ୍ରତିମାସ ଟ୍ରଙ୍କଲ ବାବଦରେ ଆପଣ ଏତେ ଟଙ୍କା ଦିଅନ୍ତି କାହିଁକି ? ଆପଣ ଯଦି ଚାହିଁବେ ଅଳ୍ପରେ ହୋଇଯିବ ।

 

ମନୋଜ ଆଶ୍ଚର୍ଯ୍ୟ ହୋଇଗଲା ତା’ କଥାଶୁଣି ।

 

ମଧୁ ନାୟକ ବୁଝେଇଲା ମନୋଜକୁ । ଏଥିରେ ଅନ୍ୟାୟ ନାହିଁ । ଯାହା ଚଳିଗଲାଣି ଲୋକମାନଙ୍କ ମଧ୍ୟରେ ସେଇ ପ୍ରଥାଟିକୁ ଗ୍ରହଣ କରି ନବା ଭଲ । ଯିଏ ସମାଜ ସଂସ୍କାର କରିବାଲାଗି ଠିକାଦାରୀ ନେଇଛି ସିଏ ପାପପୂଣ୍ୟର ବିଚାର କରିବ; କିନ୍ତୁ ସାଧାରଣ ବ୍ୟକ୍ତି ଯାହା ସହଜ, ଯାହା କଲେ ସୁବିଧାରେ କାର୍ଯ୍ୟହାସଲ ହୋଇପାରିବ ତାହାହିଁ କରିବା ଉଚିତ । ନୀତି, ସଂଯମ, ଶୃଙ୍ଖଳା ପୁସ୍ତକର କଥାବସ୍ତୁ ହୋଇ ରହିପାରେ କିନ୍ତୁ ବାସ୍ତବ ଜୀବନରେ ଏହାର ପ୍ରୟୋଜନ ପ୍ରାୟ ନାହିଁ ।

 

ମନୋଜ ବେଳେ ବେଳେ ନିଜର ଜଗତକୁ ଛାଡ଼ି ଏପରି ଏକ ଜଗତରେ ଅବତୀର୍ଣ୍ଣ ହୁଏ ଯେଉଁଠାରେ ସେ ନିଜକୁ ମଧ୍ୟ ନିଜେ ଚିହ୍ନିପାରେନାହିଁ । ସେଠାରେ ତା’ର ଆଦର୍ଶ, ତା’ର ନୀତି, ତା’ର ଶିକ୍ଷା ଅସାର ପ୍ରମାଣିତ ହୁଏ ଏବଂ କେବଳ ଏତିକି ତା’ର ମନେହୁଏ ଯେ ସେ ସମୟ ସ୍ରୋତରେ ବୁଦ୍‌ବୁଦ୍‍ଟିଏ ପରି ଭାସି ଭାସି ଚାଲିଛି । ସେଇ ସ୍ରୋତକୁ ପ୍ରତିହତ କରିବା ପାଇଁ ତା’ର ଶକ୍ତି କିମ୍ବା ସାମର୍ଥ୍ୟ ନାହିଁ ।

 

ମଧୁ ନାୟକଙ୍କୁ କିନ୍ତୁ ସେଦିନ ଅନୁଗୃହୀତ କରି ନ ପାରି ଦୁଃଖ ପ୍ରକାଶ କରିଥିଲା ମନୋଜ ।

 

ଯେଉଁ ନୀତିକୁ ଛାଡ଼ିଲେ ମଣିଷ ଜୀବନର କୌଣସି ମୂଲ୍ୟ ରହିବ ନାହିଁ ତାହା କରିପାରିବ ନାହିଁ ସେ । ଜୀବନ ନୀରର୍ଥକ ନୁହେଁ, ଏହାର ମୂଲ୍ୟ ଅଛି । ଏହି ମୂଲ୍ୟର ସୁରକ୍ଷା ପାଇଁ ପ୍ରତ୍ୟେକଙ୍କୁ ତ୍ୟାଗ କରିବାକୁ ହୁଏ । ଯେଉଁଠାରେ ମୂଲ୍ୟର ସୁରକ୍ଷା ପାଇଁ ତ୍ୟାଗ କରାଯାଏ ନାହିଁ ସେଠାରେ ମୂଲ୍ୟ ରକ୍ଷାହୁଏ ନାହିଁ କିମ୍ବା ମୂଲ୍ୟ ଜୀବନକୁ ଅନୁପ୍ରାଣିତ କରେ ନାହିଁ । ଅବକ୍ଷୟ ସେଇ ସମାଜକୁ ଧ୍ୱଂସ ଆଡ଼କୁ ନେଇଯାଏ ।

 

ମଧୁ ନାୟକ ଫେରିଗଲା ।

କିନ୍ତୁ ତାକୁ ମଧ୍ୟସ୍ଥଙ୍କ ମାଧ୍ୟମରେ ମନୋଜ ଯାହା ଦେଉଥିଲା ସେତକ ବନ୍ଦ କଲା ନାହିଁ ।

 

ପ୍ରକାଶ ଚାକିରିରୁ ବରଖାସ୍ତ ହେବା ପରେ ମନୋଜ ନିଜର ଅନୁସନ୍ଧାନ କାର୍ଯ୍ୟକୁ ଆହୁରି ତୀବ୍ରତର କରୁଥିଲା । ନିଜର ବ୍ୟକ୍ତିଗତ ନିରପତ୍ତା ପ୍ରତି ଦୃଷ୍ଟି ନ ଦେଇ ସେ ଦିନ ରାତି ବିଭିନ୍ନ ସ୍ଥାନ ପରିଦର୍ଶନ କରିବାକୁ ଲାଗିଲା ଏବଂ ବହୁ ଶ୍ରେଣୀର ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କଲା ।

 

‘ଦିବ୍ୟଧାମ’ ଭିତରେ ପ୍ରବେଶ କରି ପ୍ରକାଶ ଯେ କିଛି ଅନ୍ୟାୟ କରିନାହିଁ ଏବଂ କେବଳ ଆଇନ ଅନୁସାରେ କାର୍ଯ୍ୟ କରିଛି ଏହା ପ୍ରମାଣ କରିବା ଉଦ୍ଦେଶ୍ୟରେ ସେ ଶେଷ ଅଗ୍ରଲେଖାଟି ଲେଖିଥିଲା । ସେଥିରେ ସେ ଦର୍ଶାଇଥିଲା ଯେ ଆଶ୍ରମ, ମନ୍ଦିର, ମସଜିଦ୍ ସବୁସ୍ଥାନ ଆଇନର ପରିସରଭୁକ୍ତ । ଆଇନର ହାତ ଅନେକ ଲମ୍ବା । ଯଦି ଆଶ୍ରମ ଭିତରେ ଆଧ୍ୟାତ୍ମିକ ଉତ୍କର୍ଷଣ ଏବଂ ଊର୍ଦ୍ଧ୍ୱଗତି ଅର୍ଜନ କରିବାପାଇଁ ନାରୀ ଓ ପୁରୁଷ ଅବାଧରେ ରମଣ କରନ୍ତି, ପରସ୍ପରକୁ ତାହା ଏକ ଜୀବନ୍ତ କ୍ଷୁଧାର ଉପସମ କରିପାରେ; କିନ୍ତୁ ତାହା ଯେ ପରମାନନ୍ଦ ନୁହେଁ କି ତୃପ୍ତି ନୁହେଁ ଏହାହିଁ ନିଷ୍ଠୁର ସତ୍ୟ । ମଣିଷର ଚିରନ୍ତନ ଉପଲବ୍ଧି ନିଜକୁ ଅନ୍ୱେଷଣ କରି ସୃଷ୍ଟିର ମୂଳ ଉତ୍ସ ସେହି ବାଙ୍‍ମୟ ପରମ ପୁରୁଷଙ୍କ ନିକଟରେ ପହଞ୍ଚିବ । ସେହି ଯାତ୍ରାପଥରେ ନାରୀଧର୍ଷଣ, ଚୋରାକାରବାର, ହିଂସା ଏବଂ ଅଶ୍ଳୀତାର ସ୍ଥାନନାହିଁ ।

 

ଯେଉଁ କଙ୍କାଳ ମିଳିଛି ତାହା ଭଗ୍ନୀ ସୌଦାମିନୀଙ୍କର । ତାଙ୍କୁ କିଏ ଏବଂ କିପରି ଧର୍ଷଣକରି ପରେ ହତ୍ୟାକଲା ସେ ସମ୍ପର୍କରେ ଅଧିକ ତଥ୍ୟ ପ୍ରକାଶ କରିଛି ମନୋଜ ।

 

ପାରାଦୀପ ବନ୍ଦରର ଜଣେ ପଦସ୍ଥ ଅଫିସର କିପରି ବାବା ପ୍ରବୁଦ୍ଧାଚାର୍ଯ୍ୟଙ୍କର ଶିଷ୍ୟ ହେବାପରେ ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷର ଚୋରାକାରବାର ଆରମ୍ଭ ହେଲା ସେ ସମ୍ପର୍କିରେ ପ୍ରାମାଣିକ ତଥ୍ୟ ଦର୍ଶାଇଥିଲା ମନୋଜ । ବମ୍ବେ ଏବଂ ପୁନାରୁ ଫେରିବା ପରେ ବାବା ପ୍ରବୁଦ୍ଧାଚାର୍ଯ୍ୟ କୌଣସି ସୂତ୍ରରୁ ଆଶ୍ରମ ଉପରେ ପୁଲିସ୍‍ ନଜର ରଖିବା ସମ୍ପର୍କରେ ଜାଣି ଉଚ୍ଚ ପୁଲିସ୍‍ ଅଫିସର ଏହାର ଖଣ୍ଡନ କରିବା ସତ୍ତ୍ୱେ ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ସୁନା ଏବଂ କେତେକ ମୂଲ୍ୟବାନ ପଥରକୁ ଓ୍ୱାଟର ପ୍ରୁଫ୍, ଫାୟେର ପ୍ରୁଫ୍ ଷ୍ଟିଲ ବାକ୍ସରେ ଭର୍ତ୍ତିକରି କୂଅ ଭିତରେ ରଖିଥିଲେ । ସେ ସ୍ୱପ୍ନରେ ବି ଭାବି ନ ଥିଲେ ଯେ କେହି ଏ ସମ୍ପର୍କରେ ଜାଣିବ ।

 

କିନ୍ତୁ ମଣିଷ ଯେଉଁ ସନ୍ଦେହକୁ ଲୁଚାଇବାପାଇଁ କାମ କରେ ତାହା ଆହୁରି ବଡ଼ ହୋଇ ଅନ୍ୟ ଭାବରେ ପ୍ରକାଶ ପାଏ ସିନା ଅନ୍ତର ହୁଏନାହିଁ । ଯେଉଁଦିନ କୂଅ ଭିତରେ ସେହି ବାକ୍ସ ସବୁ ପକାଇ ଦିଆଯାଇଥିଲା ସେଦିନର ସେଇ ଅତ୍ୟନ୍ତ ଗୋପନୀୟ ଘଟଣାର ସାକ୍ଷୀ କେବଳ ଜଣେ । ସେହି ସାକ୍ଷୀର ନାମ ଅବଶ୍ୟ ସାକ୍ଷୀର ନିରାପତ୍ତା ଦୃଷ୍ଟିରୁ ପ୍ରକାଶ କରି ନ ଥିଲା ମନୋଜ ।

 

କିନ୍ତୁ ଶାଶ୍ୱତୀକୁ ସନ୍ଦେହ କରିବାକୁ ଆରମ୍ଭ କରିଚନ୍ତି ପ୍ରବୁଦ୍ଧାଚାର୍ଯ୍ୟ । ଏତେ ସନ୍ୟାସୀ ଏବଂ ସନ୍ୟାସୀନୀ ଥିବାବେଳେ କାହିଁକି ଯେ ଶାଶ୍ୱତୀ ତାଙ୍କ ମନରେ ସନ୍ଦେହ ସୃଷ୍ଟିର କାରଣ ହେଲା ତାହା ସେ ଜାଣିପାରିନି । ଏ ବିଷୟ ଜାଣିବାପରେ ସେ ମଧ୍ୟ ସତର୍କ ହୋଇଯାଇଚି । ଶାଶ୍ୱତୀକୁ ବିପଦରେ ପକାଇ ତା’ର କିଛି ଲାଭ ହେବନାହିଁ, ବରଂ ଦୁଃଖ ପାଇବ ମନରେ ।

 

ଶଙ୍କର ଦୀର୍ଘଦିନ ଛୁଟି ନେଇ ଆସିବ କହିଚି । ସେ ଥିବା ସମୟରେ ଚେଷ୍ଟା କରି ବି ଶାଶ୍ୱତୀ ତାକୁ ସାକ୍ଷାତ୍‍ କରାଇ ପାରି ନ ଥିଲା । ଦୁହେଁ ଦୁହିଁଙ୍କୁ ଦେଖିଥିଲେ ପରସ୍ପରକୁ କଳନା କରିବାର, ଅନୁଭବ କରିବାର ସୁଯୋଗ ପାଇଥାଆନ୍ତେ । କିନ୍ତୁ ତାହା ହେଲାନାହିଁ । ଯେଉଁଦିନ ନିର୍ଦ୍ଧାରିତ ସମୟରେ ସେ ରିସେପ୍‍ସନକୁ ଫୋନ୍‍ କରିଥିଲା ସେଦିନ ସେହି ସମୟରେ ଶାଶ୍ୱତୀ ସେପାଖରେ ଥିବା ନିଶ୍ଚିତ ଜାଣି ତାକୁ ଶୁଭେଚ୍ଛା ଜଣାଇ ସାରିବାବେଳକୁ ସେପାଖର ନୀରବତା ହଠାତ୍ ଚଞ୍ଚଳ କରିଦେଇଥିଲା ମନୋଜକୁ । ଶାଶ୍ୱତୀ ଏବଂ ହାସ୍ୟମୟୀ ଉଭୟ ତାକୁ ସାବଧାନ କରାଇ କହିଥିଲେ ଯେ ଟେଲିଫୋନରେ ସେମାନେ ଥିବା ନିଶ୍ଚିତ ନ ହେବା ପର୍ଯ୍ୟନ୍ତ କିଛି କହିବ ନାହିଁ କିମ୍ବା ସନ୍ଦେହ ସୃଷ୍ଟି କରିବା ଭଳି ଉଚ୍ଚାରଣ କରିବ ନାହିଁ । ଟିକେ ଭୁଲ ହୋଇଯାଇଥିଲା ସେଦିନ । ଶାଶ୍ୱତୀ ସେପାଖରେ ଥିବା ଧରି ନେଇ ସେ ଖୁସିହୋଇ ଯେପରି ଭାବରେ କହିଲା ସେପରି ଭାବରେ ଯେ ଆଶ୍ରମର ଜଣେ ଭଗ୍ନୀଙ୍କୁ ବାହାରର ଜଣେ ଲୋକ କହିବା ନିଷିଦ୍ଧ, ତାହା ସେତିକିବେଳେ ସ୍ମରଣ ହେଲା ମନୋଜର ଯେତେବେଳେ ସେପାଖର ସ୍ୱର ଶାଶ୍ୱତୀର ସ୍ୱରଠାରୁ ଭିନ୍ନ ଶୁଣାଗଲା । ତଥାପି ସେ ଭାବୁଥିଲା ଯେ ସେ ଶାଶ୍ୱତୀ... ।

 

ଶାଶ୍ୱତୀ ନାମ ଆଶ୍ରମର ନାମ ନୁହେଁ ।

ଆଶ୍ରମରେ ସେ ଭଗ୍ନୀ ଶୁଭାର୍ଥିନୀ ନାମରେ ପରିଚିତା ।

 

ଟେଲିଫୋନ୍‍ର ସ୍ୱର ଶାଶ୍ୱତୀର ସ୍ୱର ହୋଇ ନ ପାରେ ଏହା ଭାବି ସେହିଠାରେ ଲାଇନ କାଟିଦେବା ପାଇଁ ରିସିଭରଟାକୁ ରଖିଦେଇଥିଲା । କିନ୍ତୁ ସେତେବେଳକୁ ସେପାଖରେ ଯିଏ ଥିଲେ ସେ ଯେ ଶାଶ୍ୱତୀକୁ ସନ୍ଦେହ କରିବାକୁ ଆରମ୍ଭ କରିଥିବେ ଏହା ତ ଦିବାଲୋକ ପରି ସ୍ପଷ୍ଟ । ଶୁଭାର୍ଥିନୀ ନାମଟା ହଠାତ୍ ମନେ ନ ପଡ଼ିବାରୁ ଶାଶ୍ୱତୀର ନାମ ବାହାରି ପଡ଼ିଥିଲା ତୁଣ୍ଡରୁ ।

 

ଶୁଭ ହେଉ ଶୁଭାର୍ଥିନୀଙ୍କର ।

ଭଗବାନ ମଙ୍ଗଳ କରନ୍ତୁ ।

 

କିନ୍ତୁ ଯଦି ସନ୍ଦେହ ଘନୀଭୂତ ହୁଏ, ଯଦି ଶାଶ୍ୱତୀକୁ ସନ୍ଦେହ କରନ୍ତି ସେମାନେ, ତା’ହେଲେ ହୁଏତ ଚିରଦିନ ପାଇଁ ତାକୁ ଅନ୍ତର କରିଦେବେ ଆଶ୍ରମରୁ ।

 

ଶଙ୍କରଟା ସବୁ ଜାଣି ବି ଚୁପ୍ ହୋଇ ବସି ରହିବା ଉଚିତ ହୋଇନି । କିଛି ଗୋପନ ନ କରି ସବୁ କହି ଦେଇଚି ଶାଶ୍ୱତୀ । ତାକୁ ଗ୍ରହଣ କଲେ ଶଙ୍କର ଏବଂ ଶାଶ୍ୱତୀ ଉଭୟ ସୁଖୀହେବେ, ଭଙ୍ଗା ସଂସାରଟି ପୁଣି ହସଖୁସିରେ ଭରି ଉଠିବ ।

 

ଶାଶ୍ୱତୀ ଆଉ ବେଶୀଦିନ ଆଶ୍ରମରେ ରହିଲେ ବିପଦର ସମ୍ମୁଖୀନ ହେବା ବିଚିତ୍ର ନୁହେଁ । ବାବା ପ୍ରବୃଦ୍ଧାଚାର୍ଯ୍ୟ କେବଳ ପୋଖତ ଲୋକ ନୁହଁନ୍ତି ଭୀଷଣ ଚତୁର । ସମସ୍ତଙ୍କର ଗତିବିଧି ଉପରେ ଶ୍ୱେନ ଦୃଷ୍ଟି ସର୍ବଦା ଜାଗ୍ରତ । ଯେପରି ଗୁପ୍ତଚର ଉପରେ ଦୃଷ୍ଟି ରଖିବା ସକାଶେ ଆଉ ଜଣେ ଗୁପ୍ତଚରକୁ ନିଯୁକ୍ତ କରାଯାଏ ଏବଂ ସେ ଦୁହିଁଙ୍କୁ ଜଗୁଥିବା ଲୋକ ଉପରେ ଆଉ ଜଣେ ଦୃଷ୍ଟି ରଖେ, ବାବାଙ୍କର ବ୍ୟବସ୍ଥା ମଧ୍ୟ ଠିକ୍ ସେହିପରି । ଇଣ୍ଟେଲିଜେନ୍ସ ଏବଂ କାଉଣ୍ଟର ଇଣ୍ଟେଲିଜେନ୍ସ ବ୍ୟବସ୍ଥାର ସ୍ୱଂୟ ସେ ନିଜେ ତତ୍ତ୍ୱବଧାନ କରନ୍ତି ।

 

ଯଦି ସାମାନ୍ୟତମ ସନ୍ଦେହ ସୃଷ୍ଟି ହୋଇଥାଏ ଆଶ୍ରମରେ ଶାଶ୍ୱତୀ ହୁଏତ ଗୃହବନ୍ଦିନୀ ହୋଇ ରହିଥିବ ।

 

ଏଇ ଗୃହବନ୍ଦୀ ଅବସ୍ଥା ଅତ୍ୟନ୍ତ କଷ୍ଟକର । ବଳି ପଡ଼ିବା ପୂର୍ବରୁ ଛାଗ ଯେପରି ମୃତ୍ୟୁକୁ ଅପେକ୍ଷା କରେ ଠିକ୍ ସେହିପରି ଗୃହବନ୍ଦୀ ବା ଗୃହବନ୍ଦୀନୀର ଅବସ୍ଥା ।

 

ନିଜର ଦୋଷପାଇଁ ନିଜକୁ ଧିକାର କଲା ମନୋଜ । ଶାଶ୍ୱତୀର ସନ୍ଧାନ ପାଇବା କ୍ଷଣି ଶଙ୍କର ତାକୁ ଉଦ୍ଧାର କରି ଆଣିବ ଏହା ଆଶା କରିଥିଲା ମନୋଜ । କିନ୍ତୁ ସେଦିନ ରାତି ଦୁଇଟା ପର୍ଯ୍ୟନ୍ତ ଦୁଇ ବନ୍ଧୁଙ୍କ ମଧ୍ୟରେ ଆଲୋଚନା ହବା ପରେ ବି ଏ ବିଷୟରେ ନିଶ୍ଚିତ ଭାବରେ କିଛି କହିପାରି ନ ଥିଲା ଶଙ୍କର । ବରଂ ତାର ଭାବଭଙ୍ଗୀରୁ ମନୋଜ ଏତିକି ବୁଝିଥିଲା ଯେ ସେ ମାନସିକ ଦ୍ୱନ୍ଦ୍ୱରେ ପଡ଼ିଛି ଏବଂ ସେଥିରୁ ଉଦ୍ଧାର ପାଇବାପାଇଁ ନିଜ ଭିତରେ ଲଢ଼େଇ ଆରମ୍ଭ କରିଦେଇଛି । ସେଥିପାଇଁ ତାକୁ ହଠାତ୍ କିଛି ଗୋଟେ ନିଷ୍ଫତ୍ତି କରିବାଲାଗି ବାଧ୍ୟ କରି ନ ଥିଲା ମନୋଜ, ବରଂ ତାକୁ ଭାବିଚିନ୍ତି କିଛି ଗୋଟେ ସ୍ଥିର କରିବା ସକାଶେ ପରାମର୍ଶ ଦେଇଥିଲା ।

 

ଶଙ୍କର କ୍ଲାନ୍ତ ଜଣାପଡ଼ୁଥିଲା । ହୁଏତ ମାନସିକ ଦୁଶ୍ଚିନ୍ତା ଏବଂ ଉଦ୍‌ବେଗ ଏହାର ପ୍ରଧାନ କାରଣ ହୋଇପାରେ । ତାକୁ ଶୋଇବାକୁ କହି ମନୋଜ ଶୋଇ ପଡ଼ିଥିଲା । କିନ୍ତୁ ପ୍ରାୟ ସାଢ଼େ ଦଶଟା ସମୟରେ ସେ ଉଠି ବାଥ୍ ରୁମ୍‌କୁ ଯିବାବେଳେ ଦେଖିଲେ ଯେ ଶଙ୍କର ଶୋଇନାହିଁ, କଡ଼ ଲେଉଟାଉଛି ।

 

ମନୋଜ ବାଥ୍‌ରୁମ୍‌ରୁ ଫେରି ତା’ ପାଖରେ ବସି ତା’ ପିଠି ଆଉଁସି ଶୋଇ ପଡ଼ିବାଲାଗି କହିଥିଲା ତାକୁ । ଶଙ୍କର କୌଣସି ଉତ୍ତର ଦେଇ ନ ଥିଲା, ବରଂ ତାର ଦୀର୍ଘ ନିଃଶ୍ୱାସର ସ୍ପଷ୍ଟ ଶୁଣି ପାରିଥିଲା ମନୋଜ ।

 

ଶଙ୍କରକୁ ଦୀର୍ଘଦିନ ଛୁଟି ନେଇ ଆସିବାପାଇଁ ଅନୁରୋଧ କରିଥିଲା ସେ ।

 

ଶାଶ୍ୱତୀ ସମ୍ପର୍କରେ ଶଙ୍କର ସିଦ୍ଧାନ୍ତ ଶୀଘ୍ର ନବା ଉଚିତ ହେବ । ଆଉ ବିଳମ୍ବ କରିବା ଉଚିତ ହେବନାହିଁ । କେଉଁ ମୁହୂର୍ତ୍ତରେ ଯେ ସର୍ବନାଶ ଘଟିଯାଇ ପାରେ ଏହା କହିବା କଷ୍ଟକର ।

 

ଶାଶ୍ୱତୀର ସାମନ୍ୟ ମାନସିକ ଦୁର୍ବଳତା ଯୋଗୁ ଅସାମାଜିକ ଲୋକଙ୍କର ହାବୁଡ଼ରେ ପଡ଼ି ଯାଇଥିଲା ସେ । ପରମାନନ୍ଦ ପ୍ରାପ୍ତିର ଅଭିଳାଷ ସେତେବେଳେ ତରୁଣ ଓ ତରୁଣୀମାନଙ୍କ ମନକୁ ଅଫିମର ନିଶାପରି ବିହ୍ୱଳ କରି ରଖିଥାଏ । ସେଇ ଅଶୁଭ ଲଗ୍ନରେ ସେ ଯଦି ଘର ଛାଡ଼ି ବାହାରି ଆସି ନ ଥାନ୍ତା ଏତେବଳକୁ ଆନନ୍ଦରେ ଉଛୁଳି ଉଠୁଥାଆନ୍ତା ଶଙ୍କରର ସଂସାର ।

 

ଯାହା ହେବାର ହୋଇଯାଇଚି । ମହାନଦୀରେ ବହି ଯାଇଥିବା ପାଣି ଆଉ ଫେରିଆସିବ ନାହିଁ ।

 

ହାସ୍ୟମୟୀ ବି ଆଶ୍ରମ ସମ୍ପର୍କରେ କିମ୍ବା ନିଜ ସମ୍ପର୍କରେ କୌଣସି ଖବର ଦେଇ ନାହାନ୍ତି । ପୁତ୍ରେଷ୍ଟି ଯଜ୍ଞପରେ ପ୍ରକାଶ ଆଶ୍ରମ ଉପରେ ଚଢ଼ଉ କରିଥିଲା । ତା’ ପରେ ଆଉ କୌଣସି ସମ୍ବାଦ ପାଇନାହିଁ ସେ । ତା’ ପୂର୍ବରୁ ଯେଉଁ ସମ୍ବାଦ ସଂଗ୍ରହ କରିଥିଲା ପ୍ରକାଶ, ପ୍ରମାଣ ପାଇଥିବା ତଥ୍ୟ ତା’ର ପୁଷ୍ଟିକରଣ ମାତ୍ର କରୁଥିଲା । ମନୋଜ ଇଚ୍ଛାକରି ଯାଇନି ଆଶ୍ରମରେ ବା ହାସ୍ୟମୟୀଙ୍କ ସହିତ ସଂଯୋଗ ରକ୍ଷା କରିବାକୁ ଚେଷ୍ଟା ମଧ୍ୟ କରିନି । କାରଣ ସେ ଜାଣିଥିଲା ଯେ ସେପରି ଚେଷ୍ଟା ନିଷ୍ଫଳ ହେବ । ଆଶ୍ରମକୁ ଯିବା ଏବଂ ଆଶ୍ରମରୁ ଆସିବା ଉପରେ ଅନେକ କଟକଣା ଲାଗୁ ହୋଇଥିଲା ଏ ଭିତରେ । କେତେଜଣ ଚାକରଙ୍କୁ ସନ୍ଦେହ କରି ଚାକିରିରୁ ଅନ୍ତର କରିଥିଲେ ଆଶ୍ରମ କର୍ତ୍ତୃପକ୍ଷ ।

 

କିଏ ଜାଣେ ଶାଶ୍ୱତୀର କଅଣ ହେବ ?

 

ସାମାନ୍ୟମାତ୍ର ସନ୍ଦେହର ସ୍ଥାନ ନାହିଁ ଆଶ୍ରମରେ । ସନ୍ଦେହାତୀତ ବିଶ୍ୱସ୍ତତା ନ ଥାଇ ସେଠାରେ ରହିଲେ ମୃତ୍ୟୁବରଣ କରିବାକୁ ହୁଏ । ଚମକି ପଡ଼ିଲା ମନୋଜ । ଶଙ୍କର ଯଦି ନିଷ୍ଫତ୍ତି ନେଇଥାଆନ୍ତା ଶାଶ୍ୱତୀକୁ ଉଦ୍ଧାର କରିବାପାଇଁ ଏତେ ଦୁର୍ଭାବନାରେ ପଡ଼ିବାକୁ ହୁଅନ୍ତା ନାହିଁ ।

 

ଯେତେଶୀଘ୍ର ପାରେ ଆସିବାପାଇଁ ଶଙ୍କର ପାଖକୁ ଟେଲିଗ୍ରାମ କରି ହାସ୍ୟମୟୀଙ୍କ ସମ୍ପର୍କରେ ଅଧିକ ଖବର ସଂଗ୍ରହ କରିବାପାଇଁ ବାହାରି ପଡ଼ିଲା ମନୋଜ ।

 

‘ଦିବ୍ୟଧାମ’ ସହିତ ସମ୍ପର୍କ ଥିବା ଲୋକଟିଏ ବାହାର କରିବାକୁ ହେବ ।

 

ସେଇ ଚିନ୍ତା ମନକୁ ଆଚ୍ଛନ୍ନ କରି ରଖିଥିବାବେଳେ ତାର ହଠାତ୍‌ ମନେପଡ଼ିଗଲା ରାଜଧାନୀର ଫ୍ଲାଓ୍ୱାରିଷ୍ଟ ନବେନ୍ଦୁ ସରକାର । ନବେନ୍ଦୁ ସରକାର ବଙ୍ଗଳା ଦେଶର ଲୋକ । ପୂର୍ବ ପାକିସ୍ଥାନ ବଙ୍ଗଳାଦେଶରେ ପରିଣତ ହେବା ପୂର୍ବରୁ ଯେଉଁ ଗଣଯୁଦ୍ଧ ଚାଲିଲା ସେତିକିବେଳେ ଛାଡ଼ି ପଳେଇ ଆସିଥିଲା ସେ । ସେଇଦିନୁ ରହିଯାଇଚି, ଆଉ ଫେରି ଯାଇନି । ଭୁବନେଶ୍ୱରକୁ ନିଜର କର୍ମସ୍ଥଳୀରେ ପରିଣତ କରି ଫୁଲ ସଜେଇବା କାମ କରି ଚଳିଯାଉଚି ନବେନ୍ଦୁ ।

 

ନବେନ୍ଦୁ ସରକାର କେତେଗୁଡ଼ା ଫୁଲତୋଡ଼ା ପ୍ରସ୍ତୁତ କରି ସୋ କେସ୍‌ ଭିତରେ ରଖି ଗୋଟେ ଗୋଟେ ଲମ୍ବା ମାଳ ପ୍ରସ୍ତୁତ କରୁଥିଲା । ସେ ଏଡ଼େ ମନଯୋଗ ସହକାରେ ସେଇ କାମ କରୁଥିଲା ଯେ ମନୋଜର ଉପସ୍ଥିତ ଆଦୌ ଜାଣିପାରିଲା ନାହିଁ ।

 

ଦଶବର୍ଷ ମଧ୍ୟରେ ଅନେକ ଉନ୍ନତି ହୋଇଚି ନବେନ୍ଦୁର । ସେ ଯେଉଁ କେବିନଟି ଭଡ଼ାରେ ନେଇଥିଲା ପ୍ରଥମେ ସେଠାରୁ ଆଉ ଗୋଟେ ନୂଆ ଜାଗାକୁ ଉଠି ଆସିଚି ପାଞ୍ଚବର୍ଷ ହେବ-। ଜନପଥ ପ୍ରଥମେ ସେଠାରୁ ଆଉ ଗୋଟେ ନୂଆ ଜାଗାକୁ ଉଠି ଆସିଚି ପାଞ୍ଚବର୍ଷ ହେବ । ଜନପଥ ଉପରେ ଗୋଟିଏ କୋଠରୀ, ଷ୍ଟେସନ ସ୍କୋୟାର ପାଖରେ । ସେଇ କୋଠରୀ ଭିତରେ ନାନାଜାତି, ନାନା ବର୍ଣ୍ଣର ଫୁଲ ଦେଖିବାକୁ ମିଳେ । ଓଡ଼ିଶାରେ ଫୁଲ ଚାଷ ବ୍ୟବସାୟରେ ପରିଣତ ହୋଇନି ଏଯାଏ । ସେଥି ସକାଶେ ସେ ଫୁଲ ଆଣେ କଲିକତାରୁ । ପ୍ରାୟ ପ୍ରତିଦିନ ସଜ ଫୁଲର ଝୁଡ଼ି ପାର୍ଶଲରେ ଆସେ ପୁରୀ ଏକ୍‌ସପ୍ରେସ୍‌ରେ ।

 

ନବେନ୍ଦୁ ମୁହଁ ଟେକିବାକ୍ଷଣି ମନୋଜକୁ ଆଗରେ ଛିଡ଼ା ହୋଇଥିବାର ଦେଖି କହିଲା, ସଜ ରଜନୀଗନ୍ଧା ଆସିଚି ଆଜି । ଦେବି ?

 

ମନୋଜ ଫୁଲ ନବାପାଇଁ ଆସି ନ ଥିଲା । ଫୁଲ ତା’ର ଅତି ପ୍ରିୟ ହେଲେ ବି ଫୁଲ କିଣିବାପାଇଁ ମନ ନ ଥିଲା ଆଜି । ତଥାପି ନବେନ୍ଦୁକୁ କହିଲା ସେ, ରଜନୀଗନ୍ଧାରୁ ଗୋଛାଏ ଦିଅ ନବେନ୍ଦୁ ।

 

ନବେନ୍ଦୁ ମନକୁ ମନ କହିଲା, ଆଶ୍ରମରେ ଏତେ ଫୁଲ କିନ୍ତୁ ତଥାପି ନିଅଣ୍ଟ । ଏଇ ବଡ଼ ମାଳଟା ଏଇନେ ହାତରେ ଧରି ଯିବାକୁ ହେବ ।

 

ମନୋଜ କହିଲା, ଆଉ ଆଶ୍ରମର ଖବର କଅଣ ?

 

- ମିଛ ଗୁଜବ ଶୁଣି ଶୁଣି କାନ ବଧିର ହୋଇ ଗଲାଣି ବାବୁ । ମୁଁ ପ୍ରତିଦିନ ନ ହେଲେ ବି ପ୍ରତି ସପ୍ତାହରେ ତ ଯାଏ ଆଶ୍ରମକୁ । ସବୁତ ଦେଖୁଚି ନିଜ ଆଖିରେ....

 

- ମିଛ ଗୁଜବ କଅଣ ଶୁଣିଲ ?

- ବାବା କୁଆଡ଼େ ଷୋଳ ସହସ୍ର ଗୋପାଙ୍ଗନାଙ୍କୁ ଧରି ଲୀଳା କରନ୍ତି ଆଶ୍ରମରେ ।

- ଷୋଳ ସହସ୍ର ସଂଖ୍ୟାଟା ମିଛ । କିନ୍ତୁ ଷୋହଳ ଜଣ ଥିବେ ନିଶ୍ଚୟ ଆଶ୍ରମରେ ... ।

 

- ଅଛନ୍ତି...କିନ୍ତୁ ବାବାଙ୍କୁ ନିନ୍ଦା କରିବା ପୂର୍ବରୁ ତାଙ୍କ ସମ୍ପର୍କରେ, ତାଙ୍କ ପ୍ରଦର୍ଶିତ ପରମାନନ୍ଦ ମାର୍ଗ ସମ୍ପର୍କରେ ଜାଣିବା ଦରକାର । ପରମାନନ୍ଦ ତ ଈଶ୍ୱରଙ୍କଠାରେ ନିବେଦିତ ।

 

- ମାନୁଚି । କିନ୍ତୁ ସାଧାରଣ ଲୋକ ସନ୍ଦେହ କରନ୍ତି ।

- ନିନ୍ଦୁକମାନେ ଶ୍ରୀକୃଷ୍ଣଙ୍କୁ ବି ପରକୀୟା ପ୍ରେମର ରସରାଜ ବୋଲି କହନ୍ତି... ।

- ଶ୍ରୀକୃଷ୍ଣ ଗୋଟିଏ ଯୁଗର ନୁହଁନ୍ତି... ସବୁଯୁଗରେ ଅବତୀର୍ଣ୍ଣ ହୁଅନ୍ତି... ।

ସେଇକଥା କହୁଥିଲି ବାବୁ । ବାବା କୃଷ୍ଣାବତାର ନେଇ ଜନ୍ମଗ୍ରହଣ କରିଛନ୍ତି... ।

- ଶୁଣିଲି ଭଗ୍ନୀ ଶୁଭାର୍ଥନୀ ଆଉ ନାହାଁନ୍ତି ଆଶ୍ରମରେ...

ନବେନ୍ଦୁ ମନୋଜର ମୁହଁକୁ ଅନାଇଲା ଅନ୍ତର୍ଭେଦୀ ଦୃଷ୍ଟିରେ ।

 

ସେ କେଇ ମୁହୂର୍ତ୍ତ ନୀରବରେ ବସି ଫୁଲମାଳରେ ଶେଷ ଗଣ୍ଠି ପକେଇ କହିଲା, ସବୁ ମିଛ...ଶୁଭାର୍ଥିନୀ ଶୁଭରେ ଅଛନ୍ତି... କିନ୍ତୁ ଚିତ୍ତ ସଂଶୋଧନ କରିବା ପାଇଁ ସେ ଅଜ୍ଞାତବାସରେ ଅଛନ୍ତି । ଅଜ୍ଞାତବାସ ସମୟରେ ଆଶ୍ରମର ଅନ୍ୟକେହି ତାଙ୍କୁ ଦେଖା କରିବା ମନା । ସେ କେବଳ ଭାବିବେ... ନିଜର ବିଶ୍ୱାସକୁ ଶକ୍ତିଶାଳୀ କରିବା ପାଇଁ ମନ ଓ ହୃଦୟକୁ ନିବେଦନ କରିବେ ଆନନ୍ଦମୟ ପାଖରେ ... ।

 

ମନୋଜ ତା’ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ କହିଲା, ମୁଁ ତ ବାବାଙ୍କୁ ଯୁଗାବତାର ଭାବରେ ଦେଖି ଆସୁଚି.... ସେ ସକଳ ସଂଶୟର ଊର୍ଦ୍ଧ୍ୱରେ । ସେ ନିଷ୍ପାପ ... ପବିତ୍ର .... ଶୁଦ୍ଧ .... ।

 

ନବେନ୍ଦୁ ଖୁସି ହୋଇ କହିଲା, ଆପଣ ବାବାଙ୍କୁ ଠିକ୍‌ ଜାଣିଚନ୍ତି ବାବୁ.... ଆପଣ ତାଙ୍କୁ ଦେଖାକଲେ ଅନେକ ଆନନ୍ଦ ପାଇବେ ।

 

- ଭଗ୍ନୀ ନିବେଦିତା ତ ସ୍ୱୟଂ ଜ୍ଞାନ ଓ ସୌନ୍ଦର୍ଯ୍ୟର ପ୍ରତିମୂର୍ତ୍ତି ବୋଲି ଶୁଣିଚି ମୁଁ... ।

 

- ହଁ, ସତ । ସେ ପୁଣି ଆସିବେ ଏଇ ଗୋଟେ ଆଶ୍ରମ ତ ନୁହେଁ .... ଆହୁରି କେତେ ଆଶ୍ରମ ଅଛି ବାବାଙ୍କର ।

 

- ଭଗ୍ନୀ ହାସ୍ୟମୟୀ କୁଆଡ଼େ ଡାକ୍ତରୀ ପଢ଼ା ଛାଡ଼ି ଚାଲି ଆସିଚନ୍ତି ଆଶ୍ରମକୁ ... ।

 

- ନା, ନା । ସେ ଦିଲ୍ଲୀରେ ପଢ଼ୁଥିଲେ ବାବାଙ୍କ ଦର୍ଶନରେ ଆକୃଷ୍ଟ ହୋଇ ଚାଲି ଆସିଲେ । ଏବେ ସେ ତ ଅଛନ୍ତି ନିବେଦିତାଙ୍କ ସ୍ଥାନରେ ।

 

ମନୋଜ ଆଉ ଅନାବଶ୍ୟକ ପ୍ରଶ୍ନ ପଚାରି ସନ୍ଦେହ ସୃଷ୍ଟି କରିବାର ସୁଯୋଗ ନ ଦେଇ କହିଲା ନବେନ୍ଦୁକୁ - ଭଗ୍ନୀ ହାସ୍ୟମୟୀଙ୍କୁ କେଉଁ ଦେଶର ମହିଳା ବୋଲି ମନେହୁଏ ତୁମର ?

 

- କାଶ୍ମୀର । କିନ୍ତୁ ସେ ଓଡ଼ିଆ ଝିଅ, ତାଙ୍କ ବାପା ଓଡ଼ିଆ ବୋଲି ଶୁଣିଛି । ମା’ ଥିଲେ କାଶ୍ମିରୀ ... ।

 

ମନୋଜ କହିଲା .... ଏଇ ଖବରକାଗଜରେ ନାନା କଥା ପ୍ରକାଶ ପାଉଚି ଆଶ୍ରମ ସମ୍ପର୍କରେ, ହୁଏତ ଭୁଲ ଖବରକୁ ଭିତ୍ତିକରି .... ।

 

ସବୁ ମିଛ ଖବର ବାବୁ...

ଆପଣ ଆଶ୍ରମକୁ ଯିବେ ? ଚାଲନ୍ତୁ ଦେଖେଇ ଆଣିବି... ।

 

ମନୋଜ କହିଲା, ଆଉ ଦିନେ ଯିବି କିନ୍ତୁ ତୁମେ ରାଜି ହେଲେ ଗୋଟେ ଫୁଲ ତୋଡ଼ା ପଠାଇ ପାରେ ।

 

ଆଶ୍ରମକୁ ଯିବା ରାସ୍ତାରେ ଅନେକ ଭକ୍ତ ନବେନ୍ଦୁର ଫୁଲ ଦୋକାନରୁ ଫୁଲ ତୋଡ଼ା, ଫୁଲ ମାଳ ନେଇ ଯାଆନ୍ତି ହାତରେ । ଖାଲି ହାତରେ ଆଶ୍ରମକୁ କେହି ଯାଆନ୍ତି ନାହିଁ । ନବେନ୍ଦୁ ଆହୁରି ବି ଜାଣେ ଯେ ବାବାଙ୍କୁ ନିରୋଳାରେ ଦର୍ଶନ କରି ତାଙ୍କ ପାଦତଳେ ଫୁଲ ମାଳ କିମ୍ବା ଫୁଲ ତୋଡ଼ା ଭେଟି ଦବାର ସୁଯୋଗ ସମସ୍ତଙ୍କୁ ମିଳେ ନାହିଁ । ଯେଉଁମାନେ ବାବାଙ୍କର ଦର୍ଶନ ପାଆନ୍ତି ନାହିଁ ସେମାନେ ଭଗ୍ନୀ ନିବେଦିତାଙ୍କ ପାଖରେ ନାମ ଓ ଠିକଣା ସହିତ ଫୁଲ ମାଳ ରଖି ଦେଇ ଆସୁଥିଲେ ସେ ବାବାଙ୍କ ପାଖରେ ନିବେଦନ କରୁଥିଲେ । ଏବେ ଭଗ୍ନୀ ନିବେଦିତାଙ୍କ ସ୍ଥାନରେ ନିଯୁକ୍ତି ପାଇଚନ୍ତି ଭଗ୍ନୀ ହାସ୍ୟମୟୀ । ନବେନ୍ଦୁ ଭଗ୍ନୀ ହାସ୍ୟମୟୀଙ୍କର ଅନେକ ପ୍ରଶଂସା କଲା ମନୋଜ ପାଖରେ । କୋଉ ଘରେ କନ୍ୟା କିମ୍ବା ବଧୂ ଭାବରେ ରହିଲେ ପୁରି ଉଠନ୍ତା ସେଇ ଘର । କୋଉ ଦୁଃଖରେ ସଂସାର ନ କରି ସେ ଚାଲି ଆସିଚନ୍ତି ଆଶ୍ରମକୁ ଜାଣେନି ନବେନ୍ଦୁ । କିନ୍ତୁ ତାଙ୍କୁ ଦେଖିଲେ ମନ ଭିତରଟା ଆକୁଳ ହୁଏ । ତାଙ୍କ କପାଳରେ ଗୋରଚନା ଅପେକ୍ଷା ସିନ୍ଦୁର ବିନ୍ଦୁ ଯେ ଅଧିକ ଶୋଭା ପାଆନ୍ତା । ଏହା ଭାବି ବ୍ୟାକୁଳ ହୁଏ ତା’ର ଅନ୍ତର । ଦୀର୍ଘଶ୍ୱାସଟିଏ ବାହାରି ଆସେ ଛାତି ତଳୁ । ନବେନ୍ଦୁର ବଡ଼ଝିଅ ସୋନାଲି ବଞ୍ଚିଥିଲେ ହାସ୍ୟମୟୀଙ୍କ ପରି ଦିଶୁଥାଆନ୍ତା ଆଜି ।

 

ସେ କହିଲା - ହଁ, ହଁ, ନେଇଯିବି ବାବୁ । କିନ୍ତୁ ବାବାଙ୍କ ପାଖରେ ପହଞ୍ଚାଇ ପାରିବି ନାହିଁ, ଭଉଣୀ ହାସ୍ୟମୟୀ ହାତରେ ଦେଇ ଆସିବି । ସେ ବାବାଙ୍କ ପାଦତଳେ ନିବେଦନ କରିବେ-

 

ନବେନ୍ଦୁ ପାଖରୁ ଫୁଲ ତୋଡ଼ାଟିଏ କିଣି ଗୋଟେ ଛୋଟ କାଗଜରେ ନିଜର ନାମ ଓ ଠିକଣା ଲେଖି ନବେନ୍ଦୁ ହାତକୁ ବଢ଼ାଇ ଦବାକୁ ଭିତରକୁ ସେ ଉଠିଯିବାରୁ ସେଇ ସୁଯୋଗରେ ମନୋଜ ଆଉ ଖଣ୍ଡେ ଛୋଟ କାଗଜରେ ଦୁଇଧାଡ଼ି କବିତା ଲେଖି ଫୁଲ ତୋଡ଼ା ଭିତରେ ଗୁଞ୍ଜି ଦେଲା ।

 

ନବେନ୍ଦୁ ସବୁ ଫୁଲମାଳକୁ କଦଳୀପତ୍ରର ପ୍ୟାକେଟ ଭିତରେ ରଖି ମନୋଜକୁ କହିଲା, ସମୟ ହୋଇଗଲାଣି... ଯାଉଛି ବାବୁ... ଆସିଲେ ପୁଣି କହିବି... ।

 

ନବେନ୍ଦୁ ପୁଅକୁ ଦୋକାନରେ ବସେଇ ଚାଲିଗଲା ପରେ ମନୋଜ ଧୀରେ ଧୀରେ ଆସି ଅନ୍ୟମନସ୍କ ଭାବରେ ବସିଲା ସ୍କୁଟର ଉପରେ ।

 

କିନ୍ତୁ ଷ୍ଟେସନ ସ୍କୋୟାର ଅତିକ୍ରମ କରିବା ପୂର୍ବରୁ କଂଗ୍ରେସ ଅଫିସଆଡ଼ୁ ଆସୁଥିବା ଗୋଟେ ଜିପ୍‌ର ଧକ୍‌କା ଖାଇ ସେ ଛିଟିକି ପଡ଼ିଲା ସଡ଼କ ଉପରେ ।

 

ଭାଗ୍ୟକୁ ସେ ସ୍କୁଟର କାଟି ଦେଇଥିଲା ରାସ୍ତାର ଶେଷ ପ୍ରାନ୍ତକୁ, ନ ହେଲେ ଠିକ୍‌ ତା’ ଉପରେ ଚଢ଼ି ଯାଇଥାଆନ୍ତା ଜିପ୍‌ । ଭାଗ୍ୟ ଭଲ ବଞ୍ଚିଗଲା ସେ ।

 

ସ୍କୁଟରଟା ଦୂରରେ ପଡ଼ିଥିଲା ।

ମୁହୂର୍ତ୍ତେ ଗତି ହ୍ରାସ କରି ପୁଣି ବେଗ ବଢ଼େଇ ଚାଲିଗଲା ଜିପ୍‌ଗାଡ଼ି ।

 

ସେଇ ପଲକ ମଧ୍ୟରେ ମନୋଜର ଆଖି ଆଗରେ ଭାସି ଉଠିଲା ଜିପ୍‌ର ନମ୍ବର ଓ ଆର ଏକ୍‌ସ ୧୧୧ ।

 

ରାଜଧାନୀରେ ଲୋକସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ସମସ୍ୟା ବି ବଢ଼ୁଛି । ପ୍ରାଚୁର୍ଯ୍ୟର ପ୍ରଦର୍ଶିନୀ ବସିଚି ରାସ୍ତାର ଦୁଇକଡ଼ରେ । ଅଭାବର ଚିହ୍ନି ବି ପ୍ରସାରିତ ହେବାରେ ଲାଗିଚି । ଆଗେ ଫୁଟପାଥ୍‌ ଉପରେ, ପୋଲତଳେ, ଗଛମୂଳେ କିମ୍ବା ହ୍ୟୁମ୍‍ପାଇପ ଭିତରେ ଶୋଇବା ପାଇଁ ଲୋକ ନ ଥିଲେ । ଏବେ କିନ୍ତୁ ସବୁସ୍ଥାନରେ ଜୀବନ ଯନ୍ତ୍ରଣାରେ ସଢ଼ୁଥିବା ଲୋକମାନଙ୍କର ଭିଡ଼ ଜମିଗଲାଣି । ଆସ୍ଥାନ ଜମାଇ ରହିଗଲେଣି ଲୋକେ । ପାଚେରୀ କିମ୍ବା ଘରର କାନ୍ଥକୁ ଆଶ୍ରୟ କରି ଗଢ଼ି ଉଠିଚ ଚଟ, ଛିଣ୍ଡା କାଗଜ, ଛିଣ୍ଡା ଲୁଗା ଓ ପୁରୁଣା କନ୍ଥା ବା ପରିତ୍ୟକ୍ତ କାର୍ଡ଼ବୋର୍ଡ଼ ଓ ପଲିଥିନ୍‌ରେ ଛପର ହୋଇଥିବା ଝୁମ୍ପୁଡ଼ି । ନୁଆଣିଆ । ମୁଣ୍ଡ ନୁଆଇଁ କିମ୍ବା ଆଣ୍ଠେଇ ଭିତରକୁ ପଶିବାକୁ ହୁଏ । ଭିକାରୀ, କୁଷ୍ଠରୋଗୀ, ରିକ୍‌ସାବାଲା, ଦିନ ମଜୁରିଆ, ବେକାର ବା ଚୋରି କରି ଚଳୁଥିବା ସ୍ତ୍ରୀ ପୁରୁଷମାନଙ୍କର ଆଶ୍ରୟ ସ୍ଥଳରେ ପରିଣତ ହୋଇଚି ଏଇ ଝାମ୍ପୁଡ଼ିଗୁଡ଼ିକ । ପାଣି କି ପାଇଖାନାର ସୁବିଧା ନାହିଁ । ରାସ୍ତା କଡ଼ରେ ଆଲୁଅ ମଧ୍ୟ ନାହିଁ । ଦିନରେ ସୂର୍ଯ୍ୟାଲୋକ ଏବଂ ରାତିରେ ଅବଶ୍ୟ ଚନ୍ଦ୍ରାଲୋକ ଅଛି । ମଳ ମୂତ୍ର ତ୍ୟାଗକରିବାରେ ବାଧା ନାହିଁ, ପ୍ରତିବନ୍ଧକ ନାହିଁ । ପାଖରେ ମ୍ୟୁନିସିପାଲିଟିର ମଇଳା ଗଦା । ଦୁର୍ଗନ୍ଧ ସର୍ବତ୍ର ।

 

ରାଜଧାନୀର ବଡ଼ ବଡ଼ ହୋଟେଲ ବା ବଡ଼ ବଡ଼ ଅଫିସରମାନଙ୍କର ପ୍ରାସାଦମାନଙ୍କରୁ ଜୀବନର ସବୁ ସୁଖ ସମ୍ଭୋଗ ଉପୁଚି ପଡ଼ୁଥିବାବେଳେ, ପ୍ରଶସ୍ତ ରାଜପଥ ସ୍ୱର୍ଣ୍ଣାଲୋକରେ ଉଦ୍ଭାସିତ ହେଉଥିବାବେଳେ ସହରର ନିପୀଡ଼ିତ, ନିର୍ଯ୍ୟାତିତ, ବଞ୍ଚିତ ଜୀବନ ଲଜ୍ଜା ନିବାରଣ କରିବା ପାଇଁ ପଡ଼ିରହେ ଏଇ ଝୁମ୍ପୁଡ଼ି ଭିତରେ । ଦିନସାରା ବ୍ୟବହାର କରିଥିବା ଏକମାତ୍ର ବସ୍ତ୍ରକୁ ଧୋଇସାରି ଶୁଖେଇ ଦେଇ ଝୁମ୍ପୁଡ଼ି ଭିତରର ଅନ୍ଧାର ଭିତରେ ନିଜର ଲଜ୍ୟାକୁ ନିଜେ ଲୁଚାଇଦେବାକୁ ଯାଇ ନିଜର ଦୈନ୍ୟତାରେ ଶିହରି ଉଠେ ମଣିଷ ।

 

ଅଭାବ ଅନାଟନରେ ସଢ଼ୁଥିବା ଏବଂ ବଞ୍ଚିବା ପାଇଁ ପ୍ରତିକ୍ଷଣ ଅବିଶ୍ରାନ୍ତ ଭାବରେ ଲଢ଼ୁଥିବା ଏଇ ଲୋକମାନଙ୍କ ମଧ୍ୟରେ ହଠାତ୍‌ ଚହଳ ପଡ଼ିଯାଇଛି । ଉରୁ ଭାଙ୍ଗି ଧକେଇ ହେଉଥିବା ଜୀବନ ଚଞ୍ଚଳ ହୋଇ ଉଠିଚି ।

 

ଆରେୟା ନିଜେ ଆସି କହି ଯାଇଚି । ପ୍ରତ୍ୟେକ ଝୁମ୍ପୁଡ଼ିରେ, ପ୍ରତ୍ୟେକ ବସ୍ତିରେ ଚିରିକୁଟି ବାଣ୍ଟି ଦେଇଚନ୍ତି କର୍ମୀମାନେ ।

 

ମାନବ ମହାନ୍ତିଙ୍କୁ ଭୋଟ ଦେଇ ଜିତେଇବାକୁ ହେବ । ସେ ନିଜପାଇଁ ଲଢ଼ୁନାହାନ୍ତି, ସେ ଖଟିଖିଆ, ଓପାସିଆ, ଦରିଦ୍ର ଓ ଦଳିତର ଅସଲ ପ୍ରତିନିଧି । ସେ ଜିତିବା ଅର୍ଥ ଓପାସରେ ସଢ଼ୁଥିବା ମଣିଷର ବିଜୟ ।

 

ହଠାତ୍‌ ମ୍ୟୁନିସିପାଲିଟିର ମଇଳାବୁହା ଗାଡ଼ି ଓ କର୍ମଚାରୀମାନେ ସକ୍ରୀୟ ହୋଇ ଉଠିଚନ୍ତି । କୁଢ଼ କୁଢ଼ ମଇଳା ବୁହା ଚାଲିଚି ମାଳିସାହି, ସତ୍ୟନଗର, ବାପୁଜୀ ନଗର, ଷ୍ଟେସନ ଏରିଆ ଓ ଅନ୍ୟାନ୍ୟ ବସ୍ତି ଅଞ୍ଚଳରୁ । ମାଳି ସାହିର ଲୋକମାନଙ୍କ ସୁବିଧା ପାଇଁ ଦୁଇଟା ଟ୍ୟୁବ୍‍ଓ୍ୱେଲ ବସି ଗଲାଣି । ପାଣିର ଅଭାବ ଦୂର ହୋଇଚି । ସର୍ବସାଧାରଣଙ୍କ ବ୍ୟବହାର ପାଇଁ ପାଇଖାନା ତିଆରି ଚାଲିଚି । ସତ୍ୟନଗର ସେଇ ଅନ୍ଧାରୁଆ ଅଞ୍ଚଳରେ ଆଲୁଅ ଖଞ୍ଚା ଯାଇଚି । ହ୍ୟୁମ୍‌ପାଇପ ଭିତରେ ଦିନ ଓ ରାତ୍ରି ଯାପନ କରୁଥିବା ଏବଂ ଆଶ୍ରା ନ ପାଇ ଗଛତଳେ ଅନେକ ଗଛତଳେ ଅପେକ୍ଷା କରୁଥିବା ଲୋକମାନଙ୍କୁ ଭରସା ଦିଆଯାଇଚି । ଘର ତିଆରି ଶେଷ ହେବାକ୍ଷଣି ସେମାନେ ଉଠିଯିବେ ସୂର୍ଯ୍ୟନଗରର ଆଦର୍ଶ ବସ୍ତିକୁ ।

 

ଭୋଟ କିନ୍ତୁ ଦବାକୁ ହେବ ହାତୀ ଚିହ୍ନରେ । ମାନବ ମହାନ୍ତି ଓ ତାଙ୍କ ଦଳର ନିର୍ବାଚନ ସଂକେତ ହାତୀ ।

 

ହାତୀହିଁ ସମୃଦ୍ଧିର ପ୍ରତୀକ ।

 

ଜିପ୍‌ ଗାଡ଼ି ସାହି ମଝିରେ ଠିଆ ହୋଇଥିବାର ଦେଖି ଜିପ୍‌ଗାଡ଼ିକୁ ଘେରି ଛିଡ଼ା ହେଲେ ଛୋଟ ବଡ଼ କେତେଜଣ । ଡ୍ରେନ କଡ଼ରେ ବସି ଝାଡ଼ା ଫେରୁଥିବା ଦୁଇଟି ନଙ୍ଗଳା ପିଲା ଉଠି ଦୌଡ଼ି ପଳେଇ ଗଲେ । ନୂଆ ହୋଇ ତିଆରି ହୋଇଥିବେ ଟିଉବଓ୍ୱେଲର ନଳ ତଳେ କଳସୀ ରଖି ଛିଡ଼ା ହୋଇଥିଲା ସରସ୍ୱତୀ ।

 

ଜିପ୍‌ଗାଡ଼ି ଭିତରୁ ଡାକବାଜି ଯନ୍ତ୍ରରେ ଭାସି ଆସିଲା ଲଘୁ ସିନେମା ସଙ୍ଗୀତ ।

କେତେ ଜଣ କିଶୋର ଟୁଇଷ୍ଟ କରିବା ପାଇଁ ଆରମ୍ଭ କରିଦେଲେ ରାସ୍ତା ଉପରେ ।

 

ବେଳ ନଅଟା ହେବ ତଥାପି ନିଶାପାନ କରି ଶୋଇଥିଲା ଯେ ଅପର୍ତ୍ତି ଏଯାଏ ନିଦ ତା’ର ଭାଙ୍ଗି ନାହିଁ । ଟିଣ କବାଟର ଛିଦ୍ର ପଥ ଦେଇ ଖରା ଆସି ପଡ଼ିଛି ଉପରେ ।

 

କୁଷ୍ଠରୋଗୀ କେତେଜଣ ଧାଡ଼ିକରି ବସିଗଲେଣି ରାସ୍ତା କଡ଼ରେ । ଆଗରେ ଗୋଟେ ଗୋଟେ ଟିଣଡ଼ବା ବା ଛିଣ୍ଡାଲୁଗା । ସମସ୍ତଙ୍କ ଆଖିରେ ସେଇ ଗୋଟିଏ ଦୃଷ୍ଟି, ଗୋଟିଏ ଅଭିବ୍ୟକ୍ତି... । ଦିଅ ... ଦିଅ ...

 

ଆରେୟା ଆଗରୁ ଖବର ପଠାଇ ଥିଲା । କିନ୍ତୁ ଅପର୍ତ୍ତିକୁ ଏଯାଏ ନ ଦେଖି ବିରକ୍ତ ହେଲା ମନେ ମନେ । ସେ ଏକା ଏକା କଅଣ କରିବ ? ଅପର୍ତ୍ତିକୁ ଲାତ୍‌ମାରି ଉଠେଇ ଦବାକୁ ଇଚ୍ଛା ହେଲା ଆରେୟାର । ଶଳା ମଦ ପିଇବ ଅଧରାତି ଯାଏ, ଆଉ ତା’ ପରେ ଘରକୁ ଫେରି ତିର୍ଲାକୁ ତୁଚ୍ଛାଟାରେ ପିଟିପିଟି ଶୁଆଇ ଦବ ଭୂଇଁ ଉପରେ । ତା’ ପରେ ଚିତ୍‌ହୋଇ ଶୋଇପଡ଼ିବ ତା’ ପାଖରେ । ଇମିତି ଇମିତି ପାଞ୍ଚଟା ପିଲାଙ୍କର ବାପ ହୋଇଚି ସେ । ଶଳା ବୁଡ଼୍‌ବକ୍‌ ହାରାମଜାଦା ।

 

ସରସ୍ୱତୀର ଖୋଲା ହାତ ଉପରେ ଫୁଲାଫୁଲା ଦାଗ । ଯେତେ ଢାଙ୍କିଲେବି ଲୁଚେଇ ପାରୁନି ସରସ୍ୱତୀ, ଫଟା ଲୁଗା ଭିତରୁ ଫୁଟି ପଡ଼ୁଚି ପଦାକୁ ।

 

ଦୟାହୁଏ ଆରେୟାର । କିନ୍ତୁ କଅଣ କରିବ ସେ । ଏଇ ଗୋଟେ କଥା ଯେ କେତେଥର କହିଲାଣି ଅପର୍ତ୍ତିକୁ; କିନ୍ତୁ ସେ ତା’ କଥା ମାନିନି, ତା’ ଅନୁରୋଧ ରଖିନି । ବରଂ ରାତିରେ ଘରକୁ ଫେରି ଆହୁରି ଜୋରରେ ପିଟିଛି ସ୍ତ୍ରୀକୁ ।

 

ସରସ୍ୱତୀ କିନ୍ତୁ ଦେଖିବାକୁ ଖରାପ ନୁହେଁ । ଏତେ ଅବହେଳା ସହ୍ୟ କରି, ଏତେ ମାଡ଼ ଖାଇ ବୟସର ଟାଣ କମିନି ଦେହରୁ । ଆଖି ଯୋଡ଼ିକୁ ଦେଖିଲେ ମାୟା ଜାଗେ ମନରେ ।

 

ସିନେମା ସଙ୍ଗୀତ ବନ୍ଦକରି ଜଣେ ବସ୍ତିର ଲୋକମାନଙ୍କୁ ଠୁଳ ହେବା ପାଇଁ କହିଲା ବାରମ୍ବାର ।

 

ଆସ... ଯିଏ ଯେଉଁଠି ଅଛ ଆସ.... ଛୋଟ ବଡ଼... ସ୍ତ୍ରୀ ପୁରୁଷ ବୁଢ଼ାବୁଢ଼ୀ ସମସ୍ତେ ଆସ । ଶୁଣ ଆଜିର ଆହ୍ୱାନ । ପ୍ରଗତିବାଦୀ ଦଳରେ ହିଁ ଗତି ଓ ମୁକ୍ତି ନିହିତ । ସେହି ଦଳକୁ ଜୟଯୁକ୍ତ କର । ମାନବ ମହାନ୍ତିଙ୍କୁ ବିଜୟୀ କର । ସେ ଜାତିର ଆଶା ଭରସା । ହାତୀ ଚିହ୍ନରେ ମୋହର ମାରି ଭୋଟ ଦିଅ । ହାତୀ ଜିତିଲେ ଘରକୁ ଲକ୍ଷ୍ମୀ ବିଜେ କରିବେ ।

 

ଶେଷ ଶୀତରେ ଉଷୁମ ଟାଣିବା ପାଇଁ ପ୍ରତି ପରିବାରକୁ ଗୋଟିଏ ଗୋଟିଏ କମ୍ବଳ ଦିଆଗଲା । ଛୋଟ ଛୋଟ ପିଲାମାନେ ଲଡ଼ୁ ଖାଇ ନାଚି ନାଚି ସ୍ଲୋଗାନ ଦବାକୁ ଲାଗିଲେ -

 

ମାନବ ମହାନ୍ତି ଆଶା ଭରସା

ଭଲ ମନ୍ଦରେ ସିଏ ମଉସା ।

 

ସ୍ଲୋଗାନ ଦବା ଶେଷ ହେବା ବେଳକୁ ଉଠିପଡ଼ିଥିଲା ଅପର୍ତ୍ତି । ସେ ସମସ୍ତଙ୍କୁ ଶୁଣେଇ ଶୁଣେଇ କହିଲା ଯେ, ପ୍ରଗତିବାଦୀ ଦଳ, ଗରିବଙ୍କ ଦଳ, ଲୋକମାନଙ୍କର ଦଳ । ଜଣଜଣକରି ଭୋଟ ଦେଇ ସେଇ ଦଳକୁ ବିଜୟୀ କରିବାକୁ ହେବ । ଅନ୍ୟ ଦଳକୁ ସାହି ଭିତରକୁ ପଶିବାକୁ ମଧ୍ୟ ଦିଆଯିବ ନାହିଁ । ଯିଏ ଆଦେଶ ଅମାନ୍ୟ କରିବ ତା’ ସହିତ ସାହିର ସମ୍ପର୍କ ଛିନ୍ନ ହେବ । ଚଷା ହୁଡ଼ିଲେ ବରଷେ, କିନ୍ତୁ ଭୋଟଦାତା ହୁଡ଼ିଲେ ପାଞ୍ଚ ବରଷ ।

 

ଦଳର କର୍ମୀମାନେ ଚାଲିଯିବା ପରେ ବି ଧ୍ୱନି ଦେଉଥିଲେ ପିଲାମାନେ ।

 

ହଠାତ୍‌ ଟୋକା ଜଣେ ସାଇକଲର ଘଣ୍ଟି ବଜାଇ ବଜାଇ ଚାଲିଗଲାବେଳେ କହିଗଲା ଯେ ମାଳିସାହିର ସବୁ ଭୋଟ ସାମ୍ୟବାଦୀ ଦଳର । ସେଇ ଗୋଟିଏ ଦଳ ଗରିବଙ୍କ କଥା ଚିନ୍ତାକରେ, ଅନ୍ୟ ସମସ୍ତ କୁହନ୍ତି ଯେଡ଼େ ନୁହଁନ୍ତି ତେଡ଼େ... ।

 

ଅପର୍ତ୍ତି କିଛିଦୂର ତଡ଼ିନେଇ ଛାଡ଼ିଦେଇ ଆସିଲା ରେଳ ଲାଇନ ପାଖରେ । ଅକଥ୍ୟ ଭାଷାରେ ତା’ର ସପ୍ତପୁରୁଷ ଉଦ୍ଧାରକରି ଫେରିବାବେଳକୁ ଘର ଆଗରେ ଉଦାସକୁ ଦେଖିଲା । ଉଦାସ ରାଜଧାନୀର ନାମଜାଦା ଗୁଣ୍ଡା । ତାହାରି ଆଜ୍ଞାରେ ଚଳପ୍ରଚଳ ହୁଅନ୍ତି ଟୋକାମାନେ । ସେ ସମସ୍ତଙ୍କର ବଡ଼ ଭାଇ ।

 

ଅପର୍ତ୍ତିକୁ ଆସୁଥିବାର ଦେଖି ଖୁସି ହେଲା ଉଦାସ ।

 

ଅପର୍ତ୍ତି ଏବଂ ସାହିର ଆଉ କେତେକ ଟୋକାଙ୍କ ସହିତ ସଲା ପରାମର୍ଶ କରି ଆଦେଶ ଶୁଣେଇ ଦେଲା ଉଦାସ । ନାଗରୀକ ସମିତି ପକ୍ଷରୁ ଯେଉଁ ଶୋଭାଯାତ୍ରା ଶହୀଦ ନଗର ହାଟ ପାଖରୁ ବାହାରି ସଚିବାଳୟ ପର୍ଯ୍ୟନ୍ତ ଯିବ ଜନପଥରେ, ସେଇ ଶୋଭାଯାତ୍ରାକୁ ଷ୍ଟେସନ ସ୍କୋୟାରରେ ଅଟକାଇ ଦବାପାଇଁ ଜଗିଚି ପୁଲିସ୍‍ । ଶାନ୍ତିଭଙ୍ଗର ଆଶଙ୍କା ଅଛି, ବୋଧହୁଏ । କିନ୍ତୁ ଶାନ୍ତିଭଙ୍ଗ ନ କଲେ ଆଉ ଚଳିହେବ ନାହିଁ । ଚାନ୍ଦାଭେଦା ମିଳୁନି ସହଜରେ । ବ୍ୟବସାୟୀମାନେ ମିଳିମିଶି ନିଜର ସଂଘ କଲେଣି । ଦଶଟଙ୍କା ଦବାକୁ ହାତ ଉଠୁନି । ବଜାର ଦର ବଢ଼ିବାରେ ଲାଗିଚି-। ଲୋକଙ୍କର ଅସନ୍ତୋଷ ବ୍ୟାପୁଛି ।

 

ଅପର୍ତ୍ତି କହିଲା - କଥା ଶୁଣିବା ବେଳ ଇଏ ନୁହେଁ, କହି ଦେ କଅଣ କରିବାକୁ ହେବ ।

 

ଉଦାସ ବୁଝେଇ ଦେଲା ସମସ୍ତଙ୍କୁ । ଶୋଭାଯାତ୍ରାରେ ମିଶି ଅଗ୍ରଭାଗର ଠିକ୍‌ ପଛରେ ରହିବାକୁ ହେବ । ପୁଲିସ୍‍ ଆଗକୁ ଯିବାକୁ ବାଧା ଦେଲେ ସେମାନେ ପ୍ରତିବାଦ କରିବେ । ବାଦ ପ୍ରତିବାଦ ଚାଲିବ । ଠିକ୍‌ ସେଇ ସମୟରେ ପଛରୁ ଟେକା ପଡ଼ିବ ପୁଲିସ୍‍ ଉପରେ । ସଡ଼କ ଉପରେ ଚଳନ୍ତି ଗାଡ଼ି ଗୋଟେ ଦୁଇଟାକୁ ନିଆଁ ଲଗାଇ ଦିଆଯିବ । ପୁଲିସ୍‍ ଲାଠି ଚାର୍ଜ କରିବା ଆଗରୁ ଲୁହାବୁହା ଗ୍ୟାସ ଛାଡ଼ିବ । ସେତିକିବେଳେ ଖସି ଆସି ସୁପରବଜାରରେ ଝାମ୍ପ ଦେଲେ ଫାଏଦା ମିଳିବ । ପୁଲିସ୍‍ ଆଗରେ ବ୍ୟସ୍ତ ଥିବ, ପଛରେ ଏହି ଘଟଣାର ମୁକାବିଲା କରିବା ଆଗରୁ କାମ ଫତେ କରି ଝୁନଝୁନଓ୍ୱାଲା ବଗିଚା ଭିତର ଦେଇ ରେଲଲାଇନ ପାଖର ବସ୍ତି ଭିତର ଦେଇ ସେପାଖକୁ ଅତିକ୍ରମ କରିବା ସୁବିଧାଜନକ । ବୁଦ୍ଧେଶ୍ୱରୀରେ ଶଙ୍କରା ଗୋଦାମ ଖୋଲି ବସିଥିବ । ସେଇଠି ଜମାହେବ ସବୁ ଜିନିଷ । ରାତିରେ ଭାଗ ବଣ୍ଟରା ।

 

କଥା ଏବଂ କୌଶଳ ମନକୁ ପାଇଲା ସମସ୍ତଙ୍କର । ଅପର୍ତ୍ତି ଟିଣ ଦୁଇଟାରେ ପେଟ୍ରୋଲ ଭର୍ତ୍ତିକରି ବଢ଼ାଇ ଦେଲା ଆଲ୍‌ମା ଆଉ ହାରୁ ହାତକୁ । ସାଇକେଲ ଚେନ କେତୋଟି ଗୋଟାଇ ନେଲେ ଅନ୍ୟମାନେ । ରେଲ ଲାଇନରୁ ସଂଗ୍ରହକରି ଆଣିଥିବା ବାଲାଷ୍ଟ କିଛି କିଛି ଅଣ୍ଟିରେ ପୂରେଇଲେ କେତେଜଣ ।

 

ଅଳ୍ପ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଗଲେ ସେମାନେ ।

 

ସେତେବେଳେ ଧ୍ୱନି ଶୁଭିଲାଣି ଶୋଭାଯାତ୍ରାରେ । ଧୀରେ ଧୀରେ ପୂର୍ବ ପରିକଳ୍ପନା ଅନୁସାରେ ଜଣ ଜଣ କରି ମିଶିଗଲେ ଶୋଭାଯାତ୍ରାରେ । ଉଦାସ ଅପର୍ତ୍ତିକୁ ଆବଶ୍ୟକୀୟ ପରାମର୍ଶ ଦେଇସାରି ସାମୁଏଲ ସାଙ୍ଗରେ ଅଦୃଶ୍ୟ ହୋଇଗଲା ଗଳି ଭିତରେ । ଶେଷ ନିର୍ଦ୍ଦେଶ ଦେଇଗଲା ଯେ ତାର ସୁସୁରି ଶୁଣିବାକ୍ଷଣି ପୁଲିସ୍‍ ଉପରେ ଆକ୍ରମଣ ହେବ ।

 

ଯୋଜନା ଅନୁସାରେ କାମ କରିବା ପାଇଁ ଅପେକ୍ଷା କଲେ ଅନ୍ୟମାନେ ।

 

ଶୋଭାଯାତ୍ରାକୁ କଂଗ୍ରେସ ଅଫିସ ଆଗରେ ଅଟକାଇଦେଲା ପୁଲିସ୍‍ । ଶହେ ଚଉରାଳିଶ ଧାରା ଜାରିକଲେ ମାଜିଷ୍ଟ୍ରେଟ୍‌ । ଶାନ୍ତିଭଙ୍ଗ ନ କରି ଯେ ଯାହାର ଘରକୁ ଫେରି ଯିବାକୁ ନିର୍ଦ୍ଦେଶ ଦେଲା ପୁଲିସ୍‍ । ଶୋଭାଯାତ୍ରାକାରୀମାନେ କିନ୍ତୁ ସଚିବାଳୟ ପର୍ଯ୍ୟନ୍ତ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସକାଶେ ଜିଦ୍‌ଧରି ବସିଲେ ।

 

ପୁଲିସ୍‍ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନୁହେଁ । ବାଦ ପ୍ରତିବାଦ ଚାଲିଲା । କୋଳାହଳ ବଢ଼ିବାରେ ଲାଗିଲା । ଷ୍ଟେସନ ବଜାରର ଶହ ଶହ ଲୋକ ଏବଂ ରାସ୍ତା ଉପରେ ଯିବା ଆସିବା କରୁଥିବା ଲୋକଙ୍କଦ୍ୱାରା ଭର୍ତ୍ତି ହୋଇଗଲା ଷ୍ଟେସନ ସ୍କୋୟାର ।

 

ସେଇ କୋଳାହଳ ଭିତରେ ସ୍ପଷ୍ଟ ଭାବରେ ଶୁଣାଗଲା ଉଦାସର ସୁସୁରି ।

 

ପଥର ବୃଷ୍ଟି ହେଲା ପୁଲିସ୍‍ ଉପରେ । ଟିଅର ଗ୍ୟାସ ସେଲ୍‌ ଫଟାଇବାକୁ ଆଦେଶ ଦେଲେ ମାଜିଷ୍ଟ୍ରେଟ୍‌ । ବିଶୃଙ୍ଖଳ ଜନତାର ଆକ୍ରମଣରେ ପୁଲିସ୍‍ ଦଳ ଆହୁରି ବେଶୀ କ୍ଷତିଗ୍ରସ୍ତ ହେବା ପୂର୍ବରୁ ଲାଠିଚାର୍ଜ କରିବା ପାଇଁ ଆଦେଶ ଦିଆଗଲା । ତା’ ସହିତ ବ୍ଲାଙ୍କ୍‌ଫାୟାର ବି କଲା ପୁଲିସ୍‍ ।

 

କିନ୍ତୁ ବୃଥାହେଲା ସବୁ । ପ୍ରାୟ ପାଞ୍ଚ ହଜାର ଜନତାଙ୍କର ଚିତ୍କାର ଦୌଡ଼ା ଦୌଡ଼ି ମଧ୍ୟରେ ପୁଲିସ୍‍ ଉପରେ ଅଜସ୍ର ପଥର ବୃଷ୍ଟି ହେଉଥିବାବେଳେ ରାସ୍ତା ଉପରେ ଯାଉଥିବା ଗୋଟେ ସରକାରୀ ବସ୍‌କୁ ଅଟକାଇ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଲେ । ଷ୍ଟେସନ ଆଡ଼ୁ ଆସୁଥିବା ଗୋଟେ ସରକାରୀ ଜିପ୍‌ ଉପରେ ଚଢ଼ଉକରି ସେଥିରେ ମଧ୍ୟ ନିଆଁ ଲଗାଇ ଦେଲା କିଏ ।

 

ପଛପଟୁ ବି ପଥର ପଡ଼ିଲା ପୁଲିସ୍‍ ଉପରେ ।

 

ସବୁଆଡ଼ୁ ଆକ୍ରମଣର ସମ୍ମୁଖୀନ ହେବାଲାଗି ପ୍ରସ୍ତୁତ ନ ଥିଲା ପୁଲିସ୍‍ । ଅଧିକ ଫୌଜ ପାଇଁ ଓ୍ୱାୟାରଲେସ୍‌ରେ ଖବର ଦିଆଯାଇଥିଲେ ବି ପହଞ୍ଚି ନାହାନ୍ତି ସେମାନେ । ବାଟରେ ହୁଏତ ଅଟକି ଯାଇଥିବେ ।

 

ଲୁହବୁହା ଗ୍ୟାସ୍‌ଏବଂ ଲାଠିମାଡ଼ରୁ ରକ୍ଷା ପାଇବା ପାଇଁ ପଳେଇଯାଉଥିବା ଜନତା ହଠାତ୍‌ ସୁପର ବଜାର ଭିତରେ ପଶି ଲୁଟ୍‍ତରାଜ ଆରମ୍ଭ କରିଦେଲେ । ସେତେବେଳକୁ ଭୟଭୀତ ହୋଇ ଅନେକ କବାଟ କିଳି ସାରିଲେଣି । ଅଧିକ ଫୌଜଧରି ଡି.ଏସ୍‌.ପି ଘଟଣାସ୍ଥଳରେ ପହଞ୍ଚିବାବେଳକୁ ସୁପର ବଜାରର ପ୍ରାୟ ଅଧେ ଦୋକାନ ଲୁଟ୍‌ ହୋଇଗଲାଣି ।

 

ଦୁର୍ବତ୍ତମାନଙ୍କୁ ଲାଠିଧାରୀ ପୁଲିସ୍‍ ଗୋଡ଼ଉଥିବାବେଳେ ଦୁଇଟା ବୋମା ଫୁଟିଲା ଅନତିଦୂରରେ । ସେଥିରେ ଆହତ ହେଲେ କେତେଜଣ ସାଧାରଣ ଲୋକ । ମାଜିଷ୍ଟ୍ରେଟ୍‌ଙ୍କ ନିର୍ଦ୍ଦେଶ ପାଇ ଦୁର୍ବର୍ତ୍ତମାନଙ୍କୁ ଲକ୍ଷ୍ୟକରି ଦଶରାଉଣ୍ଡ ଗୁଳି କରାଗଲା ସତ; କିନ୍ତୁ ସେଥିରେ ଆହତ ହେଲେ ଅନ୍ୟମାନେ । ଜଣେ ଭିକାରୀ ଘଟଣା ସ୍ଥଳରେ ଟଳିପଡ଼ିଲା ଗୁଳିମାଡ଼ରେ ।

 

ମାତ୍ର ଅଧଘଣ୍ଟାକ ମଧ୍ୟରେ ଷ୍ଟେସନ ସ୍କୋୟାର ଶ୍ମଶାନରେ ଦେଖାଗଲା । ଚାରିଆଡ଼େ ଭଙ୍ଗାଇଟା, ପଥରଖଣ୍ଡ, ଶହ ଶହ ଚପଲ ଓ ଜୋତା ପଡ଼ିଥିବାର ଦେଖିଲେ ଡି.ଏସ୍‌.ପି. । ଲୁହାବୁହା ବାଷ୍ପ ଏବଂ ପୁଲିସ୍‍ର ମାଡ଼ରୁ ରକ୍ଷା ପାଇବାପାଇଁ ଅନେକ ଆଶ୍ରୟ ନେଇଥିଲେ ଷ୍ଟେସନ ଭିତରେ ।

 

ପୁଲିସ୍‍ ଫୌଜ ସେତେବେଳକୁ ଷ୍ଟେସନ ସ୍କୋୟାରକୁ ଘେରି ଯାଇଥିଲେ ଚତୁର୍ଦ୍ଦିଗରୁ ।

 

ହୋଟେଲ ଶାନ୍ତି ଆଗରେ କାର୍‌ ପାର୍କ କରି ହୋଟେଲର ଡିଲକ୍‌ସ ସୁଇଟ୍‌ରେ ତୃପ୍ତି ନାଏକର ଉଲଗ୍ନ ଛାତି ଉପରେ ମୁହଁ ରଖି ତା’ର ହୃଦୟର ଭାଷା ଶୁଣୁଥିଲେ ମାନବ ମହାନ୍ତି । ହଠାତ୍‌ ଟେଲିଫୋନ୍‍ଟା ବାଜିଉଠିଲା । ରିସିଭର ଉଠାଇ ନେଇ କାନ ପାଖରେ ରଖିବାବେଳକୁ ସେପାଖରୁ କହିଲା ରିସେପ୍‌ସନିଷ୍ଟ ରୁମ୍‌ର ଦରଜା ବନ୍ଦ କରିଦିଅନ୍ତୁ ସାର୍‌, ଦୁର୍ବିତ୍ତମାନେ ପଶିଆସିଚନ୍ତି ହୋଟେଲ ଭିତରକୁ....

 

ଭଲ ହେଲା । ଆଉ ବିଳମ୍ବ ନ କରି ତୃପ୍ତିକୁ ସମ୍ପୂର୍ଣ୍ଣ ବିବସ୍ତ୍ର କରିଦେଲେ ମାନବ ।

ଆହୁରି ଥରେ ବାଜିଉଠିଲା ଟେଲିଫୋନ୍‍ । ସେ ବିରକ୍ତିରେ ଉଠାଇନେଲେ ରିସିଭର ।

 

ସେ ପାଖରୁ କହିଲା ରିସେପ୍‌ସନିଷ୍ଟ ଆପଣଙ୍କ ଗାଡ଼ିରେ କିଏ ନିଆଁ ଲଗାଇ ଦେଇଛି ସାର୍‌ ! ଫାୟାର ଷ୍ଟେସନକୁ ଖବର ଦେଇଛି... ।

 

ଟେଲିଫୋନ୍‍ ରଖିଦେଲେ ମାନବ । ତାଙ୍କ ଭିତରର ଅଗ୍ନି ନିର୍ବାପିତ ହେବା ପରେ ଗାଡ଼ିର ନିଆଁକୁ ପୁଲିସ୍‍ ବିଭାଗର ଦମକଳ ଲିଭାଇ ପାରିଲା କି ନାହିଁ ସେଇ ସମ୍ବାଦ ନେବେ । ଏବେ ନୁହେଁ । ବରଂ ଭଲ ହେଲା । ପୁରୁଣା ଗାଡ଼ିଟା ବାବଦରେ ଇନ୍‌ସୁରାନ୍‌ସରୁ ଯାହା ମିଳିବ ସେତକ ଖର୍ଚ୍ଚ କଲେ ନୂଆ ମାରୁତି ଖଣ୍ଡେ କିଣିପାରିବେ ସେ । ଆଉ ହାତରୁ କିଛି ଖର୍ଚ୍ଚ ହେବ ନାହିଁ-

 

ତୃପ୍ତି କହିଲା - ତୁମର ବୟସ କମି କମି ଯିବାପରି ଲାଗୁଚି.... । ବାହାହେବା ତାରିଖଟା ଖାଲି କହିଦିଅ ମୋତେ .... ମୁଁ ସବୁ ଦେବି ତୁମକୁ ।

 

ତୃପ୍ତିର କାନଫୁଙ୍କି କହିଲେ ମାନବ... ଆଜି ମୋର ବାହାଘର... ବାହାରେ ବାଣ ଫୁଟୁଚି... ହାବେଳି ଉଠୁଚି... ଶୁଣି ପାରୁନ... ?

 

ପ୍ରବୁଦ୍ଧାଚାର୍ଯ୍ୟ ବସି ବସି ଭାବୁଥିଲେ । ନୂତନ ଆଧ୍ୟାତ୍ମିକ ଚେତନା ପ୍ରବର୍ତ୍ତନ କରି ନବ ଜୀବନ ପ୍ରତିଷ୍ଠା କରିବା ସକାଶେ ସେ ସଂକଳ୍ପ କରି ଆସିଥିଲେ ଭୁବନେଶ୍ୱରକୁ । ଭୁବନେଶ୍ୱରର ପାଣି ଓ ପବନ, ଏହାର ପ୍ରାକୃତିକ ପରିବେଶ ଏବଂ ସମୃଦ୍ଧ କଳା ତାଙ୍କୁ ନିଶ୍ଚିତ ଭାବରେ ଆକୃଷ୍ଟ କରିଥିଲା । କିନ୍ତୁ ନୂତନ ଆଧ୍ୟାତ୍ମିକ ଚେତନା ପ୍ରତିଷ୍ଠା କରିବା ସକାଶେ ଏଠାରେ ଦିବ୍ୟଧାମର ପ୍ରଧାନ ଆଶ୍ରମ ସେ ନିର୍ମାଣ କରିଥିଲେ ବି ଏହି କାରଣ ଯେ ଯଥେଷ୍ଟ ନ ଥିଲା ଏହା ଆଜି ଜଣାପଡ଼ୁଛି । ଓଡ଼ିଶାରେ ପ୍ରତିବାଦ, ପ୍ରତିଯୋଗିତା ନ ଥାଏ ବୋଲି ଯେ କୌଣସି ବାଦ ବା ମତାମତ ଏଠାରେ ସହଜରେ ପ୍ରଚଳିତ ହୋଇଯାଏ । ଏଠାରେ ଲୋକମାନେ ଅତି ସହଜରେ ନୂତନ ମତବାଦକୁ ଗ୍ରହଣ କରି ନିଅନ୍ତି ଏବଂ ତାକୁ ପ୍ରତିଷ୍ଠା କରିବାରେ ମଧ୍ୟ ସହାୟକ ହୁଅନ୍ତି । ଏପରି ଏକ ସ୍ଥାନରେ ସହଜିଆ ଜୀବନ ଧାରା ସହଜରେ ପ୍ରଭାବିତ କରେ ଜନଜୀବନକୁ ।

 

ରାଜଧାନୀର ଲୋକମାନେ କିନ୍ତୁ ଅକୃତଜ୍ଞ ଏବଂ ଅଯୋଗ୍ୟ । ନ ହେଲେ ସେ ଗତ କେତେବର୍ଷ ମଧ୍ୟରେ ଅଜସ୍ର ଅର୍ଥବ୍ୟୟ କରି ଏଠାରେ ନୂତନ ଚେତନା ପ୍ରତିଷ୍ଠାକରି ମଣିଷକୁ ଦିବ୍ୟତ୍ୱ ଦବା ନିମନ୍ତେ ଯେଉଁ ପ୍ରଚେଷ୍ଟା କରିଚନ୍ତି ତା’ର ସମର୍ଥନ ନ କରି ବିରୋଧ କରି ନ ଥାନ୍ତେ ଏଠାରେ ଲୋକେ । ପ୍ରକାଶ ପଟ୍ଟନାୟକ ଜଣେ ସାଧାରଣ ବ୍ୟକ୍ତି । ତା’ର ଏତେ ସାହସ ହୋଇ ନ ପାରେ । ତା’ ପଛରେ ଯେ ଶକ୍ତିଶାଳୀ ଲୋକଙ୍କର ସମର୍ଥନ ଓ ସହଯୋଗ ରହିଛି ଏହା ନିଶ୍ଚିତ । ବାବା ଏଥିରେ ବି ନିଃସନ୍ଦେହ ଯେ ପ୍ରକାଶ ପଟ୍ଟନାୟକ ପୁଲିସ୍‍ ଚାକିରିରୁ ବରଖାସ୍ତ ହୋଇ ମଧ୍ୟ ନୀରବରେ ବସି ନାହିଁ, ସେ ବ୍ୟକ୍ତିଗତ ଭାବରେ ଅନୁସନ୍ଧାନ ଜାରୀ ରଖିଚି । ଏ ଭିତରେ ଆହୁରି ଚମକପ୍ରଦ ସମ୍ବାଦ ପାଇଚନ୍ତି ସେ । ସେଇ ସାମ୍ବାଦିକକୁ ଏକ ଅର୍ବାଚୀନ, ଦୁର୍ବଳ ଚରିତ୍ରର ଯୁବକ ବୋଲି ଭାବିଥିଲେ ସେ । ତାକୁ ଅକ୍ତିଆର କରି ଏବଂ ତାହାରି ମାଧ୍ୟମରେ ଆଶ୍ରମର ବୌଦ୍ଧିକ ସ୍ୱରୂପକୁ ପ୍ରଚାର କରିବା ପାଇଁ କଳ୍ପନା କରିଥିଲେ ସେ । ସେଥିଲାଗି କୁଣ୍ଠା ନ କରି ମନୋଜକୁ ଅନୁମତି ଦେଇଥିଲେ ସେ ଆସିବା ପାଇଁ । ଆଶ୍ରମର ଭଗ୍ନୀମାନଙ୍କ ସହିତ ତା’ର ମିଳାମିଶାକୁ ସେ ସନ୍ଦେହ ନ କରି ସମର୍ଥନ କରିଥିଲେ ଏହି କାରଣରୁ ଯେ ଏପରି ଏକ ଶକ୍ତିଶାଳୀ ସାମ୍ବାଦିକ ଯଦି ତାଙ୍କର ଶିଷ୍ୟ ହୋଇ ଦିବ୍ୟଧାମ ଏବଂ ଏହାର ଆଦର୍ଶର ପ୍ରଶସ୍ତି କରେ ସମ୍ବାଦପତ୍ରମାନଙ୍କରେ ତା’ହେଲେ ଅତି ଅଳ୍ପ ସମୟ ମଧ୍ୟରେ ଦିବ୍ୟଧାମ କେବଳ ଏକ ନୂତନ ଜୀବନମାର୍ଗର ପ୍ରଧାନ କେନ୍ଦ୍ରରେ ପରିଣତ ହେବ ନାହିଁ, ଏହିଠାରୁ ସେ ଦିଗ୍‌ବିଜୟ କରିବାକୁ ବାହାରିବେ । ଶଙ୍କରାଚାର୍ଯ୍ୟ ଅଦ୍ୱୈତବାଦ ପ୍ରତିଷ୍ଠା କରିଥିଲେ; କିନ୍ତୁ ଦିବ୍ୟଧାମରୁ ସେ ପରମାନନ୍ଦ ପ୍ରାପ୍ତିର ଚରମ ସାର୍ଥକତା ସମ୍ପର୍କରେ ପ୍ରଚାର କରିବେ ।

 

ଏତେଶୀଘ୍ର ଯେ ତାଙ୍କର ଗଣନା ଭୁଲ ପ୍ରମାଣିତ ହେବ ତାହା ସେ କେବେ କଳ୍ପନା ବି କରି ନ ଥିଲେ । ସେ ଭାବିଥିଲେ ଯେ ପ୍ରତ୍ୟେକ ଜୀବନର ଯୌନ ସନ୍ତୋଷହିଁ ବ୍ୟକ୍ତିର କ୍ରିୟାଶୀଳତାକୁ ସଂକ୍ରମିତ କରେ । ଯୌନବିଳାସ ସାମାଜିକ ଜୀବନରେ ମାନ୍ୟତା ପାଇବାଦ୍ୱାରା ଯୁବକ ଯୁବତୀ ଯେ କେବଳ ଆକୃଷ୍ଟ ହେବେ ସେତିକି ନୁହେଁ, ଯୌନ ଆବେଦନ ପ୍ରତ୍ୟେକ ବୟସ୍କ ବ୍ୟକ୍ତିକୁ ମଧ୍ୟ ଆକର୍ଷଣ କରିବ । ଦିବ୍ୟଧାମର ରହସ୍ୟମୟ ଅନ୍ତରାଳରେ ମୁକ୍ତଭୋଗର ପରମାନନ୍ଦ ପ୍ରାପ୍ତି ଓଡ଼ିଆ ଜାତିକୁ ଯେ ପଦାନତ କରିବ ଏହା ବିଶ୍ୱାସ କରିଥିଲେ ସେ ।

 

ସେଥିପାଇଁ ଅଗ୍ନିରେ ପତଙ୍ଗ ପଡ଼ିବା ପରି ଯୁବକ ଯୁବତୀ, ପୌଢ଼ ଓ ବୃଦ୍ଧ, ବିବାହିତ ଦମ୍ପତି ନୂତନ ଜୀବନର ସ୍ୱାଦ ଚାଖିବା ପାଇଁ ବହୁ ସଂଖ୍ୟାରେ ଆସିଥିଲେ ତାଙ୍କ ପାଖକୁ । ସମସ୍ତଙ୍କୁ ଶିଷ୍ୟ ହେବାର ସୁଯୋଗ ନ ଦେଇ କେତେକଙ୍କୁ ସେ ନିଜେ ବାଛିଥିଲେ । ଏହାଦ୍ୱାରା ଦୁଇଟି ଉଦ୍ଦେଶ୍ୟ ସିଦ୍ଧ ହୋଇଥିଲା । ପ୍ରଥମରେ ଯେଉଁମାନେ ଶିଷ୍ୟତ୍ୱ ଗ୍ରହଣ କଲେ ସେମାନେ ନିଜକୁ ଅନୁଗୃହୀତ ମନେକରୁଥିବାରୁ ସେମାନଙ୍କର ଅନୁରକ୍ତିରେ ସନ୍ଦେହ କରିବାର ଆବଶ୍ୟକ ନ ଥିଲା । ଦ୍ୱିତୀୟରେ ଯେଉଁମାନେ ବାହାରେ ରହିଗଲେ ସେମାନଙ୍କ ମନରେ ଶିଷ୍ୟତ୍ୱ ଗ୍ରହଣ କରିବା ଲାଗି ବାସନା ପ୍ରବଳ ହେବାକୁ ଲାଗିଲା ଏବଂ ସେମାନେ ଆଶ୍ରମ ପ୍ରତି ନିଜର ଅକୁଣ୍ଠ ସମର୍ଥନ ଜଣାଇବାରେ ଲାଗିଲେ । ତାଙ୍କରି ପ୍ରଚେଷ୍ଟାରୁ ଦିବ୍ୟଧାମ କ୍ରମଶଃ ଆକର୍ଷଣର କେନ୍ଦ୍ର ହୋଇଉଠିଲା । ଧନୀ ମାନୀ, ବଡ଼ ବଡ଼ ନେତା ଏବଂ ଅଫିସର, ଓକିଲ ଓ କଣ୍ଟ୍ରାକ୍ଟର ଅଧିକ ସଂଖ୍ୟାରେ ତାଙ୍କର ଶିଷ୍ୟ ହେବାକୁ ଲାଗିଲେ । ମୁକ୍ତଭୋଗର ଆକର୍ଷଣ ସବୁକାଳରେ ଥିଲା, ବର୍ତ୍ତମାନ ବି ଅଛି ଏବଂ ସବୁଦିନ ରହିଥିବ । ସଭ୍ୟ ଓ ସଂସ୍କୃତ ମଣିଷର ଅନ୍ତରାଳରେ ଯୌନକାମନା କରୁଥିବା ଯେଉଁ ମଣିଷଟି ଲୁଚିରହିଚି ତାହା ସର୍କସର ବାଘପରି ବୋଲ ମାନେ ରିଙ୍ଗ୍‍ ମାଷ୍ଟରର; କିନ୍ତୁ ଟିକେ ସୁଯୋଗ ପାଇଲେ ରିଙ୍ଗ୍‍ ମାଷ୍ଟର ସମେତ ସମସ୍ତଙ୍କର ରକ୍ତପାନ କରିବାକୁ ତିଳେ ହେଲେ କୃପଣ ହୁଏ ନାହିଁ । ମଣିଷର ଏହି ଜାନ୍ତବ କ୍ଷୁଧା ନିର୍ବାପିତ ନ ହେବା ପର୍ଯ୍ୟନ୍ତ ସେ ଶାନ୍ତ କିମ୍ବା ସଂଯତ ହେବ ନାହିଁ । ନିବୃତ୍ତି ମାର୍ଗ ଅବଲମ୍ବନ କରୁଥିବା ମଣିଷଟି ପିଞ୍ଜରାବଦ୍ଧ ପଶୁସଦୃଶ । ତା’ ମନରେ ସୁଖ ନ ଥାଏ କି ଶାନ୍ତି ନ ଥାଏ; ସେ କେବଳ ମୁକ୍ତିର ପଥ ଖୋଜିବାରେ ବ୍ୟସ୍ତରହେ । ସେଇ ମୁକ୍ତିର ପଥ ଦେଖାଇ ଦେଇଛନ୍ତି ସେ । ରାଜଧାନୀର ଲୋକେ ତାଙ୍କରି ମାର୍ଗ ଅନୁସରଣ କଲେ ତ୍ୟାଗର ତିତୀକ୍ଷା ମଧ୍ୟଦେଇ ନୁହେଁ, ସମ୍ଭୋଗର ସନ୍ତୋଷ ମଧ୍ୟଦେଇ ପରମାନନ୍ଦ ପ୍ରାପ୍ତି ଆଡ଼କୁ ଅଗ୍ରସର ହେବେ ।

 

ପ୍ରବୁଦ୍ଧାଚାର୍ଯ୍ୟ କ୍ଷୁବ୍‌ଧ ଚିତ୍ତରେ ଝରକାଦେଇ ବାହାରକୁ ଚାହିଁଲେ । ବଗିଚାରେ ପୁଷ୍ପର ସମ୍ଭାର । ଗୋଟିଏ ଗୋଟିଏ ପ୍ରସ୍ଫୁଟିତ ପୁଷ୍ପ ପରି ଆଶ୍ରମର ଭଗ୍ନୀମାନେ ।

 

ପ୍ରବୁଦ୍ଧାଚାର୍ଯ୍ୟଙ୍କର ସବୁଆଡ଼କୁ ଦୃଷ୍ଟି । ସବୁ ଛିଦ୍ର ପଥ ବନ୍ଦକରି ଏକ ନିରାପଦ ସଂସ୍ଥା ଗଠନ କରିବା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ । ତଥାପି କାଳେ ସଙ୍କଟ ପଡ଼ିପାରେ ଏହା ଆଶଙ୍କା କରି ସେ ପୁଲିସ୍‍ ଓ ବିଚାର ବିଭାଗର ବଡ଼ ବଡ଼ ହାକିମମାନଙ୍କୁ ଆୟତ୍ତ ଭିତରକୁ ଆଣିଥିଲେ । ନୂତନ ଆଧ୍ୟାତ୍ମିକ ଚେତନାର ସୁଖ ଓ ସ୍ୱାଦ ଆହରଣ କରିବା ସକାଶେ ସେମାନେ ଅନାୟାସରେ ଚାଲିଆସୁଥିଲେ ଦିବ୍ୟଧାମକୁ । ରାଜନୀତିଜ୍ଞମାନଙ୍କ ପ୍ରତି ତାଙ୍କର ବିଶେଷ ସମ୍ମାନ କୌଣସି ସମୟରେ ନ ଥିଲା, ଆଜି ବି ନାହିଁ । କିନ୍ତୁ ରାଜନୀତିର ନିଜସ୍ୱ ଶକ୍ତି ଏବଂ କ୍ଷମତା ଅଛି । ଅଯୋଗ୍ୟ, ଅସାଧୁ ହେଲେ ବି ରାଜନୈତିକ ନେତାମାନଙ୍କ ହାତରେ କ୍ଷମତା ଠୁଳ ହୁଏ, ସେମାନେ ସରକାର ଚଳାନ୍ତି ଏବଂ ଶାସନ କରନ୍ତି । ସେଥିପାଇଁ ଆଶ୍ରମର ଆତିଥ୍ୟ ଉଦାରତାର ସହିତ ଦେଇ ସେମାନଙ୍କୁ ହାତରେ ରଖିଥିଲେ ପ୍ରବୁଦ୍ଧାଚାର୍ଯ୍ୟ ।

 

ଆଜି ସେ ନିରାପଦ ନ ହେଲେ ବି ଶେଷରେ ଯେ ସବୁ ଆପଦ କଟିଯାଇ ସେ ଯେ ଶୁଦ୍ଧ ପବିତ୍ର ଆଲୋକରଶ୍ମି ପରି ପୁନର୍ବାର ଆଉଥରେ ବିରାଜମାନ କରିବେ ଏହି ଆଶ୍ୱାସନା ତ ପାଇଥିଲେ ସମସ୍ତଙ୍କଠାରୁ ! ପ୍ରକାଶ ପଟ୍ଟନାୟକକୁ ବରଖାସ୍ତ କରାଇ ସେ ନିଷ୍କଣ୍ଟକ ହୋଇଛନ୍ତି ବୋଲି ଭାବିଥିଲେ । କିନ୍ତୁ ଆଶ୍ରମ ସମ୍ପର୍କରେ ଗୋଟିକ ପରେ ଗୋଟିଏ ଖବର ଯେତେବେଳେ ଧାରାବାହିକ ଭାବରେ ସମ୍ବାଦପତ୍ରର ପୃଷ୍ଠା ମଣ୍ଡନ କରିବାକୁ ଲାଗିଲା ସେତେବେଳେ ଆଉ ନିଶ୍ଚିନ୍ତ ହୋଇ ବସିରହିବା ବୁଦ୍ଧିମାନର କାର୍ଯ୍ୟ ହେବ ନାହିଁ ମନେକରି ସେ ଗୁଇନ୍ଦା ବିଭାଗର ସହାୟତା ନେଇ ଜାଣିପାରିଥିଲେ ଏ ସମ୍ପର୍କରେ । ମନୋଜ ମିଶ୍ର ଯେ ଏସବୁର ରଚୟିତା ସେଥିରେ ତିଳେମାତ୍ର ସନ୍ଦେହ ନ ଥିଲା ତାଙ୍କର । ପ୍ରକାଶ ପଟ୍ଟନାୟକଠାରୁ ମନୋଜ ମିଶ୍ର ଯେ ଆହୁରି ଭୟଙ୍କର ଏହା ଜାଣିବାପରେ ତାକୁ କଠୋର ଶାସ୍ତି ଦବାପାଇଁ ସ୍ଥିର କରି ସାରିଥିଲେ ସେ । ତାଙ୍କ ତାଲିକାରେ ପ୍ରଥମ ଏବଂ ପ୍ରଧାନ ଶତ୍ରୁ ମନୋଜ ମିଶ୍ର ଏବଂ ଦ୍ୱିତୀୟରେ ପ୍ରକାଶ ପଟ୍ଟନାୟକ ।

 

କିନ୍ତୁ ଶେଷରେ ସେ ଯାହା ଆଶଙ୍କା କରୁଥିଲେ ତାହାହିଁ ସତ୍ୟ ପ୍ରମାଣିତ ହେଲା ।

 

ମନୋଜ ମିଶ୍ର ସହିତ ପ୍ରକାଶ ପଟ୍ଟନାୟକର ସମ୍ପର୍କ ପରୋକ୍ଷ ନୁହେଁ ପ୍ରତ୍ୟକ୍ଷ ଏହି ସମ୍ବାଦ ପାଇବା ପରେ ସେ ନିଜର ଯୋଜନା ଅନୁସାରେ କାର୍ଯ୍ୟ କରିବା ପାଇଁ ତତ୍ପର ହୋଇଉଠିଲେ ।

 

କିନ୍ତୁ ଏହି କାର୍ଯ୍ୟରେ ବିଘ୍ନ ସୃଷ୍ଟି କଲେ ଭଗ୍ନି ଶୁଭାର୍ଥିନୀ ।

 

ଶୁଭାର୍ଥିନୀ ଯେ ପୁନର୍ବାର ଶାଶ୍ୱତୀ ହେବାପାଇଁ କାମନା କରିବେ ଏହା ସେ ଆଶା କରି ନ ଥିଲେ । ଗୃହବଧୂର ମର୍ଯ୍ୟାଦା ଆଉ ସେ କେବେ ହେଲେ ଫେରି ପାଇବ ନାହିଁ ଏହା ସେ ଜାଣିଥିଲେ । କାଳେ ସେ ପୁଣି ନିଜର ସଂସାରକୁ ଫେରିଯିବା ପାଇଁ ଇଚ୍ଛାକରି ପାରନ୍ତି, ସେଥିପାଇଁ ସେଇ ପଥକୁ ଚିରଦିନ ପାଇଁ ବନ୍ଦ କରିଦବା ସକାଶେ ନାରୀର ଐଶ୍ୱର୍ଯ୍ୟ ଏବଂ ପ୍ରତିଷ୍ଠାରୁ ତାଙ୍କୁ ବିଚ୍ୟୁତ କରିଥିଲେ ସେ ନିଜେ ।

 

କିନ୍ତୁ ତଥାପି ଅପ୍ରତ୍ୟାଶିତ ଭାବରେ ଆଶ୍ରମରୁ ପଳାଇଯାଇ ଶୁଭାର୍ଥିନୀ ଯେ ତାଙ୍କୁ ଆଉ ଏକ ବିପଦମଧ୍ୟକୁ ଟାଣିନେଲେ - ଏହା ତାଙ୍କୁ ବିବ୍ରତ କରି ପକାଇଲା ।

 

ପ୍ରବୁଦ୍ଧାଚାର୍ଯ୍ୟ ନିଷ୍କଣ୍ଟକ ହେବା ପାଇଁ ଯେତିକି ଉପାୟ ଉଦ୍ଭାବନ କରୁଛନ୍ତି ସେତିକି ନୂତନ ବିପଦର ସମ୍ମୁଖୀନ ହେଉଚନ୍ତି । ଆଶ୍ରମ ଭିତରେ ଶତ୍ରୁ ଶିବିରର ଅନୁଚରମାନଙ୍କର ଅନୁପ୍ରବେଶ ଏପରି ଭାବରେ ଘଟିପାରେ ଏହା ସେ ଆଶଙ୍କକରି ନ ଥିଲେ । ଏହାହିଁ ଯେ ତାଙ୍କୁ ବିପଦ ଭିତରକୁ ଟାଣି ନେଇଛି ଏହା ବର୍ତ୍ତମାନ ଦିବାଲୋକପରି ସ୍ପଷ୍ଟ ହୋଇ ଉଠିଲା ।

 

ବାବା କିଛି ସମୟ ଚିନ୍ତାମଗ୍ନ ରହିବାପରେ ହାସ୍ୟମୟୀଙ୍କୁ ଡାକି ପଠାଇଲେ ।

ଏବେ ବି ମନ୍ଦାକିନୀ ଏବଂ ଭଗ୍ନୀ ହାସ୍ୟମୟୀ କୁମାରୀ ।

 

ଆଶ୍ରମର ମୁକ୍ତ ଏବଂ ଅବାଧ ଜୀବନ ଏଯାଏ ସେମାନଙ୍କୁ ପ୍ରଲୋଭିତ କରିପାରି ନାହିଁ । ସେ ବି ସମୟ ଦେଇଚନ୍ତି ସେମାନଙ୍କୁ । ବାଧ୍ୟବାଧ୍ୟକତା କରି ବିଶ୍ୱାସଯୋଗ୍ୟତା ହରାଇବାକୁ ଚାହାଁନ୍ତି ନାହିଁ ସେ ।

 

ହାସ୍ୟମୟୀଙ୍କର ଆସିବା ବେଳ ବି ହୋଇଥିଲା । ସେ ଆସି ପହଞ୍ଚିବାକ୍ଷଣି ବାବା ପ୍ରଶ୍ନକଲେ - ନବେନ୍ଦୁ ଫୁଲ ନେଇ କେବେ ଆସିଥିଲା ଆଶ୍ରମକୁ ?

 

- ପଅରଦିନ, ଶୁକ୍ରବାର ।

- ତା’ ପୂର୍ବରୁ ଆଉ କେବେ ଆସିଥିଲା ?

- ସୋମବାର ।

 

- ସେଦିନ ଯେଉଁ ଫୁଲତୋଡ଼ା ଆଣିଥିଲା ତାହା ସେ କାହା ହାତରେ ପ୍ରଥମେ ଦେଇଥିଲା ?

- ଆପଣଙ୍କର ଆଦେଶ ଅନୁସାରେ ମୋ ବ୍ୟତୀତ ଅନ୍ୟ କାହା ହାତରେ ଫୁଲ ତୋଡ଼ା ଦବା ନିୟମ ବିରୁଦ୍ଧ ।

- ତୁମେ ଆଣିଥିଲ ଫୁଲତୋଡ଼ା ?

- ଆଜ୍ଞା ।

- ନବେନ୍ଦୁ ଉପରେ କିନ୍ତୁ ମୋର ସନ୍ଦେହ ହେଉଛି । ସେ ହୁଏତ ଫୁଲ ଦବା ବାହାନାରେ ଆଶ୍ରମର ଆଭ୍ୟନ୍ତରୀଣ ଖବର ବାହାରେ ପ୍ରକାଶ କରିଦେଉଛି ।

- ଅସମ୍ଭବ ନୁହେଁ, କିନ୍ତୁ ସେଥିରେ ତା’ର ଲାଭ କଅଣ ? କ୍ଷତି ବରଂ ବେଶୀ । ଆଶ୍ରମରୁ ବେଶ୍‌ କିଛି ଉପାର୍ଜନ କରେ ସେ । ନବେନ୍ଦୁ ସେଇ ଉପାର୍ଜନ ବନ୍ଦ କରିବା ପାଇଁ ଚାହିବନି ନିଶ୍ଚୟ ।

- ତା’ ହୋଇପାରେ; କିନ୍ତୁ ଏକଥା ବି ସମ୍ଭବ ଯେ ସେ ଅନ୍ୟ କୌଣସି ସୂତ୍ରରୁ ଅଧିକ ଉପାର୍ଜନ କରିପାରେ ।

- ସମ୍ଭବ ।

- ତା’ ଉପରେ ନଜର ରଖ, ମୁଁ ନିଜେ ମଧ୍ୟ ଦୃଷ୍ଟି ରଖିଚି ।

- ଆଜ୍ଞା ।

ପ୍ରସଙ୍ଗ ଶେଷ ହେବାର ସୂଚନା ପାଇବା ମାତ୍ରେ ଅନ୍ତେବାସୀମାନେ ଚାଲିଯିବାର କଥା-। କିନ୍ତୁ ତଥାପି ହାସ୍ୟମୟୀ ସେଠାରୁ ଯିବାର କୌଣସି ସଂକେତ ନ ପାଇ ଆଶ୍ଚର୍ଯ୍ୟ ହେଲେ ପ୍ରବୁଦ୍ଧାଚାର୍ଯ୍ୟ ।

- କିଛି କହିବ ?

ଆଶ୍ରମ ସମ୍ପର୍କରେ ମୋର କିଛି ମତାମତ ଅଛି ବାବା । ଆପଣ ଅନୁମତି ଦେଲେ ପ୍ରକାଶ କରିବି ।

ପ୍ରବୁଦ୍ଧାଚାର୍ଯ୍ୟଙ୍କର ଅନ୍ୟ ସବୁ କିଛି ଶୁଣିବା ପାଇଁ ଅନୁକୂଳ ମାନସିକ ଅବସ୍ଥା ନ ଥିଲା ସେତେବେଳେ । ସେ କହିଲେ - ଅନେକ ସମୟ ଅଛି ହାତରେ, ପରେ କହିବ ।

ହାସ୍ୟମୟୀ ଧୀରେ ଧୀରେ କକ୍ଷଭିତରୁ ନିଷ୍କ୍ରାନ୍ତ ହୋଇଗଲେ ।

ହାସ୍ୟମୟୀଙ୍କର ହଂସଗତିକୁ ମୁଗ୍‌ଧ ନେତ୍ରରେ ଅନାଇ ରହିଲେ ପ୍ରବୁଦ୍ଧାଚାର୍ଯ୍ୟ । ହାସ୍ୟମୟୀ ଲାସ୍ୟମୟୀ ବି । ହଠାତ୍‌ ସର୍ବାଙ୍ଗରେ ସ୍ୱପ୍ନାଚ୍ଛନ୍ନ ବିହ୍ୱଳତା ଅନୁଭବ କଲେ ସେ ।

ମନ ନୁହେଁ ବୟସ ହିଁ ତାଙ୍କର ପ୍ରତିକୂଳ । ତଥାପି ସମୟ ଅଛି ... ସୁଯୋଗ ବି ଅଛି ... ମନ୍ଦାକିନୀ ଏବଂ ହାସ୍ୟମୟୀ ସ୍ୱର୍ଣ୍ଣପାତ୍ର ଧରି ସେଇ ସୁଯୋଗ ଟେକି ଦବାପାଇଁ ଯେପରି ଛିଡ଼ା ହୋଇଚନ୍ତି ଆଗରେ ।

ଥାଉ...

ମନକୁ ଶାସନ କଲେ ପ୍ରବୁଦ୍ଧାଚାର୍ଯ୍ୟ ।

ନିରୋଳାରେ ‌ଟିକେ ଭାବିନେଇ ଟେଲିଫୋନ୍‍ ଉଠେଇ ଡାଏଲ୍‌ କଲେ ସେ ।

 

ସେପାଖର ସ୍ୱର ଚିହ୍ନିପାରି କହିଲେ ବାବା - ଆଉ ବିଳମ୍ବ କରବା ନିଷ୍ପ୍ରୟୋଜନ ...କିନ୍ତୁ ଯାହା କରିବ ଅତ୍ୟନ୍ତ ସତର୍କତାର ସହିତ କରିବ ଯେପରି... ।

 

ଉଚ୍ଚପାଚେରୀ ଘେରା ଦିବ୍ୟଧାମ ଭିତରୁ ବାହାରି ଆସିବା ପରେ ସମଗ୍ର ପୃଥିବୀ ନୂତନ ମନେହେଲା ଶାଶ୍ୱତୀକୁ । ରାଜଧାନୀର ନୂତନ ଏବଂ ପ୍ରତିଦିନ ପରିବର୍ତ୍ତିତ ହେଉଥିବା ରୂପ ଦେଖି ସେ ମୁଗ୍‌ଧ ଓ ପୁଲକିତ ହେଲା । ଠିକ୍‌ ଦୁଇବର୍ଷ ହେଲା ନୂତନ ଜୀବନର ପ୍ରଲୋଭନକୁ ଏଡ଼ିଯାଇ ନ ପାରି ସେ ପାରମ୍ପାରିକ ଜୀବନକୁ ପରିତ୍ୟାଗ କରି ସେଇ ଯେ ଏକା ଏକା ଚାଲି ଆସିଥିଲା ଆଉ ଫେରିଯାଇ ପାରିନାହିଁ । ଫେରିବାର ସମସ୍ତ ପଥ ତାହାରି ଆଗରେ ବନ୍ଦ ହୋଇ ଯାଇଥିଲା । ଦିବ୍ୟଧାମ ଭିତରେ ନୂତନ ଜୀବନର ତୃପ୍ତି ପାଇବାଲାଗି ସେ ଟାଣିହୋଇ ଆସିଥିଲା; କିନ୍ତୁ ସେଇ ପରମାନନ୍ଦ ପ୍ରାପ୍ତିର ତନ୍ମୟତା ତାକୁ ଆଦୌ ଆକର୍ଷଣ କରିପାରିଲା ନାହିଁ । ଯାହା ଆଜିପର୍ଯ୍ୟନ୍ତ ଥିଲା ତା’ର ଏକାନ୍ତ ନିଜସ୍ୱ ଏବଂ ବ୍ୟକ୍ତିଗତ ସମ୍ପତ୍ତି ତାହା ସ୍ୱୟଂ ପ୍ରବୁଦ୍ଧାଚାର୍ଯ୍ୟଙ୍କଦ୍ୱାରା ଲୁଣ୍ଠିତ ହେବ ଏହା ସେ କଳ୍ପନା ମଧ୍ୟ କରି ନ ଥିଲା ।

 

ରାଜଧାନୀର ରାସ୍ତା ପ୍ରଶସ୍ତ ହୋଇଚି ଏ ଭିତରେ । ଯାନବାହନ ଚଳାଚଳକୁ ସୁଶୃଙ୍ଖଳ କରିବା ପାଇଁ ଭାଗ ଭାଗ କରାଯାଇଚି ଚୌଡ଼ାରାସ୍ତା । ସହରର ଶୋଭା ବର୍ଦ୍ଧନ କରିବା ସକାଶେ ନୂତନ ଉଦ୍ୟାନ ଏବଂ ସାମାଜିକ ଅରଣ୍ୟ ସୃଷ୍ଟି କରାଯାଇଚି । ସ୍ୱର୍ଣ୍ଣାଭ ଆଲୋକରେ ରୂପବତୀପରି ସୁନ୍ଦର ଦିଶୁଚି ରାଜଧାନୀ ।

ଫଗୁଣ ମାସର ରାଜଧାନୀ ଭିନ୍ନ ପ୍ରକାର । ସଂଧ୍ୟାର ମଧୁର ଶୀତଳତା ଏବଂ ପବନର ମୁଗ୍‌ଧ ପ୍ରଗଳ୍‌ଭତା ସହରକୁ କରିଦିଏ ପୁଲ୍ଲକିତ । କୃଷ୍ଣଚୂଡ଼ାର ଶବୁଜ ଶାଖା ଭିତରୁ ଓଢ଼ଣାଖୋଲି ପୃଥିବୀକୁ ପ୍ରଥମକରି ଦେଖିବା ପାଇଁ ଆଖି ଖୋଲେ ନାଲି ନାଲି କଢ଼ ।

ଦିନବେଳଟା ଉତ୍ତୀର୍ଣ୍ଣ ହୋଇଯିବା ପରେ ଓଢ଼ଣାଟାଣି ସେ ଛାଡ଼ି ଆସିଥିବା ଶଙ୍କରର ବାସଗୃହ ଆଡ଼କୁ ଅଗ୍ରସର ହେଲା ।

ଶଙ୍କରର ବାସଗୃହ ... ? ଆଉ ତା’ର ବାସଗୃହ ବୋଲି ଦାବି କରିବା ପାଇଁ ନୈତିକ ଅଧିକାର ନାହିଁ ଶାଶ୍ୱତୀର ।

ଶଙ୍କର ଯଦି ଥାଏ, କିଭଳି ଭାବରେ ସେ ସାକ୍ଷାତ୍‍ କରିବ ତା’ ସହିତ ?

ପାଦଯୋଡ଼ିକ ଅଟକିଗଲା ଶାଶ୍ୱତୀର ।

କେହି ଜଣେ ସାଇକଲରୁ ଓହ୍ଳାଇପଡ଼ି ତା’ ପାଖରେ ଛିଡ଼ାହେଲେ ଦଣ୍ଡେ ।

ଛତରା ଟୋକା ହୋଇଥିବ ଭାବି ସଂକୁଚିତ ହୋଇଗଲା ଶାଶ୍ୱତୀ ।

ଏଇ ଛତରା ଟୋକାମାନଙ୍କର ସଂଖ୍ୟା କିନ୍ତୁ ଏ ମଧ୍ୟରେ ବଢ଼ିଯାଇଥିବା ଅନେକ । ଆଗେ ସେମାନେ ନିର୍ଜନ ରାସ୍ତାରେ ବା ସିନେମା ହଲ୍‌ଆଗରେ ଦେଖାଯାଉଥିଲେ । ଏବେ କିନ୍ତୁ ପ୍ରତି ଛକରେ, ପ୍ରତି ପୋଲ ଉପରେ, ସିନେମା ହଲ ଭିତରେ ଓ ବାହାରେ, ମାର୍କେଟ ଆଗରେ ଏବଂ ଚାର୍ଟ ଦୋକାନର ଚାରିପାଖରେ, ରେଳଷ୍ଟେସନ କିମ୍ବା ରାମ ମନ୍ଦିରରେ ସର୍ବତ୍ର ଏମାନଙ୍କର ଭିଡ଼ ଦେଖୁଚି ଶାଶ୍ୱତୀ ।

ଦିବ୍ୟମାଧରୁ ପଳେଇ ଆସିବାର ସାତଦିନ ହୋଇଗଲାଣି । ଏଇ ସାତଦିନ ମଧ୍ୟରେ ସେ ଲୁଚି ଲୁଚି ବୁଲୁଚି ରାଜଧାନୀରେ । କିନ୍ତୁ ଶଙ୍କର ସହିତ ସାକ୍ଷାତ୍‍ ହୋଇ ନାହିଁ । ତା’ ଘରକୁ ଯିବାପାଇଁ ସାହସ ହୋଇ ନାହିଁ ।

ଆଜି କିନ୍ତୁ ସାହସ କରି ସେ ବାହାରିଚି ଛାଡ଼ି ଆସିଥିବା ଘରକୁ ଦୁଇ ନେତ୍ରରେ ଥରେ ଦେଖିଆସିବା ପାଇଁ । ସେଦିନ ଶଙ୍କରର ଅଜ୍ଞାତରେ ସେ ବାହାରି ଆସିଥିବାବେଳେ ଜାଣି ନ ଥିଲା ଯେ ସେ ଆଦୌ ଫେରିବ ନାହିଁ ସେଇ ଘରକୁ । ବରଂ ଏହା ସେ ଆଶା କରିଥିଲା ଯେ ପରମାନନ୍ଦ ପ୍ରାପ୍ତିର ମାର୍ଗ ଆବିଷ୍କାର କରିବା ପରେ ସେ ଶଙ୍କରକୁ ଡାକିନେବ ଆଶ୍ରମକୁ । ସ୍ୱାମୀ-ସ୍ତ୍ରୀ ଦୁହେଁ ଦୀକ୍ଷା ଗ୍ରହଣ କରିବେ ବାବାଙ୍କଠାରୁ । ସେଇ ଆଶା କିନ୍ତୁ ଧୂଳିସାତ୍‌ ହୋଇଗଲା ଆଶ୍ରମରେ ପହଞ୍ଚିବା ପରେ । ତା’ର ଫେରି ଆସିବାର ସବୁ ଦରଜା ହଠାତ୍‌ ବନ୍ଦ କରିଦେଇଥିଲେ ପ୍ରବୁଦ୍ଧାଚାର୍ଯ୍ୟ । ସେ ପ୍ରତିବାଦ କରିଥିଲା, ପ୍ରତିରୋଧ ମଧ୍ୟ କରିଥିଲା; କିନ୍ତୁ ସବୁ ନିଷ୍ଫଳ ହୋଇଥିଲା ପ୍ରବୁଦ୍ଧାଚାର୍ଯ୍ୟଙ୍କର ପ୍ରଲୋଭନ ଆଗରେ । ଧର୍ଷିତାର ଗ୍ଲାନି ଦେହ ଓ ମନକୁ ସେଇଦିନୁ ଦଗ୍‌ଧ କରୁଚି ପ୍ରତିକ୍ଷଣରେ । ସେ ଅମୃତ ପାନକରିବାକୁ ଆସି ଗରଳ ପାନକଲା ଶେଷରେ ।

ଶାଶ୍ୱତୀ କେତେବେଳୁ ଛିଡ଼ାହୋଇ ରହିଛି ଘର ଆଗରେ । ରାସ୍ତା ମୁଣ୍ଡରେ ଜଳୁଥିବା ଆଲୁଅ ମଳିନ ଦିଶୁଚି । ଶାଶ୍ୱତୀଙ୍କୁ ସେପରି ଅବସ୍ଥାରେ ଘର ଆଗରେ ଛିଡ଼ା ହୋଇଥିବାର ଦେଖି ଘରଭିତରୁ ଜଣେ କେହି ବାହାରିଆସି କହିଲେ - କାହାକୁ ଖୋଜୁଛନ୍ତି ? କଅଣ କାମ ଅଛି ?

ଶାଶ୍ୱତୀ ଅପରିଚିତ କଣ୍ଠସ୍ୱର ଶୁଣି ମୁହଁ ତଳକୁ କରି କହିଲା, ଏଇଟା ଶଙ୍କର ବାବୁଙ୍କ ଘର ନା ? ସେ ଅଛନ୍ତି ଘରେ ?

 

ଲୋକଟି କହିଲା - ସେତ ଏଇ ଘରଛାଡ଼ି ଅନେକଦିନୁ ଚାଲିଗଲେଣି । ଆଉ ଆସି ନାହାନ୍ତି । ଏ ଘରେ ରହୁଛନ୍ତି ରାମଶଙ୍କର ମହାପାତ୍ର । ତାଙ୍କୁ ଖବର ଦେବି ?

 

-ନା,ନା । ଦରକାର ନାହିଁ ମୁଁ ଶଙ୍କରବାବୁଙ୍କୁ ଖୋଜୁଥିଲି ... ।

 

କହି କହି ଆଉ କାଳବିଳମ୍ବ ନ କରି ସେଠାରୁ ନିଷ୍କାନ୍ତ ହୋଇ ପ୍ରଧାନରାସ୍ତା ଉପରକୁ ଆସି ଗୋଟେ ରିକ୍‌ସା ଉପରକୁ ଉଠିଯାଇ କହିଲା - ରେଲଓ୍ୱେ ଷ୍ଟେସନ ।

 

ଦିବ୍ୟଧାମ ଛାଡ଼ି ଆସିବାପରେ ଏ ଯାଏ ଆଶ୍ରା ଖୋଜିପାଇନି ଶାଶ୍ୱତୀ । ମନୋଜର ଠିକଣା ସେ ପଚାରି ନ ଥିଲା କେବେ । ତେଣୁ ତା’ ପାଖକୁ ଯାଇ ତାର ସାହାଯ୍ୟ ନବା ମଧ୍ୟ ସମ୍ଭବ ନ ଥିଲା । ସେଥିପାଇଁ ସେ ଷ୍ଟେସନ ରିଟାୟାରିଂ ରୁମ୍‌ରେ ରହିଯାଇଥିଲା । ଦିନକରୁ ବେଶୀ ରିଟାୟାରିଂ ରୁମ୍‌ରେ ରହିବାର ନିୟମ ନ ଥିଲେ ମଧ୍ୟ ଷ୍ଟେସନ ସୁପରିଣ୍ଟେଣ୍ଡେଣ୍ଟ୍ ତା’ର ଅବସ୍ଥାଦେଖି ତାକୁ ସପ୍ତାହେ ରହିବାପାଇଁ ଅନୁମତି ଦେଇଥିଲେ ।

 

ଶାଶ୍ୱତୀ ଭାବିଥିଲା ଯେ ଏଇ ସାତଦିନ ମଧ୍ୟରେ କିଛିଗୋଟେ ବ୍ୟବସ୍ଥା କରି ନବାପାଇଁ କଷ୍ଟ ହେବ ନାହିଁ । କିଛି ନ ମିଳିଲେ ମଧ୍ୟ ମନୋଜ ଅଛି । ସେ ଶଙ୍କରର ଅନ୍ତରଙ୍ଗ ବନ୍ଧୁ । ତା’ ପାଖରେ ପହଞ୍ଚିଲେ ସେ ଯେ ନିଶ୍ଚିତ ଭାବରେ କିଛିନା କିଛି ବ୍ୟବସ୍ଥା କରିବ - ଏଥିରେ ସନ୍ଦେହ ନ ଥିଲା ମନରେ ।

 

ମନୋଜ ସହିତ ଏପର୍ଯ୍ୟନ୍ତ ସାକ୍ଷାତ ହୋଇ ନ ଥିବାରୁ ବେଶ୍‌ ବିଚଳିତ ବୋଧ କରୁଥିଲା ଶାଶ୍ୱତୀ । ମନୋଜ ଜାଣେ ତା’ ବିଷୟରେ । ସେ ଯେତିକି କହିବା କଥା କହିଚି ତାକୁ । ତାହାରିଠାରୁ ଶଙ୍କର ବିଷୟରେ ପ୍ରଥମେ ଶୁଣିଥିଲା ସେ । ଛିଣ୍ଡି ଯାଇଥିବା ସୁତାଖିଅ ଖଣ୍ଡକୁ ପୁଣି ଯୋଡ଼ିବାପାଇଁ ମନୋଜ ସାହସ ଦେଇଥିଲା ତାକୁ ।

 

ଷ୍ଟେସନରେ ପହଞ୍ଚି ରିଟାୟାରିଂ ରୁମ୍‌କୁ ଯିବା ବାଟରେ ପ୍ଲାଟ୍‌ଫର୍ମକୁ ପ୍ରବେଶପଥ କଡ଼ରେ ହୁଇଲର ବହି ଦୋକାନର ଗୋଟେ ଦୁଇଟା ପତ୍ରିକା ନବାପାଇଁ ଛିଡ଼ା ହୋଇଗଲା ସେ ।

 

ଅନେକଦିନ ହେଲା ବାହ୍ୟଜଗତ ସହିତ କୌଣସି ବୌଦ୍ଧିକ ସମ୍ପର୍କ ନ ଥିଲା ଶାଶ୍ୱତୀର-। ଆଶ୍ରମରେ ଅବଶ୍ୟ ଲାଇବ୍ରେରୀ ଅଛି । କିନ୍ତୁ ସେଠାରେ ଯେଉଁ ବହି ଅଛି ତାହା କେବଳ ପ୍ରଦର୍ଶନୀ ପାଇଁ । ଆଧୁନିକ ପତ୍ରପତ୍ରିକା ଲାଇବ୍ରେରୀକୁ ଆସେ ନାହିଁ । ତେଣୁ ଚଳଚିତ୍ର, ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ପତ୍ରିକା ପଢ଼ିବାର ସୁଯୋଗ ମଧ୍ୟ ନାହିଁ ।

 

ଇଲୋଷ୍ଟ୍ରେଟେଡ଼୍‌ ଉଇକ୍ଲି, ଫେମିନା ଏବଂ ‘ଅମୃତାୟନ’ ପତ୍ରିକା ନେଇ ସେ ପାହୁଚ ଅତିକ୍ରମକରି ଉପରକୁ ଉଠୁଥିବାବେଳେ ହଠାତ୍‌ ପରିଚିତ ସ୍ୱର ଶୁଣି ଚମକିପଡ଼ି ଛିଡ଼ାହୋଇଗଲା ଶାଶ୍ୱତୀ ।

 

ମନୋଜ ଆଉ ଜଣେ ଭଦ୍ରଲୋକଙ୍କ ସହିତ କଥାଭାଷା କରୁ କରୁ ଓହ୍ଲାଉଥିଲା ସିଡ଼ି ଦେଇ ।

 

ଦେଖା ହୋଇଗଲା ସିଡ଼ି ମଝିରେ ।

ମନୋଜ ଅବାକ୍‌ ହୋଇଯାଇ କହିଲା - ତୁମେ ?

 

ଶାଶ୍ୱତୀ କହିଲା - ତୁମକୁ ଖୋଜୁଚି ସପ୍ତାହେ ହେଲା । ଘର ଠିକଣା ତ ଜାଣିନି ! ତେଣୁ ସେଠାକୁ ଯିବା ସମ୍ଭବ ହୋଇନି ।

 

ମନୋଜ ସାଙ୍ଗକୁ ବିଦାୟ ଦେଇସାରି ଶାଶ୍ୱତୀ ସାଙ୍ଗରେ ତା’ର କୋଠରି ଭିତରେ ବସିଲା ଆସି ।

 

ତାକୁ ଆଶ୍ରମ ଛାଡ଼ି ଆସିବାର ଦୁଃସାହସ ଦେଖି ସତରେ ଆଶ୍ଚର୍ଯ୍ୟ ହୋଇଯାଉଥିଲା ମନୋଜ । ଏବେ ସମୟ ପାଇ କହିଲା - ମୁଁ ବୁଝିପାରୁନି କିଛି, ମୋତେ ଅସମ୍ଭବ ପରି ମନେ ହେଉଛି । ତୁମେ ଟିକେ ବୁଝେଇଦିଅ ତ !

 

ଶାଶ୍ୱତୀ ଗୋଟି ଗୋଟି କରି ସବୁ କହିବାକୁ ଲାଗିଲା ।

 

ଆଶ୍ରମର ସୁଖସୁବିଧା ଛାଡ଼ି ଅନିଶ୍ଚୟତା ପଛରେ ଦୌଡ଼ିବା ଦୁଃସାହସ ହୋଇପାରେ; କିନ୍ତୁ ତା’ ଆଗରେ ଆଉ ବିକଳ୍ପପଥ ନ ଥିଲା । ଏକ କାଳ୍ପନିକ ସ୍ୱର୍ଗସୁଖର ପ୍ରଲୋଭନ ଏଡ଼ି ନ ପାରି କ୍ଷଣିକ ଭାବପ୍ରବଣତାର ବଶବର୍ତ୍ତୀ ହୋଇ ସେ ଘରୁ ବାହାରି ଆସିଥିଲା ସତ; କିନ୍ତୁ ସେଇ ସ୍ୱର୍ଗ ଯେ ନର୍କ - ଏହାର ଚାକ୍ଷୁଷ ପ୍ରମାଣ ପାଇବାପରେ ସେ ଆଉ ମୁହୂର୍ତ୍ତେ ସେଠାରେ ରହିବାପାଇଁ ଚାହୁଁ ନ ଥିଲା । କିନ୍ତୁ ଆଶ୍ରମ ଭିତରକୁ ଯିବା କେଡ଼େ ସହଜ, ଆଶ୍ରମ ବାହାରକୁ ଆସିବା ସେତେ ସହଜ ନୁହେଁ । ଏହା ଅତ୍ୟନ୍ତ କଠିନ ବ୍ୟାପାର । କିନ୍ତୁ ସେଇ ପ୍ରଥମଦିନଠାରୁ ସୁଯୋଗର ଅପେକ୍ଷା କରୁଥିଲା ଶାଶ୍ୱତୀ । ଭଗ୍ନୀ ହାସ୍ୟମୟୀଙ୍କର ପ୍ରେରଣା ଅବଶ୍ୟ ତାକୁ ଦମ୍ଭ ଦେଇଥିଲା ଅନେକ । ଦିନେ ମଧ୍ୟାହ୍ନରେ ଆଶ୍ରମର ସମସ୍ତଙ୍କ ଚକ୍ଷୁରେ ଧୂଳିଦେଇ ସେ ବାହାରି ଆସିଥିଲା ସମସ୍ତଙ୍କ ଅଲକ୍ଷ୍ୟରେ । ଏପରିକି ହାସ୍ୟମୟୀଙ୍କ ସହିତ ମୁକ୍ତି ପାଇବାର ପଥ ସମ୍ପର୍କରେ ସେ କେତେଥର ଆଲୋଚନା କରିଥିଲେ ମଧ୍ୟ ତାଙ୍କୁ ଆସିବାବେଳେ କିଛି କହିବାପାଇଁ ସୁବିଧା ପାଇ ନ ଥିଲା । ସେତେବେଳେ ସେ ବାବାଙ୍କ ପରିଚର୍ଯ୍ୟାରେ ବ୍ୟସ୍ତ ଥିଲେ । କାଳେ ସେଇ ସୁଯୋଗ ଆଉଥରେ ମିଳି ନ ପାରେ - ଏହା ଆଶଙ୍କାରେ ଶାଶ୍ୱତୀ ଏକା ନିଃଶ୍ୱାସରେ ଚାଲି ଆସିଥିଲା ଆଶ୍ରମରୁ । ଆସିବାବେଳେ ଚୌକିଦାରକୁ ଅବଶ୍ୟ କହିଆସିଥିଲା ଯେ ସେ ଆଶ୍ରମର ପୁତ୍ରେଷ୍ଟି ଯଜ୍ଞ ସଂକ୍ରାନ୍ତରେ ବାହାରକୁ ଯାଉଛି ବାବାଙ୍କ ନିର୍ଦ୍ଦେଶରେ ।

 

ଶାଶ୍ୱତୀ ସେଇଦିନୁ ରହିଯାଇଚି ଷ୍ଟେସନର ରିଟାୟାରିଂ ରୁମ୍‌ରେ ।

 

ଦୀର୍ଘଦିନ ଏପରି ଭାବରେ ଭୁବନେଶ୍ୱର ଭଳି ସହରରେ ରହିବା ଯେ ନିରାପଦ ନୁହେଁ ଏହା ଶାଶ୍ୱତୀ ଜାଣେ । ମନୋଜ ବି ଜାଣେ ।

 

ଶାଶ୍ୱତୀ କହିଲା, ଯଦି ଆଶ୍ରମର କେହି ଦେଖି ପକାଏ କଅଣ ହେବ କେଜାଣି... ! କିନ୍ତୁ ମୁଁ ଆଉ ପରାଧୀନ ନୁହେଁ - ମୁକ୍ତ, ସ୍ୱାଧୀନ । ଯାହା ହେବାର ହେଉ ମୁଁ ଆଉ ଫେରିବି ନାହିଁ ଆଶ୍ରମକୁ । ମୁଁ ସାବାଳିକା । ମୋତେ କେହି ବାଧ୍ୟ କରିପାରିବେନି । କିନ୍ତୁ ଭୟହୁଏ କାଳେ ଯଦି ବଳାତ୍କାର କରନ୍ତି ସେମାନେ.... ।

 

ମନୋଜ କହିଲା - ଏଠାରେ ରହିବା ନିରାପଦ ନୁହଁ । ମୋ ସାଙ୍ଗରେ ଚାଲ କିଛି ବ୍ୟବସ୍ଥା ହୋଇଯିବ ନିଶ୍ଚୟ ।

 

ସେଇ ରାତିରେ ମନୋଜ ସହିତ ଚାଲିଆସିଲା ଶାଶ୍ୱତୀ ।

 

ପଦ୍ମକେଶରୀ ଘଡ଼େଇ ଅଭୟାଶ୍ରମରେ ରହିବାପରି ନିଶ୍ଚନ୍ତରେ ମାସେକାଳ ରହିଯାଇଥିଲା ମାନବ ମହାନ୍ତିଙ୍କ ଘରେ । ପାରାଦୀପର ପ୍ରତିଦ୍ୱନ୍ଦ୍ୱୀ ଶ୍ରମିକନେତା ଚତୁର୍ଭୁଜ ରାଉତରାୟକୁ ହତ୍ୟାକରିବା ଘଟଣା ଭୁଲିଗଲେଣି ଲୋକେ । ଦଙ୍ଗାରେ ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିବା ଲୋକମାନେ ମଧ୍ୟ ଯେ ଯାହାର ଘରକୁ ଚାଲିଗଲେଣି । ଦଙ୍ଗା ସଂକ୍ରାନ୍ତୀୟ ଅନୁସନ୍ଧାନ ଶେଷ ହୋଇନି କି ଶୀଘ୍ର ଶେଷ ହେବାର ଆଶା ବି ନାହିଁ । ଥାନାବାବୁ ଅପ୍ରତିମ ସାହାଣୀ ମାଲକାନଗିରିକୁ ବଦଳିଗଲେଣି । ବିରୋଧୀଦଳ ସଭାସମିତି କରି ପ୍ରତିବାଦ କରିଥିଲେ; କିନ୍ତୁ ତା’ର ପ୍ରଭାବ କିଛି ପଡ଼ିଲାପରି ମନେ ହେଉନାହିଁ । ପାରାଦୀପକୁ ଫେରିଆସି ପଦ୍ମକେଶରୀ ଘଡ଼େଇ ନିଶଫୁଲେଇ ଦଳପତି ଭାବରେ ପାରାଦୀପରେ ପଇଁତରା ମାରୁଛି । ତା’ ପଛରେ ଦୁଇଜଣ ବୁଲୁଥିଲେ ଆଗେ, ଏବେ ଦଶଜଣ ବୁଲୁଚନ୍ତି । ପ୍ରତିପତ୍ତି ବଢ଼ିଚି ପଦ୍ମକେଶରୀର-। ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରଗତିବାଦୀଦଳ ପକ୍ଷରୁ ସେ ଲଢ଼ିବ ବୋଲି ସ୍ଥିର କରିସାରିଲାଣି । ମନ୍ତ୍ରୀଙ୍କୁ ଛାଡ଼ି ମାନବ ମହାନ୍ତିଙ୍କୁ ଧରିଛି ସେ । ସେଇ ଅଞ୍ଚଳର ମନ୍ତ୍ରୀ ହୋଇଯିବେ ବୋଲି ସମସ୍ତେ ପ୍ରାୟ ନିଶ୍ଚିନ୍ତ ହୋଇଗଲେଣି । ଯଦି ମୁଖ୍ୟମନ୍ତ୍ରୀ ହବାପାଇଁ ଆଶା ନ ରଖି ସେତିକିରେ ସନ୍ତୁଷ୍ଟ ହୁଅନ୍ତି ମାନବ ମହାନ୍ତି, ତା’ହେଲେ ସେ ନିଜର ଲକ୍ଷ୍ୟ ହାସଲ କରିଚନ୍ତି କହିବାକୁ ହେବ । କାରଣ ମାନବ ମହାନ୍ତି ଅତ୍ୟନ୍ତ ଉଚ୍ଚାଭିଳାଷୀ ଏବଂ ନିଜର ଅଭିଳାଷ ଚରିତାର୍ଥ କରିବାର କୌଶଳ ମଧ୍ୟ ତାଙ୍କୁ ଜଣା ।

 

ପଦ୍ମକେଶରୀର ଚିଠି ପାଇ ଖୁସିହେଲେ ମାନବ । ପରିସ୍ଥିତି ଶାନ୍ତ ହୋଇଗଲାଣି । ବନ୍ଦର ଶ୍ରମିକମାନଙ୍କର ଅନେକଗୁଡ଼ିଏ ସଙ୍ଗଠନ ଥିଲେ ବି ‘ବନ୍ଦରଶ୍ରମିକ ସମାଜ’ର ପ୍ରଭାବ ବୃଦ୍ଧି ପାଉଛି । ଚତୁର୍ଭୁଜ ରାଉତରାୟର ମୃତ୍ୟୁପରେ ଏବଂ ତାର କେତେକ ସମର୍ଥକ ଦଙ୍ଗାରେ ସର୍ବସ୍ୱାନ୍ତ ହେବାପରେ ତା’ର ସଙ୍ଗଠନ ଭାଙ୍ଗି ଯାଇଛି । ସେହି ସଙ୍ଗଠନ ଭାଙ୍ଗିଦେଇ ସଙ୍ଗଠନର ସମସ୍ତେ ଯୋଗ ଦେଇଛନ୍ତି ପଦ୍ମକେଶରୀ ଘଡ଼େଇର ସଙ୍ଗଠନରେ । ପଦ୍ମକେଶରୀର ଭାଗ୍ୟ ଭଲ । ବୃହସ୍ପତି ପଞ୍ଚମରେ ଅଛନ୍ତି । ଧନ, ଜନ, ଗୋପ, ଲକ୍ଷ୍ମୀ ଚତୁଃର୍ବର୍ଗ ଫଳପ୍ରାପ୍ତି ହବାର ଲାଗିଚି ।

 

ସେଇ ସଙ୍ଗଠନ ପକ୍ଷରୁ ଅଭିଯାନ ଚାଲିଛି ରାଜ୍ୟର ଶ୍ରମିକ ସଙ୍ଗଠନମାନଙ୍କୁ ନେଇ ଏକ ମହାସଂଘ ଗଠନ କରିବା ସକାଶେ । ଦଙ୍ଗା ଘଟି ନ ଥିଲେ ଏ ଭିତରେ ସେହି କାମ ଆହୁରି ଆଗେଇ ଥାଆନ୍ତା । ଦଙ୍ଗା ଯୋଗୁ କିଛି ବିଳମ୍ବ ହେଲା । ତଥାପି ପଦ୍ମକେଶରୀର ସଙ୍ଗଠନ ଶକ୍ତିବଳରେ ସମସ୍ତ ସଙ୍ଗଠନକୁ ନେଇ ଏକ ଶ୍ରମିକ ମହାସଂଘ ଗଠନ କରିବାଲାଗି ଚାଲିଥିବା ପ୍ରଚେଷ୍ଟା ସଫଳ ହେବାକୁ ଯାଉଛି ।

 

ଆଜି ସଂଧ୍ୟାବେଳେ ସବୁ ଅଞ୍ଚଳରୁ ଆସିଥିବା ଶ୍ରମିକ ଓ ଶ୍ରମିକନେତାମାନଙ୍କର ପ୍ରଥମ ସମାବେଶରେ ମାନବ ମହାନ୍ତି ମୁଖ୍ୟ ଅତିଥିଭାବରେ ଉଦ୍‌ବୋଧନ ଦେବାର କଥା । ତାଙ୍କୁ ମହାସଂଘର ସଭାପତି କରିବା ନିମନ୍ତେ ସିନ୍ଧାନ୍ତ ମଧ୍ୟ ନିଆଯାଇଛି ପ୍ରତିନିଧିମାନଙ୍କର ବୈଠକରେ ।

 

ମାନବ ମହାନ୍ତି ଦୁଇଦିନ ହେଲା ନେହେରୁ-ବଙ୍ଗଳାରେ ରହିଛନ୍ତି ଏଥିପାଇଁ ।

 

ନେହେରୁ-ବଙ୍ଗଳାର ଏକନମ୍ବର କୋଠରିର ବାଲକୋନିରେ ବସିଲେ ସୁନୀଳ ସାଗର ସ୍ୱପ୍ନ ସୃଷ୍ଟି କରେ ମନରେ । ଢେଉପରେ ଢେଉ ଉଠିବା ଓ ଭାଙ୍ଗିବାର ଉଚ୍ଚକିତ ଆନନ୍ଦ ଲେସି ହୋଇଯାଏ ଦେହରେ ଓ ମନରେ । ସୁନୀଳସାଗର ମଝିରେ ବନ୍ଦରକୁ ଆସିବାପାଇଁ ଅପେକ୍ଷା କରୁଥିବା ‘ସିନ୍ଧୁ ସୁଧା’ ଜାହାଜର ଆଲୋକମାଳ ସମୁଦ୍ର ମଝିରେ ଗୋଟିଏ ଛୋଟ ଦ୍ୱୀପର ଭ୍ରମ ସୃଷ୍ଟିକରେ ମନରେ । ମୋଟରବୋଟ ସାହାଯ୍ୟରେ ଜାହାଜରୁ ସହର ସହିତ ସଂଯୋଗ ରକ୍ଷା କରାଯାଏ । ବିଦେଶରୁ ଆସିଥିବା ତାଜା ମଦ ସହରରେ ପହଞ୍ଚିଗଲାଣି ଜାହାଜ ବନ୍ଦରକୁ ପହଞ୍ଚିବା ଆଗରୁ ।

 

ମାନବ ମହାନ୍ତି ଏକା ବସି ଗ୍ଳାସରେ ମୁହଁ ଛୁଆଁଉଥିଲେ । ପାନ କରିବାର ଆନନ୍ଦ ସାଙ୍ଗସାଥି ମେଳରେ । ଏକା ବସି ଧ୍ୟାନ କରାଯାଇପାରେ କିମ୍ବା ବହି ପଢ଼ାଯାଇପାରେ; କିନ୍ତୁ ମଦ୍ୟପାନ କରାଯାଏ ନା । ମାନବ ମହାନ୍ତି ନେହେରୁ-ବଙ୍ଗଳାର ବାଲକୋନିରେ ଏକା ବସି ସ୍କଚ ହୁଇସ୍କି ପିଇବା ପାଇଁ ଆସି ନାହାନ୍ତି । ସେ ଶ୍ରମିକ ମହାସଂଘର ସଭାପତି ହେବା ପାଇଁ ଆସି ନାହାନ୍ତି । ସେ ଶ୍ରମିକ ମହାସଂଘର ସଭାପତି ହେବାପାଇଁ ମଧ୍ୟ ଆସି ନାହାନ୍ତି । ଏସବୁ ଉପଲକ୍ଷ୍ୟ ମାତ୍ର-ଉଦ୍ଦେଶ୍ୟ ନୁହେଁ । ଯେଉଁ ଉଦ୍ଦେଶ୍ୟ ସାଧନ କରିବାଲାଗି ରାଜଧାନୀର କୋଳାହଳ ଛାଡ଼ି ନେହେରୁ-ବଙ୍ଗଳାର ନୀରବ ଶାନ୍ତ ପରିବେଶକୁ ଚାଲିଆସିଚନ୍ତି ସେ, ସେହି ଉଦ୍ଦେଶ୍ୟ ଏବେ ବି ଅସମ୍ପୂର୍ଣ୍ଣ ହୋଇ ରହିଛି । ଶ୍ରୀଲେଖା ଆସି ନାହିଁ କି ତାକୁ ଆଣିବାପାଇଁ ଯାଇଥିବା ଗାଡ଼ି ଫେରି ନାହିଁ ଏଯାଏ ।

 

ଶ୍ରୀଲେଖା ଦାସର ନାମ ଉଚ୍ଚାରଣ କଲେ ଉଚ୍ଛନ୍ନ ହୋଇଉଠନ୍ତି ମାନବ ମହାନ୍ତି । ଏତେ ସୁଖ, ସମ୍ପଦର ଅଧିକାରୀ ସେ । ଏତେ ଐଶ୍ୱଯ୍ୟର ସେ ଅଧିପତି । କ୍ଷମତା ତାଙ୍କର ପଦଲେହନ କରୁଛି । ସିଂହାସନରେ ନ ବସି ମଧ୍ୟ ତାଙ୍କରି ଆଧିପତ୍ୟ ଚଳୁଛି ଶାସନରେ । ସେ ସଭାସ୍ଥଳରେ ପହଞ୍ଚିବାକ୍ଷଣି ଅନ୍ୟମାନେ ଦଣ୍ଡାୟମାନ ହୋଇ ସମ୍ମାନ ଜଣାନ୍ତି ତାଙ୍କୁ । ସେ ଭାବୀମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ।

 

ଯାହା ଚାହିଛନ୍ତି ତାହା ପାଇଛନ୍ତି ସେ । କେବଳ ଗୋଟିଏ ଅଭାବ ସନ୍ତୁଳି ହେଉଛି ମନରେ । ସବୁ ପ୍ରାପ୍ତିର ସୁଖ ଗୋଟିଏ ଅପ୍ରାପ୍ତିର ଅବସାଦରେ ସେ ମ୍ରିୟମାଣ ହୋଇଯାଇଛନ୍ତି ।

 

ଗ୍ଳାସ ପରେ ଗ୍ଳାସ ସରିଯାଉଛି ।

 

ଶିକ୍ଷା କମିଶନର ଶ୍ରୀଲେଖା ପଛରେ ଧାଇଁଥିଲା । ଶଳା ଅଲାଜୁକ ହୋଇ ନ ଥିଲେ ପଚାଶବର୍ଷରେ ପଚିଶବର୍ଷର ଅଧ୍ୟାପିକା ସାଙ୍ଗରେ ଶୋଇବାର ସ୍ୱପ୍ନ ଦେଖନ୍ତା ! ଭଲ ହୋଇଚି, ଶଳା ବଦଳିହୋଇ ଏକାବେଳେ ଦିଲ୍ଲୀ ଚାଲିଯାଇଚି । ଇନ୍ଦ୍ରଚନ୍ଦ୍ରଙ୍କୁ ମାନୁ ନ ଥିଲା ଶଳା । ଏବେ ପରକୀୟାପ୍ରୀତିର ସୁଖ ବାହାରି ଯାଉଥିବ ଦିଲ୍ଲୀରେ ଫାଇନାଲ୍‌ର ନାଲିଫିତା ଖୋଲିବା ଓ ବନ୍ଦ କରିବାରେ ।

 

ରାତି ଏଗାରଟାବେଳକୁ ଗାଡ଼ି ଆସି ପହଞ୍ଚିଲା ନେହେରୁ-ବଙ୍ଗଳାରେ ।

 

ଶ୍ରୀଲେଖାକୁ ନ ଆଣି ନିଶ୍ଚୟ ଫେରି ନ ଥିବ ଲୋକନାଥ । ସେ କଳ କୌଶଳ ଜାଣେ । ଏସବୁ ବିଦ୍ୟାରେ ତାକୁ ବଳିଯିବ ଇମିତି ପୁଅ କମ୍‌ ଅଛନ୍ତି ଧରାଧାମରେ ।

 

ଲୋକନାଥ ଆସି ଛିଡ଼ା ହେଲା ଆଗରେ ।

ମାନବ ମହାନ୍ତି ଗ୍ଳାସଟାକୁ ଖାଲି କରିଦେଇ ଟେବୁଲ ଉପରେ ରଖି ଦେଲେ ।

 

ଲୋକନାଥ କହିଲା-ଅନେକ ମିଛ କହିଛି ସାର୍‌ । କିନ୍ତୁ ଫେଲ୍‌ ମାରିନି । ତାଙ୍କ ସହିତ ତାଙ୍କ ସ୍ୱାମୀ ବି ଆସିଛନ୍ତି କିନ୍ତୁ ।

 

ଚୌକିରୁ ଉଠିପଡ଼ି ଉତ୍ତେଜିତ ସ୍ୱରରେ କହିଲେ ମାନବ-କେଉଁଠି ରଖିଛୁ ସେମାନଙ୍କୁ ?

 

- ସେମାନେ ତଳ କୋଠରିରେ ଅଛନ୍ତି । ହାତମୁହଁ ଧୋଇ ନବାପାଇଁ କହିଛି । ଡିନାର ତ ଏକାସାଙ୍ଗରେ ଖାଇବେ ସାର... !

 

- ଗୁଡ଼୍‌ ! ତୋ ବୁଦ୍ଧିର ପ୍ରଶଂସା କରୁଛି ।

- ତାଙ୍କ ସ୍ୱାମୀଙ୍କ କଥା କିନ୍ତୁ ଆପଣଙ୍କୁ ଆଗ ବୁଝିବାକୁ ହେବ ସାର୍‌ !

- କଅଣ ହୋଇଛି ?

 

ଆପଣ କଲେଜରେ ଅଧ୍ୟାପକ ଥିଲେ ସେ । ସେଠାରୁ ଚାକିରି ଯିବାପରେ ପୁଣି ବହୁତ କୁହାବୋଲା ପରେ ଶିକ୍ଷା କମିଶନରଙ୍କ ସହାୟତାରେ ତାଙ୍କୁ ଚାକିରି ମିଳିଛି । କିନ୍ତୁ ଆଡ଼୍‌ହକ୍‌ ଆପଏଣ୍ଟମେଣ୍ଟ୍‍ । ଆଜି ଅଛି କାଲିକି ନାହିଁ । ଆମ ପାରାଦୀପ କଲେଜରେ ସ୍ଥାୟୀ ପଦଟିଏ ଖାଲି ପଡ଼ିଛି । ସ୍ୱଦେଶ ଦାସଙ୍କୁ ସେଇଠି ରଖାଇଦେଲେ ତାଙ୍କ ମନସ୍କାମନା ପୂର୍ଣ୍ଣ ହେବ ଆଉ ଆପଣଙ୍କ ଅଭିଳାଷ ବି ଅପୂର୍ଣ୍ଣ ରହିବ ନାହିଁ ।

 

- ପାରାଦୀପ କଲେଜର ଦାୟିତ୍ୱ କାହା ଉପରେ ନ୍ୟସ୍ତ ?

 

- ଡାଇରେକ୍ଟରଙ୍କ ହାତରେ । ସେ ଯାହା ଚାହିବେ ତାହା ହେବ । ଆପଣ ତାଙ୍କୁ କହିପାରନ୍ତି, ନ ହେଲେ ଉଚିତ୍‌ ମନେକଲେ ଶିକ୍ଷାମନ୍ତ୍ରୀଙ୍କୁ.....

 

- ନା, ନା, ମନ୍ତ୍ରୀଙ୍କୁ ଆଉ ବ୍ୟସ୍ତ କରିବ କାହିଁକି, ମୁଁ ନିଜେ ଡାଇରେକ୍ଟରଙ୍କୁ କହିଦେବି । ସେ, ମୋର ଅନୁଗତ । ମୁଁ ଉପରକୁ ଗଲେ ସେ ବି ଉପରକୁ ଉଠିବ । ତାଙ୍କ ସହିତ ମୋର ଚୁକ୍ତି ଅନେକ ଆଗରୁ ହୋଇଛି । ଅତି ଅଳ୍ପମୂଲ୍ୟରେ ତାଙ୍କୁ ବେନାମୀ ପ୍ଳଟଟିଏ କରାଇ ଦେଇଛି । ସେ ମୋ ନିକଟରେ କୃତଜ୍ଞ ।

 

ଭଲ ହେଲା । ସ୍ୱଦେଶ ଏବଂ ଶ୍ରୀଲେଖା ଏକନମ୍ବର କୋଠରିରେ ପହଞ୍ଚିବାବେଳକୁ ଉପରେ ବିପୁଳ ଆୟୋଜନ ଦେଖି ସ୍ୱଦେଶ କହିଲା - ଆମେ ମାତ୍ର ତିନିଜଣ, ଏତେ ଖାଦ୍ୟ ଖାଇବ କିଏ ସାର୍‌ !

 

ତା’ ମୁହଁକୁ ରହିଁ ହସିଲେ ମାନବ ।

ଏଇ ସ୍ୱଦେଶ ଦାସକୁ ସେ ଦିନେ ଶାସ୍ତି ଦେଇଥିଲେ ଶ୍ରୀଲେଖା ପାଇଁ ।

ଆଜି ତାକୁ ଶ୍ରୀଲେଖାପାଇଁ ପୁରସ୍କାର ଦବାକୁ ଇଚ୍ଛା ହେଉଛି ।

 

ମାନବ କହିଲେ - ତୁମ ପ୍ରତି ମ୍ୟାନେଜିଂ କମିଟି ଦିନେ ଅନ୍ୟାୟ କରିଥିଲା ସ୍ୱଦେଶ, ମୁଁ କିନ୍ତୁ ତା’ର ସଂଶୋଧନ କରି ପୁଣି ନିଯୁକ୍ତି ଦେଇଚି ତୁମକୁ । ଛାଡ଼ି ସେ କଥା । ଗତସ୍ୟ ଶୋଚନା ନାସ୍ତି । କିନ୍ତୁ ମୋର ବିବେକ ଦଂଶନ କରୁଛି ମୋତେ । ତୁମକୁ ନ କହି ମୁଁ ତୁମପାଇଁ ଆଉ ଗୋଟେ ସ୍ଥାୟୀ ସରକାରୀ ଚାକିରି ଠିକ୍‌ କରିସାରିଛି । ଜଏନ୍‌ କରିବ ?

 

ସ୍ୱଦେଶ ଏତେଟା ଆଶା କରି ନ ଥିଲା । ମାନବ ମହାନ୍ତି ଯେ ରାଜଧାନୀର ମହାପରାକ୍ରମଶାଳୀ ପୁରୁଷ ଏଥିରେ ସନ୍ଦେହ ନାହିଁ । ସେ ନିଜେ ଶାସନର ଲଗାମ ଧରି ନାହାନ୍ତି ସତ; କିନ୍ତୁ ଯେଉଁ କତିପୟ ବ୍ୟକ୍ତି ଶାସନର ବାହାରେ ରହି ଶାସନର ଲଗାମ ନିୟନ୍ତ୍ରଣ କରନ୍ତି ପଛରୁ, ସେ ସେମାନଙ୍କ ମଧ୍ୟରେ ଅନ୍ୟତମ । ତାଙ୍କର ପୋଷକତା ପାଇଲେ ସ୍ୱଦେଶ ଆଉ ଆଡ଼୍‌ହକ୍‌ ନିଯୁକ୍ତିର ଉତ୍କଣ୍ଠାରେ ଘାରିହେବନି ଦିନରାତି ।

 

ଶ୍ରୀଲେଖା ଛିଡ଼ା ହୋଇଥିଲା ସମୁଦ୍ର ଆଡ଼କୁ ମୁହଁ କରି ।

 

ମାନବ ତା’ ପାଖକୁ ଯାଇ ସମୁଦ୍ରରେ ଲଙ୍ଗର ପକେଇ ଅପେକ୍ଷା କରୁଥିବା ‘ସିନ୍ଧୁ ସୁଧା’ ଜାହାଜ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ, ମଝିରେ ଦ୍ୱୀପଟିଏ ପରି ଦିଶୁଚି ଏଇ ଜାହାଜ । ମାଲ ନବାପାଇଁ ଆସିଚି । ପାଇବା ଆଗରୁ ଅପେକ୍ଷା କରିବାର ଯନ୍ତ୍ରଣା କିନ୍ତୁ ବଡ଼ ମର୍ମାନ୍ତିକ ଶ୍ରୀଲେଖା !

 

ଶ୍ରୀଲେଖା କହିବାକୁ ନ ଦେଇ ସ୍ୱଦେଶ କହିଲା, ଠିକ୍‌ କହିଚନ୍ତି ସାର୍‌ । ଅପେକ୍ଷା କରିବାର ଯନ୍ତ୍ରଣା ଅନେକ । କିନ୍ତୁ ଅପେକ୍ଷା ଶେଷରେ ଯଦି ମିଳିଯାଏ ଇପ୍‌ସିତ ବସ୍ତୁ ତା’ହେଲେ ସେଇ ସୁଖର ଅନ୍ତ ନାହିଁ ।

 

ତିନୋଟି ଚୌକିରେ ତିନିଜଣ ବସିଲେ ଯାଇ । ମାନବ ଏବଂ ଶ୍ରୀଲେଖା ମୁହାଁମୁହିଁ ବସିଲେ । ପ୍ରଚୁର ଖାଦ୍ୟସାମଗ୍ରୀ । କିନ୍ତୁ ଭୋକ ନାହିଁ ପେଟରେ । ବହୁ ବାଧ୍ୟବେଧକତା ସତ୍ତ୍ୱେ ବି ମାନବ ଯେମିତି ଖାଇ ପାରିଲେ ନାହିଁ ଯାହା ଖାଇବା କଥା, ଶ୍ରୀଲେଖା ବି ସେହିପରି ଏଣୁ ତେଣୁ ଟିକେ ଖାଇ ଆହାର ସମାପ୍ତ କଲା ।

 

କେବଳ କଣ୍ଠାଗ୍ରତ ପର୍ଯ୍ୟନ୍ତ ଖାଇଲା ସ୍ୱଦେଶ ।

 

ମାନବ ହାତ ଧୋଇବା ଉଦ୍ଦେଶ୍ୟରେ ବାଥ୍‌ରୁ ମ୍‌ଭିତରକୁ ପଶିବା ପରେ ସ୍ୱଦେଶ କହିଲା ସ୍ତ୍ରୀକୁ, ଡୋଣ୍ଟ୍‌ ମେକ୍‌ ଏ ଫାର୍ସ୍‌..ମେକ୍‌ ହିମ୍‌ ହ୍ୟାପି.... ।

 

ଶ୍ରୀଲେଖା ଶୁଷ୍କକଣ୍ଠରେ କହିଲା- କହିପାରୁଛ ଏତେ କଥା ?

 

ଆଉ ଶୁଣିବାକୁ ଅପେକ୍ଷା ନ କରି ଶ୍ରୀଲେଖାକୁ ଶୁଭରାତ୍ରି ଜଣାଇ ଯିବା ଆଗରୁ ପୁଣି କହିଗଲା ସ୍ୱଦେଶ- ତୁମର ଏବଂ ମୋର ଭାଗ୍ୟ ସୂତାଖିଅରେ ଝୁଳୁଚି । ବହୁଦିନ ଧରି ଉତ୍କଣ୍ଠା ଭିତରେ ବଞ୍ଚିପାରେନି ମଣିଷ । ଲେଟ୍‌ ଅସ୍‌ ମେକ୍‌ ପିସ୍‌ ଉଇଥ୍‌ ଦି ସିଚୁଏସନ୍‌ । ପରିସ୍ଥିତିର ପ୍ରତିରୋଧ ନ କରି ତା’ ସହିତ ମିତ ବସିଲେ ସବୁ ଠିକ୍‌ ହୋଇଯିବ । ଆଉ ତା’ପରେ ମୁଁ, ତୁମକୁ ଥରେ ନୁହେଁ ଦଶଥର କହିଥିବି, ଦେହ ଦାନ କଲେ ସତୀତ୍ୱ ଯାଏ ନାହିଁ, ତାହା ତ ମନର ଅଛୁଆଁ ଜିନିଷ ! ସେତକ ମୋ ପାଇଁ ସଂରକ୍ଷିତ କରି ରଖିଚ ଯେତେବେଳେ ଦ୍ୱିଧା କାହିଁକି ? ବି ଏ ଗୁଡ଼୍‌ଗାର୍ଲ... ଆଗେଇ ଯାଅ... ।

 

ବ୍ୟକ୍ତିଜୀବନ ନିର୍ମଳ ନ ହେଲେ ଜାତୀୟ ଜୀବନ ନିର୍ମଳ ହେବ ନାହିଁ । ବ୍ୟକ୍ତିମାନଙ୍କୁ ନେଇ ଏଇ ସମାଜ ସଙ୍ଗଠିତ । ସମାଜ ବା ଜାତି ବାହ୍ୟ ସଙ୍ଗଠନ ନୁହେଁ । ବ୍ୟକ୍ତି ହିଁ ଏହାର ସଜୀବ ସଭ୍ୟ ଏବଂ କ୍ରିୟାଶୀଳ ଶକ୍ତି । ତେଣୁ ବ୍ୟକ୍ତିଜୀବନରୁ ପଙ୍କିଳତା, ମତାନ୍ଧତା ଏବଂ କୁସଂସ୍କାର ଦୂର ନ ହେଲେ ଜାତୀୟ ଜୀବନ ଯେପରି ନିର୍ମଳ ଏବଂ ସମୃଦ୍ଧ ହେବ ନାହିଁ, ସେହିପରି କେତେକ ଦୁର୍ବଳ ଚରିତ୍ରର ଲୋକମାନଙ୍କର ସମାହାର ଦ୍ୱାରା ଏକ ସୁସ୍ଥ ଏବଂ ସୁଦୃଢ଼ ସମାଜ ଗଠିତ ହୋଇପାରିବ ନାହିଁ । ଗାନ୍ଧିଜୀ ବ୍ୟକ୍ତିଜୀବନର ଶୃଙ୍ଖଳା ଉପରେ ଏଥିପାଇଁ ଯୋର ଦେଉଥିଲେ । ସେ ନିଜର ସମଗ୍ର ଜୀବନକୁ ସତ୍ୟର ପରୀକ୍ଷା ନିମନ୍ତେ ଉତ୍ସର୍ଗ କରିଥିଲେ । ନିଜର ବକ୍ତବ୍ୟକୁ ପ୍ରଥମେ ଜୀବନରେ ପ୍ରୟୋଗ କରୁଥିଲେ, ଅନ୍ୟମାନଙ୍କୁ ଦେଉଥିବା ଉପଦେଶ ଆଗେ ନିଜେ ପାଳନ କରୁଥିଲେ । ସୁନାକୁ ପୋଡ଼ିବାଦ୍ୱାରା ଯେପରି ଖାଦଠାରୁ ଖାଣ୍ଟି ସୁନାକୁ ପୃଥକ୍‍ କରିବା ସମ୍ଭବ ହୁଏ, ସେହିପରି ସତ୍ୟର ପରୀକ୍ଷା ନିମନ୍ତେ ଜୀବନକୁ ଯଦି ଏକ ପ୍ରୟୋଗଶାଳା ଭାବରେ ବ୍ୟବହାର କରାଯାଏ ତାହା ବ୍ୟକ୍ତିକୁ କରିବ ଶୁଦ୍ଧ ଏବଂ ନିର୍ମଳ । ତା’ର ଆଳସ୍ୟ, ଅସାମର୍ଥ୍ୟ, ଅହଙ୍କାର ଏବଂ କୁସଂସ୍କାର ସବୁ ଅଲଗା ହୋଇଯିବ ମଇଳାପରି ।

 

ସେଥିପାଇଁ ସମାଜକୁ ଦିଗ୍‌ଦର୍ଶନ ଦେଉଥିବା ଲୋକମାନଙ୍କୁ ପ୍ରଥମେ ନିଷ୍କଳଙ୍କ ଏବଂ ନିଷ୍ଠାପର ନାଗରିକ ହେବାକୁ ହେବ । ଲୋକସଙ୍ଗଠନ କରି ନେତୃତ୍ୱ ନେବା ପୂର୍ବରୁ ଲୋକମାନଙ୍କର ଶ୍ରଦ୍ଧା ଏବଂ ସମ୍ମାନ ଅର୍ଜନ କରିବାକୁ ହେବ ନିଜର ବାହ୍ୟ ଏବଂ ଆଭ୍ୟନ୍ତରୀଣ ସ୍ୱରୂପ ପାର୍ଥକ୍ୟ ନ ରଖି ଏକ ଅବିଭକ୍ତ, ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱକୁ ପ୍ରତିଷ୍ଠା କରିବାକୁ ହେବ । ଏହା କଥାରେ କହିଦେଲେ ହୋଇଯିବ ନାହିଁ, କାର୍ଯ୍ୟରେ ପ୍ରମାଣ କରିବାକୁ ହେବ ।

 

ମନୋଜ ସାମ୍ୱାଦିକ ହେବାଦିନୁ ସତ୍ୟକୁ ଗ୍ରହଣ କରିବାପାଇଁ ଶକ୍ତି ଓ ସାହସ ସଂଗ୍ରହ କରିବା ନିମନ୍ତେ ପ୍ରୟାସ ଏବଂ ଉଦ୍ୟମ କରିଆସିଛି । ନିଜର ସୁବିଧା ଅସୁବିଧା ତା’ର ଦୃଷ୍ଟିକୁ କେବେ ମୋହାଚ୍ଛନ୍ନ କରି ନାହିଁ କିମ୍ବା ସେ ସର୍ବସାଧାରଣଙ୍କ ନାମରେ ନିଜର ପୁଷ୍ଟି ସାଧନ କରି ନାହିଁ । ନିରପେକ୍ଷ ଭାବରେ ସହାନୁଭୂତିର ସହିତ ସେ ପ୍ରତ୍ୟେକ ବିଷୟକୁ ପରୀକ୍ଷାକରି ସିଦ୍ଧାନ୍ତରେ ଉପନୀତ ହୋଇଚି । କୌଣସି ବ୍ୟକ୍ତି ବା ଅନୁଷ୍ଠାନ ପ୍ରତି ଅସ୍ୱୟା ରଖି ସେ ସମ୍ୱାଦ ସଂଗ୍ରହ ଓ ପ୍ରକାଶ କରି ନାହିଁ; ସତ୍ୟକୁ ଲୋକଲୋଚନକୁ ଆଣିବା ଏବଂ ସତ୍ୟର ପ୍ରତିଷ୍ଠା କରିବା ପାଇଁ ହିଁ କରିଛି । ତାହା କରିବାକୁ ଯାଇ ଯଦି ବ୍ୟକ୍ତି ବା ଅନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଥାଆନ୍ତି ତାହା ଇଚ୍ଛାକୃତ ନୁହେଁ; ସେମାନଙ୍କ ନିଜର ତ୍ରୁଟି-ବିଚ୍ୟୁତି ଯୋଗୁ ହୋଇଛି ବୋଲିବାକୁ ହେବ ।

 

ଏପର୍ଯ୍ୟନ୍ତ ଏକା ଲଢ଼ି ଆସିଚି ମନୋଜ । କ୍ରମାଗତ ଭାବରେ ଦୁଷ୍ଟଶକ୍ତିମାନଙ୍କ ବିରୋଧରେ ଅବିରାମ ସଂଗ୍ରାମ ଚଳାଇବାଦ୍ୱାରା ସେ କ୍ଷତିଗ୍ରସ୍ତ ହୋଇଚି । କ୍ଷତ-ବିକ୍ଷତ ବି ହୋଇଛି-। ତା’ର ଘର ଭିତରକୁ ବୋମା ନିକ୍ଷେପକରି ଏବଂ ସ୍କୁଟରରେ ଯାଉଥିବାବେଳେ ପଛରୁ ଧକ୍‌କା ଲଗାଇ ତାକୁ ନିହତ କରିବାର ଉଦ୍ୟମ ହୋଇଛି । ତାକୁ ବଶ କରିବାପାଇଁ ବହୁ କୌଶଳ ପ୍ରୟୋଗ କରାଯାଇଛି । କିନ୍ତୁ ସବୁ ପ୍ରଚେଷ୍ଟା ନିଷ୍ଫଳ ହୋଇଚି ଏପର୍ଯ୍ୟନ୍ତ । ଏଇ ତରୁଣ ବୟସରେ ଯେପରି ସେ ଅନେକ ବନ୍ଧୁଙ୍କର ଶୁଭେଚ୍ଛା ଏବଂ ଅଗଣିତ ନାମହୀନ ଲୋକଙ୍କର ଶ୍ରଦ୍ଧା ଅର୍ଜନ କରିଚି, ସେହିପରି କେତେକ ଶକ୍ତିଶାଳୀ ଶତ୍ରୁ ମଧ୍ୟ ସୃଷ୍ଟି କରିଚି । ସେମାନଙ୍କ ପ୍ରତି ବ୍ୟକ୍ତିଗତ ଆକ୍ରୋଶ ନାହିଁ ମନୋଜର; କିନ୍ତୁ ସେମାନଙ୍କର ଶ୍ୱେନଦୃଷ୍ଟି ପଡ଼ିଛି ତା’ ଉପରେ ।

 

ଶାଶ୍ୱତୀ ଆଶ୍ରମରୁ ପଳେଇଆସି ତା’ର ଶରଣ ନବା ଘଟଣା ଏଯାଏ ପ୍ରଚାରିତ ହୋଇ ନ ଥିଲେ ମଧ୍ୟ ଯେଉଁମାନେ ଜଣେ ସୁଶ୍ରୀ ତରୁଣୀକୁ ତା’ ଘରେ ଥିବାର ଦେଖିଛନ୍ତି ବା ସେ ବିଷୟରେ ଖବର ସଂଗ୍ରହ କରିଚନ୍ତି ସେମାନେ ତାକୁ ସନ୍ଦେହ କରିବା ସ୍ୱାଭାବିକ । ନିଜର ଚରିତ୍ରକୁ ସମର୍ଥନ କରି ସେ କୈଫିୟତ ଦେବାର ଆବଶ୍ୟକତା ଅନୁଭବ କରିନି ସତ; କିନ୍ତୁ ପ୍ରତ୍ୟେକେ ଯେପରି ସନ୍ଦେହୀ ଦୃଷ୍ଟିରେ ତା’ର ଗତିବିଧି ନିରୀକ୍ଷଣ କରୁଛନ୍ତି ।

 

ଶଙ୍କର ପାଖକୁ ଚିଠି ଲେଖିଥିଲା ମନୋଜ । ସବୁକଥା ଗୋଟି ଗୋଟି କରି ଜଣାଇ ଦେଇଥିଲା ତାକୁ । ତା’ର ଆଶା ଥିଲା ଯେ ଶଙ୍କର ଚିଠିପଢ଼ି ସବୁ ବୁଝିବ ଏବଂ ଦରଦୀ ପ୍ରାଣର ତାଡ଼ନା ସହ୍ୟ କରି ନ ପାରି କାଳବିଳମ୍ବ ନ କରି ଚାଲିଆସିବ ଏଠାକୁ ।

 

ସ୍ୱାମୀ-ସ୍ତ୍ରୀଙ୍କର ପ୍ରଥମ ସାକ୍ଷାତ୍‍ ଏବଂ ପ୍ରଥମ ମିଳନକୁ ସ୍ମରଣୀୟ ଏବଂ ମଧୁମୟ କରିବା ସକାଶେ ଅନେକ ଚେଷ୍ଟା କରିଛି ମନୋଜ । ଗୋଟିଏ କୋଠରିକୁ ପରିଷ୍କାର କରି ସଜେଇ ଦେଇଛି ଭଲ କରି । ଶାଶ୍ୱତୀ ଏହାର ପ୍ରତିବାଦ କରି ବିଫଳ ହୋଇଛି । ମନୋଜ ହସରେ ସବୁ ପ୍ରତିବାଦ ଉଡ଼େଇ ଦେଇ କହିଛି ଯେ ତା’ ଭଉଣୀ ଭିଣୋଇ ଘରକୁ ଆସିଲେ ସେ ଯେତିକି କରନ୍ତା ସେତିକି ମାତ୍ର କରିଛି । ଶାଶ୍ୱତୀ ଉତ୍ତର ଦେଇ ନ ପାରି ବାଷ୍ପାକୁଳ ଆଖିରେ ଅନ୍ୟତ୍ର ଯାଇ ଆତ୍ମଗୋପନ କରିବାକୁ ଚେଷ୍ଟା କରିଛି ।

 

କିନ୍ତୁ ଶଙ୍କର ଆସିଲା ନାହିଁ ଏ ଯାଏ ।

ଟେଲିଗ୍ରାମ କଲା ମନୋଜ ।

ତଥାପି ଉତ୍ତର ନାହିଁ ।

ଶାଶ୍ୱତୀ ଉତ୍କଣ୍ଠାରେ ଶୀର୍ଣ୍ଣ ହୋଇଆସିଲାଣି । ତା’ ମୁହଁର ଉଜ୍ଜ୍ୱଳ ରଙ୍ଗ ନିଷ୍ପ୍ରଭ ଦିଶୁଚି ।

 

ମନୋଜ ଆଉ ଧୈର୍ଯ୍ୟ ନ ଧରି ଶେଷରେ ଲେଖିଲା, ‘‘ତୁ ଯଦି ଶାଶ୍ୱତୀକୁ ଗ୍ରହଣ ନ କରୁ ସେଇ ଅପରାଧ ତୋ’ର, ଶାସ୍ୱାତୀର ନୁହେଁ । ତା’ର ମନ ଏବଂ ହୃଦୟ ତୋ’ର ପାଦତଳେ ସମର୍ପିତ । ତାକୁ ଗ୍ରହଣ କରିବା ନ କରିବା ତୋ’ର ନିଜସ୍ୱ ବ୍ୟକ୍ତିଗତ ବିଷୟ । ଆଉ ତୁ ତ ଜାଣୁ, ମୁଁ କାହାରି ବ୍ୟକ୍ତିଗତ ବିଷୟରେ ହସ୍ତକ୍ଷେପ କରିବାକୁ ପସନ୍ଦ କରେନି ।’’

 

ଏହାପରେ ଆଉ ଅପେକ୍ଷା ନ କରିବାର କଥା; କିନ୍ତୁ ତଥାପି ସାତଦିନ ଅପେକ୍ଷା କଲା ମନୋଜ ।

 

ରାଜଧାନୀର ଏଇ ସାତଦିନର ସପ୍ତରଙ୍ଗୀ ରୂପ ଦେଖି ସେ ଆଶ୍ଚର୍ଯ୍ୟ ହେଲାନାହିଁ; ବରଂ ମନେ ମନେ କେବଳ କହିଲା-ଏହାହିଁ ସ୍ୱାଭାବିକ, ଏପରି ଘଟି ନ ଥିଲେ ବୋଧହୁଏ କିଛି ଅଘଟଣ ଘଟିଛି ବୋଲି କହିବାକୁ ପଡ଼ନ୍ତା ।

 

ପ୍ରକାଶ ପଟ୍ଟନାୟକ କାନ୍ଥକୁ ପଛକରି ଲଢ଼ୁଛି ଏକା । ସାହା ଭରସା କେହି ନାହିଁ ।

 

ଦିବ୍ୟଧାମ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିବାଦିନୁ ସେ କେବଳ ସଂକଟ ପରେ ସଂକଟର ସମ୍ମୁଖୀନ ହୋଇ ନାହିଁ, ଶତ୍ରୁ ବି ଅନେକ ସୃଷ୍ଟି କରିଛି । ବରଖାସ୍ତ ହୋଇ ନିଜର ପୈତୃକ ସମ୍ପତ୍ତି ଏବଂ ଭତ୍ତା ଉପରେ ନିର୍ଭର କରି ସଂସାର ଚଳାଉଥିଲା ସେ । କିନ୍ତୁ ଯେଉଁଦିନେ ତାକୁ ଚାକିରିରୁ ଅନ୍ତର କରିବା ଲାଗି ନୋଟିସ୍‍ ପାଇଲା ପ୍ରକାଶ ସେଦିନର ବିଷର୍ଣ୍ଣ ମଧ୍ୟାହ୍ନକୁ କେବେହେଲେ ସେ ଭୁଲିପାରିବ ନାହିଁ ଜୀବନରେ ।

 

ସ୍ତ୍ରୀ ବେମାର । ସାନ ଝିଅ ଏକ ଦୁରାରୋଗ୍ୟ ବ୍ୟାଧିରେ ଆକ୍ରାନ୍ତ । ବାପା ଚିକିତ୍ସାଧୀନ ଥାଇ ବି ଦୀର୍ଘଦିନ ଚିକିତ୍ସାରୁ ବଞ୍ଚିତ ହୋଇ ମୃତ୍ୟୁର ଶେଷ ଘଣ୍ଟି ଶବ୍ଦ ଶୁଣିବା ପାଇଁ ଅପେକ୍ଷା କରୁଥାଆନ୍ତି ରୋଗାଶଯ୍ୟାରେ । ହାତରେ ଅର୍ଥ ନାହିଁ ଔଷଧ କିଣିବାକୁ । ଘରେ ଅଳଙ୍କାର କିମ୍ବା ଆଉକିଛି ମୂଲ୍ୟବାନ ପଦାର୍ଥ ନାହିଁ ଯେ ବିକ୍ରିକରି ବା ବନ୍ଧାଦେଇ କିଛି ଅର୍ଥ ସଂଗ୍ରହ କରିବ ପ୍ରକାଶ-

 

ସେଇ ବିଷର୍ଣ୍ଣ ଅପରାହ୍ନରେ ଦୀର୍ଘନିଃଶ୍ୱାସକୁ ସମ୍ବଳ କରି ମହାଶୂନ୍ୟକୁ ଚାହିଁଥିବାବେଳେ ଡାକବାଲା ଗୋଟିଏ ରେଜେଷ୍ଟ୍ରି ଚିଠି ଦେଇଗଲା ପ୍ରକାଶକୁ । ବିପଦର ସମ୍ମୁଖୀନ ହୋଇ ଏବଂ ଦୁଃଖ ପରେ ଦୁଃଖ ଅଙ୍ଗରେ ନିଭେଇ ସେ ଇମିତି ପାଷାଣ ପାଲଟି ଯାଇଥିଲା ଯେ ଆଉ କିଛି ବଡ଼ ଦୁଃଖ ଥାଇପାରେ - ଏହି ତ୍ରାସ ଆସୁ ନ ଥିଲା ମନରେ । ଚିଠି ଦେଇ ଡାକବାଲା ଚାଲିଗଲା । ଡାକ୍ତର ଲେଖି ଦେଇଥିବା ଔଷଧର ତାଲିକାଟା ପକେଟରେ ପଡ଼ିଛି ଅସହାୟ ଭାବରେ; ଅଥଚ ଏ ପର୍ଯ୍ୟନ୍ତ ଔଷଧ କିଣା ହୋଇନି ଅର୍ଥାଭାବରୁ । ଏପରି ସମୟରେ ଚିଠି ପଢ଼ିବାର ଆଗ୍ରହ ନ ଥିଲା ମନରେ । ତଥାପି ନୂଆ ବିପଦର ଲିପି ବହନ କରି ଚିଠିଟିଏ ଆସିଥିବ ଭାବି ଅନ୍ୟମନସ୍କ ଭାବରେ ଯେତେବେଳେ ସେ ଖୋଲିଲା ଲଫାପାଟାକୁ ଠିକ୍‌ ସେତିକିବେଳେ ତା’ ପକେଟରୁ ପ୍ରେସ୍‌କ୍ରିପସନ୍‌ଟା ନେଇ କୌଣସି କଥା ଶୁଣିବାକୁ ଅପେକ୍ଷା ନ କରି ଔଷଧ ଦୋକାନକୁ ଯାଇ ଔଷଧ କିଣି ମନୋଜ ଫେରିବାବେଳକୁ ବେତ୍ରାହତ ପରି ଠିକ୍‌ ପୂର୍ବାବସ୍ଥାରେ ବସିଥିଲା ପ୍ରକାଶ ।

 

ତାକୁ କିଛି ନ କହି ଘରଭିତରକୁ ଯାଇ ଔଷଧଗୁଡ଼ା ପ୍ରକାଶର ସ୍ତ୍ରୀ ହାତକୁ ବଢ଼ାଇଦେଇ ପୁଣି ପ୍ରକାଶ ପାଖକୁ ଫେରିଆସିଲା ମନୋଜ ।

 

ସେତେବେଳକୁ ତାକୁ ସରକାରୀ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ଚାକିରିରୁ ବହିଷ୍କାର କରିବାର ସରକାରୀ ଆଦେଶ ପଢ଼ିସାରିଥାଏ ସେ ।

 

ମନୋଜ ତା’ କାନ୍ଧ ଉପରେ ହାତରଖି ବସିପଡ଼ିଲା ଆଉ ଗୋଟେ ଚୌକିରେ ।

ପ୍ରକାଶ ତା’ ହାତକୁ ବହିଷ୍କାର ଆଦେଶଟି ବଢ଼ାଇ ଦେଲା କିଛି ମନ୍ତବ୍ୟ ନ କରି ।

ମନୋଜ ଆଖି ବୁଲାଇନେଲା ସେଇ ସରକାରୀ ଚିଠି ଉପରେ ।

 

Unknown

ସରକାର ବିରୋଧୀ କାର୍ଯ୍ୟକଳାପରେ ଲିପ୍ତଥିବା ଏବଂ ଆଇନ ଅନୁସାରେ ପ୍ରତିଷ୍ଠିତ ସରକାରକୁ ଗାଦିଚ୍ୟୁତ କରିବା ସକାଶେ ଷଡ଼ଯନ୍ତ୍ରରେ ଲିପ୍ତଥିବାର ପ୍ରାମାଣିକ ତଥ୍ୟ ପାଇବା ପରେ ସରକାର ବାହାଦୂର ଆନନ୍ଦର ସହିତ ତାକୁ ଚାକିରିରୁ ବହିଷ୍କାର କଲେ ।

 

ପ୍ରକାଶ ଚୁପ୍‌ ହୋଇ ବସିଥାଏ ।

ତାକୁ ହଲାଇଦେଇ କହିଲା ମନୋଜ, ଏହାପରେ କଅଣ କରିବୁ କିଛି ଚିନ୍ତା କରିଛୁ ?

 

ପ୍ରକାଶ ବଜ୍ରମୁଷ୍ଟି ଉତ୍ତୋଳନ କରି କହିଲା, ପଛଘୁଞ୍ଚା ନାହିଁ ବୀରର ଜାତକେ....ଶହେଥର ନ ମରି ଥରେ ମରିବା ଭଲ । ମୋ ପାଖରେ ଅନେକ ତଥ୍ୟ ଅଛି, କିନ୍ତୁ ମୁଁ ସରକାରୀ ଚାକିରିରେ ଶୃଙ୍ଖଳା ଭଙ୍ଗକରି ତାହା ପ୍ରକାଶ କରିପାରୁ ନ ଥିଲି । ଏବେ ମୁଁ ମୁକ୍ତ । ସେଇ ତଥ୍ୟ ପ୍ରକାଶ କରିବାରେ ବାଧା ରହିଲା ନାହିଁ ଆଉ । ତୁ ତା’ର ସଦୁପଯୋଗ କରିପାରୁ ।

 

ମନୋଜ କହିଲା - ସେ ତ ନିଶ୍ଚୟ କରିବି, କିନ୍ତୁ ତୁ ଆଉ ସସ୍‌ପେନସନ ଆଲାଉନ୍‌ସ ବି ପାଇବୁ ନାହିଁ ଯେ...ନିୟମ ଅନୁସାରେ ତୋତେ ଲଢ଼ିବା ପାଇଁ ସୁଯୋଗ ଦେଲେନି କର୍ତ୍ତୃପକ୍ଷ ।

 

କ୍ଷମତାରେ ଥିବା ସ୍ୱେଚ୍ଛାଚାରୀ ପ୍ରଶାସକ ନିଷ୍କଣ୍ଟକ ହେବାପାଇଁ ଚିରକାଳ କାମନା କରେ, ସେହି ଉଦ୍ଦେଶ୍ୟରେ ସବୁ କ୍ଷମତା ପ୍ରୟୋଗ କରେ ମଧ୍ୟ । କିନ୍ତୁ ସେ ଜାଣେନାହିଁ ଯେ ନିଜକୁ ନିଷ୍କଣ୍ଟକ କରିବା ପାଇଁ ସେ ଯେତିକି ଆଇନର ଆଶ୍ରୟ ନିଏ, ଯେତିକି ନିୟମ ଲାଗୁ କରେ, ତା’ର ସ୍ଥିତ ସେତିକି ହୁଏ ବିପନ୍ନ । ନିଜର କଣ୍ଟା ନିଜ କଫିନକୁ ସୁଦୃଢ଼ କରିବା ପାଇଁ କାମରେ ଲଗାଏ ସେ-। କିନ୍ତୁ ପରିତାପର ବିଷୟ ଏହି ଯେ ସେ ତାହା ବୁଝିପାରେ ନାହିଁ । କ୍ଷମତାର ପଟି ଆଖିରେ ବାନ୍ଧିଥିବା ଯାଏ ସେ ନିଜର ଆଲୋକ ବ୍ୟତୀତ ଅନ୍ୟ କାହାକୁ, ଏପରିକି ସୂର୍ଯ୍ୟ ଚନ୍ଦ୍ରକୁ ମଧ୍ୟ ଦେଖିପାରେ ନାହିଁ ।

 

ରାଜଧାନୀ ପ୍ରଶସ୍ତ ରାସ୍ତା ଉପରେ ପୁଣି ଜାନବାହାନର ସୁଅ ବଢ଼ିବାରେ ଲାଗିଛି । ମଧ୍ୟାହ୍ନ ବିରତି ପରେ ଅପରାହ୍ନର କର୍ମଚଞ୍ଚଳତା ପୁଣି ଫେରିଆସିଛି ।

 

ଶୀତଳ ପବନ ବହିବାକୁ ଆରମ୍ଭ କଲାଣି ଦକ୍ଷିଣରୁ । ରାସ୍ତା ଉପରୁ ଛିଡ଼ା କାଗଜ, ଶୁଖିଲା ପତ୍ର ଏବଂ ଆବର୍ଜନା ଉଡ଼ାଇ ନେଇ ରାସ୍ତା ସଫା କରିଦେବାପାଇଁ ପବନର ବେଗ ବଢ଼ିବାରେ ଲାଗିଚି ।

 

ଏଡ଼େବଡ଼ ରାଜଧାନୀରେ ଦୁଇଦିନ ହେଲା ଶୋଷରେ ଅଛନ୍ତି ସହରବାସୀ । ନୂଆହୋଇ ନିର୍ମାଣ କରାଯାଇଥିବା ବିରାଟ ପାଣିଟାଙ୍କି ଭୁଶୁଡ଼ି ପଡ଼ିଛି । କୋଟିଏ ଟଙ୍କା ଭାସିଯାଇଛି ସେଇ ପାଣିସ୍ରୋତରେ । ସହରର ଅଧେ ପାଣିକଳରେ ପାଣି ନାହିଁ । ତଥାପି ଅନ୍ୟ ଅଞ୍ଚଳରୁ ପାଣି ଆଣି କାମ ଚଳାଇ ନିଆଯାଇ ଥାଆନ୍ତା; କିନ୍ତୁ ତାହା ମଧ୍ୟ ସମ୍ଭବ ନୁହେଁ । ଅନ୍ୟ ସେକ୍ଟରର ପାଣିଟାଙ୍କିରେ ପାଣି ଥିଲେ ମଧ୍ୟ ପାଣି ସରବରାହ କରିବା ପାଇଁ ଥିବା ପମ୍ପ ହଠାତ୍ ଅଚଳ ହୋଇପଡ଼ିଛି । ହାହାକାର କରୁଚନ୍ତି ଲୋକେ ।

 

ଭାଗ୍ୟକୁ ହଜାରେ ବର୍ଷ ଆଗେ ବିନ୍ଦୁ ସାଗର ଖୋଳା ହୋଇଥିଲା ବୋଲି, ନ ହେଲେ କଅଣ ହୋଇଥାଆନ୍ତା କେଜାଣି !

 

ଲିଙ୍ଗରାଜ ମନ୍ଦିର ଭୁଶୁଡ଼ି ପଡ଼ିନି, କିନ୍ତୁ ଭୁଶୁଡ଼ି ପଡ଼ିଲା କୋଟିଏ ଟଙ୍କାରେ ନିର୍ମିତ ହୋଇଥିବା ପାଣିଟାଙ୍କି ।

 

ଏହାର ପ୍ରକୃତ କାରଣ ଜାଣି ଦୋଷାକୁ ଦଣ୍ଡଦେବାପାଇଁ କିନ୍ତୁ କୌଣସି ଅନୁସନ୍ଧାନ କିମ୍ବା କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ସିମେଣ୍ଟ ଭାଗ କମେଇ ବାଲିର ଭାଗ ବଢ଼ାଇଥିବା ଏବଂ ଯେତିକି ଲୁହାଛଡ଼ ଯୋଗାଇ ଦିଆଯାଇଥିଲା ସେଥିରୁ ପ୍ରାୟ ଅଧେ କଳାବଜାରରେ ବିକ୍ରିକରିଥିବା ବିଷୟରେ ସତ୍ୟାସତ୍ୟ ଜାଣିବା ପାଇଁ କର୍ତ୍ତୃପକ୍ଷଙ୍କର ସମୟ ନାହିଁ କି ଇଚ୍ଛା ନାହିଁ । ଯେତିକି ଭାଗ ପାଇବା କଥା ସେତକ ଆଗୁଆ ଦେଇ ଠିକା ପାଇଥିବ ଠିକାଦାର । ତା’ର ଧୋଇ ନାହିଁ କି ମରୁଡ଼ି ନାହିଁ । ଲୋକମାନଙ୍କର ଅସୁବିଧା କାହାର ଦାୟିତ୍ୱ ନୁହେଁ ।

 

ପ୍ରକାଶ କହିଲା - ଆଉ ମୋ ନିଜପାଇଁ ନୁହଁରେ ମନୁ, ତୋ ସାଙ୍ଗରେ ସତ୍ୟର ଉଦ୍‌ଘାଟନ କରିବାପାଇଁ ଲଢ଼ିବି । ପାଣିଟାଙ୍କି ଭୁଶୁଡ଼ି ପଡ଼ିବ ବୋଲି ଆଶଙ୍କାକରି ବର୍ଷେ ଆଗରୁ ଯେଉଁ ଗୁପ୍ତ ରିପୋର୍ଟ ଦେଇଥିଲି ମୁଁ ତାହାର ନକଲ ଅଛି ମୋ ପାଖରେ । ତୁ ତା’ର ସଦୁପଯୋଗ କରିପାରୁ । ଆଉ ଜେଜେବାପା, ବାପାଙ୍କ ନାମରେ ପାଞ୍ଚମାଣ ଜମି ତ ଅଛି ଏବେବି ! ସେଥିରୁ ମାଣେ ଦୁଇମାଣ ବିକ୍ରିକରି ବି ଭାବୁଚି ଟିକେ ଦମ୍ଭଧରେ..... ତା’ପରେ ଭବିଷ୍ୟତ କଥା ଚିନ୍ତା କରିବା ପାଇଁ ସମୟ ପାଇବି ।

 

ଦୀର୍ଘ ନୀରବତା ପରେ ପ୍ରକାଶର ବକ୍ତବ୍ୟ କାନକୁ କରୁଣ ଶୁଭୁଥିଲା । ନିରୁପାୟ ଦୃଷ୍ଟିରେ ମନୋଜ ରାସ୍ତାଆଡ଼କୁ ଚାହିଁଲା ।

 

ମ୍ୟୁନିସିପାଲଟିର ପାଣିବୁହା ଗାଡ଼ି ଆସି ଛିଡ଼ାହେଲା ରାସ୍ତା କଡ଼ରେ ।

 

ବାଲତି, ଡେକଚି, ମାଠିଆ ନେଇ ପାଣି ନବାପାଇଁ ଦୌଡ଼ିଲେ ଘରର ଝିଅ ବୋହୂ, ଛୋଟ ବଡ଼ ।

 

ପ୍ରକାଶ କହିଲା - ତୁ ମୋ କଥାକୁ ଖାତିର ନ କରି ଏକା ଏକା ବୁଲୁଛୁ... । ତିନି କାଳ ଭଲ ନୁହେଁ । ଭଲ ଲୋକ କ୍ରୁଶବିଦ୍ଧ ହେବା ଏ ଯୁଗର ନିୟମ ।

 

ମନୋଜ ଏକ ବିଚିତ୍ର ହସ ହସି କହିଲା - ଯୀଶୁଖ୍ରୀଷ୍ଟ ଯଦି ଜାଣିଥାଆନ୍ତେ ଯେ ତାଙ୍କ ପରେ ବି ଗାନ୍ଧୀ ଗୋପବନ୍ଧୁ ଜନ୍ମହେବେ ସେ ଆହୁରି ଖୁସିରେ ମୃତ୍ୟୁ ବରଣ କରିଥାଆନ୍ତେ ।

 

ମନୋଜ ସୁନା, ବିଦେଶୀ ବିଳାସସାମଗ୍ରୀ ଏବଂ ମାଦକଦ୍ରବ୍ୟର ଚୋରା କାରବାର ଉପରେ ଲିଖିତ ପ୍ରବନ୍ଧଟି ଦେଖାଇଲା ପ୍ରକାଶକୁ । କେତେକ ପ୍ରମାଣଯୋଗ୍ୟ ତଥ୍ୟମଧ୍ୟ ପରିବେଷଣ କରାଯାଇଥିଲା ସେଥିରେ । ପାରାଦୀପ ଏବଂ ବିଶାଖାପାଟଣା ବନ୍ଦର ଦେଇ ଯେ ଚୋରାକାରବାର ଅବାଧଗତିରେ ଚାଲିଛି ତାହା ବର୍ଣ୍ଣନାକରି ଏହାର ପୃଷ୍ଠପୋଷକତା କରୁଥିବା କେତେକ ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ପ୍ରତ୍ୟକ୍ଷ ଅଭିଯୋଗ ଉପସ୍ଥାପତି କରିଥିଲା ସେ ।

 

ଏହି ପ୍ରବନ୍ଧ ପଢ଼ିସାରି ପ୍ରକାଶ ଚିନ୍ତିତ ହୋଇପଡ଼ିଲା । ଚୋରାକାରବାରଦ୍ୱାରା ଲକ୍ଷ ଳକ୍ଷ ଟଙ୍କା ଉପାର୍ଜନ କରୁଥିବା ନ୍ୟସ୍ତସ୍ୱାର୍ଥୀମାନେ ଯେ ଏହି ପ୍ରବନ୍ଧ ପଢ଼ି ନୀରବରେ ମୁହଁ ତଳକୁ କରି ବସିରହିବେ ନାହିଁ ଏହା ନିଶ୍ଚିନ୍ତ ଜାଣି ସେ ପୁଣିଥରେ ସାବଧାନ କରାଇଦେଲା ମନୋଜକୁ ।

ସେମାନେ ସ୍ଥିରକଲେ ଯେ କାଲିଠାରୁ ଏକତ୍ର କାମ କରିବେ । ମନୋଜର ସହଯୋଗୀ ଭାବରେ କାମ କରିବ ପ୍ରକାଶ ।

ଏହି ସମୟରେ ‘ମହାନଗରୀ’ ଦୈନିକ ପତ୍ରିକାରେ ସାନ୍ଧ୍ୟ ସଂସ୍କରଣ ବିକିବାପାଇଁ ହୁରି ଛାଡ଼ିଲା ହକ୍‌କର ।

‘‘ହୋଟେଲ ଉତ୍କଳ’’ର ନିର୍ମାଣ ରହସ୍ୟ ପଦାରେ ପଡ଼ିଲା...ଲକ୍ଷ ଲକ୍ଷ ଟଙ୍କାର ହାତସଫେଇ...ସରକାରୀ ନିଗମର କୋଟି କୋଟି ଟଙ୍କା କ୍ଷତି.... ।

ମନୋଜ କାଗଜ ଗୋଟିଏ କିଣିଆଣି ପ୍ରକାଶକୁ ଦେଇ କହିଲା-ପଢ଼ି ଯା... ।

ପ୍ରକାଶ ପଢ଼ିଗଲା ।

ମନୋଜ ବସି ବସି ଶୁଣୁଥାଏ ।

ପଢ଼ିସାରି କହିଲା ପ୍ରକାଶ - ପ୍ରାୟ ସବୁ ସତ୍ୟ... । ହୋଟେଲ ନିର୍ମାଣ କରିବାର ଅଟକଳକୁ ଦୁଇଗୁଣ ବଢ଼ାଇଦେଇ ସେଇ ଅନୁପାତରେ ଦୁଇ ତୃତୀୟାଂଶ ଅର୍ଥ ଶିଳ୍ପ ନିଗମ ଏବଂ ବ୍ୟାଙ୍କଠାରୁ ଋଣ ନେଇ ସେଥିରୁ ପ୍ରାୟ ଅଧେ ଟଙ୍କାରେ ହୋଟେଲ ନିର୍ମାଣ କରି ବାକି ଟଙ୍କା ଅନ୍ୟତ୍ର ଉପଯୋଗ କରିବାର ପ୍ରମାଣ ରହିଚି । ଦୁଇକୋଟି ଟଙ୍କାର ଅଟକଳ କରାଯାଇଥିଲା ପ୍ରଥମେ । ଅତ୍ୟାଧୁନିକ ବିଶେଷ ଶ୍ରେଣୀର ପଞ୍ଚତାରକା ହୋଟେଲ ନିର୍ମାଣ କରିବାପାଇଁ ବ୍ୟୟ ଅଟକଳ କରାଯାଇଥିଲା । ଦେଢ଼କୋଟି ଟଙ୍କା ଋଣ ମିଳିଥିଲା ବିଭିନ୍ନ ସୁତ୍ରରୁ । ସେଥିରୁ ପଚାଶ ଲକ୍ଷ ଟଙ୍କା ମ୍ୟାନେଜିଂ ଡାଇରେକ୍ଟର ନିଜର ସ୍ତ୍ରୀ, ପୁତ୍ର, ଜ୍ୱାଇଁଙ୍କ ନାମରେ ବିଭିନ୍ନ ଉଦ୍ୟୋଗରେ ବିନିଯୋଗ କରି ବାକି କୋଟିଏ ଟଙ୍କାରେ ହୋଟେଲ ନିର୍ମାଣ କରିଥିଲେ ପରିଚାଳନା କର୍ତ୍ତୃପକ୍ଷ । ଏ ବିକ୍ଷୟରେ କେତେକ ଗୋପନୀୟ କାଗଜପତ୍ର ମଧ୍ୟ ମିଳିଥିବାର ପ୍ରକାଶ । ହୋଟେଲ କ୍ଷତିରେ ଚାଲୁଥିବାର ଋଣ ପରିଶୋଧ କରିବା ସମ୍ଭବ ହେଉ ନ ଥିବାର କାରଣ ଦର୍ଶାଇ ମ୍ୟାନେଜମେଣ୍ଟ୍‍ ହୋଟେଲର ପରିଚାଳନା ଶିଳ୍ପନିଗମ ଏବଂ ବ୍ୟାଙ୍କ ହାତରେ ଅର୍ପଣ କରିବାର ଇଚ୍ଛା ପ୍ରକାଶ କରିଥିବାର ମଧ୍ୟ ପ୍ରକାଶ ପାଇଛି ସମ୍ବାଦରେ ।

- ତୁ ଏ ବିଷୟରେ ଜାଣୁ ପ୍ରକାଶ... ? ପଚାରିଲା ମନୋଜ ।

- ସବୁ ଜାଣେ ।

- ତୁ ଏ ଖବର ଦେଇନୁ ତ ?

- ପ୍ରତ୍ୟକ୍ଷ ଭାବରେ ଦେଇନି....କିନ୍ତୁ ପରୋକ୍ଷଭାବରେ ଏହା ପଛରେ ମୋର ସାହାଯ୍ୟ ନାହିଁ କହିଲେ ମିଛ କହିବି ।

- ଚମତ୍କାର । ତୁ ତୋ ଯୋଗ୍ୟତାର ପ୍ରକୃତ ପ୍ରମାଣ ଦେଇଛୁ । କଥାରେ କହନ୍ତି ଉତ୍ତପ୍ତ ଲୁହା ଉପରେ ହାତୁଡ଼ି ମାରିବା - ଏଇ ପ୍ରକୃତ ସମୟ ପ୍ରକାଶ ! ତୁ ସହଯୋଗ କଲେ ଏ ବିଷୟରେ ଆହୁରି ଚମକପ୍ରଦ ତଥ୍ୟ ପ୍ରକାଶିତ ହେବ । ଖାଲି ଏ ବିଷୟରେ ନୁହେଁ ରାଜଧାନୀର ସର୍ବତ୍ର ଗଢ଼ି ଉଠୁଥିବା ଆକାଶଚୁମ୍ବି ଅଟ୍ଟାଳିକା, ଶିକ୍ଷାୟତନର ପରିଚାଳନାରେ ଘଟୁଥିବା ଦୁର୍ନୀତି ଏବଂ ଅବିଚାର, ଆଧ୍ୟାତ୍ମିକତା ପ୍ରସାର ନାମରେ ଘଟୁଥିବା ବ୍ୟଭିଚାର ସମ୍ପର୍କରେ ବହୁ ଚମକପ୍ରଦ ସମ୍ବାଦ ପରିବେଷଣ କରାଯାଇପାରିବ ।

- କିନ୍ତୁ ଏକାବେଳେ ଅନେକ ଶତ୍ରୁଙ୍କ ସହିତ ଲଢ଼ିବାକୁ ହେବରେ ମନୁ.... ।

- ମୁଁ ଜାଣେ । କିନ୍ତୁ କହିଛି ଯେ ଉତ୍ତପ୍ତ ଅବସ୍ଥାରେ ଲୁହା ଉପରେ ମାଡ଼ି ନ ଦେଲେ ଶୁଭମୁହୁର୍ତ୍ତ ଅତିକ୍ରାନ୍ତ ହୋଇଯିବ.... ।

- ତା’ ହେଲେ ତାହାହିଁ ହେଉ । ମୁଁ ରାଜି ।

ତା’ ପାଖରୁ ବିଦାୟ ନେଇ ମନୋଜ ଘରକୁ ଫେରୁଥିବା ସମୟରେ ମାଷ୍ଟରକ୍ୟାଣ୍ଟିନ ନିକଟରେ ଖୋଲିଥିବା ନୂଆ ରେସ୍ତୋଁରା ‘ବିନିତା’ରେ ଦୋସା ଏବଂ କଫି ଖାଇବାପାଇଁ ଅଟକିଗଲା ଟିକେ ।

ସେ ଦୋସାରୁ ଟିକେ ମୁହଁରେ ଦେଇଛି କି ନାହିଁ ଝଡ଼ପରି ରେସ୍ତୋଁରା ଭିତରକୁ ପଶିଆସିଲେ ଦଳେ ଯୁବକ ।

ଦୁଇଜଣ ପିସ୍ତଲ ଧରି ରେସ୍ତୋରାଁ ଭିତରେ ଥିବା ଲୋକମାନଙ୍କୁ ଯିଏ ଯେଉଁଠି ଅଛନ୍ତି ସେଠାରୁ ପାଦେ ନ ଘୁଞ୍ଚିବାପାଇଁ ସତର୍କ କରାଇଦେଲେ । ଆଉ ଦୁଇଜଣ ପ୍ରବେଶ ପଥରେ ଛୁରା ହାତରେ ଛିଡ଼ାହୋଇ ରହିଲେ ଏବଂ ଅନ୍ୟ ଜଣେ କାଉଣ୍ଟରକୁ ଯାଇ କେସିଅରର ବାକ୍‌ସରୁ ଛୁରାଦେଖାଇ ଯେତେ ଟଙ୍କା ଥିଲା ସବୁ ଗୋଟେ କଳା ଥଳିରେ ଭର୍ତ୍ତି କରିବା ପରେ ସମସ୍ତେ ଯେପରି ଝଡ଼ବେଗରେ ଆସିଥିଲେ ସେହିପରି ଝଡ଼ବେଗରେ ବାହାରିଗଲେ । କିନ୍ତୁ ଯିବାବେଳେ ରେସ୍ତୋଁରା ସାମ୍ନାରେ ଏକ ହାତବୋମାର ପ୍ରଚଣ୍ଡ ବିସ୍ଫୋରଣ ଯୋଗେ କମ୍ପିଉଠିଲା ସେହିସ୍ଥାନ । ବିସ୍ଫୋରଣ ପରେ କେତେକ କାଚ ଝରକା ଭାଙ୍ଗି ପଡ଼ିବାର ଏବଂ ରାସ୍ତାରେ ଯାଉଥିବା ପଥଚାରୀ କେତେଜଣ ଆତଙ୍କରେ ଚିତ୍କାର କରି ଏଣେ ତେଣେ ପଳେଇବାର ଦେଖାଗଲା । ଧୂଆଁରେ ଭର୍ତ୍ତିହୋଇଗଲା ରେସ୍ତୋଁରା ଏବଂ ସନ୍ନିକଟବର୍ତ୍ତୀ ସ୍ଥାନ ।

ଦୁର୍ବୃତ୍ତମାନେ ଗୋଟେ କଳା ଆମ୍ବାସାଡ୍‌ର ଗାଡ଼ିରେ ଆଖି ପିଛୁଳାକେ ଅଦୃଶ୍ୟ ହୋଇଗଲେ ।

ଆଉ ଦୋସାଖିଆ ହୋଇପାରିଲେ ନାହିଁ ।

ଷ୍ଟେସନ ସ୍କୋୟାରର ଜନାକୀର୍ଣ୍ଣ ଅଞ୍ଚଳରେ ଏପରି ଘଟଣା ଘଟିବା ଏଇ ପ୍ରଥମ ।

ମନୋଜ ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରି ପ୍ରତ୍ୟକ୍ଷଦର୍ଶୀ ଏକ ତାଜା ଖବର ସଙ୍ଗେ ସଙ୍ଗେ ସମ୍ବାଦପତ୍ର ଅଫିସକୁ ପଠାଇଦେଲା । ତା’ର ଅଳ୍ପ ସମୟ ମଧ୍ୟରେ ଶିରିପୁର ଛକର ଗୋଟିଏ ବ୍ୟାଙ୍କ୍‌ରୁ ଦେଢ଼ଲକ୍ଷ ଟଙ୍କା ଲୁଟ୍‍ ହୋଇ ଯାଇଥିବାର ଖବର ପାଇଲା ସେ । ବ୍ୟାଙ୍କ୍‌ ଲୁଟିର ଠିକ୍‌ ଅଧଘଣ୍ଟାଏ ପୂର୍ବରୁ ରେସ୍ତୋଁରାରେ ଏହି ଦୁର୍ଘଟଣା ଘଟିଲା । ସେଠାରେ ବି ପାଞ୍ଚଜଣ ଏବଂ ଏଥିରେ ବି ସେହି ପାଞ୍ଚଜଣ । ସେଇ କଳାରଙ୍ଗର ଆମ୍ବାସଡ଼ର ଗାଡ଼ି ଉଭୟ ସ୍ଥାନରେ ବ୍ୟବହୃତ ହୋଇଥିଲା ।

ମନୋଜ ନିଃସନ୍ଦେହ ହୋଇଗଲା ଯେ ସେମାନେ ଗୋଟିଏ ଦଳ । ଜଣକର ମୁହଁ ବି ଭଲ କରି ଦେଖିପାରି ନ ଥିଲା ସେ । ସମସ୍ତେ ମୁହଁରେ କଳାପଟି ବାନ୍ଧିଥିଲେ । ରାଜଧାନୀରେ ଏପରି ଦୁଃସାହସିକ ଡକାୟତ ଏହି ପ୍ରଥମ ଏବଂ ସମଗ୍ର ସହରର ଧନ ଓ ଜୀବନ ଯେ ନିରାପଦ ନୁହେଁ ଏହା ତା’ର ପ୍ରମାଣ ବୋଲି ଚାଞ୍ଚଲ୍ୟ ଖେଳିଗଲା ଲୋକମାନଙ୍କ ମଧ୍ୟରେ ।

 

ମଣିଷ ଯେତିକି ସୁରକ୍ଷିତ ହେବାକୁ ଚେଷ୍ଟାକରୁଚି ସେତିକି ତା’ର ସ୍ଥିତି ବିପନ୍ନ ହବାରେ ଲାଗିଚି । ଏକ ନୂତନ ସଂସ୍କୃତି ଆସିଚି ଦେଶକୁ । ପରମ୍ପରା ଏବଂ ଐତିହ୍ୟ, ଯୁଗ ଯୁଗର ସଂସ୍କାର ଏବଂ ମୂଲ୍ୟବୋଧ ଭାଙ୍ଗି ପଡ଼ିବାରେ ଲାଗିଚି । ଅର୍ଥହିଁ ମଣିଷର ଚିନ୍ତା ଓ ଚେତନାକୁ ଆଚ୍ଛନ୍ନ କରିଛି-। ଅନ୍ୟମାନଙ୍କୁ ଶୋଷଣ କରି କେତେକ ରାତାରାତି କୋଟିପତି ହୋଇଯିବାପାଇଁ ଯେପରି ଉଦ୍ୟମ କରୁଚନ୍ତି, ଥିବାଲୋକ ନୀତିନିୟମ ଭାଙ୍ଗିବାର ସହସ୍ର ଦୃଷ୍ଟାନ୍ତ ପ୍ରତିଦିନ ସୃଷ୍ଟି ହେଉଥିବାରୁ ନ ଥିବା ଲୋକର ଆଦର୍ଶ ବୋଲି କିଛି ରହୁ ନାହିଁ । ହିଂସା, ଡକାୟତି, ଲୁଣ୍ଠନ ଜୀବନଚର୍ଯ୍ୟାର ଅଙ୍ଗ ହବାକୁ ବସିଲାଣି । ନ୍ୟାୟ ଓ ବିଚାରପାଇଁ କୋର୍ଟ କଚେରୀକୁ ଦଉଡ଼ୁଥିବା ଲୋକଟି ନିଃସହାୟପରି କେବଳ ମହାଶୂନ୍ୟକୁ ଚାହୁଁଚି ।

 

ଯେଉଁଦିନ ମଣିଷ ନିଜର ଶକ୍ତିଉପରେ ନିର୍ଭରକରି ଶଠତା ନୁହେଁ ସାଧୁତାଦ୍ୱାରା ଯାହା ଉପାର୍ଜନ କରିବ ସେତିକିରେ ସନ୍ତୁଷ୍ଟ ତା’ର ଦୁଃଖ ସୁଖରେ ପ୍ରତିବେଶୀର ସହାନୁଭୂତି ଓ ସହଯୋଗ ପାଇବ ଏବଂ ସେ ବୃହତ୍ତର ସମାଜ ଗଠନର କ୍ଷୁଦ୍ର ଓ ନଗଣ୍ୟ ହେଲେ ବି ଏକ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିବ । ସେ ଯୁଗ ବୋଧହୁଏ ଅତିକ୍ରାନ୍ତ ହୋଇଯାଇଚି । ଯାହାର ଅଛି ସେ ଆହୁରି ବେଶୀ ଅଧିକାର କରିବାକୁ ଚାହେଁ ସଂଗ୍ରହ କରିବାର ନିଶା ମଣିଷକୁ ପାଗଳ କରୁଚି । ପ୍ରାଚୁର୍ଯ୍ୟରୁ ଆଉ କାହା ହାତରେ କାଣିଚାଏ ଦବାପାଇଁ ମନ ବଳୁନି । ଏକ ଦୁନିର୍ବାର ସର୍ବନାଶୀ ଶକ୍ତି ମଣିଷର ସକଳ ଉତ୍କର୍ଷତା ଏବଂ ଉତ୍ତରଣ ଶୀତଳତାକୁ ଗ୍ରାସ କରିଯିବାକୁ ବସିଚି ।

 

ଏଇ ଯୁଗରେ ଜନ୍ମଗ୍ରହଣ ନ କରି ମନୋଜ ଯଦି ଅନ୍ୟ ଏକ ଯୁଗରେ ଜନ୍ମଗ୍ରହଣ କରିଥାଆନ୍ତା, ମଣିଷର ଉତ୍କର୍ଷତା ଲେଖାର ବିଷୟବସ୍ତୁ ନ ହୋଇ କେବଳ ତା’ର ଦୁଷ୍କର୍ମ ହିଁ ଆଖି ଆଗରେ ପଡ଼ନ୍ତା ।

 

ଏଇ ସପ୍ତାହର ଛୋଟ ବଡ଼ ଘଟଣାଗୁଡ଼ିକୁ ଏକତ୍ର ଦେଖିଲେ ଯେଉଁ ସମାଜର ଚିତ୍ର ଆଖିଆଗରେ ଉଦ୍ଭାସିତ ହେଉଚି ସେପରି ଏକ ସମାଜ ପ୍ରତିଷ୍ଠା କରିବାପାଇଁ ନିଶ୍ଚୟ ଆମର ପୂର୍ବପୁରୁଷମାନେ ଇଚ୍ଛା କରି ନ ଥିଲେ । ସମତା, ନ୍ୟାୟ, ସୁବିଚାର ଏବଂ ଭାତୃତ୍ୱବୋଧ ଦବାପାଇଁ ଯେଉଁ ସମ୍ବିଧାନ ପ୍ରଣୟନ କରିଥିଲେ ସେମାନେ ତାକୁ ଏଇ ପଇଁତିରିଶ ବର୍ଷରେ ଅକାମୀ କରିଦେବା ସକାଶେ ଯେ ଦଳେଲୋକ ହୀନଚକ୍ରାନ୍ତ ଚଳାଇଛନ୍ତି, ତାହା ସ୍ପଷ୍ଟ ହୋଇଗଲାଣି ।

 

ତଥାପି ଭିତରୁ କିଏ ଅଭୟ ଦିଏ, ଆଶାଦିଏ ମନୋଜକୁ ।

 

ଝଡ଼ତୋଫାନ କଟିଯାଇ ଆକାଶ ଦିନେ ପୁଣି ନିର୍ମଳ ହେବ । ଅନ୍ୟାୟ ଓ ଅବିଚାର, ଶଠତା ଓ ପ୍ରତାରଣାର ଧ୍ୱଂସସ୍ତୁପରୁ ପୁଣିଥରେ ନ୍ୟାୟ, ସୁବିଚାର, ସାଧୁତା ଏବଂ ବିଶ୍ୱାସ ଜନ୍ମନେବ-

 

ସେହି ନୂତନ ସୃଷ୍ଟି କାଲି ଆସୁ ବା ଅନେକକାଳ ପରେ ଆସୁ, ତାହା କିନ୍ତୁ ଆସିବ ନିଶ୍ଚୟ । କାଳଚକ୍ରର ଗତିକୁ କେହି ପ୍ରତିହତ କରିପାରିବ ନାହିଁ । ଦୁର୍ଦ୍ଦିନ ଦୂର ହେବା ଯେପରି ନିଶ୍ଚିତ, ସୁଦିନ ଯେ ପୁଣିଥରେ ଆସିବ ଏହା ମଧ୍ୟ ଅବସାରିତ ।

 

ସୃଷ୍ଟିର ରହସ୍ୟ ସମ୍ପର୍କରେ ଭାବି ଭାବି ଶୋଇପଡ଼ିଲା ମନୋଜ ।

ହଠାତ୍‌ ନିରାକାର ପ୍ରଧାନର ହତ୍ୟା ରହସ୍ୟ ଉଦ୍‌ଘାଟିତ ହୋଇଗଲା ।

 

ପୁଲିସ୍‍ ପାଖରେ ପହଞ୍ଚିଥିବା କେତେକ ବେନାମୀ ଚିଠିକୁ ଭିତ୍ତିକରି କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକାଣ୍ଡ ସମ୍ପର୍କରେ କୌଣସି ପ୍ରାମାଣିକ ତଥ୍ୟ ଅଭାବରୁ ପ୍ରାୟ ଫିତାବନ୍ଧା ହୋଇଥିବା ଫାଇଲର ଫିତା ଖୋଲାହେଲା ପୁଣି । କ୍ରାଇମବ୍ରାଞ୍ଚର ସ୍ପେଶାଲ ସୁପରିଣ୍ଟେଣ୍ଡେଣ୍ଟ ଅଜୟ ପାଟ୍ଟଯୋଶୀ ନିରାକାର ହତ୍ୟା ସମ୍ପର୍କରେ ଯେଉଁ ଗୋପନ ରିପୋର୍ଟ ଦାଖଲ କଲେ ସରକାରଙ୍କ ନିକଟରେ ତା’ର କେତେକାଂଶ କୌଣସି ସୁତ୍ରରୁ ସମ୍ବାଦ ପତ୍ରରେ ପ୍ରକାଶ ପାଇଯିବାରୁ କର୍ତ୍ତୃପକ୍ଷ ବିବ୍ରତ ହୋଇପଡ଼ିଲେ । ନିରାକାର ପ୍ରଧାନ ଆତତାୟୀଦ୍ୱାରା ନିହତ ହୋଇଥିବା ସମ୍ବାଦ ଶବ ବ୍ୟବଚ୍ଚେଦ ରିପୋର୍ଟଦ୍ୱାରା ସମର୍ଥିତ ହୋଇଥିଲେ ମଧ୍ୟ କାହାଦ୍ୱାରା ଏହି ହୀନକର୍ମ ସମ୍ପାଦିତ ହେଲା ସେ ସମ୍ପର୍କରେ କୌଣସି ପ୍ରାମାଣ ସଂଗ୍ରହକରି ନ ପାରି ପୁଲିସ୍‍ ଫାଇଲରେ ଡୋର ବାନ୍ଧି ଦେଇଥିଲେ । ବେନାମୀ ଚିଠି ପାଇବାପରେ ସ୍ପେଶାଲ ସୁପରିଣ୍ଟେଣ୍ଡେଣ୍ଟ ସ୍ୱୟଂ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଆଗ୍ରହୀ ହୋଇ ପୂର୍ବର ସବୁ କାଗଜପତ୍ର ମଗାଇଆଣି ନିଜର ଅନୁସନ୍ଧାନ ଆରମ୍ଭ କଲେ-। ପ୍ରାୟ ତିନିମାସ କାଳ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ଯେଉଁ ଚମକପ୍ରଦ ତଥ୍ୟ ମିଳିଲା ତାହା କିପରି ପ୍ରଥମ ଅନୁସନ୍ଧାନ ସମୟରେ ଦୃଷ୍ଟିର ଅନ୍ତରାଳରେ ରହିଗଲା ଏହାହିଁ ଆଶ୍ଚର୍ଯ୍ୟର କଥା ।

 

ନିରାକାର ଆହତ ଅବସ୍ଥାରେ ଉଦ୍ଧାର କରିଥିଲା ପୁଲିସ୍‍ । କିନ୍ତୁ ତା’ର ମୃତ୍ୟୁକାଳୀନ ଜମାନବନ୍ଦୀ ନବାପୂର୍ବରୁ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲା ଡାକ୍ତରଖାନାରେ । ସେ ଆହତ ହୋଇପଡ଼ିଥିବା ସ୍ଥାନରୁ ଯେଉଁ ସାଇକେଲଟି ଉଦ୍ଧାର କରାଯାଇଥିଲା ସେଇ ସାଇକେଲ ସମ୍ପର୍କରେ ସବିଶେଷ ଅନୁସନ୍ଧାନ କରାଯାଇ ନ ଥିଲା । ସାଇକେଲରେ ମ୍ୟୁନିସିପାଲଟିର ନମ୍ବର ରହିବା କଥା-। ତାହା ନ ଥିଲା । ସାଇକେଲର ହ୍ୟାଣ୍ଡେଲ ଏବଂ ସିଟ୍‌ ଅନ୍ୟାନ୍ୟ ସ୍ଥାନର ଫଟୋ ନିଆଯାଇ ନ ଥିଲା, ତେଣୁ ଆଙ୍ଗୁଳି ଚିହ୍ନ ମିଳିବାର ସୁବିଧା ନ ଥିଲା ।

 

ଏ ସବୁ ସତ୍ତ୍ୱେ ଅଜୟ ପାଟ୍ଟଯୋଶୀଙ୍କର ବିଚକ୍ଷଣାତା ଯୋଗୁଁ ଯେଉଁ ତଥ୍ୟ ମିଳିଲା । ସେଥିରୁ ପରବର୍ତ୍ତୀ ଘଟଣାବଳୀ ସମ୍ପର୍କରେ ଏକ ବିଶ୍ୱାସଯୋଗ୍ୟ ରିପୋର୍ଟ ପ୍ରସ୍ତୁତ କରାଯାଇ ପାରିଲା ।

 

ସାଇକେଲଟି ପୁରୁଣା ହେଲେ ବି ସେଥିରେ କୋମ୍ପାନୀର ମ୍ୟାନୁଫେକ୍‌ଚରି ନମ୍ବର ଥିବାରୁ ସେହି ନମ୍ବରର ସାଇକେଲ ନିର୍ମାଣ ଏବଂ ବିକ୍ରୟ ସମ୍ପର୍କରେ ଆବଶ୍ୟକତଥ୍ୟ ସଂଗ୍ରହ କରିଥିଲେ ଅଜୟ ପାଟ୍ଟଯୋଶୀ । ସେକ୍ରେଟାରୀଏଟ୍‌ର ପରିବହନ ବିଭାଗ ସେଇ ସାଇକେଲ କିଣିଥିଲେ ୧୯୭୫ ମସିହା ଜାନୁଆରୀ ଚଉଦ ତାରିଖରେ ଏବଂ ଅଫିସ୍‌ର ପିଅନ ମାୟାଧରକୁ ସେହି ସାଇକେଲ ଦିଆଯାଇଥିଲା । ମାୟାଧର ଚାରିବର୍ଷ ବ୍ୟବହାର କରିବା ପରେ ସାଇକେଲ ବସ୍‌ଷ୍ଟାଣ୍ଡରେ ରଖି ସେ ଜଳଖିଆ ଖାଇବାକୁ ଯାଇଥିବାବେଳେ ତାହା ଚୋରି ହୋଇଗଲା । ମାୟାଧର ସାଇକେଲ ନ ପାଇ ପୁଲିସ୍‍ ଥାନାରେ ଏତାଲା ମଧ୍ୟ କରିଥିଲା । କିନ୍ତୁ ପୁଲିସ୍‍ ସେ ସମ୍ପର୍କରେ କୌଣସି ଅନୁସନ୍ଧାନ କରି ନ ଥିଲେ ।

 

ରାଜଧାନୀର ବିଭିନ୍ନ ସ୍ଥାନରୁ ସାଇକେଲ ଚୋରି ହେବା ଏକ ସାଧାରଣ ଘଟଣା କିନ୍ତୁ ପୁରୁଣା ସାଇକେଲ ବିକ୍ରି ହେବା ମଧ୍ୟ ଏକ ସାଧାରଣ ଘଟଣା । କିଛିଦିନ ପରେ ସେହି ସାଇକେଲ ପୁରୁଣା ସାଇକେଲ ଏବଂ ଯନ୍ତ୍ରପାତି ମରାମତି ଓ ବିକ୍ରି କରୁଥିବା ଯୋଶୀ ଏଣ୍ଡ ସନ୍‌ସ ଦୋକାନରେ ବିକ୍ରି ହୋଇଗଲା । ସାଇକେଲକୁ ପୁଣି ଥରେ ରଙ୍ଗ କରି ଏବଂ କେତେକ ପାର୍ଟ ବଦଳ କରି ଯୋଶୀ ଆଣ୍ଡ ସନ୍‌ସ ବିକ୍ରିକଲେ ଶହୀଦ ନଗରର ଜୀବନ ମହାପାତ୍ରଙ୍କୁ । ଜୀବନ ମହାପାତ୍ର ମ୍ୟୁନିସିପାଲଟି ନମ୍ବର ନ ଲଗାଇ ସାଇକେଲ ବ୍ୟବହାର କରୁଥିବା ସମୟରେ ମୋବାଇଲ କୋର୍ଟଦ୍ୱାରା ଦଣ୍ଡିତ ହୋଇ ଦଶଟଙ୍କା ଜୋରିମାନା ଏବଂ ମ୍ୟୁନିସପାଲଟି ଟାକ୍‌ସ ଦେଇଥିଲେ । କିନ୍ତୁ ପୁଣି ପରବର୍ତ୍ତୀ ସମୟରେ ଆଉ ଟାକ୍‌ସ ନ ଦେଇ ସେହି ସାଇକେଲ ବ୍ୟବହାର କରୁଥିଲେ । ମ୍ୟୁନିସିପାଲିଟି ଦେଇଥବା ନମ୍ବରପ୍ଳେଟ ଶହୀଦ୍‌ ନଗର ଓ ସତ୍ୟ ନଗର ମଝିରେ ଥିବା ପୋଲତଳୁ ଘଟଣା ଘଟିବାର ପ୍ରାୟ ଆଠମାସ ପରେ ଉଦ୍ଧାର କରିଥିଲେ ଅଜୟ ପାଟ୍ଟଯୋଶୀ । ସରଜମିନ ତଦନ୍ତ କରିବାବେଳେ ଏହି ନମ୍ବର ପ୍ଳେଟ ପାଇ ଏ ବିଷୟରେ ଅନୁସନ୍ଧାନ କରି ସେ ଯେଉଁ ତଥ୍ୟ ପାଇଲେ ତାହା ତାଙ୍କୁ ସଫଳତା ଆଣିଦେଲା ।

 

ଜୀବନ ମହାପାତ୍ର ଏକଦା ଯେ ସେହି ସାଇକେଲର ଅଧିକାରୀ ଥିଲେ - ଏହା ଜାଣିବା ପରେ ତାକୁ ପଚରାଉଚୁରା କରି ପାଟ୍ଟଯୋଶୀ ଏହା ଜାଣିପାରିଲେ ଯେ ପୁରୁଣା ସାଇକେଲ ଓ ରିକ୍‌ସା କିଣି ପୁଣି ସେଗୁଡ଼ିକର ମରାମତି କରି ଭଡ଼ାରେ ଲଗାଇବା ଜୀବନ ମହାପାତ୍ରର ବ୍ୟବସାୟ । ସେହି ସାଇକେଲ ସେ ଜବ୍‌ବର ମିଆଁକୁ ଭଡ଼ାରେ ଦେଇଥିଲେ । ଜବ୍‌ବର ମିଆଁ ସାତଦିନ ବ୍ୟବହାର କରି ସାଇକେଲ ଫେରାଇ ଦେବାର କଥା । କିନ୍ତୁ ସେ ସାଇକେଲ ଫେରାଇ ନ ଦେଇ ସାଇକେଲର ଦାମ୍‌ ଦେଇଥିଲା ଜୀବନକୁ । ଜବ୍‌ବର ମିଆଁ ଜୀବନକୁ କହିଥିଲା ଯେ ସେ ସାଇକେଲ ରଖି ହାଟକୁ ସଉଦା କିଣୁଥିବାବେଳେ ସାଇକେଲ ଚୋରି ହୋଇଗଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଜବ୍‌ବର ମିଆଁ ଏ ସଂକ୍ରାନ୍ତରେ ଥାନାରେ କୌଣସି ରିପୋର୍ଟ କରି ନ ଥିଲା । ଜବ୍‌ବର ମିଆଁ ରେଳବାଇର ମାଲଡବାରୁ ମାଲ୍‌ ଚୋରିକରି ପୂର୍ବରୁ ଦୁଇଥର ଦଣ୍ଡିତ ହୋଇଥିବା ଏବଂ ରାଜଧାନୀରେ ଦୁଇବର୍ଷ ତଳେ ଆଉ ଗୋଟିଏ ହତ୍ୟା ଘଟଣା ସହିତ ସମ୍ପୃକ୍ତ ଥିବାର ଅଭିଯୋଗ ଥିଲେ ମଧ୍ୟ ଶେଷରେ ତାହା ପ୍ରମାଣ ନ ହେବାରୁ ସେ ସେଥିରୁ ମୁକ୍ତିପାଇଥିବା ଘଟଣା ରେଳବାଇ ଥାନା ଏବଂ ସଦର ଥାନାର ପୁରୁଣା କାଗଜପତ୍ରରୁ ଜଣାପଡ଼ିଲା । ଏହାପରେ ଅଜୟ ପାଟ୍ଟଯୋଶୀ ଜବ୍‌ବର ମିଆଁକୁ ଗିରଫ କରି ଖଣ୍ଡଗିରି ଥାନାର ଅପେକ୍ଷାକୃତ ନିରୋଳା ପରିବେଶରେ ତା’ଠାରୁ ଯେଉଁ ତଥ୍ୟ ସଂଗ୍ରହ କଲେ ତାହା ଏହିପରି-

 

ଜବ୍‌ବର ମିଆଁ କିଛିଦିନ ଗ୍ରାମରକ୍ଷୀ ଭାବରେ କାର୍ଯ୍ୟ କରିଥିଲା । ସେତିକିବେଳେ ଜଣେ ଆଦିବାସୀ ମହିଳାକୁ ଧର୍ଷଣ କରିଥିବା ଅଭିଯୋଗରେ ତାକୁ ଗ୍ରାମରକ୍ଷୀ ପଦରୁ ବହିଷ୍କାର କରାଯାଇଥିଲା । ତା’ ପରେ ଅନ୍ନସଂସ୍ଥାନ କରିବା ପାଇଁ ବହୁ କଷ୍ଟରେ ବି ଆଉ ଗୋଟିଏ ଚାକିରି ଯୋଗାଡ଼ କରି ନ ପାରି ରେଳବାଇ ମାଲଗୋଦାମରେ ମାଲ ଉତାରିବା ଓ ଲଦିବା କାମ କରିବା ପାଇଁ କଣ୍ଟ୍ରାକ୍ଟରଦ୍ୱାରା କୁଲି ଭାବରେ ନିଯୁକ୍ତି ହୋଇଥିଲା । କିନ୍ତୁ ସେଥିରୁ ଭରଣପୋଷଣ ପାଇଁ ଯଥେଷ୍ଟ ଉପାର୍ଜନ କରିବାର ସୁଯୋଗ ନ ଥିବାରୁ ସେଠାରେ ରହି ସେ ନିଜର ଗୋଟିଏ ଦଳ ଗଠନ କରଥିଲା । ମାଲଡବାରୁ ଏବଂ ମାଲଗୋଦାମରୁ ମାଲ୍‌ ଚୋରି କରି ଶହୀଦନଗରର ଚୋରାମାଲ କାରବାର କରୁଥିବା ଗୋଦାମରେ ବିକ୍ରି କରିବା ଥିଲା ତା’ର ପ୍ରଧାନ କାମ । ଶହୀଦନଗରର ପ୍ରସିଦ୍ଧ ଚୋରା କାରବାରୀ ହରବଂଶ ଗୋଦାମରେ ସେ ଚୋରି ଜିନିଷ ବିକ୍ରି କରୁଥିଲା । କିନ୍ତୁ ଚୋରା କାରବାର ବଜାରରେ ତୀବ୍ର ପ୍ରତିଯୋଗୀତା ଯୋଗୁଁ ସେ ହରବଂଶ ସିଂକୁ ଛାଡ଼ି ଶେଷରେ ଚିରଞ୍ଜୀଲାଲର ଗୋଦାମରେ ଚୋରାମାଲ ବିକ୍ରି କରିବାକୁ ଲାଗିଲା । ଚିରଞ୍ଜୀଲାଲର ଗୋଦାମ ଅପେକ୍ଷାକୃତ ନୂତନ ଏବଂ ବ୍ୟବସାୟ ମଧ୍ୟ ପ୍ରଚୁର ନୁହେଁ । କିନ୍ତୁ ତଥାପି ସେଠାରେ ଲାଭର ଅଙ୍କ ବେଶୀ ଥିବାରୁ ଜବ୍‌ବର ମିଆଁ ଅତିଶୀଘ୍ର ମାଲଡବା ଭାଙ୍ଗି ମୋଟର ଟାୟାର, ଷ୍ଟେସନାରୀ ଜିନିଷ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ପଦାର୍ଥ ଚିରଞ୍ଜୀଲାଲକୁ ବିକ୍ରି କରିବାରେ ଲାଗିଲା । ଚିରଞ୍ଜୀଲାଲ କିନ୍ତୁ ଅସଲ ମାଲିକ ନ ଥିଲା । ଗୋଦାମର ମାଲିକ ଥିଲେ ଆଉଜଣେ । ସେ ମୁଖାପିନ୍ଧି ନାଚୁଥିବା ବ୍ୟକ୍ତିର ମୁଖପାତ୍ର, ମୁଖା ପଛରେ ଥିଲା ଅସଲ ବ୍ୟକ୍ତି ।

 

ଚିରଞ୍ଜୀଲାଲ ଏବଂ ଜବ୍‌ବର ମିଆଁ ଚୋରା କାରବାର ସହିତ ଘନିଷ୍ଠ ଭାବରେ ଲିପ୍ତଥିଲେ । ଚୋରାମାଲ୍‌ କ୍ରୟ ଓ ବିକ୍ରୟରେ ପ୍ରତିଯୋଗିତା ଥିଲା ପ୍ରଚୁର । ପ୍ରତିଯୋଗିତା ପ୍ରତିହିଂସା ସୃଷ୍ଟି କରିଥିଲା ।

 

ନିରାକାର ଆଗେ ଅନେକଥର ପ୍ରାଚୀନ ମୂର୍ତ୍ତି କୋଣାର୍କ, ମୁକ୍ତେଶ୍ୱର, ରାଜରାଣୀ ଏବଂ ମୂର୍ତ୍ତି କୋଣାର୍କ, ମୁକ୍ତେଶ୍ୱର, ରାଜରାଣୀ ଏବଂ ମ୍ୟୁଜିୟମରୁ ଆଣି ବିକ୍ରି କରିଥିଲା ହରବଂଶକୁ । ମଝିରେ ଚିରଞ୍ଜୀଲାଲ ତାକୁ ପ୍ରଭାବିତ କରି ମୂର୍ତ୍ତି କିଣିଥିଲା । ମନ୍ଦିରର ପ୍ରାଚୀନ ମୂର୍ତ୍ତିର ପ୍ରବଳ ଚାହିଦା ବିଦେଶରେ । ବିଶେଷକରି ମୈଥୁନ ମୂର୍ତ୍ତି ପାଇଁ ଦଶହଜାରରୁ ପଚାଶହଜାର ମିଳେ । ତା’ଛଡ଼ା ନଟରାଜ ଏବଂ ନୃତ୍ୟରତା କନ୍ୟା, ଅଳସକନ୍ୟା, ଲେଖିକା ଏବଂ ପ୍ରେମିକର ପ୍ରତୀକ୍ଷାରେ ଅପେକ୍ଷାମାଣା ନାରୀମୂର୍ତ୍ତି କିଣିବା ପାଇଁ ବିଦେଶୀମାନଙ୍କର ଏବଂ ବମ୍ବେ ଓ ଦିଲ୍ଲୀର କୋଟିପତି ସମ୍ଭ୍ରାନ୍ତମାନଙ୍କର ପ୍ରବଳ ଆଗ୍ରହ । ସେଥିପାଇଁ କୌଶଳ କରି ଅଧିକ ମୂଲ୍ୟରେ ମୂର୍ତ୍ତି କିଣିବାର ପ୍ରଲୋଭନ ଦେଖାଇ ଚିରଞ୍ଜୀଲାଲ ନିରାକାରକୁ ନିଜଆଡ଼କୁ ନେଇ ଆସିଥିଲା । ହରବଂଶ ସିଂ କ୍ଷୁର୍ଣ୍ଣ ହୋଇଥିଲା ଏଥିରେ ସନ୍ଦେହ ନାହିଁ । ନିରାକାର ତାକୁ ମୂର୍ତ୍ତି ବିକ୍ରି ନ କରି ଅନ୍ୟତ୍ର ବିକ୍ରି କରିବାଦ୍ୱାରା ବ୍ୟବସାୟର ଗୋଟିଏ ଦିଗ ବନ୍ଦ ହୋଇଗଲା ପ୍ରାୟ । ତେଣୁ ଅତିଶୀଘ୍ର ପୁଣି ନିରାକାରକୁ ନିଜଆଡ଼କୁ ଆଣିବାପାଇଁ ତାକୁ ଲୋଭ ଦେଖାଇଥିଲା ହରବଂଶ । ନିରାକାର ପକ୍ଷରେ ଏହି ପ୍ରଲୋଭନ ଏଡ଼ିଯିବା ସମ୍ଭବ ନ ଥିଲା । ସେ ଚିରଞ୍ଜୀଲାଲ ସହିତ ସାମାନ୍ୟ କଥାରେ କଳିକରି ତା’ ସହିତ ସମସ୍ତ ସମ୍ପର୍କ ଛିନ୍ନକଲା ।

 

ନିରାକାର ପୁଣି ହରବଂଶ ପାଖକୁ ଚାଲିଯିବାରେ ଚିରଞ୍ଜୀଲାଲ ପ୍ରତିଶୋଧ ପରାୟଣ ହୋଇ ମୁନିବଙ୍କୁ କହିଲା ଏ ବିଷୟରେ ଏବଂ ତାଙ୍କର ପ୍ରରୋଚନା ପାଇ ଜବ୍‌ବର ମିଆଁକୁ ହାତକରି ନିରାକାରକୁ ଚରମଶାସ୍ତି ଦବାପାଇଁ ସୁଯୋଗ ଖୋଜିବାରେ ଲାଗିଲା ।

 

ସେହି ସୁଯୋଗ ଆସିଲା କେତେ ସପ୍ତାହ ପରେ । ହରବଂଶ ସିଂକୁ ଅନେକ ମୂର୍ତ୍ତି ବିକ୍ରି କରିବାର ଗୋପନ ସମ୍ବାଦ ପାଇବା ମାତ୍ରେ ସେହି ରାତିରେ ଚିରଞ୍ଜୀଲାଲ, ଜବ୍‌ବର ମିଆଁ ମିଳିତ ଭାବରେ ଯୋଜନା କଲେ । ପୂର୍ବରୁ ନିରାକାରକୁ ଖତମ୍‌ କରିଦବା ସକାଶେ ଅନୁମତି ଦେଇସାରିଥିଲେ ତାଙ୍କ ମୁନିବ । ତେଣୁ ଯେତେବେଳେ ହରବଂଶ ଗୋଦାମକୁ ନିରାକାର ମାଲ୍‌ ନେଇ ଆସିଥିବାର ଖବର ଚିରଞ୍ଜୀଲାଲ ପାଇଲା, ସେ ଆଉ କାଳବିଳମ୍ବ ନ କରି ଜବ୍‌ବର ମିଆଁକୁ ଖବର ଦେଲା । ଜବ୍‌ବର ମିଆଁ ଏବଂ ଚିରଞ୍ଜୀଲାଲ ଦୁହେଁ ମିଶି ସେଇ ରାତିରେ ପୋଲ ନିକଟରେ ଜଗି ରହିଲେ । ନିରାକାର ଲୁନାରେ ଆସୁଥିବାର ଦେଖିବାମାତ୍ରେ ଜବ୍‌ବର ମିଆଁ ଓ ଚିରଞ୍ଜୀଲାଲ ସାଇକଲ ରଖି ରାସ୍ତା ଅବରୋଧ କରିବାଦ୍ୱାରା ନିରାକାର ବାଧ୍ୟ ହୋଇ ଗତି ବନ୍ଦକଲାବେଳକୁ ପୋଲତଳୁ ବାହାରି ଆସି ତା’ ଉପରେ ଅଚାନକ ଆକ୍ରମଣ କଲେ ଦୁହେଁ ।

 

ଅଜୟ ପାଟ୍ଟଯୋଶୀ ନୀରବରେ ଅନୁସନ୍ଧାନ କରି ଯେତେବେଳେ ଚିରଞ୍ଜୀଲାଲର ପ୍ରକୃତ ମୁନିବକୁ ଚିହ୍ନିଲେ ସେତେବେଳେ ପ୍ରଥମେ ସେ ବିସ୍ମୟରେ ହତବାକ୍‌ ହୋଇଗଲେ । ପରେ ପରେ ନିଜର କୃତିତ୍ୱ ଏବଂ ସମାଜର ସୁପ୍ରତିଷ୍ଠିତ ଜଣେ ପ୍ରତି ପତ୍ତିଶାଳୀ ବ୍ୟକ୍ତିକୁ ଅପରାଧୀ ଭାବରେ ଆବିଷ୍କାର କରିଥିବାର ସଫଳତା ତାଙ୍କୁ କିଛି ସମୟ ପାଇଁ ଆନନ୍ଦିତ କଲା ସତ; କିନ୍ତୁ ପରେ ଏକ ଅଜଣା ଆଶଙ୍କା ତାଙ୍କର ସମସ୍ତ ଉତ୍ସାହ ଏବଂ ପ୍ରବଣତାକୁ ଅନ୍ତର କରିଦେଲା ମନରୁ । ଏହି ପ୍ରତିପତ୍ତିଶାଳୀ ବ୍ୟକ୍ତି ଅପରାଧୀ ହେଲେ ବି ଜଣେ ଅସାଧାରଣ ବ୍ୟକ୍ତି । ତାଙ୍କର ସାମାଜିକ ପ୍ରତିଷ୍ଠା ଅଛି ଏବଂ ପ୍ରଶାସନ ସହିତ ଘନିଷ୍ଠ ଯୋଗସୂତ୍ର ବି ରହିଛି । ପୁଣି ସେ ଆଗାମୀ ଦିନର ଶାସନର ହର୍ତ୍ତାକର୍ତ୍ତା ଦୈବବିଧାତା ।

 

ମାନବ ମହାନ୍ତି ।

 

ଚିରଞ୍ଜୀଲାଲର ମୁଖା ପଛରେ ମାନବ ମହାନ୍ତିଙ୍କ ମୁହଁ । କିନ୍ତୁ ସେଥିରେ ବିଚଳିତ ନ ହୋଇ ଜବ୍‌ବର ମିଆଁ ଏବଂ ଚିରଞ୍ଜୀଲାଲକୁ ଗିରଫ କରିବାପରେ ମାନବ ମହାନ୍ତି ଗିରଫ କରିବା ପାଇଁ ସିନ୍ଧାନ୍ତ ଗ୍ରହଣ କଲାବେଳକୁ ବାଧାପାଇଲେ ସେ ।

 

ଚମକି ପଡ଼ିଥିଲେ ଅଜୟ ପାଟ୍ଟଯୋଶୀ । କିନ୍ତୁ କର୍ତ୍ତବ୍ୟରୁ ଓହରିଯିବା ସମ୍ଭବ ନ ଥିଲା ତାଙ୍କ ପକ୍ଷରେ । ଭୟ ବା ଲାଭ ଆଶାରେ ସେ ତ କାମ କରନ୍ତି ନାହିଁ ! ପୁଲିସ୍‍ ଅଫିସର ଭାବରେ ସେ ଷୋହଳବର୍ଷ ଧରି କେବଳ ସତ୍ୟକୁ ଉଦ୍‌ଘାଟନ କରିବାପାଇଁ କାମକରି ଆସିଚନ୍ତି । ସତ୍ୟ ଯେ ଏତେ ବଡ଼ ନିର୍ମମ ଏହା ସେ ବେଶ୍ ହୃଦୟଙ୍ଗମ କରନ୍ତି । କାଳେ ରିପୋର୍ଟ ପଠାଇବାରେ ବିଳମ୍ବ କଲେ ଅନୁସନ୍ଧାନରେ ବାଧା ଆସିପାରେ ବା ରିପୋର୍ଟର ସିଦ୍ଧାନ୍ତ ବଦଳାଇବାକୁ ତାଙ୍କୁ ପ୍ରଭାବିତ କରାଯାଇପାରେ ଏହା ଆଶଙ୍କା କରି ରିପୋର୍ଟ ପ୍ରସ୍ତୁତ ହେବାକ୍ଷଣି ସେ ପଠାଇଦେଲେ ପୁଲିସ୍‍ ବିଭାଗର ସର୍ବୋଚ୍ଚ କର୍ତ୍ତାଙ୍କ ନିକଟକୁ ଏବଂ ଏହା ସଙ୍ଗେ ସଙ୍ଗେ ସେହି ରିପୋର୍ଟର କପି ମଧ୍ୟ ପଠାଇ ଦେଲେ ଘରୋଇ ବିଭାଗକୁ । ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଅନେକ ସତର୍କତା ଅବଲମ୍ବନ କରିଥିଲେ ଅଜୟ ପାଟ୍ଟଯୋଶୀ । ସାତଦିନ ଛୁଟି ନେଇ ତପ୍ତପାଣି ପାନ୍ଥ ନିବାସରେ ଏକାନ୍ତରେ ବସି ସେ ନିଜର ଫାଇନାଲ ରିପୋର୍ଟ ପ୍ରସ୍ତୁତ କରିଥିଲେ ।

 

ମାନବ ମହାନ୍ତିଙ୍କର ମିତ୍ର ଅନେକ । କିନ୍ତୁ ଶତ୍ରୁ ଯେ ଆଦୌ ନ ଥିବେ ଏହା କିଏ କହିବ-? ସେଥିପାଇଁ ବୋଧହୁଏ ଅଜୟ ପାଟ୍ଟଯୋଶୀଙ୍କର ରିପୋର୍ଟ ‘ଅତି ଗୋପନୀୟ’ ଦଲିଲ ବୋଲି ଚିହ୍ନିତ ହୋଇଥିଲେ ମଧ୍ୟ ତାହାର କେତେକାଂଶ କେହି ଜାଣିଶୁଣି ପୁଲିସ୍‍ ହେଡ଼୍‌କ୍ୱାଟରସ୍‌ରୁ ବା ଘରୋଇ ବିଭାଗରୁ ପ୍ରକାଶ କରିଦେଇଛି । ଶେଷରେ ସେହି କାରଣରୁ ମାନବ ମହାନ୍ତି ଏଣ୍ଟିସିପେଟାରି ବେଲ ନବାପାଇଁ ମଧ୍ୟ ସୁଯୋଗ ପାଇଗଲେ । ତାଙ୍କୁ ଆଉ ଗିରଫ କରିପାରିଲେ ନାହିଁ ପାଟ୍ଟଯୋଶୀ ।

 

ସମ୍ବାଦପତ୍ରରେ ରିପୋର୍ଟର ଶେଷାଂଶର ଫଟୋକପି ପ୍ରକାଶିତ ହେବାପରେ କର୍ତ୍ତୃପକ୍ଷଙ୍କ ପକ୍ଷରେ ଆଉ ନୀରବରେ ବସିରହିବା ସମ୍ଭବ ନ ଥିଲା । କିନ୍ତୁ ରିପୋର୍ଟ ଯେ ଅସତ୍ୟ ଏହା ପ୍ରତ୍ୟକ୍ଷଭାବରେ କହିବା ସମ୍ଭବ ନ ଥିଲା । କିନ୍ତୁ ଏ ବିଷୟରେ ଅଯଥା ବିଳମ୍ବକଲେ ପ୍ରଶାସନ ଉପରୁ ଜନସାଧାରଣଙ୍କର ବିଶ୍ୱାସ ତୁଟିଯିବ ଏବଂ ସରକାରଙ୍କର ବିଶ୍ୱାସଯୋଗ୍ୟତା ଏବଂ ନ୍ୟାୟପରାୟଣତା ବିଘ୍ନିତ ହେବ ଏହା ଆଶଙ୍କା କରି ଏ ସମ୍ପର୍କରେ ଲୋକସମ୍ପର୍କ ବିଭାଗ ପକ୍ଷରୁ ସରକାରୀ ପ୍ରବକ୍ତା ଯେଉଁ ବୟାନ ଦେଲେ ତାହା ସମସ୍ତ ଘଟଣାବଳୀକୁ ଆହୁରି ଜଟିଳ କରିଦେଲା-

 

ପ୍ରବକ୍ତାଙ୍କର ଯୁକ୍ତି ଥିଲା ଯେ ସ୍ପେଶାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଏ ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରିବା ସକାଶେ କୌଣସି ଆଦେଶ ଦିଆଯାଇ ନ ଥିଲା । ଏହା ସତ୍ତ୍ୱେ ଜନସ୍ୱାର୍ଥ ଦୃଷ୍ଟିରୁ ସେ ନିଜେ ଏପରି ଏକ ଅପରାଧର ଅନୁସନ୍ଧାନ କରିବା ସ୍ୱାଗତଯୋଗ୍ୟ ହେଲେ ମଧ୍ୟ ଏହି ରିପୋର୍ଟ ଯେ ନିରପେକ୍ଷ ଭାବରେ ପ୍ରମାଣଯୋଗ୍ୟ ତଥ୍ୟ ଉପରେ ପର୍ଯ୍ୟବସିତ ଏବଂ ଏଥିରେ ବିଚାର ବିଭ୍ରଟ ଘଟି ନାହିଁ ଏହା କହିହେବ ନାହିଁ । କିନ୍ତୁ ସେ ଯାହା ହେଉନା କାହିଁକି ସରକାର ଏପରି ଗୁରୁତର ବିଷୟରେ ନୀରବଦ୍ରଷ୍ଟା ଭାବରେ ବସି ନ ରହି ଜନସ୍ୱାର୍ଥକୁ ଆଖି ଆଗରେ ରଖି ଆହୁରି ଉଚ୍ଚକ୍ଷମତାସମ୍ପନ୍ନ ପଦାଧିକାରୀଙ୍କଦ୍ୱାରା ଏହି ଘଟଣାର ପୁଙ୍ଖାନୁପୁଙ୍ଖ ବିଧିବଦ୍ଧ ତଦନ୍ତ କରାଇବାରେ ଏବଂ ଅପରାଧୀ ଯେଡ଼େ ପ୍ରତିପତ୍ତିଶାଳୀ ହୋଇଥିଲେ ବି ତାଙ୍କ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟ କରିବାପାଇଁ କଦାପି ପଶ୍ଚାତ୍‌ପଦ ହେବେ ନାହିଁ । ସରକାର ଆହୁରି ବି ଆଶ୍ୱାସନା ଦବାକୁ ଚାହାଁନ୍ତି ଯେ ଗଣତାନ୍ତ୍ରିକ ସମାଜ ବ୍ୟବସ୍ଥାରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଚରିତ୍ର ସଂହାର କରିବା ଏବଂ ଉଦ୍ଦେଶ୍ୟମୂଳକ ଭାବରେ ଅପରାଧୀ ପ୍ରମାଣିତ ହୋଇ ନ ଥିବା ବ୍ୟକ୍ତିଙ୍କୁ ଦଳୀୟ ସ୍ୱାର୍ଥସିଦ୍ଧି ନିମନ୍ତେ ଜନସାଧାରଣଙ୍କ ଆଗରେ ନିନ୍ଦିତ କରିବାପାଇଁ ହେଉଥିବା ଷଡ଼ଯନ୍ତ୍ରକୁ ସରକାର ଆଦୌ ବରଦାସ୍ତ କରିବେ ନାହିଁ ।

 

ଏହି ଘୋଷଣା ପ୍ରକାଶିତ ହେବା ପରେ ପରେ ଅଜୟ ପାଟ୍ଟଯୋଶୀ ମିଲିଟାରୀ ପୁଲିସ୍‍ର କମାଣ୍ଡେଣ୍ଟ ଭାବରେ ବଦଳି ହେଲେ କୋରାପୁଟ୍ ଏବଂ ସେ ନୂତନଦାୟିତ୍ୱ ଗ୍ରହଣ ପୂର୍ବରୁ ଜଏନିଂ ଟାଇମ୍ ନେଇ ପୁରୀରେ ରହୁଥିବା ସମୟରେ ହଠାତ୍ ଦିନେ ନିଖୋଜ ହୋଇଗଲେ । ଚାରିଦିନ ପରେ ବତୀଘର ପାଖରୁ ତାଙ୍କର ଶବ ମିଳିଲା । ସେତେବେଳକୁ ଶବ ପଚିସଢ଼ି ଯାଇଥିବାରୁ ଆଉ ଶବବ୍ୟବଚ୍ଛେଦ କରାଯାଇ ପାରିଲା ନାହିଁ କିମ୍ବା ତାଙ୍କ ମୃତ୍ୟୁର ସଠିକ୍ କାରଣ ନିର୍ଣ୍ଣୟ କରାଯାଇ ପାରିଲା ନାହିଁ ।

 

ରହସ୍ୟର ଅନ୍ତରାଳରେ ଚିରଦିନ ପାଇଁ ଲୁଚିଗଲା ଅଜୟ ପାଟ୍ଟଯୋଶୀଙ୍କର ଜୀବନ କାହାଣୀ ।

 

ମଣିଷ ଯେତିକି ବେଶୀ ଶିକ୍ଷିତ ହେଉଛି ତା’ଠାରୁ ବେଶୀ ବଢ଼ି ବଢ଼ି ଚାଲିଛି ତା’ର ଆଶା, ଆକାଂକ୍ଷା । ତା’ର ଦୃଷ୍ଟି ସମସ୍ତ ସୀମା ଅତିକ୍ରମକରି ଆକାଶ ପାରହୋଇ ଅନ୍ତରୀକ୍ଷରେ ପହଞ୍ଚିଲାଣି । ସେ ଆଉ ଉଡ଼ାଜାହାଜରେ ଉଡ଼ି ଶାନ୍ତି ପାଇପାରୁନାହିଁ । ସେ ରକେଟରେ ଚନ୍ଦ୍ରଲୋକରେ ଓହ୍ଲାଇ ମଙ୍ଗଳଲୋକକୁ ଯିବାପାଇଁ ଉଦ୍ୟମ କରୁଛି ।

 

ଓଡ଼ିଶାର ପୁରପଲ୍ଲୀ ଆଜି ଆଉ ସଭ୍ୟଜଗତ୍‌ଠାରୁ ବିଚ୍ଛିନ୍ନ ନୁହେଁ । ସଡ଼କ ପଡ଼ିଛି । ଛୋଟ ବଡ଼ ସହରକୁ ଟେଲିଫୋନ୍‍ ଲାଇନ ବି ଯାଇଛି । ବିଜୁଳି ଆଲୁଅରେ ତୋଫା ଦିଶୁଛି ଗାଆଁର ଅନ୍ଧାରିଆ ଦାଣ୍ଡ ଏବଂ ଗାଁମୁଣ୍ଡ । ସାଇକେଲ ଚଢ଼ି ଚାଲିଯାଉଥିବା ଅର୍ଦ୍ଧଶିକ୍ଷିତ ଲୋକଟି ସମୟ ସଚେତନ ହେବାପାଇଁ ବାରମ୍ବାର ଅନାଉଛି ହାତଘଡ଼ିକୁ । କାହା କାହା ଘରେ ରେଡ଼ିଓ । ଟର୍ଚ୍ଚଲାଇଟ୍ ତ ଅନେକଙ୍କ ଘରେ ।

 

କିନ୍ତୁ ଏଇ ପରିବର୍ତ୍ତନ ଏବଂ ପ୍ରସାର ମଧ୍ୟରେ ବି ଆଖିରେ ପଡ଼ୁଛି ଦିନକୁ ଓଳିଏ ଖାଇବାକୁ ପାଉ ନ ଥିବା ଲୋକଟି । ଜଣେ ନୁହେଁ ଅଜସ୍ର ଲୋକ ଏବେ ବି ଦିନକୁ ପେଟପୁରାଇ ବକତେ ଖାଇବାକୁ ପାଆନ୍ତି ନାହିଁ; ଲଜ୍ଜାନିବାରଣ ହୁଏ ସିନା, କିନ୍ତୁ ଶୀତ କାକର ସମୟରେ ଦେହ ଘୋଡ଼ାଇବାଲାଗି ଲମ୍ବାଲୁଗା ଖଣ୍ଡେ ନାହିଁ ସେମାନଙ୍କର । ଶିକ୍ଷା ଓ ସ୍ୱସ୍ଥ୍ୟ କଥା ଛାଡ଼ । ସଭ୍ୟତା ସେମାନଙ୍କୁ ଦେଇଛି ଏକ ଅଦ୍ଭୁତ ନିଶା ବଞ୍ଚିବାର ନିଶା, ମୁଠେ ଖାଇ ଦଣ୍ଡେ ଜୀଇବାର ନିଶା । ବଞ୍ଚିବାପାଇଁ, ଅଧିକାର ହାସଲ କରିବାପାଇଁ ଲଢ଼େଇ ଆରମ୍ଭ ହୋଇଛି ଏଠାରେ ସେଠାରେ ।

 

ଶିକ୍ଷିତ ସଭ୍ୟ ବୋଲାଉଥିବା ଲୋକମାନେ ସମାଜର ସବୁ ସମ୍ପଦ, ଆଇନର ସବୁ ସୁବିଧା ଏକଚାଟିଆ ଭାବରେ ଉପଭୋଗ କରୁଛନ୍ତି । ସେମାନେ ଯେପରି ଆଉ ଏଇ ଜଗତର ନୁହଁନ୍ତି; ଗରିବ, ଦୁଃଖୀ, ଅଶିକ୍ଷିତ, ଅବହେଳିତମାନଙ୍କ ସହିତ କୌଣସି ସମ୍ପର୍କ ନାହିଁ ସେମାନଙ୍କର-। ଗରିବ ଦୁଃଖୀ, ଚାଷୀ, ମୂଲିଆ ସହରକୁ ଖାଦ୍ୟ ଯୋଗାଇ ଦେଇ, ରହିବା ପାଇଁ କୋଠା, ପିନ୍ଧିବାପାଇଁ ଲୁଗା ଏବଂ ଅଏସ କରିବା ପାଇଁ ବିଳାସବ୍ୟସନ ଯୋଗାଇ ଦେଇ ଅଧା ଉପାସରେ ସମୟ କାଟନ୍ତି ସହର ତଳିରେ, ଗାଁରେ, ବଣ ଭିତରେ । ଏହା ସେମାନଙ୍କର ଦାୟିତ୍ୱ । ସମାଜକୁ ଆଉ କେହି ରକ୍ଷା କରୁ ବା ନ କରୁ ସେଇ ଅଶିକ୍ଷିତ ବା ଅର୍ଦ୍ଧଶିକ୍ଷିତ ଗାଉଁଲି ଗୁଆଁର ରକ୍ଷା କରିବାର ଠିକାଦାରୀ ନେଇଛି । ବିନାମୂଲ୍ୟରେ ବା ଅଧାମୂଲ୍ୟରେ ଖଟୁଛି ସେ ।

 

ବହୁଦିନର ନୀରବ ନିଶ୍ଚୁପ ମଣିଷଟି ଆଜି କଥା କହିବାକୁ ଚାହେଁ ।

ଲଢ଼ିବାକୁ ଚାହେଁ ।

ସେ ଦାବି ହାସଲ କରିବାକୁ ଚାହେଁ ।

 

ଆକାଶଛୁଆଁ ଆଶା ଉଠିଚି ମନରେ । ତାକୁ ନିତିପ୍ରତିଦିନ ନୂତନ ଆଶା, ନୂତନ ପ୍ରତିଶ୍ରୁତି ଦିଆଯାଉଚି । ତା’ ମନରେ ଜାଗୁଚି ନୂତନ ସ୍ୱପ୍ନ ।

 

ଆଶାପୂର୍ଣ୍ଣ ନ ହେଲେ, ପ୍ରତିଶ୍ରୁତି ଅପୂର୍ଣ୍ଣ ହୋଇ ରହିଗଲେ ଅସନ୍ତୋଷ ଜାଗେ, ଅଶାନ୍ତି ବଢ଼େ । ଏଇଠାରୁ ଆରମ୍ଭ ହୁଏ ଶ୍ରେଣୀସଂଘର୍ଷ । ଥିବା ଓ ନଥିବାବାଲାଙ୍କ ମଧ୍ୟରେ ଲଢ଼େଇ ।

 

ଶୋଭାଯାତ୍ରା ଆଗେଇ ଚାଲିଚି । ବିରାଟ ନାହିଁ ନ ଥିବା ଶୋଭାଯାତ୍ରା । ହଜାର ହଜାର ଲୋକ । ବାଣୀବିହାର ଛକରୁ ଷ୍ଟେସନ ସ୍କୋୟାର ପର୍ଯ୍ୟନ୍ତ ଲମ୍ବିଯାଇଛି ଶୋଭାଯାତ୍ରା । ଲୋକମାନେ ଆଗଉଛନ୍ତି ଜନପଥ ଉପରେ । ରାଜମହଲ ଛକଦେଇ ସେମାନେ ଯିବେ ଆଗକୁ । ଲକ୍ଷ୍ୟ ରାଜଭବନ । ତଫସିଲଭୁକ୍ତ ଜାତି, ଉପଜାତି ଏବଂ ଅର୍ଥନୈତିକ କ୍ଷେତ୍ରରେ ଅନଗ୍ରସର ଲୋକମାନଙ୍କର ସଙ୍ଗଠନ ପକ୍ଷରୁ ଏପରି ଅଦ୍ଭୁତପୂର୍ବ ଜନସମାଗମ ରାଜଧାନୀରେ ଏଇ ପ୍ରଥମ ଥର ଦେଖିବାକୁ ମିଳିଲା ।

 

ଶୋଭାଯାତ୍ରାରେ ଯାଉଥିବା କେତେଜଣଙ୍କ ସହିତ କଥାଭାଷା କରି ସେମାନଙ୍କ ବକ୍ତବ୍ୟ ଟେପ୍ କଲା ମନୋଜ ।

 

ଲୋକଙ୍କର ସାମାଜିକ ଚେତନା ବଢ଼ିବାରେ ଲାଗିଚି । ଖାଲି କର୍ତ୍ତବ୍ୟ କରି ସେମାନେ ସନ୍ତୁଷ୍ଟ ନୁହଁନ୍ତି, ସେମାନଙ୍କର ପ୍ରାପ୍ୟ ସେମାନଙ୍କୁ ମିଳୁଛି କି ନାହିଁ ତାହା ସେମାନେ ଉପଲବ୍‌ଧି କରିବାକୁ ଚାହାଁନ୍ତି । ସେମାନଙ୍କ ନାମରେ ଦେଶର ସମସ୍ତ କାମ ହେଉଥିବାର କୁହାଯାଉଛି; କିନ୍ତୁ ସେମାନେ ତହିଁରେ ଉପଭୋକ୍ତା କିମ୍ବା ଅନ୍ୟ କେହି ସେଇ ସୁଫଳ ଭୋଗ କରୁଛି - ଏହି ପ୍ରଶ୍ନ ସେମାନେ ପଚାରିବାକୁ ଆରମ୍ଭ କଲେଣି । ଆଜି ହେଉ ବା କାଲି ହେଉ ଏହାର ଉତ୍ତର ଦେବାକୁ ହେବ, ଆଉ ଅଧିକକାଳ ସେମାନଙ୍କୁ ବଞ୍ଚିତ କରି ରଖିହେବ ନାହିଁ ।

 

ଶୋଭାଯାତ୍ରାର ଅଗ୍ରଭାଗରେ ଥିବା ପାଞ୍ଚଜଣ ପ୍ରତିନିଧିଙ୍କୁ ରାଜ୍ୟପାଳଙ୍କ ହାତରେ ସ୍ମାରକ ପତ୍ର ଦେବାପାଇଁ ଅନୁମତି ମିଳିଲା ।

 

ସେମାନେ ସ୍ମାରକ ପତ୍ର ଦେଇସାରିବା ପରେ ଫେରି ଆସିଲେ ପରେଡ଼୍ ପଡ଼ିଆକୁ ।

ସେହିଠାରେ ହେଲା ସାଧାରଣ ସଭା ।

ସଭାମଞ୍ଚ ଉପରେ ସବୁଦଳର ନେତୃବୃନ୍ଦଙ୍କ ସହିତ ବସିଥିଲେ ମାନବ ମହାନ୍ତି ।

 

ମୂର୍ତ୍ତିଚୋରିଠାରୁ ଆରମ୍ଭକରି ମର୍ଡ଼୍‌ର କେସ୍ ସହିତ ସେ ସମ୍ପୃକ୍ତ ଥିବାରୁ ବହୁ ଅଭିଯୋଗ ପ୍ରକାଶ ପାଇବାପରେ ମଧ୍ୟ ତାଙ୍କର ମର୍ଯ୍ୟାଦାରେ କୌଣସି ଆଞ୍ଚ ଆସିନି । ବରଂ ତାଙ୍କର ନାମର ପ୍ରସାର ଘଟିଚି, ବେଶୀ ଲୋକ ଆଜି ତାଙ୍କୁ ଜାଣନ୍ତି । ଛାତି ଫୁଲାଇ ସଭାମଞ୍ଚ ଉପରେ ବସିଥିଲେ ମାନବ ମହାନ୍ତି । ଶାସକ ଦଳର ପ୍ରତିନିଧି ଭାବରେ ଆସନ ଅଳଙ୍କୃତ କରିଥିଲେ ସେ ।

 

ଲୋକଙ୍କର ସ୍ମୃତି ମଧ୍ୟ କ୍ଷଣସ୍ଥାୟୀ । ଯେଉଁମାନେ ଆଜି ସଭାମଞ୍ଚ ଉପରେ ଆସୀନ ସେମାନଙ୍କ ମଧ୍ୟରୁ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି କଳଙ୍କିତ । ଦେଶର ସେବା କରିବାପାଇଁ ବାହାରି ପ୍ରାୟ ସମସ୍ତେ ନିଜକୁ ସମୃଦ୍ଧ କରିଚନ୍ତି, ନିଜର ପରିବାର, ଜ୍ଞାତି ଏବଂ ଗୋଡ଼ାଣିଆମାନଙ୍କର ସ୍ୱାର୍ଥ ଓ ସୁଖ ସୁବିଧାର ସଂରକ୍ଷଣ କରିଚନ୍ତି । ଏମାନେ ନିଜକୁ ଦେଖି ଭାବନ୍ତି ଯେ ଅନ୍ୟମାନେ ବେଶ ସୁଖରେ ଅଛନ୍ତି, ଘିଅ ମହୁରେ ଭାସୁଛି ଦେଶ ।

 

ମନୋଜ ପାଖକୁ ଲାଗି ଆସି କହିଲା ପ୍ରକାଶ ପଟ୍ଟନାୟକ, ଏଠାରେ ବସି ସମୟ ନଷ୍ଟକରିବା ନା ଦିବ୍ୟଧାମଆଡ଼ୁ ବୁଲି ଆସିବା ?

 

ମନୋଜର ବି ଇଚ୍ଛାଥିଲା ଦିବ୍ୟଧାମଆଡ଼ୁ ବୁଲିଆସିବା ପାଇଁ । କେତେଦିନ ହେଲା କୌଣସି ଖବର ପାଇନି ସେ । ଶାଶ୍ୱତୀ ଚାଲି ଆସିବା ପରେ ଆଶ୍ରମର ଅନ୍ତେବାସୀମାନଙ୍କର ଚଲାବୁଲା ଉପରେ ଅଧିକ କଟକଣା ହୋଇଥିବ ବୋଧହୁଏ ।

 

କିନ୍ତୁ ସଭା ଶେଷ ହବା ପର୍ଯ୍ୟନ୍ତ ବସିବାକୁ ବାଧ୍ୟ ସେ । ସମସ୍ତଙ୍କର ବକ୍ତବ୍ୟ ନ ଶୁଣି ଚାଲିଯିବା ଉଚିତ ହେବ ନାହିଁ ।

 

ସଭାଶେଷ ହବା ପର୍ଯ୍ୟନ୍ତ ଅପେକ୍ଷା କଲେ ଦୁହେଁ ।

ସଭା ଶେଷ ହେବାପରେ ଦିବ୍ୟଧାମ ଆଡ଼କୁ ଅଗ୍ରସର ହେଲେ ସେମାନେ ।

ପ୍ରକାଶ ପୁଲିସ୍‍ ଚାକିରିରୁ ଅନ୍ତରହେବା ପରେ ମନୋଜ ସହିତ ଯୋଗ ଦେଇଛି ।

 

ଦୁଇ ବନ୍ଧୁ କଳ୍ପନା ଏରିଆର ଏକ ଦକ୍ଷିଣ ଭାରତୀୟ ରେସ୍ତୋରାଁରେ କଫି ପିଇବାବେଳେ ଏକ ଦୁଃସମ୍ବାଦ ଆସି ପହଞ୍ଚିଲା ।

 

ନିର୍ଦ୍ଦିଷ୍ଟ ସମୟ ଅତିକ୍ରାନ୍ତ ହୋଇଥିବା ଇଞ୍ଜେକ୍‌ସନ୍ ଦବା ଫଳରେ ହସ୍‌ପିଟାଲରେ ଜଣେ ବାଳକର ମୃତ୍ୟୁ ଘଟିବାରୁ କ୍ରୋଧାନ୍ୱିତ ଜନତାର ଆକ୍ରମଣ ଫଳରେ ହସ୍‌ପିଟାଲର ପ୍ରଭୃତି କ୍ଷତି ହୋଇଛି ।

 

କଫି ପିଇସାରି ଦିବ୍ୟଧାମ ଆଡ଼କୁ ନ ଯାଇ ଦିଗ ପରିବର୍ତ୍ତନ କରି ହସ୍‌ପିଟାଲ ଅଭିମୁଖେ ଅଗ୍ରସର ହେଲେ ଦୁଇବନ୍ଧୁ ।

 

ସେମାନେ ହସ୍‌ପିଟାଲରେ ପହଞ୍ଚିବାବେଳକୁ ପୁଲିସ୍‍ ଘେରି ରହିଥାଏ ହସ୍‌ପିଟାଲକୁ । ଉତ୍ୟକ୍ତଜନତା ଛତ୍ରଭଙ୍ଗ ଦେଇ ପଳାଇ ଯାଇଥାଆନ୍ତି ।

 

ପରିଚୟପତ୍ର ଦେଖାଇ ହସ୍‌ପିଟାଲ ଭିତରକୁ ଗଲା ମନୋଜ ।

ୱାର୍ଡ଼ ପରେ ୱାର୍ଡ଼ ଦେଖିବାକୁ ଲାଗିଲା ।

 

ଅନେକ ଦିନଧରି ପାଇଖାନା ଏବଂ ନାଳ ଭଲ ଭାବରେ ପରିଷ୍କାର ହୋଇ ନ ଥିବରୁ ମଳ, ମୂତ୍ର, ପୂଜ, ରକ୍ତର ମିଶ୍ରିତ ଗନ୍ଧ ସଞ୍ଚାରି ବୁଲୁଛି ବାୟୁମଣ୍ଡଳରେ । ଛିଣ୍ଡା କାଗଜ, ବ୍ୟାଣ୍ଡେଜ କନା ଓ ତୁଳା, ପରିତ୍ୟକ୍ତ ଇଞ୍ଜେକ୍‌ସନ ଶିଶି, ରୋଗୀମାନେ ବାହାରୁ ଜଳଖିଆ ଆଣି ଫିଙ୍ଗିଥିବା ଖଲି ଓ ପତ୍ର ଯତ୍ରତତ୍ର ପଡ଼ିଥିବାର ଦେଖିଲା ମନୋଜ । ନିର୍ବିରୋଧରେ ବୁଲା କୁକୁରମାନେ ବିଚରଣ କରିବା ମଧ୍ୟ ନିତ୍ୟନୈମିତିକ ଘଟଣା । କେତେଦିନ ପୂର୍ବେ ଗୋଟେ ମାରଣା ବୁଲାଷଣ୍ଢ ହସ୍‌ପିଟାଲ ଓ୍ୱାର୍ଡ଼ ଭିତରକୁ ପଶି ଆସି ଭୟଙ୍କର ପରସ୍ଥିତି ସୃଷ୍ଟି କରଥିବାର ଶୁଣିଲା ସେ କେତେକଙ୍କ ମୁହଁରୁ ।

 

ସଂଧ୍ୟାବେଳର ଖାଦ୍ୟ ପରିବେଷଣ କରାହୋଇଥିଲା ସେତିକିବେଳେ । ଚାରିଖଣ୍ଡ ରୋଟି ଏବଂ ଗିନାଏ ଡାଲମା । କାହାକୁ ଗିଲାସେ ଦୁଧ ଏବଂ ପାଉଁରୁଟି । ଅଳ୍ପ କେତେଜଣଙ୍କୁ ଅଣ୍ଡା । ଖାଦ୍ୟର ମାନ ଅତି ନିମ୍ନମାନର । ପ୍ରାୟ ଅଖାଦ୍ୟ କହିଲେ ଚଳେ । ସକାଳେ ଦିଆହୁଏ ଭାତ, ଡାଲି, ସନ୍ତୁଳା । କେବେ କେବେ ହଳଦିପାଣିରେ ଭାସୁଥିବା ଖଣ୍ଡେ ଖଣ୍ଡେ ମାଛ ।

 

ଡାକ୍ତର କହିଲେ - ରୋଗୀ ପ୍ରତି ଯେତିକି ଖର୍ଚ୍ଚ କରିବାର ବ୍ୟବସ୍ଥା ଅଛି ସେତିକିରେ ଏହାଠାରୁ ବେଶୀ ଭଲ ଖାଦ୍ୟ ଦେବା ସମ୍ଭବ ନୁହେଁ । ଚୋରିଚମାରୀ ତ ଲାଗିରହିଛି । ଚତୁର୍ଥଶ୍ରେଣୀ କର୍ମଚାରୀମାନଙ୍କର ସଂଘ ସବୁଥିରେ ହସ୍ତକ୍ଷେପ କରୁଥିବାରୁ ପୂଜାରୀ, ଓ୍ୱାଡ଼ବୟ, ମେହେନ୍ତର ଏବଂ ଆଟେଣ୍ଡାଣ୍ଟମାନଙ୍କ ବିରୁଦ୍ଧରେ କାର୍ଯ୍ୟରେ ଅବହେଳା କରିବା କାରଣରୁ କୌଣସି କାର୍ଯ୍ୟାନୁଷ୍ଠାନ କରିବା ସମ୍ଭବ ନୁହେଁ । ଡାକ୍ତରମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ପ୍ରାଇଭେଟ କ୍ଲିନିକ୍ ରହିଛି । ହସ୍‌ପିଟାଲରେ ଭର୍ତ୍ତି ହେବା ଆଗରୁ ବା ହସ୍‌ପିଟାଲର ଚିକିତ୍ସା ସୁବିଧା ପାଇବାପାଇଁ ରୋଗୀମାନଙ୍କୁ ପ୍ରାଇଭେଟ କ୍ଲିନିକ୍ ଯିବାକୁ ହୁଏ । ରୋଗ ଅନୁସାରେ ସେଇଠି ଯାହା ଦବାକଥା ଦେଇସାରି ଡାକ୍ତରଖାନା ଆସିଲେ ଚିକିତ୍ସା ହୁଏ, ଶଯ୍ୟା ମିଳେ, ଅପରେସନ୍ ହୁଏ, ନଚେତ୍ ଦୌଡ଼ି ଦୌଡ଼ି ପାଦରୁ ଚମଡ଼ା ଛିଣ୍ଡିଗଲେ ବି ଡାକ୍ତରଙ୍କ ଦୃଷ୍ଟି ପଡ଼େ ନାହିଁ । ଅବଶ୍ୟ ମନ୍ତ୍ରୀ, ସଚିବ ବା ବିଧାନସଭା ସଦସ୍ୟ ବା ସେହିପରି ଗଣ୍ୟମାନ୍ୟ ଲୋକ ବା ତାଙ୍କର ଜ୍ଞାତି ପରିବାର, ବନ୍ଧୁ ଏବଂ ପରିଚିତ ବା ଚାକରମାନଙ୍କ ପାଇଁ ସୁବ୍ୟବସ୍ଥା କରିବାରେ ହେଳା କରାଯାଏ ନାହିଁ ।

 

ରୋଗୀମାନଙ୍କ ମୁହଁରୁ ମନୋଜ ଶୁଣିଲା ଯେ, ବାପୁଜୀ ନଗରରେ ଥିବା କେତୋଟି କ୍ଲିନିକ୍‌ରୁ ଡାକ୍ତରଖାନାର ଚୋରି ଔଷଧ କିଣିବାକୁ ମିଳେ । ଏଠାରେ ଏକ୍‌ସରେ ଯନ୍ତ୍ରକୁ ଅଚଳକରି ସେଠାକୁ ଯିବାକୁ କୁହାଯାଏ ।

 

ସବୁ ବିବରଣୀ ସଂଗ୍ରହ କରି ମନୋଜ ପ୍ରକାଶ ସହିତ ହସ୍‌ପିଟାଲରୁ ବାହାରୁଥିବାବେଳେ ରକ୍ତ, ମଳ, ମୂତ୍ର ପରୀକ୍ଷା କରାଯାଉଥିବା ଲାବୋରେଟାରୀ ଆଗରେ ଜଣେ ରୋଗୀ ଦଶ ଟଙ୍କାର ଗୋଟିଏ ନୋଟ ଦେଇ ରିପୋର୍ଟ ନେଉଥିବାର ଦେଖି ଛିଡ଼ା ହୋଇଗଲା ଦଣ୍ଡେ । କିନ୍ତୁ କର୍ମଚାରୀ ଜଣକ ସତର୍କ ହୋଇ ରୋଗୀକୁ ଭିତରକୁ ଡାକିନେଇ ତାହାରି ସାମ୍ନାରେ ଦରଜା ବନ୍ଦ କରିଦେଲା ।

 

ଏଠାରେ ଇଞ୍ଜେକ୍‌ସନର କାର୍ଯ୍ୟକାରିତା ସମ୍ପର୍କରେ ଲେଖାଥିବା ଶେଷ ତାରିଖ ପଢ଼ିବାକୁ କାହାରି ସମୟ ଥିବାପରି ଜଣାପଡ଼ୁନି । ଷ୍ଟକ୍ ପରୀକ୍ଷା କରି ପୁରୁଣା ଔଷଧ ନଷ୍ଟ କରିଦେବାର ନିୟମ ଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୁଏ ନାହିଁ ।

 

ଯେଉଁ ନର୍ସ ପୁରୁଣା ଇଞ୍ଜେକ୍‌ସନ ଦବା ଫଳରେ ପିଲାଟିର ମୃତ୍ୟୂ ହେଲା ତାଙ୍କ ସହିତ କିମ୍ବା ଯେଉଁ ଡାକ୍ତରଙ୍କ ନିର୍ଦ୍ଦେଶରେ ଇଞ୍ଜେକ୍‌ସନ ଦିଆଗଲା ତାଙ୍କ ସହିତ ସାକ୍ଷାତ୍‍ କରିବାର ସୁଯୋଗ ପାଇଲେ ନାହିଁ ସେମାନେ । ହସ୍‌ପିଟାଲ ସୁପାରିଟେଣ୍ଡେଣ୍ଟ ଯଦିବା ଉପସ୍ଥିତ ଥିଲେ ଅଫିସରେ କାର୍ଯ୍ୟବ୍ୟସ୍ତ ଥିବାରୁ ସାକ୍ଷାତ୍‍ କରିପାରିବେ ନାହିଁ ବୋଲି ମନାକରି ପଠାଇଲେ ।

 

ବାହାରକୁ ଆସି ମୋଟର ସାଇକେଲ ଚଢ଼ିବାବେଳକୁ ହଠାତ୍ ସେଠାରେ ସୁମତିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ମନୋଜ ।

 

- ଆରେ ମନୁଭାଇ ଯେ....

ସେ କିଛି କହିବା ପୂର୍ବରୁ ପ୍ରଥମେ କହିଲା ସୁମତି ।

 

ମନୋଜ ଅନେକଦିନ ହେଲା ଯାଇ ନ ଥିଲା ତାଙ୍କ ଘରକୁ । ସମୟର ଏଇ ବ୍ୟବଧାନ ଭିତରେ ସୁମତି ଟିକେ ଶୀର୍ଣ୍ଣ ହୋଇଥିବାର ମନେହେଲା ତା’ର ।

 

ସେ କହିଲା - ତୋତେ ଏଠାରେ ଦେଖିବି ବୋଲି ତ ଭାବି ନ ଥିଲି....

 

ସୁମତି ମୁହଁ ଶୁଖେଇ କହିଲା- ଦେଖିବାପାଇଁ ତୁମକୁ ସମୟ କୋଉଠି ମିଳୁଛି ଯେ ତୁମେ ଦେଖିବ... ତା’ ପରେ ଅନେକ ଲୋକଙ୍କୁ ତ ତମେ ଦେଖୁଥିବ ମନୁଭାଇ.... ଆମକୁ ନ ଦେଖିଲେ କ୍ଷତି କଅଣ... ?

 

ତା’ର ସ୍ୱରରେ ଅଭିମାନ ବି ଥିଲା, ଅନୁଯୋଗ ବି ଥିଲା ।

 

କିନ୍ତୁ ଏଇ ଶୀର୍ଣ୍ଣକାୟ ସୁମତି ଆଜି ଆଉଟିକେ ବେଶୀ ସୁନ୍ଦର ଦିଶୁଥିବା ପରି ଲାଗିଲା ମନୋଜକୁ ।

 

ସେ ତା’ ପାଖକୁ ଆଉଟିକିଏ ଘୁଞ୍ଚିଯାଇ କହିଲା, ଗୋଟିକ ପରେ ଗୋଟିଏ ବିପଦ ଅତିକ୍ରମ କରିଚାଲିଛି ମୁଁ... ସମୟ ପାଏନି ଆସିବା ପାଇଁ କିନ୍ତୁ ମନେପଡ଼ ତୁମେ ସମସ୍ତେ... ।

 

- ସତେ ! ଗ୍ରୀବା ହଲାଇ କହିଲା ସୁମତି ।

ତା’ ପାଖରେ କାମ ଥିଲା ମନୋଜର ।

 

ଦିବ୍ୟଧାମ ଆଡ଼ୁ ବୁଲି ଆସିବା ପାଇଁ ପ୍ରକାଶକୁ ଏକା ପଠାଇଦେଇ ସେ ସୁମତିକୁ ସ୍କୁଟର ପଛରେ ବସେଇ ବାହାରି ପଡ଼ିଲା ।

 

‘ପ୍ରିୟତମା’ ରେସ୍ତୋରାଁ ସାମ୍ନାରେ ସ୍କୁଟର ଛିଡ଼ାକରି କହିଲା ମନୋଜ - ନୂଆ ଖୋଲିଛି-। ପ୍ରାଇଭେସି ଅଛି । ଏଇଠି ବସି ଗଳ୍ପ କରିବା ।

 

ସୁମତି ସ୍ୱରରେ ଅନୁରାଗର ରାଗିଣୀ ଖେଳାଇ କହିଲା - ମୋତେ ଏଠାକୁ କାହିଁକି ଆଣିଲ ମନୁଭାଇ.... ଆଉ କାହାସାଙ୍ଗରେ ଆସିବାକୁ ସିନା ଭଲ ଲାଗୁଥିବ ତୁମକୁ.... !

 

ମନୋଜ ତା’ର ହାତ ଧରି ଟାଣିନେଲା ଭିତରକୁ । ଉତ୍ତର ଦେଲା ନାହିଁ ।

ଗୋଟିଏ କେବିନ୍‌ରେ ବସିଲେ ଦୁହେଁ ।

 

ସେ ଅଣ୍ଡାପକୋଡ଼ି ଏବଂ ଚା’ ଆଣିବାପାଇଁ ଅର୍ଡ଼ର ଦେଇ କହିଲା ସୁମତିକୁ - ତୁ କିନ୍ତୁ ସୁନ୍ଦର ଦିଶୁଛୁ ସୁମି.... !

 

ସୁମତି ଉଜ୍ୱଳିଉଠି କହିଲା- ତମ ଆଖିକୁ ସୁନ୍ଦର ଦିଶିଲେ ମୁଁ ଧନ୍ୟ ମନେକରିବି..

- ମିଛ କହୁନି ସୁମି... ସତରେ ତୁ କେତେ ବଦଳିଯାଇଛୁ !

ସୁମତି କହିଲା, କଅଣପାଇଁ ଏଠାକୁ ଆଣିଲ କହିଲନି ଯେ... ।

 

ମନୋଜ କହିଲା - ଏଠାକୁ ଆସିବାର କାରଣ ହେଲା ତୋ ସହିତ ନିରୋଳାରେ କିଛି ସମୟ ବସିବା ଏବଂ ଦ୍ୱିତୀୟ କାରଣ ହେଲା କେତେକେ ବିଷୟରେ ଆଲୋଚନା କରିବା ।

 

ସୁମତି କହିଲା - ତୁମେ ପଠାଇଥିବା ନବବର୍ଷର କାର୍ଡ଼ଟାକୁ ମୁଁ ଫଟୋବାନ୍ଧି ରଖିଦେଇଚି ମନୁଭାଇ... !

 

- ସେଥିରେ ତ ସେମିତି କିଛି ନ ଥିଲା ସୁମି.... ସାଧାରଣ କାର୍ଡ଼ଟା... ।

- ଅନେକ କିଛି ଅଛି ସେଥିରେ.... ଯାହା ସରେନି କେବେ... ।

- ତୁ ପ୍ରଗଲ୍‌ଭା ହୋଇଯାଇଛୁ ଏ ଭିତରେ... ।

 

ମନୋଜର ହାତ ଦୁଇଟିକୁ ନିଜ ହାତ ପାପୁଲି ମଧ୍ୟରେ ଜାକିଧରି କହିଲା ସୁମତି - ମୁଁ ବଦଳିଚି ବୋଲି ଏଇନେ କହୁଥିଲ ନା ମନୁଭାଇ ମୁଁ ବଦଳୁଚି ଖାଲି ତୁମପାଇଁ.... ।

 

ମନୋଜ ବିବ୍ରତ ବୋଧ କରୁଥିଲା ।

 

ସେ ପ୍ରସଙ୍ଗ ପରିବର୍ତ୍ତନ କରିବାକୁ ଯାଇ କହିଲା - ତୋ ବାପାଙ୍କ ହତ୍ୟା ରହସ୍ୟ ପଦାରେ ପଡ଼ିଯିବା ପରେ ଶତ୍ରୁ ଲାଗିଚନ୍ତି ମୋ ପଛରେ.... ।

 

- କିନ୍ତୁ ତୁମେ ଭଲ କରିଛ ମନୁଭାଇ... ବାପାଙ୍କ ହତ୍ୟାକାରୀ ଯଦି ଦଣ୍ଡ ନ ପାଇ ଖସିଯାଏ ଆଇନ ରହିବ ନାହିଁ, ସମାଜ ଭାଙ୍ଗିଯିବ ।

 

ଚିରଞ୍ଜିଲାଲ ଏବଂ ଜବ୍‌ବର ମିଆଁ ତ ଖସିବାର ବାଟ ନାହିଁ ! କିନ୍ତୁ ମାନବ ମହାନ୍ତି ବୋଧହୁଏ ଖସିଗଲାଣି ଫାଶରୁ ।

 

- କେମିତି ?

- ଚାପ ପଡ଼ୁଛି ଉପରୁ । ପୁଲିସ୍‍ ରିପୋର୍ଟ ବଦଳ କରିବାକୁ ବାଧ୍ୟ ହୋଇଛି ।

- ତୁମେ ଲେଖୁନା ଏ ବିଷୟରେ... !

- ଲେଖିବି, କିନ୍ତୁ ପ୍ରମାଣ ନ ଦେଇ ଲେଖିବାଦ୍ୱାରା ଲାଭ କିଛି ହେବ ନାହିଁ ।

- ମୁଁ କିଛି କରିପାରେ ?

- ହୋମ୍ ଡିପାର୍ଟମେଣ୍ଟରୁ ଗୁପ୍ତ ଫାଇଲ ଆଣିପାରିବୁ ?

ସୁମତି ଚିନ୍ତାରେ ପଡ଼ିଗଲା ।

 

- ସେଇ ଗୁପ୍ତ ଫାଇଲରେ ସବୁ ରିପୋର୍ଟ ରହିଛି । ପ୍ରକୃତ ଅପରାଧୀକୁ ଧରାଶାୟୀ କରିବାର ଅବ୍ୟର୍ଥ ଶର ରହିଛି ସେଇ ଫାଇଲରେ ।

ଉତ୍ସାହିତ ହୋଇ ମନୋଜ କହିଲା - ପାରିବୁ ?

ତା’ର ଦୁଇଟା ହାତକୁ ଛାତି ଉପରେ ଜାକି ରଖି କହିଲା ସୁମିତ ପାରିବି... ।

ହଠାତ୍ ଟ୍ରେରେ ପକୋଡ଼ି ଆଉ ଚା’ ନେଇ ବୟ ପହଞ୍ଚିଗଲା । ରକ୍ଷା ପାଇଗଲା ମନୋଜ ।

ଗରମ ପକୋଡ଼ିରୁ ଗୋଟେ ଉଠାଇ ଆଣି ସୁମତି କହିଲା - ଆଜି ତୁମକୁ ଖୁଆଇଦବାପାଇଁ ଇଚ୍ଛା ହେଉଚି... ।

ମନୋଜ କହିଲା- ତୁ ଆଗ ଖା... ।

- ନାଇଁ, ତୁମେ ଆଗ ଆଁ କର ।

ମନୋଜ ବାଧ୍ୟ ଶିଶୁପରି ଆଁ କଲା – ତା’ ମୁହଁ ଭିତରେ ଗରମ ପକୋଡ଼ି ଖଣ୍ଡେ ଭର୍ତ୍ତି କରିଦେଇ କହିଲା ସୁମତି - ତୁମେ ମୋର ସେଇ ପ୍ରଶ୍ନର ଉତ୍ତର କିନ୍ତୁ ଏଯାଏ ଦେଇନ ମନୁଭାଇ !

ମନୋଜ କିଛି ନ ଜାଣିବା ପରି କହିଲା - କୋଉ ପ୍ରଶ୍ନ ?

ସୁମତି ଲାଜେଇ ଯାଇ କହିଲା - ମନେପଡ଼ୁନି ?

ମନୋଜ ସ୍ମରଣ କରିବାର ଛଳନା କଲା ।

 

ସୁମତି ସ୍ୱରରେ ଅନୁରାଗର ଝଙ୍କାରତୋଳି କହିଲା - ସେକଥା କେହି ଭୁଲିପାରେ ନାହିଁ, ତୁମେ ଭୁଲିଗଲ ?

 

- କୋଉ କଥା ?

- ମୋ ମୁହଁରୁ ଶୁଣିବାକୁ ଚାହଁ ?

- ହଁ, ତୁ କହ... ।

 

ମନୋଜର ଛାତି ଉପରେ ଢଳିପଡ଼ି କହିଲା ସୁମତି - ମୋତେ ଭଲପାଅ ମନୁଭାଇ ? କୁହ, ଥରେ ମାତ୍ର କୁହ... ତୁମରି ମୁହଁରୁ ଶୁଣିବାକୁ ମନ ହେଉଛି ।

 

ମନୋଜ ଭାବିଲା, କାନ୍ଥକୁ ପିଠିକରି ଯୁଦ୍ଧ କରୁଛି ସେ । ଆଉ ନୁହେଁ, ଏଥର ବୋଧହୁଏ ସେଇ ପଦକ କଥା ଜୋରକରି ଆଦାୟ କରିନେବାକୁ ଚାହେଁ ସୁମତି ।

 

କିନ୍ତୁ ପୃଥିବୀରେ ବୋଧହୁଏ ଆଉଜଣେ ଅଛନ୍ତି ଯାହାଙ୍କ ନାମ ଅନ୍ତର୍ଯ୍ୟାମୀ । ତାଙ୍କରି ନିର୍ଦ୍ଦେଶରେ ବିଲ୍ ନେଇ ପଶିଆସିଲା ବୟ ।

 

ରକ୍ଷା ପାଇଗଲା ମନୋଜ ।

ବୟ ଚାଲିଯିବା ପରେ କହିଲା ସୁମତି - ମୁଁ କଅଣ ଅସୁନ୍ଦର ମନୁଭାଇ ?

ମନୋଜ ଚାହିଁଲା ସୁମତି ମୁହଁକୁ ।

 

ଆହା ! କେତେ ଯୁଗର ପ୍ରତୀକ୍ଷା ମୂର୍ତ୍ତି ହୋଇଉଠିଚି ସୁମତିର ଆଖିରେ । ସେ କହିଲା–ସେକଥା ମନ ଗହନରେ ଗୋପନ ହୋଇ ରହିଥାଉ ସୁମି ... ଦିନେ ନିଶ୍ଚୟ ଶୁଣିବୁ... ସେଦିନ ତୋତେ ପଚାରିବାକୁ ହେବ ନାହିଁ, ଆପେ ଆପେ ମୁହଁରୁ ବାହାରିଯିବ ।

 

ସୁମତି କହିଲା - ସେ ଭାଗ୍ୟ ହେବ ମୋର... କେଜାଣି !

 

ଦରକାରୀ କଥା ଗୋଟେ ମନେପଡ଼ିଲା ମନୋଜର । ସେ କହିଲା - ମାନବ ମହାନ୍ତି ଏବେ ବି ଆଶା ରଖେ ଶାସନର ଶୀର୍ଷସ୍ଥାନ ଦଖଲ କରବା ପାଇଁ । ତାହା କିନ୍ତୁ ଦୂରାଶା ହୋଇ ରହିବ ସୁମି ! ସମାଜର ଶତ୍ରୁ ଯଦି ସିଂହାସନରେ ବସେ ସମାଜ ରହିବ ନାହିଁ, ଶାସନ ଭୁଶୁଡ଼ି ପଡ଼ିବ । ନୈତିକତା ବୋଲି ତ କିଛି ଗୋଟେ !

 

ସୁମତି କହିଲା – ମୁଁ ତୁମ କଥା ମନେରଖିବି ମନୁଭାଇ ! ତୁମ କାମ ମୋର ଅସାଧ୍ୟ ହେବ ନାହିଁ ବୋଲି ଭାବୁଚି ମୁଁ । ଆଉ କିଛି କରିବାପାଇଁ ଅଛି ଯଦି କୁହ... !

 

ଦିବ୍ୟଧାମ ମନେପଡ଼ିଗଲା ମନୋଜର ।

ସେ କହିଲା - ‘ଦିବ୍ୟଦାମ’ ନାମଟି ଶୁଣିଚୁ ସୁମି ?

- ନିଶ୍ଚୟ । ସେଠାରେ ଯୋଉ ବାବା ଅଛନ୍ତି ସିଏ କୁଆଡ଼େ ସ୍ୱୟଂ କୃଷ୍ଣାବତାର... ।

 

- ହଁ, କଳିଯୁଗରେ ରାଧାମାନଙ୍କ ପାଇଁ ଜଣେ ତ କେହି ପୁଣି କୃଷ୍ଣ ହେବା ଦରକାର ! ସେ ଶୂନ୍ୟସ୍ଥାନ ପୂର୍ଣ୍ଣ କରିଛନ୍ତି । ସେ କୃଷ୍ଣ.. ସେ ସେହି ପରମ ରସରାଜ... ।

 

- ଥଟ୍ଟା କରୁନ ତ ?

- କାହିଁକି ?

- ତୁମ ସ୍ୱର ଶୁଣି ସେୟା ମନେ ହେଉଚି ।

 

- ଦିବ୍ୟଧାମ ଭିତରେ ଯେଉଁ ଗୋପଲୀଳା ଚାଲିଚି ସେ ବିଷୟରେ ଅନୁସନ୍ଧାନ କରି ପୁଲିସ୍‍ ଇନିସ୍ପେକ୍ଟର ପ୍ରକାଶ ପଟ୍ଟନାୟକ ଚାକିରିରୁ ବହିଷ୍କୃତ ହୋଇଛି । କିନ୍ତୁ ସି.ବି.ଆଇ. ଗୋଟେ ଗୁପ୍ତ ରିପୋର୍ଟ ଦେଇଛି କେନ୍ଦ୍ର ସରକାରଙ୍କୁ । ପୁଲିସ୍‍ ବିଭାଗର ବଡ଼ ବଡ଼ କର୍ତ୍ତାମାନଙ୍କର ନିବିଡ଼ ସମ୍ପର୍କ ଅଛି ଦିବ୍ୟଧାମ ସହିତ । ସେଥିପାଇଁ ତ କେତେକ ଅପରାଧ ସମ୍ପର୍କରେ ଦିବ୍ୟଧାମକୁ ଯାଇ ଅନୁସନ୍ଧାନ କରିଥିବା ଦୋଷରୁ ଶେଷରେ ଚାକିରି ହରାଇଲା ବିଚରା ପ୍ରକାଶ ପଟ୍ଟନାୟକ । ବଡ଼ ବଡ଼ ଦୋଷୀ, ନିର୍ଦ୍ଦୋଷୀ, ନିର୍ମଳ ପ୍ରମାଣିତ ହୋଇ ବୁଲୁଚନ୍ତି ରାଜଦାଣ୍ଡରେ । ନିରୀହ, ନିରପରାଧୀ, ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଶେଷରେ ଶିକାର ହେଲା ସେମାନଙ୍କର ।

 

- ସେଇ ଫାଇଲଟା ଡାଇରେକ୍ଟରଙ୍କ ଆଲମାରୀରେ ଅଛି ମନୁଭାଇ ! ଦିନେ ମୋତେ ଗୋଟେ ଡିକ୍ଟେସନ ଦେଇଥିଲେ ସେ ସମ୍ପର୍କରେ... ।

 

ମନୋଜ ସୁମତିର ଆଉଟିକେ ଏକାନ୍ତହୋଇ କହିଲା - ତୋ ଉପରେ ଏତେଗୁଡ଼ା ଦାୟିତ୍ୱ ଦେବାପାଇଁ ସଙ୍କୋଚ ଲାଗୁଚି...କିନ୍ତୁ ତୁ ତ ଜାଣୁ ସୁମି...ମୁଁ ମୋ ନିଜ ସ୍ୱାର୍ଥପାଇଁ କିଛି କରୁନି-। ସମାଜର ସ୍ୱାର୍ଥ ରକ୍ଷାକରିବା ସାମ୍ବାଦିକର କର୍ତ୍ତବ୍ୟ ।

 

- ତୁମେ ନିଶ୍ଚିନ୍ତ ହୁଅ ମନୁଭାଇ ! ମୁଁ ଚେଷ୍ଟା କରିବି । ଡାଇରେକ୍ଟରଙ୍କୁ ବଶ କରିବା ପାଇଁ ମୋତେ ବେଶୀ ସମୟ ଲାଗିବ ନାହିଁ । ତୁମେ କିନ୍ତୁ ମୋତେ ଭୁଲ ନ ବୁଝ ଯେପରି... ।

 

ମନୋଜ ଆଶ୍ୱାସନା ଦେଲା ତାକୁ ।

ସୁମତି ଆହୁରି ସୁନ୍ଦର ଦିଶୁଥିଲା ।

 

କେବିନ ଭିତରୁ ନିଷ୍କ୍ରାନ୍ତ ହୋଇ ରେସ୍ତୋଁରା ବାହାରକୁ ଆସି କହିଲା ସୁମତି - ରେସ୍ତୋଁରାରେ ଖୁଆଇଦେଇ ନିଜର କର୍ତ୍ତବ୍ୟ ଯେପରି ଭୁଲି ନ ଯାଅ ମନୁଭାଇ.. ! ଆଉ ତୁମେ ତ ଡାକି ଆଣିଥିଲ ଏଠାକୁ ! ରେସ୍ତୋଁରାର ନାମ ନେଇ ଯେତେବେଳେ ଡାକିବ ମୋତେ, ମୁଁ ଯେଉଁଠାରେ ଥିଲେ ବି ଶୁଣିପାରିବି ।

 

ତା’ ପାଖରୁ ବିଦାୟ ନେଇ ସ୍କୁଟର ଛାଡ଼ିବା ଆଗରୁ ଆଉଥରେ ରେସ୍ତୋଁରାର ନିଅନ ଲାଇଟର ସାଇନବୋର୍ଡ଼କୁ ଅନାଇଲା ମନୋଜ । ସେଇ ଚାରୋଟି ଅକ୍ଷର ଆହୁରି ସୁସ୍ପଷ୍ଟ ହୋଇଉଠିଥିଲା ନୀଳାଭ ଆଲୋକରେ- ‘ପ୍ରିୟତମା’ ।

 

ହାସ୍ୟମୟୀଙ୍କର ଦିନ ପାଖେଇ ଆସୁଛି ।

 

ତାଙ୍କର ସବୁ ଗଣନାକୁ ଭୁଲ୍ ପ୍ରମାଣିତ କରି ଭଗ୍ନୀ ମନ୍ଦାକିନୀ ବାବାଙ୍କର ମନ୍ତ୍ର ଏବଂ ପ୍ରସାଦ ନେଇ ବିଦେଶ ଗସ୍ତରେ ଚାଲିଗଲେ ଛଅମାସ ପାଇଁ । ଏହି ସମୟ ଭିତରେ ସେ ସୁଇଡେନ୍, ସୁଇଜରଲ୍ୟାଣ୍ଡ, ଇଂଲଣ୍ଡ ଏବଂ ଆମେରିକା ଗସ୍ତକରି ୟୁରୋପ ବା ଆମେରିକାର ଏକ ମନୋରମ ସ୍ଥାନରେ ଦିବ୍ୟଧାମର ଏକ ପ୍ରଧାନ କେନ୍ଦ୍ର ସ୍ଥାପନ କରିବାପାଇଁ ସ୍ଥାନ ନିରୂପଣ କରିବେ ଏବଂ ବାବାଙ୍କର ପ୍ରଦର୍ଶିତ ମାର୍ଗ ଅନୁସରଣ କରିବାଲାଗି ଆଗ୍ରହ ପ୍ରକାଶ କରୁଥିବା ଭକ୍ତମାନଙ୍କୁ ସଙ୍ଗଠିତ କରିବେ । ପ୍ରାରମ୍ଭିକ କାର୍ଯ୍ୟ ଶେଷ ହେବାପରେ ସେ ସୂଚନା ଦେବାମାତ୍ରେ ବାବା ବିଦେଶ ଭ୍ରମଣରେ ଯାଇ ନୂତନ କେନ୍ଦ୍ରରେ ଅବସ୍ଥାନ କରିବେ । ସେଠାରେ ଭକ୍ତମାନଙ୍କର ଉତ୍ସାହ ଓ ଗ୍ରହଣଶୀଳତା ଏବଂ ପାରିବେଶିକ ଅନୁକୂଳତା ବାବାଙ୍କର ମନୋପୂତ ହେଲେ ସେଠାରେ ଦୀର୍ଘକାଳ ରହି ନିଜର ଦର୍ଶନ ପ୍ରଚାର କରିବେ ।

 

ଭଗ୍ନୀ ମନ୍ଦାକିନୀଙ୍କୁ ଆବଶ୍ୟକୀୟ ପରାମର୍ଶ ଓ ଆଶୀର୍ବାଦ ଦେଇ ତାଙ୍କୁ ବିଦେଶରେ ଦିବ୍ୟଧାମର ପତାକା ଉଡ଼ାଇ ରଖିବାକୁ କହିଲେ ବାବା ।

 

ଏହାପୂର୍ବରୁ ତିନିସପ୍ତାହ ବାବାଙ୍କ ସହିତ ଏକାନ୍ତରେ ବାସକରି ପରମାନନ୍ଦ ପ୍ରାପ୍ତ ହୋଇଥିଲେ ଭଗ୍ନୀ ମନ୍ଦାକିନୀ । ବାବାଙ୍କ ମନ୍ତ୍ରନେଇ ତାଙ୍କର ପରମାନନ୍ଦ ସୁଖ ଅଙ୍ଗରେ ବହନକରି ଭଗ୍ନୀ ମନ୍ଦାକିନୀ ଯିବାର ପୂର୍ବରାତିରେ ହାସ୍ୟମୟୀଙ୍କୁ ପାଖକୁ ଡାକି ବାବାଙ୍କ ଆଦେଶ ଶୁଣାଇଦେଲେ ।

 

ତିଥି ନକ୍ଷତ୍ର ଏବଂ ଗ୍ରହମାନଙ୍କର ଚଳନ ଗଣନାକରି ଆଗାମୀ ଚୈତ୍ରପୂର୍ଣ୍ଣିମା ଦିନ ହାସ୍ୟମୟୀଙ୍କୁ ପରମାନନ୍ଦର ସ୍ୱାଦ ଆସ୍ୱାଦନ କରିବା ନିମନ୍ତେ ନିର୍ଘଣ୍ଟ ସ୍ଥିର କରିଥିଲେ ବାବା ।

 

ମନ୍ଦାକିନୀଙ୍କଠାରୁ ସେହି ଆଦେଶ ଶୁଣି ଚମକି ପଡ଼ିଥିଲେ ହାସ୍ୟମୟୀ । ତାଙ୍କର ମୁଖମଣ୍ଡଳ ହଠାତ୍ ବିବର୍ଣ୍ଣ ହୋଇଉଠିବାର ଦେଖି ଭଗ୍ନୀ ମନ୍ଦାକିନୀ ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ଦିବ୍ୟଧାମକୁ ଆସି ଆଉ କେହି ସଂସାରକୁ ଫେରିଯାଇ ପାରିନାହିଁ । ସେ ପଥ ବନ୍ଦ ହୋଇଯାଏ ଆସିବା ଦିନଠାରୁ । ତେଣୁ ଯାହା ଘଟିଯାଇଛି ତାହା ଅପରିବର୍ତ୍ତନୀୟ । ଅପରିବର୍ତ୍ତନୀୟକୁ ପରିବର୍ତ୍ତନ କରିବାପାଇଁ ବୃଥା ଶକ୍ତିର ଅପଚୟନ କରି ପ୍ରବାହିତ ନଦୀର ଅନୁକୂଳ ସ୍ରୋତରେ ଭାସିବାର ପୁଳକ ସଞ୍ଚୟନ କରିବା ବୁଦ୍ଧିମତୀର କାର୍ଯ୍ୟ ।

 

ବାବା କହନ୍ତି - ଯାହା ପରମାନନ୍ଦ ତାହାହିଁ ଆନନ୍ଦର ସହସ୍ରଶୀର୍ଷା । ସେଠାରୁ ଅବିରାମ ଗତିରେ ଝରେ ଆନନ୍ଦର ଧାରା । ଗତିପଥର ଆକୁଳତା କିମ୍ବା ସଙ୍ଗମର ସମ୍ପୂର୍ଣ୍ଣତା ସେହି ପରମାନନ୍ଦର ଅଂଶମାତ୍ର, ପୃଥକ୍‍ ନୁହେଁ ।

 

ଏକୋଇଶ ଦିନର ସମ୍ଭୋଗ ଚିହ୍ନ ଶୋଭା ପାଉଥିଲା ମନ୍ଦାକିନୀଙ୍କ ଅଙ୍ଗରେ ।

 

ହାସ୍ୟମୟୀ ନୀରବରେ ସବୁ ଶୁଣିଗଲେ । ତାଙ୍କର ମେରୁଦଣ୍ଡ ଦେଇ ଏକ ହିମପ୍ରବାହ ସଞ୍ଚରିତ ହୋଇଗଲା । ସେ ମୂକପରି ବସିରହିଲେ ଅନେକ କ୍ଷଣ ।

 

ଆଉ ପାଞ୍ଚଦିନ ବାକି ଅଛି ।

ଏହି ପାଞ୍ଚଦିନ ମଧ୍ୟରେ ତାଙ୍କୁ ମୁକ୍ତିର ପଥ ବାଛିନେବାକୁ ହେବ ।

 

ସେ ପିଲାଦିନୁ କଣ୍ଢେଇ ଖେଳିବା ସମୟରୁ ଗୋଟିଏ ଘରେ ବହୂ ହେବାର ସ୍ୱପ୍ନ ଦେଖିଥିଲେ ।

 

କୈଶୋର ଅତିକ୍ରମ କଲାବେଳକୁ ଏଇ ଇଚ୍ଛା ଆହୁରି ଫଳବତୀ ହୋଇଥିଲା ।

 

ସେ ଯୌବନର ପ୍ରଥମ ପାହାଚରେ ପାଦରଖି ବି ସେଇ ଅଭିଳାଷ ପୋଷଣ କରିଥିଲେ ମନରେ ।

 

ଗୋଟିଏ ଛୋଟ ଘର ।

ଗୋଟିଏ ଛୋଟ ପରିବାର ।

ସ୍ୱାମୀ ଓ ସନ୍ତାନକୁ ନେଇ ଗୋଟିଏ ନିଶ୍ଚିନ୍ତ ନିରାପଦ ଆଶ୍ରୟ ।

ଟିକେ ହସଖୁସି, ଟିକେ ମିଳାମିଶା, ଟିକେ ସହଯୋଗ, ଟିକେ ସ୍ନେହ, ଟିକେ ପ୍ରୀତି ।

ଆଜି ବି ସେଇ ସ୍ୱପ୍ନ ଅଥୟ କରେ ତାଙ୍କୁ ।

 

ଦିନେ ଦିନେ ରାତିରେ ନିଦ ଭାଙ୍ଗିଗଲେ ସେ ବିଛଣାରୁ ଉଠି ସ୍ୱପ୍ନର ସେଇ ସଂସାରକୁ ଖୋଜନ୍ତି । ମଧ୍ୟରାତ୍ରର ନିସ୍ତବ୍ଧତା ଭଙ୍ଗକରି ଦୂରର କୌଣସି ଏକ ଗୃହରୁ ଶିଶୁର କ୍ରନ୍ଦନ ଭାସିଆସିଲେ ଝରକା ପାଖରେ ସେଇଦିଗକୁ ଚାହିଁ ଛିଡ଼ାହୋଇ ରହନ୍ତି ସେ । ଛାତି ତଳର ସ୍ପନ୍ଦନ ଦ୍ରୁତତର ହୁଏ । ଅନାସ୍ୱାଦିତ ମଧୁରତା ବିଭୋର କରିଦିଏ ସର୍ବାଙ୍ଗକୁ । ସେଇ ଶିଶୁକୁ କୋଳରେଧରି ସ୍ତନ୍ୟପାନ କରେଇ ଶୁଆଇ ଦେବାପାଇଁ ଇଚ୍ଛା ହୁଏ । ସେଇ ଇଚ୍ଛା କିନ୍ତୁ ଫଳବତୀ ହୁଏ ନାହିଁ, ଏକ ରୁଦ୍ଧ ବେଦନା ତାଙ୍କୁ ବିମୂଢ଼ କରିଦିଏ ।

 

ତା’ପରେ ବିଛଣା ଉପରକୁ ଫେରିଆସି କ୍ରନ୍ଦନରେ ଭାଙ୍ଗି ପଡ଼ନ୍ତି ହାସ୍ୟମୟୀ ।

ଆଜି ବି ଠିକ୍ ସେହିପରି ହେଲା ।

 

ଅନେକ ସମୟ ତକିଆରେ ମୁହଁଜାକି କାନ୍ଦିବାପରେ ଧୀରେ ଧୀରେ ବିଛଣାରୁ ଉଠି ବାକ୍ସ ଭିତରୁ ଗୋଟିଏ ଛୋଟ ଫଟୋ ବାହାରକରି ଛାତି ଉପରେ ଜାକିଧରିଲେ, ଚୂମ୍ବନ କଲେ.... ।

 

ସେଇ ଛୋଟ ଫଟୋଟି ମନୋଜ ଦେଇଯାଇଥିଲା ତାଙ୍କ ହାତରେ ।

ସବୁ ସ୍ୱପ୍ନ ହୋଇ ରହିଯିବ... ।

ବାସ୍ତବ ସହିତ ମୁହାଁମୁହିଁ ହେବାର ସୁଯୋଗ ଆଉ ମିଳିବ ନାହିଁ ତାଙ୍କୁ ।

ଇଏ ଏକ ଅବାସ୍ତବ ଅପ୍ରାକୃତିକ ପୃଥିବୀ ।

ଏଠାରେ ସ୍ୱପ୍ନ ନାହିଁ, ବାସ୍ତବତା ବି ନାହିଁ ।

 

ଏଠାରେ ଅଛି ଏକ ନିଷ୍ଠୁର ନିର୍ମମ ପରିହାସ । ପରମାନନ୍ଦ ନାମରେ ଅଛି ଜୀବନପ୍ରତି ବ୍ୟଙ୍ଗ, ବିଦ୍ରୂପ ।

 

ହାସ୍ୟମୟୀ ନ ହୋଇ ସେ ଆଉଥରେ ସେଇ କଲେଜରେ ପଢ଼ୁଥିବା ବେଳର ଅନୁପମା ହୋଇଯାଆନ୍ତେ କି !

 

ହାସ୍ୟମୟୀର ମୁଖାପିନ୍ଧି ଅଣନିଶ୍ୱାସୀ ହୋଇଗଲେଣି ସେ । ଅସହ୍ୟ ଲାଗୁଛି ସବୁ । ଅସହ୍ୟ ମନେହେଉଛି ନିଜକୁ ।

 

ମନୋଜର ସେଇ ପ୍ରତିଶ୍ରୁତି ପ୍ରାଣର ପ୍ରତ୍ୟକ ତନ୍ତ୍ରୀରେ ଝଙ୍କାର ତୋଳୁଛି ଆଜି ବି । ମନେପଡ଼ିବା କ୍ଷଣି ସର୍ବାଙ୍ଗରେ ସଞ୍ଚରିଯାଏ ଏକ ଅନୁଭୂତ ଶିହରଣ ।

 

ମନୋଜ ଆଉ ଆସିନାହିଁ । ତାଙ୍କ ସହ ଯୋଗାଯୋଗ କରିପାରିନାହିଁ । ନବେନ୍ଦୁ ହାତରେ ବାବାଙ୍କ ପାଖକୁ ପଠେଇଥିବା ଫୁଲତୋଡ଼ା ଭିତରୁ କାଢ଼ିନେଇଥିବା ଛୋଟ ଚିଠି ଖଣ୍ଡକ ସାଇତାହୋଇ ରହିଛି ସାମୁକା ଭିତରେ ସାଇତାହୋଇ ରହିଥିବା ମୁକ୍ତା ପରି ।

 

ତା’ପରେ ମନୋଜ ସହିତ ସଂଯୋଗ ରକ୍ଷା କରିବାପାଇଁ ତାଙ୍କର ସମସ୍ତ ପ୍ରଚେଷ୍ଟା ମଧ୍ୟ ବିଫଳ ହୋଇଥିଲା ।

 

ସେ ଯଦି ଜୀବନର ପ୍ରଥମ ଏବଂ ଶେଷ ଭୁଲକରି ନ ଥାନ୍ତେ; ଏତେବେଳକୁ କପାଳରେ ସିନ୍ଦୂର, ହାତରେ କାଚ ଏବଂ ମନରେ ସରାଗ ତାଙ୍କୁ କରିଥାନ୍ତା ସୀମନ୍ତିନୀ ।

 

ହେଲା ନାହିଁ, ଜୀବନର କୌଣସି ଆଶା ଅଭିଳାଷ ପୂର୍ଣ୍ଣ ହେଲା ନାହିଁ ।

 

ହେତୁ ହେଲାଦିନୁ କଣ୍ଢେଇ ବାହାଘର କରିବା ଦିନରୁ ଖୋଜୁଥିବା ମନର ମଣିଷଟିକୁ ସେ ମନୋଜ ଭିତରେ ପାଇବେ ବୋଲି ଅପେକ୍ଷା କରୁଥିଲେ; କିନ୍ତୁ ହଠାତ୍ ଦିନେ ଦିବ୍ୟଧାମର ଉଚ୍ଚପାଚେରୀ ଘେରା ନିଷିଦ୍ଧାଞ୍ଚଳ ଭିତରେ ଦେଖା ହୋଇଯିବ ବୋଲି କସ୍ମିନକାଳେ କଳ୍ପନା ବି କରି ନ ଥିଲେ ।

 

ମନୋଜ ତାଙ୍କରି ମଣିଷ । ସେ ଦୁହେଁ ଉଭୟ ଉଭୟଙ୍କର - ଅଭିନ୍ନ ।

 

ଆହୁରି ବେଶୀ ଭାବିବାକୁ ସୁଖ ଲାଗେ । ମନ ଓ ହୃଦୟକୁ ରୋମାଞ୍ଚିତ କରିବାକୁ ବାସନା ଜାଗି ଉଠେ । ଦେହର ପ୍ରତ୍ୟେକ ଲୋମକୂପର ସେଇ ଅନାସ୍ୱାଦିତ ସ୍ପର୍ଶସୁଖ ପାଇବାକୁ ପ୍ରାଣ ଆତୁର ହୁଏ । ସେ ଆସନ୍ତେ କି ! ଜୀବନର ସବୁ କାମନା, ଯୌବନର ସମସ୍ତ ଐଶ୍ୱର୍ଯ୍ୟ ତାଙ୍କରି ପାଦତଳେ ପୁଷ୍ପାଞ୍ଜଳି ଦେଇ ସେ କେବଳ ମୁଗ୍ଧ ବିଭୋରହୋଇ ବସନ୍ତ ଅନାଦିକାଳ ପର୍ଯ୍ୟନ୍ତ ତାଙ୍କରି ମୁହଁରୁ ପଦେ କଥା ଶୁଣିବାପାଇଁ ।

 

ମୁଁ ତୁମକୁ ଭଲ ପାଏ... ।

 

ସେଇ ପଦେ କଥା ଆଉଥରେ କାନପାଖରେ କହନ୍ତେ କି ସେ ! ଥରେ ନୁହେଁ, ବାରମ୍ବାର ସେଇ ପଦେକଥା ଶୁଣିବାକୁ ଇଚ୍ଛା ହୁଏ, ଆକୁଳ ହୁଏ ହୃଦୟ ।

 

ସେ ବି ହୁଏତ ଆକାଶର ଚାନ୍ଦ ହୋଇ ରହିଯିବେ । ପୋଖରୀ ମଝିର ପଦ୍ମ ହୋଇ ରହିଯିବେ ।

 

ସେ ଛୁଇଁପାରିବେ ନାହିଁ; ତୋଳି ଆଣିପାରିବେ ନାହିଁ ।

ଗୋଟେ ବୁଦ୍ଧି ଦିଶିଲା ହାସ୍ୟମୟୀଙ୍କୁ ।

 

ପୂର୍ଣ୍ଣିମାଦିନ ବାବାଙ୍କ ପାଦପଦ୍ମରେ ସମର୍ପଣ କରିବା ପୂର୍ବରୁ ସେଥିପାଇଁ ମନକୁ ପ୍ରସ୍ତୁତ କରିବାଲାଗି ଥରେ କୋଣାର୍କ ବୁଲି ଆସିବାପାଇଁ ଅଳି କଲେ ବାବା ଯଦି ରାଜି ହୁଅନ୍ତି ।

 

ନିଜ ବୁଦ୍ଧିର ଚମତ୍କାରିତା ଦେଖି ଆବାକ୍‌ ହୋଇଗଲେ ହାସ୍ୟମୟୀ ।

 

ପ୍ରବୁଦ୍ଧାଚାର୍ଯ୍ୟଙ୍କ ପରମାନନ୍ଦ ସୁଖ ପାଇବା ଆଗରୁ ଶରୀର ଓ ମନକୁ ପ୍ରସ୍ତୁତ କରିବାକୁ ହେବ । କୋଣାର୍କରେ ସେଥିପାଇଁ ରହିଛି ପ୍ରଚୁର ଉପାଦାନ ।

 

ସେଇ ପ୍ରସ୍ତୁତି ପାଇଁ ଅନୁମତି ନେଇ ସେ ଥରେ ଦିବ୍ୟଧାମ ଭିତରୁ ବାହାରିଗଲେ ମୁକ୍ତ ଜଗତର ସହସ୍ରପଥରୁ ଗୋଟିକୁ ବାଛିନେବା ଦୁଃସାଧ୍ୟ ହେବ ନାହିଁ ।

 

ହାସ୍ୟମୟୀ ଦମ୍ଭ ପାଇଲେ ମନରେ ।

 

ଆସନ୍ତା କାଲି ପ୍ରାତଃଦର୍ଶନ ସମୟରେ ସେ ବାବାଙ୍କୁ କହିବେ ସବୁ । ଆଶା ଲାଉ ଡଙ୍କ ପରି ମାଡ଼ିଗଲା ଚତୁର୍ଦ୍ଦିଗ । ସେ ମନକୁମନ ହସିବାକୁ ଲାଗିଲେ ।

 

ଆଉ ନିଜ ମନର ସେଇ ପ୍ରସନ୍ନତାରେ କେତେବେଳେ ଯେ ଶୋଇପଡ଼ିଲେ ହାସ୍ୟମୟୀ, ନିଜେ ଜାଣି ବି ପାରିଲେ ନାହିଁ ।

 

ହାସ୍ୟମୟୀଙ୍କୁ କୋଣାର୍କ ପରିଦର୍ଶନ କରି ମନପ୍ରାଣକୁ ପ୍ରସ୍ତୁତ ଓ ପୁଲକିତ କରି ଆସିବାପାଇଁ ବାବା ଏଡ଼େ ସହଜରେ ଅନୁମତି ଦେବେ ବୋଲି ଭାବି ନ ଥିଲେ ସେ ।

 

କୋଣାର୍କ ସମ୍ପର୍କରେ ଭୂମିକା ଦେଇ ବାବା କହିଲେ ଯେ ମିଥୁନ ଚିତ୍ରଗୁଡ଼ିକ ମନକୁ ଉଚ୍ଚାଟ ଏବଂ ପ୍ରସ୍ତୁତ କରେ । ଅଶ୍ଳୀଳତା ବୋଲି କିଛି ନାହିଁ ସୃଷ୍ଟିରେ, ତାହା ମନର ଏକ ବିକାର ମାତ୍ର । ଯାହା ସହଜ ଓ ସୁଖକର ତାହାହିଁ ସ୍ୱାଭାବିକ । ସହବାସର ଶୀର୍ଷାନୁଭୂତି ହିଁ ସେହି ପରମାନନ୍ଦ । ସେଇ ଉପଲବ୍ଧି ହିଁ ଜୀବନର ଶ୍ରଷ୍ଠ ସମ୍ପଦ । ତାହାହିଁ ଅନିର୍ବଚନୀୟ ଉପଲବ୍ଧି । ବନ୍ଧନରେ ନୁହେଁ - ମୁକ୍ତିରେ ଜୀବନର ସ୍ୱାଦ । ନିଜକୁ ନିଃଗୃହୀତ ନ କରି ଅନୁଗୃହୀତ କର । ସମ୍ଭୋଗ, କାମନା, ବାସନାର ସୃଷ୍ଟି ମନୁଷ୍ୟର ଇନ୍ଦ୍ରିୟ ରସନାକୁ ପରିତୃପ୍ତ କରିବା ପାଇଁ । ତ୍ୟାଗ କରିବା ପୂର୍ବରୁ ଭୋଗର ଶୀର୍ଷବିନ୍ଦୁରେ ପହଞ୍ଚିବା ଆବଶ୍ୟକ । କୋଣାର୍କର ମିଥୁନ ମୂର୍ତ୍ତିଗୁଡ଼ିକ ସେଇକଥା କହନ୍ତି । ସେମାନଙ୍କର ଲିପି ମୁହଁରେ ନ ଥାଏ, ଥାଏ ଆଖିର ଚାହାଣୀରେ, ଅଧରର ହସରେ, ଛିଡ଼ାହେବାର ଠାଣିରେ କିମ୍ବା ଆବାହନ କରିବାର ଇଙ୍ଗୀତରେ । ସେଇ ଲିପିମାଳା ପଢ଼ିବାକୁ ଚେଷ୍ଟା କର ଜୀବନର ମାଧୁର୍ଯ୍ୟ ବିନିମୟରେ । ଇଚ୍ଛା ଓ ବାସନାର ପରିପୂର୍ଣ୍ଣତା ହିଁ ମୁକ୍ତି ଓ ମୋକ୍ଷ ।

 

ଅଦ୍ଭୁତ ଶକ୍ତି ଲୋକଟାର । ତନ୍ତ୍ର କିମ୍ବା ମନ୍ତ୍ର ବଳରେ ଶହ ଶହ ଲୋକଙ୍କୁ ବଶୀଭୂତ କରି ରଖିଛି । ମୁକ୍ତିର, ମୋକ୍ଷର ମାର୍ଗ ଦେଖାଇଦେବା ସକାଶେ, ପରମାନନ୍ଦକୁ ଉପଲବ୍ଧି କରିବା ସକାଶେ ସେ ଯେଉଁ ଭୋଗର, କାମନା ଚରିତାର୍ଥ କରିବାର ଉଚ୍ଛୃଙ୍ଖଳ ରାସ୍ତାଟି ଖୋଲିଦେଇଛି ତାହା ଆକର୍ଷଣ କରୁଛି ସମସ୍ତଙ୍କୁ । ଆଧ୍ୟାତ୍ମିକ ଲକ୍ଷ୍ୟ ଏକ ଛଳନା । ଉପଭୋଗ ହିଁ ସବୁ । ପ୍ରବୁଦ୍ଧାଚାର୍ଯ୍ୟର ମୁଖାଖୋଲି ତା’ ଭିତରେ ଲୁଚି ରହିଥିବା ବିଳାସ ପୁରୁଷକୁ ରାଜରାସ୍ତାରେ ଛାଡ଼ିଦେବାକୁ ଇଚ୍ଛାହୁଏ । କିନ୍ତୁ ହାୟ ! ସେ ତ ସମସ୍ତଙ୍କୁ ପରମାନନ୍ଦ ବଟିକା ଖୁଆଇଦେଇ ବଶୀଭୂତ କରି ରଖିଛି ।

 

ହାସ୍ୟମୟୀଙ୍କ ମନ ବିଦ୍ରୋହ କରେ । ସର୍ବାଙ୍ଗରୁ ସ୍ଫୁଲିଙ୍ଗ ଝରେ । ସେ ଏଇ ଦିବ୍ୟଧାମକୁ-ଏହାର ସମସ୍ତ ନଗ୍ନ ଅସଭ୍ୟତାକୁ ପୋଡ଼ିଜାଳି ପାଉଁଶ କରିଦେଇ ପାରନ୍ତେ କି !

 

ଆଉ ଅଳ୍ପଦିନ । ଅଭିନୟର ସମୟ ଶେଷ ହୋଇଆସୁଛି ।

 

ଯେତେବେଳେ ଅଭିନୟ ନ କରି ଅନ୍ତରର ନିବେଦନ ଜଣାଇବେ ମନୋଜକୁ ସେଇ ଶୁଭମୁହୂର୍ତ୍ତର ପ୍ରତୀକ୍ଷା କରୁଛନ୍ତି ସେ । ସେହି ଲଗ୍ନରେ ସେ ଫୁଟିବେ ଶତଦଳ ପରି । ତାଙ୍କର ଅର୍ଘ୍ୟ ପାଇ ଆମୋଦିତ ହେବ ମନୋଜ ।

 

ହାସ୍ୟମୟୀ ପ୍ରସ୍ତୁତ ହୋଇ ସାରିଲେଣି । ଆଜି ମନରେ ଅପୂର୍ବ ଆଗ୍ରହ, ଦେହରେ ଅନେକ ଫୂର୍ତ୍ତି । ସବୁକାମ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଶେଷକରି ଅପେକ୍ଷା କରୁଛନ୍ତି ସେ ।

 

ବାବାଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କ ସହିତ ଯିବେ ଆଉ ଦୁଇଜଣ ପରିଚାରିକା, ଡ୍ରାଇଭର ଏବଂ ଭାଇ ଶତାନନ୍ଦ ।

 

ହାସ୍ୟମୟୀ ଜାଣେ ଶତାନନ୍ଦଙ୍କୁ ପଠେଇବାର ଉଦ୍ଦେଶ୍ୟ । ଡ୍ରାଇଭର ତାଙ୍କ ଉପରେ ଦୃଷ୍ଟି ରଖିବ, ଆଉ ଶତାନନ୍ଦ ଦୃଷ୍ଟି ରଖିବେ ଡ୍ରାଇଭର ଉପରେ । ଇଣ୍ଟେଲିଜେନ୍‌ସ ଏବଂ କାଉଣ୍ଟର ଇଣ୍ଟେଲିଜେନ୍‌ସ । ବାବା ନିଜେ ପୁଣି ଦୃଷ୍ଟି ରଖିବେ ସମସ୍ତଙ୍କ ଉପରେ । ରୁଷିଆର କେ.ଜି.ବି., ଆମେରିକାର ସି.ଆଇ.ଏ.ଠାରୁ ବି ଶକ୍ତିଶାଳୀ ଗୁଇନ୍ଦା ସଂସ୍ଥା ତାଙ୍କ ହାତରେ ।

 

ତଥାପି ଶେଷ ଚେଷ୍ଟା କରିବେ ହାସ୍ୟମୟୀ । ମୁକ୍ତିର ସ୍ୱାଦ ଚାଖିବାପାଇଁ ପାଚେରୀ ଡେଇଁ ପୂର୍ବ ବର୍ଲିନରୁ ପଶ୍ଚିମ ବର୍ଲିନକୁ ଲୋକ ଲମ୍ଫଦେବା ପରି ସେ ମଧ୍ୟ ଲମ୍ଫଦେବେ ନୂତନ ଜୀବନର ସ୍ୱାଦ ଆସ୍ୱାଦନ କରିବାପାଇଁ । ବଞ୍ଚିଗଲେ ଇପ୍‌ସିତ ବସ୍ତୁ ଲାଭ କରିବେ, ମୃତ୍ୟୁରେ ପାଇବେ ଅନନ୍ତ ମୁକ୍ତି ।

 

ସକାଳ ଆଠଟାରେ ଶୁଭ ସମୟ ।

 

ଆଶ୍ରମର ଗାଡ଼ି ପ୍ରସ୍ତୁତ । ହାସ୍ୟମୟୀ ବସିଲେ ଆସି । ଅନ୍ୟମାନେ ଆଗରୁ ଆସି ସାରିଥିଲେ ।

 

ଗାଡ଼ି ଛାଡ଼ି ଦେଲା ।

 

ପିପିଲି ଅତିକ୍ରମ କରି କୋଣାର୍କ ଅଭିମୁଖରେ ଘଣ୍ଟାକୁ ପଞ୍ଚସ୍ତରୀ ଅଶୀ କିଲୋମିଟରରେ ଚାଲୁଥାଏ ଗାଡ଼ି ।

 

କୋଣାର୍କରେ ପହଞ୍ଚିବା ପରେ ପାନ୍ଥନିବାସରେ ଦଶମିନିଟ ଅତିବାହିତ କରି ସେମାନେ ବାହାରିଲେ ମନ୍ଦିର ଦେଖିବା ପାଇଁ ।

 

ମୂର୍ତ୍ତି ପରେ ମୂର୍ତ୍ତି ଦେଖିବାରେ ଛଳନା କରି କେବଳ ପଳାୟନର ପ୍ଲାନ୍ କରୁଥାଆନ୍ତି ହାସ୍ୟମୟୀ ।

 

ଭାଇ ଶତାନନ୍ଦ ସେଇ ନଷ୍ଟ ମିଥୁନ ମୂର୍ତ୍ତିଗୁଡ଼ିକୁ ଦେଖି ମୁଗ୍ଧ ବିସ୍ମୟରେ ଅନାଇଥାଆନ୍ତି ଏକଲୟରେ ।

 

ହାସ୍ୟମୟୀ ଟିକେ ଆଗରେ । ମାଧୁରୀ ତାଙ୍କ ସାଙ୍ଗରେ । କିନ୍ତୁ ପ୍ରୀତି ଶତାନନ୍ଦଙ୍କ ପାଖରେ ।

 

ଲୋକ ବେଶୀ ନ ଥିଲେ ଆଜି ।

 

ଶତାନନ୍ଦ ପ୍ରୀତିକୁ ମୈଥୁନରତ ପୁରୁଷ ଓ ନାରୀମୂର୍ତ୍ତିକୁ ଦେଖାଇ କଅଣ ବୁଝାଉଥିବାର ଲକ୍ଷ୍ୟ କଲେ ହାସ୍ୟମୟୀ ।

 

ପରିବେଶ ଅନୁକୂଳ ହେବାକୁ ଲାଗିଛି ।

 

ମନ୍ଦିର ଦେଖିସାରିବା ବେଳକୁ ଦୁଇଘଣ୍ଟା ଲାଗିଗଲା । ତା’ପରେ ରଥଚକ ପାଖରେ ଛିଡ଼ାହୋଇ ଫଟୋ ଉଠାଇଲେ ସମସ୍ତେ ।

 

ସେଠାରୁ ବାହାରି ଆସିବାବେଳେ ଶତାନନ୍ଦ ପ୍ରସ୍ତାବକଲେ ଯେ ସେ ଆଉ ସମୁଦ୍ରକୂଳକୁ ଯିବାକୁ ଚାହାଁନ୍ତି ନାହିଁ । ଶିରପୀଡ଼ା ଯୋଗୁ କଷ୍ଟ ଅନୁଭବ କରୁଛନ୍ତି ସେ ।

 

ତାଙ୍କୁ ସେବା କରିବାପାଇଁ ପ୍ରୀତିକୁ ନିର୍ଦ୍ଦେଶ ଦେଇ ମାଧୁରୀକୁ ସାଙ୍ଗରେ ନେଇ ହାସ୍ୟମୟୀ ସମୁଦ୍ରକୂଳକୁ ଯିବା ସମୟରେ ଡ୍ରାଇଭର ଗନ୍ଧର୍ବ ଜଣେ ବନ୍ଧୁଙ୍କ ଘରକୁ ଯିବାଲାଗି ଅନୁମତି ନେଇ ଚାଲିଗଲା ।

 

ମାଧୁରୀ ସହିତ ଆଳାପ କରୁ କରୁ ଦୁହେଁ ଅଗ୍ରସର ହେଲେ ସମୁଦ୍ରକୂଳକୁ ।

 

ନୂଆହୋଇ ତିଆରି ହୋଇଥିବା ମେରିନ୍‌ଡ଼୍ରାଇଭ୍‌ ରାସ୍ତାରେ ଯାନବାହନ ଯାଉଥିବାର ଦେଖିଲେ ହାସ୍ୟମୟୀ ।

 

ମାଧୁରୀ କହିଲେ ଏଇ ମେରିନ୍‌ଡ଼୍ରାଇଭ୍‌ ନୂଆକରି ତିଆରି ହୋଇଛି ।

ଆଗରୁ ଆସିଥିଲ କେବେ ?- ପଚାରିଲେ ସେ ।

 

-ହଁ । ବିଦେଶରୁ ଭାଇ ଆତ୍ମାରାମ ଆସିଥିବାବେଳେ ତାଙ୍କ ସହିତ ଆସିବାର ସୁଯୋଗ ପାଇଥିଲି ।

 

ହାସ୍ୟମୟୀ ଝାଉଁ ବଣରେ ବୁଲିବାକୁ ଲାଗିଲେ ।

 

ମାଧୁରୀ ସମୁଦ୍ର ସ୍ନାନ କରିବାକୁ ଚାହିଁବାରୁ ସେ ତାଙ୍କୁ ଅନୁମତି ଦେଇଦେଲେ ଅତି ସହଜରେ ।

 

ଚାରିଆଡ଼େ ତୀକ୍ଷ୍ଣ ଦୃଷ୍ଟି ରଖି ହାସ୍ୟମୟୀ ଲୁଚକାଳି ଖେଳିବାପରି ଆଗେଇବାକୁ ଲାଗିଲେ ।

 

ଗୋଟେ ବସ୍‌ରେ ଦଳେ ପୁଅ ଝିଅ କଳରୋଳ କରି ଚାଲିଗଲେ ମନ୍ଦିରଆଡ଼େ ।

କୌଣସି କଲେଜର ଛାତ୍ର ଓ ଛାତ୍ରୀମାନେ ପିକ୍‌ନିକ୍‌ କରିବାକୁ ଆସିଚନ୍ତି ବୋଧହୁଏ ।

ଆଉ ଗୋଟେ ଯାତ୍ରୀବାହୀ ବସ୍‌ ଚାଲିଗଲା ପୁରା ରାସ୍ତାରେ ।

ଏଇ ବସରେ ଚାଲିଯାଇ ପାରିଥାଆନ୍ତେ କି ହାସ୍ୟମୟୀ !

ତାଙ୍କର ସାହସ ସମୁଦ୍ରର ଜୁଆର ପରି ବଢ଼ିବାକୁ ଲାଗିଲା ।

ଗୋଟେ ବଡ଼ ଢେଉ ଭାଙ୍ଗିପଡ଼ିବାବେଳେ ମାଧୁରୀ ଲୁଚିଗଲା ଦୃଷ୍ଟିର ଅନ୍ତରାଳରେ ।

ସେ ଦୌଡ଼ିବାରେ ଲାଗିଲେ ।

ରାସ୍ତା ଛାଡ଼ି ଝାଉଁବଣ ଭିତର ଦେଇ ସେ ଦୌଡ଼ିବାକୁ ଲାଗିଲେ ।

 

କିଛିଦୂର ଯିବାପରେ ଯାଉଥିବା ଗୋଟେ କାର୍ ହଠାତ୍ ଛିଡ଼ା ହୋଇଗଲା ଟିକେ ଆଗରେ ।

 

ବାବା ଆସିଗଲେ କି ତାକୁ ଧରିବା ପାଇଁ ? - ଭାବିବା ମାତ୍ରେ ଏକ ହିମ ପ୍ରବାହ ମେରୁଦଣ୍ଡକୁ ଶିଥିଳ କରିଦେଇଗଲା ।

 

ହର୍ଣ୍ଣ ବଜାଇ ତା’ର ଦୃଷ୍ଟି ଆକର୍ଷଣ କରୁଥିବାର ଦେଖି ସେ ଟିକେ ଥମିଗଲା ବେଳକୁ ଗାଡ଼ି ଭିତରୁ ଓହ୍ଲାଇ ଆସି ଜଣେ ଯୁବତୀ ହାତହଲାଇ ତାଙ୍କୁ ଡାକୁଥିବାର ଦେଖି ସାହସ ହେଲା ହାସ୍ୟମୟୀଙ୍କର ।

 

ସେ ଅନନ୍ୟୋପାୟ ହୋଇ ପାଖକୁ ଆସିଲେ ।

 

ଅପରିଚିତା କହିଲେ - ମୁଁ ଏକାକୀନି । ଆପତ୍ତି ନ ଥିଲେ ମୋ ସାଙ୍ଗରେ ଆସିପାର । ଯେଉଁଠାରେ କହିବ ଓହ୍ଲେଇ ଦେବି... ।

 

ବିଶ୍ୱାସ କରିବାକୁ ଇଚ୍ଛା ହେଲା ହାସ୍ୟମୟୀଙ୍କର ।

 

ଅପରିଚିତା କହିଲେ - ମୁଁ ପୁରୀ ଯିବି... ସେଠାରୁ ଯିବି ଭୁବନେଶ୍ୱର । ତୁମେ ପୁରୀ ଯିବ କି ?

 

- ହଁ କହି ଗାଡ଼ି ଭିତରକୁ ପଶିଗଲେ ହାସ୍ୟମୟୀ ।

ଗାଡ଼ି ଚାଲିଲା ।

 

ସେ ବାରମ୍ବାର ପଛକୁ ଚାହୁଁଥିବାର ଦେଖି ପଚାରିଲେ ଅପରିଚିତା - କଅଣ ଛାଡ଼ି ଆସିଲ, ନା କିଏ ରହିଗଲା ?

 

-ନା...ନା, ହଠାତ୍‌ କହି ପକେଇଲେ ସେ ।

 

ଅପରିଚିତା କହିଲେ - ତୁମକୁ ଦେଖି ଖୁସି ଲାଗୁଚି । ଏଡ଼େ ସୁନ୍ଦରୀ ଝିଅ ଅଛନ୍ତି ବୋଲି ମୁଁ ଜାଣି ନ ଥିଲି ଆଗରୁ ।

 

ଲଜ୍ଜାରେ ମୁହଁ ନୁଆଁଇଲେ ହାସ୍ୟମୟୀ ।

- ତୁମ ନାମ କଅଣ ?

ଅନୁପମା !

- ବାଃ, ସୁନ୍ଦର ନାମଟି ତ ! ନାମଟି କିନ୍ତୁ ସାର୍ଥକ ହୋଇଚି ତୁମ ପାଖରେ ।

 

ଅନୁପମା ତାଙ୍କ ମୁହଁକୁ ଚାହିଁଥିବାର ଦେଖି ସେ କହିଲେ - ମୋ ନାମ ସୁହାସିନୀ ପଟ୍ଟନାୟକ । ରାଜଧାନୀର ବିଉଟି ପାର୍ଲର ନାମ ଶୁଣିଥିବେ ! ମୁଁ ତାର ପ୍ରତିଷ୍ଠାତ୍ରୀ ଏବଂ ପରିଚାଳିକା ।

 

ନମସ୍କାର କଲା ଅନୁପମା ।

- ତୁମେ ଏକା ଆସିଥିଲ ?

- ହଁ ।

 

- ଏକା ଆସିବା ନିରାପଦ ନୁହେଁ ଆଜିକାଲି । ମଣିଷ ତ ଦିନକୁ ଦିନ ପଶୁଠାରୁ ଅସଭ୍ୟ, ଅରଣ୍ୟକ ହୋଇଯାଉଛି ।

 

- ବସ୍‌ ନ ପାଇ ଚାଲି ଚାଲି ଯାଉଥିଲି ।

 

- ଦୁଃସାହସ ବ୍ୟବୀତ ଏହାକୁ ଆଉ କଅଣ କୁହାଯାଇପାରେ ! କୋଣାର୍କରୁ ପୁରୀ କେତେ ବାଟ ଜାଣିଚ ? ଚଉତିରିଶ କିଲୋମିଟର ।

 

ଅନୁପମା ନିରୁତ୍ତର ହୋଇ ବସି ରହିଲା ।

ସୁହାସିନୀ କହିଲେ - ଘର କେଉଁଠି, କିପରି ଆସିଥିଲ ?

 

- ହଷ୍ଟେଲରୁ ଚାଲି ଆସିଥିଲି ଏକା । ଆପଣ ସାହାଯ୍ୟ କରି ନ ଥିଲେ କଅଣ ହୋଇଥାନ୍ତା କେଜାଣି !

 

ସୁହାସିନୀ କଅଣ ଭାବିବାକୁ ଲାଗିଲେ ।

ଅନୁପମା ମଧ୍ୟ ଅନ୍ୟମନସ୍କ ହୋଇଗଲେ ।

ରାମଚଣ୍ଡୀ ପାର ହୋଇ ଗାଡ଼ି ଆହୁରି ଅନେକ ଦୂର ଆଗେଇଗଲାଣି ।

 

ଅନୁପମାକୁ ମଝିରେ ମଝିରେ ଦେଖୁଥାଆନ୍ତି ସୁହାସିନୀ । ବିଉଟି ପାର୍ଲରକୁ କେତେ ଝିଅବୋହୂ ଆସନ୍ତି, କିନ୍ତୁ ଆଜିପର୍ଯ୍ୟନ୍ତ ଏପରି ଅନୁପମା କନ୍ୟାଟିଏ ଆସିନି କେବେ ।

 

ଅନୁପମାର କଥାରୁ ସେ ଯେ କାହାକୁ ନ କହି ଘରୁ ପଳେଇ ଆସିଛି ଏହା ଅନୁମାନ କରୁଥିଲେ ସୁହାସିନୀ । ବାପା ମା’ ଜ୍ଞାତସାରରେ ନିଶ୍ଚୟ ତାକୁ ଏକା କୋଣାର୍କର ବେଳାଭୂମିରେ ବୁଲିବାପାଇଁ ପଠାଇ ଦେଇ ନ ଥାନ୍ତେ । ତା’ପରେ ତାକୁ ସମୁଦ୍ର କୂଳେ କୂଳେ ଏବଂ ଝାଉଁବଣରେ ଦୌଡ଼ି ଦୌଡ଼ି ଆଗକୁ ଯିବାର ଦେଖି ସେ ଭାବି ନେଇଥିଲେ ଯେ ନିଶ୍ଚୟ କାହାରି ପାଖରୁ ରକ୍ଷା ପାଇବାଲାଗି ପଳେଇବାକୁ ଚାହେଁ, ନ ହେଲେ ଏପରି ଭାବରେ ଦୌଡ଼ିବାର ଅର୍ଥ ନାହିଁ ।

 

ଅନୁପମା ଯଦି ରାଜି ହୁଏ ତାଙ୍କ କଥାରେ, ଅନେକ ସୁଯୋଗ ଆସିବ ତାଙ୍କ ହାତକୁ ।

 

ଗୋଟିକ ପରେ ଗୋଟିଏ ସମୁଦ୍ରର ଢେଉ ଭାଙ୍ଗିବା ପରି କେତେ ଢେଉ ଉଠୁଥିଲା ଆଉ ଭାଙ୍ଗୁଥିଲା ମନରେ ।

 

ସୁହାସିନୀ ଅନୁପମାକୁ ଆଦର କରି ତାର ଚିବୁକ ଛୁଇଁ କହିଲେ - ତୁମେ ଅଗାଧ ସମୁଦ୍ରର ଲୁକାୟିତ ମୁକ୍ତାପରି । ମୋର ଆନନ୍ଦ ଯେ, ମୁଁ ଆବିଷ୍କାର କରିଛି ତୁମକୁ ... ।

 

ଏତେବେଳକୁ ଅନେକଟା ସହଜ ହୋଇ ଆସିଥିଲା ଅନୁପମା ।

 

ସମୁଦ୍ରକୂଳରେ ନୂଆ ହୋଇ ତିଆରି ହୋଇଥିବା ‘‘ସନ୍‌ ଆଣ୍ଡ ସାଣ୍ଡ’’ ହୋଟେଲ ଆଗରେ ଗାଡ଼ିଛିଡ଼ା କରେଇ କହିଲେ ସୁହାସିନୀ - ସେହି ସକାଳୁ ବାହାରିଛି, ବେଳ ଦେଢ଼ଟା ହେଲାଣି । ଅଗ୍ନି ଜଳୁଛି ପେଟରେ । ଆସ ଆଗ କିଛି ଖାଇନବା... ।

 

ଅନୁପମାକୁ ବି ଭୋକ କରୁଥିଲା । ଆସିବାବେଳର ଉତ୍କଣ୍ଠା ଯୋଗୁଁ ସେ ପ୍ରାୟ ଖାଇ ନ ଥିଲା କିଛି ।

 

ହୋଟେଲର ରେସ୍ତୋଁରାରେ ବସିଲେ ଦୁହେଁ । ଜାଜ୍‌ ସଙ୍ଗୀତର ମଧୁର ମୂର୍ଚ୍ଛନା ଭାସି ବୁଲୁଥିଲା ଭିତରେ । କେତେଜଣ ବିଦେଶୀ ପର୍ଯ୍ୟଟକ ଗୋଟେ ଟେବୁଲ ଚାରିପାଖରେ ବସି ମଦ୍ୟପାନ କରୁଥିଲେ । ଗୋଟିଏ କୋଣରେ ମୁହଁ ଆଗରେ ମ୍ୟାଗାଜିନ୍‌ଟିଏ ଖୋଲି ପଢ଼ୁଥିବାରୁ ସେହି ବ୍ୟକ୍ତିକୁ ଆଦୌ ଚିହ୍ନିବାର ଉପାୟ ନ ଥିଲା । ଆଉ ଗୋଟେ ଟେବୁଲ ଦଖଲକରି ମୁହାଁମୁହିଁ ହୋଇ ବସିଥିଲେ ଜଣେ ଯୁବକ ଏବଂ ଜଣେ ଯୁବତୀ । ବଙ୍ଗାଳୀ ହେବେ ବୋଧହୁଏ ।

 

ସେ ଦୁହେଁ ବସିଲେ ଠିକ୍‌ ଝରକା ପାଖରେ । ସମୁଦ୍ରରେ ମାଛ ଧରୁଥିବା ନୋଳିଆ ଏବଂ ସେମାନଙ୍କର ମାଛଧରା ଡଙ୍ଗା ଭାସିଉଠିଲା ଆଖି ଆଗରେ । ଦଳେ ପକ୍ଷୀ ସମୁଦ୍ରର ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ଉଡ଼ି ଯାଉଥିଲେ ।

 

ସୁହାସିନୀ ଅର୍ଡ଼ର ଦେଲେ - ବିରିଆନୀ, ଚିକେନ୍‌ ମସାଲା, ବଏଲଡ଼ ଭେଜିଟେବୁଲ, ସାଲାଡ଼, ପାଁପଡ଼ ଏବଂ ଆଇସ୍‌କ୍ରୀମ ।

 

ବୟ ଚାଲିଯିବା ଆଗରୁ କହିଲା - ସଫ୍‌ଟ ଡ଼୍ରିଂକ୍‌ସ୍‌କି ସୁପ୍‌ କିଛି ଆଣିବି ?

 

ସୁହାସିନୀ ମୁହଁରେ ପ୍ରସନ୍ନତା ଖେଳାଇ କହିଲେ - ଭୁଲି ଯାଇଥିଲି । ହଁ, ତୁମେ ଆଗ କୁହତ ତୁମର ପସନ୍ଦ ? ଡ୍ରିଂକ୍‌ସ କରିବାରେ ଆପତ୍ତି ଅଛି କି ?

 

ଅନୁପମା ନମ୍ର କଣ୍ଠରେ କହିଲା - ଆପଣ ପିଅନ୍ତୁ... ଲିମ୍‌କା ହେଲେ ମୋର ଚଳିବ ।

-ନା, ନା... ଏକା ଏକା ଡ୍ରିଙ୍କ୍‌ସ କରାଯାଏ ନା... ଦୁହେଁ ଲିମ୍‌କା ପିଇବା ।

 

ବୟ ଅର୍ଡ଼ର ନେଇ ଚାଲିଗଲା ଏବଂ ଅଳ୍ପ ସମୟ ମଧ୍ୟରେ ଦୁଇଗ୍ଲାସ ଲିମ୍‌କା ଏବଂ କିଛି ବରଫ ଆଣି ରଖି ଦେଇଗଲା ।

 

ସୁହାସିନୀ କହିଲେ - ସାଙ୍ଗମେଳରେ ମୁଁ ବେଳେ ବେଳେ ବିଅର କି ଜିନ୍‌ ପିଇଦିଏ... କ୍ଷତି ନାହିଁ କି ଲାଭ ନାହିଁ । ସମାଜରେ ରହିଲେ ଅନ୍ୟମାନଙ୍କର ମନ ରକ୍ଷା କରିବାକୁ ହୁଏ ।

 

ସେମାନେ ଲିମ୍‌କା ପିଉଥିବାବେଳେ ତିନିଜଣ ଆସି ପାଖ ଟେବୁଲ ଦଖଲ କଲେ ।

ସେମାନଙ୍କ ମଧ୍ୟରୁ ଜଣକୁ କେଉଁଠି ଦେଖିଲାପରି ମନେହେଲା ଅନୁପମାର ।

ଜଣେ କହିଲେ - କଅଣ ପିଇବେ କୁହନ୍ତୁ ସାର୍‌... !

- କଅଣ ଅଛି ଆଗ ପଚାର ? କହିଲେ ଭଦ୍ରଲୋକ ।

ଅନ୍ୟଜଣେ କହିଲେ- ମିଷ୍ଟର ମହାପାତ୍ରଙ୍କୁ ଖାଣ୍ଟି ସ୍କଚ ଦିଅ ଶୋଭେସ !

ମିଷ୍ଟର ମହାପାତ୍ର କହିଲେ - ଲେଟ୍‌ ଅସ୍‌ ହ୍ୟାଭ୍‌ ସ୍କଚ ମିଃ ପାତ୍ର ।

 

ମିଷ୍ଟର ମହାପାତ୍ରଙ୍କୁ ଏଥର ଚିହ୍ନିପାରିଲା ଅନୁପମା । ତାଙ୍କୁ କେତେଥର ବାବାଙ୍କ ପାଖକୁ ଆସିବାର ଦେଖିଛି ସେ ଆଶ୍ରମରେ । ମିଷ୍ଟର ଅରୁଣ ମହାପାତ୍ର ସପ୍ଳାଇ ଡିପାର୍ଟମେଣ୍ଟର ଜଣେ ବଡ଼କର୍ତ୍ତା ।

 

କିଛି ଫ୍ରାଏଡ଼ ପ୍ରନ୍‍, ସ୍କଚ ଏବଂ ସୋଡ଼ା ଆଣି ରଖିଦେଲା ବୟ ।

 

ଶୋଭେସ କହିଲା - ଆପଣ ଲଞ୍ଚପରେ ଭୁବନେଶ୍ୱର ଫେରି ନ ଯାଇ ବିଶ୍ରାମ କରନ୍ତୁ ସାର୍‌ ! ଗୋଟେ ଡିଲକସ୍‌ ସୁଇଟ୍‌ ମୁଁ ରଜର୍ଭ କରି ରଖିଛି ।

 

ପାତ୍ର କହିଲେ - ସୋନାଲିକୁ ସେଇଠି ଅପେକ୍ଷା କରିବାକୁ କୁହ ! ସାର୍‌ଙ୍କର କିଛି ଅସୁବିଧା ନ ହୁଏ ଯେପରି ।

 

ମହାପାତ୍ର କହିଲେ - କିନ୍ତୁ ମୋର ଆସିବା ବିଷୟ କେହି ନ ଜାଣନ୍ତି ଯେପରି... ।

-ନା, ନା । ଆମର ବ୍ୟକ୍ତିଗତ କଥା ଇଏ । ସିକ୍ରେସି ରକ୍ଷା କରିବା ଆମର କାମ ।

 

ଶୋଭେସ କହିଲା - ସାର୍‌, ପୁରା ଅର୍ଡ଼ରଟା ଆମକୁ ମିଳେ ଯେପରି...ଆମେ ତ ପୁରୀରେ ବ୍ଲୁଭିଉ ହୋଟେଲର ପଚିଶ ଭାଗ ସେୟାର ଆପଣଙ୍କ ସ୍ତ୍ରୀଙ୍କ ନାମରେ କିଣି ଦେଇଛୁ... !

 

ପାତ୍ର କହିଲେ - ଆମେ ଯାହା କହୁ ତାହା ସାର୍‌ ! ଆମକୁ ବିଶ୍ୱାସ କରିବେ ନିଶ୍ଚୟ ।

ଗିଲାସ ପରେ ଗିଲାସ ଭର୍ତ୍ତି ହେଉଥାଏ ସ୍କଚ୍‌ ଆଉ ସୋଡ଼ାରେ ।

 

ଲଞ୍ଚ ଖାଇବା ଅପେକ୍ଷା ସେମାନଙ୍କ କଥାଭାଷା ପୁଣିବାପାଇଁ ଅଧିକ ମନ ଦେଇଥିଲା ଅନୁପମା ।

 

ସୁହାସିନୀ ଖାଇବାରେ ବ୍ୟସ୍ତ ।

 

କିନ୍ତୁ ଏଠାରେ ବେଶୀ ସମୟ ରହିବା ଯେ ନିରାପଦ ନୁହେଁ ଏହା ଅନୁଭବ କଲା ଅନୁପମା । ମହାପାତ୍ର ଯଦି ତାଙ୍କୁ ଚିହ୍ନିପକାନ୍ତି..... !

 

ପତ୍ରିକା ପଢ଼ୁଥିବା ସେଇ ଲୋକଟି ସେହିପରି ପଢ଼ିବାରେ ବ୍ୟସ୍ତ । ଆଉ ମଝିରେ ଗିଲାସେ ଗିଲାସେ ଚିଲ୍‌ଡ଼ ବିଅର... ।

 

ଲୋକଟା ଜାଣିଶୁଣି ଯେପରି ମୁହଁ ଦେଖାଇବାକୁ ଚାହେଁନି ।

 

ସୁହାସିନୀ ଧୀରେ ଧୀରେ କହିଲେ - ସେଇ ଲୋକଟାକୁ ଦେଖ... ସେ ବିଅର ପିଉଛି ଆଉ ମୁହଁ ଢାଙ୍କି ବସିଛି... ଜାଣିହେଉନି ଲୋକଟା ଚିହ୍ନା କି ଅଚିହ୍ନା ।

 

ଆଇସ୍‌କ୍ରୀମ୍‌ ଖାଇସାରି ଉଠିବାବେଳକୁ ସେଇ ଲୋକର ହାତରୁ ପତ୍ରିକାଟା ହଠାତ୍‌ ଖସିପଡ଼ିବାରୁ ସେ ମୁଣ୍ଡ ତଳକୁ ନୁଆଁଇ ପତ୍ରିକା ଗୋଟେଇନେବା ବେଳକୁ ଏକ ଝଲକରେ ତା’ର ମୁହଁ ଦେଖି ନେଇଥିଲା ଅନୁପମା ।

 

ଅଧ୍ୟାପକ ସ୍ୱଦେଶ ଦାସ ।

 

ସ୍ୱଦେଶ ଦାସକୁ ଏଠାରେ ଦେଖିବ ବୋଲି ଆଶା କରି ନ ଥିଲା ଅନୁପମା । ସେ ଆଶ୍ରମକୁ ଦୁଇ ତିନିଥର ଆସିଥିବାର ସ୍ପଷ୍ଟ ମନେଅଛି ତା’ର ।

 

ବିଲ୍‌ ପେମେଣ୍ଟ କରି ହୋଟେଲ ଭିତରୁ ବାହାରିଯିବାବେଳେ କହିଲେ ସୁହାସିନୀ - ଆଉ ସମୁଦ୍ରକୂଳ ନିରୋଳା କି ନିର୍ଜନ ନୁହେଁ । ମେରିନ୍‌ ଡ୍ରାଇଭ୍‌ ଖୋଲିବା ପରେ ପରେ କେତେ ହୋଟେଲ ରେସ୍ତୋଁରା ଖୋଲିଗଲାଣି ଦେଖୁଚ ?

 

ଅନୁପମା କେବଳ କହିଲା - ହଁ ।

 

ସେ ଆତଙ୍କରେ ଶିହରୁଥିଲା ସେତେବେଳକୁ । ତାକୁ ଯଦି ଦେଖି ନେଇଥାଆନ୍ତି ସେମାନେ !

 

ସୁହାସିନୀଙ୍କ ଗାଡ଼ିରେ ବସି ସେ ଅନେକଟା ନିର୍ଭୟ ହେଲା ସତ୍ୟ; କିନ୍ତୁ ଆଶଙ୍କା ମନରୁ ଚାଲିଗଲାନି ଏକାବେଳେ ।

 

ପୁରୀ ହୋଇ ଫେରିବା ବେଳକୁ ସଂଧ୍ୟା ସାତଟା ।

ବିଉଟି ପାର୍ଲର ଆଗରେ ଗାଡ଼ି ଛିଡ଼ାକରି କହିଲେ ସୁହାସିନୀ ଭିତରକୁ ଆସ ।

 

ଅନୁପମା ତରତର ହେଉଥିଲା ତାଙ୍କ ପାଖରୁ ଚାଲିଯିବାପାଇଁ । କିନ୍ତୁ ଯେତେହେଲେ ସେ ତା’ର ତ୍ରାଣକର୍ତ୍ତ୍ରୀ, ତେଣୁ ତାଙ୍କୁ ମନାକରି ନ ପାରି ତାଙ୍କର ଅନୁଗମନ କଲା ସେ ।

 

ସୁହାସିନୀ ତାକୁ ଧୁଆଧୋଇ ହୋଇ ଆସିବାପାଇଁ ବାଥ୍‌ରୁମକୁ ପଠେଇଦେଇ କ୍ୟାମେରାଗୁଡ଼ାକୁ ସୁଇଚ୍‌ ଟିପି ଜାଗ୍ରତ କରିଦେଲେ ।

 

ପ୍ରାୟ ତିରିଶ ମିନିଟ୍‌ପରେ ପ୍ରସ୍ତୁତ ହୋଇ ଅନୁପମା ବାଥ୍‌ରୁମ ଭିତରକୁ ବାହାରିବାବେଳକୁ ତାକୁ ଚାହିଁଦେଇ କହିପକାଇଲା ସୁହାସିନୀ - ଓ୍ୱାଣ୍ଡରଫୁଲ...ଓଡ଼ିଆ ଝିଅର ଚେରିସ୍‌ମା ନାହିଁ ବୋଲି ଯୋଉଁମାନେ କହନ୍ତି, ସେମାନେ ତୁମକୁ ଦେଖି ନାହାନ୍ତି ... ।

 

ଅନୁପମା କହିଲା - ଆପଣ କଅଣ କମ୍‌ ସୁନ୍ଦର.... ଆପଣଙ୍କ ପରି ଆଉ ଜଣକୁ ମୁଁ ଦେଖି ନାହିଁ ଜୀବନରେ ।

 

ସୁହାସିନୀ ତା’ ହାତକୁ କଫି କପେ ବଢ଼େଇ ଦେଇ କହିଲେ - ମୁଁ ବି ପ୍ରସ୍ତୁତ ହୋଇଯାଇଛି ଏ ଭିତରେ । କଫି ପିଇସାରିବା ପରେ ଯେଉଁଠି କହିବ ଛାଡ଼ିଦେଇ ଆସିବି ।

 

ଅନୁପମା କହିଲା - ନା ନା, ଆଉ କଷ୍ଟ କରିବାକୁ ପଡ଼ିବ ନାହିଁ..... ଗୋଟେ ରିକ୍‌ସା ନେଇ ମୁଁ ବେଶ୍‌ ଚାଲି ଯାଇପାରିବି ।

 

ଆଠଟା ବାଜିବ ପ୍ରାୟ । ଏଇ ରାତିରେ ରାଜଧାନୀରେ ଏକା ଏକା ଯିବାକୁ ଡର ଲାଗିବନି ତୁମକୁ ? ଏଇ ସେଦିନ ତ ଗୋଟାଏ କିଡ଼୍‌ନାପିଂ କେସ୍‌ ଏଇ ଛକ ପାଖରେ ଘଟିଗଲା ।

 

ଅନୁପମା କହିଲା - ମୁଁ ଚାଲିଯିବି । ଭୟ ଲାଗେନି ମୋତେ ।

ସୁହାସିନୀ କହିଲେ - ନା, ଚାଲ ମୁଁ ତୁମକୁ ଛାଡ଼ିଦେଇ ଆସିବି ।

 

ଏଥର ଅସୁବିଧାରେ ପଡ଼ିଗଲା ଅନୁପମା । ସେ କହିଲା - ଆପଣ କ୍ଷମା କରିବେ ... ମୁଁ ଏକା ଘରୁ ବାହାରିଥିଲି, ଏକା ଫେରିଯିବି ।

 

ସୁହାସିନୀ କହିଲେ - ଘରୁ ଅଭିମାନ କରି ପଳେଇ ଆସିଲେ ଇମିତି ହୁଏ । ମୁଁ ସବୁ ବୁଝିଗଲିଣି ଯେ...ହଉ ମୋ ସାଙ୍ଗରେ ଘରକୁ ନ ଫେରିଲେ ନାହିଁ... ଚାଲ ପାଖରେ କାହିଁ ଛାଡ଼ିଦେଇ ଆସିବି ।

 

ଅନୁପମା ଆଉ ଜିଦ୍‌ କଲା ନାହିଁ ।

ପୁଣି ତାକୁ ଗାଡ଼ିରେ ବସେଇ ଗାଡ଼ି ଷ୍ଟାର୍ଟ କଲେ ସୁହାସିନୀ ।

 

ଫରେଷ୍ଟ ପାର୍କ ପାର ହୋଇ ସେକ୍ରେଟାରୀଏଟ୍‌ ଆଡ଼କୁ ଯିବାବେଳେ ସୁହାସିନୀ କହିଲେ - ମୁଁ ବି ଦିନେ ରାଗ ଆଉ ଅଭିମାନରେ ଘର ଛାଡ଼ି ପଳେଇ ଯାଇଥିଲି । କିନ୍ତୁ କଅଣ ହେଲା ଜାଣ ? ଏଇ ପୁରୁଷପ୍ରଧାନ ଦେଶରେ ଆଉ ଗୋଟେ ବଡ଼ ବିପଦ ଏଡ଼ାଇବାକୁ ଯାଇ ମୁହଁ ଶୁଖେଇ ଫେରିଆସିଥିଲି ପୁଣି । କିନ୍ତୁ ଗୋଟିଏ କଥା ମନେରଖ, ନିଜ ଘରକୁ ଫେରିବାରେ ଗ୍ଳାନି ନାହିଁ କି ପରାଜୟ ନାହିଁ । ମାଆର କୋଳପରି ସେଇ ଘର । ଯେତେବେଳେ ଯାଅ ଜାଗା ଖାଲିଥିବ ସେଠାରେ ।

 

ମାଆଙ୍କ କଥା ମନେପଡ଼ିଯିବାରୁ ଅନୁପମାର ଆଖିଦୁଇଟି ସଜଳ ହୋଇଆସିଲା ।

ପିଲାଦିନରୁ ମାତୃହରା ସେ ।

 

ବସ୍‌ଷ୍ଟାଣ୍ଡ ପାଖରେ ବାଟ ଭାଙ୍ଗି ରାଜପଥ ଅତିକ୍ରମ କରି ରାଜମହଲ ଛକ ପାର ହୋଇ ଜନପଥରେ ଯାଇ ମାଷ୍ଟରକ୍ୟାଣ୍ଟିନ ପାଖରେ ଗାଡ଼ି ଛିଡ଼ା ହେଲା ।

 

ସେଠାରେ ଓହ୍ଲେଇପଡ଼ିଲା ଅନୁପମା ।

ଆଖିରେ ତାର କୃତଜ୍ଞତାର ଆନ୍ତରିକ ନିବେଦନ ।

 

ସୁହାସିନୀ କିନ୍ତୁ କହିଲେ - ଆସିବ... ନିଶ୍ଚୟ... ଆସିବ ପୁଣି... ସେତେବେଳେ ତୁମର ଠିକଣାଟା ଦବାକୁ ଭୁଲ୍‌ ନ କର ଯେପରି ।

 

ଅନୁପମା ଗୋଟେ ଗଳିରେ ପଶିଗଲାମାତ୍ରେ ଗାଡ଼ି ଫେରାଇଲେ ସୁହାସିନୀ ।

 

ଅନୁପମା ପୁଣି ମୋଡ଼ ଭାଙ୍ଗି ବାମକୁ ଯିବାପାଇଁ ପାଦ ବଢ଼େଇବାବେଳକୁ ନବେନ୍ଦୁ ସହିତ ସାକ୍ଷାତ୍‌ ହୋଇଗଲା ହଠାତ୍‌ ।

 

ସେଇ ଫୁଲଦୋକାନୀ ନବେନ୍ଦୁକୁ ଇମିତି ରାସ୍ତା ଉପରେ ଦେଖିବ ବୋଲି ସ୍ୱପ୍ନରେ ବି ଭାବି ନ ଥିଲା ଅନୁପମା ।

 

ସେ ଓଢ଼ଣାଟାଣି ମୁହଁ ଲୁଚାଇଦବାକୁ ସମୟ ପାଇଲା ନାହିଁ ।

ନବେନ୍ଦୁ ନମସ୍କାର କରି କହିଲା–

ତୁମେ ଦିଦି ଇଆଡ଼େ ବୁଲୁଛ, ଆଉ ଆଶ୍ରମ କମ୍ପୁଛି ସେଆଡ଼େ ।

କିଛି ନ ଜାଣିବା ପରି କହିଲା ଅନୁପମା - କାହିଁକି, କଅଣ ହେଲା କି ?

 

ନବେନ୍ଦୁ କହିଲା - ମୁଁ ଯାଇଥିଲି ଫୁଲ ଦବାପାଇଁ । କାଲି ପୂର୍ଣ୍ଣିମା । ଅନେକ ଫୁଲ ଦବାପାଇଁ ବରାଦ ନବାର କଥା ଥିଲା । କିନ୍ତୁ ଫୁଲପାଇଁ ଅର୍ଡ଼ର ଦବାକୁ ସମୟ ନ ଥିଲା କାହାରି । ଆଶ୍ରମ ଚାରିପାଖରେ ଶହ ଶହ ଲୋକଙ୍କର ଭିଡ଼ । ଗଣ୍ଡଗୋଳ ଆଶଙ୍କା କରି ଭିତରପଟୁ ଫାଟକ ବନ୍ଦ କରି ଦିଆଯାଇଛି । ମୁଁ ଫେରିବାବେଳେ ପୁଲିସ୍‍ ଭ୍ୟାନ୍‌ ଆଶ୍ରମ ଆଡ଼କୁ ଯାଉଥିବାର ଦେଖିଲି-?

 

- କିନ୍ତୁ କଅଣ ହୋଇଛି କିଝି ବୁଝିଲ ? ଟିକେ ସାହସ ସଞ୍ଚୟ କରି ପୁଣି ପଚାରିଲା ଅନୁପମା ।

 

ଲୋକମାନଙ୍କ ମୁହଁରୁ ଶୁଣିବା କଥା । ଦୁଇନମ୍ବର ହାଇସ୍କୁଲର ହେଡ଼୍‌ମାଷ୍ଟରଙ୍କ ବଡ଼ଝିଅକୁ ଚୋରେଇ ଆଣି କୋଉ ନେତା ରଖିଚନ୍ତି ଆଶ୍ରମରେ । ଆଶ୍ରମର ଲୋକମାନଙ୍କ କଥାରେ ବିଶ୍ୱାସ ନ କରି ଲୋକମାନେ ଭିତରେ ପଶି ନିଜେ ଖୋଜିବାକୁ ଚାହାଁନ୍ତି ।

 

ନବେନ୍ଦୁ କହିଲା ପୁଣି - ଦିଦି ! ବର୍ତ୍ତମାନ ନ ଫେରି ରହିଯାଅ ଟିକେ... ସମୟ ଭଲ ଜଣାପଡ଼ୁନି ।

 

ନବେନ୍ଦୁ ଯେ ତାର ପଳେଇଆସିବା ଘଟଣା ଜାଣିପାରିନି ଏହା ଜାଣି ଆଶ୍ୱସ୍ତ ହେଲା ଅନୁପମା ।

 

ସେ କହିଲା - ଏଇ ପାଖରେ ଜଣେ ବାନ୍ଧବୀ ଅଛି, ତାହାରି ପାଖରେ ରହିଯିବି କିଛି ସମୟ ।

 

ନବେନ୍ଦୁ ଚାଲିଗଲା ।

ମନୋଜର ଠିକଣାଟା ମନେଥିଲା ଅନୁପମାର ।

ସେଇଦିନ ଦେଖିଯାଇଥିଲା ହୃଦୟରେ କମ୍ପନ ସୃଷ୍ଟି କରୁଥିବା ଏଇ ଘରକୁ ।

Unknown

ଧୀରେ ଧୀରେ ସ୍ୱସ୍ତି ହୋଟେଲ ପାରହୋଇ ଡାହାଣକୁ ମୋଡ଼ ଭାଙ୍ଗିଲା ଅନୁପମା ।

ମନରେ ଉତ୍କଣ୍ଠା ଯେତିକି ବଢ଼ୁଚି, ପାଦ ସେତିକି ଅବଶ ହୋଇଆସୁଚି ।

ମନୋଜ ଯଦି ଘରେ ନ ଥାଏ ?

 

ସେ ଅପେକ୍ଷା କରିବ । ସେଇ କଣ୍ଢେଇ ଖେଳିବା ଦିନୁ ସେ ଯାହାର ପ୍ରତୀକ୍ଷା କରିଆସୁଚି, କିଶୋରର ଚପଳତାରେ ଯିଏ ବାରମ୍ବାର ପ୍ରାଣକୁ ପୁଲକିତ ଓ ପୁଷ୍ପିତ କରିଚି, ଯୌବନର ଅର୍ଘ୍ୟ ଧରି ଯାହାର ଦାପତଳେ ସର୍ବସ୍ୱ ନିବେଦନ କରିବା ପାଇଁ ଗୋପନରେ ଶପଥ କରି ଅନୁରାଗର ମଧୁରତାରେ ଶିହରି ଉଠିଚି; ସେଇ ମଣିଷଟି ପାଖରେ ଆଜି ନିଜର ନୈବେଦ୍ୟ ନେଇ ଉଭା ହେବ ସେ ।

 

କୁଣ୍ଠା ନ କରି ତାକୁ ଗ୍ରହଣ କରିବ ତ ମନୋଜ ?

 

ସେ କରୁ ବା ନ କରୁ ଫେରିଯିବା ପାଇଁ ଆସିନି ଅନୁପମା । ସେ କୁଣ୍ଠା ନ କରି ଆସିଚି-। ଅକୁଣ୍ଠ, ଅକୃପଣ ଚିତ୍ତରେ ମାନସ-ପୁରୁଷକୁ କେବଳ ପୂଜା କରିଚି ।

 

ସେଦିନ ତା’ର ଚିବୁକ ଛୁଇଁ ସର୍ବାଙ୍ଗରେ ବିଜୁଳିର ଚମକ ଖେଳାଇ ମନୋଜ କହିଥିଲା ଯେ, ତାକୁ ଭଲ ପାଏ ।

 

ଆଉ ଆଜିର ଅନୁପମା ସେତେବେଳର ହାସ୍ୟମୟୀର ଭୂମିକାରେ ଅବତୀର୍ଣ୍ଣ ହୋଇ ମଧ୍ୟ ନିସ୍ତବ୍‌ଧ କଣ୍ଠରେ କହିଥିଲା- ଦେଖିବାଦିନୁ ନିଜକୁ ଅର୍ପଣ କରିଛି ତୁମକୁ । ମୋତେ ଗ୍ରହଣ କର ବା ନ କର, ମୁଁ କିନ୍ତୁ ହାତପାତି ଠିଆ ହୋଇଚି । ଶୂନ୍ୟ ହାତକୁ ପୂର୍ଣ୍ଣ କରିବନି ?

 

ମନୋଜ ସେଦିନ ତା’ର ଦୁଇ ହାତକୁ ନିଜର ହାତ ଭିତରେ ବନ୍ଦୀ କରି କହିଥିଲା ଯେ, ସେ ଖାଲି ସେଇ ଶୂନ୍ୟ ହାତକୁ ପୂର୍ଣ୍ଣ କରିବ ନାହିଁ, ନିଜର ଶୁଷ୍କ ମନପ୍ରାଣକୁ ପଲ୍ଲବିତ, ପୁଷ୍ପିତ କରିବ ।

 

ସେଦିନ ଆଲୋକଶିଖା ପରି ଉଜ୍ୱଳି ଉଠିଥିଲା ଅନୁପମା । ସେହି ଆଲୋକରେ ନିଜ ଭିତରେ ଅନ୍ଧାରକୁ ଦୂରକରି ନିଜେ ହୋଇଥିଲା ଆଲୋକିତା ।

ମନୋଜର ଛାତି ଉପରେ ଢଳିପଡ଼ି ସେ କହିଥିଲା - ମୁଁ ତୁମକୁ ପ୍ରାଣଠାରୁ ବଳି ଭଲ ପାଏ... ।

ଆଜି ବି ତାର ମନ ନିର୍ମଳ । ଆଜି ବି ତା’ର ହୃଦୟ ଶୁଦ୍ଧ । ଆଜି ବି ଇଚ୍ଛା ହେଉଚି ସେଇ କଥା କହିବା ପାଇଁ ।

ମନୋଜ ତା’ର ମାନସ-ପୁରୁଷ ।

ସେ ହୁଏତ ଦ୍ୱାରମୁହଁରେ ଅପେକ୍ଷା କରୁଥିବ ପଥବରଣ କରିବା ପାଇଁ ।

ଛାତି ତଳର ସ୍ପନ୍ଦନ ବଢ଼ିବାକୁ ଲାଗିଲା । ଉଦ୍‌ବେଗରେ କମ୍ପୁଥିଲା ସର୍ବାଙ୍ଗ ।

ଗଳିଟା ଶୂନ୍‌ଶାନ୍‌ ଲାଗୁଛି । ଯିଏ ଯାହାର ଖାଇପିଇ ଶୋଇଲେଣି ବୋଧହୁଏ । ରାତି ନଅଟାରେ କିଏ ଜାଗିଥିବ ଯେ... ।

ମନୋଜ ହୁଏତ କ୍ଳାନ୍ତ ହୋଇ ଫେରିଥିବ କାମରୁ । ସାମ୍ବାଦିକ ସେ । ସତ୍ୟ ଆହରଣ କରିବା ସହଜସାଧ୍ୟ ନୁହେଁ । ଆହୁରି କଷ୍ଟସାଧ୍ୟ ନିର୍ଭୀକ ଓ ନିରପେକ୍ଷ ଭାବରେ ସତ୍ୟର ପରିବେଷଣ ।

ମନୋଜ ନିରପେକ୍ଷତାର ପ୍ରମାଣ ଦେଇସାରିଛି ।

ସତ୍ୟାନୁଶ୍ରୟୀର ନିଷ୍ଠା ମଧ୍ୟ ଅଛି ତା’ ପାଖରେ ।

କର୍ମକ୍ଳାନ୍ତ ମନୋଜକୁ ଚମକାଇ ଦେଇ କହିବ ଅନୁପମା - ଦେଖ, କିଏ ଆସିଛି... !

 

ସେ ବିସ୍ମୟରେ ଅଭିଭୂତ ହୋଇ ଚାହିଁବ ତା’ ମୁହଁକୁ । ହୁଏତ ବିଶ୍ୱାସ କରି ପାରୁ ନ ଥିବ ମନରେ । ଯାହା ଏଡ଼େ କଷ୍ଟଲବ୍‌ଧ ବା ଅଲଭ୍ୟ ତାହା ଯଦି ହଠାତ୍‌ ହାତମୁଠାକୁ ଆସିଯାଏ ଇମିତି ଅବାକ୍‌ ହୋଇଯାଏ ମଣିଷ ।

ମନୋଜ ତାକୁ କିଛି କହିବା ପୂର୍ବରୁ ସେ କହିବ - ଠିଆହୋଇ ରହିଲ ଯେ.... ବାଟ ଦେଖାଅ... ଆଜି ତ ଆଉ ଫେରିଯିବାପାଇଁ ଆସିନି ।

ମନୋଜ ସେତେବେଳେ ପ୍ରକୃତିସ୍ଥ ହୋଇ ଆବେଗର ପ୍ରଥମ ଶିହରଣକୁ ପ୍ରତିହତ କରି ନ ପାରି ହୁଏତ ଘର ଭିତରେ ପ୍ରବେଶ କରିବା ଆଗରୁ ତା’ର ଅଧର ଉପରେ ଆଙ୍କିଦବ ସମର୍ପଣର ଚୁମ୍ବନ ... ।

ନିଜର ଚିନ୍ତାରେ ନିଜେ ଲାଜରେ ଲାଲ ପଡ଼ିଗଲା ଅନୁପମା ।

ସେ ଠିକ୍‌ ଜାଗାରେ ଆସି ପହଞ୍ଚିଯାଇଛି ।

ମନୋଜର ଘର ଭିତର ଅନ୍ଧାର ।

ଛାତିଟା ଧଡ଼୍‍ କରି ଉଠିଲା ଅନୁପମାର । ସବୁଆଡ଼କୁ ଅନାଇଲା ସେ । ପଡ଼ୋଶୀ ଘରର ଆଲୁଅ ଲିଭି ନାହିଁ ଏଯାଏ । ମନୋଜ ଘରେ ନ ଥିଲେ ବି ନାରଣ ଥିବ ନିଶ୍ଚୟ । ଘର ଖାଲିକରି ସମସ୍ତେ ଅନ୍ୟତ୍ର ଚାଲି ଯାଇ ନାହାନ୍ତି ତ !

ଅନୁପମା ଆଉ ଭାବିବାକୁ ଭୟ କଲା ମନରେ ।

ଧୀରେ ଧୀରେ ପାହାଚ ଡେଇଁ ସେ ଉପରକୁ ଉଠିଲା ।

ଆଗରେ ଦରଜା ।

କଲିଂବେଲ ଟିପିଲା ଅନୁପମା ।

ବାରମ୍ବାର କଲିଂବେଲ୍‌ ଟିପି ମଧ୍ୟ କୌଣସି ଉତ୍ତର ପାଇଲା ନାହିଁ ସେ ।

ଛାତି ଭିତରେ ସ୍ପନ୍ଦନ ଆହୁରି ତୀବ୍ର ହେଲା ।

ପାଦ ଅବଶ ହୋଇଆସିଲା । ତାକୁ ଲାଗିଲା ଯେପରି ସେ ଥରୁଛି ଆଶଙ୍କାରେ... ।

ଆଉଥରେ ଭଲ କରି ଦେଖିଲା ଅନୁପମା । କବାଟ ଉପରେ ହାତ ବୁଲାଇ ଆଣିଲା ।

ଦରଜାରେ ତାଲା ଝୁଲୁଥିବାର ଦେଖି ଚମକିପଡ଼ିଲା ଅନୁପମା ।

ଏକ ଶୀତଳ ପ୍ରବାହ ଥରେଇ ଦେଲା ସର୍ବାଙ୍ଗକୁ । ସେ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇବା ପାଇଁ ଦୁଃସାହସ କରି ବାଜି ମାରିଥିଲା ବଞ୍ଚିବା ପାଇଁ । ସେ ଭାବିଥିଲା ଯେ ଥରେ ମନୋଜ ନିକଟରେ ପହଞ୍ଚିଗଲେ ଅନ୍ଧକାର ସୁଡ଼ଙ୍ଗ ଅତିକ୍ରମ କରି ଆଲୋକ ପାଖରେ ପହଞ୍ଚିବାର ଶିହରଣ ଅନୁଭବ କରିବ ।

କିନ୍ତୁ କବାଟରେ ତାଲା ଝୁଲୁଥିବାର ଦେଖି ଆଶାର ପ୍ରଦୀପଶିଖାଟି ଦୋହଲିବାକୁ ଲାଗିଲା ଜଳିବା ଓ ଲିଭିବାର ଶଙ୍କା ଓ ସମ୍ଭାବନା ଭିତରେ ।

ହୁଏତ ନିଜର ଓଜନ ନିଜେ ବୋହି ନ ପାରି ପଡ଼ିଯାଇଥାଆନ୍ତା ଅନୁପମା କିନ୍ତୁ ରକ୍ଷା ପାଇଗଲା ସେ । ଶେଷ ମୂହୂର୍ତ୍ତରେ କାନ୍ଥ ଉପରେ ଆଉଜିପଡ଼ି ଦୀର୍ଘ ନିଃଶ୍ୱାସଟିଏ ଛାଡ଼ିଲା କେବଳ-

 

ବେଳେ ବେଳେ ବ୍ୟତିକ୍ରମ ହୁଏ । ଲିଭି ଆସୁଥିବା ଦୀପଶିଖାଟି ପୁଣି ଆଉଥରେ ଜଳିଉଠେ ଅପ୍ରତ୍ୟାଶିତ ହାତର ସହାୟତା ପାଇ ।

 

ଅନୁପମା କାନ୍ଥର ଆଉଜି କେତେବେଳଯାଏ ଛିଡ଼ା ହୋଇଥିଲା କେଜାଣି କିନ୍ତୁ ଯେତେବେଳେ ସେ ପ୍ରକୃତିସ୍ଥ ହେଲା, ସେତେବେଳେ ସେ ନିଜକୁ ଆବିଷ୍କାର କଲା ଆଉ ଏଇ ଅପରିଚିତ ପରିବେଶରେ ।

 

ସେଇ ପରିବେଶ ସହିତ ତାର ସମ୍ପର୍କ ବା ସଂଯୋଗ ନାହିଁ ।

 

କିନ୍ତୁ ତାକୁ ଭରସା ଦେଇ କହିଲା ଆରେୟା, ଆଉ ଭୟ ନାହିଁ ଭଉଣୀ .....ସେମାନେ ଚାଲିଗଲେଣି । ଆମ ସାହିରେ ପଶିବାକୁ ପୁଲିସ୍‍ ସାହସ କରେନି ସହଜରେ, ସେମାନେ କରିଥାଆନ୍ତେ ?

 

କିଛି ବୁଝି ପାରିଲା ନାହିଁ ଅନୁପମା ।

 

ତାକୁ ମନେ ପକେଇଦେବା ପାଇଁ ଯେପରି କହିଲା ଆରେୟାର ସ୍ତ୍ରୀ ମନୋରମା-ଏଇ ରାଜଧାନୀରେ କଅଣ ସେଇ ଗୁଣ୍ଡାମାନେ କେବଳ ରହିବେ, ସାଧାରଣ ଝିଅବୋହୂ ଇଜ୍ଜତ ବଞ୍ଚେଇ ନିର୍ଭୟରେ କାହିଁ ଯିବାଆସିବା କରିବା ନାହିଁ ?

 

ଆରେୟା ସ୍ତ୍ରୀକୁ କହିଲା, ସେମାନେ ବୋଧହୁଏ ପିଛା କରୁଥିଲେ, ନ ହେଲେ ୟାଙ୍କୁ ଏକାକିନୀ ଦେଖି ଉଠେଇନବା ପାଇଁ ସୁଯୋଗ ପାଇ ନ ଥାନ୍ତେ । ନାରୀକଣ୍ଠରେ ଚିତ୍କାର ଶୁଣି ମୁଁ ବାଟ ଭାଙ୍ଗି ଦୌଡ଼ିଆସିବା ବେଳକୁ ସେମାନେ ମୋର ମୁହାଁମୁହିଁ ହେଲେ । ସେମାନେ ୟାଙ୍କୁ ଯେପରି ଭାବରେ ବଳପ୍ରୟୋଗ କରି ଗାଡ଼ି ଉପରକୁ ଉଠେଇବା ପାଇଁ ଚେଷ୍ଟା କରୁଥିଲେ, ତାହା ଦେଖି ସେମାନଙ୍କର ମତଲବ ଯେ ଖରାପ ଏହା ବୁଝି ନେଇ, ଯିଏ ମୋ ଆଗରେ ପ୍ରଥମେ ପଡ଼ିଲା ତାକୁ ଶକ୍ତ ଆଘାତ କରି ଚିତ୍କାର କଲି- ଶଳା ହାରାମଜାଦା........ଶେଷରେ ଝିଅବୋହୂଙ୍କ ଇଜ୍ଜତ ନେବାକୁ ବସିଛ ..... ? ସେମାନେ ଥିଲେ ତିନିଜଣ, ମୁଁ ଥିଲି ଏକା । କିନ୍ତୁ ସେମିତି ଦଶଟା ଟୋକାଙ୍କୁ ଜବତ କରିବା ପାଇଁ କୌଶଳ ଜଣାଅଛି ମୋତେ ...... ।

 

ଏତେବେଳେ କୃତଜ୍ଞତାରେ ତା’ ମୁହଁକୁ ଅନାଇଲା ଅନୁପମା ।

ସେ ଏପରି ସ୍ତବ୍‌ଧ ହୋଇଯାଇଥିଲା ଯେ, ଭାବିବାର ଶକ୍ତି ହରାଇ ବସିଥିଲା ।

 

ଆରେୟାର ମୁହଁକୁ ଚାହିଁ ତା’ ଉପରେ ଭରସା ରଖିବାକୁ ଇଚ୍ଛା ହେଉଥିଲା ଅନୁପମାର-। ଏପରି କିଛି ଲୋକ ଅଛନ୍ତି ବୋଲି ଏଇ ପୃଥିବୀ ଏଡ଼େ ସୁନ୍ଦର, ଏଠାରେ ବଞ୍ଚିବା ପାଇଁ ଏତେ ପ୍ରବଳ ଇଚ୍ଛା ହୁଏ ମଣିଷର ।

 

ସେଇ ରାତିଟା ଆରେୟା ଘରେ ମନୋରମା ସାଙ୍ଗରେ କଟେଇଦେଲା ସେ ।

 

ଏଇ ଉତ୍କଳର ପୂଣ୍ୟତୋୟା ନଦୀମାନଙ୍କ କଥା ସ୍ମରଣ କଲେ ମନର ଅହଂକାର ହ୍ରାସ ପାଏ । ସେଇ ଆବହମାନ କାଳରୁ ପ୍ରାପ୍ତିର ପ୍ରତ୍ୟାଶା ନ ରଖି କେବଳ ଦେଶ ଓ ଦଶର ସେବାକରି ଆସିଛନ୍ତି ଏଇ ନଦୀମାନେ । ନଦୀକୂଳେ ବସି ଦୟା ନଦୀର ଗର୍ଭକୁ ଚାହିଁଲେ ସଦା ଦାନ କରୁଥିବା ନଦୀର କଥା ଚିତ୍ତକୁ ଆହ୍ଲାଦିତ କରେ । ମଣିଷ ଇମିତି ହୋଇ ପାରନ୍ତା କି ? ପ୍ରତ୍ୟାଶା ନ କରି କେବଳ ଦେଇଯାଇ ପାରନ୍ତା କି ? ପ୍ରବାହମାନ ନଦୀ ଧାରରେ ବସି ନିଜ ମନ ଭିତରୁ ଜମାଟବନ୍ଧା କୁସଂସ୍କାର, ମତାନ୍ଧତା ଓ ନୀଚତାକୁ ଇମିତି ଭସେଇଦେଇ ପାରନ୍ତା କି ?

 

ଯୁଗ ଯୁଗ ଧରି ଏତେ ହତାଶା ଏବଂ ବ୍ୟର୍ଥତା ସତ୍ତ୍ୱେ, ମହାମାରି ଏବଂ ଖଣ୍ଡ ସତ୍ତ୍ୱେ, ପ୍ରତ୍ୟେକ ମୁହୂର୍ତ୍ତରେ ନୀଚତା, ଶଠତା ଓ କ୍ଷୁଦ୍ରତାଦ୍ୱାରା ନିଃପିଡ଼ିତ ହେବା ସତ୍ତ୍ୱେ ଏଇ ପୃଥିବୀ ଏବେ ବି ସୁନ୍ଦର ଦିଶେ, ଏଠାରେ ଜୀବନର ଶୋଭା ଏବେ ବି ମନୋରମ ଓ ମହାନ୍‌ । ମନୁଷ୍ୟ ଅସୁର ହେବା ପାଇଁ ଜନ୍ମି ନାହିଁ, ଅମୃତରୁ ଜନ୍ମ କେହି ଅଛି ଯିଏ କି ଅସୁରତ୍ତ୍ୱକୁ ଜୀର୍ଣ୍ଣବସ୍ତ୍ର ପରି ପରିତ୍ୟାଗ କରି ଆଦିମ ମନୁଷ୍ୟର ଖୋଳପା ଛାଡ଼ି ବାହାରି ଆସୁଛି ବର୍ଣ୍ଣାଢ଼୍ୟ ବୈଭବମୟ ଏଇ ବିରାଟ ବିଶ୍ୱକୁ । କ୍ଷଦ୍ରରୁ ପୁଣି ମହାନ୍‌ ହେବାକୁ ଚେଷ୍ଟା କରୁଛି....... ।

 

ସ୍ୱଂୟମ୍ଭୁ ଏଇ ମନୁଷ୍ୟ । ନିଜକୁ ଗଢ଼ୁଛି ଏବଂ ଭାଙ୍ଗୁଛି । ପୁଣି ଗଢ଼ୁଛି । ଏଇ କାର୍ଯ୍ୟଟି ଚାଲିଥିବା ଯାଏ ସେ ମରିବ ନାହିଁ, ଅଟକିଯିବ ନାହିଁ; ଚାଲିଥିବ ଏବଂ ତା’ ସହିତ ତାଳଦେଇ ସଭ୍ୟତା ବି ଚାଲୁଥିବ । ହଜାର ହଜାର ମନ୍ଦଲୋକଙ୍କ ମଧ୍ୟରୁ ଜଣେ ଜଣେ ଭଲଲୋକ ଇମିତି ବାହାରୁଥିବେ ଧର୍ମ ସଂସ୍ଥାପନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ । ସୃଷ୍ଟିର ଏହି ଚିରନ୍ତନ ପ୍ରକ୍ରିୟାଟି ଚାଲୁଥିବା ଯାଏ ଶତ ବିଭତ୍ସତା ଓ ବିଭୀଷିକା ସତ୍ତ୍ୱେ ପୃଥିବୀକୁ ଭଲପାଉଥିବ ମନୁଷ୍ୟ ।

 

ମନୋଜ ପୃଥିବୀକୁ ଭଲପାଏ ବୋଲି ନୈରାଶ୍ୟ ତାକୁ ରୋକିଦେଇ ପାରିନାହିଁ କିମ୍ବା ବାଧାବିଘ୍ନ ଅପ୍ରତିହତ ହୋଇ ରହି ନାହିଁ ।

 

ପ୍ରକାଶ ପଟ୍ଟନାୟକ ପରି ଲୋକ ଏ ପୃଥିବୀରେ ଅଛନ୍ତି । ମାନବ ମହାନ୍ତିଙ୍କ ପରି, ପ୍ରବୃଦ୍ଧାଚାର୍ଯ୍ୟଙ୍କ ପରି ଲୋକ ବି ଅଛନ୍ତି ।

 

ଏ ସମସ୍ତେ ନ ଥିଲେ ପୃଥିବୀ ଏପରି ମନୋରମ ହୋଇ ନ ଥାନ୍ତା ।

 

ସୁମିତ୍ରା ସତ୍ୟ ରକ୍ଷାକରି ସେଇ ଗୋପନୀୟ ଫାଇଲଟି ଯୋଗାଇ ଦବାପରେ ଦରକାରୀ ଚିଠି ଓ ଆଦେଶପତ୍ରଗୁଡ଼ିକର ଜେରକ୍‌ସ ଫଟୋ ଉଠେଇ ଫାଇଲ ପୁଣି ଫେରେଇ ଦେଇଛି ମନୋଜ । କିନ୍ତୁ ସୁମତିକୁ ଭୁଲିପାରିନି, ସେ ବରଂ ତା’ ମନର ଅନେକ ସ୍ଥାନ ବେଳେବେଳେ ଅଚାନକ ଭାବରେ ଦଖଲ କରିନେଇଛି ।

 

କାହିଁକି ଯେ ସୁମତି ତା’ ପଛରେ ଗୋଡ଼େଇଛି ବୁଝିପାରେନି ମନୋଜ । ସେ କନ୍ଦର୍ପପରି ରୂପବାନ ନୁହେଁ କିମ୍ବା ଯକ୍ଷପରି ଧନବାନ ନୁହେଁ । ସେ ଜଣେ ସାଧାରଣ ସାମ୍ବାଦିକ ।

 

କେହି ପ୍ରତିପତ୍ତିଶାଳୀ ବ୍ୟକ୍ତି ସମ୍ପାଦକଙ୍କ ପାଖରେ ଗୁହାରି କରି ନ ଥିଲେ ଶେଷରେ ପଛଘୁଞ୍ଚା ଦେଇ ନ ଥାନ୍ତେ ସେ । ମାନବ ମହାନ୍ତିଙ୍କ ବିରୁଦ୍ଧରେ ପ୍ରାମାଣିକ ତଥ୍ୟ ସମ୍ବଳିତ ଶେଷ ପ୍ରବନ୍ଧଟି ସମ୍ପାଦକଙ୍କ ନିର୍ଭୀକତା ଏବଂ ନୀରପେକ୍ଷତା ଉପରେ ବିଶ୍ୱାସକରି ଛାପିବା ପାଇଁ ପଠାଇଥିଲା ସେ । ଏଥିରେ ନିରାକାର ପ୍ରଧାନଙ୍କୁ ହତ୍ୟା କରିବା ପାଇଁ ହୋଇଥିବା ଷଡ଼ଯନ୍ତ୍ରର ସେ ଯେ ପ୍ରଧାନ ନାୟକ ଏହା ପ୍ରମାଣ କରିବା ବ୍ୟତୀତ ପ୍ରାଚୀନ ପ୍ରତ୍ନତତ୍ତ୍ୱର ଚୋରା କାରବାର ଓ ଅନ୍ୟାନ୍ୟ ଅସାମାଜିକ ଘଟଣା ସହିତ ଯେ ମାନବ ମହାନ୍ତି ସମ୍ପୃକ୍ତ ତାହା ପ୍ରମାଣ କରିଥିଲା ମନୋଜ । କିନ୍ତୁ ଶେଷରେ ସମ୍ପାଦକ ମନା କରିଦେଲେ ତାହା ଛାପିବା ପାଇଁ । କେବଳ ସେତିକି ନୁହେଁ, ତାକୁ ଅଫିସକୁ ଡାକି ସେଥିରୁ ନିବୃତ କରିବା ସକାଶେ ପ୍ରଥମେ ପ୍ରଲୋଭନ ଏବଂ ସେଥିରେ ସଫଳ ହୋଇ ନ ପାରି ଭୟ ମଧ୍ୟ ଦେଖାଇଥିଲେ । ସେହି ମୂହୂର୍ତ୍ତରୁ ତାଙ୍କର କାଗଜ ସହିତ ସମସ୍ତ ସମ୍ପର୍କ ଛିନ୍ନକରି ଅନ୍ୟ ଏକ ଜାତୀୟ ସମ୍ବାଦପତ୍ରରେ ସେହି ତଥ୍ୟସମ୍ବଳିତ ପ୍ରବନ୍ଧଟି ପ୍ରକାଶ କରିଥିଲା ମନୋଜ । ଏହାପରେ ଯେ ତୀବ୍ର ପ୍ରତିକ୍ରିୟାରେ ସମ୍ମୁଖୀନ ହେବାକୁ ହେବ ଏହା ପ୍ରଥମରୁ ଜାଣିଥିଲା ସେ । ସେଥିପାଇଁ ବନ୍ଧୁ ପ୍ରକାଶ ପଟ୍ଟନାୟକର ଉପଦେଶ ମାନି କିଛିଟା ସତର୍କ ମଧ୍ୟ ହୋଇଥିଲା । କିନ୍ତୁ ଏହାସତ୍ତ୍ୱେ ସେ ଯେ କୌଣସି ଅଜ୍ଞାତ ବିପଦର ସମ୍ମୁଖୀନ ହେବ ତାହା ମଧ୍ୟ ଆଶଙ୍କା କରୁଥିଲା । କିନ୍ତୁ ସେଥିରେ ଶଙ୍କିଯାଇ କର୍ତ୍ତବ୍ୟରୁ ନିବୃତ ହେବାର ବ୍ୟକ୍ତି ନୁହେଁ ମନୋଜ । ଜୀବନ ଚିରସ୍ଥାୟୀ ନୁହେଁ । ଜନ୍ମଗ୍ରହଣକରି ଏପର୍ଯ୍ୟନ୍ତ କେହି ଅମର ହୋଇନି ଧରଣୀରେ । ମୃତ୍ୟୁ ଯଦି ଅବଧାରିତ ତାହେଲେ ତା’ର ସମ୍ମୁଖୀନ ହେବା ପାଇଁ ସେ ଭୟ କରିବ କାହିଁକି ?

 

ମନୋଜ କିନ୍ତୁ ଏପରି ଅପ୍ରତ୍ୟାଶିତ ଦିଗରୁ ଶତ୍ରୁତାର ସମ୍ମୁଖୀନ ହେବ ବୋଲି ଆଶଙ୍କା କରି ନ ଥିଲା କେବେ । ସେଥିପାଇଁ ଯେତେବେଳେ ଚୋରା କାରବାରୀ ରୋବେରୋ ଏବଂ ସୋରାବ ଖାଁ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବାଲାଗି ସେଦିନ ସେ ହୋଟେଲ୍‌ ଶାନ୍ତିରେ ଲାଉଞ୍ଜରେ ଅପେକ୍ଷା କରୁଥିଲା, ଜଣେ ପରିଚାରିକା ଆସି ତାକୁ ଡାକି ନେଇ ଗଲେ ଉପରକୁ । ତାଙ୍କ କହିବା ଅନୁସାରେ ୨୧୧ ନମ୍ବର ଏବଂ ୨୧୫ ନମ୍ବର କୋଠରୀରେ ରହୁଥିଲେ ରୋବେରୋ ଏବଂ ସୋରାବ ଖାଁ । କିନ୍ତୁ ଯେତେବେଳେ ତିନି ମହଲାର ଏକ ପ୍ରକୋଷ୍ଠ ଭିତରକୁ ମନୋଜକୁ ପରିଚାରିକା ନେଇଗଲେ, ସରଳ ବିଶ୍ୱାସରେ ଚାଲିଗଲା ସେ । କିନ୍ତୁ ସେି କୋଠରୀ ଭିତରେ ପରିଚାରିକାଙ୍କ ସହିତ ମନୋଜ ପ୍ରବେଶ କଲାକ୍ଷଣି ଯେଉଁ କାଣ୍ଡ ନାଟକୀୟ ଭାବରେ ଘଟିଗଲା ତାହା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ।

 

ତା’ ସହିତ ପରିଚାରିକା ମିସେସ୍ ଲକ୍ଷ୍ମୀ ନାଏକଙ୍କୁ ପରିଚୟ କରାଇ ଦେଇ କହିଲା ଯେ ସେ ରୋବେରା ଏବଂ ସୋରାବ ଖାଁ ଉଭୟଙ୍କର ପ୍ରାଇଭେଟ୍‌ ସେକ୍ରେଟାରୀ । ଲକ୍ଷ୍ମୀ ନାଏକଙ୍କୁ ଏହା ପୂର୍ବରୁ ଆଉ କେବେ ଦେଖି ନ ଥିଲା ମନୋଜ । ପରିଚାରିକା କୋଲ୍‌ଡ଼ ଡ୍ରିଙ୍କ୍‌ସ ହେଲେ ଚଳିବ କହିଲା ସେ । କିନ୍ତୁ ଭଦ୍ରତା ରକ୍ଷାକରିବା ପାଇଁ କେବଳ ଯେ ତାହା ପଚାରି ନ ଥିଲେ ଲକ୍ଷ୍ମୀ ନାଏକ ଏହା ଅଳ୍ପ ସମୟ ମଧ୍ୟରେ ଜାଣି ପାରିଲା ସେ, ଯେତେବେଳେ କୋଲ୍‌ଡ଼ ଡ୍ରିଙ୍କ୍‌ସ ନ ଆଣି ସ୍କଚ୍‌ନେଇ ପହଞ୍ଚିଲା ବୟ । ଲକ୍ଷ୍ମୀ ନାଏକ ପୂର୍ବରୁ କହି ନ ଥିଲେ ଏପରି ଯେ ଘଟି ନ ଥାନ୍ତା ତାହା ଜାଣିବା ବେଳକୁ ଗୋଟିଏ ସୁଯୋଗ ହାତଛଡ଼ା ହୋଇ ଯାଇଥିଲା ହାତରୁ । ତଥାପି ନମ୍ରତାର ସହିତ ତାଙ୍କର ଅନୁରୋଧ ପ୍ରତ୍ୟାଖ୍ୟାନ କଲା ମନୋଜ ।

 

ଲକ୍ଷ୍ମୀ ନାଏକ ତାକୁ ସେଥିରେ ପ୍ରବର୍ତ୍ତାଇବାକୁ ଯାଇ ଏପରି ଲୋଭନୀୟ ଭାବରେ ନିଜକୁ ଅନାବୃତ କରିବାରେ ଲାଗିଲେ ଯେ ତାଙ୍କ ଆଡ଼କୁ ଚାହିଁ ନ ପାରି ଅନ୍ୟ ଦିଗକୁ ଅନାଇଲା ମନୋଜ । ସେ କିନ୍ତୁ ହଠାତ୍‌ ତା’ ଛାତି ଉପରକୁ ଆଉଜି ପଡ଼ି ଦୁଇହାତରେ ତାକୁ ଆଲିଙ୍ଗନ କରିବା ମୂହୁର୍ତ୍ତରେ ଭିତରକୁ କେହିଜଣେ ପ୍ରବେଶ କଲାବେଳକୁ ମନୋଜ ଜାଣିଲା ଯେ ସେ ଏକ ଷଡ଼ଯନ୍ତ୍ରର ଶୀକାର ହେବାକୁ ଯାଉଛି ।

 

ଏପରି ଅପ୍ରତ୍ୟାଶିତ କ୍ଷିପ୍ରତାର ସହିତ ସେହି ଘଟଣା ଘଟିଗଲା ଯେ ସେଥିରୁ ନିଜକୁ ବିଚ୍ଛିନ୍ନ କରିବାପାଇଁ ସମୟ ପାଇଲା ନାହିଁ ମନୋଜ । ଲକ୍ଷ୍ମୀ ନାଏକଙ୍କର ବାହୁ ବନ୍ଧନ ଭିତରେ ଥିବାବେଳେ ଭିତରକୁ ପଶିଆସିଲେ ମାନବ ମହାନ୍ତି ଏବଂ ସମ୍ପାଦକ ସନ୍ତୋଷ ଚୌଧୁରୀ । ତାଙ୍କ ପଛେ ପଛେ ଅନ୍ୟଦୁଇ ଜଣ । ସେ ଲକ୍ଷ୍ମୀ ନାଏକଙ୍କୁ ଠେଲି ଦେଇ ଉଠିବା ପଡ଼ିବା ପୂର୍ବରୁ ସେହି ଅବସ୍ଥାରେ ଫଟୋ ଉଠାଇ ନେଇଥିଲା ଜଣେ ଏବଂ ତା’ର କଲାର ଧରି ତାକୁ ଝିଙ୍କି ଆଣି କହିଲେ ପୁଲିସ୍‍ ଅଫିସର - ସ୍କାଉଣ୍ଡେଲ ଭଦ୍ରଘରର ଝିଅ ବୋହୂଙ୍କ ସହିତ ଅଶ୍ଳୀଳ ବ୍ୟବହାର କରିବାକୁ ଲଜ୍ୟା ଲାଗୁନି .....

 

ମନୋଜ ମୁକ ହୋଇଗଲା ଅଳ୍ପ ସମୟପାଇଁ । କିନ୍ତୁ ଅଳ୍ପ ସମୟ ମଧ୍ୟରେ ନିଜକୁ ସଜାଡ଼ି ନେବାକୁ ଚେଷ୍ଟା କରି କହିଲା - ମୋ ବିରୁଦ୍ଧରେ ଇଏ ଗୋଟାଏ ହୀନ ଷଡ଼ଯନ୍ତ୍ର...ମୁଁ ଯଦି ପୂର୍ବରୁ ସାମାନ୍ୟ ସୂଚନା ମାତ୍ର ପାଇଥାଆନ୍ତି... ।

 

ତା’ କଥାକୁ ହସରେ ଉଡ଼େଇ ଦେଇ ଅଟ୍ଟହାସ୍ୟ କଲାପରି କହିଲେ ମାନବ ମହାନ୍ତି, ଇମିତି ଏକ ମଧୁଲଗ୍ନରେ ବିଘ୍ନ ସୃଷ୍ଟି କରିଥିବାରୁ କ୍ଷମା କରିବ ମନୋଜ । ତୁମକୁ ନିଚ୍ଛକ ଜଣେ ନିରୀହ ବ୍ୟକ୍ତି ବୋଲି ଜାଣିଥିଲି ମୁଁ । ଆଜି କିନ୍ତୁ ସ୍ୱଚକ୍ଷୁରେ ଦେଖୁଛି ମୋର ଧାରଣା ସମ୍ପୂର୍ଣ୍ଣ ଭୁଲ । ତୁମେ ସୁରା ଏବଂ ସାକୀ ଉଭୟର ଭକ୍ତ । ବେଶ୍‌ ଭଲ....ବେଶ ଭଲ... ସେଥିପାଇଁ ଶାସ୍ତ୍ର କହିଛି - ସଂସାରରେ ଥିବ ଯେତେଦିନ ଆନନ୍ଦେ କାଟୁଥିବ ଦିନ .......ହାଃ ହାଃ ହାଃ... ।

 

ମାନବ ମହାନ୍ତିଙ୍କର ଅଟ୍ଟହାସ୍ୟ ହୋଟେଲ୍‌ ଶାନ୍ତିରେ ତ୍ରିତଳକୁ ମୁଖରିତ କରିଦେଲା ।

 

ମନୋଜକୁ ଗିରଫ କରି କହିଲେ ପୁଲିସ୍‍ ଅଫିସର ସାମୁଏଲ ସାହୁ ..ଶଳା ହାରାମଜାଦା ପୁଲିସ୍‌ ବିରୁଦ୍ଧରେ ଲେଖୁଚି ଖାଲି...ନିଜେ ଶଳା ଯେ ଅଶ୍ଳୀଳ ଅସାମାଜିକ କାର୍ଯ୍ୟ କରି ଭଦ୍ରଲୋକଙ୍କୁ ବ୍ଳାକ୍‌ମେଲ୍‌ କରି ଅର୍ଥ ଉପାର୍ଜନ କରୁଚି ଏହା କେଉଁ ନୀତି ଓ ନ୍ୟାୟସମ୍ମତ କାର୍ଯ୍ୟ ?

 

ମନୋଜର ଇଚ୍ଛା ହେଉଥିଲା ସାମୁଏଲ ସାହୁକୁ ଠିକ୍‌ ଉତ୍ତର ଦବାପାଇଁ । କିନ୍ତୁ ଯନ୍ତାରେ ପଡ଼ିଯାଇଥିବା ବାଘ ପରି ସେ କେବଳ ଗୁମୁରିଲା ସିନା ଅନ୍ୟକିଛି କରିପାରିଲା ନାହିଁ ।

 

ମନୋଜକୁ ଗିରଫ କରି ଥାନାକୁ ନେଇଯାଇ ହାଜତ ଭିତରେ ଭର୍ତ୍ତିକରି ଦେଲେ ପୁଲିସ୍‍ ଅଫିସର । ପ୍ରତ୍ୟକ୍ଷଦର୍ଶୀ ମାନବ ମହାନ୍ତି ଏବଂ ସମ୍ପାଦକ ସନ୍ତୋଷ ଚୌଧୁରୀଙ୍କର ସାକ୍ଷ୍ୟ ଲିପିବଦ୍ଧ କରି ସେମାନଙ୍କୁ ବିଦାୟ ଦେଇ ପୁଣି ତା’ ପାଖକୁ ଆସି ଜେରା ଆରମ୍ଭ କଲେ ସାମୁଏଲ ସାହୁ । ମନୋଜ କେତେକ ପ୍ରଶ୍ନର ଉତ୍ତର ଦେଲା ସତ, କିନ୍ତୁ ଅନ୍ୟସବୁ ପ୍ରଶ୍ନ ଅବାନ୍ତର ଓ ଅପ୍ରାସଙ୍ଗିକ ମନେକରି ନିରୁତ୍ତର ରହିବାକୁ ତାକୁ ଅନ୍ୟ ଗୋଟିଏ କୋଠରୀକୁ ନେଇ କହିଲେ ପୁଲିସ୍‌ ଅଫିସର...ଯାହା ପଚାରୁଛି ତା’ର ସଠିକ୍‌ ଉତ୍ତର ନ ଦେଲେ ତୋ’ର ଚୌଦପୁରୁଷ ବି ରକ୍ଷା କରିପାରିବେନି ଆଜି... । ମନୋଜ ପ୍ରତିବାଦ କରି କହିଲା ମୁଁ ଚୋର ନୁହେଁ କି ଖୁନୀ ନୁହେଁ ସମ୍ମାନର ସହିତ କଥାବାର୍ତ୍ତା କରନ୍ତୁ... ।

 

ପ୍ରସ୍ତୁତ ହୋଇ ଆସିଥିଲେ ସାମୁଏଲ ସାହୁ । ପାଖରେ ଛିଡ଼ା ହୋଇଥିଲେ ଦୁଇଜଣ କନେଷ୍ଟବଳ । ସେମାନେ ଇଙ୍ଗିତ ପାଇବାମାତ୍ରେ ବାନ୍ଧି ପକେଇଲେ ସେ ମନୋଜକୁ । ତା’ ପରେ ତାକୁ ନାନା ଭାବରେ ନିର୍ଯ୍ୟାତିତ କରିବାବେଳେ କେବଳ ସେ ପାଗଳ ପରି କହିବାକୁ ଲାଗିଲେ - ଶଳା ହାରାମଜାଦା...ପୁଲିସ୍‌ ଖରାପ, ଆଉ ତୁ ଶଳା ସାଧୁ... ।

 

ବାରମ୍ବାର ଆଘାତ ପାଇ ମଧ୍ୟ ପୁଣି ଥରେ କହିଲା ମନୋଜ - ନିର୍ଦ୍ଦୋଷ ...ମୁଁ ନିର୍ମଳ....-

 

ତା’ ମୁହଁ ଉପରକୁ ଛେପ ପକେଇ ତାକୁ ନଗ୍ନ କରିବାକୁ କହିଲେ ସାମୁଏଲ ସାହୁ ।

 

ଯମଦୂତ ପରି ଦୁଇ ପାଖରେ ଛିଡ଼ା ହୋଇଥିବା ଦୁଇଜଣ କନେଷ୍ଟବଳ ସେହି ଆଦେଶ ତୁରନ୍ତ କାର୍ଯ୍ୟରେ ପରିଣତ କଲେ ।

 

ତା’ ପରେ ପୁରୁଷାଙ୍ଗରେ ଆଘାତ କରି ଗର୍ଜନ କଲେ ସାମୁଏଲ୍‌ ସାହୁ ...ମାନବ ମହାନ୍ତି ମାଇକିନିଆଁ ପଛରେ ଗୋଡ଼େଇଛି ନା ତୁ ଶଳା ଗୋଡ଼େଇଛୁ....ବାହାଁଚୋତ୍ ସ୍କାଉଣ୍ଡ୍ରେଲ୍‌..... ।

 

ଯନ୍ତ୍ରଣାରେ ଥରିଉଠିଲା ମନୋଜର ସର୍ବାଙ୍ଗ । ବେତ ମାଡ଼ରେ ସେ ସଜ୍ଞାହୀନ ହେବାଯାଏ ସମାନ ବେଗରେ ଆଘାତ କରିଚାଲିଲେ ପୁଲିସ୍‍ ଅଫିସର । ପଟାସ୍‌... ପଟାସ୍‌... ପଟାସ୍‌... ।

 

ପୃଥିବୀର ଘୂର୍ଣ୍ଣନ ସହିତ ଭାଗ୍ୟର କଅଣ ସମ୍ପର୍କ ଅଛି କେଜାଣି ଦିନରାତି ଆସିବା ପରେ ଜୀବନରେ ବି ସୁଖ ପରେ ଦୁଃଖ ଆସେ, ସମ୍ପଦ ପରେ ଆସେ ସଙ୍କଟ । ଏଇ ବିଶାଳ ବିଶ୍ୱର ସୃଷ୍ଟିକାଳରୁ ଏହି ନିୟମ ଚଳି ଆସୁଛି । ମନୁଷ୍ୟର ଭାଗ୍ୟଲିପି ସେ ପଢ଼ିବାକୁ ସକ୍ଷମ ହୋଇ ନ ପାରି କେବଳ ଅନାଇ ରହିଛି ଅସହାୟ ଭାବରେ ।

 

ସବୁ କାର୍ଯ୍ୟରେ କାରଣ ନ ଥାଏ । ସବୁ କାରଣ ପଛରେ ବି ଯୁକ୍ତି ନ ଥାଏ । ସଂହତି ଏବଂ ସମନ୍ୱୟର ଭାରସାମ୍ୟକୁ ବିପର୍ଯ୍ୟସ୍ତ କରିବାପାଇଁ କାହାର ଆଜ୍ଞାରେ ଯେପରି ଘଟିଯାଉଛି ସବୁ । ସେଇ ଅଦୃଷ୍ଟ ସହିତ ଆଜି ପର୍ଯ୍ୟନ୍ତ ସାକ୍ଷାତ୍‍ ହୋଇନି କାହାରି ।

 

ହାସ୍ୟମୟୀ ଖବରକାଗଜରୁ ସବୁ ପଢ଼ିସାରି କିଛି ସମୟ ସ୍ତବ୍‌ଧ ହୋଇ ବସିରହିଲେ । କିନ୍ତୁ ବିଶ୍ୱାସ ହେଲା ନାହିଁ ।

 

ଯେଉଁ ମନୋଜର ଚମକପ୍ରଦ ସମ୍ବାଦ ପଢ଼ିବାପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରୁଥିଲେ ପାଠକମାନେ, ସେହି ମନୋଜ ଆଉ ଏକ ନାଟକର ନାୟକ ହୋଇଯାଇ ସମ୍ବାଦପତ୍ରର ପୃଷ୍ଠାମଣ୍ଡନ କରିବ ଏହା ଭାବି ନ ଥିଲେ କେହି ।

 

ଭାଗ୍ୟର ପରିହାସ ବୋଧହୁଏ ଏହିପରି ।

 

ହାସ୍ୟମୟୀ ମୁକ୍ତିର ପଥ ଖୋଜି ଦିବ୍ୟଧାମରୁ ବାହାରିଆସି ବନ୍ଧନର ଯେଉଁ ସଂସାରକୁ ଆବିଷ୍କାର କଲେ ଆଖି ଆଗରେ ତାହା ତାଙ୍କୁ ଅବାକ୍‌ କରିଦେଲା ।

 

ଆରେୟା ଓ ମନୋରମାର ଆତିଥ୍ୟ ସେ ଜୀବନରେ କେବେ ଭୁଲି ପାରିବେ ନାହିଁ । ସେମାନଙ୍କର ଛୋଟ ଦୁଇବଖରା ଘର ଭିତରେ ସେ ରହିବା ନିରାପଦ ହୋଇ ନ ପାରେ ଏହା ଆଶଙ୍କା କରି ଖଣ୍ଡଗିରି ପାଖରେ ଥିବା ଆନନ୍ଦାଶ୍ରମରେ ଆଶ୍ରୟ ନେଇଛନ୍ତି ସେ । ପ୍ରଥମେ ଆଶ୍ରମର ନାମ ଶୁଣି ଚମକି ପଡ଼ିଥିଲେ ସେ; କିନ୍ତୁ ଆରେୟାଠାରୁ ସବୁ ଶୁଣି ବିଶ୍ୱାସ କରିବାକୁ ଇଚ୍ଛା ହେଲା ପୁଣି । ଆନନ୍ଦାଶ୍ରମରେ ପହଞ୍ଚି ବାବା ସଚ୍ଚିଦାନନ୍ଦଙ୍କ ମଧୁର ସ୍ନେହଶିକ୍ତ କଥା କେଇପଦ ଶୁଣି ସେ ଭରସା ପାଇଲେ । ବାବାଙ୍କର ବୟସ ସତୁରୀ ଉର୍ଦ୍ଧ୍ୱରେ । ପକ୍ୱକେଶ ଏବଂ ଦାଢ଼ି । ନିର୍ମଳ ବ୍ୟକ୍ତିତ୍ୱ । ମୁଖମଣ୍ଡଳରେ ସଦା ପ୍ରସନ୍ନ ସ୍ମିତ ହାସ୍ୟ । ତାଙ୍କରି ପାଖରେ ବସି ହାସ୍ୟମୟୀ ଭୁଲିଗଲେ ବାହ୍ୟଜଗତର ଶଙ୍କା ଏବଂ ସଙ୍କଟ ।

 

କିନ୍ତୁ ମନ ସ୍ଥିର ହେଲା ନାହିଁ ।

ମନୋଜ ସମ୍ପର୍କରେ ଯେତିକି ଭାବିଲେ ସେତିକି ଅସ୍ଥିର ହୋଇଉଠିଲେ ସେ ।

 

ସଚ୍ଚିଦାନନ୍ଦ ଜଣେ ଭକ୍ତକୁ ଡାକି ଆଣି ମନୋଜ ସମ୍ପର୍କରେ ଅଧିକ ଖବର ସଂଗ୍ରହ କରିବା ପାଇଁ କହିଲେ । ଭୁବନେଶ୍ୱରର ପ୍ରତିଷ୍ଠିତ ଆଡ଼ଭୋକେଟ୍‌ ଚିତ୍ତରଞ୍ଜନ ମିଶ୍ର ବାବାଙ୍କର ପରମ ଭକ୍ତ । ସେ ହାସ୍ୟମୟୀଙ୍କଠାରୁ ସବୁ ଖବର ଶୁଣି ସାରି ମନୋଜକୁ ପୁଲିସ୍‍ ହାତରୁ ରକ୍ଷା କରିବା ଲାଗି ହାଇକୋର୍ଟର ଆଶ୍ରୟ ନେବାପାଇଁ ସ୍ଥିର କଲେ ।

 

ହାସ୍ୟମୟୀଙ୍କଠାରୁ ମନୋଜ ସମ୍ପର୍କରେ ଅନେକ ଖବର ସଂଗ୍ରହ କଲେ ଚିତ୍ତରଞ୍ଜନ । ବାଧ୍ୟ ହୋଇ ନିଜ ସମ୍ପର୍କରେ ମଧ୍ୟ ଅନେକ ସୂଚନା ଦେଲେ ହାସ୍ୟମୟୀ । ଗୋଟିଏ ନୁହେଁ ଅନେକ ଘଟଣା ସହିତ ଜଡ଼ିତ ହୋଇ ପଡ଼ିଛି ମନୋଜ । ତଥାପି କହିଲେ ଚିତ୍ତରଞ୍ଜନ - ମୁଁ ଚେଷ୍ଟା କରିବି ମା’ । ଆଇନର ହାତ ଅନେକ ଲମ୍ବ...ପ୍ରକୃତ ଅପରାଧୀ ଯେ ଦିନେ ଧରାପଡ଼ିବ ଏଥିରେ ନିଃସନ୍ଦେହ ମୁଁ । କିନ୍ତୁ ସମୟ ଆବଶ୍ୟକ ।

 

ସେ ବିଦାୟ ନେବା ପୂର୍ବରୁ କହିଲେ, ଆଉ ହାସ୍ୟମୟୀ ନାମରେ ନୁହେଁ ଅନୁପମା ନାମରେ ପରିଚିତା ହୁଅ ଭଉଣୀ ! ମୋର ବିଶ୍ୱାସ, ଅଦିନ ମେଘ କଟିଯାଇ ଆକାଶ ନିର୍ମଳ ହେବ ପୁଣି ।

 

ବାବା ସଚ୍ଚିଦାନନ୍ଦ ଆଶୀର୍ବାଦ କରି କହିଲେ - ତାହାହିଁ ହେଉ ମା’… । ଈଶ୍ୱର ପରମ ଦୟାଳୁ । ନିର୍ଦ୍ଦୋଷୀ ସାମୟିକ ଦୁଃଖ ପାଇପାରେ; କିନ୍ତୁ ଶେଷରେ ସତ୍ୟର ଜୟ ସୁନିଶ୍ଚିତ । ଆଉ ସତ୍ୟ ପ୍ରତିଷ୍ଠା କରିବା ସକାଶେ ଯଦି ମନୋଜ ବାବୁ କିଛି କଷ୍ଟ ପାଆନ୍ତି, ତାହା ଈଶ୍ୱରଙ୍କର ଇଚ୍ଛା ବୋଲି ଗ୍ରହଣ କରିନେବା ଉଚିତ୍ ହେବ ।

 

ଆନନ୍ଦାଶ୍ରମରେ ଆନନ୍ଦର ଉତ୍ସ ଆବିଷ୍କାର କଲା ଅନୁପମା ।

 

ବାବା ସଚ୍ଚିଦାନନ୍ଦଙ୍କ ସମ୍ପର୍କରେ ସେ ପ୍ରଥମରୁ ଆସିଥିଲେ ଜୀବନ ସାର୍ଥକ ହୋଇଥାଆନ୍ତା । ମନୁଷ୍ୟକୁ ଘୃଣା ନ କରି ପ୍ରେମ କରିବା କହନ୍ତି ବାବା । ସେହି ଅନାବିଳ, ଅବିକୃତ ପ୍ରେମହିଁ ଅନାଦି କାଳରୁ ପ୍ରେରଣାର ଉତ୍ସ ଯୋଗାଇ ଆସୁଛି ଆବିଳ, ସଂକୀର୍ଣ୍ଣ ଓ ସ୍ୱାର୍ଥପ୍ରଣୋଦିତ ସେଠାରେ ପାପ ଓ ପରାଭବର ବିସ୍ତାର । ବାବା କହନ୍ତି, ମନୁଷ୍ୟ ଆଉ ଜଣେ ମନୁଷ୍ୟର ଶତ୍ରୁ ନୁହେଁ, ମିତ୍ର । ମନୁଷ୍ୟ ଓ ମନୁଷ୍ୟ ମଧ୍ୟରେ ସ୍ନେହ ପ୍ରୀତି ସହଯୋଗ ଓ ସହାନୁଭୂତି ଗଢ଼ିଉଠିଲେ ସୃଷ୍ଟି ହୁଏ ସ୍ୱର୍ଗ ରାଜ୍ୟ ।

 

ସେଇ ସ୍ୱର୍ଗ ରାଜ୍ୟର ସନ୍ଧାନ ପାଇବା ଲାଗି ଦିନେ ଯୌବନର ଏକ ଉଦ୍‌ବେଳ ମୂହୂର୍ତ୍ତରେ ଚାଲିଆସିଲା ସେ ଦିବ୍ୟଧାମକୁ । କିନ୍ତୁ ସ୍ୱର୍ଗରାଜ୍ୟର ଅନାବିଳ, ଅବିକୃତ ସୁଖର ସନ୍ଧାନ ସେ ସେଠାରେ ନ ପାଇ ବିକୃତ ସଂକୀର୍ଣ୍ଣ କାମନା ଚରିତାର୍ଥର ବିସ୍ତୀର୍ଣ୍ଣ କ୍ଷେତ୍ର ଦେଖିଲା । ଆଲୋକଆଡ଼କୁ ପତଙ୍ଗମାନେ ଭ୍ରମରେ ଧାଇଁ ଶେଷରେ ନିଜକୁ ବିସର୍ଜନ ଦବାପରି ଦିବ୍ୟଧାମର ଅମୃତ ଚାଖିବା ପାଇଁ ଆସୁଥିବା ଲୋକମାନେ କେବଳ ବିସର୍ଜନ ଦେଇଛନ୍ତି ନିଜକୁ, ନିଜର ବିଚାର ଓ ବୁଦ୍ଧିକୁ । ଦିବ୍ୟଧାମର ପରିବେଶରେ ଫେରିଯାଇ ପାରିନାହିଁ ।

 

ମନୋଜ କିନ୍ତୁ ବ୍ୟତିକ୍ରମ । ବାରମ୍ବାର ଆସିବି ସେ ଆତ୍ମବିସର୍ଜନ ନ କରି ଜୀବନରେ ସଂକୀର୍ଣ୍ଣ ଅନାବିଷ୍କୃତ ଦିଗ ଆବିଷ୍କାର କରି ମଣିଷର ନୀଚତା, କ୍ଷୁଦ୍ରତା, ମତାନ୍ଧତା ଏବଂ ଶୂନ୍ୟତାକୁ ପଦାରେ ପକାଇ ଦେଇଛି ।

 

ସେଥିପାଇଁ ତାକୁ ଭଲପାଏ ଅନୁପମା ।

ସେଇ ଭଲ ପାଇବାର ଉତ୍ସ ଅନନ୍ତ ଓ ଅସରନ୍ତି ।

 

ମନୋଜ ପୁଲିସ୍‍ ହାଜତରେ ସୁଖରେ ନ ଥାଇ ନିର୍ଯ୍ୟାତିତ ହେଉଥିବ ନିଶ୍ଚୟ । ଚିତ୍ତରଞ୍ଜନବାବୁ ତାକୁ ଭରସା ଦେଇ ଯାଇଛନ୍ତି । ହାଜତରେ ତା’ ସହିତ ସାକ୍ଷାତ୍‍ କରିବା ପାଇଁ ସେ ପୁଲିସ୍‍ ସୁପରିଣ୍ଟେଣ୍ଡଣ୍ଟଙ୍କୁ ଭେଟିବେ ଆଜି । ଦରକାର ହେଲେ ଅଦାଲତର ଆଦେଶ ଆଣିବେ ।

 

ଦିବ୍ୟଧାମରେ ବାବା ପ୍ରବୃଦ୍ଧାନନ୍ଦ ତାକୁ ନ ପାଇ ନିଶ୍ଚିନ୍ତ ହୋଇ ବସି ନ ଥିବେ ନିଶ୍ଚୟ । ତାଙ୍କ ହାତରେ ଧନ ଓ ଜନ ଉଭୟ ଅଛି । ଗୁପ୍ତଚରମାନେ ଲାଗିଥିବେ ଅନୁସନ୍ଧାନରେ । ଶିଷ୍ୟବର୍ଗ ଖୋଜୁଥିବେ ତାକୁ ।

 

ବାବା ସଚ୍ଚିଦାନନ୍ଦଙ୍କ ପାଖରେ କିଛି ଗୋପନ ନ କରି ସବୁ କହିଛି ଅନୁପମା । ତାକୁ ଅଭୟ ପ୍ରଦାନ କରି କହିଛନ୍ତି ବାବା ଯେ ସବୁ ଠିକ୍‌ ହୋଇଯିବ । ପ୍ରଥମେ ପାପର ବିଜୟ ହୁଏ ସତ; କିନ୍ତୁ ଅନ୍ତିମ ବିଜୟ ସତ୍ୟର, ପୁଣ୍ୟର । ଅନୁପମା ଯେତେବେଳେ ସତପଥକୁ ବାଛିନେଇଛି, ଈଶ୍ୱର ତା’ର ସହାୟ । କାଳେ ତା’ ନାମରେ ମିଥ୍ୟା ଅଭିଯୋଗ ଆସିପାରେ, ଏଥିପାଇଁ ଆଡ଼ଭୋକେଟ୍‌ ଚିତ୍ତରଞ୍ଜନ ମିଶ୍ରଙ୍କୁ ଅଦାଲତରୁ ଆଣ୍ଟସିପେଟରି ବେଲ୍‌ ଆଣିବା ପାଇଁ ପରାମର୍ଶ ଦେଇଛନ୍ତି । ତା’ ପରି ଜଣେ ନିରାଶ୍ରିତାକୁ ଭଗବାନ ଯେ ରକ୍ଷା କରିବେ ଏହା ସାନ୍ତ୍ୱନା ପାଏ ଅନୁପମା । କେତେ କନ୍ୟା, ଭଗ୍ନୀ, ପତ୍ନୀଙ୍କୁ ଲାଞ୍ଛନାରୁ ପ୍ରତିଦିନ ରକ୍ଷା କରନ୍ତି ସେ । ତା’ର ସାମାନ୍ୟ ନିବେଦନ ଘେନା ହେବ ନିଶ୍ଚୟ ।

 

କୋଠରୀ ଭିତରେ ବସି ଏକାନ୍ତରେ ଭାବୁଥିବାବେଳେ କେତେଜଣ ଆଗନ୍ତୁକ ଆଶ୍ରମ ଭିତରକୁ ପ୍ରବେଶ କରିବାର ଶବ୍ଦ ଶୁଣି ଝରକା ଦେଇ ବାହାରକୁ ଅନାଇଲା ଅନୁପମା ।

 

ସେମାନଙ୍କ ମଧ୍ୟରେ ସାଦା ପୋଷାକରେ ଭାଇ ଅଚ୍ୟୁତାନନ୍ଦଙ୍କୁ ଦେଖି ଶଙ୍କିଗଲା ସେ । ସେମାନେ ଯେ ଦିବ୍ୟଧାମର ଗୁପ୍ତଚର ଏହା ପରିଷ୍କାର ହୋଇଗଲା ଆଖି ଆଗରେ । ଅଳ୍ପ ସମୟ ପୂର୍ବରୁ ଯାହା ଆଶଙ୍କା କରୁଥିଲା ତାହାହିଁ ପ୍ରତ୍ୟକ୍ଷ କରି ପ୍ରକୃତରେ ଭୟ ପାଇଲା ଅନୁପମା ।

 

ବାବା ସଚ୍ଚିଦାନନ୍ଦ କିନ୍ତୁ ଭିନ୍ନ ଏକ ବ୍ୟକ୍ତିତ୍ୱ ।

 

ସେମାନଙ୍କ ସହିତ ଆଳାପ ଆଲୋଚନା କରି ବିଦାୟ ଦେବାବେଳେ ସେମାନଙ୍କୁ କହିବାର ଶୁଣିଲା ଅନୁପମା - ଆପନ୍ଦାଶ୍ରମ ସମସ୍ତଙ୍କ ପାଇଁ ଉନ୍ମୁକ୍ତ । ଯିଏ ନିଜକୁ ବଦଳାଇ ଆନନ୍ଦ ମାର୍ଗକୁ ବାଛିନେବା ପାଇଁ ଆନ୍ତରିକ ଭାବରେ ଉଦ୍ୟମ କରିବ, ତା’ ପାଇଁ ଆଶ୍ରମର ଦ୍ୱାର ଉନ୍ମୁକ୍ତ । ସଂକୀର୍ଣ୍ଣ ସ୍ୱାର୍ଥ ସାଧନ ଅଭିପ୍ରାୟରେ ଯଦି କେହି ଆସେ ଏଠାକୁ ସେ ହତାଶ୍‍ ହେବା ସୁନିଶ୍ଚିତ । ଆଉ ଯଦି କେହି ବାଟ ଭୁଲି ଚାଲିଆସେ ଆଶ୍ରମକୁ ସେ ଅଭୟ ଓ ଆଶ୍ରମ ଉଭୟ ପାଇବ ଆନନ୍ଦାଶ୍ରମରେ ।

 

ସେମାନେ ଫେରିବା ସମୟରେ ନାନାଦି ବାହାନାକରି ଆଶ୍ରମରେ ସବୁ ଅଞ୍ଚଳ ଦେଖିଗଲେ । ଅନୁପମାର କୋଠରୀ ଆଗରେ ଚାଲିଯିବାବେଳେ ବାବା କହିଲେ- ନିଜକୁ ହଜେଇଥିବା ମନୁଷ୍ୟ ପୁଣି ନିଜକୁ ଆବିଷ୍କାର କରେ ଏଠାରେ । ଗୋରୁ କିମ୍ବା ମେଣ୍ଢା ହଜିଗଲେ ଖୋଜିଆଣିବା ସହଜ; କିନ୍ତୁ ମନୁଷ୍ୟ ହଜିଗଲେ ତାକୁ ପାଇବା କଷ୍ଟ । ଆଉ ସେ ଯଦି ହଜିଯିବା ପାଇଁ ଅଭିଳାଷ କରିଆସିଥାଏ ତା’ହେଲେ ତ ତାକୁ ପାଇବା ଅସମ୍ଭବ । ଈଶ୍ୱରଙ୍କୁ ଖୋଜିବା କାମ ସହଜ ନୁହେଁ; କିନ୍ତୁ ଯଦି ତାଙ୍କୁ ଖୋଜିବା ପାଇଁ କେହି ବାହାରେ ତାକୁ ବାଟ ବତାଇଦେବା ତ ଆନନ୍ଦଧାମର କାର୍ଯ୍ୟ !

 

ଭାଇ ଅଚ୍ୟୁତାନନ୍ଦଙ୍କର ଶ୍ୱେନି ଦୃଷ୍ଟିରୁ ନିଜକୁ ବଞ୍ଚାଇବା ପାଇଁ ଗୋଟିଏ କୋଣକୁ ଘୁଞ୍ଚିଗଲା ଅନୁପମା ।

 

ଆଶ୍ରମବାସୀମାନେ କହନ୍ତି ଯେ, ଭାଇ ଅଚ୍ୟୁତାନନ୍ଦ ଜଣେ ସିଦ୍ଧ କାପାଳିକ । ତନ୍ତ୍ର ତାଙ୍କର କରାୟତ୍ତ । ସେ ବାବା ପ୍ରବୁଦ୍ଧାଚାର୍ଯ୍ୟଙ୍କର ପଟ୍ଟଶିଷ୍ୟ । ତାଙ୍କୁ ସମ୍ମାନ କରିବା ପରିବର୍ତ୍ତେ ସମସ୍ତେ ଭୟ କରନ୍ତି ବେଶୀ । ଅଚ୍ୟୁତାନନ୍ଦଙ୍କର ଚକ୍ଷୁ ଦୁଇଟି ଶ୍ୱେନ ଚକ୍ଷୁପରି ଘୁରୁଥାଏ ସର୍ବଦା ।

 

ତାଙ୍କୁ ପ୍ରକୃତରେ ଭୟକରେ ଅନୁପମା ।

 

କଳେବଳେ କୌଶଳେ କାର୍ଯ୍ୟସିଦ୍ଧି କରନ୍ତି ସେ । ନିଜ ମାର୍ଗରେ ଅନ୍ତରାୟ ସୃଷ୍ଟି କରୁଥିବା ଯେ କୌଣସି ପ୍ରତିବନ୍ଧକର ମୂଳୋତ୍ପାଟନ କରିବା ତାଙ୍କର ପ୍ରଥମ ଓ ପ୍ରଧାନ କାର୍ଯ୍ୟ । ଯେଉଁଦିନ ଭାଇ ଶିର୍ଷାନନ୍ଦଙ୍କ ସହିତ ତାଙ୍କର ମନୋମାଳିନ୍ୟ ଲକ୍ଷ୍ୟ କରାଗଲା, ତାର ଠିକ୍ ପାଞ୍ଚଦିନ ପରେ ଶିର୍ଷାନନ୍ଦ କଟକ ଯାଇଥିଲେ ଆଶ୍ରମ କାମରେ, କିନ୍ତୁ ତାଙ୍କୁ ଆଉ ଫେରିଆସିବାର କେହି ଦେଖି ନାହିଁ । ଆଉ କେହି ସନ୍ଦେହ ନ କରନ୍ତୁ; କିନ୍ତୁ ସେ ସେଥିପାଇଁ ସମ୍ପୂର୍ଣ୍ଣରୂପେ ଦାୟୀ କରନ୍ତି ଭାଇ ଅଚ୍ୟୁତାନନ୍ଦଙ୍କୁ ।

 

ପ୍ରବୁଦ୍ଧାଚାର୍ଯ୍ୟଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଅଚ୍ୟୁତାନନ୍ଦଙ୍କର ଦ୍ୱାରସ୍ଥ ହେବାକୁ ହୁଏ । ତାଙ୍କୁ କାପାଳିକ ମନେକରି ଅସାଧ୍ୟ ସାଧନ କରିବାଲାଗି ଆସୁଥିବା ବଡ଼ ବଡ଼ ଲୋକଙ୍କର ପ୍ରଧାନ ସହାୟ ସେ । ରାଜଧାନୀର ଅନେକ ପଦସ୍ଥ ପଦାଧିକାରୀ, ଇଞ୍ଜିନିଅର, ବ୍ୟବସାୟୀ ଓ ବୁଦ୍ଧିଜୀବୀଙ୍କ ପତ୍ନୀ ବା ଭଗ୍ନୀମାନେ ଆସନ୍ତି ତାଙ୍କ ପାଖକୁ । ବାବା ଅଚ୍ୟୁତାନନ୍ଦଙ୍କ ସ୍ପର୍ଶ ଅଙ୍ଗରେ ବୋଳି ହେବାଲାଗି ପାଗଳପରି ଛୁଟନ୍ତି ଅନେକ ।

 

ସେଇ ଶଇତାନକୁ ଆନନ୍ଦାଶ୍ରମ ଛାଡ଼ି ବାହାରିଯିବାର ଦେଖି କେତେକ କରିମାଣରେ ଆଶ୍ୱସ୍ତ ହେଲା ଅନୁପମା ।

 

ସୂର୍ଯ୍ୟାସ୍ତ ପୂର୍ବରୁ ଯେଉଁ ଭଦ୍ରମହିଳାଙ୍କୁ ବାବାଙ୍କ ପାଖରେ ଦେଖିଲା ଅନୁପମା ତାଙ୍କ ନାମ ଶ୍ରୀଲେଖା ।

 

ଶ୍ରୀଲେଖା ସହିତ ତାକୁ ପରିଚିତ କରାଇ ଦେଇ କହିଲେ ବାବା- ଦୁହେଁ ବସି କଥାଭାଷା କର, ମୁଁ ଟିକେ ସଂଧ୍ୟା କର୍ମପାଇଁ ପ୍ରସ୍ତୁତ ହୋଇନିଏ ।

 

ଶ୍ରୀଲେଖା ସହିତ ଅଳ୍ପ ସମୟ ମଧ୍ୟରେ ବନ୍ଧୁତ୍ୱ ସ୍ଥାନକୁ କରିନେଲା ଅନୁପମା ।

 

ବାବାଙ୍କର ସଂଧ୍ୟା ପ୍ରାର୍ଥନାରେ ଯୋଗଦାନ କରି ଶ୍ରୀଲେଖା ଯେତେବେଳେ ଫେରିବାଲାଗି ତା’ ପାଖରୁ ବିଦାୟ ନବାପାଇଁ ଆସିଲା- କହିଲା ଅନୁପମା, ନିଜର ଅହଙ୍କାର ନିଜର ଚରିତ୍ର ପରି । ସାହସର ସହିତ ସଙ୍କଟର ସମ୍ମୁଖୀନ ହେବା ପାଇଁ ବାବା କହିଲେ ଆଜି । ସେତିକି ମାତ୍ର ଭରସା ।

 

ଶ୍ରୀଲେଖାର ବିଷର୍ଣ୍ଣ ମୁହଁଟି ଉପରେ ଖେଳିଗଲା ଟିକେ ସରସତା । ସେ ମୁହଁ ଉପରେ ହସ ଖେଳାଇ କହିଲା, ତୁମର ଅଭିଜ୍ଞତା ମୋ ଠାରୁ କମ୍ ନିଶ୍ଚୟ । କିନ୍ତୁ ଯେତିକି ଦେଖୁଛି ସେତିକି ମୋତେ ଲାଗୁଛି ଯେ, ଏ ପୃଥିବୀରେ ନିରସ୍ତ୍ର ହୋଇ ବଞ୍ଚିବା ବିଡ଼ମ୍ବନା ମାତ୍ର । ସଶସ୍ତ୍ର ମଣିଷର ଅଧିକାର ଅଛି ବଞ୍ଚିବା ପାଇଁ, ନିରସ୍ତ୍ରର, ନିର୍ବଳର ନୁହେଁ ।

 

ତା’ ମୁହଁକୁ ଚାହିଁ ଅବାକ୍ ହୋଇଗଲା ଅନୁପମା । ଶ୍ରୀଲେଖା ରହସ୍ୟମୟୀ ପରି ମନେହେଲା ତା’ର । ସେ ତାକୁ ଫାଟକ ପର୍ଯ୍ୟନ୍ତ ଆଗେଇଦେଇ ଫେରିବା ପୂର୍ବରୁ କହିଲା ମୋର ସଂକଟ, ତୁମର ସଂକଟ ହୁଏତ ଭିନ୍ନ ପ୍ରକାର । କିନ୍ତୁ ଆଶ୍ରୟସ୍ଥଳ ଏକ, ଆଶା ଭରସାର ଆଧାର ବି ଏକ ।

 

ଶ୍ରୀଲେଖା ରିକ୍‌ସାରେ ବସି ଚାଲିଯିବା ପରେ ଆଶ୍ରମର ନିର୍ଦ୍ଦିଷ୍ଟ କକ୍ଷକୁ ଫେରିବା ବାଟରେ ହଠାତ୍ ତା’ ଆଗରେ ପଥ ଅବରୋଧ କରି ଯିଏ ଛିଡ଼ା ହେଲେ ତାକୁ ସେଠାରେ ସେପରି ଭାବରେ ଦେଖିବ ବୋଲି କେବେ ଆଶା କରି ନ ଥିଲା ଅନୁପମା ।

 

ଦିବ୍ୟଧାମର ନିରାପତ୍ତା ଦାୟିତ୍ୱ ଥିବା ଅବସର ପ୍ରାପ୍ତ ପୁଲିସ୍‍ ଅଫିସର ଗୋପାଳ ସଭରକର ତା’ ଆଗରେ ଛିଡ଼ାହୋଇ କହିଲେ – ଚାଲ ଫେରିଚାଲ ଭଉଣୀ... । ବାବା ଅପେକ୍ଷା କରିଛନ୍ତି ... ।

 

ଅନୁରୋଧ ନୁହେଁ ତାଙ୍କ ସ୍ୱରରେ ଥିଲା ଆଦେଶର ବ୍ୟଞ୍ଜନ ।

 

ଅନୁପମା ମୁହୂର୍ତ୍ତେ ବିସ୍ମୟାଭିଭୂତ ହୋଇ ପରମୁହୂର୍ତ୍ତରେ ନିଜକୁ ଦୃଢ଼ କରିନେଇ ସ୍ପଷ୍ଟ ଭାବରେ କହିଲା - ଆପଣ ଯାହାକୁ ଖୋଜୁଛନ୍ତି ସେ ମୁଁ ନୁହେଁ...ମୁଁ ଅନୁପମା....ଆନନ୍ଦାଶ୍ରମର ବାବା ସଚ୍ଚିଦାନନ୍ଦଙ୍କ ଆଶ୍ରିତା ଶିଷ୍ୟା ।

 

ତଥାପି ନିରୁତ୍ତାପ କଣ୍ଠରେ କହିଲେ ଗୋପାଳ ସଭରକର - ଦିବ୍ୟଧାମ ପରିତ୍ୟାଗ କରି ଚାଲିଯାଇଥିବା ଲୋକମାନଙ୍କର ଶେଷ ପରିଣତ ମନେଥିବ ନିଶ୍ଚୟ... । ତୁମେ ଶିକ୍ଷିତା, ବୁଦ୍ଧିମତୀ । ବାହାରେ ଗାଡ଼ି ଅପେକ୍ଷା କରୁଛି...ଚାଲ...ସମୟ ଅତିକ୍ରାନ୍ତ ହୋଇଯାଉଛି ।

 

ସେ କାଳେ ସ୍ୱେଚ୍ଛାରେ ଯିବ କି ନାହିଁ ବୋଲି ତା’ର ହାତ ଧରିବା ପାଇଁ ନିଜର ହାତ ବଢ଼ାଇଲେ ଗୋପାଳ ସଭରକର ।

 

ଆଶ୍ରମର କୌଣସି ବ୍ୟକ୍ତିକୁ ପାଖରେ ନ ଦେଖି ଶଙ୍କିଗଲା ଅନୁପମା । ଯଦି ବଳପୂର୍ବକ ତାକୁ ନେଇଯାଆନ୍ତି ସଭରକର ତାଙ୍କୁ ପ୍ରତିରୋଧ କରିବାର କ୍ଷମତା ନାହିଁ ତା’ର । ଏପରି ଭାବରେ ସଙ୍କଟର ମୁହାଁମୁହିଁ କେବେ ହୋଇ ନ ଥିଲା ସେ । ବାବା ସଚ୍ଚିଦାନନ୍ଦଙ୍କ ଅଭୟବାଣୀ ବିଜୁଳି ପରି ଝଲସିଉଠିଲା ଚିତ୍ତାକାଶରେ । ଜୀବ ମାତ୍ରେ ଗୋଟିଏ ନୁହେଁ ବହୁ ସଙ୍କଟର ସମ୍ମୁଖୀନ ହୁଅନ୍ତି । ସେଥିରୁ ପରିତ୍ରାଣ ପାଇବାର ଏକମାତ୍ର ଉପାୟ ସେଇ ଆର୍ତ୍ତତ୍ରାଣଙ୍କୁ ସ୍ମରଣ କରିବା । ଏକାଗ୍ରଚିତ୍ତରେ ତାଙ୍କୁ ଡାକ, ସେ ନିଶ୍ଚୟ ଶୁଣିବେ ।

 

ଅନୁପମା ଈଶ୍ୱରଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା ।

 

ସଭରକର ତା’ର ହାତ ଧରିବା ପୂର୍ବରୁ ବାବା ସଚ୍ଚିଦାନନ୍ଦ ସେଠାରେ ପହଞ୍ଚି ଯାଇ କହିଲେ, ଆଶ୍ରମ ଭିତରେ ବଳତ୍କାର ଶୋଭା ପାଏନି ବାବା...ଅନୁପମା ଆଶ୍ରମବାସିନୀ । ତା’ର ଦାୟିତ୍ୱ ଆଶ୍ରମର । ତୁମେ ନିଜର ଗନ୍ତବ୍ୟ ପଥରେ ଯାଇପାର... ।

 

ଗୋପାଳ ସଭରକର ଅନନ୍ୟୋପାୟ ହୋଇ ଧୀରେ ଧୀରେ ଆଶ୍ରମର ପ୍ରଧାନ ଫାଟକ ଅତିକ୍ରମ କରି ଚାଲିଯିବାର ଦେଖିଲା ଅନୁପମା । ତା’ର ଦୁଇ ଆଖିରୁ ଗଡ଼ିପଡ଼ୁଥିବା ଅଶ୍ରୁଧାରାକୁ ନିଜ ହାତରେ ପୋଛିଦେଇ କହିଲେ ବାବା ସଚ୍ଚିଦାନନ୍ଦ ଶାନ୍ତ ହୁଅ ମା’... ନିର୍ଭୟ ହୁଅ.. !

 

ମାନବ ମହାନ୍ତିଙ୍କର ଅପକୀର୍ତ୍ତି ସମ୍ପର୍କିତ ଶେଷ ଅଗ୍ରଲେଖାଟି ପାଠକରି ସାରା ରାଜ୍ୟର ଲୋକ ସ୍ତମ୍ଭୀଭୂତ ହୋଇଗଲେ । ଜଣେ ଉଚ୍ଚ ଓ ସମ୍ଭ୍ରାନ୍ତ ସମାଜର ବ୍ୟକ୍ତି ଯେ ଏପରି ସମାଜବିରୋଧୀ କାର୍ଯ୍ୟରେ ଲିପ୍ତ ଥାଇପାରେ ତାହା ପଦାରେ ପଡ଼ିଯିବାରୁ ସର୍ବତ୍ର ଗୁଞ୍ଜନ ସୃଷ୍ଟିହେଲା । ବିରୋଧୀଦଳମାନେ ଏହାର ପୂର୍ଣ୍ଣ ସୁଯୋଗ ନେବାକୁ ମଧ୍ୟ ପଛେଇଲେ ନାହିଁ । ବିଭିନ୍ନ ସ୍ଥାନରେ ସଭାକରି ନିନ୍ଦାପ୍ରସ୍ତାବ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସରକାର ସମାଜ ବିରୋଧୀ ଶକ୍ତିକୁ ପ୍ରୋତ୍ସାହନ ନ ଦେଇ ଦୃଢ଼ହସ୍ତରେ ଦମନ କରିବା ଉଚିତ ପ୍ରସ୍ତାବ ମଧ୍ୟ ଗୃହୀତ ହେଲା ।

 

କିନ୍ତୁ ହୋଟେଲ ଶାନ୍ତିର ସେଇ ନିର୍ଦ୍ଦିଷ୍ଟ ୪୦୧ ନମ୍ବର କକ୍ଷରେ ବସି ସ୍କଚ୍ ହୁଇସ୍କି ପାନପାତ୍ର ଗୋଟିଏ ହାତରେ ଧରି ଅନ୍ୟ ହାତରେ ସୁହାସିନୀ ପଟ୍ଟନାୟକଙ୍କର ଚିବୁକ ଧରି ମାନବ କହିଲେ- ହାତୀ ଚାଲୁଥିବ, କୁକୁରେ ଭୁକୁଥିବେ ସୁହାସିନୀ... ! ମୋତେ ବରଂ ବେଶ୍ ଭଲ ଲାଗୁଛି ଶୁଣିବାପାଇଁ ।

 

ସୁହାସିନୀ ଆହୁରି ଗେଲ ହେବାପାଇଁ ପାଖକୁ ଲାଗି ଆସି କହିଲେ, ପରଶ୍ରୀକାତରତା ନ ଯିବା ପର୍ଯ୍ୟନ୍ତ ଉନ୍ନତି ନାହିଁ ଓଡ଼ିଆର । ଯିଏ ବଡ଼ ହେଲା ତା’ ପଛରେ ଲାଗିଲେ... ।

 

ସୁହାସିନୀଙ୍କ ବ୍ରା ଖୋଲି ଦେଇ ଛାତି ଉପରକୁ ଟାଣି ଆଣି ମୁହଁ ଉପରେ ମୁହଁ ରଖି କହିଲେ ମାନବ ମହାନ୍ତି – ପରର ଶ୍ରୀ ନୁହେଁ ତୁମର ଶ୍ରୀ ଦେଖିବା ପାଇଁ ବଡ଼ ଇଚ୍ଛା ହେଉଛି... ।

 

ସୁହାସିନୀ ଲାଜେଇ ଯାଇ କହିଲେ, ଆହୁରି କଅଣ ବାକି ଅଛି ଯେ... !

 

ମାନବ ମହାନ୍ତି ଯେତିକ ଦେଖନ୍ତି ନାରୀକୁ ସେତିକି ଅନୁସନ୍ଧାନ କରନ୍ତି । ଚିର ରହସ୍ୟମୟୀ ଏଇ ନାରୀ । ଯେତେ ଦେଖିଲେ ବି ଦେଖା ସରେ ନାହିଁ, ତା’ଠାରୁ ସବୁ ନେଇ ସାରି ବି ମନେହୁଏ ଆହୁରି ଅନେକ ନବାର ଅଛି । ସେଥିପାଇଁ ନିତ୍ୟ ନୂତନ ବେଶରେ ନୂଆ ନୂଆ ମୁହଁରେ ସନ୍ଧାନ କରନ୍ତି ମାନବ ମହାନ୍ତି । ଶ୍ରୀଲେଖା ଦାସ, ସୁହାସିନୀ ପଟ୍ଟନାୟକ, ତୃପ୍ତି ନାଏକ ସମସ୍ତଙ୍କୁ ପାଇ ମଧ୍ୟ ଆହୁରି ଖୋଜନ୍ତି ସେ । ମନସ୍ୱିନୀ ତ କେଉଁଦିନୁ ପୁରୁଣା ପରିତ୍ୟକ୍ତ ସାମଗ୍ରୀପରି ପଡ଼ିଛନ୍ତି ଘରକୋଣରେ ।

 

ସୁହାସିନୀ ପଟ୍ଟନାୟକଙ୍କର ଚଟୂଳ ଅଧର ଉପରେ ଉଷ୍ମ ଚୂମ୍ବନ ଦୀର୍ଘତରକରି କହିଲେ ମାନବ ମହାନ୍ତି- ତୁମକୁ ଶୋଷିନବାକୁ ଇଚ୍ଛାହୁଏ ସୁ… କିନ୍ତୁ ତୁମେ ମୋତେ ଶୋଷିନେଇ ପାରନ୍ତି କି-?

 

ସୁହାସିନୀ ଅଭିମାନିନୀ ସ୍ୱରରେ କହିଲେ ମୋ ପାଇଁ ତୁମେ ସତରେ ଅପେକ୍ଷା କର ? ତୁମର ତ ସଙ୍ଗିନୀର ଅଭାବ ନାହିଁ !

 

ମାନବ ମହାନ୍ତି ସୁହାସିନୀଙ୍କର ନଗ୍ନ ବକ୍ଷ ଉପରେ ମଥା ରଖି କହିଲେ, ତୁମେ ଶ୍ରେଷ୍ଠା... କବି କହିଛନ୍ତି ପରା ସୁନ୍ଦରେ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ.... ।

 

- ଆଉ ତୃପ୍ତି ନାଏକ ?

- ସେ ତୁମର କାଣି ଆଙ୍ଗୁଳିକୁ ସରି ହେବନି...

- ତା’ହେଲେ ଯେ ତାକୁ ଧରି ଦିବାରାତି ପଡ଼ିଥାଅ ଏଇଠି ?

- କିଏ କହିଲା... ?

- ତୁମ ପ୍ରୀତିର ଖବର ମୋ ପାଖରେ ଠିକ୍ ପହଞ୍ଚେ ।

- ନା, ତା’ର ଗୀତ ଶୁଣେ କେବଳ... ।

- ଆଉ କିଛି ନୁହେଁ ?

- ନା ।

- ଆଉ ସେଇ ଅଧ୍ୟାପିକା ?

- କାହା କଥା କହୁଛ ଯେ ?

- ଶ୍ରୀଲେଖା ଦାସ...

- ଅବଶ୍ୟ ସୁନ୍ଦରୀ ସେ...

- ମୋ ଠାରୁ ବେଶୀ ନିଶ୍ଚୟ...

- ନା, ତୁମ ପଛରେ...

- ଠିକ୍ କହୁଛ ?

- ମୁଁ ତୁମକୁ ସେଇ ଗୋଟେ କଥା ପାଞ୍ଚମାସ ହେବ କହି ଆସୁଛି... ।

- କିନ୍ତୁ ତୃପ୍ତି ନାଏକକୁ ବାହାହେବାର ପ୍ରତିଶ୍ରୁତି ଦେଇନ ?

- ସ୍ୱପ୍ନ ଦେଖିବା ପାଇଁ ଯଦି ଭଲ ଲାଗେ ତାକୁ ମୁଁ ବାରଣ କରିବି କାହିଁକି... ?

- କିନ୍ତୁ ଆହୁରି ଆଗେଇ ଯାଇଛ ଯେ ତୃପ୍ତି ନାଏକ ଗର୍ଭବତୀ... ।

- ଚକମିବା ପରି କହିଲେ ମାନବ – ତୁମେ କିମିତି ଜାଣିଲ ?

- ମୁଁ ସବୁ ଜାଣେ...ସବୁ ଖବର ରଖେ... ।

- ମୁଁ କିନ୍ତୁ ବାହା ହେଉନି ତାକୁ....

- ନ ହୋଇ ପାର..କିନ୍ତୁ ତୁମ ସନ୍ତାନର ଜନନୀ ହେବାକୁ ଯାଉଛି ସେ... ।

 

କିଛି ସମୟ ଚୁପ୍ ହୋଇ ରହିଗଲେ ମାନବ ମହାନ୍ତି । ତା’ପରେ ସୁହାସିନୀଙ୍କର କାନ ପାଖରେ ମୁହଁରଖି କହିଲେ...ତୁମେ ଜନନୀ ହେବାପାଇଁ ଚାହଁ ସୁ... ?

 

ସୁହାସିନୀ ତାଙ୍କୁ ଛାତି ଉପରକୁ ତୋଳିନେଇ କହିଲେ ଫିସ୍ ଫିସ୍ କରି – ହଁ, ହଁ, ହଁ... ।

 

ସୁଖନିଦ୍ରାରେ ଆହୁରି ଦଶରାତି ଶୋଇଥିଲେ ବି ନିଦ ଭାଙ୍ଗି ନ ଥାନ୍ତା; କିନ୍ତୁ ପାଖରେ ଟେଲିଫୋନ୍‍ଟା ବାଜି ଉଠିଲା ବାରମ୍ବାର । ଅଗତ୍ୟା ହାତ ବଢ଼ାଇ ରିସିଭରଟା ଉଠାଇନେଇ କହିଲେ ମାନବ-ହ୍ୟାଲୋ ।

 

- ମୁଁ ତୃପ୍ତି କହୁଛି...

- କୁହ...

- ଆଜି ଆସିଲ ନି ଯେ...

- ବଡ଼ ବ୍ୟସ୍ତ ଅଛି...

- ମୁଁ ଜାଣେ ସବୁ... ସେଇ ବିଉଟି ପାର୍ଲରକୁ ଧାଉଁଛ ଆଜିକାଲି-

- ନା.. ନା...

- ଲୁଚାଇବା ପାଇଁ ଚାହିଁଲେ ବି ଲୁଚାଇ ପାରିବନି ମୋ ପାଖରୁ...

- ପରେ ଫୋନ୍‍ କରିବି...ବଡ଼ ବ୍ୟସ୍ତ ଅଛି ଏଇନେ... ।

 

- ରାତି ଦୁଇଟା ବାଜିବ... ଏଇନେ କଅଣ ବ୍ୟସ୍ତ ଅଛ ଏତେ ଯେ ଖିଲ୍ ଖିଲ୍ ହସି ସେପାଖରୁ କହିଲେ ତୃପ୍ତି ।

 

ମାନବ ମହାନ୍ତି ଧରା ପଡ଼ିଗଲେ ବୋଧହୁଏ । ରାତି ଦୁଇଟା ହେଲାଣି ବୋଲି ଜାଣି ନ ଥିଲେ ସେ ।

 

ଟେଲିଫୋନ୍‍ଟା ରଖିଦବା ଆଗରୁ କହିଲେ ମାନବ, ପରେ ଫୋନ୍‍ କରିବି... ।

- ହଁ, ହଁ ଆସିବ କିନ୍ତୁ ସକାଳୁ ସକାଳୁ... ।

ରିସିଭର ରଖିଦେଲେ ମାନବ ।

 

ତାଙ୍କ ଉପରେ ନିଜକୁ ମେଲାଇ ଦେଇ ନିଦ ମଳ ମଳ ଆଖିରେ କହିଲେ ସୁହାସିନୀ... ଏତେ ରାତିରେ ତୁମକୁ କିଏ ଫୋନ୍‍ କରେ ଯେ ?

 

ଅନେକ ମହକିଲ ଅଛନ୍ତି ସୁ... ସମସ୍ତେ ଚାହାଁନ୍ତି ମାନବ ମହାନ୍ତିକୁ... ।

- ମୁଁ କିନ୍ତୁ ଛାଡ଼ିବିନି ତୁମକୁ...

- ନା, ନା..ତୁମେ ମୋର ହୃଦୟେଶ୍ୱରୀ ।

ସୁହାସିନୀ ଉପରେ ପୁଣି ଲୋଟିପଡ଼ିଲେ ମାନବ ମହାନ୍ତି ।

ସକାଳ ହେବା ବେଳକୁ ଆହୁରି ଚମକପ୍ରଦ ଖବର ପହଞ୍ଚିଲା ରାଜଧାନୀରେ ।

 

ମାନବ ମହାନ୍ତି ଏବଂ ଶ୍ରୀଲେଖା ସମ୍ପର୍କରେ ଏକ ଅଗ୍ରଲେଖା ଛାପିଛି ରାଜଧାନୀର ‘ଚତୁରଙ୍ଗ’ ପତ୍ରିକା । ଅଗ୍ରଲେଖାର ମଝିରେ ଶ୍ରୀଲେଖା ସହିତ ତାଙ୍କର ଏକ ମନୋରମା ଛବି... ।

 

ରକ୍ତ ତାତିଗଲା ମାନବ ମହାନ୍ତିଙ୍କର ।

 

ସଦ୍ୟ କୋଠରୀ ଭିତରେ ଦେଇଯାଇଥିବା ମ୍ୟାଗାଜିନ୍ ଏବଂ ସମ୍ବାଦପତ୍ରଗୁଡ଼ାକୁ ଦୂରକୁ ଫିଙ୍ଗିଦେଇ କହିଲେ - ସେ...ଶଳା ବାଷ୍ଟାଡ଼୍...ଆଇ ସ୍ୟାଲ୍ ଟିଚ୍ ଇଉ ଏ ଲେସନ ।

 

ଶତ୍ରୁକୁ ଉପଯୁକ୍ତ ଶିକ୍ଷା ନ ଦେଲେ ମୁହଁ ବଢ଼ିଯାଏ ଛୋଟଲୋକର । ମାନବ ମହାନ୍ତିଙ୍କ ପ୍ରତିପକ୍ଷ ହୋଇ ଛିଡ଼ା ହେବାର ହୁଏତ ପର୍ବବୋଧ ଥାଇପାରେ; କିନ୍ତୁ ସେଥିରୁ ତ୍ରାହି ପାଇବାର ପଥ ପ୍ରାୟ ନାହିଁ କହିଲେ ଚଳେ । କେବଳ ବିଦ୍ୟାଦ୍ୱାରା ନୁହେଁ, କୌଶଳଦ୍ୱାରା ସେ ଯେଉଁ ଯୋଗ୍ୟତା ଅର୍ଜନ କରିଛନ୍ତି ସେଥିରେ ତାଙ୍କୁ ପରାସ୍ତ କରିବା ସହଜ ନୁହେଁ କାହା ପକ୍ଷରେ । ମନୋଜ ହୁଏତ କୋର୍ଟରୁ ବେଲ ଅଡ଼ର ଆଣି ଭାଙ୍ଗିଯିବ ଏଥିରେ ନିଃସନ୍ଦେହ ସେ ।

 

ସୁହାସିନୀଙ୍କୁ ପ୍ରସ୍ତୁତ ହୋଇଯିବା ପାଇଁ କିଛି ସମୟ ଦେଇ କେତୋଟି ନମ୍ବର ଡାଏଲ କରି କଥାଭାଷା ହେଲେ ମାନବ । ରୋବେରୋ ଏବେ ବି ରାଜଧାନୀ ଛାଡ଼ି ଯାଇ ନାହିଁ ଆଶ୍ୱସ୍ତ ହେଲେ । ତା’ପରି ଦୁର୍ଦ୍ଧର୍ଷ ବ୍ୟକ୍ତି ଆଗରେ ମନୋଜ ସାମାନ୍ୟ ବ୍ୟକ୍ତି ମାତ୍ର । ରୋବେରୋକୁ ଠିକ୍ ଆଠଟା ସମୟରେ ବ୍ରେକ୍‌ଫାଷ୍ଟ ଟେବୁଲରେ ସାକ୍ଷାତ୍‍ କରିବା ପାଇଁ କହି ନିଜେ ପ୍ରସ୍ତୁତ ହେବାକୁ ଲାଗିଲେ ମାନବ ମହାନ୍ତି ।

 

ସକାଳେ ଉଠିବା ଅଭ୍ୟାସ ନାହିଁ ତାଙ୍କର । ସେଥିପାଇଁ ଅବେଳରେ ନିଦ୍ରାଭଙ୍ଗ ହେବାରୁ ମିଜାଜ୍ ଗରମ ହୋଇ ରହିଲା । ଆଜି କିଛି ନା କିଛି ସମାଧାନର ସୂତ୍ର ବାହାର କରିବାକୁ ହେବ । କାଳକ୍ଷେପଣ କରି ଶତ୍ରୁକୁ ସୁଯୋଗ ଦବାରେ କୌଣସି ଯଥାର୍ଥତା ନାହିଁ ।

 

ସମ୍ବାଦପତ୍ରଟାକୁ ଅବଜ୍ଞା ସହକାରେ ଫିଙ୍ଗିଦବାବେଳେ ହଠାତ୍ ଶେଷ ସ୍ତମ୍ଭର ସର୍ବଶେଷ ସମ୍ବାଦଟି ଦୃଷ୍ଟି ଆକର୍ଷଣ କଲା । ସମ୍ବାଦର ଶିରୋନାମା ଉପରେ ତାଙ୍କର ଦୃଷ୍ଟି ନିବଦ୍ଧହୋଇ ରହିଲା କିଛି ସମୟ ।

 

‘ସମ୍ବାଦିକ ମନୋଜ ମିଶ୍ରଙ୍କୁ ସମ୍ବର୍ଦ୍ଧନା’

ମାନବ ମହାନ୍ତି ଜଳି ଉଠିଲେ ବାରୁଦପରି ।

 

କଟକ ନାଗରିକ ସମିତି ପକ୍ଷରୁ ମନୋଜ ମିଶ୍ରକୁ ସମ୍ବର୍ଦ୍ଧନା ଦିଆଯିବ ରବିବାର ସନ୍ଧ୍ୟା ଛଅଟାରେ । ସାମାଜିକ ଜୀବନର ନୀତି ଓ ମୂଲ୍ୟବୋଧର ପୁନଃ ପ୍ରତିଷ୍ଠା ପାଇଁ ସେ କୁସଂସ୍କାର, ଶାସନ, ନ୍ୟସ୍ତସ୍ୱାର୍ଥ ଏବଂ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଏବଂ ସର୍ବୋପରି ନିଜର ନିରାପତ୍ତା ପ୍ରତି ଭୃକ୍ଷେପ ନ କରି ଯେପରି ଭାବରେ ସମାଜବିରୋଧୀ ଶକ୍ତିର କଳଙ୍କ କାହାଣୀ ସବୁ ଗୋଟିକ ପରେ ଗୋଟିଏ ପ୍ରକାଶ କରିବାରେ ଲାଗିଛି ସେଥିପାଇଁ ନାଗରିକ ସମିତି ପକ୍ଷରୁ ତାକୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇ ସମ୍ମାନ ପ୍ରଦର୍ଶନ କରାଯିବ ।

 

ତାକୁ ପଥ ଛାଡ଼ିଦେଲେ ଯେ ଦିନେ ହୁଏତ ନିଜର ବୁଦ୍ଧି ବଳରେ ମନୋଜ ମିଶ୍ର ନୋବେଲ ପୁରସ୍କାର ବା ମାଗାସାସି ପୁରସ୍କାର ପାଇଯାଇପାରେ ଏହା ନିଃସନ୍ଦେହ ମନେକରି ନିଜର ପ୍ଲାନ୍ ପ୍ରସ୍ତୁତ କରିବାକୁ ଲାଗିଲେ ମାନବ ମହାନ୍ତି ।

 

ଗାଧୁଆ ଘର ଭିତରକୁ ପଶିଯିବା ପୂର୍ବରୁ ରାତିର ହ୍ୟାଙ୍ଗ ଓଭରକୁ ଆଉଟିକେ ମଜବୁତ୍ କରି ନବାପାଇଁ ଆଉ ଗିଲାସେ ସ୍କଚ୍ ପାନକରି ନିତ୍ୟକର୍ମରେ ମନଦେଲେ ସେ ।

 

ବ୍ରେକ୍‌ଫାଷ୍ଟ ଟେବୁଲରେ ରୋବେରୋକୁ ଦେଖି ତା’ ସହିତ କରମର୍ଦ୍ଦନ କରି ବ୍ୟବସାୟ ସମ୍ପର୍କରେ କେତେକ ଆନୁସଙ୍ଗିକ ପରାମର୍ଶ କରି ମନୋଜ ମିଶ୍ର ସମ୍ପର୍କରେ ସଂକ୍ଷିପ୍ତରେ ସବୁକଥା ହକିସାରି ତା’ ମୁହଁକୁ ପ୍ରଶ୍ନବାଚୀ ଦୃଷ୍ଟିରେ ଅନାଇଲେ ମାନବ ମହାନ୍ତି ।

 

ରୋବେରୋ ସ୍ମିତହାସ୍ୟ କରି କହିଲା, ନାଗରିକ ସମିତିର ସମ୍ବର୍ଦ୍ଧନା ଆଗରୁ ଆହୁରି ବଡ଼ ସମ୍ବର୍ଦ୍ଧନା ତାକୁ ଦିଆଯାଇପାରେ ବସ୍ । ଦ୍ୟାଟ୍ ରାସକେଲ ଇଜ୍ ଏ ସନ୍ ଅଫ୍ ଏ ବିଚ୍ । ଆପଣଙ୍କ ପରି ମହାନ୍ ବ୍ୟକ୍ତି ସହିତ ଶତ୍ରୁତା କଲେ ପରିଣାମ କଅଣ ହୁଏ ସେ ବୁଝିଯିବ ଏଥର । ସମୟ ଅଳ୍ପ ଅଛି ହାତରେ, ଆପଣଙ୍କୁ କିନ୍ତୁ ଟିକେ ସାହାଯ୍ୟ କରିବାକୁ ହେବ ମିଷ୍ଟର ମହାନ୍ତି... !

 

ମାନବ ମହାନ୍ତି ବ୍ୟଗ୍ର ଭାବରେ ଅନାଇ ରହିଲେ ଶୁଣିବା ପାଇଁ ।

ରୋବେରୋ କହିଲା, ପୁଲିସ୍‍ ସହିତ ଆପଣଙ୍କ ସମ୍ପର୍କ ମଧୁର ନା ତିକ୍ତ ?

- ମଧୁର ।

- ବେଶ୍ ଭଲ କଥା । ଆମ କାମରେ ବିଘ୍ନ ନ ଉପୁଜିଲେ ହେଲା ।

କଅଣ ସାହାଯ୍ୟ ଦରକାର... ?

 

- ସମୟ ଆସିଲେ କହିବି, ଏଇନେ ନୁହେଁ । କିନ୍ତୁ କେବଳ ଏତିକି ଜାଣି ରଖନ୍ତୁ ଯେ ପୁଲିସ୍‍ ଯେପରି ସେ ପକ୍ଷର ସମର୍ଥକ ଭାବରେ କାର୍ଯ୍ୟ ଆରମ୍ଭ କରି ଶେଷରେ ଆମ ପକ୍ଷକୁ ସମର୍ଥନ କରିବ...

 

ଭଲ କଥା, ତାହାହିଁ ହେବ ।

କିନ୍ତୁ ସେଇ ଏସ୍.ପି.ଟା କାହାକୁ ମାନୁନି ଶୁଣୁଛି ।

 

- ସତ, ତା’ ଦିନ ବି ନିକଟ ହୋଇ ଆସିଲାଣି । ଫୁଲବାଣୀକୁ ବଦଳି ହୋଇ ଯାଉଛି ସେ... ।

 

- ଅର୍ଡ଼ର ବାହାରି ଗଲାଣି ?

- କାଲି ବାହାରିବ ।

- ଏ ଗୁଡ଼୍ ରିଡ଼ାନ୍‌ସ..ପଅର ଦିନ ସମ୍ବର୍ଦ୍ଧନା...

- ହଁ ।

- ଠିକ୍ ଅଛି ।

- ଖସିଯିବାର ବାଟ ନାହିଁ ତ ?

 

- ରୋବେରୋକୁ ଚିହ୍ନିନି ସେ । ଦିସ୍ କମିଂ ସଣ୍ଡେ ଉଇଲ୍ ବି ହିଜ୍ ଲାଷ୍ଟ ସଣ୍ଡେ । ଏହି ରବିବାରହିଁ ହେବ ତା’ର ଶେଷ ରବିବାର...

 

ଅଟ୍ଟହାସ କରି ହସି ଉଠିଲା ରୋବେରୋ ।

ହସି ଉଠିଲେ ମାନବ ମହାନ୍ତି ।

 

ସୁହାସିନୀକୁ ଆଗରୁ ପଠାଇ ଦେଇଥିଲେ ସେ । ଏପରି ଜଟିଳ ଯୋଜନାର ନାରୀର ଭୂମିକା ନାହିଁ କହିଲେ ଚଳେ । ରୋବେରୋ ସହିତ ତାଙ୍କର ଗୁପ୍ତମନ୍ତ୍ରଣା ଯେପରି ତୃତୀୟ ବ୍ୟକ୍ତିର କର୍ଣ୍ଣେଗୋଚର ନ ହୁଏ ସେଥିପାଇଁ ରେସ୍ତୋଁରାକୁ ନ ଯାଇ ରୁମ୍‌ରେ ବ୍ରେକ୍‌ଫାଷ୍ଟ ଦବାପାଇଁ କହିଥିଲେ ଆଗରୁ ।

 

ଫ୍ରାଏଡ଼ ବେକନରୁ ଖଣ୍ଡେ ଚୋବେଇ ସାରି କହିଲା ରୋବେରୋ, ସେଇ ବାବାର ଆଉ ଖବର କଅଣ ?

 

- ପ୍ରବୁଦ୍ଧାଚାର୍ଯ୍ୟ କଥା କହୁଛ ?

- ହଁ

 

- ଦିବ୍ୟଧାମରୁ ଜଣେ ସୁନ୍ଦରୀ ଆଶ୍ରମବାସିନୀ ଚାଲିଯିବା ପରେ ବାବା ବିମର୍ଷ ହୋଇ ପଡ଼ିଛନ୍ତି... ।

 

- ମୋର କିଛି ବାକି ପାଉଣା ଅଛି ତାଙ୍କ ପାଖରେ...

- ଦିନେ ଦେଖାକରି ସମାଧାନ କରି ନିଅ ।

- ସେୟା ଭାବୁଛି... ।

 

- ନିରାକାର ପ୍ରଧାନର ହତ୍ୟା ସମ୍ପର୍କରେ ପୁଣି ଅନୁସନ୍ଧାନ ଆରମ୍ଭ କରିଛି କେନ୍ଦ୍ର ତଦନ୍ତ ବ୍ୟୁରୋ... ।

 

- କରୁ, ପ୍ରମାଣ କିନ୍ତୁ କିଛି ନାହିଁ.. ।

 

- ଚିରଞ୍ଜୀଲାଲ ଏବଂ ଜବ୍‌ବର ମିଆଁ ଯଦି ପ୍ରାଣ ରକ୍ଷାପାଇଁ ରାଜସାକ୍ଷୀ ହୋଇ ଯାଆନ୍ତି... ।

 

ଟିକେ ଗୁମ୍‌ମାରି ବସି ରହି ତା’ପରେ ଆଉ ଟୁକୁରାଏ ବେକନ ମୁହଁ ଭିତରେ ଭର୍ତ୍ତି କରିବା ପୂର୍ବରୁ କହିଲା ରୋବେରୋ - ହଁ, ସେଇ ସମ୍ଭାବନାକୁ ହେୟ ମନେକରାଯାଇ ନ ପାରେ । କିନ୍ତୁ ଏତେଦୂର ନିମକହାରାମ ହେବେ ସେମାନେ... ।

 

- ନିମକହରାମ ହେବା ପାଇଁ ଜନ୍ମ ହୋଇଛି ମଣିଷ... !

- ଠିକ୍ ଅଛି । ମୁଁ ଆଖି ରଖୁଛି ସେମାନଙ୍କ ଉପରେ ।

- ସେମାନେ ତ ଜେଲ୍ ହାଜତରେ... ।

- ଥାଆନ୍ତୁ, ସ୍ୱର୍ଗକୁ ଗଲେ ବି ରୋବେରୋ ପାଖରୁ ଖସି ଯାଇପାରିବେ ନାହିଁ ।

 

- ରାଜଧାନୀ ଜେଲରୁ ଗୋଟେ ଖୁନୀ ତିନିମାସ ତଳେ ଖସି ପଳେଇ ଯିବାରୁ ଯିବା ଆସିବା ଉପରେ କଟକଣା ଜାରୀ ହୋଇଛି ।

 

ଆଉଥରେ ଅଟ୍ଟହାସ୍ୟକରି କହିଲା ରୋବେରୋ – ବୁଡ଼ବକ୍ ଏଇ ପୁଲିସ୍ । କେଡ଼େ ସହଜରେ ରାଜି ହୋଇଯାଆନ୍ତି ସେମାନେ, ସେ ମନ୍ତ୍ର ଜଣା ମୋତେ ।

 

- ପାରିବ ?

 

- ନିଶ୍ଚିନ୍ତ ରହନ୍ତୁ ବସ୍ । ସେଇ ଜେଲ୍‌ଖାନା ଭିତରେ ଚିରଞ୍ଜୀଲାଲ ଏବଂ ଜବ୍‌ବର ମିଆଁକୁ ଖତମ୍ କରିବାର ଦାୟିତ୍ୱ ମୋ ଉପରେ ଛାଡ଼ି ଦିଅ... ।

 

- ବିପଦ ନ ପଡ଼େ ଯେପରି... ।

 

- ନା । ସରକାର ତ ତୁମ ହାତରେ...ପାର୍ଟି ଲୋକେ ଖୁନ୍ କରିବି ଖସି ଯାଉଥିବାର ଅନେକ ଦୃଷ୍ଟାନ୍ତ ଅଛି ବୋଲି କହୁଥିଲ ସେଦିନ । ସରକାର ତଦନ୍ତ କରିବେ, ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି ବୋଲି ପ୍ରେସ୍ ବିଜ୍ଞନ୍ତି ଦେବେ ଏବଂ ହିଂସା ଓ ହତ୍ୟାକାଣ୍ଡ ବୃଦ୍ଧି ପାଉଥିବାରୁ ତା’ର ନିନ୍ଦାକରି ଜନତାର ଧନ, ଜୀବନର ନିରାପତ୍ତା ପାଇଁ ଦୃଢ଼ ପଦକ୍ଷେପ ନବା ପାଇଁ ନେଇଥିବା ସିଦ୍ଧାନ୍ତ କଥା ବି କହିବେ... । କିନ୍ତୁ ଦଳର ଲୋକେ, ଦଳକୁ ଚାନ୍ଦା ଦେଇ ପୋଷକତା କରୁଥିବା ଲୋକେ, ଦଳକୁ ସମର୍ଥନ କରୁଥିବା ଲୋକେ ଦଳର ମୂଳସ୍ତମ୍ଭ । ସେମାନଙ୍କୁ ରକ୍ଷା କରିବା ସରକାରୀ ଦଳର କର୍ତ୍ତବ୍ୟ । ଆଗାମୀ ନିର୍ବାଚନ ପାଖେଇ ଆସୁଛି । ଏସବୁକୁ ମନରେ ରଖି ବୁଦ୍ଧିମାନ ବ୍ୟକ୍ତି ଯାହା କରିବା ଉଚିତ ସରକାର ନିଶ୍ଚୟ ତାହା କରିବେ... ।

 

ମାନବ ମହାନ୍ତି କଲିଜା ଖଣ୍ଡେ ଉଠାଇ ନେଇ କହିଲେ – ଠିକ୍ କହିଛ ରୋବେରୋ... । ଗୁଡ଼ ଲକ୍... ।

 

ଗ୍ଲାସ୍ ନିଃଶେଷକରି କହିଲା ରୋବେରୋ – ଥ୍ୟାଙ୍କ୍ ୟୁ ବସ୍ ... ।

 

ଶଙ୍କରକୁ ବୁଝେଇ ଶୁଝେଇ ଶାଶ୍ୱତୀକୁ ତା’ ସହିତ ଫୁଲବାଣୀ ପଠାଇଦବା ପରେ ଅନେକଟା ନିଶ୍ଚିନ୍ତ ହୋଇଥିଲା ମନୋଜ । ସେ ଏକା ମଣିଷ, ଜଣେ ବନ୍ଧୁ ପତ୍ନୀ ଏକାକିନୀ ତା’ ଘରେ ରହିବାରେ ତା’ର ଆପତ୍ତି ନ ଥିଲେ ମଧ୍ୟ ସମାଜର ଆପତ୍ତି କରିବାର କାରଣ ଅଛି । ଏଯାଏ ନାରୀକୁ ଅନ୍ୟ ଦୃଷ୍ଟିରେ ଦେଖିବାକୁ ଶିଖି ନାହିଁ ସମାଜ, ଶିଖି ନାହାନ୍ତି ଏଇ ସମାଜର ବଡ଼ପଣ୍ଡାମାନେ । ନାରୀ କେବଳ ସମ୍ଭୋଗର ସାମଗ୍ରୀ । ନିଜର ପରିବାରକୁ ଛାଡ଼ି ଦେଲେ ଅନ୍ୟ କାହା ଉପରେ ବିଶ୍ୱାସ ନାହିଁ ସେମାନଙ୍କର ।

 

ଶାଶ୍ୱତୀ ଚାଲିଯିବା ପରେ ଅନେକ ହାଲୁକା ଅନୁଭବ କରୁଥିଲା ମନୋଜ । କାମ ଶେଷକରି ରାତି ଦଶଟାବେଳକୁ ଫେରି ଆସିବାଲାଗି ଶାଶ୍ୱତୀର ତାଗିଦ୍ ମାନି ଚଳିବାକୁ ପଡ଼ୁ ନ ଥିଲା ଆଉ । ସେଥିପାଇଁ ରାତି ରାତି ଅକ୍ଳାନ୍ତ ପରିଶ୍ରମ କରି ସୁମତିର ସହଯୋଗ ବଳରେ କେତୋଟି ଅୁସନ୍ଧାନମୂଳକ ବିଷୟ ଲେଖିଥିଲା ସେ ସମ୍ବାଦପତ୍ରରେ; କିନ୍ତୁ ତା’ର ପ୍ରତିକ୍ରିୟା ଯେ ଏପରି ଭୟଙ୍କର ହେବ ତାହା ବୋଧହୁଏ ସଠିକ୍ ଭାବରେ କଳନାକରି ପାରି ନ ଥିଲା ମନୋଜ ।

 

ହୋଟେଲକୁ ଯାଇଥିଲା ସେ ସୁନା, ଅଫିମ, ଗଞ୍ଜେଇ ଚୋରା କାରବାର ସହିତ ଲିପ୍ତଥିବା ରୋବେରୋ ଏବଂ ସୋରାବ ଖାଁ ସମ୍ପର୍କରେ କିଛି ତଥ୍ୟ ସଂଗ୍ରହ କରିବା ପାଇଁ । କିନ୍ତୁ ସେଠାରେ ସେ ଯେ ଅନ୍ୟ ଏକ ଜଘନ୍ୟ ଚକ୍ରାନ୍ତର ଶିକାର ହେବ ତାହା କଳ୍ପନା ମଧ୍ୟ କରି ନ ଥିଲା-

 

ଲକ୍ଷ୍ମୀ ଦେବୀ ତା’ଠାରୁ ବୟସରେ ଛୋଟ ହେବେ । ତାଙ୍କ ସହିତ ଆଗରୁ ପରିଚୟ ନ ଥିଲା । ରୋବେରୋ ଏବଂ ସୋରାବ ଖାଁ ବିଭିନ୍ନ ଛଦ୍ମ ନାମରେ ହୋଟେଲରେ ପୂର୍ବରୁ କେତେଥର ରହିଥିବାର ଏବଂ ଦିବ୍ୟଧାମ ଓ ମାନବ ମହାନ୍ତିଙ୍କ ସହିତ ସେମାନେ ସମ୍ପର୍କ କରିଥିବାର କେତେକ ପ୍ରମାଣ ସଂଗ୍ରହ କରିଥିଲା ସେ । ଅଧିକ ପ୍ରମାଣ ସଂଗ୍ରହ କରିବା ପାଇଁ ସେଠାକୁ ଯାଇଥିଲା ମନୋଜ । ଗୋଟିଏ ସୂତ୍ରରୁ ସେ ଖବର ପାଇଥିଲା ଯେ ରୋବେରୋ ଏବଂ ସୋରାବ ଖାଁ ଓଡ଼ିଶା ଛାଡ଼ି ଯାଇ ନାହାନ୍ତି ଏବଂ ସୋରାବ ଖାଁ ସାମୟିକ ଭାବରେ କଲିକତା ବନ୍ଦରରେ ନଙ୍ଗର ପକାଇଥିବା ଏକ ବିଦେଶୀ ଜାହାଜରେ ଆସିଥିବା ବିଦେଶୀ ମାଲ ଖଲାସ କରିବା ଲାଗି ଯାଇଥିବାବେଳେ ରୋବେରୋ ଛଦ୍ମ ନାମରେ ରହୁଥିଲା ଶାନ୍ତିରେ । ମଧ୍ୟେ ମଧ୍ୟେ ସେ ହୋଟେଲ ପରିବର୍ତ୍ତନ କରି କେତେବେଳେ ହୋଟେଲ ନଟରାଜରେ ତ ଅନ୍ୟ କେତେବେଳେ ହୋଟେଲ ଉତ୍କଳରେ ମଧ୍ୟ ରହିବାର ପ୍ରମାଣ ଅଛି ତା’ ପାଖରେ ।

 

ଚୋରା କାରବାରରେ ପ୍ରଚୁର ଅର୍ଥ ଉପାର୍ଜନ କରିବାର ସୁଯୋଗ ଅଛି । ତା’ର ପୂର୍ଣ୍ଣ ଉପଯୋଗ କରୁଥିବାରୁ ହୋଟେଲର କର୍ମଚାରୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ମୁକ୍ତ ହସ୍ତରେ ଅର୍ଥ ଓ ଉପହାର ଦେଉଥିଲେ ରୋବେରୋ ଏବଂ ସୋରାବ ଖାଁ । ସେମାନଙ୍କର ବ୍ୟବହାର ଏବଂ ଚଳଣି ଦେଖି କର୍ମଚାରୀମାନେ ଭାବୁଥିଲେ ଯେ ସେମାନେ କୌଣସି ଆରବ ରାଜ୍ୟର ରାଜକୁମାର-। ସେଥିପାଇଁ ସେମାନଙ୍କୁ ସମୀହ କରୁଥିଲେ ଏବଂ ସୁଯୋଗ ପାଇବା ମାତ୍ରେ ସେବାରେ ତ୍ରୁଟି କରୁ ନ ଥିଲେ ।

 

ମନୋଜ ଯେ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଯାଇ ନିଜେ ଏକ ହୀନ ଚକ୍ରାନ୍ତରେ ଜଡ଼ିତ ହୋଇଯିବ ଏହା ଆଦୌ କଳ୍ପନା କରି ନ ଥିଲା । ଏଥିରୁ ପ୍ରମାଣିତ ହେଉଛି ଯେ ପ୍ରତିପକ୍ଷ ମଧ୍ୟ ସତର୍କତା ଅବଲମ୍ବନ କରୁଛି ଏବଂ ତା’ର ଗତିବିଧି ଉପରେ ଦୃଷ୍ଟି ରଖିଛି । ମନୋଜର ନିଜର ଜୀବନ ତ ଗୋଟିଏ ଖୋଲା ବହିପରି । ତା’ର ଘର ଭିତରେ ସମସ୍ତଙ୍କର ଅବାଧ ପ୍ରବେଶ । ଗୋପନୀୟ ବିଷୟକୁ ମନ ଭିତରେ ତାଲା ଦେଇ ରଖିବା ଅଭ୍ୟାସରେ ପରିଣତ ହୋଇଯାଇଛି ସାମ୍ବାଦିକ ହେବା ଦିନରୁ । କେତେକ ନଥିପତ୍ର ଏବଂ ମୂଲ୍ୟବାନ ଜିନିଷପତ୍ର ଏକମାତ୍ର ଆଲମାରୀ ଭିତରେ ଯତ୍ନକରି ରଖେ ସେ ।

 

ଭାଗ୍ୟଭଲ ପୁଲିସ୍‍ ତାକୁ ନିର୍ଯ୍ୟାତିତ କରି ମଧ୍ୟ ସେଇସବୁ ନଥିପତ୍ର ଏବଂ ଫଟୋଚିତ୍ରର ସନ୍ଧାନ ପାଇ ପାରିନି । ଘର ଭିତରେ ଥିଲେ ଖାନ୍‍ତଲାସ ସମୟରେ ସେମାନେ ହୁଏତ ତାହା ଅକ୍ତିଆର କରିନେଇ ଥାଆନ୍ତେ । କିନ୍ତୁ ଠିକ୍ ଶାଶ୍ୱତୀ ଚାଲିଯିବା ପରେ ଯେଉଁଦିନ ପ୍ରିୟତମା ରେସ୍ତୋଁରାରେ ସୁମତି ସହିତ କିଛି ସମୟ କଟାଇଥିଲା ସେ; ତା’ ପରଦିନ ଦରକାରୀ କାଗଜପତ୍ର ଲକର ଭିତରେ ରଖିଦେଇ ଆସିଥିଲା । ଲୋକେ ବ୍ୟାଙ୍କ ଲକର ଭିତରେ ସୁନା, ହୀରା, ମାଣିକ୍ୟ ରଖନ୍ତି; କିନ୍ତୁ ମନୋଜ ରଖେ ଗୋପନୀୟ ପ୍ରାମାଣିକ ଦଲୀଲ ଓ ନଥିପତ୍ର । ମୂଳସୂତ୍ର ନିର୍ଭୁଲ ହେବା ଆବଶ୍ୟକ । ନିର୍ଭୁଲ ତଥ୍ୟ ସଂଗ୍ରହ ସମୟ ଓ ସାଧନା ସାପେକ୍ଷ । କାମଳ ସାମ୍ବାଦିକତାରେ ବିଶ୍ୱାସ କରେନି ପ୍ରଥମରୁ ସତ୍ୟାନୁସନ୍ଧାନ କରିବା ପାଇଁ ଯେଉଁ ଶପଥ ନେଇଥିଲା ତାହା ଅବିଚଳିତ ଭାବରେ ପାଳନ କରି ଚାଲିଛି । ନିନ୍ଦା ସ୍ତୁତିକୁ ଖାତିର ନ କରି କେବଳ ଯାହା ସତ୍ୟ ବୋଲି ହୃଦବୋଧ ହୋଇଛି ସେତକ ପ୍ରକାଶ କରିଛି ।

 

ସତ୍ୟ କିନ୍ତୁ ବଡ଼ ନିର୍ମମ, ବଡ଼ ନିଷ୍ଠୁର । ସେଥିପାଇଁ ସତ୍ୟ ଭୀତି ସଞ୍ଚାର କରେ ମିଥ୍ୟାଚାରୀର ମନରେ । ସତ୍ୟକୁ କିଛି ସମୟ ପାଇଁ ଲୁଚାଇ ଦିଆଯାଇପାରେ; କିନ୍ତୁ ସବୁଦିନ ପାଇଁ ସତ୍ୟକୁ ଲୁଚାଇ ଦିଆଯାଇ ନ ପାରେ । ସତ୍ୟର ପ୍ରକାଶ ଠିକ୍ ମେଘମୁକ୍ତ ସୂର୍ଯ୍ୟଲୋକପରି ନିର୍ମଳ ଏବଂ ଅମିଶ୍ରିତ ।

 

ଅନେକ ସାମ୍ବାଦିକ ଅର୍ଦ୍ଧସତ୍ୟ ବା ଅସତ୍ୟର ଆଶ୍ରୟ ନେଇ ବେଶ୍ ଆରାମରେ ଅଛନ୍ତି । ଖାଇବା ପିଇବାର ଅଭାବ ନାହିଁ, ଅର୍ଥ ଉପାର୍ଜନର ପନ୍ଥା ବି ସହଜ; କିନ୍ତୁ ସେମାନଙ୍କ ସହିତ ଆନ୍ତରିକ ସଂଯୋଗ ନାହିଁ ମନୋଜର । ସେ ନିଜର ଏକକ ଉଦ୍ୟମ ଅବ୍ୟାହତ ରଖିଛି ମିଥ୍ୟାଚାର, କୁସଂସ୍କାର, ଦୁର୍ନୀତି ଏବଂ ସୌରାଚାର ବିପକ୍ଷରେ । ସେଥିପାଇଁ ଆଜି ଭଡ଼ାଘରେ ରହି ଖାଇବା ପିଇବାର ଅହହେଳା କରି ଶାସ୍ତି ଭୋଗୁଚି ସେ ।

 

ଦେହରେ ଏବେବି ଚିହ୍ନ ରହିଛି ନିର୍ଯ୍ୟାତନାର । ପୁଲିସ୍‍ ଯେ ଏଡ଼େ ନିର୍ମମ ଓ ନିଷ୍ଠୁର ହୋଇ ଜଣେ ନିର୍ଦ୍ଦୋଷୀ ବ୍ୟକ୍ତି ଉପରେ ଏପରି ଅବିଚାର ଓ ଅତ୍ୟାଚାର କରିପାରେ ତାହା ଅଙ୍ଗେ ନିଭେଇଲା ମନୋଜ । ପୁଲିସ୍‍ ଅତ୍ୟାଚାରର କରୁଣ କାହାଣୀ ଏଯାଏ ଗଳ୍ପହୋଇ ରହିଥିଲା ତା’ ପାଖରେ । ନିଜସ୍ୱ ଅଭିଜ୍ଞତାରୁ ଜାଣିଲା ଯେ ତାହା ଗଳ୍ପ ନୁହେଁ କି ଅର୍ଦ୍ଧସତ୍ୟ ନୁହେଁ, ସମ୍ପୂର୍ଣ୍ଣ ସତ୍ୟ ।

 

ପିଠିରୁ, ଜଙ୍ଘରୁ ଏବଂ ଜୀବକୋଷରୁ ଯନ୍ତ୍ରଣା ସମ୍ପୂର୍ଣ୍ଣରୂପେ ଯାଇନି ଏଯାଏ ।

 

ଭାଗ୍ୟ ଭଲ ଅଯାଚିତ ଭାବରେ ଲୋକଙ୍କର ସାହାଯ୍ୟ ଓ ସହାନୁଭୂତି ଯଥା ସମୟରେ ମିଳିଲା ତାକୁ; ନ ହେଲେ ଏବେ ବି ପୁଲିସ୍‍ ହାଜତରେ କିମ୍ବା ଜେଲ ହାଜତରେ ସଢ଼ୁଥାଆନ୍ତା ସେ ।

 

ଏତିକି ଆଶ୍ୱାସନାର କଥା ଯେ ଏବେବି ନ୍ୟାୟ ଅଛି, ନ୍ୟାୟାଳୟ ଅଛି । ନୀତି ଓ ନିୟମ ଲଙ୍ଘନ କରୁଥିବା ସୌରାଚାରୀମାନଙ୍କ କବଳରୁ ନିଃସହାୟ ନିରୀହ ନାଗରିକମାନଙ୍କୁ ରକ୍ଷାକରିବା ପାଇଁ ଏବେବି ଆଇନ ଓ ଅଦାଲତର ବ୍ୟବସ୍ଥା ଅଛି ।

 

କିନ୍ତୁ କେଉଁ ସଦାଶୟ ବ୍ୟକ୍ତିବିଶେଷଙ୍କ ଉଦ୍ୟମରୁ ମନୋଜ ହାଇକୋର୍ଟଙ୍କର ହସ୍ତକ୍ଷେପ ଫଳରେ ଖଲାସ ହେଲା ତାହା ଜାଣିବାର ଅବସର ପାଇନି । ଆଡ଼ଭୋକେଟଙ୍କୁ ପଚାରିଥିଲା ସେ; କିନ୍ତୁ ଚିତ୍ତରଞ୍ଜନ ବାବୁ ସେହି ପ୍ରଶ୍ନର ଉତ୍ତର ନ ଦେଇ ଅନ୍ୟ ପ୍ରସଙ୍ଗକୁ ଚାଲି ଯାଇଥିଲେ ।

 

ଅନେକ ଦିନ ହେଲା ଦେଖା ହୋଇନି ହାସ୍ୟମୟୀଙ୍କ ସହିତ । କାମର ପ୍ରବଳ ଚାପ ଯୋଗୁଁ ତାଙ୍କ ପାଖକୁ ଆଉ ଯାଇପାରିନି ସେ । ଆଜି ଟିକେ ଅବସର ପାଇ ଦିବ୍ୟଧାମକୁ ଫୋନ୍‍ କଲା ମନୋଜ; କିନ୍ତୁ ବହୁ ଚେଷ୍ଟାକରି ଯେତେବେଳେ କୌଣସି ପ୍ରତ୍ୟୁତ୍ତର ନ ପାଇଲା, ଟେଲିଫୋନ୍ ଏକ୍‌ସଚେଞ୍ଜକୁ ଫୋନ୍‌ କରି ଜାଣିଲେ ଯେ ଦିବ୍ୟଧାମର ଟେଲିଫୋନ୍‍ ଲାଇନ କଟିଯାଇଛି । କିନ୍ତୁ ତା’ର କୌଣସି କାରଣ ସେ ପାଇ ନ ପାରି ନିଜେ ଦିବ୍ୟଧାମକୁ ଯାଇ ସବୁ ବୁଝି ଆସିବାର ମନସ୍ଥ କରି ସ୍କୁଟର ବାହାର କଲାବେଳକୁ ଘର ଦ୍ୱାରମୁହଁରେ ଝୁଲୁଥିବା ଚିଠି ବାକ୍‌ସରେ ପଡ଼ିଥିବା ଚିଠିଟି ଉପରେ ଦୃଷ୍ଟି ପଡ଼ିଲା ମନୋଜର ।

 

ଚିଠିଟି ଉଠାଇ ଆଣି ଆଖି ବୁଲାଇ ନେଲା ଠିକଣା ଉପରେ । ତା’ର ଠିକଣା ସ୍ପଷ୍ଟ ଭାବରେ ଲେଖାଥିଲେ ବି ପ୍ରେରକର ଠିକଣା ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ ।

 

ଲଫାପା ଚିରି ଚିଠିଟି ବାହାର କରିବା ମାତ୍ରେ ହାସ୍ୟମୟୀଙ୍କର ଅକ୍ଷର ଦେଖି ମଧୁର ବିସ୍ମୟରେ ଅଭିଭୂତ ହୋଇ ପାଠକଲା ସେ-

 

ସମ୍ମାନନୀୟେଷୁ,

 

ଅଦାଲତର ଆଦେଶ ତୁମ ସପକ୍ଷରେ ଯିବାର ଶୁଣି ମୁଁ ଈଶ୍ୱରଙ୍କ ନିକଟରେ କେବଳ ପ୍ରାର୍ଥନା ନିବେଦନ କରୁଛି । ତୁମପରି ଜଣେ ନିର୍ଦ୍ଦୋଷୀ ଓ ନିର୍ମଳ ବ୍ୟକ୍ତି ପୁଲିସ୍‍ କୁଶାସନର ଶିକାର ହେବା ଶୁଣି ମୁଁ ମର୍ମେ ମର୍ମେ କ୍ଷତବିକ୍ଷତ ହୋଇଛି । କିନ୍ତୁ ମୁଁ ଏପରି ଅସହାୟ ଅବସ୍ଥାରେ ଅଛି ଯେ ଆଗକୁ ଯାଇ ତୁମକୁ କିଛି ସାହାଯ୍ୟ କରିପାରୁ ନାହିଁ । ପଛରେ ରହି ଯାହାକିଛି କରଣୀୟ ସେତିକି କରୁଛି ମାତ୍ର । ଦୈବୀଶକ୍ତିହିଁ ମୋର ଏକମାତ୍ର ସହାୟ । ଭଗବାନ ହିଁ ଏକମାତ୍ର ଭରସା ।

 

ଦିବ୍ୟଧାମ ସହିତ ସବୁ ସମ୍ପର୍କ ଛିନ୍ନକରି ଯେଉଁଦିନ ତୁମର ଆଶ୍ରୟ ପାଇବା ଆଶାରେ ଦୌଡ଼ି ଯାଇଥିଲି ତୁମ ପାଖକୁ, ସେଦିନ ତୁମକୁ ସେଠାରେ ନ ପାଇ ଯେଉଁ ହତାଶା ଓ ଦୀର୍ଘଶ୍ୱାସ ନେଇ ଫେରିଆସିଲି ତା’ର କାଣିଚାଏ ଯଦି ତମକୁ କହିପାରନ୍ତି ଆଶ୍ୱସ୍ତ ହୁଅନ୍ତି ଅନେକ । ଅଭାଗିନୀ ମୁଁ ! ତୁମର କୌଣସି କାମରେ ଆସି ପାରିଲି ନାହିଁ ।

ଆନନ୍ଦାଶ୍ରମରେ ବାବା ସଚ୍ଚିଦାନନ୍ଦଙ୍କ ଅଭୟ ପାଇ ନିର୍ଭୟରେ ଅଛି ମୁଁ । କିନ୍ତୁ ଚିନ୍ତାର କାରଣ କଟି ନାହିଁ । ଏବେବି ସେମାନେ ମୋତେ ଖୋଜୁଛନ୍ତି, ହୁଏତ ଦିନେ ତମେ ଶୁଣିବ ଯେ ମୁଁ ଆଉ ଇହଜଗତରେ ନାହିଁ; କାରଣ ତୁମେ ତ ଜାଣ ଯେ ବିଦ୍ୟଧାମ ଛାଡ଼ି ଚାଲିଯାଇ କେହି ପରିତ୍ରାଣ ପାଇନାହିଁ । ମୃତ୍ୟଦଣ୍ଡହିଁ ତା’ର ଏକମାତ୍ର ଶାସ୍ତି ।

କାଳେ କେତେବେଳେ ସେଇ ଦଣ୍ଡ ମୋ ମୁଣ୍ଡ ଉପରେ ଲଦି ଦେବେ ସେମାନେ, ସେଥିପାଇଁ ପ୍ରଥମ ସୁଯୋଗରେ ଏଇ ଚିଠି ଲେଖୁଚି ମୁଁ । ଯଦି ସୁବିଧା ହୁଏ ଏବଂ ମୋ ପ୍ରତି ତୁମର ସ୍ନେହଶ୍ରଦ୍ଧା ଅତୁଟ ଥାଏ, ଥରେ ଆସି ଦେଖିଯିବ ।

ତୁମକୁ ମୁଁ ଦେଖିବାଦିନୁ ଯେପରି ତୁମର ଅନୁରାଗିଣୀ ଆଜି ମଧ୍ୟ ସେହିପରି । କେବଳ ବାରମ୍ବାର କହିବାକୁ ଇଚ୍ଛାହୁଏ ଯେ, ମୁଁ ତୁମକୁ ଭଲପାଏ, ଏକାନ୍ତଭାବେ ଭଲପାଏ ।

ଆଜି ଆଉ ହାସ୍ୟମୟୀ ନୁହେଁ ନିଜର ସଠିକ ପରିଚୟ ଦେଇ ଚିଠି ଲେଖୁଚି, ପାଇବ କି ନାହିଁ କିଏ ଜାଣେ !

ନିବେଦିତା

ଅନୁପମା

ଥରେ ନୁହେଁ ତିନିଥର ପଢ଼ିଲା ମନୋଜ । ଏପର୍ଯ୍ୟନ୍ତ ଚିଠିର ତାରିଖ ଉପରେ ଦୃଷ୍ଟି ପଡ଼ି ନ ଥିଲା ତା’ର, ଉପରେ ଏଗାର ତାରିଖ ଲେଖା ଥିବାର ଦେଖି ଚମକି ପଡ଼ିଲା ସେ । ଆଜି ବାଇଶ ତାରିଖ ସେପ୍‌ଟେମ୍ବର । ଏ ଭିତରେ ଏଗାରଦିନ ଅତୀତ ହୋଇଯାଇଛି ।

ଦିବ୍ୟଧାମ ଆଡ଼କୁ ନୁହେଁ ଆନନ୍ଦାଶ୍ରମ ଆଡ଼କୁ ସ୍କୁଟର ଚଳାଇଲା ମନୋଜ ।

 

ଶେଷରେ ସୁହାସିନୀ ପଟ୍ଟନାୟକ ଆସି ତା’ ଘର ଆଗରେ ଗାଡ଼ି ରଖି ଓହ୍ଲେଇ ପଡ଼ି କଲିଂବେଲର ବୋତାମ ଟିପିବେ ବୋଲି କସ୍ମିନକାଳେ ଭାବି ନ ଥିଲା ମନୋଜ ।

 

ମୁହଁରେ ସେଇ ମନଛୁଆଁ ହସ ।

 

ମନୋଜ ସ୍ୱାଗତ ଜଣାଇ କହିଲା - ଦୁଃଖିତ ଯେ, ଆପଣଙ୍କପରି ସମ୍ମାନୀତା ଅତିଥିଙ୍କୁ ଚର୍ଚ୍ଚା କରିବାପାଇଁ ଏଠାରେ କିଛି ନାହିଁ ।

 

ସୁହାସିନୀ ଗ୍ରୀବା ଦୋହଲାଇ ମନୋଜ ଆଡ଼କୁ କଟାକ୍ଷ ଫିଙ୍ଗି କହିଲେ - ମୁଁ ସେଦିନ କହିଥିଲି ଆଜି ବି କହୁଛି ଯେ ବୟସରେ କିଏ ସାନ କିଏ ବଡ଼ ଜାଣି ହେଉନି ଯେତେବେଳେ ପରସ୍ପର ସମ୍ମାନାର୍ଥରେ ସମ୍ବୋଧନ ନ କରି ନିଜ ଲୋକପରି ସମ୍ବୋଧନ କରିବା ଉଚିତ ହେବ ନାହିଁକି ? ତୁମେ ବରଂ ଆଗେ ନ କୁହ, ମୁଁ କିନ୍ତୁ ତୁମେ ବୋଲି ସମ୍ବୋଧନ କରୁଛି...କିଛି ମନେକରୁନ ତ ?

 

ମନୋଜ ବେତଚୌକିଟା ଆଗରେ ଦେଇ କହିଲା – ହଉ ହେଲା, ବସ ଏଥର... ।

 

ସୁହାସିନୀ ଗଡ଼ ଜିଣିଲାପରି କହିଲେ, ଚା’ କପେ ନ ପିଇ ମୁଁ କିନ୍ତୁ ଯାଉନି ମନୋଜ...କେହି ଅଛି ବା ନିଜେ ଯିବି ରୋଷେଇ ଘରକୁ... !

 

- ନା କେହି ନାହିଁ । ଚାକର ପିଲାଟା ଛୁଟିନେଇ ଘରକୁ ଯାଇଛି ଯେ ଫେରିନ ଏଯାଏ । ଚା’, ଦୁଧ, ଚିନି ଅଛି କି ନାହିଁ ଜାଣେ ନି ମୁଁ । ବରଂ କ୍ୟାଣ୍ଟିନରୁ ମଗାଇ ନିଏ... ।

 

-ନା, ନା, ତୁମେ ବସ, ମୁଁ ବରଂ ଦେଖିନିଏ ।

ତାକୁ ଆଉ କହିବାକୁ ନ ଦେଇ ରୋଷଇ ଘରଭିତରକୁ ପଶିଗଲେ ସୁହାସିନୀ ।

 

ନିଜକୁ ଅପ୍ରସ୍ତୁତ ମନେକଲା ମନୋଜ । ଘର ଅସଜଡ଼ା ଅପରିଷ୍କାର ହୋଇ ପଡ଼ିଛି । ଅବ୍ୟବସ୍ଥା ସହିତ ବ୍ୟକ୍ତିଗତ ଜୀବନରେ ମୁକାବିଲା କରିବାଲାଗି ସମୟ ପାଇନି ସେ । ଦିନେ ହୁଏତ ସେଇ କାମର ଦାୟିତ୍ୱ ଆଉ କାହା ହାତରେ ସମର୍ପିଦେଇ ନିଶ୍ଚିନ୍ତ ମନରେ କେବଳ କାମ କରିଯିବ ମନୋଜ ।

 

ଅଳ୍ପ ସମୟ ମଧ୍ୟରେ ଦୁଇକପ ଚା’ ନେଇ ଫେରିଆସି ଘୋଷଣା କଲେ ସୁହାସିନୀ, ନାଲି ଲେମ୍ବୁ ଚା’ କିନ୍ତୁ ବେଶ୍‍ ଫ୍ରେସ୍ ଲାଗିବ । ଭାଗ୍ୟକୁ ଲେମ୍ବୁ ଗୋଟେ ପଡ଼ିଥିଲା ବାକ୍‌ସ ଭିତରେ-

 

ଗୋଟେ କପ୍ ତାଙ୍କ ହାତରୁ ନବାବେଳେ ତା’ ଆଙ୍ଗୁଳି ଉପରେ ମୁହୂର୍ତ୍ତେ ନିଜର ଆଙ୍ଗୁଳି ଚାପି ଧରିଲେ ସୁହାସିନୀ ।

 

ମନୋଜର ମୁହଁ କରି ବସିଥିବାର ଦେଖି ସେ କହିଲେ, କଅଣ ଭାବୁଛ ଏତେ ଯେ...ମୁଁ ଜବରଦସ୍ତି କରୁଥିବାରୁ ବିରକ୍ତ ହେଉଥିବ ନିଶ୍ଚୟ... !

 

-ନା, ନା । ବରଂ ଭଲ ଲାଗୁଚି... ହଠାତ୍ କହି ପକାଇଲା ମନୋଜ; କିନ୍ତୁ ପରମୁହୂର୍ତ୍ତରେ ଭାବିଲା ଯେ ଏତିକି ନ କହିଥିଲେ ବି ଚଳିଥାଆନ୍ତା ।

 

ଖୁସି ହୋଇ ତା’ ଆଗରେ ନଇଁପଡ଼ି କହିଲେ ସୁହାସିନୀ, କିମିତି ଲାଗୁଚି ଚା’ ?

- ବେଶ୍ ଭଲ ଲାଗୁଚି... ।

- ସତେ ?

- ସତ ।

 

- ଇମିତି ବାବାଜିପରି କେତେଦିନ ଚଳିବ ଯେ...ଭଲ ଲାଗୁଛି ଏକା ଏକା ରହିବା ପାଇଁ-?

 

- ସାମ୍ବାଦିକର ଜୀବନ ତ ଏଇପରି । ତାକୁ ସଙ୍ଗ ଦବାକୁ ଆସି ଦୁର୍ଭୋଗ ବରଣ କରିବ କିଏ ଯେ... !

 

- ଲୋକ ଅଛନ୍ତି ସ୍ୱେଚ୍ଛାରେ ଦୁର୍ଭୋଗ ବରଣ କରିବାପାଇଁ; କିନ୍ତୁ ତୁମେ ରାଜି ହେଲେ ତ... !

 

- ବିଚାର କରି ଦେଖିବି... ।

 

କେତେମାସ ତଳେ ତାଙ୍କ ବିଉଟି ପାର୍ଲରକୁ ଯାଇଥିଲା ମନୋଜ । ଆଜି ମନେପଡ଼ୁଛି ସବୁ ।

 

ସେଦିନ କିନ୍ତୁ କଫି ଦେଇଥିଲେ ସେ ।

 

ସେଇୟକଥା ସ୍ମରଣ କରାଇ ଦବାଲାଗି କହିଲା ମନୋଜ- ସେଦିନ କଫି ଦେଇଥିଲ ତୁମେ ...ଚମତ୍କାର କଫି...ଏଇ ଚା’ କିନ୍ତୁ କଫି ନୁହେଁ... ।

 

- କିନ୍ତୁ ତିଆରି କରିଥିବା ହାତ ଏକ ଭାଇ..ସେଦିନ ଯଦି ଭଲ ଲାଗିଛି ଆଜି ବି ଭଲ ଲାଗିବାର କାରଣ ଅଛି... ।

 

- ନିଶ୍ଚୟ । ତୁମର ହାତଯଶ ଅଛି... ।

 

ଚା’ ପିଇସାରି କହିଲେ ସୁହାସିନୀ, ଯୋଉକଥା କହିବାପାଇଁ ଆସିଥିଲେ କହିନ ଏଯାଏ-। ତୁମେ ଟିକେ ଯଦି ମନଦେଇ ଶୁଣନ୍ତ...

 

- କୁହ ।

 

- କଟକ ଟାଉନ ହଲରେ ନାଗରିକ ସମିତି ପକ୍ଷରୁ ତୁମକୁ ସମ୍ବର୍ଦ୍ଧନା ଦବା ପାଇଁ ସ୍ଥିର ହୋଇଛି । ଆସନ୍ତା ରବିବାର- ତୁମର ସମ୍ମତି ହାସଲ କରିବାର ଦାୟିତ୍ୱ ମୋ ଉପରେ ନ୍ୟସ୍ତ କରିଛନ୍ତି ଉଦ୍ୟୋକ୍ତାମାନେ । ତମେ ରାଜି ତ ?

 

ମନୋଜ କପ୍‌ଟାକୁ ତଳେ ରଖିଦେଇ କହିଲା – କିନ୍ତୁ କାହିଁକି ଏ ସମ୍ବର୍ଦ୍ଧନା, ମୁଁ ତ ସେପରି କିଛି କରିନି ସୁହାସିନୀ !

 

- ତମେ କରିନ ତ କଣ ଏଇ ମନ୍ତ୍ରୀମାନେ କରିଚନ୍ତି ? ଦେଶରୁ, ସମାଜରୁ ଭ୍ରଷ୍ଟାଚାର, କୁସଂସ୍କାର, ଦୁର୍ନୀତି ଦୂର କରିବାପାଇଁ ଯେଉଁ ସଂଗ୍ରାମ ଚଳେଇଛ ତମେ କଲମ ଜରିଆରେ, କେତେଜଣ ସମ୍ବାଦିକ କରିପାରିବେ ତାହା ? ଆମେରିକା କି ଜାପାନରେ ଜନ୍ମିଥିଲେ ତୁମେ ନୋବେଲ ପୁରସ୍କାର ପାଇଥିଆନ୍ତ ମନୋଜ...ଓଡ଼ିଶାରେ କିନ୍ତୁ ଜନ୍ମ ତୁମର ସେଥିପାଇଁ ଶେଷରେ ପୁଲିସ୍‍ ହାତରେ ନିର୍ଯ୍ୟାତିତ ତମେ ... ।

 

ମନୋଜ ବିନମ୍ର କଣ୍ଠରେ କହିଲା, ମୁଁ ସାମାନ୍ୟ ସାମ୍ବାଦିକ । ସତ୍ୟାନୁସନ୍ଧାନ କରିବା ମୋର ଧର୍ମ । ସେଇ ଧର୍ମପାଳନ କରିଛି । କାହାର ଶତ୍ରୁତା ବା କାହାରି ମିତ୍ରତା ଅର୍ଜନ କରିବା ଲକ୍ଷ୍ୟ ଯେପରି ମୋର ନାହିଁ, ସାମ୍ବାଦିକତା କରି ଅସତ୍ ଉପାୟରେ ଅର୍ଥ ଉପାର୍ଜନ କରିବାର ଅଭିପ୍ରାୟ ମୋର କେବେ ନ ଥିଲା, କି ଆଜି ମଧ୍ୟ ନାହିଁ ।

 

ସୁହାସିନୀ ଗ୍ରୀବା ହଲାଇ କହିଲେ - ମୁଁ କଅଣ ଜାଣେ ନି ଯେ କହୁଛ...କିନ୍ତୁ ଏଇ ସଂସାର ବଡ଼ ବିଚିତ୍ର ମନୁ...ତୁମେ ନିଜେ ସତ୍‌ପଥରେ ଚାଲିପାର; କିନ୍ତୁ ଅନ୍ୟ କାହାକୁ ଉପଦେଶ ବା ନିର୍ଦ୍ଦେଶ ଦେବାର ଅଧିକାର ତୁମର ନାହିଁ ବୋଲି ସେମାନେ ଭାବନ୍ତି... ।

 

ସମାଜ ଥିବାଯାଏ ସଙ୍ଗଠନ ରହିବ, ଶାସନ ଓ ନୀତିନିୟମ ରହିବ । ଶୃଙ୍ଖଳା ଭାଙ୍ଗିଲେ ସମାଜ ମଧ୍ୟ ଭାଙ୍ଗିଯିବ । ପ୍ରତ୍ୟେକ ବିବେକୀ ବ୍ୟକ୍ତିର ଏଇ କଥା କହିବା ଦରକାର । ନିଜ ଜୀବନରେ ନୀତି ଓ ନିୟମ, ଶୃଙ୍ଖଳା ଓ ସଂଯମ ମାନିବା ସର୍ବାଦୌ ଆବଶ୍ୟକ । ନିଜେ ନ ମାନି ଅନ୍ୟକୁ କହିବାର ଅଧିକାର କାହାରି ନାହିଁ... ।

 

- ମୁଁ କି ତୁମେ ଗାନ୍ଧୀ ନୋହୁଁ ଯେ ସମସ୍ତଙ୍କୁ ଠିକ୍ ବାଟରେ ଚଳାଇବାର ଦାୟିତ୍ୱ ନିଜ ହାତରେ ନେବୁ ଆମେ ।

 

- ସତ, କିନ୍ତୁ ନିଜ ଆଖି ଆଗରେ ଅନ୍ୟାୟ, ଅତ୍ୟାଚାର ଦେଖଇ ନୀରବ ରହିବା ଅର୍ଥ ତାକୁ ପ୍ରୋତ୍ସାହନ ଦେବା... ।

 

- ତୁମେ ସେଇ କାମ କରୁଛ ବୋଲି କେତେ ମୂଲ୍ୟ ଦବାକୁ ପଡ଼ୁଛି ଦେଖୁଛ ତ ! ସମାଜ ପାଇଁ କାର୍ଯ୍ୟ କରିବାର ସାହସ ବା ନିଷ୍ଠା ନାହିଁ ସାଧାରଣ ଲୋକର । ଯା’ ହେଉ ତୁମ ସମୟରେ ମୁଁ ବଞ୍ଚିଛି ବୋଲି ଗର୍ବ ହୁଏ ମନରେ ।

 

- ତୁମେ ବି ନିଜ କ୍ଷେତ୍ରରେ ଏହାର ପ୍ରୟୋଗ କରିପାର ।

 

- ତୁମେ ତ ଏକା ଏକା ଚାଲିବାକୁ ପସନ୍ଦ କର ମନୋଜ...ମୋତେ ପାଖରେ ରହିବାର ଟିକେ ସୁଯୋଗ ଦିଅନ୍ତ କି...

 

ମନୋଜ ଆଉ ଅଗ୍ରସର ନ ହୋଇ କହିଲା - ତୁମର ଏବଂ ମୋର ପଥ ଏକ ନୁହେଁ । ଦୁଇଟି ସମାନ୍ତରାଳ ପଥ କଦାପି ଏକ ସ୍ଥାନରେ ପରସ୍ପରକୁ ଭେଟନ୍ତି ନାହିଁ ।

 

ମୁହଁ ଶୁଖାଇ କହିଲେ ସୁହାସିନୀ, ସେଇ ମୋର ଦୁର୍ଭାଗ୍ୟ । ମୁଁ ତୁମର କୌଣସି କାର୍ଯ୍ୟରେ ଆସିପାରିଲିନି । ବରଂ ଏଇ ଭଲ, ବାହାରେ ଥାଇ ତୁମକୁ ଦେଖିବି, ତୁମର କୀର୍ତ୍ତକଳାପ ଶୁଣିବି... ।

 

ସୁହାସିନୀ ଯେଉଁ ଉଦ୍ଦେଶ୍ୟରେ ଆସିଥିଲେ ତାହା ପୂର୍ଣ୍ଣ ହୋଇଛି । ମନୋଜ ରାଜି ହୋଇଛି ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିବାପାଇଁ । ଉଦ୍ୟୋକ୍ତାମାନେ ଗାଡ଼ି ପଠେଇ ତାକୁ ନେଇଯିବାର ପ୍ରସ୍ତାବ ପଠାଇଥିଲେ । କିନ୍ତୁ ସେଥିରେ ରାଜି ନ ହୋଇ ଭଡ଼ାଗାଡ଼ିରେ ଯିବାପାଇଁ ସ୍ଥିର କରିଛି ମନୋଜ । ସେ ଯା’ହେଉ ମାନବ ମହାନ୍ତି ତାକୁ ଯେଉଁ ଦାୟିତ୍ୱ ଦେଇଥିଲେ ସେ ତାହା ପୂର୍ଣ୍ଣ କରିଛି । ମନୋଜର ସବୁ ଖବର ତାଙ୍କୁ ଜଣାଇବାଲାଗି ଆଉ ଅସୁବିଧା ନାହିଁ କିଛି । ସୁହାସିନୀ ବିଜୟିନୀ ପରି ପୁଣି ଥରେ ଝଲକାଏ ତରଳ ହସର ଢେଉ ତୋଳି ଯିବା ଆଗରୁ କହିଲେ, କିନ୍ତୁ ଏବେବି ସମୟ ଅଛି; ମୋ ସାନକୁହା ମାନ ମନୁ...ସତର୍କ...ସାବଧାନ ହୁଅ ଟିକେ...ତୁମର ବି ଯେ ଶତ୍ରୁ ଅଛନ୍ତି ଏହା ଭୁଲି ନ ଯାଅ ଯେପରି...ହଁ, ଯଦି କେବେ ପ୍ରୟୋଜନ ମନେକରିବ ଡାକିବ ମୋତେ... । ନିଃସ୍ୱାର୍ଥପର ଭାବରେ ଆସିବି ମୁଁ ।

 

ସୁହାସିନୀ ଚାଲିଗଲା ପରେ ବି କିଛିକ୍ଷଣ ତାଙ୍କର ଯିବା ପଥକୁ ଅନାଇ ରହିଲା ମନୋଜ । ପ୍ରତ୍ୟକ ନାରୀ ଅନ୍ୟଠାରୁ ଭିନ୍ନ, କିନ୍ତୁ ପ୍ରତ୍ୟେକଙ୍କୁ ଯେତେ ଦେଖେ ମନୋଜ, ସେମାନଙ୍କର ରହସ୍ୟମୟୀ ମୂର୍ତ୍ତି ସେତିକି ଉଦ୍ଭାସିତ ହୁଏ ଆଖି ଆଗରେ ।

 

ସୁହାସିନୀ ପଟ୍ଟନାୟକଙ୍କ ସହିତ ପରିଚୟ ଥିଲା, ଘନିଷ୍ଠତା ନ ଥିଲା । ହଠାତ୍ ସେ କାହିଁକି ଯେ ଚୋରା ମଳୟପରି ଆସି ପୁଣି ଫେରିଗଲେ ଏହାର କାରଣ ଠିକ୍‌ କରି ନ ପାରି ଦ୍ୱନ୍ଦ୍ୱରେ ପଡ଼ିଗଲା ମନୋଜ । ତଥାପି ଏତିକି ବାରମ୍ବାର ମନେହେଲା ଯେ, ସେ ନିଜ ଇଚ୍ଛାରେ ନୁହେଁ, ଅନ୍ୟର ଆଦେଶ ବା ଅନୁରୋଧ ଏଡ଼ି ନ ପାରି ଆସିଥିଲେ ।

 

ପୁଣି ମନେପଡ଼ିଲା ଅନୁପମା ।

ମନେପଡ଼ିଲେ ଶାଶ୍ୱତୀ, ଶ୍ରୀଲେଖା ଏବଂ ଲକ୍ଷ୍ମୀ ନାଏକ ।

ଆହା ! ଶାଶ୍ୱତୀ ଓ ଶ୍ରୀଲେଖାର ଜୀବନଯନ୍ତ୍ରଣା କେଡ଼େ ହୃଦୟସ୍ପର୍ଶୀ !

 

ଶାଶ୍ୱତୀକୁ ବାଧ୍ୟ ହୋଇ ସାଙ୍ଗରେ ରଖିଛି ଶଙ୍କର; କିନ୍ତୁ ସହଜରେ ଗ୍ରହଣ କରିପାରୁନି । ତାକୁ ଦୋଷ ଦିଏନି ମନୋଜ, ଦୋଷ ଦିଏ ସମାଜକୁ, କୁସଂସ୍କାରକୁ । ଶାଶ୍ୱତୀର ଦୈହିକ ସତୀତ୍ୱ ହୁଏତ ଚୋରାଇ ନେଇଛନ୍ତି ପ୍ରବୁଦ୍ଧାଚାଯ୍ୟ; କିନ୍ତୁ ମନର ସତୀତ୍ୱ ନେଇ ସେ ଏବେବି ଅହଂକାରିଣୀ-

 

କିନ୍ତୁ ଶ୍ରୀଲେଖାର ଯନ୍ତ୍ରଣା ଆହୁରି ବେଦନାଦୟକ । ଯାହାକୁ ଭଲ ପାଇ ବାପା ମା’ଙ୍କର ବାରଣ ସତ୍ତ୍ୱେ ବିଭା ହୋଇଥିଲା ସେ, ଶେଷରେ ସେଇ ସ୍ୱଦେଶ ତାକୁ ମାନବ ମହାନ୍ତି ପାଖକୁ ପଠାଇଦେଇ ନିଶ୍ଚିନ୍ତରେ ନିଶା ସେବନ କରି ନିଜକୁ ଭୁଲିଯିବାକୁ ଚେଷ୍ଟା କରିବ, ଏହାଠାରୁ ବଳି ବଡ଼ ଲାଞ୍ଛନା ଆଉ କିଛି ହୋଇ ନ ପାରେ ଶ୍ରୀଲେଖା ପକ୍ଷରେ । ସେଇଦିନୁ ସ୍ୱାମୀର ଚାକିରି ଫେରାଇଦବା ଓ ନିଜର ଚାକିରି ରକ୍ଷା କରିବା ବିନିମୟରେ ନିଜକୁ ତିଳତିଳ କରି ମାନବ ମହାନ୍ତିଙ୍କୁ ଦାନକରି ଆସୁଛି ଶ୍ରୀଲେଖା ।

 

ଭାବିଲେ ମନରେ ଦୁଃଖ ହୁଏ କେବଳ ।

 

ସେ ଚେଷ୍ଟା କରିଥିଲା କିଛି ପ୍ରତିକାର କରିବା ପାଇଁ, କିନ୍ତୁ ବିଫଳ ହେଲା ସେଥିରେ । ମାନବ ମହାନ୍ତି ସମାଜର କର୍ତ୍ତା । ସେ ସାଧାରଣ ଦୋଷ ତ୍ରୁଟୀର ଊର୍ଦ୍ଧ୍ୱରେ । ଦିବ୍ୟଧାମର ବାବା ପ୍ରବୁଦ୍ଧାଚାର୍ଯ୍ୟ ଅଧ୍ୟାତ୍ମମାର୍ଗର ପଥପ୍ରଦର୍ଶକ । ସେ ମଧ୍ୟ ସାଧାରଣ ନୀତିନିୟମର ବାହାରେ । ସେମାନଙ୍କର ଶକ୍ତି ଅଛି, ସମ୍ପଦ ଅଛି, ଶାସନ ସହିତ ସମ୍ପର୍କ ଅଛି । ସେମାନେ ଆଇନର ବାହାରେ-

 

ଅନୁପମା ଯଦି ଦୁଃସାହସ କରି ସେଠାରୁ ପଳେଇ ଆସି ନ ଥାନ୍ତା ଇମିତି ଭୋଗୁ ଥାଆନ୍ତା ନିଶ୍ଚୟ... ।

 

ଅନୁପମାକୁ କଥା ଦେଇଛି ମନୋଜ । ସେଇ ପ୍ରତିଶ୍ରୁତି ସେ ରକ୍ଷା କରିବ ପ୍ରାଣ ବିନିମୟରେ ।

 

କଟକ ସମ୍ବର୍ଦ୍ଧନା ସଭାକୁ ସେ ଏକା ଯିବ ବୋଲି ଭାବିଥିଲା, କିନ୍ତୁ ଅନୁପମା ତା’ ସହିତ ଯିବା ପାଇଁ ଜିଦ୍ କରିବାରୁ ମନାକରି ପାରିଲା ନାହିଁ ।

 

ଆସନ୍ତାକାଲି ଜୀବନର ପ୍ରଥମ ସଫଳତାର ସମ୍ମୁଖୀନ ହେବ ମନୋଜ ।

ତାହାରି ଦର୍ପଣରେ ସେ ଦେଖିବ ନିଜର ପ୍ରତିବିମ୍ବ ସହିତ ସମାଜର ପ୍ରତିବିମ୍ବ ।

ସେଇକଥା ଭାବି ଭାବି ନିଶ୍ଚିନ୍ତରେ ଶୋଇପଡ଼ିଲା ସେ ।

 

ଶେଷ ଇଣ୍ଟେଲିଜେନ୍‌ସ ରିପୋର୍ଟଟା ସୁମତି ହାତରେ ପଡ଼ିଲା ଆସି । ଡାଇରେକ୍‌ଟରଙ୍କ ଟେବୁଲ ଉପରେ ଥୁଆ ହୋଇଥିବା କେତେକ ଜରୁରୀ ଏବଂ ଗୋପନୀୟ ଚିଠିପତ୍ର ସଜାଡ଼ିବାବେଳେ ହଠାତ୍ କଟକରୁ ଆସିଥିବା ଇଣ୍ଟେଲିଜେନ୍‌ସ ରିପୋର୍ଟ ଉପରେ ଦୃଷ୍ଟି ପଡ଼ିଗଲା ସୁମତିର । କିନ୍ତୁ ରିପୋର୍ଟ ପଢ଼ିସାରିବା ପରେ ସେ ଉତ୍କଣ୍ଠାରେ ଅଧୀର ହୋଇପଡ଼ିଲା । ହାତ ଘଡ଼ିକୁ ଅନାଇଲା ପାଞ୍ଚଟା ପାଞ୍ଚ ମିନିଟ । ଆହୁରି ପଞ୍ଚାବନ ମିନିଟ ଅଛି ହାତରେ । କିନ୍ତୁ ଏତେବେଳକୁ ହୁଏତ ଘରୁ ବାହାରି ଯାଇଥିବ ମନୋଜ । ପରିଣତି ବିଷୟରେ ଭାବିବାକ୍ଷଣି ସର୍ବାଙ୍ଗ ଥରି ଉଠିଲା ସୁମତିର ।

 

ସାଧାରଣତଃ ରବିବାର ଦିନ ଅଫିସକୁ ଆସେନି ସେ । କିଛି କାମ ହାତରେ ଠୁଳ ହୋଇ ଯାଇଥିଲା ବୋଲି ବାକି କାମଗୁଡ଼ାକୁ ସାରିନେବା ପାଇଁ ଛୁଟି ଉପଭୋଗ ନ କରି ଅଫିସକୁ ଆସିଥିଲା ସୁମତି । ଠିକ୍ ଫେରିବାବେଳକୁ ଇମିତି ଗୋଟେ ଖବର ତା’ ଆଖିରେ ପଡ଼ିବ ଏହା ତାର ଧାରଣାରେ ମଧ୍ୟ ନ ଥିଲା କେବେ ।

 

ନୂଆହୋଇ କିଣିଥିବା ଲୁନା ଉପରକୁ କୁଦିପଡ଼ି କ୍ଷିପ୍ର ଗତିରେ ଚାଲିଗଲା ସୁମତି ।

 

ମନୋଜର ଘର ସାମ୍ନାରେ ପହଞ୍ଚି କିନ୍ତୁ ହତାଶ୍‍ ହେଲା ସେ । ସେତେବେଳକୁ ଚାଲି ଯାଇଥାଏ ମନୋଜ । ତଥାପି ନାରଣକୁ ପଚାରିଲା ସୁମତି । ସେ ଯାହା କହିଲା ସେଥିରୁ ଏତିକି କେବଳ ଜାଣିଲା ଯେ, ସେ ନିଜକୁ ସ୍କୁଟରରେ ବାହାରି ଯାଇଛି ପ୍ରାୟ ସାଢ଼େ ଚାରିଟାବେଳେ । ସାଙ୍ଗରେ ଆଉ କେହି ନ ଥିଲେ ବି ରାସ୍ତାରୁ କେହି ଉଠିଛି କି ନାହିଁ ତାହା ସେ କହିପାରିଲା ନାହିଁ ।

 

ହେ ମହାପ୍ରଭୁ ! ରକ୍ଷାକର, ରକ୍ଷାକର ମନୁ ଭାଇକୁ...ଅସ୍ପଷ୍ଟ ଭାବରେ ମନକୁ ମନ କହିଲା ସୁମତି ।

 

ଇଣ୍ଟେଲିଜେନ୍‌ସ ରିପୋର୍ଟ ଗୋଟିଏ ଚକ୍ରାନ୍ତର ସୂଚନା ଦେଇଥିଲା । ମନୋଜ ମିଶ୍ରର ଶତ୍ରୁମାନେ ସ୍ଥିରହୋଇ ବସି ନାହାନ୍ତି । ଗୋଟିକ ପରେ ଗୋଟିଏ କାହାଣୀ ସମ୍ବାଦପତ୍ରରୁ ପଢ଼ିବା ପରେ ସୁଯୋଗ ଉଣ୍ଡୁଛନ୍ତି ପ୍ରତିଶୋଧ ନବାପାଇଁ । ଯାହା ଏପର୍ଯ୍ୟନ୍ତ ପ୍ରକାଶ ପାଇଛି ସେମାନଙ୍କର ମୁଖା ଖୋଲି ଶାସ୍ତି ଦବାପାଇଁ ତାହା ଯେ ଯଥେଷ୍ଟ ଏହା ଜାଣି ମଧ୍ୟ ସେମାନଙ୍କର ଆଉ ଅଧିକ କ୍ଷତି ମନୋଜ ଯେପରି କରି ନ ପାରେ ଏଥିପାଇଁ ସେମାନେ ସଂଘବଦ୍ଧ ଭାବରେ ଉଦ୍ୟମ ଆରମ୍ଭ କରିଚନ୍ତି । ମନୋଜକୁ ହତ୍ୟା କରିବାଲାଗି ଷଡ଼ଯନ୍ତ୍ର ମଧ୍ୟ ଚାଲିଛି । କେତେବେଳେ କଅଣ ଘଟିବ କହି ହେଉନି । ସମ୍ବର୍ଦ୍ଧନା ସଭାରେ ଯେପରି କୌଣସି ହିଂସାକାଣ୍ଡ ନ ଘଟେ ସେଥିପାଇଁ ପଦକ୍ଷେପ ନିଆ ହେଉଛି ପୁଲିସ୍‍ ପକ୍ଷରୁ । ମନୋଜ ମିଶ୍ର ଆଉ ଯାହାକରୁ ବା ନ କରୁ ଜଣେ ସଚ୍ଚା ସାମ୍ବାଦିକ ଏବଂ ତା’ର ଜୀବନର ସୁରକ୍ଷା ପୁଲିସ୍‍ର ଦାୟିତ୍ୱ - ଏହାହିଁ ଶେଷରେ କହିଥିଲେ ରିପୋର୍ଟ ପ୍ରେରକ-

 

ଯାହେଉ ପୁଲିସ୍‍ ବାହିନୀରେ ଏବେବି ଏପରି ଅନେକ ଅଛନ୍ତି ଯେଉଁମାନେ ନିର୍ଭୀକ ଏବଂ ନିରପେକ୍ଷ । ସେମାନଙ୍କ ହାତରେ ଧନ ଜୀବନ ଯେ ନିରାପଦ ଏହା କୁହାଯାଇପାରେ । କିନ୍ତୁ ମନୋଜ ଏକା ଏକା ବାହାରି ଯାଇଛି ଘରୁ, ପୁଣି ନିଜର ସ୍କୁଟର ଚଢ଼ି, ବାଟରେ ଯଦି କିଛି ହୋଇଯାଏ ତାକୁ ସତର୍କ କରିଦବା ସୁମତିର କର୍ତ୍ତବ୍ୟ । ଯଦି ବାଟରେ କିଛି ହୋଇଯାଏ.. । ମନକୁ ପାପ ଛୁଇଁଲା ସୁମତିର ।

 

ସେ ଲୁନାରେ ଯାଇ ଯେ ମନୋଜକୁ ବାଟରେ ଧରିପାରିବ ନାହିଁ ଏହା ନିଶ୍ଚିତ । ତାହାରି ବାରନ୍ଦାରେ ଲୁନା ରଖି ତରତର ହୋଇ ଟ୍ୟାକ୍‌ସିଷ୍ଟାଣ୍ଡକୁ ଦୌଡ଼ିଲା ସୁମତି ।

 

ରାସ୍ତାକଡ଼ରେ ସବାରୀ ଓହ୍ଲାଇ ଅପେକ୍ଷା କରିଥିବା ଗୋଟେ ଟ୍ୟାକ୍‌ସି ଭିତରକୁ କୁଦିପଡ଼ି କହିଲା ସୁମତି - କଟକ ଟିକେ ଶୀଘ୍ରକର ଭାଇ ଜରୁରୀ କାମ ଅଛି... ।

 

ଡ୍ରାଇଭର ଷ୍ଟାର୍ଟ କଲା ଟ୍ୟାକ୍‌ସି ।

ଗାଡ଼ିର ଗତିପରି ସୁମତିର ମନର ଗତି ଦ୍ରୁତତର ହେବାକୁ ଲାଗିଲା ।

 

ମନୋଜ ସହିତ ସେଦିନ ‘ପ୍ରିୟତମା’ ରେସ୍ତୋଁରାରେ ଏକତ୍ର ହେବାର ସୁଯୋଗ ପାଇଥିଲା ସେ । ସେଇ ଶେଷ ସାକ୍ଷାତ୍‍ । ତା’ପରେ ସାକ୍ଷାତ୍‍ ହୋଇଛି ଏକତ୍ର ନୁହେଁ ଅନ୍ୟମାନଙ୍କ ଉପସ୍ଥିତିରେ । ପୁଲିସ୍‍ ତାକୁ ଗିରଫ କରିବାପରେ ଖବର କାଗଜରେ ସେଇ ଘଟଣା ସମ୍ପର୍କରେ ଯାହା ପ୍ରକାଶ ପାଇଥିଲା ତାହା ବିଶ୍ୱାସ କରି ନ ଥିଲା ସୁମତି, ଆଜି ବି ବିଶ୍ୱାସ କରେନି । ତାହା ଯେ ପୁଲିସ୍‍ର ମନଗଢ଼ା କପୋଳକଳ୍ପିତ କାହାଣୀ ଏଥିରେ ନିଃସନ୍ଦେହ ସେ । କୌଣସି ଭି.ଆଇ.ପି.ଙ୍କ ପ୍ରରୋଚନାରେ ପଡ଼ି ପୁଲିସ୍‍ ମନୋଜକୁ ସାବାଡ଼ କରିବା ପାଇଁ ଚାହିଁଥିଲା; କିନ୍ତୁ ଏବେବି ଏ ଦେଶର ଜନମତ ସତର୍କ ପ୍ରହରୀ ପରି ଜଗିଛି ସାଧାରଣ ମଣିଷର ଅଧିକାରକୁ । ଏବେବି ଆଇନର ଶାସନ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିନାହିଁ, ଏବେବି ଅଦାଲତ ଉପରୁ ଆସ୍ଥା ତୁଟିନି ଲୋକମାନଙ୍କର । ସେଥିପାଇଁ ମନୋଜ ରକ୍ଷା ପାଇଗଲା । ପୁଲିସ୍‍ଦ୍ୱାରା ନିର୍ଯାତିତ ହେବାପରେ ସେ ଯେଉଁଦିନ ହାଜତରୁ ମୁକ୍ତି ପାଇଥିଲା ସେଦିନ ଆଉ ପାଞ୍ଚଜଣଙ୍କ ସହିତ ସେ ବି ଯାଇଥିଲା ତାକୁ ସଙ୍ଖୋଳିବାକୁ । ସେଦିନ ତାକୁ କେହି ନ ଶୁଣିବା ପରି ଚୁପ ଚୁପ କରି କହିଥିଲା ସୁମତି- ଏଥର ଆଉ ତୁମେ ଖାଲି ସାମ୍ବାଦିକ ନୁହଁ ମନୁଭାଇ, ଦେଶ ସେବକ ମଧ୍ୟ । ମନୋଜ ନ ଶୁଣିଲା ପରି ରହିଯାଇଥିଲା, ଉତ୍ତର ଦେଇ ନ ଥିଲା ।

 

‘ପ୍ରିୟତମା’ରେ ଶେଷ ଅନୁରୋଧ ସେ କରିଥିଲା ମନୋଜକୁ ।

ସେଦିନର କଥାଗୁଡ଼ା କାଲି କହିଥିବା ପରି ଲାଗୁଛି ।

 

ତାହାରି ତୁଣ୍ଡର କଥା- ରେସ୍ତୋଁରାର ନାମ ନେଇ ଯେତେବେଳେ ଡାକିବ ମୋତେ, ମୁଁ ଯେଉଁଠାରେ ଥିଲେ ବି ଶୁଣିବି... ।

 

ଭାବିବାକ୍ଷଣି ସର୍ବାଙ୍ଗ ପୁଲକିତ ହୋଇ ଉଠେ ସୁମତିର । ମନୋଜ ତା’ର ଚେତାନାକୁ ଆଚ୍ଛାନ୍ନକରି ରଖିଛି । ଚେଷ୍ଟା କରିବି ତାକୁ ଭୁଲିପାରୁନି ସେ । ବରଂ ତାକୁ ଦୂର ଆକାଶର ତାରାପରି ଦୂରେଇଦବାକୁ ଯାଇ ଆହୁରି ନିକଟତର ହୋଇଛି । ତାକୁ ସ୍ମରଣକରି ଶତ ଶତ କଦମ୍ବର ପ୍ରସ୍ଫୁଟନ ଅନୁଭବ କରିଛି ପ୍ରତି ଲୋମକୂପରେ ।

 

ସୁମତି ଭଲପାଏ ମନୋଜକୁ ।

 

କିନ୍ତୁ ମନୋଜ ? ସେ ହୁଏତ ଆଉ କାହାକୁ ଭଲପାଏ । ଅନ୍ୟକେହି ହୁଏତ ତା’ର ମନର ମାନସୀ । କିନ୍ତୁ ସେଥିରେ ବିଚଳିତ ହୋଇନି ସୁମତି । ତାର ଭଲପାଇବା ବରଂ ଆହୁରି ଉଜ୍ୱଳି ଉଠିଛି । ସେ କାୟୋମନୋବାକ୍ୟରେ ମନୋଜକୁ ଚାହିଁଛି କେବଳ...ସେ ଯେପରି ତାପରି ପାଷାଣୀକନ୍ୟାର ମୁକ୍ତି ଦାତା ।

 

ଗାଡ଼ି ବାଣୀବିହାର ପାର ହୋଇ ବମିଖାଲ ଛକ ପାଖରେ ମୋଡ଼ ଭାଙ୍ଗିବାବେଳକୁ ଆଗକୁ ଝୁଙ୍କିପଡ଼ି ଅନାଇଲା ସୁମତି । ନା ! କୌଣସି ଟ୍ୟାକ୍‌ସି କିମ୍ବା ସ୍କୁଟର ଆଖିରେ ପଡ଼ୁନି । ଆଗେ ଆଗେ ତୀବ୍ର ଗତିରେ ଚାଲିଛି କେତୋଟି ବସ୍ ।

 

କଟକ ସହର ଆଉ ନିରାପଦ ନୁହେଁ । ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଥିବାର ସମ୍ବାଦ ଖବର କାଗଜରୁ ପଢ଼େ ସେ । ବୋମା ବା ଏସିଡ଼୍ ବଲ୍‌ବ ଫିଙ୍ଗବା, ଛୁରା ମାରିବା ବା ମହିଳାମାନଙ୍କୁ ଲାଞ୍ଛିତା କରିବା ନିତ୍ୟ ନୈମିତିକ ଘଟଣାରେ ପରିଣତ ହେଲାଣି । ଗୁଣ୍ଡା ଏବଂ ସମାଜବିରୋଧୀ ଶକ୍ତି ପ୍ରବଳ ପ୍ରମତ୍ତ ହୋଇ ଉଠିଛନ୍ତି । ପ୍ରତ୍ୟେକ ରାଜନୈତିକ ଦଳର ସୁରକ୍ଷା ଏବଂ ପୋଷକତା ପାଆନ୍ତି ସେମାନେ । ପୁଲିସ୍‍ର ପରିସରର ବାହାରେ ସେମାନଙ୍କର ଗତିବିଧି । ଆଇନର ଲମ୍ବହାତ ପହଞ୍ଚେ ନାହିଁ ସେମାନଙ୍କ ପର୍ଯ୍ୟନ୍ତ । ଶାସନକଳରେ ସେମାନଙ୍କର ବୋଲକରା ବି ଅଛନ୍ତି କେତେକ ।

 

ସବୁକଥା ଭାବିଲେ ଭୟ ଲାଗେ ସୁମତିକୁ । ଲୋକମାନେ ସାମାନ୍ୟ କଥାରେ ହିଂସାର ଆଶ୍ରୟ ନେବାକୁ ପଛାଉ ନାହାନ୍ତି । ପରସ୍ପର ପ୍ରତି ସ୍ନେହ ଓ ସହଯୋଗର ବନ୍ଧନ ସ୍ଥାନରେ ଅସହିଷ୍ଣୁତା ବଢ଼ିବାରେ ଲାଗିଚି । ନ୍ୟାୟ ନାମରେ ଏତେ ଅନ୍ୟାୟ କରାଯାଉଚି ଯେ, ସାଧାରଣ, ବ୍ୟକ୍ତି ନ୍ୟାୟକୁ ଆଶ୍ରୟ କରିବାକୁ ଯାଇ ଶାସନ ଓ ନୃସଂଶତାର ରଥଚକ ତଳେ ପେଶି ହୋଇଯାଉଛି । ସଭ୍ୟ ଶିକ୍ଷିତ ମନୁଷ୍ୟର ମୁଖାପିନ୍ଧି ବୁଲୁଥିବା ସ୍ୱାର୍ଥନ୍ୱେଷୀ ବ୍ୟକ୍ତି ନିଜର ଉଦ୍ଦେଶ୍ୟ ସାଧନ ନିମନ୍ତେ ବା ଉଦ୍ଦେଶ୍ୟ ସାଧନରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଯେକୌଣସି ବ୍ୟକ୍ତିକୁ ଖତମ୍ କରିଦେଇପାରେ । ସେହିପରି କେହି ଯଦି ପ୍ରତିଶୋଧ ନିଏ ମନୋଜ ଉପରେ ! ଆଜିକାଲି ବୋମା ଫିଙ୍ଗିବା, ଛୁରୀ ଭୁଷିବା ସାଧାରଣ ଘଟଣା ହୋଇଗଲାଣି । ସେପରି ଯଦି କିଛି ଘଟିଯାଏ ହଠାତ୍ ।

 

ଭାବିବାକ୍ଷଣି ସୁମତିର ତାଳୁରୁ ତଳିପା ଯାଏ ଏକ ହିମପ୍ରବାହ ଖେଳିଗଲା । ସେ କିଂକର୍ତ୍ତବ୍ୟବିମୂଢ଼ ହୋଇ ବସିରହିଲା ଗାଡ଼ି ଭିତରେ ।

 

ସେ ଇଣ୍ଟେଲିଜେନ୍‌ସ ରିପୋର୍ଟ ପଢ଼ିବା ଆଗରୁ ବାହାରି ଯାଇଛି ମନୋଜ । ତାକୁ ସତର୍କ କରିଦବା ସକାଶେ ସମୟ ପାଇନି ସୁମତି । ବର୍ତ୍ତମାନ ବି ହୁଏତ ଯଥେଷ୍ଟ ବିଳମ୍ବ ହୋଇଯାଇନି ଏବଂ ଏବେବି ସମୟ ଅଛି ହାତରେ...ଯଦି ଠିକ୍ ସମୟରେ ଠିକଣା ସ୍ଥାନରେ ସେ ପହଞ୍ଚିଯାଏ । ହୁଏତ ଏକ ଆସନ୍ନ ସଙ୍କଟରୁ ରକ୍ଷା ପାଇଯିବ ମନୋଜ ।

 

ତା’ ସମ୍ପର୍କରେ ଯେତିକି ଭାବେ ସେତିକି ଉଚ୍ଚାଟ ହୁଏ ମନ । ସେଇ ଆଦ୍ୟ ଯୌବନର ପ୍ରଥମ ପୁଲକରେ ସେ ଦେଖିଥିଲା ମନୋଜକୁ । ସେଇଦିନୁ ତାକୁ ଦେଖିବା କ୍ଷଣି ଏକ ନିଭୃତ ଅନ୍ତରଙ୍ଗ ସ୍ପର୍ଶ ସଞ୍ଚରିଯାଏ ସୁମତିର ସର୍ବାଙ୍ଗରେ । ଏକ ହୋଇଯିବ ପାଇଁ ଇଚ୍ଛାହୁଏ । ମନ ହୁଏ ତାହାରି ମନମୁକୁରରେ ପ୍ରତିଫଳିତ ହେବାପାଇଁ ।

 

ମନୋଜ ତା’ କଥା ଏତେ ଭାବେ କି ନାହିଁ କେଜାଣି ?

କିନ୍ତୁ ସେ ଭାବୁ ବା ନ ଭାବୁ ତାକୁ ତ ଅନ୍ୟ ହାତକୁ ଟେକିଦେଇ ପାରିବିନି ସେ !

 

ମନୋଜ ତାକୁ ଯଦି ଭଲପାଉ ନ ଥାନ୍ତା ତା’ହେଲେ କାରଣ ବା ଅକାରଣରେ ଇମିତି ସହଜ ଭାବରେ ପାଖକୁ ଆସନ୍ତା ନାହିଁ । ‘ପ୍ରିୟତମା’ରେ ଏକତ୍ର ବସିଥିଲେ ଦୁହେଁ । ସେଇ ସନ୍ଧ୍ୟାର ମଧୁର ଅନୁଭୂତି ମନ ଓ ପ୍ରାଣକୁ ଏବେ ବି ଆମୋଦିତ କରେ ।

 

ତେଲେଙ୍ଗାପେଣ୍ଠ ପାର ହୋଇ ଚେକ୍‌ଗେଟ ପହଞ୍ଚିବାବେଳକୁ ଆଗରେ ତୀର ବେଗରେ ଗୋଟେ ସ୍କୁଟର ଚାଲିଯିବାର ଦେଖିଲା ସୁମତି ।

 

ଆକାଶୀ ରଙ୍ଗର ସେଇ ସ୍କୁଟରପରି ଲାଗିଲା ତାକୁ । କିନ୍ତୁ ମନୋଜ ଏକା ନୁହେଁ ପଛରେ ଆଉ ଜଣେ କେହି ବସିଛି-ପୁଣି ନାରୀ ଜଣେ !

 

ଛାତି ଭିତରଟା ଧଡ଼କରି ଉଠିଲା ସୁମତିର ।

କେଉଁ ତରୁଣୀ ମନୋଜର ସ୍କୁଟର ପଛରେ ବସିବ ଏଡ଼େ ନିର୍ଭୟରେ ।

 

ଆହୁରି ଥରେ ଆଗକୁ ଝୁଙ୍କିପଡ଼ି ଆଗେଇ ଯାଉଥିବା ସ୍କୁଟର ଆଡ଼କୁ ଅନାଇଲା ସେ । ହେଲ୍‌ମେଟ ପିଦ୍ଧା ଆରୋହୀକୁ ପଛରୁ ଚିହ୍ନିପାରିଲା ନାହିଁ ସୁମତି । ପଛରେ ବସିଥିବା ଝିଅର ଦେହର ରଙ୍ଗ ଏବଂ ଗ୍ରୀବାର ଶୋଭା ଚମତ୍କାର !

 

ଇଏ ବୋଧହୁଏ ମନୋଜ ନୁହେଁ !

 

ସେପରି କୌଣସି ତରୁଣୀ ସହିତ ତା’ର ବନ୍ଧୁତ୍ୱ ଥାଇପାରେ ଏହା କଳ୍ପନାକରି ପାରୁ ନ ଥିଲା ସୁମତି ।

 

ଚେକ୍‌ଗେଟ୍ ପାଖରେ ଜାଗା ମାଡ଼ି ଛିଡ଼ା ହୋଇଥିଲା ଟ୍ରକ୍‌ଟିଏ । ସ୍କୁଟର ସିନା ଆଗେଇ ଗଲା ପଲକରେ, କିନ୍ତୁ ପଛେଇଗଲା ଟ୍ୟାକ୍‌ସି ।

 

ପଛରେ ପଡ଼ିଗଲା ସୁମତି ।

ପ୍ରତିଯୋଗିତାରେ ଆଉ କେହି ତରୁଣୀ ମନୋଜକୁ ଜୟକରି ନାହିଁ ତ ?

ଭାବିବାକୁ ଭୟ ଲାଗେ... ।

 

ସୁମତି କହିଲା ଟ୍ୟାକ୍‌ସି ଡ୍ରାଇଭରକୁ- ବଡ଼ ଜରୁରୀ କାମ ଅଛି ଭାଇ...ଟିକେ ଜଲ୍‌ଦି କର... । ଟ୍ରକ୍ ଜାଗା ଛାଡ଼ି ଦେଇଥିଲା ସେତେକେଳକୁ ।

 

ଟ୍ୟାକ୍‌ସି ସଫା ରାସ୍ତା ପାଇ ପୁଣି ଗତି ପ୍ରଖର କଲା ।

 

ଟାଉନହଲରେ ଶୀଘ୍ର ପହଞ୍ଚିବା ପାଇଁ କାଠଯୋଡ଼ି କୂଳେ କୂଳେ ଯିବାକୁ ମନସ୍ଥ କରି ବାଟ ଭାଙ୍ଗିଲା ସୁମତି ।

 

କାଠୋଯୋଡ଼ି ପୋଲ ପାର ହେବାବେଳେ ଡ୍ରାଇଭର ଟିକେ ଅସାବଧାନ ହୋଇଥିଲେ ଧକ୍‌କା ଲାଗିଥାଆନ୍ତା ସେପାଖରୁ ଆସୁଥିବା ଏକ ଶଗଡ଼ ସହିତ । ବ୍ରେକ୍‌କରି ଟ୍ୟାକ୍‌ସିକୁ ରୋକିନେଲା ଡ୍ରାଇଭର । ଆସନ୍ନ ଦୁର୍ଘଟଣାରୁ ରକ୍ଷା ପାଇଗଲା ସୁମତି ।

 

ଟାଉନହଲରେ ମନୋଜକୁ ନାଗରିକ ସମ୍ବର୍ଦ୍ଧନା ଦିଆଯିବ ଆଜି ।

 

ସୂର୍ଯ୍ୟର ଶେଷ କିରଣ ଘୁଞ୍ଚିଗଲାଣି ନରାଜର ପାହାଡ଼ ଉପରକୁ । ନଦୀ ଉପରେ ଚେନାଏ ଆଲୁଅ ଶେଷ ବର୍ଣ୍ଣୋତ୍ସବ ସୃଷ୍ଟି କରୁଛି ଲିଭିଯିବା ପୂର୍ବରୁ ।

 

ସୁମତି ହାତ ଘଡ଼ିକୁ ଚାହିଁଲା ।

ଛଅଟା ପନ୍ଦର ।

 

ଏତେବେଳକୁ ହୁଏତ ପହଞ୍ଚାଇଥିବ ମନୋଜ...ସେ ପହଞ୍ଚିବାବେଳକୁ ସମ୍ବର୍ଦ୍ଧନା ସଭା ଆରମ୍ଭ ହୋଇଯାଇଥିବ ।

 

ମନୋଜର ନିର୍ଭୀକ, ନୀର୍ଲୀପ୍ତ ମୁହଁଟି ପୁଣି ଭାସିଉଠିଲା ମାନସ ପଟରେ ।

ସୁମତିର ଜୀବନରେ ବି ଆଜି ଏକ ଦୁର୍ଲଭ ଶୁଭଦିନ ।

 

ଆଜି ସେ ପ୍ରାଣକୋଷରେ ଅନୁଭବ କରୁଛି ଏକ ଦୁରନ୍ତ ଦୁର୍ବିସହ ପୁଲକ । ଏକ ବିଶେଷ ଅନନୁଭୂତ ଗୌରବବୋଧ ସର୍ବାଙ୍ଗକୁ ଉଚ୍ଚକିତ କରିପକାଉଛି ।

 

ଟାଉନ୍‌ହଲ ଆଗରେ ଟ୍ୟାକ୍‌ସି ଛିଡ଼ାହେବା ବେଳକୁ ଛଅଟା ପଇଁତିରିଶ ।

 

ସଭାକାର୍ଯ୍ୟ ଆରମ୍ଭ ହୋଇ ସାରିଥାଏ ସେତେବେଳକୁ । ମଞ୍ଚ ଉପରେ ମଝିରେ ବସିଛି ମନୋଜ । ଟେବୁଲ ଉପରେ ଥୁଆ ହୋଇଛି ବେକରୁ ଓହ୍ଲେଇ ଦେଇଥିବା ଫୁଲମାଳ ।

 

ସେଇ ସୁନ୍ଦରୀ ଗ୍ରୀବା ଝିଅଟି ଆଖିର ପଡ଼ୁନି ହୁଏତ ଲୁଚି ଯାଇଛି ଜନ ଗହଳିରେ...କିମ୍ବା ସବୁ ମନର ଭ୍ରମ । ସେଇ ସ୍କୁଟର ଆରୋହୀ ମନୋଜ ନୁହେଁ କିମ୍ବା ସେଇ ଅନ୍ୟ କେହି ନୁହେଁ ... ।

 

ମନୋଜର ଆଖି ତା’ ଉପରେ ପଡ଼ିନି ବୋଧହୁଏ... । କେମିତି ଗମ୍ଭୀର ଦିଶୁଛି ତା’ର ମୁହଁ । ବୟସ ଟିକେ ବଢ଼ିଗଲା ପରି ଲାଗୁଛି ।

 

ଉତ୍ତର କୋଣରୁ ଧୀରେ ଧୀରେ ଦୁଇଜଣ ଯୁବକ ମଞ୍ଚଆଡ଼କୁ ଅଗ୍ରସର ହେଉଥିବାର ଦେଖି ଚମକି ପଡ଼ିଲା ସୁମତି ।

 

ସେମାନଙ୍କର ଭିଡ଼ଠେଲି ଆଗକୁ ଯିବାର ଉଦ୍ଦେଶ୍ୟ କଅଣ ?

ସେମାନଙ୍କ ଗତିବିଧି ଉପରେ ତୀବ୍ର ଲକ୍ଷ୍ୟରଖି ପଛେ ପଛେ ଚାଲିଲା ସୁମତି ।

ଜଣେ କେହି ତା’ ଆଗରେ ଛିଡ଼ା ହୋଇଯିବାରୁ ବାଟ ନ ପାଇ ଛିଡ଼ା ହୋଇଗଲା ସୁମତି ।

 

ମାନପତ୍ର ପଢ଼ିବା ପାଇଁ ସଭାପତି ଘୋଷଣା କରିବା ସଙ୍ଗେ ସଙ୍ଗେ ସମ୍ବର୍ଦ୍ଧନା ସଭାର ସମ୍ପାଦକ ଆଗେଇ ଆସିଲେ ମାଇକ୍ ପାଖକୁ ।

 

ମଞ୍ଚ ଉପରୁ ସେଇ ଦୁଇଜଣ ତରୁଣଙ୍କ ପୂର୍ବ ସ୍ଥାନକୁ ଦୃଷ୍ଟି ଫେରାଇ ଆଣିବାବେଳକୁ ସେମାନଙ୍କୁ ଆଉ ଦେଖି ନ ପାରି ସୁମତି ଅଗ୍ରସର ହେବାକୁ ଯାଉଛି, ହଠାତ୍ ପ୍ରଚଣ୍ଡ ଶବ୍ଦକରି ଏକ ବିସ୍ଫୋରଣ ଘଟିଲା ମଞ୍ଚ ପାଖରେ । ମୁହୂର୍ତ୍ତେ ସ୍ତବ୍‌ଧ ହୋଇଗଲା ସୁମତି । ଯାହା ଆଶଙ୍କା କରୁଥିଲା ତାହା ଘଟିଗଲା ବୋଧହୁଏ... !

 

ପ୍ରାୟ ମଞ୍ଚ ଉପରକୁ କୁଦିପଡ଼ିଲା ସୁମତି ।

ଯେ କୌଣସି ଉପାୟରେ ରକ୍ଷା କରିବାକୁ ହେବ ମନୋଜକୁ ।

 

ସେତେବେଳେକୁ ଆଉ ଏକ ବିସ୍ଫୋରଣ ଘଟିଲା ଠିକ୍ ସୁମତିର ପାଦ ନିକଟରେ ଏବଂ ତାହାରି ପ୍ରକୋପରେ କଟା କଦଳୀଗଛପରି ଆର୍ତ୍ତନାଦ କରି ଭୂପତିତ ହେଲା ସେ ।

 

ଚତୁର୍ଦ୍ଦିଗରେ ସେତେବେଳକୁ ଆର୍ତ୍ତନାଦ ଶୁଭୁଥାଏ କେବଳ । ବିସ୍ଫୋରଣର ଶବ୍ଦ ଶୁଣି ଭୟବିହ୍ୱଳ ଜନତା ନିରାପଦ ଆଶ୍ରୟ ପାଇବା ଉଦ୍ଦେଶ୍ୟରେ ଦୌଡ଼ୁଥାଆନ୍ତି ଯତ୍ରତତ୍ର ।

 

ମନୋଜ ଆହତ ସୁମତିର ରକ୍ତାକ୍ତ ଶରୀରକୁ ଉଠେଇନବା ବେଳକୁ ଆଖି ଖୋଲି କ୍ଷୀଣ କଣ୍ଠରେ କହିଲା ସୁମତି, ତୁମର କିଛି କ୍ଷତି ହୋଇନି ତ ମନୁଭାଇ... !

 

ସୁମତିର ଛାତି ତଳୁ ଝରୁଥିବା ରକ୍ତରେ ସେତେବେଳକୁ ଭିଜିଗଲାଣି ମନୋଜର ଜାମାପେଣ୍ଟ ।

ଚତୁର୍ଦ୍ଦିଗରେ କୋଳାହଳ...ବିସ୍ଫୋରଣର ବାରୁଦିଆ ଗନ୍ଧ ଏବଂ ଧୂଆଁରେ ପୂରି ଉଠିଥାଏ ଟାଉନହଲ୍ ।

 

ପଛରୁ ଦେଖିବାକୁ ସେଇ ସୁନ୍ଦରୀ ତରୁଣୀକୁ ମନୋଜ ପାଖରେ ବସି ସୁଶ୍ରୂଷା କରିବା ପାଇଁ ତା’ ଆଡ଼କୁ ହାତ ବଢ଼ାଉଥିବାର ଦେଖି ବିସ୍ମୟ ଓ ବେଦନାବିହ୍ୱଳ ଦୃଷ୍ଟିରେ ମନୋଜର ମୁହଁକୁ ଅନାଇଲା ସୁମତି ।

 

ସେଇ ଦୃଷ୍ଟିରେ ପୃଥିବୀର ସବୁ ପ୍ରଶ୍ନ ମୂର୍ତ୍ତି ହୋଇଉଠିଲା କ୍ଷଣକରେ ।

 

ମନୋଜ କିଛି ଉତ୍ତରଦବା ପୂର୍ବରୁ ତାହାରି କୋଳରେ ଆଖି ବୁଜିଲା ସୁମତି । ଅନୁପମାର ଆଖି ଆଗରେ ସେଇ ନିର୍ଭୀକ, ନିର୍ଲିପ୍ତ ସାମ୍ବାଦିକ ହଠାତ୍ ଛୋଟ ଶିଶୁପରି ବାହୁନି ଉଠିଲା ବେଦନାରେ ।

Image